ପଣ୍ଡୁରଙ୍ଗ ଅଡ଼ସୁଲ ଏବଂ ମଜୁରୀ କରିବାକୁ ଆସିଥିବା ଶ୍ରମିକମାନେ ୬୦ ଫୁଟ ଖୋଳିବା ପରେ ବି ମାଟିତଳୁ ‘‘ଗୋଟିଏ ଗ୍ଲାସ ପାଣି’’ ବାହାରିଲାନି। ତାଙ୍କ ବିଧବା ପତ୍ନୀ ଇନ୍ଦୁବାଇ କହିଲେ, ‘‘ସେ ଗାଁକୁ ପାଣି ଆଣିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏଇଆ ହେଲା।’’

ତାଙ୍କ କପା ଓ ସୋୟାବିନ ଫସଲ ପାଇଁ ପାଣି ଅଭାବ ଯୋଗୁ ତାଙ୍କ ପରିବାର ସବୁବେଳେ ଚିନ୍ତିତ ରହୁଥିଲେ। ଏହାର ସମାଧାନ ଉଦ୍ଦେଶ୍ୟରେ ୨୦୧୨ ମସିହାରେ ଏକ କୂଅ ଖୋଳିବା ପାଇଁ ସେ ସଂକଳ୍ପ ନେଲେ। ଏଥିପାଇଁ ପଣ୍ଡୁରଙ୍ଗ ୧ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ଆଣିଲେ। ଏହା ଛଡା ସଂପର୍କୀୟଙ୍କଠାରୁ ମଧ୍ୟ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ। ଯୋଜନା କରିଥିଲେ, କୂଅର ପାଣି ବ୍ୟବହାର କରି ଭଲ ଫସଲ ଉତ୍ପାଦନ କରିବେ ଆଉ ଋଣ ପରିଶୋଧ କରିବେ।

କିନ୍ତୁ ମାଟିରୁ ଆଦୌ ପାଣି ବାହାରିଲାନି। ଏ ହେଉଛି ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ଅଞ୍ଚଳ ଓସମାନାବାଦ ଜିଲ୍ଲା କାଲାମ୍ବ ତାଲୁକର ଭୋଗଜୀ ଗାଁ। ପଣ୍ଡୁରଙ୍ଗଙ୍କ ଭିତରେ ଋଣ ଚିନ୍ତା ଧୀରେ ଧୀରେ କୂଅଠାରୁ ଅଧିକ ଗଭୀର ହେଲା। ୨୦୧୪ରେ (ଠିକ କେଉଁ ସମୟର ଘଟଣା ଇନ୍ଦୁବାଇ ମନେ ପକାଇ ପାରିଲେନି) ସେ ଘର ଭିତରେ ରଶି ଲଗାଇ ଦେଲେ। ଇନ୍ଦୁବାଇ କହିଲେ, ‘‘ମୁଁ କ୍ଷେତରେ ଥିଲି। ଜଣେ ପଡୋଶୀ ଦୌଡ଼ି ଦୌଡ଼ି ଯାଇ କହିଲେ ଘରର ଭିତର ପଟୁ ସେ କବାଟ ବନ୍ଦ କରିଦେଇଛନ୍ତି ...’’।

କ୍ଷତିକୁ ନେଇ ମାନସିକ ସ୍ତରରେ ସଂଘର୍ଷ କରୁଥିବା ବେଳେ ତାଙ୍କୁ ଆଉ ଏକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଲା: ସରକାରଙ୍କ ଅଜବ ମାନଦଣ୍ଡ ଯୋଗୁ ଏହି ଆତ୍ମହତ୍ୟା ଗ୍ରହଣୀୟ ହେଲା ନାହିଁ (ଏହାର ଉଦ୍ଦେଶ୍ୟ ଥିଲା ଚାଷୀ ଆତ୍ମହତ୍ୟା ସଂଖ୍ୟା କାଗଜ କଲମରେ କମ୍ ଦର୍ଶାଇବା)। ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ପଣ୍ଡୁରଙ୍ଗଙ୍କ ଆତ୍ମହତ୍ୟା ପାଇଁ ଇନ୍ଦୁବାଇ ରାଜ୍ୟ ସରକାରଙ୍କଠାରୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ। ଏଥିରୁ ୩୦ ହଜାର ଟଙ୍କା ନଗଦ ଅର୍ଥ ଏବଂ ୭୦ ହଜାର ଟଙ୍କାର ବ୍ୟାଙ୍କ ଫିକ୍ସ ଡିପୋଜିଟ୍।

Woman sitting on chair
PHOTO • Sharmila Joshi
Woman sitting on chair
PHOTO • Sharmila Joshi

ଅନ୍ୟ ଅନେକ କୃଷକଙ୍କ ବିଧବା ପତ୍ନୀଙ୍କ ଭଳି ଭୋଗଜି ଗାଁର ଇନ୍ଦୁବାଇ ଅଡ଼ଶୂଲ (ବାମ) ଜାଣନ୍ତିନି ଯେ, ପ୍ରକୃତରେ ତାଙ୍କ ସ୍ୱାମୀ କେତେ ଟଙ୍କା କରଜ କରିଥିଲେ। ସ୍ୱାମୀ ଆତ୍ମହତ୍ୟା କରିବା ପରେ ମାଦ୍ରି ଗାଁର ସଂଗୀତା କେକ୍ରେ (ଡାହଣ) ଜଟିଳ ରାସ୍ତାରେ ଯାଇ ଖୁବ ଶୀଘ୍ର କାଗଜପତ୍ର କାମ କରିନେଇଛନ୍ତି।

ସେ ଜାଣନ୍ତିନି ଯେ କ୍ଷତିପୂରଣ ପାଇବା ପାଇଁ ଏହି ଆତ୍ମହତ୍ୟା କାହିଁକି ‘ଯୋଗ୍ୟ’ ହେଲା ନାହିଁ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଏହି ସପ୍ତାହର ଏକ ଅପରାହ୍ଣରେ ତାଙ୍କ ସହ ଦେଖା ହୋଇଥିଲା। ଆମେ କଥା ଆରମ୍ଭ କରିବା ମାତ୍ରେ ତାଙ୍କ ମୁହଁ ମଳିନ ପଡ଼ିଗଲା। ସେ କହିଲେ, ‘‘ସେମାନେ ଆମକୁ କିଛି କହୁ ନାହାନ୍ତି ... ମୁଁ ସବୁ ଅଫିସ୍‌ ଘୂରି ଆସିଲିଣି... ’’ ୪୦ ଟପିଥିବା ଇନ୍ଦୁବାଇ ମରାଠା ସଂପ୍ରଦାୟର। ଏପରିକି ସେ ରାଜ୍ୟ ସରକାରଙ୍କ ବିଧବା ଭତ୍ତା ମଧ୍ୟ ପାଇ ନାହାନ୍ତି - ଯାହା ମାସିକ ୬୦୦ ଟଙ୍କା ମାତ୍ର। ସେ କହିଲେ, ‘‘ପଡୋଶୀ ଗାଁର ଜଣଙ୍କୁ ମୁଁ ୩,୦୦୦ ଟଙ୍କା ଦେଇଥିଲି [ବୋଧହୁଏ ଲାଞ୍ଚ], ତା ସହ ସବୁ କାଗଜପତ୍ର। କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ହୋଇନି। ’’

ତାଙ୍କ ସ୍ୱାମୀଙ୍କ ଋଣ ପରିଶୋଧ କରିବାକୁ ସେ ସଂଘର୍ଷ କରୁଥିଲେ। ଏହାର ପରିମାଣ ୪ ଲକ୍ଷ ଟଙ୍କା ହେବ ବୋଲି ସେ ହିସାବ କରିଛନ୍ତି। ଅନ୍ୟ କୃଷକଙ୍କ ବିଧବା ପତ୍ନୀଙ୍କ ଭଳି ସେ ମଧ୍ୟ ସଠିକ ଜାଣି ନଥିଲେ ତାଙ୍କ ସ୍ୱାମୀ କେତେ ଟଙ୍କାର ଋଣ କରିଛନ୍ତି। ଅନେକ ଚାଷୀ ପରିବାରରେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଏହି ଋଣ ସ୍ତ୍ରୀ ପାଇଁ ଅତିରିକ୍ତ ଯନ୍ତ୍ରଣା ପାଲଟିଥାଏ।

ଇନ୍ଦୁବାଇଙ୍କର ଦୁଇଟି ପୁଅ। ସେମାନେ ବିବାହିତ। ତାଙ୍କ ୪ ଏକର ଜମିରେ ଇନ୍ଦୁବାଇଙ୍କ ସହ ତାଙ୍କ ଦୁଇ ପୁଅ କାମ କରନ୍ତି। ଏହା ଛଡ଼ା କାମ ମିଳିଲେ ଅନ୍ୟ ଲୋକଙ୍କ ଜମିରେ ମଧ୍ୟ କୃ​‌ଷି ଶ୍ରମିକ ଭାବେ ମଜୁରୀ କରନ୍ତି। ଏ ବାବଦରେ ତାଙ୍କୁ ଦିନକୁ ୧୫୦ ଟଙ୍କା ମିଳେ। ଇନ୍ଦୁବାଇ କହିଲେ, ‘‘ପରିବାର ଚଳାଇବା ତ ମୋ ପାଇଁ କାଠିକର ହେଉଛି, ତାଙ୍କ ଋଣ କେମିତି ସୁଝିବି?’’ ସେ କହିଲେ, ‘‘ମୁଁ କିଛି ସ୍କିମ୍ [scheme] ଜାଣିନି, ଆମକୁ କେବଳ କର୍ଜା ମାଫି ଦିଅନ୍ତୁ... [ଋଣ ଛାଡ]?’’

ଋଣ ବୋଝ ଆଉ ହତାଶା ଭିତରେ ବି ଅତି କମରେ ସେ ତାଙ୍କ ନାଁରେ ଆଉ ତାଙ୍କ ପୁଅଙ୍କ ନାଁରେ ଜମି ପଟ୍ଟା କରାଇ ନେଇଥିଲେ। କିନ୍ତୁ ସଂଗୀତା କୋକ୍ରେ ଏହି ପଟ୍ଟା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି।

୨୦୧୭ ମାର୍ଚ୍ଚ ମାସରେ ତାଙ୍କ ସ୍ୱାମୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିବା ପରେ ସେ ଖୁବ୍ କଷ୍ଟରେ କାଗଜପତ୍ର କରାଇ ନେଇଥିଲେ। ଏଥିସହ ମୃତ୍ୟୁ ପ୍ରମାଣପତ୍ର, ତାଙ୍କ ନିଜର ଆଧାର କାର୍ଡ଼, ପରିବାର ଲୋକଙ୍କ ଭୋଟ ପରିଚୟ ପତ୍ର, ରାସନ କାର୍ଡ, ବିଦ୍ୟୁତ ବିଲ୍‌ର ଫଟୋ କପି ସହ ୩ଟି ପାସପୋର୍ଟ ଫଟୋଗ୍ରାଫ କରାଇ ନେଇଥିଲେ। ବିଧବା ଭତ୍ତା ପାଇଁ ଏସବୁ ସରକାରଙ୍କ ବିଭିନ୍ନ ବିଭାଗରେ ଦେବାକୁ ହୋଇଥାଏ। ତାଙ୍କ ପରିବାର ପାଇଁ ରିଲିଫ ନିହାତି ଆବଶ୍ୟକ ଥିଲା। ସେଥିପାଇଁ ତାଙ୍କ ପରିବାରର ବଖୁରିକିଆ ଟିଣ ଛପର ଘରକୁ ତାଙ୍କ ନାଁରେ କରିବାକୁ ସେ ଚେଷ୍ଟା କରୁଥିଲେ।

Women raising their fists in protest
PHOTO • Sharmila Joshi

୨୦୧୮ ନଭେମ୍ବର ୨୧ ତାରିଖରେ ପ୍ରାୟ ୮୦ ରୁ୧୦୦ ଜଣ ମହିଳା ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାରେ ଏକାଠି ହୋଇଥିଲେ। ସେମାନେ ସମସ୍ତେ ପ୍ରାୟ ମରାଠାୱାଡ଼ା ଅଞ୍ଚଳର। ତାଙ୍କ ଭିତରେ ଖୁବ୍ କମ୍ ବିଦର୍ଭ ଅଞ୍ଚଳର ଥିଲେ। ବିଧବା ଏବଂ କୃଷକ ଭାବେ ସେମାନେ ନିଜର ଦାବି ଉପସ୍ଥାପନ କରିଥିଲେ।

ସଂଗୀତାଙ୍କ ସ୍ୱାମୀ ବୀରୁ ତୁଲଜାପୁର ଟାଉନରେ ଏକ ଭୋଜନାଳୟରେ ସହାୟକ ଭାବେ କାମ କରୁଥିଲେ। ଏହି ସହର ତାଙ୍କ ଗାଁ ମାର୍ଦିଠାରୁ ୩୦ କିଲୋମିଟର ଦୂର। ଓସମାନାବାଦ ଜିଲ୍ଲାର ଲୋହରା ତାଲୁକରେ ତାଙ୍କ ଗାଁ। ଘର ଚଳାଇବା ପାଇଁ ସେ ମାସିକ ୬,୦୦୦ -୭,୦୦୦ ଟଙ୍କା ତାଙ୍କୁ ଦିଅନ୍ତି। କିନ୍ତୁ ମଦ ପିଇବାରେ ସେ ନିଜେ ଏହାଠାରୁ ଅଧିକ ଖର୍ଚ୍ଚ କରନ୍ତି। ତେଣୁ ସେ ଧାର କରଜ କରିବା ଆରମ୍ଭ କଲେ। ସ୍ଥାନୀୟ ଦୋକାନୀ, ସଂପର୍କୀୟ ଏବଂ ପଡୋଶୀଙ୍କଠାରୁ ଧାର କରି ଚାଲିଲେ। ଧଙ୍ଗର ସଂପ୍ରଦାୟର ୩୩ ବର୍ଷୀୟା ସଂଗୀତା କହିଲେ, ଋଣର ପରିମାଣ ବେଲୁନ୍ ଭଳି ଫୁଲିବାରେ ଲାଗିଲା ଆଉ ୨ ଲକ୍ଷ ଟଙ୍କାରେ ପହଞ୍ଚିଗଲା।

ସେ କହନ୍ତି, ‘‘ବିବାହର ପ୍ରଥମ ୧୦ ବର୍ଷ ଠିକ୍ ଠାକ୍ ଚାଲିଥିଲା,’’ “କିନ୍ତୁ ଭିତରେ ଭିତରେ ସେ ରାଗ‌ରେ ଜଳୁଥିଲେ। କାରଣ ତାଙ୍କ ବଡ଼ ଭାଇମାନେ ତାଙ୍କୁ ଜମି ଭାଗ ଦେଲେ ନାହିଁ।’’ ସଂଗୀତାଙ୍କ ଶଶୁରଙ୍କର ୬ ଏକର ଜମି ଥିଲା। ସେ ସମସ୍ତଙ୍କୁ ୨ଏକର ଲେଖାଏଁ ବାଣ୍ଟି ଦେଇଥିଲେ। ଲୋହରା କୋର୍ଟରେ ବୀରୁ କେସ୍ କଲେ ଏବଂ ଆଇନ୍ ବ୍ୟବସ୍ଥାର ପଂଝା ଭିତରେ ସେ ଧୀରେ ଧୀରେ ଫସିଗଲେ।

ବୀରୁଙ୍କ ରାଗ ବଢୁଥିଲା କାରଣ ତାଙ୍କର ୪ଟି ଝିଅ ଥିଲେ। ପଂଚମ ସନ୍ତାନ ଭାବେ ସେ ପୁଅଟିଏ ଚାହିଁଥିଲେ। ତାଙ୍କ ବଡ ଝିଅ ବର୍ତ୍ତମାନ ୧୬ ବର୍ଷର, ପୁଅକୁ ୮ ବର୍ଷ। ସଂଗୀତା କହନ୍ତି, ‘‘ସେ ମୋତେ ମାରଧର ଆରମ୍ଭ କଲେ।’’ “ଯଦି ମୁଁ ତାଙ୍କୁ ଋଣ ବିଷୟରେ ପଚାରେ ସେ କହନ୍ତି, ‘ମୁଁ ଟଙ୍କା କରଜ କରିଛି, ମୁଁ ସୁଝିବି।’ ତେଣୁ ମୁଁ ନିରବ ରହେ।’’

ଗତ ବର୍ଷ ମାର୍ଚ୍ଚ ୩୦ ତାରିଖରେ, ୩୪ ବର୍ଷର ବୀରୁ ଘର ଭିତରେ ଥିବା ଏକ ଟିଣ ଡବା ଉପରେ ଚଢି ଟିଣ ଛାତ ତଳେ ଲାଗିଥିବା ଲୁହା ବିମ୍‌ରେ ଝୁଲି ପଡ଼ିଲେ। ସମୟ ଥିଲା ସକାଳ ପ୍ରାୟ ୧୧ଟା। ‘‘ସେତେବେଳେ ଘରେ କେହି ନଥିଲେ। ସେ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ଯେତେବେଳେ ମୋ ବଡ଼ ଝିଅ ରୂପାଲି ଆସିଲା, ଝରକା ଫାଙ୍କ ଦେଇ ତା ବାପାଙ୍କୁ ଦେଖିଲା ...’’

ବୀରୁ ଯେଉଁ ଋଣ କରିଥିଲେ ସେ ତାର ପରିଶୋଧ କରିବେ - ବୋଧହୁଏ ଏ ସଂପର୍କିତ ପ୍ରଶ୍ନରେ ତାଙ୍କର ଏହି ଉତ୍ତର ତାଙ୍କୁ ଭୟଭିତ କରୁଥିଲା - ଯେଉଁ ଋଣ ଆଜି ପର୍ଯ୍ୟନ୍ତ ପରିଶୋଧ ହୋଇ ପାରିନି। ସଂଗୀତା ଏବେ ଏହି ଟଙ୍କାର ଋଣୀ। ସେ କହିଲେ, ‘‘ଧାର ଦେଇଥିବା ଲୋକେ ମୋତେ ପଚାରୁଛନ୍ତି ... ଏ ସବୁ ଟଙ୍କା ଗାଁ ଲୋକଙ୍କଠାରୁ ସୁଧରେ ଅଣାଯାଇନଥିଲା, ତେଣୁ ଏହା ଏକ ପ୍ରକାର ଆଶ୍ୱସ୍ତି। ନହେଲେ ଟଙ୍କା ବଢି ବଢି ଚାଲିଥାନ୍ତା। ’’

Women smiling
PHOTO • Sharmila Joshi

ମହାରାଷ୍ଟ୍ରର ଆତ୍ମହତ୍ୟା ପ୍ରଭାବିତ ଚାଷୀ ପରିବାରରୁ ଆସି ଆଜାଦ ମଇଦାନରେ ଏକାଠି ହୋଇଥିବା ବିଧବାଙ୍କ ‘ଶୋକସଭା’ ଭିତରେ କିଛି ହାଲ୍‌କା ମୁହୂର୍ତ୍ତ ଥିଲା।

ମହାରାଷ୍ଟ୍ରରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ତାଙ୍କ ଚାଷୀ ପତ୍ନୀଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଏବଂ ଘାତକ ହୋଇପଡ଼େ। ଯାହା ସଂଗୀତା ଏବଂ ଇନ୍ଦୁବାଇଙ୍କ କ୍ଷେତ୍ରରେ ଘଟିଛି। ଚାଷର ଏକ ବଡ଼ ଭାଗ (ବୁଣିବା, ରୋଇବା, କାଟିବା, ଅମଳ କରିବା, ଶସ୍ୟକୁ ଜମିରୁ ଘରକୁ ବୋହିନେବା, ଖାଦ୍ୟ ପ୍ରକ୍ରିୟାକରଣ, ଗାଈଗୋରୁଙ୍କୁ ଖାଇବାକୁ ଦେବା ଏବଂ ଆହୁରି ଅନେକ) ମହିଳାମାନେ କରିଥାନ୍ତି। ଯେତେବେଳେ ବିଧବା ହୋଇଯାଆନ୍ତି, ସେତେବେଳେ ପୂର୍ବଭଳି ଚାଷ କାର୍ଯ୍ୟ କରିବା ସହ ସ୍ୱାମୀଙ୍କ ଦାୟିତ୍ଵ ମଧ୍ୟ କାନ୍ଧକୁ ନେଇଥାନ୍ତି। ଏଥିସହ କାଗଜପତ୍ର କାମ, ସ୍ୱାସ୍ଥ୍ୟ, ପିଲାମାନଙ୍କ ପାଠପଢା ଏବଂ ଆହୁରି ଅନେକ କଥା ବୁଝିବାକୁ ପଡ଼ିଥାଏ।

ହଜାର ହଜାର ପରିବାରରେ ଏହି ଘଟଣା। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁଯାୟୀ ମହାରାଷ୍ଟ୍ରରେ ୧୯୯୫ ରୁ ୨୦୧୫ ମଧ୍ୟରେ ପ୍ରାୟ ୬୫ ହଜାର ଚାଷୀ- ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପୁରୁଷ - ଆତ୍ମହତ୍ୟା କରିଛନ୍ତି । ଏଥିରୁ ଅଧିକାଂଶ ମରାଠାୱାଡ଼ା ଏବଂ ବିଦର୍ଭ ଅଞ୍ଚଳର। ଏହି ସଂଖ୍ୟାରେ ବୀରୁଙ୍କ ଭଳି ଚାଷୀ ପରିବାରର ଅଣଚାଷୀଙ୍କ ଆତ୍ମହତ୍ୟାକୁ ଗଣନା କରାଯାଇ ନାହିଁ।   

ଏହି ସପ୍ତାହର ନଭେମ୍ବର ୨୧ ତାରିଖରେ, ପ୍ରାୟ ୮୦ ରୁ ୧୦୦ ଜଣ ମହିଳା ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଏକତ୍ରିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମରାଠାୱାଡ଼ା ଏବଂ ଅଳ୍ପ କିଛି ବିଦର୍ଭ ଅଞ୍ଚଳର ଥିଲେ। ସେମାନେ ଏକ ‘ଶୋକସଭା’ କରିଥିଲେ। ଜଣେ ବିଧବା ଏବଂ ଚାଷୀ ଭାବରେ ସଂଘର୍ଷ କରୁଥିବା ଏହି ମହିଳାମାନେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଚାହୁଁଥିଲେ। ମହିଳା କିଷାନ ଅଧିକାର ମଞ୍ଚ (ମକାମ) ଅଧିନରେ ଏମାନେ ଏକାଠି ହୋଇଥିଲେ । ସାରା ଭାରତରେ ମହିଳା ଚାଷୀମାନେ ସାମ୍ନା କରୁଥିବା ସମସ୍ୟାକୁ ନେଇ ଏହି ସଂଗଠନ କାର୍ଯ୍ୟ କରିଥାଏ।

ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସୀମା କୁଲକର୍ଣ୍ଣି କହିଲେ, ‘‘ବିଶେଷ କରି ମହିଳାମାନଙ୍କୁ ଚାଷୀର ସ୍ୱୀକୃତି ଦେବାକୁ ଆମ ସଂଗଠନ ଗଢା ହୋଇଛି।’’ ଏଥିସହ ଜଣେ ପୁରୁଷ ଚାଷୀଙ୍କ ଆତ୍ମହତ୍ୟା ତାଙ୍କ ସ୍ତ୍ରୀ ଓ ପିଲାଙ୍କ ଉପରେ ଯେଉଁ ପ୍ରଭାବ ପକାଇଥାଏ ତା ଉପରେ ଏହି ସଂଗଠନ ଗୁରୁତ୍ଵ ଦେଇଥାଏ। ସେ କହିଲେ, ‘‘ତା ପରେ ମହିଳା ଜଣଙ୍କ କେମିତି ବଞ୍ଚୁଛନ୍ତି? ପିଲାମାନଙ୍କୁ କେମିତି ଚଳାଉଛନ୍ତି? ଏ ସଂପର୍କରେ ଆଲୋଚନା ହୁଏନି କି ଏହାକୁ ଦୃଷ୍ଟି ଦିଆଯାଏନି।’’

Women standing under empty canopy
PHOTO • Sharmila Joshi

ସଂଧ୍ୟାରେ ବସ୍ କିମ୍ବା ଟ୍ରେନ୍ ଧରି ନିଜ ଗାଁ ଓ ନିଜ ମାଟିକୁ ଫେରିଯାଇ ଜଣେ ବିଧବା ଏବଂ ଚାଷୀର ଜୀବନ ବଂଚିବାକୁ ମହିଳାମାନ ସେମାନଙ୍କ ବ୍ୟାଗ୍ ପ୍ରସ୍ତୁତ କଲେ।

୨୦୧୮ ସେପଟେମ୍ବର-ଅକ୍ଟୋବର ମାସରେ ମକାମ୍ ସହ ପ୍ରାୟ ୨୦ଟି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ୫୦୫ ଜଣ ମହିଳାଙ୍କ ଉପରେ ଏକ ସର୍ବେକ୍ଷଣ କରିଥିଲେ। ଏ ସମସ୍ତ ମହିଳାମାନେ ମରାଠାୱାଡା ଏବଂ ବିଦର୍ଭ ଅଞ୍ଚଳର। ଏ ହେଉଛି ସର୍ବେକ୍ଷଣରୁ ମିଳିଥିବା ତଥ୍ୟ:

କେବଳ ୩୪ ପ୍ରତିଶତ ମହିଳାଙ୍କୁ ଭତ୍ତା ମଞ୍ଜୁରୀ ମିଳିଛି। ୨୯ ପ୍ରତିଶତ ମହିଳା ନିଜ ନାଁରେ ଜମି ପଟ୍ଟା ପାଇବାକୁ ଅକ୍ଷମ ଥିବାବେଳେ ୧୧ ପ୍ରତିଶତ ମହିଳା ଏହାର ସ୍ଥିତି ସଂପର୍କରେ କିଛି ଜାଣନ୍ତି ନାହିଁ; ଏବଂ ୪୩ ପ୍ରତିଶତ ମହିଳାଙ୍କୁ ଘରର ମାଲିକାନସତ୍ତ୍ୱ ମିଳିନାହିଁ। ସର୍ବେକ୍ଷଣ ଅନୁଯାୟୀ କେବଳ ୫୦ ପ୍ରତିଶତ ମହିଳାଙ୍କୁ ନିଜସ୍ୱ ରାସନକାର୍ଡ ମିଳିଛି। ଏଥିସହ ୩୫୫ ଜଣ ପିଲାଙ୍କ ମଧ୍ୟରୁ କେବଳ ୧୨ ରୁ ୨୪ ପ୍ରତିଶତ ପିଲାଙ୍କୁ ସ୍କୁଲ ଫି ବାବାଦରେ ରିହାତି ଏବଂ ବହି ଓ ୟୁନିଫର୍ମ ମିଳିଛି।

୨୦୧୮, ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ନାଗପୁର ଏବଂ ଔରଙ୍ଗାବାଦରେ ହୋଇଥିବା ବୈଠକରେ ମକାମ ଏବଂ ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନ କହିଥିଲେ ୧ଲକ୍ଷ ଟଙ୍କାର ଆତ୍ମହତ୍ୟା କ୍ଷତିପୂରଣ ଯଥେଷ୍ଟ କମ୍। ୨୦୧୫ ମସିହାରେ ଆନ୍ଧ୍ରପ୍ରଦେଶ ସରକାର ଏହି ପରିମାଣକୁ ୩୫୦,୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ତେବେ ଅନେକ ମହିଳାଙ୍କୁ ଏହି କ୍ଷତି ପୂରଣ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରାଯାଇଥିଲା।

ଏହି ବୈଠକରେ ମହାରାଷ୍ଟ୍ରର ଆତ୍ମହତ୍ୟା ପ୍ରଭାବିତ ଚାଷୀ ପରିବାରରେ ମହିଳାଙ୍କ ସମସ୍ୟା ଶୀର୍ଷକ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ରିପୋର୍ଟରେ କୁହାଯାଇଛି: ‘‘ଆତ୍ମହତ୍ୟା କରିଥିବା ଚାଷୀ ପରିବାରର ଅନେକ ମହିଳା କହିଛନ୍ତି, ଋଣ ଛାଡ ତାଲିକା [ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ]ରେ ସେମାନଙ୍କ ନାଁ ନାହିଁ। ପରିବାର ନାଁରେ ପୁରୁଣା ଋଣ ଥିବାରୁ ବ୍ୟାଙ୍କରୁ ନୂଆ ଋଣ ନେବାକୁ ମଧ୍ୟ ମହିଳାମାନେ ଅକ୍ଷମ.... ସେଥିପାଇଁ ସେମାନେ ମାଇକ୍ରୋ ଫାଇନାନ୍ସ ବା ଅନ୍ୟ ଅନୌପଚାରିକ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ଉଚ୍ଚ ସୁଧହାରରେ ଋଣ ନେବାକୁ ବାଧ୍ୟ ହେଉଛନ୍ତି, ଯାହା ସେମାନଙ୍କୁ ଅଧିକ ଅସୁରକ୍ଷିତ କରୁଛି।’’
Lone woman sitting under empty pandal
PHOTO • Sharmila Joshi
Close-up of old woman
PHOTO • Sharmila Joshi

ୱାର୍ଦ୍ଧା ଜିଲ୍ଲା ସୋର୍ଟା ଗାଁର ମଣ୍ଡା ଆଲୋନୀ (ବାମ) ତାଙ୍କ ନିର୍ଯାତନାର କାହାଣୀ କହୁଛନ୍ତି; ଇନ୍ଦୁବାଇ (ଡାହାଣ) ଜଣାପଡ଼ୁଛନ୍ତି ଯେମିତି ଜଣେ ବିଧବା ଏବଂ  ଦରିଦ୍ର ଚାଷୀ ଭାବେ ସେ ବୟସ ପାଖରେ ହାରି ଯାଇଛନ୍ତି।

ମହିଳାମାନଙ୍କ ପାଇଁ ନିଯୁକ୍ତ ସୁଯୋଗ ମଧ୍ୟ ଖୁବ୍ ଉତ୍କଟ, ସ୍ୱାସ୍ଥ୍ୟ ସମସ୍ୟା ଅପହଞ୍ଚ, ଏହା ସାଙ୍ଗକୁ ଉଛେଦ। ଏପରିକି କୌଣସି ଯୋଜନା ବା କ୍ଷତିପୂରଣ ପାଇଁ ଉଦ୍ୟମ କଲାବେଳେ ବିଧବା ଚାଷୀମାନେ ଯୌନ ଉତ୍ପୀଡ଼ନର ମଧ୍ୟ ଶିକାର ହେଉଛନ୍ତି। ଏହାସହ ପାରିବାରିକ ହିଂସାର ଶିକାର ହେଉଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।

ଏ ସବୁ ଆତ୍ମହତ୍ୟା ପରେ ଏବଂ ପୂର୍ବରୁ ମଧ୍ୟ ଘଟିପାରେ। ଆଜାଦ ମଇଦାରେ ଉପସ୍ଥିତ ଥିବା ମହିଳାଙ୍କ ମଧ୍ୟରୁ ସଂଗୀତାଙ୍କ ଭଳି ଅନେକ ସ୍ୱାମୀଙ୍କଠାରୁ ବେଳେବେଳେ ମାଡ଼ ଖାଇଛନ୍ତି। ସେହିପରି ଆଉ କେତେକ ମହିଳା ବିଧବା ଭାବେ ଯୌନ ନିର୍ଯାତନାର ସାମ୍ନା କରିଥିବା କହନ୍ତି। ସଂଗୀତା କହନ୍ତି, ‘‘ଏଭଳି ପରିସ୍ଥିତିର ସାମ୍ନା କରି ମୁଁ ଏକାକୀ କେମିତି ବଞ୍ଚିବି। ବେଳେବେଳେ କିଛି ଲୋକ ସେମାନଙ୍କ ସହ ‘ସଂପର୍କ’ ରଖିବାକୁ କହିଛନ୍ତି। ମୁଁ ସମସ୍ତଙ୍କୁ କହେ ଆତ୍ମସମ୍ମାନ ଏବଂ ଆତ୍ମମର୍ଯ୍ୟାଦାର ସହ ବଞ୍ଚିବାକୁ ମୁଁ ଚାହେଁ। ’’  

ୱାର୍ଦ୍ଧା ଜିଲ୍ଲା ଆରବୀ ତାଲୁକ ସୋର୍ଟା ଗାଁର ୩୮ ବର୍ଷୀୟ ମଣ୍ଡା ଆଲୋନୀ କହିଲେ, ‘‘କେବଳ ବୟସ୍କ ଲୋକ ଯେ ଖରାପ ଦୃଷ୍ଟିରେ ଦେଖନ୍ତି ତା ନୁହେଁ, କିଶୋରମାନେ ମଧ୍ୟ ଏମିତି କରନ୍ତି।’’ ମଣ୍ଡାଙ୍କ ସ୍ୱାମୀ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହେବା ପରେ ଠିକ୍ ଭାବେ ଚାଲି ପାରୁନଥିଲେ। ମେଡିକାଲରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ପରିବାର ଲୋକ। ପରେ ନିଶା, ଚିନ୍ତା ଆଉ ହତାଶା ତାଙ୍କୁ ଅଧିକ କାମ କରିବାକୁ ସୁଯୋଗ ଦେଇନଥିଲା। ୨୦୧୩ରେ ହୋଲି ଦିନ ସେ ୱାର୍ଦ୍ଧା ନଦୀକୁ ଡେଇଁ ପଡ଼ିଥିଲେ।

ତାଙ୍କ ତିନି ଏକର ଜମିରେ ମଣ୍ଡା ଏବେ କପା ଏବଂ ହରଡ଼ ଚାଷ କରୁଛନ୍ତି। ଏହା ସହ ସେ କୃଷି ଶ୍ରମିକ ଭାବେ ମଧ୍ୟ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ଦୈନିକ ୧୦୦-୧୫୦ ଟଙ୍କା ମଜୁରୀ ମିଳେ। ଏକ ସ୍ଥାନୀୟ ଚାଷୀ ସଂଗଠନ ସହ ସେ ସଂପୃକ୍ତ ଅଛନ୍ତି। ଏହି ସଂଗଠନ ତାଙ୍କୁ ବିଭିନ୍ନ ସମୟରେ ବୈଠକ ଏବଂ କାର୍ଯ୍ୟକ୍ରମକୁ ନେଇଥାଏ। ସେ କହିଲେ, ‘‘ମୁଁ କୁଆଡେ ଯାଉଛି ବୋଲି କିଛି ଲୋକ ସବୁବେଳେ ନଜର ରଖନ୍ତି। ଏଥିରେ ମୁଁ ଅଭ୍ୟସ୍ତ ହୋଇ ଗଲିଣି। ଯଦି ମୁଁ ଏକାକି ରହିବ ଏବଂ ଦୁଇ ପିଲା [ଝିଅକୁ ୧୬ ବର୍ଷ ଆଉ ପୁଅକୁ ୧୫ ବର୍ଷ]ଙ୍କୁ ସାଙ୍ଗରେ ଆଣିବି, ତାହାଲେ ଏସବୁର ସାମ୍ନା କରିବାକୁ ପଡ଼ିବ ଏବଂ ଏହାକୁ ଅତିକ୍ରମ କରିବାକୁ ପଡ଼ିବ। ’’

ଜଣେ କୃଷକଙ୍କ ବିଧବା ପତ୍ନୀ ଏବଂ ଜଣେ ଦାରିଦ୍ର୍ୟ ପୀଡିତ ଚାଷୀ ଭାବରେ ଇନ୍ଦୁବାଇ ବୟସ ପାଖରେ ହାରିଗଲା ପରି ଦେଖାଯାଉଛନ୍ତି। ସେ କହିଲେ, ‘‘ମୋର ଭତ୍ତା ନାହିଁ, ପାଣି ନାହିଁ [ତାଙ୍କ ସ୍ୱାମୀ ଯେଉଁ କୂଅ ଖୋଳିଥିଲେ] କି କାମ ବି ନାହିଁ। କିଛି ନାହିଁ, ଆମେ କେମିତି ବଞ୍ଚିବୁ? ଦେହ ଖରାପ ହେଲେ କେମିତି ଚିକିତ୍ସା କରିବୁ? ଆମେ କେମିତି ଚଳିବୁ?’’ କିଛି ବର୍ଷ ହେବ ଇନ୍ଦୁବାଇ ବିଭିନ୍ନ ଚାଷୀ ବୈଠକ ଏବଂ ଶୋଭାଯାତ୍ରାରେ ଯୋଗ ଦେଉଛନ୍ତି। ପ୍ରତି ଥର ସେ କିଛି ଆଶା ନେଇ ଯାଉଛନ୍ତି। ସେ କହିଲେ, ‘‘ମୁଁ ନାଗପୁର, ଔରଙ୍ଗାବାଦ, କାଲାମ୍ବ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇଛି। କିନ୍ତୁ କିଛି ହେବାର ନାହିଁ। ଏବେ କେଉଁଠିକି ଯିବି? କାହାକୁ ପଚାରିବି?\


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sharmila Joshi

ଲେଖକ ପରିଚୟ: ଶର୍ମିଲା ଜୋଶୀ ପରୀରେ ସମ୍ପାଦନା ମଣ୍ଡଳିର ମୁଖ୍ୟ। ଏହା ସହିତ ସେ ଜଣେ ଲେଖକ, ଗବେଷକ ଓ ଅତିଥି ଅଧ୍ୟାପକ।

Other stories by Sharmila Joshi