ହସ୍ତତନ୍ତ ସବୁ ଚାଲିଗଲେ

ଶବାଗାରର କୋଠରୀ ଭିତରକୁ

ସେଇ ଅବର୍ଣ୍ଣନୀୟ ଦୁଃଖ

ରୂପାନ୍ତରିତ ହୋଇଗଲା!

(ବୁଣାକାର ପରିବାରରୁ ଆସିଥିବା ଡ. ୟୁ ରାଧେୟଙ୍କ ପୌରାଣିକ କବିତା ‘ମଗମ୍‌ ବଠୁକୁ’, ଡକ୍ଟର ପି.ରମେଶ ନାରାୟଣଙ୍କ ଦ୍ୱାରା ଅନୁବାଦ କରାଯାଇଛି)

ଅନ୍ୟ ସମୟ ହୋଇଥିଲେ, ଶଙ୍କର ଧନୁଞ୍ଜୟଙ୍କ ସିଲ୍‌କ ଶାଢ଼ୀ ବୁଣିବାର ନିଶା, ଏବଂ ବିଭିନ୍ନ ପ୍ରକାର ହସ୍ତତନ୍ତ ପରେ ତାଙ୍କର ନିପୁଣତା ତାଙ୍କ ପାଇଁ ସମ୍ମାନ, ଉଚ୍ଚତା ଏବଂ ଏପରିକି ଏକ ଭଲ ଜୀବନଶୈଳୀ ଦେଇଥାନ୍ତା ।

କିନ୍ତୁ ଧନଞ୍ଜୟ ୧୯୮୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ, ଏବଂ ସେ ଯେତେବେଳେ ୧୮ବର୍ଷରେ ପହଞ୍ଚିଲେ ସେତେବେଳେ ହସ୍ତତନ୍ତ ଉଦ୍ୟୋଗ ଧୀରେ ଧୀରେ ତଳ ଆଡ଼କୁ ଖସୁଥିଲା ଏବଂ ଯେତେବେଳେ ସେ ୨୦୧୬ରେ ୩୫ବର୍ଷ ବୟସରେ ପାଦ ଦେଲେ ସେତେବେଳେ ପଙ୍ଗୁ କରିଦେବା ଭଳି ନୀତିରେ ପରିବର୍ତ୍ତନ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଋଣ, ଭାଙ୍ଗି ଯାଇଥିବା ସ୍ୱପ୍ନ ତାଙ୍କୁ ଆତ୍ମହତ୍ୟା ଆଡ଼କୁ ଟାଣିନେଲା। 

PHOTO • Rahul M.

ଧନୁଞ୍ଜୟଙ୍କ ପତ୍ନୀ ଏସ୍‌. ଚନ୍ଦ୍ରକଳା, ତାଙ୍କ ମାଆ ଭେଙ୍କଟଲକ୍ଷ୍ମୀ ଏବଂ ତାଙ୍କର ଦୁଇଝିଅ ବିଜୟଲକ୍ଷ୍ମୀ ଏବଂ ଜନୟେତ୍ରୀ

ଧନୁଞ୍ଜୟ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଧର୍ମାବରମ୍‌ ସହରରେ ଜନ୍ମଗ୍ରହଣ କରିଥିଲେ। ଏହି ସହର ଏହାର ପଟୁ ଚିରା (ସିଲ୍‌କ ଶାଢ଼ୀ) ପାଇଁ ଊନବିଂଶ ଶତାବ୍ଦୀରେ ମଧ୍ୟ ବେଶ୍‌ ଜଣାଶୁଣା ଥିଲା। ଏହି ସହର ବୁଣାକାର ଭାବରେ ଜୀବନ ଗଢ଼ିବାକୁ ଚାହୁଁଥିବା ପ୍ରବାସିମାନଙ୍କୁ ଆକୃଷ୍ଟ କରୁଥିଲା। ସେମାନଙ୍କ ମଧ୍ୟରେ ଥିଲେ ଧନୁଞ୍ଜୟଙ୍କ ପିତାମାତା, ଶଙ୍କର ଭେଙ୍କଟପ୍ପା ଏବଂ ଶଙ୍କର ଭେଙ୍କଟଲକ୍ଷ୍ମୀ, ସେମାନେ ଅନନ୍ତପୁରର ମରାଲଗ୍ରାମରୁ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିବା ଛାଡ଼ି ଧର୍ମାବରମକୁ ଚାଲି ଆସିଥିଲେ। 

ଧନୁଞ୍ଜୟଙ୍କ ପିଲାଦିନରେ ବୟନ ସବୁଠାରୁ ଚାହିଦାରେ ଥିବା ବୃତ୍ତି ଥିଲା। ‘‘ଧର୍ମାବରମର ଜଣେ ବୁଣାକାର ପୋଲା ରାମଞ୍ଜନେୟୁଲୁ ମନେପକାଇ କୁହନ୍ତି, ‘‘ସବୁ ଉତ୍ସବ ଏବଂ ପର୍ବ ସମୟରେ ବୁଣାକାରମାନଙ୍କୁ ଆଗଧାଡ଼ିରେ ବସିବା ପାଇଁ ଅନୁରୋଧ କରାଯାଉଥିଲା। ଅନ୍ୟ ଜାତିର ଲୋକମାନେ ଆମକୁ ସମ୍ମାନ ଦେଉଥିଲେ କାରଣ ଆମେ ସମସ୍ତଙ୍କୁ ବୁଣିବା ଶିଖାଉଥିଲୁ।’’ ୬୪ବର୍ଷ ବୟସ୍କ ରାମଞ୍ଜନେୟୁଲୁ ଆନ୍ଧ୍ରପ୍ରଦେଶର ଏକ ବୁଣାକାର ସଂଘ ଚେନେଥା କାର୍ମିକ ସଂଘର ଅଧ୍ୟକ୍ଷ। 

ବୁଣାକାରମାନେ କଳାକାର ଭାବରେ ବିବେଚିତ ହେଉଥିଲେ ଏବଂ ଔପଚାରିକ ବିଦ୍ୟାଳୟ ଶିକ୍ଷା ପଛରେ ଥିଲା। ଧନୁଞ୍ଜୟଙ୍କ ଶାଶୁ ତଥା ଜଣେ ଅବସର ନେଇଥିବା ବୁଣାକାର ଗଡ଼ାମ ଚୌଧାମ୍ମା କୁହନ୍ତି, ‘‘ପାଠପଢ଼ିବାର ପ୍ରଶ୍ନ ନଥିଲା, ଆମେ ସାଧାରଣତଃ ଖୁବ୍‌ କମ୍‌ ପଢ଼ୁଥିଲୁ। କେବଳ ହସ୍ତତନ୍ତ ପାଇଁ ସିଲ୍‌କ ଆଣିବାକୁ କିମ୍ବା ମୁଖ୍ୟ ବୁଣାକାରଙ୍କୁ ହିସାବରେ ସାହାଯ୍ୟ କରିବା ପାଇଁ ଯେତିକି ଦରକାର ସେତିକି। ’’

ଧନୁଞ୍ଜୟ ୭ମ ଶ୍ରେଣୀ ପଢ଼ିବା ସମୟରେ ବୁଣିବା ଶିଖିବା ପାଇଁ ସ୍କୁଲ ଛାଡ଼ିଥିଲେ। ଜନ୍ମଗତ ଭାବରେ କଳାର ପ୍ରତିଭା ଥିଲା ତାଙ୍କ ପାଖରେ, ସେ ଖୁବ୍‌ଶୀଘ୍ର ବୟନକଳାକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ପ୍ରାୟ ଏକ ଦଶକ ଧରି ହସ୍ତତନ୍ତ କ୍ଷେତ୍ରର ଅବନ୍ନତି ଆରମ୍ଭ ହୋଇଥିଲା।

୧୯୮୦ ଦଶକର ଆଦ୍ୟଭାଗ ପର୍ଯ୍ୟନ୍ତ ଉଦ୍ୟୋଗ ଏବଂ ବାଣିଜ୍ୟ ମନ୍ତ୍ରାଳୟ ହସ୍ତତନ୍ତକୁ ଏକ ଭିନ୍ନ  ଏବଂ ପ୍ରାଥମିକ କ୍ଷେତ୍ର ଭାବରେ ଦେଖୁଥିଲା ଓ ହସ୍ତତନ୍ତକୁ ଦୃଢ଼ ଭାବରେ ନିୟନ୍ତ୍ରଣ କରାଯାଉଥିଲା। ଅନେକ ସରକାର ସ୍ୱୀକାର କରିଥିଲେ ଯେ ସ୍ୱାଧୀନ ଭାରତରେ ବେରୋଜଗାର ସମସ୍ୟାର ସମାଧାନ ପାଇଁ ହସ୍ତତନ୍ତ ଉଦ୍ୟୋଗ ଉଲ୍ଲେଖଯୋଗ୍ୟ ଭାବରେ ସାହାଯ୍ୟ କରିଥିଲା। 

PHOTO • Rahul M.

ଧୁନଞ୍ଜୟଙ୍କ ପରିଚୟପତ୍ର, ସ୍ଥାନୀୟ ଭାବରେ ଏହାକୁ ‘ଦିଲ୍ଲୀ କାର୍ଡ’ କୁହାଯାଏ କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଏ 

୧୯୮୫ର ହସ୍ତତନ୍ତ (ଉତ୍ପାଦନ ପାଇଁ ସାମଗ୍ରୀ ସଂରକ୍ଷଣ) ଆଇନ ସହ କପଡ଼ାର ଔଦ୍ୟୋଗିକ ଉପାଦାନ ଉପରେ କଟକଣା ଉଠାଇ ନିଆଗଲା, କେବଳ ନିର୍ଦ୍ଦିଷ୍ଟ ଉତ୍ପାଦଗୁଡ଼ିକୁ ସଂରକ୍ଷିତ କରାଗଲା। କିନ୍ତୁ ତାହା ମଧ୍ୟ ଧୀରେ ଧୀରେ ହାଲ୍‌କା ହୋଇଗଲା। କ୍ରମଶଃ ଏହି ଆଇନରେ ସଂରକ୍ଷିତ ଥିବା ୨୨ଟି ହସ୍ତତନ୍ତ ଉତ୍ପାଦ ୧୯୯୦ ଦଶକ ସୁଦ୍ଧା ୧୧କୁ ସଙ୍କୁଚିତ ହୋଇଗଲା। ହସ୍ତତନ୍ତ କଳତନ୍ତ ଓ କପଡ଼ା କଳ ପରିଚାଳନା କରିଥିବା ବୟନ ମନ୍ତ୍ରାଳୟକୁ ଚାଲିଗଲା। ହସ୍ତତନ୍ତକୁ ପ୍ରାଥମିକତା ଦେବାର ନୀତି ବଦଳରେ ମନ୍ତ୍ରାଳୟ ଏହି କ୍ଷେତ୍ରକୁ କଳତନ୍ତ ସହ ସମାନ ଭାବରେ ଦେଖିବା ଆରମ୍ଭ କଲା। 

୧୯୮୫ ମସିହାରେ ଇକୋନୋମିକାଲ ଆଣ୍ଡ୍‌ ପଲିଟିକାଲ ଉଇକ୍ଲିରେ ପ୍ରକାଶିତ ‘୧୯୮୫ ଟେକ୍ସଟାଇଲ୍‌ ପଲିସି-ଏଣ୍ଡ୍‌ ଅଫ୍‌ ହ୍ୟାଣ୍ଡଲୁମ୍‌ ଇଣ୍ଡଷ୍ଟ୍ରୀ’ ଶୀର୍ଷକ ଏକ ନିବନ୍ଧରେ ଯୋଜନା କମିଶନଙ୍କ ପୂର୍ବତନ ସଦସ୍ୟ ଏଲ୍‌ସି ଜୈନ ଲେଖିଥିଲେ: ‘‘ସେମାନେ [କଳତନ୍ତ ଏବଂ ମିଲ୍‌ ଲବିମାନେ] ଏହାକୁ [ନୀତିରେ ପରିବର୍ତ୍ତନ]କୁ ‘ଆଶା’ ଉଦ୍ରେକକାରୀ ଏବଂ ଅତୀତରୁ ‘ଦୃଢ଼’ ପ୍ରସ୍ଥାନ ଭାବରେ ବର୍ଣ୍ଣନା କରିଥିଲେ। ଏହା କିଛି ସାହସ ଆବଶ୍ୟକ କରୁଥିଲା, ଯଦି ଏହି ସାହସ ଆମେ ଆବଶ୍ୟକ କରୁଥିଲୁ କେବଳ ସ୍ୱାଧୀନତା ସଂଗ୍ରାମ କିମ୍ବା ଗାନ୍ଧିଜୀ ଏବଂ ରାଜାଜୀଙ୍କ ଦ୍ୱାରା ପରିପୋଷଣ ହୋଇଥିବା ବସ୍ତ୍ର ନୀତିକୁ ପରିବର୍ତ୍ତନ କରିବା ପାଇଁ କିନ୍ତୁ ଏହା ମଧ୍ୟ ଭାରତର ସାମାଜିକ-ଆର୍ଥିକ ବାସ୍ତବତାରେ ରହିଛି ଯାହାକି ଅତୀତରେ କ୍ରମାଗତ ପଞ୍ଚ-ବାର୍ଷିକ ଯୋଜନାରେ ସ୍ୱୀକୃତ ହୋଇଛି।’’

PHOTO • Rahul M.

ଧର୍ମାବରମକୁ ପ୍ରବେଶ ପଥ, ଯାହାକି ଏକଦା ବାହାରୁ ଆସିଥିବା ବୁଣାକାରଙ୍କ ପାଇଁ ସ୍ଥାୟୀ ବସବାସ ନିମନ୍ତେ କେନ୍ଦ୍ରସ୍ଥଳ ପାଲଟିଥିଲ।

ପ୍ରାୟ ୧୯୯୬ ବେଳକୁ ୧୫ ବର୍ଷୀୟ ଧନୁଞ୍ଜୟ ଧର୍ମାବରମଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ ସୋମାନ୍ଦେପଲ୍ଲୀ ଗାଁକୁ ଏକ ପିଟ୍‌ ଲୁମ୍‌,  ଲାଟୁ ମଗମ୍‌ ଭଳି ଶିଖିବାକୁ ଆସିଥିଲେ। ହସ୍ତତନ୍ତ ଅପେକ୍ଷା ପିଟଲୁମ୍‌ ବହୁଗୁଣରେ କ୍ଷମତାସମ୍ପନ୍ନ ହୋଇଥିଲେ ମଧ୍ୟ ଏହା କିନ୍ତୁ ଏକ କଠିନ ପ୍ରକ୍ରିୟା । ଧନୁଞ୍ଜୟ ଏହି ପ୍ରକ୍ରିୟାରେ ଆଗକୁ ବଢ଼ିବାକୁ ଚାହିଁଥିଲେ ।  

ତାଙ୍କ ଠାରୁ  ନଅବର୍ଷ ସାନ ଭାଇ କୁମାର ବୁଣାବୁଣି କାର୍ଯ୍ୟପ୍ରତି ଆଗ୍ରହୀ ନଥିଲା। ‘‘ଆମ୍ଭେମାନେ ଅନ୍ୟ କିଛି ଜାଣିନାହୁଁ’’ ବୋଲି ସେ କହିଥିଲା। ‘‘ଆମର ପୂର୍ବଜମାନେ କେବଳ ଏହି ବୃତ୍ତି ସମ୍ପର୍କରେ ଶିକ୍ଷା ଦେଇଛନ୍ତି’’। କୁମାର ଜଣେ ବୁଣାକାର ଭାବେ ନିଜର ପ୍ରଶିକ୍ଷଣ ଶେଷ କରିବା ପରେ ଧନୁଞ୍ଜୟଙ୍କୁ ସାହାଯ୍ୟ କରିବାକୁ ଯାଇଥାନ୍ତା। ‘‘ସେ କୁଶଳୀ ଏବଂ ମେଧାବୀ ଥିଲେ ଓ କୌଶଳ ଏବଂ ଡିଜାଇନ ସମ୍ପର୍କରେ ତାଙ୍କର ଭଲ ଜ୍ଞାନ ମଧ୍ୟ ଥିଲା’’।

PHOTO • Rahul M.

ଧନୁଞ୍ଜୟର ସମାଧିସ୍ଥଳ ନିକଟରେ ଛିଡ଼ା ହୋଇଥିବା ଭାଇ ଶଙ୍କର କୁମାର 

ଧନୁଞ୍ଜୟ ପାଇଁ ଅବନ୍ନତି କ୍ରମାଗତ ଥିଲା । ୨୦୦୫ ମସିହାରେ ଯେତେବେଳେ ଧନୁଞ୍ଜୟର ବିବାହ ପାଇଁ ତାଙ୍କ ବାପା ୩୦ ହଜାର ଟଙ୍କା ଋଣ କରିଥିଲେ। ଧନୁଞ୍ଜୟଙ୍କୁ ଏହା ତାଙ୍କୁ ଶୁଝିବାକୁ ହୋଇଥିଲା । ଏହା ବୟନ ପାଇଁ ଏବଂ ଭଲ କରିବା ପାଇଁ ଧନୁଞ୍ଜୟଙ୍କ ଇଚ୍ଛାକୁ ଦୋହଲାଇ ପାରିନଥିଲା ।

ତେବେ ନବେ ଦଶକର ଶେଷ ଭାଗରେ ଧର୍ମାବରମ ଏବଂ ଏହାର ପାଖାପାଖି ଗ୍ରାମଗୁଡ଼ିକରେ କଳତନ୍ତ ବା ଶକ୍ତିଚାଳିତ ତନ୍ତ ଆସିବା ପରେ ୨୦୦୫ ମସିହା ବେଳକୁ ଏଠାରେ ବୁଣାକାରମାନଙ୍କ ପାଇଁ ସଂରକ୍ଷଣ ରହିଥିବା ସିଲ୍‌କ ଉତ୍ପାଦନ ଆରମ୍ଭ ହୋଇଥିଲା। ମାତ୍ର କିଛିବର୍ଷ ପରେ ସମସ୍ତ ଜାଗାରେ ଶକ୍ତିଚାଳିତ ତନ୍ତ ବ୍ୟବସ୍ଥା ବ୍ୟାପୀ ଯାଇଥିଲା। ଶକ୍ତିଚାଳିତ ତନ୍ତର ବ୍ୟବହାରିକ ଚାହିଦା ବୃଦ୍ଧିକୁ ନେଇ କଞ୍ଚାମାଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା। ଯେଉଁଠି ଏକଦା ବୁଣାକାରମାନେ ସିଲ୍‌କ ଉତ୍ପାଦନ ପାଇଁ ମାତ୍ର କିଛି କିଲୋ କଞ୍ଚାମାଲ କିଣୁଥିଲେ ସେଠାରେ ଶକ୍ତିଚାଳିତ ତନ୍ତର ମାଲିକମାନେ ଟନ୍‌ ଟନ୍‌ ଓଜନର କଞ୍ଚାମାଲ କିଣିଲେ। 

୨୦୦୦ ମସିହା ବେଳକୁ ଧର୍ମାବରମରେ ‘ହସ୍ତତନ୍ତ ଭବନ’ ପ୍ରତିଷ୍ଠା ହୋଇଥିଲା। ଏଠାରେ ବୁଣାକାରମାନେ ସିସିଟିଭିର ନଜର ଏବଂ ସୁରକ୍ଷା କର୍ମୀଙ୍କ ସୁରକ୍ଷାବଳୟରେ ହସ୍ତତନ୍ତରେ ଭରପୂର ହୋଇଥିବା ଏହି ଅଟ୍ଟାଳିକାରେ କାମ ରହୁଥିଲେ ଏବଂ କାମ କରୁଥିଲେ । 

PHOTO • Rahul M.

ଏକଦା ଦୃଢ଼ ନିୟନ୍ତ୍ରଣ ମଧ୍ୟରେ ରହିଥିବା ଶକ୍ତିଚାଳିତ ତନ୍ତ ଏବେ ଧର୍ମାବରମଠାରେ ମୁକ୍ତ ଭାବରେ କାର୍ଯ୍ୟ କରୁଛି

କୁମାର ଏବଂ ଅନ୍ୟମାନେ ସେମାନଙ୍କ ହସ୍ତତନ୍ତ ବିକ୍ରି କରିଦେଇ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ଶକ୍ତିଚାଳିତ ତନ୍ତରେ କାର୍ଯ୍ୟ ଆରମ୍ଭ କଲେ। ‘‘ନିଜ ତନ୍ତରେ କାର୍ଯ୍ୟ କରିବା ଅପେକ୍ଷା ଅନ୍ୟମାନଙ୍କ ହସ୍ତତନ୍ତରେ ଶ୍ରମିକ ଭାବେ କାର୍ଯ୍ୟ କରିବା ଉତ୍ତମ ବୋଲି ମୁଁ ଅନୁଭବ କରୁଛି’’, କହିଥିଲେ ୨୯ ବର୍ଷୀୟ ବୁଣାକାର ଏସ୍‌. ଅମରନାଥ। ‘‘ଯଦି ଆପଣଙ୍କର ଗୋଟିଏ ତନ୍ତ ଅଛି ତେବେ ଏଥିରେ ଅନେକ ବିପଦ ସମ୍ଭାବନା ରହିଛି, କିନ୍ତୁ ଯଦି ଆପଣଙ୍କର ୧୦ଟି ହସ୍ତତନ୍ତ ରହିଛି ତେବେ ଏହାର ବିପଦ ବାଣ୍ଟି ହୋଇଯିବ।’’

ଏହା ମଧ୍ୟରେ ବୁଣାକାରମାନଙ୍କ ସଂଘଗୁଡ଼ିକ ଦୁର୍ବଳ ହେବା ସହିତ ବିପୁଳ ପରିମାଣରେ ସିଲ୍‌କ ଉତ୍ପାଦ କିଣୁଥିବା କ୍ରେତାମାନଙ୍କ ସହ ମୂଲ୍ୟ ନିର୍ଦ୍ଧାରଣ କରିବାରେ ଅସମର୍ଥ ହୋଇଥିଲେ। ‘‘ଏଭଳି ଅସାମର୍ଥ୍ୟକୁ ନେଇ ବୁଣାକାରମାନେ ଏକାଠି ହେବା ଏବଂ କୌଣସି ବିରୋଧ ପ୍ରଦର୍ଶନ କରିବାରେ ମଧ୍ୟ ଅସଫଳ ହୋଇଥିଲେ’’ ବୋଲି କୁହନ୍ତି ରାମାଞ୍ଜାନେୟୁଲୁ।

PHOTO • Rahul M.

ବୁଣାକାର ସଂଘର ସଭାପତି ପୋଲା ରାମାଜିନେୟୁଲୁ କୁହନ୍ତି, ‘ଅତୀତରେ ସମସ୍ତ ଜାତିର ଲୋକ ଆମକୁ ସମ୍ମାନ ଜଣାଉଥିଲେ, କାରଣ ଆମେ ସମସ୍ତଙ୍କୁ ବୁଣାକାର୍ଯ୍ୟ ସମ୍ପର୍କରେ ଶିକ୍ଷା ଦେଉଥିଲୁ’। ଡାହାଣ: ଧର୍ମାବରମର ପଞ୍ଜିକୃତ ଭୌଗୋଳିକ ସୂଚକ,  ଯାହାକି ଏହି ସ୍ଥାନର ଅନନ୍ୟ ସିଲ୍‌କ ଶାଢ଼ୀକୁ ନକଲ ହେବାରୁ ସୁରକ୍ଷା ଦେଇପାରିବ

ଖୁବ୍‌ କମ୍‌ ସମୟରେ ହସ୍ତତନ୍ତ ମାଧ୍ୟମରେ ଉତ୍ପାଦିତ ଶାଢ଼ୀକୁ ଶକ୍ତିଚାଳିତ ତନ୍ତ ମାଧ୍ୟମରେ ନକଲ କରାଯାଇ ଏହାକୁ ହସ୍ତତନ୍ତ ଉତ୍ପାଦ ଭାବେ ସେହି ବଜାରରେ ବିକ୍ରି କରାଗଲା, ଯଦିଓ ଧର୍ମାବରମର ହସ୍ତତନ୍ତ ପଟୁ ଶାଢ଼ୀ ଏବଂ ପାଭଡା (‘ଅଧା-ଶାଢ଼ି’)କୁ ୨୦୧୦ରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଆଇ (ଭୌଗୋଳିକ ସଙ୍କେତ) ପ୍ରଦାନ କରାଯାଇଥିଲା। ଜିଆଇ ନକଲକୁ ନିଷେଧ କରେ ଏବଂ ଆଇନଗତ ଭାବରେ ଧର୍ମାବରମ ସିଲ୍‌କ ଶାଢ଼ୀକୁ କେବଳ ପାରମ୍ପରିକ ଭାବରେ ପ୍ରସ୍ତୁତ କରିବାର ଅନୁମତି ଦେଇଥାଏ। 

କ୍ଷତି ବଢ଼ିବାକୁ ଆରମ୍ଭ ହେଲା। ଯେଉଁ ବୁଣାକାରମାନେ ଗୋଟିଏ ସିଲ୍‌କ ଶାଢ଼ିକୁ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ସାହାଯ୍ୟରେ ୪ରୁ ୭ଦିନ ମଧ୍ୟରେ ପ୍ରସ୍ତୁତ କରୁଥିଲେ, ସେମାନେ କଳତନ୍ତ ଚାଳକମାନଙ୍କ ସହ ପ୍ରତିଯୋଗିତା କରିବାକୁ ବାଧ୍ୟ ହେଲେ। ଏହି କଳତନ୍ତଗୁଡ଼ିକ ମାତ୍ର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହୋଇ ଦିନକୁ ୨ରୁ ୩ଟି ଶାଢ଼ି ପ୍ରସ୍ତୁତ କରୁଥିଲା। ୧୯୯୦ ଦଶକ ପର୍ଯ୍ୟନ୍ତ ବୁଣାକାରମାନେ କେଇବର୍ଷରେ ଥରେ ସେମାନଙ୍କର ଡିଜାଇନ ବଦଳାଉଥିଲେ। ବର୍ତ୍ତମାନ ସେମାନେ ପ୍ରତି ୩-୪ ମାସରେ ଥରେ ଡିଜାଇନ ବଦଳାଇବାକୁ ବାଧ୍ୟ ହେଉଛନ୍ତି। କାରଣ କଳତନ୍ତଗୁଡ଼ିକ କମ୍ପ୍ୟୁଟରୀକୃତ ଚିପ୍‌ରେ ୧୬ଟି ଡିଜାଇନ  ରଖିପାରିବେ; ଏଥିପାଇଁ ସେମାନଙ୍କୁ ୨୦ଦିନ ପାଇଁ ତନ୍ତ ବନ୍ଦ କରି ଛାଞ୍ଚ ପ୍ରସ୍ତୁତି ପାଇଁ ପ୍ରାୟ ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଉଥିଲା। 

କାମ ଚାଲୁ ରଖିବା ପାଇଁ ବୁଣାକାରମାନେ ଋଣ କରିବା ଆରମ୍ଭ କଲେ । ସେମାନଙ୍କ ମଧରୁ ଅନେକ ଋଣ ପରିଶୋଧ କରିପାରିଲେ ନାହିଁ ଏବଂ ବ୍ୟାଙ୍କ ରେକର୍ଡରେ ଋଣ ଖିଲାପି ଭାବରେ ସୂଚିତ ହେଲେ। ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ବିଭିନ୍ନ ଋଣ ଛାଡ଼ ଯୋଜନା ବିଳମ୍ବିତ ହେବାରେ ଲାଗିଲା। 

ଅମରନାଥ କୁହନ୍ତି, ‘‘ଆମେ ୫-୬ ବର୍ଷ ପର୍ଯ୍ୟନ୍ତ ଋଣ କଲୁ (ଅନୌପଚାରିକ ଉତ୍ସରୁ)’’, ‘‘ଯେତେବେଳେ ମୁଁ କୌଣସି ଋଣ ପାଇଁ ବ୍ୟାଙ୍କ ଗଲି ମୋତେ କୁହାଗଲା ଜଣେ ରାଜନେତା କିମ୍ବା ଜଣାଶୁଣା ବ୍ୟକ୍ତିଙ୍କୁ ଆଣିବା ପାଇଁ ଯିଏକି ମୋ ପାଇଁ ପ୍ରତିଶ୍ରୁତି ଦେଇପାରିବେ। ମୁଁ ସେଭଳି କାହାକୁ ଜାଣିନଥିଲି।’’ ଅମରନାଥଙ୍କ ପିତା ଏସ୍‌ ଜଗନ୍ନାଥ ସାହୁକାର ଏବଂ ସମ୍ପର୍କୀୟମାନଙ୍କଠାରୁ ଟ ୬ ଲକ୍ଷ ଉଧାର କରିଥିଲେ। ଏହି ଋଣର ଚାପରେ ଚିନ୍ତାଗ୍ରସ୍ତ ହୋଇ ସେ ୨୦୧୭ ଫେବୃଆରୀ ୨୬ ତାରିଖ ରାତିରେ ଧର୍ମାବରମରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। 

ଧନୁଞ୍ଜୟଙ୍କ ପରିବାର ୨୦୧୨ ସମୟରେ ଉନ୍ନୟନ କମିଶନ (ହସ୍ତତନ୍ତ)ଙ୍କ କାର୍ଯ୍ୟାଳୟ ଦ୍ୱାରା ସୂଚିତ କରାଗଲେ ଯେ ସେମାନେ ବୁଣାକାର କ୍ରେଡିଟ୍‌ କାର୍ଡ ସ୍କିମ୍‌ ଯୋଜନାରେ ଏକ ଋଣ ପାଇଁ ଯୋଗ୍ୟ। କିନ୍ତୁ ବ୍ୟାଙ୍କ ଏହି ଋଣ ଅନୁମୋଦନ କଲା ନାହିଁ। ଧନୁଞ୍ଜୟଙ୍କ ଶାଳକ ଗଡ଼ାମ ଶିବଶଙ୍କର କହିଥିଲେ, ‘‘ବ୍ୟାଙ୍କ ମ୍ୟାନେଜରମାନେ ଭାବିଲେ ଆମେ ସେମାନଙ୍କୁ ଋଣ ପରିଶୋଧ କରିବୁ ନାହିଁ, ସେ ମଧ୍ୟ ସେହି ବର୍ଷ ଋଣ ପାଇଁ ଆବେଦନ କରିଥିଲେ। 

PHOTO • Rahul M.

ଧନୁଞ୍ଜୟଙ୍କ ଶାଳକ ଗଡାମ ଶିବଶଙ୍କର ଧର୍ମାବରମରେ ତାଙ୍କ ଘରେ ଗୋଟିଏ ପିଟ୍‌ଲୁମ୍‌ରେ ବୁଣୁଛନ୍ତି

ଗୋଟିଏ ଅନ୍ତରୀଣ ସରକାରୀ ରିପୋର୍ଟ ଅନୁଯାୟୀ ଅନନ୍ତପୁର ଜିଲ୍ଲାର ବ୍ୟାଙ୍କଗୁଡ଼ିକ ୨୦୧୨-୧୩ରେ ୪,୮୫୭ଜଣ ବୁଣାକାରଙ୍କୁ ୧୮୦୮.୫୧ ଲକ୍ଷ ଟଙ୍କାର ଋଣ ଅନୁମୋଦନ କରିଥିଲେ। ୨୦୧୬ରେ ଏହି ଯୋଜନା ଅଗଷ୍ଟ ମାସରେ ଆଉ ଗୋଟିଏ ଯୋଜନା ଦ୍ୱାରା ପରିବର୍ତ୍ତିତ ହେବା ପୂର୍ବରୁ ଏହି ପରିମାଣ ୪୭ ଲକ୍ଷକୁ ଖସି ଆସିଥିଲା ଏବଂ ମାତ୍ର ୬୫ଜଣ ବୁଣାକାରଙ୍କୁ  ପ୍ରଦାନ କରାଯାଇଥିଲା। 

ଯେତେବେଳେ ଧର୍ମାବରମରେ ଶକ୍ତିଚାଳିତ ତନ୍ତ୍ର ସ୍ଥାପନ ହେଲା ସେତେବେଳେ ଧନୁଞ୍ଜୟ ଚାଲୁ ରଖିବା ଉଦ୍ୟମରେ ଅଧିକ କଳତନ୍ତ କିଣିବା ଆରମ୍ଭ କଲେ। ୨୦୧୩ ସୁଦ୍ଧା ତାଙ୍କର ଚାରୋଟି (ପ୍ରତ୍ୟେକ ହସ୍ତତନ୍ତର ଦାମ୍ ପ୍ରାୟ ଟ. ୫୦,୦୦୦) ଥିଲା ଏବଂ ତାଙ୍କ ପତ୍ନୀ ଏସ୍‌. ଚନ୍ଦ୍ରକଳାଙ୍କର ଦୁଇଟି ସିଜେରିଆନ ସର୍ଜରୀ ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିଥିଲେ।  ଚଳିବା ପାଇଁ ସେ ମଧ୍ୟ ସ୍ଥାନୀୟ ସାହୁକାରଙ୍କଠାରୁ ଉଧାର ନେଇଥିଲେ। 

୨୦୧୫ ମସିହା ସୁଦ୍ଧା ଧନୁଞ୍ଜୟ ତାଙ୍କ ହସ୍ତତନ୍ତଗୁଡ଼ିକ ମଧ୍ୟରୁ ତିନୋଟିକୁ ବିକିବାକୁ ବାଧ୍ୟ ହେଲେ ଏବଂ ସେତେବେଳକୁ ସେ ନିୟମିତ ଭାବରେ ପିଇବା ମଧ୍ୟ ଆରମ୍ଭ କରିଦେଇଥିଲେ, ବୋଧହୁଏ ଉଦ୍‌ବେଗ ଏବଂ ସାହୁକାରମାନଙ୍କ ଚାପ କାରଣରୁ।  ରାମାଞ୍ଜନେୟୁଲୁ କୁହନ୍ତି, ଧର୍ମାବରମରେ ବୁଣାକାରମାନଙ୍କ ମଧ୍ୟରେ ମଦଭ୍ୟାସ ବଢ଼ିବାରେ ଲାଗିଛି।

୨୦୧୬ ଅକ୍ଟୋବରରେ ପିଇବା ବନ୍ଦ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇ ଧନୁଞ୍ଜୟ ଭଗବାନ ଆୟାପ୍ପାଙ୍କ ଆଶ୍ରୟ ନେଇଥିଲେ, ବିଶ୍ୱାସ କରାଯାଏ ଯଦି ଜଣେ ଶୃଙ୍ଖଳିତ ଏବଂ ସ୍ୱାତ୍ତିକ ଜୀବନଶୈଳୀ ଅନୁସରଣ କରେ ସେ ତା’ର ଇଚ୍ଛା ପୂରଣ କରନ୍ତି। ସେ ତାଙ୍କ ମାଆଙ୍କୁ କହିଥିଲେ, ‘‘ମୁଁ ଆୟାପ୍ପାମାଳା [ଗୋଟିଏ ୪୧-ଦିନଆ ବ୍ରତ] ନେଇଛି। ଏବେ ଆମର ସବୁ ସମସ୍ୟା ଶେଷ ହୋଇଯିବ। ’’

କିନ୍ତୁ ଡିସେମ୍ବର ବେଳକୁ ଋଣର ଚାପ ବଢ଼ିବାକୁ ଲାଗିଲା, ଧନୁଞ୍ଜୟ ମଦ ଆଡ଼କୁ ଫେରିଲେ, କୁମାର କୁହନ୍ତି, ‘‘ସବୁଠୁ ବଡ଼ କଥା ବିମୁଦ୍ରୀକରଣ ପରେ ଋଣ ଏପାଖ ସେପାଖ କରିବା କଷ୍ଟକର ଥିଲା।’’ ସାଧାରଣତଃ ଗାଁ’ରେ ଲୋକମାନେ ସାଙ୍ଗସାଥୀ ଓ ପରିବାରଠାରୁ ଅର୍ଥ ଧାର ନେଇ ପୁରୁଣା ଋଣ ପରିଶୋଧ କରନ୍ତି ଯେପରିକି ସାହୁକାରଙ୍କ ବିଶ୍ୱାସ ତାଙ୍କ ଉପରେ ରହିବ ।

ତାଙ୍କର ୭୦ବର୍ଷ ବୟସ୍କା ମାଆ କହିଥିଲେ, ‘‘ଲୋକମାନେ ତାକୁ ପିଇବାର ଦେଖିଥିବେ। ସେ ବୋଧହୁଏ ବ୍ରତ ରଖିବା ବେଳେ ପିଇବା କାରଣରୁ ଲଜ୍ଜିତ ହୋଇଥିବ।’’ ଡିସେମ୍ବର ୧୬ ତାରିଖ ରାତିରେ ଘରକୁ ଫେରିଲେ ଏବଂ ତାଙ୍କ ଘରେ ବଳକା ଥିବା ହସ୍ତତନ୍ତ ପାଖରେ ନିଜକୁ ଝୁଲାଇ ଦେଲେ । ସେତେବେଳେ ତାଙ୍କ ପତ୍ନୀ ବାପଘରକୁ ଯାଇଥିଲେ। 

ଧର୍ମାବରମରେ ତାଙ୍କ ଘରଠାରୁ ଅନତି ଦୂରରେ ମହାତ୍ମାଗାନ୍ଧୀ ଗୋଟିଏ ଚରଖା ବୁଲାଉଥିବାର ମୂର୍ତ୍ତି ରହିଛି। ତଳେ ଲେଖା ହୋଇଛି: ‘ଖଦି ବିନା, ମୁଁ ନାହିଁ’।

PHOTO • Rahul M.

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul M.

ରାହୁଲ ଏମ, ଆନ୍ଧ୍ର ପ୍ରଦେଶ ଅନନ୍ତପୁରର ଜଣେ ନିରପେକ୍ଷ ସାମ୍ବାଦିକ ଏବଂ ଜଣେ ୨୦୧୭ ପରୀ ଫେଲୋ ।

Other stories by Rahul M.