ଜୁଲାଇ ମାସର ରବିବାର ସକାଳ। ପଶ୍ଚିମ ଓଡ଼ିଶା ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ର ଉର୍ବର ପାଦ ଦେଶରେ ପଞ୍ଚମ ଦିନର ଅବିଶ୍ରାନ୍ତ ବର୍ଷା। ବିଳମ୍ବିତ ବର୍ଷାରେ ଆରମ୍ଭ ହୋଇଥିଲା ବର୍ଷର ସବୁଠୁ ବ୍ୟସ୍ତ ବହୁଳ ସମୟ। ପରିବେଶ ବିଜ୍ଞାନୀ ଦେବାଲ ଦେବ ଏବଂ ତାଙ୍କ ସହଯୋଗୀ ଦୁଲାଲ ବସୁଧା ପ୍ରସ୍ତୁତ କରିଥିଲେ - ଏକ ଦୁଇ ଏକର ବିଶିଷ୍ଟ କୃଷି କ୍ଷେତ ଯାହା ଭାରତରେ ସଂପୂର୍ଣ୍ଣ ଭିନ୍ନ - ମୌସୁମୀ ପାଇଁ ଯୌଗିକ ଯୋଜନାର ପ୍ରସ୍ତୁତି।

ଏସବୁ ଉପରେ ଦୃଷ୍ଟି ନିବଦ୍ଧ କରନ୍ତୁ: ଆଗାମୀ ଦିନରେ ଏହି କ୍ଷେତରେ ୧୦୨୦ଟି କିସମର ଦେଶୀ ଧାନଗଛ ଦେଖିବାକୁ ମିଳିବ। ଧ୍ୱଂସ ମୁହଁରୁ ଭାରତର ଜୈବ ବିବିଧତାକୁ ରକ୍ଷା କରିବା ଉଦ୍ୟମର ଏହା ଏକ ଅଂଶ ବିଶେଷ। ଏଥିପାଇଁ ୧୯୯୬ରୁ ଉଦ୍ୟମ ହୋଇଥିଲା।

୧୦୦୦ କିସମର ଧାନ ଚାରା ଲାଗିବାକୁ ଥିବା ଏହି ଜାଗାର ଆୟତନ ମୁମ୍ବାଇ ଓଭାଲ ମଇଦାନର ୧୦ ଭାଗରୁ ଏକ ଭାଗ ହେବ। ଏହି ଛୋଟ ଜାଗାରେ କେବଳ ଏତେ ସଂଖ୍ୟକ ଚାରା ଲାଗିବନି, ଏହା ବିଶେଷ ଯତ୍ନ ନିଆଯିବ। ପ୍ରତି କିସମର ବଂଶଗତ ଶୁଦ୍ଧତା ଯେପରି ବଜାୟ ରହେ, ସେଥିପାଇଁ ବର୍ଷକୁ ବର୍ଷ ବିହନ ବୁଣିବାର ଜଟିଳ ପ୍ରଣାଳୀ ପ୍ରସ୍ତୁତ କରୁଛନ୍ତି ଦେବ ଏବଂ ତାଙ୍କ ସହଯୋଗୀ। ଯେଭଳି ଏକ ସମୟରେ ପାଖାପାଖି ଦୁଇଟି କିସମରେ ଫୁଲ ନଧରେ, ସେ ଦିଗରେ ଯତ୍ନ କରାଯାଉଛି। ତେଣୁ ଗୋଟିଏ କିସମ ସହ ଅନ୍ୟ କିସମର ପରାଗ ସଂଗମ ହୋଇପାରୁ ନାହିଁ। (୨୦୦୬ ଜୁଲାଇରେ ପ୍ରକାଶିତ ବିଜ୍ଞାନ ପତ୍ରିକାରେ ଦେବ ଏହି ପ୍ରଣାଳୀ ସଂପର୍କରେ ନିଜର ୬ ବର୍ଷର ପରୀକ୍ଷାନିରୀକ୍ଷା ଉପରେ ଲେଖିଥିଲେ) ଦେବ ସଂଗ୍ରହ କରୁଥିବା କିସମଗୁଡିକ ମଧ୍ୟରୁ ପ୍ରତିବର୍ଷ କିଛି କିଛି କିସମ ଲୋପ ପାଇଯାଉଛି। ଗତବର୍ଷ ଏହି ସଂଖ୍ୟା ୯୬୦ରେ ପହଞ୍ଚିଥିଲା। ଏହାର ଅର୍ଥ ପ୍ରତି ଋତୁରେ ଯୋଜନା ବଦଳାଇବାର ଆବଶ୍ୟକତା ପଡିଥାଏ।

ଭାରତର ଆନୁବଂଶିକ କ୍ଷରଣ

ଘାସ ପ୍ରଜାତିର ଅନ୍ତର୍ଭୁକ୍ତ ଧାନ ଅଧିକାଂଶ ଭାରତୀୟଙ୍କର ମୁଖ୍ୟ ଜୀବିକା। ଉତ୍ତର-ପୂର୍ବ ହିମାଳୟ ପାଦଦେଶରୁ ଦକ୍ଷିଣ ଚୀନ ଏବଂ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ ଏହି ବିରାଟ ଭୂଖଣ୍ଡରେ ପ୍ରାୟ ୧୦,୦୦୦ ବର୍ଷ ପୂର୍ବରୁ ଏହା ଘରୋଇ ପାଲଟିଥିବା ବିଶ୍ୱାସ କରାଯାଏ। ଶହଶହ ବର୍ଷ ଧରି ନିର୍ଦ୍ଦିଷ୍ଟ ଜଳବାୟୁ ଅନୁସାରେ ମଣିଷ ହଜାରହଜାର ପ୍ରଜାତିର ଧାନକୁ ବିକିଶିତ କରି ଆସିଛି। ବିବିଧତାରେ ପରିପୂର୍ଣ୍ଣ ପଶ୍ଚିମ ଓଡ଼ିଶାର ଜୟପୁରରେ କୃଷକମାନେ ସବୁଠୁ ଅଧିକ କିସମର ଧାନ ବିହନ ବିକଶିତ କରିଥିଲେ। ଦେବ ସେମାନଙ୍କୁ କହନ୍ତି, ‘ଅତୀତର ଅଜଣା, ଅଶୁଣା ଏବଂ ପ୍ରତିଭାବାନ ବୈଜ୍ଞାନିକ’’।
PHOTO • Chitrangada Choudhury

୧୯୬୦ରେ ଦେବ ଯେତେବେଳେ କଲିକତାରେ ରହୁଥିଲେ ସେତେବେ ଭାରତରେ ପ୍ରାୟ ଏଭଳି ୭୦,୦୦୦ ଧାନ ଉତ୍ପାଦନକାରୀ ଅଞ୍ଚଳ ଥିଲା। ୧୯୯୧ ନାସନାଲ ଜିଓଗ୍ରାଫିକ ଏସେ ଅନୁଯାୟୀ, ଏହାର ୨୦ ବର୍ଷ ପରେ ବୈଜ୍ଞାନିକମାନେ ଅଧିକ ଉତ୍ପାଦନକ୍ଷମ ୧୦ ପ୍ରକାର ନୂଆ କିସମର ଧାନ ବିକଶିତ କରିଥିଲେ। ଏହା ବହୁଳ ପରିମାଣରେ ଚାଷ ହେଉଥିଲା ଏବଂ ଏଥିରୁ ଉତ୍ପାଦିତ ହେଉଥିବା ଧାନ ମୋଟ ଉତ୍ପାଦନର ପ୍ରାୟ ୭୫ ପ୍ରତିଶତ ଥିଲା।

ଏଭଳି ଭୟଙ୍କର କ୍ରମାଗତ ଭାବେ ଭାରତର କୃଷି କ୍ଷେତରୁ ବଂଶଗତ ଅବକ୍ଷୟ ଘଟି ଚାଲିଲା: ଉଦାହରଣସ୍ୱରୂପ ୫ ବର୍ଷ ତଳେ ପଶ୍ଚିମବଙ୍ଗରୁ ଦେବ ସଂଗ୍ରହ କରିଥିବା ଗୋଟିଏ କିସମର ଧାନ ସଂପୂର୍ଣ୍ଣ ଲୋପ ପାଇ ଯାଇଛି। ଏହି କିସମର ଧାନ ଆଉ ଚାଷ କରାଯାଉ ନାହିଁ। ଏହା ଘାତକ ପାଲଟିଛି। ଦେବ କହିଲେ, ‘ଯେତେବେଳେ ଜଣେ କୃଷକର ମୃତ୍ୟୁ ଘଟୁଛି, ତାଙ୍କ ପୁଅ ଦେଶୀ କିସମର ଧାନକୁ ବନ୍ଦ କରି ଦେଉଛି। ବୀରଭୂମ୍‌ର ଏକ କ୍ଷେତରେ ମୁଁ ଏହା ଦେଖିଛି। ଯୁଗଳ ନାମକ ଦୁଇ-ଦାନା ବିଶିଷ୍ଟ ଏକ ବିରଳ କିସମର ଧାନ ଏହିଭଳି ବୁଡି ଯାଇଛି।
PHOTO • Chitrangada Choudhury

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍ସ  ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ବର୍କେଲି,  ପୂର୍ବତନ ମେଧାବୀ ଛାତ୍ର ଦେବ, ୧୯୯୦ ମସିହା ମଧ୍ୟଭାଗ ଆଡକୁ ‘ଓ୍ୱାର୍ଲଡ଼ୱାଇଡ ୱାଇଲ୍ଡଲାଇଫ୍ ଫଣ୍ଡ’ରୁ ଚାକିରି ଛାଡିଲେ। ବଙ୍ଗଳାରୁ ଲୋପ ପାଇଯାଉଥିବା ଧାନ କିସମ ଉପରେ ତଥ୍ୟ ପ୍ରସ୍ତୁତ କରିବାକୁ ଆବଶ୍ୟକ ଅର୍ଥ ମଞ୍ଜୁରୀ ପାଇଁ ସହଯୋଗୀଙ୍କୁ ଦୀର୍ଘ ଦିନର ଉଦ୍ୟମ ପରେ ମଧ୍ୟ ବୁଝାଇ ନହେବାରୁ ସେ ଅନୁଷ୍ଠାନ ଛାଡି ଦେଇଥିଲେ। ‘‘ସଂରକ୍ଷଣ ଅନୁଷ୍ଠାନଗୁଡିକ ବୃହତ ପ୍ରଜାତିର ଜୀବଙ୍କ ଲକ୍ଷଣରେ ପୀଡିତ ବୋଲି ଦେବ ଆକ୍ଷେପ କରନ୍ତି। ସେ କହନ୍ତି ‘ବାଘ ପାଇଁ ଅଛି, ଗଣ୍ଡା ପାଇଁ ଅଛି। କିନ୍ତୁ ରାସାୟନିକ ପ୍ରଦୂଷଣ ଯୋଗୁ ଯଦି କ୍ଷେତରୁ ଜିଆ କିମ୍ବା କୌଣସି କୀଟ ଧ୍ୱଂସ ପାଇ ଯାଆନ୍ତି ତାଙ୍କ କଥା କିଏ ପଚାରେ?’’

ଦେଶୀ କିସମର ଧାନ ଖୋଜିବା ପାଇଁ ଦେବ ଗାଁକୁ ଗାଁ ବୁଲିଲେ। କେତେବେଳେ ପାଦରେ ଚାଲିଚାଲି ବୁଲିଲେ ତ କେତେବେଳେ ବସ୍ ଛାତ ଉପରେ ବସି ବୁଲିଲେ। ଖୁବ କଡା ସ୍ୱଭାବର ଏହି ବ୍ୟକ୍ତି ଜଣଙ୍କ ସବୁ କିଛି ଛାଡି ଦେଲେ। ସଂଗଠନ, ଆମେରିକା ଏବଂ ୟୁରୋପରେ ଅଧ୍ୟାପନାରୁ ଆୟ ଉପରେ, ବସୁଧାକୁ ଚଳାଇବା ପାଇଁ ସାଙ୍ଗସାଥୀଙ୍କଠାରୁ ଅନୁଦାନ ଉପରେ ନିର୍ଭର କଲେ। ଏଥିପାଇଁ ସେ ସବୁକିଛି ତ୍ୟାଗ କଲେ। ବିଶେଷ କରି ସେହିସବୁ ଅଞ୍ଚଳ ଉପରେ ତାଙ୍କର ନଜର ରହିଲା, ଯେଉଁ ଅଞ୍ଚଳ ଗୁଡିକ ଦୁର୍ଗମ, ଅଣଜଳସେଚିତ, ଯେଉଁଠି କମ୍ ଚାଷୀ ରହନ୍ତି ଏବଂ ଯେଉଁମାନେ ବଜାରରୁ ରାସାୟନିକ ସାର ଏବଂ ମଞ୍ଜି କିଣି ଚାଷ କରିବା ପାଇଁ ଅକ୍ଷମ। ଦେବ କହନ୍ତି, ‘ଭାରତର ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ଯେଉଁ ଅଞ୍ଚଳକୁ ପଛୁଆ ଏବଂ ଆଦିବାସୀ ଅଞ୍ଚଳ ବୋଲି କହନ୍ତି, ସେହିସବୁ ଅଞ୍ଚଳରେ ଏହି କିସମଗୁଡିକ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ଥାଏ। ’ ସେ କହନ୍ତି, ‘ମୁଁ ଯେତେବେଳେ ଏମିତି କିଛି କିସମ ପାଇଯାଏ, ସେହି ଚାଷୀ ପରିବାରକୁ ଏଥିରୁ ମୁଠାଟିଏ ମାଗେ ଆଉ କାହିଁକି ନେଉଛି ବୋଲି କହେ। ଏହାକୁ ସଂରକ୍ଷଣ କରି ରଖିଥିବାରୁ ତାଙ୍କୁ ଧନ୍ୟବାଦ ଦିଏ ଏବଂ ଏହାର ଚାଷ ନଛାଡିବାକୁ ବାଧ୍ୟ କରିଥାଏ। ’

ଏମିତି ପାଦରେ ଚାଲିଚାଲି ଗତ ୧୮ ବର୍ଷ ମଧ୍ୟରେ ଦେବ ୧୦୨୦ ପ୍ରକାର ଦେଶୀ କିସମର ଧାନ ସଂଗ୍ରହ କରିପାରିଛନ୍ତି। ଏ ସବୁ ଉତ୍ତର-ପୂର୍ବ, ପୂର୍ବ ଏବଂ ଦକ୍ଷିଣ ଭାରତର ୧୩ଟି ରାଜ୍ୟରୁ ସଂଗୃହୀତ ହୋଇଛି। ଏହି ବିହନ ବ୍ୟାଙ୍କରେ ଦୁଇଟି ନୂଆ ଦେଶୀ ଧାନ ସାମିଲ ହୋଇଛି। ଏହି ଦୁଇଟି କାଶ୍ମୀରରୁ ଆସିଛି। ଦେବ ଏହାର ନାମକରଣ କରିଛନ୍ତି ବ୍ରିହି ଏବଂ ସଂସ୍କୃତି। ଏହି ଧାନଗୁଡିକ ମଧ୍ୟରୁ କେତେକ ଅତ୍ୟଧିକ ଲବଣାକ୍ତ ପାଣିରେ କିମ୍ବା ଅର୍ଦ୍ଧ ନିମଜ୍ଜିତ ଅବସ୍ଥାରେ ବଢି ପାରନ୍ତି; ଆଉ କେତେକ ବନ୍ୟା ଏବଂ ମରୁଡି ଭଳି ପ୍ରତିକୂଳ ପାଗରେ ତିଷ୍ଠି ରହନ୍ତି, କେତେକ କିସମ ରୋଗ ପ୍ରତିରୋଧକାରୀ ଏବଂ ଆଉ କିଛି ଶୁଷ୍କ ଜମିରେ ଚାଷ ପାଇଁ ଖୁବ୍ ଉପଯୁକ୍ତ। ଏଥିରୁ କେତେକ କିସମର ଧାନ ଔଷଧୀୟ ଗୁଣଯୁକ୍ତ ଆଉ ୮୮ଟି କିସମ ଖୁବ ସୁଗନ୍ଧିତ।
PHOTO • Chitrangada Choudhury

ଦେବଙ୍କ ଯୁକ୍ତି ହେଉଛି, ପରିବେଶ ଉପଯୋଗୀ କୃଷି ତିଷ୍ଠି ରହିବାକୁ ହେଲେ ଶହଶହ ବର୍ଷର ଜ୍ଞାନର ଉପଯୋଗ ଏବଂ ଏଗୁଡିକ ସହ ଚାଷୀ କାମ କରି ପାରୁଥିବା ନିହାତି ଗୁରୁତ୍ୱପୂର୍ଣ୍ଣ। ସଂରକ୍ଷଣ ପ୍ରକଳ୍ପ ସହ କ୍ଷୁଦ୍ର ଚାଷୀମାନଙ୍କୁ ବିହନ ସଂରକ୍ଷଣ ଏବଂ ବଣ୍ଟନ ନେଇ ତାଲିମ ପ୍ରଦାନ କରୁଥିଲେ ଦେବ। ଯାହା ଫଳରେ ପ୍ରାୟ ୩୦୦୦ ଚାଷୀଙ୍କ ସହ ତାଙ୍କର ଯୋଗାଯୋଗ ରହୁଥିଲା। ଯେଉଁ ଚାଷୀମାନେ ବସୁଧାଠାରୁ ବିହନ ନେବାକୁ ଚାହୁଁଥିଲେ ସେମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିଲା। ସର୍ତ୍ତ ରହୁଥିଲା ଉତ୍ପାଦନ ପରେ ଅନ୍ୟ ଚାଷୀମାନଙ୍କୁ ବାଣ୍ଟିବା ପାଇଁ। ଏହା ଫଳରେ ବିଲୋପ ହେବାକୁ ଯାଉଥିବା ଦେଶୀ କିସମଗୁଡିକୁ ବଞ୍ଚାଇ ରଖିବାର ସମ୍ଭାବନା ସୃଷ୍ଟି ହେଉଥିଲା।

ବିହନ ବ୍ୟାଙ୍କ କଥା ଶୁଣିବା ପରେ ଗତ ଡିସେମ୍ବରରେ ୨୦୦ କିଲୋମିଟର ଦୂରରୁ ବସୁଧାକୁ ଆସିଥିଲେ ମାଲକାନଗିରିର ୪୦ ଜଣ ଚାଷୀ। ନିଜର କ୍ଷେତ ପାଇଁ ଦେଶୀ ବିହନ ମାଗିଥିଲେ। ଦେବ କହିଲେ, ‘ ଉତ୍ପାଦନ କ୍ଷମତା ଏବଂ ବଜାର ଦର ସଂପର୍କରେ କେହି ପଚାରିଲେନି। ଏହା ଥିଲା ଆମ ପାଇଁ ଆଗକୁ ବଢିବାର ସମୟ।’ ଏହା ଦେବଙ୍କ ପାଇଁ ଗର୍ବର କଥା ଥିଲା ଯେ, ରାୟଗଡାର ଆଦିବାସୀ ଗାଁ କେରାଣ୍ଡିଗୁଡାର ଏକ ସର୍ବସାଧାରଣ ଜମିରେ ବସୁଧାର ଏହି ପ୍ରକଳ୍ପ ଛିଡା ହୋଇଥିଲା। ଏଠାରୁ ମଞ୍ଜି ନେବା ପରେ ଗାଁ ଲୋକେ ଦେବଙ୍କୁ ନିମନ୍ତ୍ରଣ କରୁଥିଲେ। ସେମାନେ ଜାଣିଲେ ଯେ, ଏହି ପ୍ରକଳ୍ପ ପାଇଁ ଦେବ ଜାଗା ଖୋଜୁଛନ୍ତି।

ସାମୁଦାୟିକ ଭାବେ ଦେଖିବାକୁ ଗଲେ ଦେବଙ୍କ କାର୍ଯ୍ୟ କୃଷି ନୀତିର ସଂପୂର୍ଣ୍ଣ ବିରୋଧୀ ଥିଲା। ଯେଉଁ କୃଷି ନୀତି ଭାରତର ସବୁଠୁ ବଡ ସମୁଦାୟ କ୍ଷୁଦ୍ର ଚାଷୀଙ୍କ ପାଖରେ ପହଞ୍ଚିପାରୁ ନଥିଲା। ଉଦାହରଣସ୍ୱରୂପ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଧାନ ଜିନ୍ ବ୍ୟାଙ୍କ ନିର୍ମାଣ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠରେ ଏକ ସରକାରୀ ବିଲ୍ଡିଂରେ ଏହା କରାଯାଇଥିଲା। ଆଲୁମିନିୟମ ଫଏଲ ପ୍ୟାକେଟ୍‌ରେ ସିଲ ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ୯୦୦ ପ୍ରକାର ଧାନ ଏଠାରେ ଗଛିତ ଥିଲା। ଏସବୁ ଶୂନ୍ୟ ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ ହୋଇଥିଲା। ଏହା କେବଳ ପ୍ରଶଂସା ଗୋଟାଇବା ଉଦ୍ୟମ ଥଲା। କେତେଜଣ ଚାଷୀ ଏଥିରୁ ଲାଭ ପାଇପାରିବେ?

ଯେଉଁ କର୍ମଚାରୀମାନେ ଏହାର ତତ୍ତ୍ୱାବଧାନରେ ଥିଲେ, ସେମାନେ ଚାଷ ପାଇଁ ବିହନ ନମୂନା ଦେଇ ପାରୁନଥିଲେ। କାଳେ ଭୁଲ ଲୋକଙ୍କ ହାତରେ ପଡିଯିବ ଭାବି ଦେଉ ନଥିଲେ। (ପଢନ୍ତୁ: ବିହନ କମ୍ପାନି, ଯେଉଁମାନେ ଏହି ଜିନ୍‌କୁ ଅନୁଚିତ ଭାବେ ବିକଶିତ କରି ନୂଆ ବିହନର ମାଲିକାନା ନେଇଥାନ୍ତି।) କେବେ ଭାବନ୍ତି ନାହିଁ ଯେ, ଏହି ସଂଗ୍ରହ ହେଉଛି ସାରା ରାଜ୍ୟର ଚାଷୀଙ୍କ ଦାନ। ରାଜ୍ୟ ସରକାର ଏହି ଦେଶୀ କିସମଗୁଡିକୁ ବଜାରକୁ ଛାଡିଲେ, ଚାଷ ପାଇଁ ପ୍ରେତ୍ସାହନ ହୁଅନ୍ତା ଏବଂ ତିଷ୍ଠି ରହନ୍ତା। ସରକାର କାହିଁକି ଏପରି କରୁ ନାହାନ୍ତି ? ଆଧୁନିକ ଏବଂ ବ୍ୟାବସାୟିକ ମଞ୍ଜି ଉତ୍ପାଦନକାରୀ ସରକାରୀ ଲାଭ ଏବଂ ଘରୋଇ ମଞ୍ଜି କମ୍ପାନୀଗୁଡିକ ପାଇଁ କେବଳ ଏସବୁ ଉଦ୍ଦିଷ୍ଟ ବୋଲି ଅଧିକାରୀମାନେ କହନ୍ତି।

ଚାଷୀମାନଙ୍କୁ ଦିଆନଯାଇ ଠିକ ସମୟରେ ଏଗୁଡିକୁ ରଖି ଦିଆଯାଉଥିବାରୁ ସହବିକାଶରେ ଏହି ପ୍ରକ୍ରିୟା ବାଧକ ହେଉଛି। ସେ କହନ୍ତି, ‘୩୦-୪୦ ବର୍ଷ ପରେ କାଢିଲେ କୀଟ ପ୍ରତିରୋଧକ କିସମଗୁଡିକ ନିଜର ଗୁଣ ହରାଇ ବସିଥିବେ। କାରଣ କୀଟମାନଙ୍କର ପରିବର୍ତ୍ତନ ହେଉଛି। ସେତେବେଳେ ଏଗୁଡିକୁ କେବଳ ଗବେଷଣାରେ ଲଗାଯାଇପାରେ। କିନ୍ତୁ କୃଷି ପାଇଁ ଉପଯୋଗୀ ହେବ ନାହିଁ।’ ଦେଶୀ କିସମଗୁଡିକ ଅଧିକ ଉତ୍ପାଦନକ୍ଷମ ନୁହନ୍ତି ବୋଲି ଯାହା କୁହାଯାଉଛି, ତାକୁ ମଧ୍ୟ ଦେବ ବିରୋଧ କରନ୍ତି। ସବୁଠୁ ଅଧିକ ଉତ୍ପାଦକ୍ଷମ କୁହାଯାଉଥିବା କିଛି ଆଧୁନିକ କିସମଠାରୁ ମୋ ପାଖରେ ଥିବା କିଛି ଦେଶୀ କିସମ ଅଧିକ ଉତ୍ପାଦନକ୍ଷମ ବୋଲି ଦେବ କହନ୍ତି। ଅଧିକ ଉତ୍ପାଦନ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିପାରେ ନାହିଁ ବୋଲି ସେ ଚେତାଇ ଦେଇଛନ୍ତି। ସେ ଇଂଗିତ କରନ୍ତି ଯେ, ଭାରତର ଗହମ ଏବଂ ଚାଉଳ ଗଛିତ ରଖିବାରେ ରେକର୍ଡ କରିବାକୁ ଯାଉଛି, କିନ୍ତୁ ଏଠାରେ ବିଶ୍ୱର ଏକ ଚତୁର୍ଥାଂଶ ଭୋକିଲା ଅଛନ୍ତି।
PHOTO • Chitrangada Choudhury

ମଧ୍ୟାହ୍ନ ଭୋଜନରେ - ଶାଗ, ପନିପରିବା, ଡାଲି ଏବଂ ଏବଂ ବସୁଧା କ୍ଷେତରୁ ଉତ୍ପାଦିତ ୮ଟି କିସମର ମିଶ୍ରିତ ଚାଉଳ ଥିଲା। ଦେବ କହିଲେ, ‘ପରମ୍ପରାକୁ ଟଙ୍କାରେ ମପାଯାଇ ପାରିବ ନାହିଁ। ମନେ କରନ୍ତୁ ଗୋଟିଏ ପେଣ୍ଟିଂ କିମ୍ବା ଗୋଟିଏ ଶାଢୀ.. ଅଳଙ୍କାର ଯାହା ଆପଣଙ୍କ ଘରେ ୨୦୦ ବର୍ଷ ଧରି ରହିଛି- ତାକୁ ଆପଣ ଟଙ୍କା ପାଇଁ ବିକି ଦେଇ ପାରିବେ କି ?’ ଠିକ୍ ସେହିଭଳି ଏହି ଦେଶୀ କିସମର ଧାନ। ଏଗୁଡ଼ିକ ଆମର ସଂସ୍କୃତି।


ଅଗଷ୍ଟ ୨୦୧୪, ମିଣ୍ଟ ଲଙ୍ଗ’ସ୍ ସ୍ୱାଧୀନତା ଦିବସ ସଂସ୍କରଣରେ ପ୍ରଥମେ ଏହା ପ୍ରକାଶିତ ହୋଇଥିଲା।

http://www.livemint.com/Leisure/bmr5i8vBw06RDiNFms2swK/Debal-Deb--The-barefoot-conservator.html

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury