“ବିକ୍‌ନର ନହି ହ୍ୟାଣ୍ଡଲୁମ୍‌ । ଆୟୁଷ୍ୟା କଢ଼ଲେ ତ୍ୟାଚାବର (ହସ୍ତତନ୍ତକୁ ମୁଁ ବିକିବି ନାହିଁ । ଏଥିରେ ହିଁ ମୁଁ ଜୀବନ ବିତାଇଛି ।” ତାଙ୍କ ଘର ମଝିରେ ଥିବା ସାତ ଫୁଟ ଉଚ୍ଚ ଏକ ତନ୍ତକୁ ଆଙ୍ଗୁଠି ଦେଖାଇ ଏହା କହନ୍ତି ବସନ୍ତ ତାମ୍ବେ । ଗର୍ବର ସହ ସେ କଥା ଯୋଡନ୍ତି, “ଏହାକୁ ବ୍ୟବହାର କରି ଆପଣ ଯେ କୌଣସି ପ୍ରକାର କପଡ଼ା ତିଆରି କରିପାରିବେ ।”

ଶାଗୁଆନ୍‌ କାଠରେ ତିଆରି ଏହି ତନ୍ତରେ ତାମ୍ବେ ପ୍ରତି ଦୁଇ ସପ୍ତାହରେ ୬୬ ମିଟର କପଡ଼ା ବୁଣନ୍ତି ଏବଂ ମାସକୁ ହାରାହାରି ୧୩୦ ମିଟର ସୂତା ବ୍ୟବହାର କରନ୍ତି। ଏହି କପଡ଼ା ଉଚ୍ଚ ଗୁଣମାନର ସାର୍ଟ ସିଲାଇ ହେବାକୁ ପଠାଯାଏ । ୬୦ ବର୍ଷରୁ ଅଧିକ ସମୟ ହେଲା ବିଭିନ୍ନ ତନ୍ତରେ ସେ ଏହି କାମ କରିଆସୁଛନ୍ତି ଏବଂ ଏ ପର୍ଯ୍ୟନ୍ତ ୧୦୦,୦୦୦ ମିଟର କପଡ଼ା ବୁଣି ସାରିଛନ୍ତି ।

ଗୋଟିଏ ନଉବାରି ବା ନ’-ଗଜ ଲମ୍ବା ଶାଢ଼ିରୁ ଏହି ୧ ଲକ୍ଷ ମିଟର ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କ ବୟସ ଥିଲା ପ୍ରାୟ୧୮ ବର୍ଷ । ଏବେକାର ୮୨ବର୍ଷୀୟ ତାମ୍ବେ ପ୍ରଥମେ ଜଣେ ପ୍ରଶିକ୍ଷାର୍ଥୀ ଭାବେ ରେନ୍ଦାଲ ଗାଁର ଏକ କାରଖାନାରେ ବସିବା ଆରମ୍ଭ କରିଥିଲେ । ଯେଉଁଠାରୁ ସେ ଶାଢ଼ି କିପରି ତିଆରି କରିବାକୁ ହୁଏ ଶିଖିଥିଲେ। ପୁରୁଣା କଥା ମନେ ପକାଇ ସେ କହନ୍ତି, “ମାସକ ପାଇଁ ଆମକୁ କାରଖାନାରେ (କାର୍ଯ୍ୟଶାଳାରେ) ବିନା ଦରମାରେ କାମ କରିବାକୁ ପଡ଼ିଥିଲା ।”

ଖୁବ୍‌ ଶୀଘ୍ର ତାମ୍ବେ ଚାରି ଘଣ୍ଟାରେ ଗୋଟିଏ ନଉବାରି (ଆଠ ମିଟରରୁ କିଛିଟା ଅଧିକ) ବୁଣିବା ଆରମ୍ଭ କଲେ ଏବଂ ପ୍ରତି ଶାଢ଼ି ପିଛା ୧ ଟଙ୍କା ୨୫ ପଇସା ରୋଜଗାର କଲେ । ଅତୀତକୁ ମନେ ପକାଇ ସେ କହନ୍ତି, “ଅଧିକରୁ ଅଧିକ ଶାଢ଼ି ବୁଣିବା ପାଇଁ ଆମେମାନେ ପ୍ରତିଯୋଗିତା କରୁଥିଲୁ। ଗୋଟିଏ ସପ୍ତାହରେ ୨୧ଟି ଶାଢ଼ି ବୁଣିବା ଥିଲା ସବୁଠୁ ଅଧିକ ।” ୧୯୬୦ ଓ ୭୦ ଦଶକରେ, ଏଭଳି ଏକ କାର୍ଯ୍ୟ ହାସଲ କଲେ ତାଙ୍କୁ ଓ ତାଙ୍କ ସହକର୍ମୀମାନଙ୍କୁ ବୋନସ୍‌ ରୂପରେ ୨ ଟଙ୍କା ମିଳୁଥିଲା ।

ବସନ୍ତଙ୍କ ପରିବାରର କେହି ବୁଣାକାର ହୋଇ ନଥିବା କାରଣରୁ ତାଙ୍କ ପାଇଁ କାରଖାନାରେ ପ୍ରଶିକ୍ଷଣ ନେବା ଆବଶ୍ୟକ ଥିଲା । ତାଙ୍କ ପରିବାର ଧାଙ୍ଗଡ଼ ସଂପ୍ରଦାୟର, ଯାହାକି ଯାଯାବର ଜନଜାତି ରୂପେ ତାଲିକାଭୁକ୍ତ । ବସନ୍ତଙ୍କ ବାପା, ଶଙ୍କର ତାମ୍ବେ ଜଣେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ ଏବଂ ତାଙ୍କ ମାଆ ସୋନାବାଇ ଥିଲେ ଜଣେ କୃଷି ଶ୍ରମିକ ଏବଂ ଗୃହିଣୀ । କାହିଁକି ସେ ରାଜମିସ୍ତ୍ରୀ କାମ କଲେନାହିଁ ପ୍ରଶ୍ନର ଉତ୍ତରରେ ସେ କହନ୍ତି, “ଘର ଛାତ ଉପରୁ ପଡ଼ିଯିବି ବୋଲି ମତେ ଡର ଲାଗୁଥିଲା । “ତେଣୁ ମୁଁ ଅଲଗା କିଛି କରିବାକୁ ସ୍ଥିର କଲି ।”

Vasant Tambe bought this loom from a weaver in Rendal for around Rs. 1,000
PHOTO • Sanket Jain
The warp passes through 3,500 wire heddles of the handloom. It helps in separating the warp threads and helps the steady passage of the weft thread
PHOTO • Sanket Jain

ବାମ: ବସନ୍ତ ତାମ୍ବେ ୧୯୭୫ ମସିହାରେ ଏହି ତନ୍ତକୁ ପ୍ରାୟ ୧୦୦୦ ଟଙ୍କାରେ କିଣିଥିଲେ । ଡାହାଣ: ଏହାର ଲମ୍ବସୂତା ତନ୍ତରେ ଥିବା ପ୍ରାୟ ୩୫୦୦ଟି ତାର ନିର୍ମିତ ଘରା ଦେଇ ଯାଇଥାଏ, ଯାହାକି ସୂତାଗୁଡ଼ିକୁ ପୃଥକ୍‌ କରେ ।

ତାମ୍ବେ ଦ୍ଵିତୀୟ ଶ୍ରେଣୀ ଯାଏ ସ୍କୁଲ୍‌ ଯାଇଥିଲେ କିନ୍ତୁ ତାଙ୍କ ପିତାମାତା ଖର୍ଚ୍ଚ ତୁଲାଇ ନ ପାରିବାରୁ ତାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପଡ଼ିଥିଲା । ଅନିୟମିତ ଭାବେ କିଛି ଦିନ ବାପାଙ୍କ ସହ କାମକୁ ଯିବା ପରେ ସେ ଜଣେ ସ୍ଥାନୀୟ ବଣିଆଙ୍କ ସହଯୋଗୀ ପାଲଟି ଗଲେ । ଯଦିଚ ଖୁବ୍‌ ଶୀଘ୍ର, ଗାଁରେ ତନ୍ତଗୁଡ଼ିକର ଖଟଖଟ ଶବ୍ଦ ଯୁବ ବସନ୍ତଙ୍କୁ କାରଖାନାକୁ ଟାଣି ଆଣିଥିଲା ।

୧୯୬୦ ଦଶକ ବେଳକୁ, ପ୍ରତି ଶାଢ଼ି ପିଛା ଦର ୨ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଥିଲା। ବସନ୍ତ, ଯେବେ ଯେବେ କାମ ମିଳୁଥିଲା କରୁଥିଲେ ଏବଂ ମାସକୁ ପ୍ରାୟ ୭୫ ଟଙ୍କା ରୋଜଗାର କରୁଥିଲେ । ଏହି ରୋଜଗାରକୁ ବଢ଼ାଇବା ପାଇଁ ସେ ଜଣେ କୃଷି ଶ୍ରମିକ ଭାବେ କାମ କରୁଥିଲେ ଏବଂ ତାଙ୍କ କହିବା କଥା ଯେ,୧୯୫୦ ଦଶକରେ ସେ ଦିନକୁ ୧୦ ଘଣ୍ଟା କ୍ଷେତରେ କାମ କରି ଚାରି ଅଣା ବା ୨୫ ପଇସା ରୋଜଗାର କରୁଥିଲେ । ସେଦିନର କଥା ମନେ ପକାଇ ସେ କହନ୍ତି, “୧୯୬୦ ମସିହାରେ ଆମେ ୨ ଟଙ୍କାରେ ଏକ କିଲୋ ଚାଉଳ କିଣୁଥିଲୁ।” ସେ କହନ୍ତି ଯେ ସେତେବେଳେ କ୍ଷେତରେ ହରଡ଼ ଡାଲି କିଲୋଗ୍ରାମକୁ ୬୨ ପଇସାରେ ବିକ୍ରି ହେଉଥିଲା । 

ବିଭିନ୍ନ କାରଖାନାର ତନ୍ତରେ ୨୦ ବର୍ଷ କାମ କରିବା ପରେ, ୩୮ ବର୍ଷୀୟ ବସନ୍ତ ୧୯୭୫ ମସିହାରେ କୋହ୍ଲାପୁର ଜିଲ୍ଲା ହଟକାନ୍‌ଙ୍ଗଲ ତାଲୁକା ଅନ୍ତର୍ଗତ ତାଙ୍କ ଗାଁ ରେନ୍ଦାଲର ଦୁଇ ଜଣ କାର୍ଯ୍ୟଶାଳା ମାଲିକଙ୍କ ପାଖରୁ, ଗୋଟିକୁ ପ୍ରାୟ ୧,୦୦୦ ଟଙ୍କା ଦେଇ ଦୁଇଟି ପୁରୁଣା ତନ୍ତ କିଣିଲେ। ସ୍ଥାନୀୟ ହସ୍ତତନ୍ତ ସମବାୟ ସମିତିକୁ ନିଜ ତନ୍ତରୁ ତିଆରି ଶାଢ଼ି ବିକି ସେ ଶାଢ଼ି ପିଛା ୩ ଟଙ୍କା ରୋଜଗାର କରିପାରିଲେ ।

ମଜୁରି ସଂପର୍କରେ କହିବାକୁ ଯାଇ ତାମ୍ବେ ୧୯୬୪ ମସିହାର ସେ ସମୟର କଥା ମନେ ପକାନ୍ତି, ଯେତେବେଳେ ଅଧିକ ମଜୁରି ପାଇଁ ଶ୍ରମିକମାନେ ହସ୍ତତନ୍ତ ମାଲିକମାନଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ସେତେବେଳେ ସେ ରେନ୍ଦାଲରେ ଥିବା ହାତମଘ କାମଗାର ସଂଘର ସଭାପତି ଥିଲେ । ସେ କହନ୍ତି, “ଶାଢ଼ି ପିଛା ଆମକୁ ମିଳୁଥିବା ୨ ଟଙ୍କା ୫୦ ପଇସାକୁ ଆହୁରି ବଢ଼ାଇବା ପାଇଁ ଆମେ ଦାବି କରୁଥିଲୁ ।” ତିନି ମାସ କାଳ ଆନ୍ଦୋଳନ କରିବା ପରେ ହସ୍ତତନ୍ତ ମାଲିକମାନେ ନରମିଥିଲେ । ତାମ୍ବେ କହନ୍ତି, “ଆମେ ଏହି ଦରକୁ ୫ ପଇସା ବଢ଼ାଇବାରେ ସକ୍ଷମ ହୋଇଥିଲୁ।” ଏହା ସହିତ ପୂର୍ବରୁ ବୁଣାକାରମାନେ କରିଆସୁଥିବା ବୁଣା ଶାଢ଼ିକୁ ଭାଙ୍ଗ କରିବା କାମ ଅନ୍ୟ ଏକ ଗୋଷ୍ଠୀର ଶ୍ରମିକମାନଙ୍କୁ ଦିଆଯାଇଥିଲା । କଥା ଯୋଡ଼ି ସେ କହନ୍ତି, “ଯେତେବେଳେ ଶ୍ରମିକମାନେ ତିନି ମାସ କାଳ ପଇସା ପାଇଲେ ନାହିଁ, ଗାଁର ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀ ମାଗଣାରେ ଦେଇ ସେମାନଙ୍କୁ ସାହାଯ୍ୟ କରିଥିଲେ ।”

PHOTO • Sanket Jain

ଊପର ବାମ: ଯବକାଚ ଲଗାଇ ବସନ୍ତ ତାମ୍ବେ ପ୍ରତି ଇଞ୍ଚରେ ଥିବା ସୂତାର ସଂଖ୍ୟା ପରଖୁଛନ୍ତି । ଉପର ଡାହାଣ:ତନ୍ତର ଲମ୍ବସୂତାରେ ଲାଗିଥିବା ପ୍ରତିଟି ସୂତା ପାଇଁ ଗୋଟିଏ ହିସାବରେ,ହସ୍ତତନ୍ତରେ ଥିବା ୩୫୦୦ଟି ତାର ନିର୍ମିତଘରା (ଫାଶରେ ଥିବା ରଜ୍ଜୁ)। ତଳ ବାମ: ତାଙ୍କ ହସ୍ତତନ୍ତରେ କାର୍ଯ୍ୟରତ ତାମ୍ବେ । ତଳ ଡାହାଣ:ତଳଉପର ହୋଇ ଚାଲୁଥିବା ଘରାଗୁଡ଼ିକର ଗତି ନିୟନ୍ତ୍ରଣ କରିବାକୁ ବୁଣାକାର ଏହି ପଦଚାଳିତ ଭାରଦଣ୍ଡ ଉପରେ ଗୋଡ଼ରେ ଚାପ ପକାନ୍ତି ।

୧୯୭୦ ମସିହା ବେଳକୁ, ବିକଳ୍ପ ରୂପରେ ଶସ୍ତା କଳତନ୍ତ ମିଳିବା ଆରମ୍ଭ ହୋଇଯାଇଥିଲା ଏବଂ ସାରା ମହାରାଷ୍ଟ୍ରରେ ସୂତା ଶାଢ଼ିର ଚାହିଦା କମିବାରେ ଲାଗିଥିଲା। ରେନ୍ଦାଲର ହସ୍ତତନ୍ତ ବୁଣାକାରମାନେ ସୂତା ଶାଢ଼ି ତିଆରି ଛାଡ଼ି ସାର୍ଟ ପାଇଁ କପଡ଼ା ତିଆରି କଲେ ।

“ଏହି ଶାଢ଼ିଗୁଡ଼ିକ (ଆମ ତନ୍ତରେ ତିଆରି) ସାଦାସିଧା ଏବଂ ଅଳ୍ପ କେତେଥର ଧୋଇବା ପରେ ଏଗୁଡ଼ିକର ରଙ୍ଗ ଛାଡ଼ି ଯାଏ।” ତାମ୍ବେ ପଚାରନ୍ତି, ଏଗୁଡ଼ିକ କିଏ ବା କିଣିବ?” ୧୯୮୦ମସିହା ବେଳକୁ ରେନ୍ଦାଲର କପଡ଼ା ରଙ୍ଗ କରାଯାଉଥିବା କାର୍ଯ୍ୟଶାଳାଗୁଡ଼ିକ (ଅଧିକାଂଶ କାରଖାନାଦାରମାନଙ୍କ ମାଲିକାନାରେ ଥିବା) ମଧ୍ୟ ଇଚଲକରଞ୍ଜି (ରେନ୍ଦାଲଠାରୁ ପ୍ରାୟ ୧୫ କିଲୋମିଟର ଦୂର) ସହରରେ ବଢ଼ିବାରେ ଲାଗିଥିବା କପଡ଼ା ରଙ୍ଗ ଶିଳ୍ପ ସହ ପ୍ରତିଯୋଗିତାର ସମ୍ମୁଖୀନ ହେଲେ । ସେଠାରେ ରାସାୟନିକ ରଙ୍ଗ ଏବଂ ରଙ୍ଗ କରିବା ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବାକୁ ମେସିନ୍‌ ବ୍ୟବହାର କରାଯାଉଥିଲା ।

ତାମ୍ବେ ଅନୁମାନ କରନ୍ତି ଯେ ୧୯୭୦ଦଶକର ପୂର୍ବଭାଗରେ ରେନ୍ଦାଲକୁ ପ୍ରଥମ କଳତନ୍ତ ଆସିଥିଲା, ଯାହାକୁ ଜଣେ ସ୍ଥାନୀୟ ବ୍ୟବସାୟୀ ମୁମ୍ବାଇରୁ ଆଣିଥିଲେ। ମନେ ପକାଇବା ଢଙ୍ଗରେସେ କହନ୍ତି ଯେ, ଏହାର ମୂଲ୍ୟ ଥିଲା ୫,୦୦୦ ଟଙ୍କା । ଅନ୍ୟ କେତେକ ଗାଁ ଲୋକ ବି ସାହୁକାରମାନଙ୍କଠାରୁ କରଜ ନେଇ ମୁମ୍ବାଇ, ଅହମଦାବାଦ ଏବଂ ସୁରତରୁ କଳତନ୍ତ କିଣିବା ଆରମ୍ଭ କଲେ। ଆଜିକାଲି ଗୋଟିଏ କଳତନ୍ତର ମୂଲ୍ୟ ଅତି କମ୍‌ରେ ୧ ଲକ୍ଷ ଟଙ୍କା ଏବଂ ବୁଣାକାରମାନଙ୍କ ଅନୁମାନ ଅନୁସାରେ ୧୯,୬୭୪ ଲୋକ (୨୦୧୧ ଜନଗଣନା) ବସବାସ କରୁଥିବା ଏହି ବଡ଼ ଗାଁ ରେନ୍ଦାଲରେ ୭,୦୦୦ଟି କଳତନ୍ତ ରହିଛି ।

Stones are attached to the handloom to help control the flow of thread towards the heddle from the mounted beam
PHOTO • Sanket Jain
This wooden equipment is called dabi in Marathi, and it was used to create designs on the sarees and cloth
PHOTO • Sanket Jain
The shuttle which carries the pirn moves back and forth and helps in interweaving the yarn to produce the cloth
PHOTO • Sanket Jain

ବାମ: ହସ୍ତତନ୍ତରେ ଲାଗିଥିବା ପଥର ଖଣ୍ଡଗୁଡ଼ିକ ଉପର କାଠକଡ଼ିରୁ ଘରା ଆଡ଼କୁ ଯାଉଥିବା ସୂତାଗୁଡ଼ିକର ପ୍ରବାହ ନିୟନ୍ତ୍ରଣ କରେ । ମଝି: ମରାଠି ଭାଷାରେ ଡାବି କୁହାଯାଉଥିବା ଏହି କାଠ ଉପକରଣଟି, ଶାଢ଼ି ଓ କପଡ଼ା ଉପରେ ଡିଜାଇନ୍‌ କରିବାକୁ ବ୍ୟବହାର କରାଯାଉଥିଲା । ଡାହାଣ:ସୂତାକୁ ଛନ୍ଦାଛନ୍ଦି କରି ବୁଣିବା ଲାଗି ସୂତା ସହ ଆଗପଛ ହେଉଥିବା ତୁରୀ

୨୦୦୯-୨୦୧୦ର ଭାରତୀୟ ହସ୍ତତନ୍ତ ଗଣନା ଅନୁସାରେ ସେ ବର୍ଷ ମହାରାଷ୍ଟ୍ରରେ ୪,୫୧୧ଟି ହସ୍ତତନ୍ତ ଥିଲା ଏବଂ ୩,୪୧୮ ଜଣ ବୁଣାକାର ଥିଲେ । ୨୦୧୮ ମସିହା ଫେବ୍ରୁଆରୀରେ ଜାରି ମହାରାଷ୍ଟ୍ର ସରକାରଙ୍କ ସମବାୟ, ବିପଣନ ଏବଂ ବୟନ ତନ୍ତ ବିଭାଗର ଏକ ଦସ୍ତାବିଜ୍‌ ଅନୁସାରେ ଏବେ ସାରା ମହାରାଷ୍ଟ୍ରରେ ୧୩ ଲକ୍ଷ କଳତନ୍ତ ରହିଛି ।

ଏବଂ ରେନ୍ଦାଲରେ ତାମ୍ବେଙ୍କ ସମେତ ମାତ୍ର ଚାରି ଜଣ ବୁଣାକାର ହସ୍ତତନ୍ତରେ କାମ ଜାରି ରଖିଛନ୍ତି ।

ଦୀର୍ଘ ଦିନ ଧରି ରେନ୍ଦାଲର ବୁଣାକାରମାନେ ସେମାନେ ତିଆରି କରୁଥିବା କପଡ଼ାକୁ କାରଖାନଦାରଙ୍କ ପରିଚାଳିତ ଦୁଇଟି ସମବାୟ ସମିତିକୁ ବିକ୍ରି କରୁଥିଲେ । ସେ ଦୁଇଟି ହେଲା- ଅଟୋମେଟିକ୍‌ ହ୍ୟାଣ୍ଡଲୁମ୍‌ କୋଅପରେଟିଭ୍‌ ବିନ୍‌କର ସୋସାଇଟି ଏବଂ ହାତମଘ ବିନ୍‌କର କୋଅପରେଟିଭ୍‌ ସୋସାଇଟି । ପରେ ଏହି କପଡ଼ାକୁ ପ୍ରାୟ ୨୨୦ କିଲୋମିଟର ଦୂର ସୋଲାପୁର ସହରରେ ଥିବା ଏକ ବଡ଼ ସମିତିକୁ ବିକ୍ରି କରାଯାଉଥିଲା ।

କିନ୍ତୁ ହସ୍ତତନ୍ତ ବସ୍ତ୍ରର ଚାହିଦା ହ୍ରାସ ଯୋଗୁଁ ୧୯୯୦ ଦଶକର ଶେଷ ଆଡ଼କୁ ରେନ୍ଦାଲରେ ଥିବା ସମିତିଗୁଡ଼ିକ ବନ୍ଦ ହୋଇଯାଇଥିଲା। ଗୋଟିଏ କୋଠାର ଦୁଇଟି ମହଲାରେ ଚାଲିଥିବା ସେମାନଙ୍କର ଅଫିସ୍‌ ବନ୍ଦ ରହିଛି ଏବଂ ଗୋଟିଏ ମହଲା ଏକ ଘରୋଇ ସ୍କୁଲ୍‌କୁ ଭଡ଼ାରେ ଦିଆଯାଇଛି । ଆଖପାଖ ଗାଁରେ ଥିବା ଅନ୍ୟ ହସ୍ତତନ୍ତ ସମିତିଗୁଡ଼ିକ ମଧ୍ୟ ବନ୍ଦ ହେବାରେ ଲାଗିଲା। ତେଣୁ ରେନ୍ଦାଲଠାରୁ ପ୍ରାୟ ୨୨ କିଲୋମିଟର ଦୂର ବେଲ୍‌ଗାମ ଜିଲ୍ଲା ଚିକୋଡ଼ି ତାଲୁକାର କୋଗାନଲି ଗାଁରେ ଥିବା କର୍ଣ୍ଣାଟକ ହସ୍ତତନ୍ତ ଉନ୍ନୟନ ନିଗମ ଲିମିଟେଡ୍‌ର ଏକ ଉପ-କେନ୍ଦ୍ରକୁ ବୁଣାକାରମାନେ ସେମାନଙ୍କ ତନ୍ତ ବିକିବା ଆରମ୍ଭ କରିଦେଲେ ଏବଂ ଏବେ ବି ବିକ୍ରି କରୁଛନ୍ତି ।

ତାମ୍ବେ ଓ ରେନ୍ଦାଲର ଅନ୍ୟ ତିନି ଜଣ ବୁଣକାର, ନିଗମରୁ ଏକ ୩୧ କିଲୋ ଓଜନର ଲମ୍ବସୂତା ଲାଗିବାକୁ ଥିବା କାଠକଡ଼ି ସହିତ ଏଥିରେ ଗୁଡ଼ା ହୋଇଥିବା ୨୪୦ ମିଟରର କପା କିମ୍ବା ପଲିଷ୍ଟର ସୂତା ଏବଂ ପାଞ୍ଚ କିଲୋ ଓଜନର ଅନ୍ୟ ଏକ ସୂତା ରୋଲ୍‌ ପାଆନ୍ତି । ତାମ୍ବେ କହନ୍ତି, “ମୁଁ (ଏହାକୁ ବ୍ୟବହାର କରି) ବୁଣୁଥିବା କପଡ଼ା ଉଚ୍ଚ ଗୁଣମାନର (ସୂତା ସଂଖ୍ୟା ଅଧିକ ଥିବା) ଏବଂ ମିଟର ପିଛା ମୁଁ ୨୮ ଟଙ୍କା ପାଏ ।’’ ‘‘ଅନ୍ୟ ବୁଣାକାରମାନେ ଏହାଠାରୁ କମ୍‌ ମଧ୍ୟ ପାଆନ୍ତି (ପାଖାପାଖି ୧୯ ଟଙ୍କା)।” ବୁଣାକାମରୁ ତାଙ୍କର ମାସିକ ରୋଜଗାର ୩,୦୦୦ରୁ ୪,୦୦୦ ଟଙ୍କା ହୁଏ ଏବଂ ଏକ ଏକର ଜମିରେ ଆଖୁ ଚାଷ କରି ସେ ଏହି ଆୟକୁ ବଢ଼ାଇ ଥାଆନ୍ତି ।

Vimal Tambe hand spinning the polyester thread which is wound on a pirn
PHOTO • Sanket Jain
The pirn winding process is usually done sitting on the ground. After an accident, Vimal Tambe sits on a chair to work
PHOTO • Sanket Jain

ତୁରୀରେ ଗୁଡ଼ା ହୋଇଥିବା ପଲିଷ୍ଟର ସୂତା ବୁଣୁଛନ୍ତି ବିମଲ ତାମ୍ବେ

ତାମ୍ବେ କହନ୍ତି, “ହସ୍ତତନ୍ତରେ ଖୁବ୍‌ ଅଧିକ ଶାରୀରିକ କାମ କରିବାକୁ ହୁଏ ଏବଂ ଆଜିକାଲି ଅଧିକାଂଶ ଲୋକ ଏହା କରିବାକୁ ଚାହୁଁନାହାନ୍ତି। କଳତନ୍ତରେ ଆପଣଙ୍କୁ କେବଳ ଏକ ମେସିନ୍‌ ଚଳାଇବାକୁ ପଡ଼େ।’’ “ଅତିରିକ୍ତ ରୋଜଗାର ପାଇଁ ଏକ ପନ୍ଥା ଆବଶ୍ୟକ। ଏତେ କମ୍‌ ରୋଜଗାରରେ ଆମେ କେମିତି ବଞ୍ଚିବୁ ?”

ବସନ୍ତଙ୍କ ପତ୍ନୀ ୭୫ ବର୍ଷୀୟା ବିମଲ, ହସ୍ତତନ୍ତ କିପରି ଚଳାଇବାକୁ ହୁଏ ଶିଖି ନଥିଲେ । ରେନ୍ଦାଲରେ କେବଳ ପୁରୁଷମାନେ ତନ୍ତରେ କାମ କରନ୍ତି । ମହିଳାମାନେ ଏକ ଚରଖା ଭଳି ମେସିନ୍‌ରେ କାମ କରନ୍ତି, ଯାହା କି ଭରଣିର ସୂତାକୁ ଏକ ବର୍ତ୍ତୁଳାକାର ଶଳାକା ବା ତାକୁଡ଼ିରେ ଗୁଡ଼ାଇଥାଏ । (୨୦୦୯-୨୦୧୦ରେ ହୋଇଥିବା ଭାରତର ହସ୍ତତନ୍ତ ଜନଗଣନା ଅନୁସାରେ ଦେଶରେ ରହୁଥିବା ୩୮.୪୭ଲକ୍ଷ ବୟସ୍କ ବୁଣାକାର ଓ ସମ୍ବନ୍ଧିତ ଶ୍ରମିକଙ୍କ ମଧ୍ୟରୁ ୭୭ ପ୍ରତିଶତ ମହିଳା ଏବଂ ୨୩ ପ୍ରତିଶତ ପୁରୁଷ ।)  ସେ କାହିଁକି ହସ୍ତତନ୍ତ ମେସିନ୍‌ ଚଳାଉ ନାହାନ୍ତି ବୋଲି ମୁଁ ଯେତେବେଳେ ପଚାରେ, ବିମଲ କହନ୍ତି, “ମତେ ବହୁତ ଘରକାମ କରିବାକୁ ପଡୁଥିଲା ଏବଂ ମୁଁ ସୂତାକୁ ହାତରେ ବୁଣୁଥିଲି ।” ସେ ଜଣେ କୃଷି ଶ୍ରମିକ ଭାବେ ବି କାମ କରୁଥିଲେ କିନ୍ତୁ ବୟସାଧିକ୍ୟ କାରଣରୁ ଦଶ ବର୍ଷ ତଳେ କାମ ବନ୍ଦ କରିଦେଲେ ।

୨୫ଟି ତାକୁଡ଼ିରେ ସୂତା ଗୁଡ଼ାଇବା ଲାଗି ବିମଲଙ୍କୁ ପ୍ରାୟ ତିନି ଘଣ୍ଟା ଲାଗେ ଏବଂ ଗୋଟିଏ ମିଟର କପଡ଼ା ବୁଣିବାକୁ ତାଙ୍କ ସ୍ଵାମୀ ତିନିଟି ତାକୁଡ଼ି ଦରକାର କରନ୍ତି । ପୂର୍ବରୁ ସେ ଘର ଚଟାଣରେ ବସୁଥିଲେ କିନ୍ତୁ ଗତ ବର୍ଷ ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯିବା ପରେ ଏବେ ସେ ଚଉକିରେ ବସନ୍ତି ।

ତାଙ୍କର ଦୁଇ ପୁଅ ବାଲ୍ୟାବସ୍ଥାରେ ପ୍ରାଣ ହରାଇଥିଲେ ଏବଂ ଗୋଟିଏ ବିବାହିତା ଝିଅ ଦରଜି କାମ କରେ । ୧୯୮୦ ଦଶକରେ ହିଁ ତାମ୍ବେ ଦୁଆରର ଚଉକାଠ କରିବାକୁ ସେ କିଣିଥିବା ଦ୍ଵିତୀୟ ହସ୍ତତନ୍ତକୁ ଭାଙ୍ଗି ଦେଇଥିଲେ । ଏହା ହିଁ ଉଭେଇ ଯାଇଥିବା ଏକ ପୃଥିବୀକୁ ବାଟ କଢ଼ାଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଙ୍କେତ ଜୈନ ହେଉଛନ୍ତି ମହାରାଷ୍ଟ୍ରର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର ପରୀ ଫେଲୋ।

Other stories by Sanket Jain