୨୦୦୭ ମସିହାରେ ବିବାହ ସମୟରେ ପୋଲାମର ସେଟ୍ଟୀ, ଯାହାକି ପଦ୍ମଜାଙ୍କ ପରିବାର ତାଙ୍କୁ ୨୫ ଭରି (୨୫୦ଗ୍ରାମ ) ସୁନା ଅଳଙ୍କାର ଯୌତୁକ ବାବଦରେ ଦେଇଥିଲେ। ୩୧ ବର୍ଷ ବୟସ୍କା ପଦ୍ମଜା, ଯିଏକି ନିଜର ଦୈନନ୍ଦିନ  ଗୁଜୁରାଣ ମେଣ୍ଟେଇବା ପାଇଁ ଘଡି ମରାମତି କରନ୍ତି କୁହନ୍ତି “ମୋ ସ୍ଵାମୀ ସବୁ ଯୌତୁକରେ ମିଳିଥିବା ସୁନା ଅଳଙ୍କାର ବିକ୍ରି କରି  ଖର୍ଚ୍ଚ କରି ସାରିଲା ପରେ, ମୋ ଠାରୁ ମଧ୍ୟ ତାଙ୍କ ମନ ଭରିଗଲା’’।
ପଦ୍ମଜାଙ୍କର ମଦ୍ୟପ  ସ୍ୱାମୀ ଯୌତୁକରେ ପାଇଥିବା ଅଳଙ୍କାର ସବୁକୁ ଗୋଟେ ଗୋଟେ କରି ବିକି ମଦ ପିଇବାରେ ଉଡାଇ ଦେଇଥିଲେ। ପଦ୍ମଜା କୁହନ୍ତି, "ମୋ ଉପରେ ମୋ ପରିବାରର, ବିଶେଷ କରି ମୋ ପିଲାମାନଙ୍କର ଭରଣପୋଷଣ କରିବାର ଦାୟିତ୍ଵ ଥିଲା”। ୨୦୧୮ ମସିହାରେ ତାଙ୍କ ସ୍ଵାମୀ ପରିବାରକୁ ଛାଡି ଚାଲିଯିବା ପରେ ସେ ଘଡି ମରାମତି କରିବାର  ରାସ୍ତା ଆପଣେଇଲେ- ଏବଂ ବୋଧହୁଏ ପଦ୍ମଜା ଏକମାତ୍ର ମହିଳା ଯିଏକି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଘଡି ମରାମତି କରନ୍ତି ।
ସେବେଠାରୁ ସେ ମାସିକ ୬୦୦୦ ଟଙ୍କା ଦରମାରେ ଏକ ଛୋଟିଆ ଘଡି ମରାମତି ଦୋକାନରେ କାମ କରନ୍ତି କିନ୍ତୁ  ମାର୍ଚ୍ଚରେ କୋଭିଡ-୧୯ ପାଇଁ ଲକଡାଉନ ଆରମ୍ଭ ହେବା ଯୋଗୁଁ ତାଙ୍କର ରୋଜଗାରରେ ବାଧା ପହଞ୍ଚିଲା। ତେଣୁ ମାର୍ଚ୍ଚ ମାସରେ  ସେ ନିଜ ଦରମାର କେବଳ ଅଧା ଟଙ୍କା ହିଁ ଦରମା ଭାବରେ ପାଇଥିଲେ ଆଉ ଏପ୍ରିଲ ଓ ମେ ମାସରେ ବିଲକୁଲ ଦରମା ପାଇନଥିଲେ।

ପଦ୍ମଜା  କୁହନ୍ତି “ଯେମିତି ହଉ ପଛେ ମୁଁ ମୋର ସଞ୍ଚୟରୁ ମେ ମାସ ଯାଏ ଭଡା ଦେବାକୁ ସକ୍ଷମ ହୋଇଥିଲି”, ଯିଏକି ନିଜର ଦୁଇ ପୁଅ ଅମନ (୧୩) ଓ ରାଜେଶ (୧୦) ସହିତ ସହରର କଞ୍ଚାରପଲେମ ଅଞ୍ଚଳରେ ରୁହନ୍ତି । ଆହୁରି ମଧ୍ୟ କୁହନ୍ତି “ମୋର ବିଶ୍ଵାସ ଅଛି ଯେ ମୁଁ ମୋର ପିଲାମାନଙ୍କୁ ଆଗକୁ ମଧ୍ୟ ସ୍କୁଲ ପଠାଇବାରେ ସକ୍ଷମ ହେବି, ମୁଁ ତ (ଦଶମ ଯାଏ) ପଢିଛି କିନ୍ତୁ ସେମାନଙ୍କୁ ନିଶ୍ଚିତ ଭାବରେ ଅଧିକ ପାଠ ପଢେଇବି”।

ପୁରା ଘର ଖର୍ଚ୍ଚ ସହ ପଦ୍ମଜାଙ୍କର ବାପା ମା’ଙ୍କର ଖର୍ଚ୍ଚ ଉଠାଇବା ପାଇଁ ପଦ୍ମଜାଙ୍କ ରୋଜଗାର ହିଁ ଭରଷା। ତାଙ୍କର ବେରୋଜଗାରିଆ ସ୍ଵାମୀ ଘରକୁ କୌଣସି ଆର୍ଥିକ ସହାୟତା କରନ୍ତି ନାହିଁ। ପଦ୍ମଜା କୁହନ୍ତି “ତାଙ୍କ ସ୍ଵାମୀ ଏବେ ମଧ୍ୟ ଘରକୁ ଆସନ୍ତି କିନ୍ତୁ ଠିକ୍‌ ସେତେବେଳେ ଯେବେ ତାଙ୍କ ପାଖରେ ପଇସା ସରିଯାଇଥାଏ”। ମଣିଷପଣିଆ ଦୃଷ୍ଟିକୋଣରୁ ତାଙ୍କ ସ୍ଵାମୀ ଘରକୁ ଆସିଲେ ସେ ତାଙ୍କୁ ଘରେ ରହିବାକୁ ଦିଅନ୍ତି ।

ସେ ମନେପକେଇ କୁହନ୍ତି ‘‘ଘଡି ମରାମତି କରି ଶିଖିବା ନିଷ୍ପତ୍ତି ଅଚାନକ ଥିଲା’’ । ସେ ଆହୁରି ମଧ୍ୟ କୁହନ୍ତି , “ଯେତେବେଳେ ମୋ ସ୍ଵାମୀ ମତେ ଛାଡି ଚାଲିଗଲେ ମୁଁ କ’ଣ କରିବି କିଛି ଜାଣି ପାରୁନଥିଲି, ଏବଂ ମୁଁ ସ୍ଵଭାବରେ ବହୁତ  ନମ୍ର ଥିଲି ତେଣୁ ମୋର ବହୁତ କମ୍‌ ସାଙ୍ଗ ସାଥି ଥିଲେ। ମୁଁ ସେ ଯାଏ କିଛି ଜାଣିନଥିଲି ଯେ ମତେ ଘର, ପରିବାର ଚଳାଇବାକୁ କ’ଣ କରିବାକୁ ହେବ, କିନ୍ତୁ ମତେ ମୋର ଜଣେ ସାଙ୍ଗ ଏଇ ଘଡି ମରାମତି  କାମ କରିବାକୁ କହିଲେ”। ଏମ ଡି ମୁସ୍ତାଫା, ଯିଏକି ପଦ୍ମଜାଙ୍କର ସାଙ୍ଗଙ୍କର  ଭାଇ ତାଙ୍କୁ ଏହି କାମ ଶିଖାଇଛନ୍ତି । ମୁସ୍ତାଫାଙ୍କର ବିଶାଖାପାଟଣାର ବ୍ୟସ୍ତବହୁଳ ଜଗଦମ୍ବା ଜଙ୍କସନରେ ଘଡି ଦୋକାନଟିଏ ଅଛି ଯେଉଁଠାରେ ପଦ୍ମଜା କାମ କରନ୍ତି। ନିଜର କର୍ତ୍ତବ୍ୟନିଷ୍ଠା ଓ ପରିଶ୍ରମ ବଳରେ ଛ’ମାସ ମଧ୍ୟରେ ପଦ୍ମଜା ଏହି ଘଡି ମରାମତି କାମର କୌଶଳ ସବୁ ଶିଖି ଯାଇଥିଲେ।

Polamarasetty Padmaja’s is perhaps the only woman doing this work in Visakhapatnam; her friend’s brother, M. D. Mustafa (right), taught her this work
PHOTO • Amrutha Kosuru
Polamarasetty Padmaja’s is perhaps the only woman doing this work in Visakhapatnam; her friend’s brother, M. D. Mustafa (right), taught her this work
PHOTO • Amrutha Kosuru
Polamarasetty Padmaja’s is perhaps the only woman doing this work in Visakhapatnam; her friend’s brother, M. D. Mustafa (right), taught her this work
PHOTO • Amrutha Kosuru

ପୋଲାମରସେଟ୍ଟୀ ପଦ୍ମଜା ବୋଧ ହୁଏ ଏକମାତ୍ର ମହିଳା ଯିଏ ବିଶାଖାପାଟଣାରେ ଏହି କାମ କରନ୍ତି, ତାଙ୍କ ସାଙ୍ଗଙ୍କର ଭାଇ,ଏମ.ଡି. ମୁସ୍ତାଫା(ଡାହାଣ) ତାଙ୍କୁ ଏହି କାମ ଶିଖାଇଛନ୍ତି

ଲକ ଡାଉନ ପୂର୍ବରୁ, ପଦ୍ମଜା ଗୋଟିଏ ଦିନରେ ପାଖାପାଖି ଡଜନେ ଘଡି ମରାମତି କରି ଦିଅନ୍ତି। ସେ କୁହନ୍ତି , “ମୁଁ ଯେ କେବେ ଘଡି ମେକାନିକ ହେବି ଏ କଥା ସ୍ଵପ୍ନରେ ବି ଭାବି ନଥିଲି, କିନ୍ତୁ ଏବେ ମୁଁ ଏହି କାମରେ ବହୁତ ଆନନ୍ଦ ପାଉଛି”। ଜଣେ ଗ୍ରାହକଙ୍କର ଘଡିର ଭାଙ୍ଗି ଯାଇଥିବା କ୍ରିଷ୍ଟାଲ(ସ୍ୱଚ୍ଛ କଭର) ବଦଳାଉ ବଦଳାଉ ପଦ୍ମଜା କୁହନ୍ତି “ଏବେ ଲକଡାଉନରେ ବେଶୀ ଘଡି ମରାମତି କରିବାକୁ ମିଳୁ ନାହିଁ ତଣୁ  ମୋତେ  ଘଡିର କ୍ଲିକ, ଟିକ ଟକ ଶବ୍ଦ ଓ ସଜାଡିବା ସମୟର ଶବ୍ଦ ଭାରି ମନେପଡେ”।
ସ୍ଵଳ୍ପ ରୋଜଗାରରେ ସବୁ କିଛି ଚଳାଇବା ଏକ କଷ୍ଟ କର ବ୍ୟାପାର, ଯଦିଓ ପଦ୍ମଜା ଲାକଡାଉନ ପରେ ଜୁନରେ  ପୁଣି ନିଜ କାମ କରିବା ଆରମ୍ଭ କରିଦେଇଛନ୍ତି କିନ୍ତୁ ନିଜ ପ୍ରାପ୍ୟର ଅଧା ୩୦୦୦ ଟଙ୍କା ହିଁ ପାଉଛନ୍ତି ମାସିକ ଦରମା ହିସାବରେ । ଘଡି ଦୋକାନଟି ଜୁଲାଇ ମାସରେ ପୁଣି ଦୁଇ ସପ୍ତାହ ପାଇଁ ବନ୍ଦ ଥିଲା ଯେହେତୁ ଜଗଦମ୍ବା ଜଙ୍କସନ କଣ୍ଟାନମେଣ୍ଟ ଏରିୟା  ଥିଲା । ପଦ୍ମଜାଙ୍କ  ଅନୁସାରେ ବେପାର ଏ ଯାଏ ସ୍ୱାଭାବିକ ହୋଇନାହିଁ । ସେ କୁହନ୍ତି,‘‘ମୁଁ ପ୍ରତିଦିନ  ସକାଳ୧୦ ଟାରୁ ସନ୍ଧ୍ୟା ୭ଟା ଯାଏ ଘଡି ମରାମତି କାମ କରେ । ଏହିକାମ ବ୍ୟତୀତ ମୁଁ ଅନ୍ୟ କୌଣସି କାମ କରିପାରିବି ନାହିଁ”।

ଫୁଟପାଥ ଉପରେ ମୁସ୍ତାଫାଙ୍କ ଷ୍ଟଲ, ଯାହାକି ପଦ୍ମଜା କାମ କରୁଥିବା ଦୋକାନର ବିପରୀତ ପାର୍ଶ୍ଵରେ। ଏହି ନୀଳରଙ୍ଗର ଷ୍ଟଲର ଥାକରେ ଦେଖିବା ଭଳି ରଖାଯାଇଛି ପିଲା ଓ  ଯୁବକମାନଙ୍କ ପାଇଁ ଭଳିକିଭଳି ଡିଜିଟାଲ ଓ ଆନାଲଗ ଘଡି ସବୁ। ସେହି ଥାକର ତଳେ ମୁସ୍ତାଫା, ଟୁଇଜର ଓ ସେ ଲଗଉଥିବା ଆଖିର ଲୌପ ଓ କିଛି ସ୍ପେୟାରପାର୍ଟ ମଧ୍ୟ ରଖିଛନ୍ତି ।

ଲକଡାଉନ ପୂର୍ବରୁ ମୁସ୍ତାଫା ଦୈନିକ ୭୦୦ରୁ ୧୦୦୦ ଟଙ୍କା ଯାଏ ରୋଜଗାର କରୁଥିଲେ କିନ୍ତୁ ଲକଡାଉନ ପରେ ଜୁନ ମାସରେ ଷ୍ଟଲ ଖୋଲିବା ପରେ ମୁସ୍ତାଫାଙ୍କର ରୋଜଗାର ଦୈନିକ ୫୦ଟଙ୍କାକୁ ଖସି ଆସିଥିଲା। ତେଣୁ ଜୁଲାଇରେ ଯେତେବେଳେ ତାଙ୍କୁ କଣ୍ଟେନମେଣ୍ଟ ପାଇଁ  ପୁଣି ଦୋକାନ ବନ୍ଦ କରିବାକୁ ପଡିଲା, ସେ ଦୋକାନକୁ ସେହିପରି ଫୁଟପାଥରେ ଛାଡି ଦେଇଥିଲେ। ସେ କୁହନ୍ତି “ସେତେବେଳେ କିଛି ବେପାର ନଥିଲା କିନ୍ତୁ ମୋ ଯିବା ଆସିବା ଖର୍ଚ୍ଚ ମୋ ଆମଦାନୀଠାରୁ ବହୁତ ଅଧିକ ହେଉଥିଲା”। ସେ ଆହୁରି ମଧ୍ୟ କୁହନ୍ତି ଯେ ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ପ୍ରତି ଛ’ ମାସରେ ତାଙ୍କୁ ଷ୍ଟକ ବଦଳାଇବାକୁ ପଡିଥାଏ ଓ ଏଥିପାଇଁ ତାଙ୍କୁ ଚାଳିଶରୁ ପଚାଶ ହଜାର ଟଙ୍କା ପାଖାପାଖି ଦରକାର ହୁଏ । ତେଣୁ ସେ ଜୁଲାଇ ମାସରୁ ନିଜ ସଞ୍ଚୟରୁ ହିଁ ଏହିସବୁ ଖର୍ଚ୍ଚ କରି ଆସୁଛନ୍ତି ।
ମୁସ୍ତାଫା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଘଡି ଉପରେ କାମ କରିଆସୁଛନ୍ତି । ବି.କମ ଡିଗ୍ରୀ ହାସଲ କରିଥିବା ଏହି ୫୯ ବର୍ଷୀୟ କୁହନ୍ତି, “ମୁଁ ମୋର ବୁଢା ବାପା ଏବଂ ପିତାଙ୍କଠାରୁ ଏହି କାମ ଶିଖିଥିଲି, ଏବଂ ସେତେବେଳେ ମୁଁ ପ୍ରାୟ ୧୦ ବର୍ଷର ଥିଲି । ସେମାନେ ଦୁଇଜଣଯାକ ହରଲୋଜିଷ୍ଟ (ଘଡିର ନିର୍ମାତା ଏବଂ ମରାମତିକାରୀ) ଥିଲେ ଓ କାଞ୍ଚାରାପାଲେମରେ ଦୋକାନ କରିଥିଲେ। ମୁସ୍ତାଫା ୧୯୯୨ମସିହାରେ ନିଜ ଉଦ୍ୟମବଳରେ ନିଜର  ଦୋକାନଟିଏ  ସ୍ଥାପନ କରିଥିଲେ।

M.D. Mustafa, who has been using up his savings since July, says, '''When mobile phones were introduced, watches began losing their value and so did we'
PHOTO • Amrutha Kosuru
M.D. Mustafa, who has been using up his savings since July, says, '''When mobile phones were introduced, watches began losing their value and so did we'
PHOTO • Amrutha Kosuru

ଏମ ଡି ମୁସ୍ତାଫା ଯିଏ ଜୁଲାଇରୁ ନିଜ ସଞ୍ଚୟକୁ ଖର୍ଚ୍ଚ କରି ଆସୁଛନ୍ତି କୁହନ୍ତି, “ଯେତେବେଳେ ମୋବାଇଲ ଫୋନ ଆସିଲା, ଘଡି ସହ ଆମେ ମଧ୍ୟ ଆମ ମୂଲ୍ୟ ହରାଇଲୁ”

ମୁସ୍ତାଫାଙ୍କ ଭାଷାରେ, “ଆଗରୁ ଆମ ବୃତ୍ତିକୁ ବହୁତ ସମ୍ମାନ ଦିଆଯାଉଥିଲା । ଆମେ ଘଡି କାରିଗର ଭାବରେ ଜଣାଶୁଣାଥିଲୁ କିନ୍ତୁ ଯେବେଠାରୁ ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ଆରମ୍ଭ ହେଲା ଘଡି ସହ ଆମେ ମଧ୍ୟ ଆମ ମୂଲ୍ୟ ହରାଇଲୁ”। ୨୦୦୩ ପର୍ଯ୍ୟନ୍ତ, ସେ ବିଶାଖା ଘଡି କାରିଗର ସଙ୍ଗଠନର କର୍ମକର୍ତ୍ତା ଥିଲେ। ସେ ଟିକିଏ ଚିନ୍ତାକରି କୁହନ୍ତି, “ଏଇଟା ଗୋଟିଏ ସଂଘ ଭଳି ଥିଲା, ଯେଉଁଠି ୬୦ରୁ ଅଧିକ ସିନିୟର ଘଡି କାରିଗର ଥିଲେ । ଆଉ ସେ ସମୟ ବହୁତ ଭଲ ସମୟ ଥିଲା’’। ଏହି ସଂଗଠନଟି ୨୦୦୩ ବେଳକୁ ଭାଙ୍ଗିଗଲା ଏବଂ ତାଙ୍କର ସହକାରିଗରମାନେ ପ୍ରାୟତଃ କାମ ଛାଡି ବ୍ୟବସାୟ ବନ୍ଦ କରିଦେଲେ କିମ୍ବା ଆହୁରି କେତେ ମଧ୍ୟ ସହର ଛାଡିଦେଲେ। କିନ୍ତୁ ମୁସ୍ତାଫା ଆଜିଯାଏ ମଧ୍ୟ ସଙ୍ଘର ପରିଚୟ ପତ୍ରଟିକୁ ସାଥିରେ ରଖିଛନ୍ତି ଏବଂ ଗର୍ବ ସହ କୁହନ୍ତି, “ଏହା ମୋତେ ନିହାତି ଭାବେ ମୋର ପରିଚୟ ଦେଇଛି”।
ମୁସ୍ତାଫାଙ୍କଠାରୁ କିଛି ଦୂରରେ ଦୋକାନ କରିଥିବା ମହମ୍ମଦ ତାଜୁଦ୍ଦିନ ମଧ୍ୟ ପରିବର୍ତ୍ତନର ସମାନ କଥା କୁହନ୍ତି। ତାଜ୍ଜୁଦିନଙ୍କ ଅନୁସାରେ “ବୈଷୟିକ ଜ୍ଞାନକୌଶଳରେ ଉନ୍ନତି ଯୋଗୁଁ ଏହି କାମ କେଉଁଆଡେ ହଜିଗଲା, ବୋଧହୁଏ ଗୋଟେ ଦିନ ଆସିବ ଯେତେବେଳେ ଆଉ ଘଡି ମରାମତି କରିବାକୁ କେହି ନଥିବେ”। ତାଜ୍ଜୁଦ୍ଦିନ ଏବେ ୪୯ ବର୍ଷ ବୟସର ଏବଂ ବିଗତ  ପ୍ରାୟ ୨୦ ବର୍ଷ ଧରି ସେ ଘଡି ମରାମତି କାମ କରି ଆସୁଛନ୍ତି।
ତାଜ୍ଜୁଦ୍ଦିନ ଯିଏ କି ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା, ଏଲୁରୁ ସହରର ମୂଳବାସିନ୍ଦା ପ୍ରାୟ ଚାରି ବର୍ଷ ତଳେ ସେ  ନିଜ ସ୍ତ୍ରୀ ଓ ପୁଅକୁ ଧରି  ବିଶାଖାପାଟଣାକୁ ରହିବାକୁ ଆସିଥିଲେ । ସେ କୁହନ୍ତି, “ମୋ ପୁଅ ଏଠାରେ ଗୋଟିଏ ବୈଷୟିକ ଅନୁଷ୍ଠାନରେ ସିଭିଲ ଇଞ୍ଜିନିୟରିଂ ପଢିବା ପାଇଁ ସ୍କଲାରସିପ ପାଇଥିଲା’’।

ସେ ଆହୁରି ମଧ୍ୟ କୁହନ୍ତି ଯେ , “ଲକଡାଉନ ମୋତେ ବହୁତ ନୂଆ କଥା ଶିଖାଇଛି ଓ ବିଭିନ୍ନ ଘଡି ଉପରେ ଜାଣିବାର ମଉକା ଦେଇଛି କିନ୍ତୁ ମୋ ରୋଜଗାର  ଗଣ୍ଡାକ ମୋ ଠାରୁ ଛଡାଇ ନେଇଛି”। ଲକଡାଉନ ପୂର୍ବରୁ ସେ ମାସକୁ ୧୨୦୦୦ ଟଙ୍କା  ଦରମା ପାଉଥିଲେ କିନ୍ତୁ ମାର୍ଚ୍ଚରୁ ମେ ମାସ ଯାଏ ସେ ଅଧା ବେତନ ହିଁ ପାଉଥିଲେ ଓ ତା’ ପର ଦୁଇ ମାସ ତାଙ୍କର ବିନା ବେତନରେ ଯାଇଛି।

ତାଜ୍ଜୁଦ୍ଦିନ ଦିନକୁ ପ୍ରାୟତଃ ୨୦ ଟି ଘଡି ମରାମତି କରିଥାନ୍ତି କିନ୍ତୁ ଲକଡାଉନ ସମୟରେ ଗୋଟିଏ ମିଳିବା ମଧ୍ୟ କଷ୍ଟକର ଥିଲା । ଯଦିଓ ଅଗଷ୍ଟରେ ସେ ନିଜର ପୁରା ବେତନ ପାଇଥିଲେ, ସେ ଘରୁ ମଧ୍ୟ କଛି ଘଡି ମରାମତି କରିଥିଲେ। ସେ କୁହନ୍ତି, “ମୁଁ ସାଧାରଣତଃ ବ୍ୟାଟେରୀ ମରାମତି, କମ୍‌ ଦାମୀ ଘଡିର କାଚ ବଦଳାଇବା, ବ୍ୟାଣ୍ଡ ବଦଳାଇବା ଆଦି କାମ କରିଥାଏ”।

ଘଡି ମରାମତି କରିବା କୌଣସି ନିର୍ଦ୍ଦିଷ୍ଟ କୌଳିକବୃତ୍ତି ନୁହେଁ କିମ୍ବା କୌଣସି ଦିଗରୁ କିଛି ସହାୟତା ମଧ୍ୟ ମିଳେ ନାହିଁ ବୋଲି ତାଜ୍ଜୁଦ୍ଦିନ କୁହନ୍ତି। ସେ କୁହନ୍ତି ଏହି କାରିଗରମାନଙ୍କ ପାଇଁ ସରକାରୀ ସହାୟତା ନିହାତି ଲୋଡା।

Mohammad Tajuddin (top row) used to work on about 20 watches a day, but he had hardly any to repair during the lockdown. S.K. Eliyaseen (bottom right) says, 'Perhaps some financial support would do, especially in these hard times'
PHOTO • Amrutha Kosuru

ମହମ୍ମଦ ତାଜ୍ଜୁଦ୍ଦିନ (ଉପର ଧାଡି) ଦିନକୁ ପ୍ରାୟତଃ ୨୦ ଟି ଘଡି ମରାମତି କରିଥାନ୍ତି କିନ୍ତୁ ଲକଡାଉନ ସମୟରେ ଗୋଟିଏ ମିଳିବା ମଧ୍ୟ କଷ୍ଟ ଥିଲା । ଏସ. କେ . ଇଲିୟାସେନ (ତଳ ଡାହାଣ) କୁହନ୍ତି ଏହି କଷ୍ଟକର ସମୟରେ କିଛି ଆର୍ଥିକ ସାହାଯ୍ୟ ନିହାତି ଲୋଡା।

ଜଗଦମ୍ବା ଜଙ୍କସନ୍‌ରେ ଏସ କେ ଇଲିୟାସେନ ଗୋଟିଏ ଅତି ଜଣାଶୁଣା ଦୋକାନର ଘଡି ମରାମତି କାରିଗର, ତାଙ୍କ କହିବା ଅନୁସାରେ “ଏହି କଷ୍ଟକର ସମୟରେ କିଛି ଆର୍ଥିକ ସାହାଯ୍ୟ ମିଳିବା ଦରକାର”। ସେ ଏପ୍ରିଲ ମାସଠାରୁ ଜୁନ ମାସଯାଏ, ତିନି ମାସ ଧରି ବେତନ ପାଇନଥିଲେ ଯାହାକି  ପାଖାପାଖି ୧୫୦୦୦ ଟଙ୍କା ହେବ ଏବଂ ମାର୍ଚ୍ଚ, ଜୁଲାଇ ଓ ଅଗଷ୍ଟରେ ବେତନର ଅଧାହିଁ ପାଇଥିଲେ। ୧୦ ଓ ୯ ବର୍ଷ ବୟସର ଦୁଇଟି ଛୁଆର ଏହି ୪୦ବର୍ଷ ବୟସ୍କ ବାପା ଜଣକ କୁହନ୍ତି, “ମୋ ପିଲାମାନଙ୍କର ସ୍କୁଲରୁ ମତେ ବାରମ୍ବାର ଖବର ଆସୁଥିଲା ସ୍କୁଲର ଦରମା ଦେବା ପାଇଁ ଓ  ନୂଆ ବହି  ନେବାପାଇଁ”। ସେ  ଉଦାସ ମନରେ ଆହୁରି ମଧ୍ୟ କୁହନ୍ତି, ସେହି ସମୟରେ ମୋ ସ୍ତ୍ରୀର ରୋଜଗାରରେ ହିଁ ଘର ଚଳୁଥିଲା”। ତାଙ୍କର ସ୍ତ୍ରୀ ଅବିଦା ପ୍ରାଇମେରୀ ସ୍କୁଲ ଶିକ୍ଷୟତ୍ରୀ ଭାବରେ କାମ କରନ୍ତି ଓ ମାସକୁ ୭୦୦୦ଟଙ୍କା ଦରମା ପାଆନ୍ତି। ଏସ କେ ଇଲିୟାସେନ ପିଲାଙ୍କ ବହି କିଣିବାକୁ ଓ ସ୍କୁଲ୍‌ ଫିସ ଦେବା ପାଇଁ ପତ୍ନୀ ଅବିଦାଙ୍କ ପିତାମାତାଙ୍କଠାରୁ ୧୮,୦୦୦ଟଙ୍କା ଉଧାର ମଧ୍ୟ କରିଥିଲେ।

ଯେତେବେଳେ ଇଲିୟାସେନ ୨୫ବର୍ଷ ବୟସର ଥିଲେ ଯେତେବେଳେ ସେ ଏହିଘଡି ମରାମତି କାମ ଆରମ୍ଭ କରିଥିଲେ। ସେ କୁହନ୍ତି,‘‘ଘଡି ମରାମତି କରିବା ମୋ ଶଶୁରଘର କୁଳବେଉସା ଥିଲା, ଆଉ ଏହା ମତେ ଏତେ ଆକର୍ଷିତ କଲା ଯେ ମୋ ବାହାଘର ପରେ ମୁଁ ମୋ ଶଶୁରଙ୍କୁ ମତେ ଏହି କାମ ଶିଖେଇବା ପାଇଁ ଅନୁରୋଧ କରିଥିଲି’’। ବିଶାଖାପାଟଣାରେ ବଢିଥିବା ଓ କେବେ ସ୍କୁଲ ଯାଇନଥିବା ଇଲିୟାସେନ ଆହୁରି ମଧ୍ୟ କୁହନ୍ତି ଯେ ଏହି କାମ ତାଙ୍କୁ ସମ୍ମାନ ଓ ରୋଜଗାର ଦେଇଛି ।

ଇଲିୟାସେନ ଜାଣନ୍ତି ସେ କାମକରୁଥିବା ଦାମିକା ଘଡିଗୁଡିକର ମାଲିକାନା ତାଙ୍କପକ୍ଷେ ଅସମ୍ଭବ ତେବେବି  ସେ କେବଳ ସେ ଗୁଡିକରେ କାମ କରି ସନ୍ତୁଷ୍ଟି ଲାଭ କରନ୍ତି । ଇଲିୟାସେନଙ୍କ ଭାଷାରେ, “ଦାମିକା ଘଡି ବ୍ରାଣ୍ଡଗୁଡିକ ସାଧାରଣତଃ ମରାମତିକୁ ଅଣଦେଖା କରିଥାନ୍ତି ଆଉ ମରାମତି କାମପାଇଁ କାହାକୁ ନିଯୁକ୍ତି ମଧ୍ୟ କରିନଥାନ୍ତି। ଘଡିର ଗତି(ଚାଲୁଥିବା ଯାନ୍ତ୍ରିକ ଜିନିଷ ) ଖରାପହେଲେ ତାକୁ ଠିକକରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ବଦଳାଯାଇଥାଏ କିନ୍ତୁ ଆମେ ଘଡି ମରାମତି କାରିଗରମାନେ ତାକୁ ଠିକ କରିପାରିବୁ। ଠିକ କରାଯାଇପାରୁଥିବା ଜିନିଷଟିକୁ ଅଯଥାରେ ବଡ ଘଡି ବ୍ରାଣ୍ଡଗୁଡିକ ଦ୍ୱାରା ବଦଳାଯାଇଥାଏ”। ଇଲିୟାସେନ ତାଙ୍କର ବୃତ୍ତିକୁ ନେଇ ଖୁବ ଗର୍ବ ଅନୁଭବ କରନ୍ତି ।

ଇଲ୍ଲିୟାସେନ, ମୁସ୍ତାଫା ଓ ଜଗଦମ୍ବା ଜଙ୍କସନର ଅନ୍ୟ ଘଡି କାରିଗରମାନେ ଯଦିଓ ଅତ୍ୟନ୍ତ କୌଶଳୀ ଏବଂ ସୁକ୍ଷ୍ମ କାରିଗରୀରେ ପ୍ରବୀଣ ତଥାପି ସେମାନେ ୬୮ ବର୍ଷ ବୟସ୍କ ହବିବୁର ରେହେମନଙ୍କୁ ବହୁତ ସମ୍ମାନ କରନ୍ତି ଓ  କୁହନ୍ତି ସେ କିଛି ବି ପ୍ରକାରର ଘଡି ମରାମତି କରିଦେଇପାରିବେ ଏପରିକି ବହୁପ୍ରାଚୀନ ଘଡି,  ଯେପରିକି  ପେଣ୍ଡୁଲମ ଘଡ଼ିଗୁଡ଼ିକ ମରାମତି କରିବାରେ ମଧ୍ୟ  ସେ ପାରଙ୍ଗମ। ସେ ସଂଗେସଂଗେ ପୁରୁଣା ଘଡିଗୁଡିକର ଜଟିଳଯନ୍ତ୍ର ସବୁକୁ ମରାମତି କରି ଦେଇପାରିବେ। ହବିବୁର ରେହେମନ  ଡ୍ରାଇଭିଂ ଓ କ୍ୱାର୍ଜ ଘଡି ମରାମତି କରିବାରେ ସିଦ୍ଧହସ୍ତ। ହବିବୁର(ଉପର କଭର ଫଟୋ ) କୁହନ୍ତି, ‘‘ଏବେ ବହୁତ କମଲୋକ ହିଁ ପେଣ୍ଡୁଲମ ଘଡିକୁ ପସନ୍ଦ କରନ୍ତି। ଏବେ ତ  ସବୁକିଛି ଡିଜିଟାଲ”।

'Even before the coronavirus, I had very few watches to repair. Now it's one or two a week', says Habibur, who specialises in vintage timepieces (left)
PHOTO • Amrutha Kosuru
'Even before the coronavirus, I had very few watches to repair. Now it's one or two a week', says Habibur, who specialises in vintage timepieces (left)
PHOTO • Amrutha Kosuru

ହବିବୁର ଯିଏକି ପୁରୁଣା ଘଡି ସଜାଡିବାରେ ପାରଙ୍ଗମ (ବାମ) କୁହନ୍ତି, “କରୋନା ଭାଇରସ ପୁର୍ବରୁ ମଧ୍ୟ ମୁଁ ବହୁତ କମ ଘଡି ମରାମତି ପାଇଁ ପାଉଥିଲି ଏବେତ ଏହା ସପ୍ତାହକୁ ଗୋଟିଏ କିମ୍ବା ଦୁଇଟିରେ ହିଁ ସୀମିତ”

କରୋନା ଭାଇରସକୁ ଦୃଷ୍ଟିରେ ରଖି ହବିବୁର କାମ କରୁଥିବା ଦୋକାନର ମାଲିକ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ହବିବୁର କୁହନ୍ତି, “ମୁଁ ଯେମିତି ବି ହଉ ଆସୁଥିଲି କାହିଁକିନା ମୋର କିଛି ଘଡି ମରାମତି କରିବା ବାକି ରହିଯାଇଥିଲା”। କେବଳ ୪୫୦୦ଟଙ୍କା ଦରମାରେ ସେ ବିଗତ ୫ରୁ ୬ ବର୍ଷ ଧରି କାମ କରିଆସୁଛନ୍ତି କିନ୍ତୁ ଅତି ଭାବାବେଗର ସହ କୁହନ୍ତି ଯେ ୨୦୧୪ମସିହାରେ ତାଙ୍କୁ ୮୦୦୦ରୁ ୧୨୦୦୦ ଟଙ୍କା ଯାଏ ଦରମା ମିଳୁଥିଲା କିନ୍ତୁ ଯେତେବେଳେ ଜଣେ ନୂଆ ମାଲିକ ଦୋକାନକୁ କ୍ରୟ କଲେ ସେ ଭାବିଲେ ଯେ ପୁରୁଣା ଘଡିମରାମତି କରିବାରେ ତାଙ୍କ ପାରଙ୍ଗମତାର ଆଉ ବେଶୀ ଚାହିଦା ନାହିଁ ତେଣୁ ସେହି ଅନୁପାତରେ ଦରମା ମଧ୍ୟ କମିଗଲା ।
ହବିବୁର କୁହନ୍ତି,‘‘କରୋନା ଭାଇରସ ପୁର୍ବରୁ ମଧ୍ୟ ମୁଁ ବେଶି ଘଡି ମରାମତି ପାଇଁ ପାଉନଥିଲି । ମାସକୁ ପାଖପାଖି ୪୦ଟି ଘଡି ମରାମତି ପାଇଁ ମିଳିଯାଏ  କିନ୍ତୁ ଏବେତ ଏହା ସପ୍ତାହକୁ ଗୋଟିଏ କିମ୍ବା ଦୁଇଟି ମଧ୍ୟରେ ହିଁ ସୀମିତ”। ଏପରିକି ସେ ଏପ୍ରିଲ ଓ ମେ ମାସରେ ନିଜର ଦରମା ମଧ୍ୟ ପାଇ ନାହାନ୍ତି କିନ୍ତୁ ଜୁନ ମାସରୁ ପୁରାଦରମା ପାଉଛନ୍ତି। ତାଙ୍କ ଅନୁସାରେ, “ଯଦି ଦରମା କଟିଯାଏ ତେବେ ବଂଚିବା ଭାରି କଷ୍ଟକର ହୋଇପଡିବ”। ହବିବୁର ଏବଂ ତାଙ୍କ ୫୫ ବର୍ଷୀୟା ସ୍ତ୍ରୀ ଜୁଲେଖା ବେଗମଙ୍କର ମିଳିତ ରୋଜଗାରରେ ହିଁ ତାଙ୍କର ଘରସଂସାର ଚାଲିଥାଏ। ଲାକଡାଉନ ପୂର୍ବରୁ ତାଙ୍କ ସ୍ତ୍ରୀ ଲୁଗା ସିଲେଇ କରି ମାସକୁ ୪୦୦୦-୫୦୦୦ ଟଙ୍କା ଯାଏ ରୋଜଗାର କରୁଥିଲେ।
୧୫ ବର୍ଷ ବୟସରେ ହବିବୁର କାମ ଖୋଜିବା ପାଇଁ ବିଶାଖାପାଟଣା ଆସିଥିଲେ। ତାଙ୍କ ବାପା ଓଡିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରର ମୂଳ ବାସିନ୍ଦା ଏବଂ ସେଠାରେ ସେ ଜଣେ ଘଡି କାରିଗର ଥିଲେ। ହବିବୁର  ମନେପକାଇ କୁହନ୍ତି, “ମୋତେ ଯେତେବେଳେ ୨୦ବର୍ଷ ହୋଇଥିଲା ବିଶାଖାପାଟଣାରେ ପାଖପାଖି ୨୫୦-୩୦୦ ଘଡି କାରିଗର ଥିଲେ। ‘‘କିନ୍ତୁ ଏବେତ ଅତିକଷ୍ଟରେ ୫୦ ଜଣ ଥିବେ, ଆଉ ବୋଧହୁଏ ଏହି ମହାମାରୀ ସରିଲା ବେଳକୁ ଘଡି ମରାମତି ପାଇଁ କାରିଗରଟିଏ ମିଳିବା ଅତି କଷ୍ଟକର ହୋଇଯିବ”।

ସେ ତାଙ୍କର ଚାରି ଝିଅଙ୍କ ଭିତରେ ସବୁଠାରୁ ସାନଝିଅକୁ ଏହି କୌଶଳ ଶିଖାଇଛନ୍ତି ଓ ତାଙ୍କର ଅନ୍ୟ ତିନିଝିଅ ବାହାହୋଇ ସାରିଛନ୍ତି। ସେ କୁହନ୍ତି, “ମୋର ୧୯ ବର୍ଷର ଝିଅ ଯିଏକି ବି.କମ୍‌ରେ ସ୍ନାତକ ପଢୁଛି ସେ ଏହି କାମକୁ ‘‘ବହୁତ ପସନ୍ଦ କରେ’’, ଆଉ ମୁଁ ଆଶା ରଖିଛି ଯେ ସେ ଦିନେ ସବୁଠାରୁ ଭଲ ଘଡି କାରିଗରଟିଏ ହୋଇ ବାହାରିବ”।

ହବିବୁରଙ୍କର ଗୋଟିଏ ସ୍ଵପ୍ନ ମଧ୍ୟ ଅଛି ଯେ ସେ ନିଜର ଏକ ଘଡିର ବ୍ରାଣ୍ଡ ପ୍ରତିଷ୍ଠା କରିବେ । ହବିବୁର କୁହନ୍ତି, “ଘଡି ମରାମତି କରିବା ସମୟ ଠିକ କରିବା ସହ ସମାନ”। ସେ ଆହୁରି ମଧ୍ୟ କୁହନ୍ତି ଯେ “ଯେତେବେଳେ ମୁଁ କୌଣସି ଘଡି ମରାମତି କରିବାକୁ ବସେ ମୁଁ ମୋ ବୟସ ଭୁଲିଯାଏ ସେଥିରେ ଯେତେ ସମୟ ଲାଗୁନା କାହିଁକି ମୁଁ ତାକୁ ସଜାଡିବା ଯାଏ କାମ କରିଥାଏ । ମତେ ସେତେବେଳେ ନିଜକୁ ୨୦ବର୍ଷର ଯୁବକ ଭଳି ଅନୁଭବ ହୁଏ”।

ଅନୁବାଦ: ଓଡ଼ିଶାଲାଇଭ୍‍

Amrutha Kosuru

Amrutha Kosuru is a 2022 PARI Fellow. She is a graduate of the Asian College of Journalism and lives in Visakhapatnam.

Other stories by Amrutha Kosuru
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE