‘‘ସ୍ୱାଧୀନତା’’ ସୁନ୍ଦର ବାଗାରିଆ କୁହନ୍ତି ‘‘ ଏହା ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ ।’’ ସୁନ୍ଦର ଗୁଜରାଟର ବଦୋଦରାରେ ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଟ୍ଟାଳିକା ସାମ୍ନାରେ ଥିବା କାଲା ଘୋଡ଼ା ଗୋଲେଇ ରାସ୍ତାରେ ତିନି ଦଶକ ହେବ ଛୋଟ ଭାରତୀୟ ପତାକା ବିକ୍ରି କରୁଛନ୍ତି । ସେ ଏଥିସହ କୁହନ୍ତି, ‘‘କେତେ ଦିନ ଆମେ ଅଧିକ ଖାଉ, କେତେ ଦିନ କମ୍‌ ଖାଉ ଏବଂ ଅନେକ ଦିନ ଆମେ ଖାଲି ପେଟରେ ଶୋଉ…’’ ।

ତାଙ୍କ ପରି ବାଗାରିଆ ସମୂହର ଆଉ ପ୍ରାୟ ୨୦ ଜଣ ଆଖପାଖରେ ଷ୍ଟଲ୍‌ କରିଛନ୍ତି । ସକାଳ ପ୍ରାୟ ୯ ଟା ବେଳକୁ ସେମାନେ ଦିନର କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି : ତଳେ ପ୍ଲାଷ୍ଟିକ୍‌ ସିଟ୍‌ ଉପରେ ରଖାଯାଇଥିବା ଷ୍ଟିରୋଫୋମ୍‌ ସିଟ୍‌ ଉପରେ ପତାକାଗୁଡ଼ିକୁ ଲଗାଇବା, ପିନ୍‌ ଥିବା ତ୍ରିରଙ୍ଗା ବ୍ୟାଜ୍‌, ଷ୍ଟିକର୍‌ ଏବଂ ହାତ ବ୍ୟାଣ୍ଡଗୁଡ଼ିକ ଷ୍ଟିରୋଫୋମ୍‌ ସିଟ୍‌ ଉପରେ ସିଧା କରି ରଖିବା । କେତେକ ପତାକା ଖୁଣ୍ଟ କିମ୍ବା ଫୁଟ୍‌ପାଥ୍‌ରେ ଲଗାଯାଇଥାଏ ।  

ସେମାନେ ରାତି ୧୧ ଟାରେ ଦୋକାନ ବନ୍ଦ କରନ୍ତି, ୧୪ ଘଣ୍ଟାରେ ପ୍ରାୟ ଟ. ୨୦୦ ରୋଜଗାର କରନ୍ତି । କେତେଜଣ ଗ୍ରାହକ ସନ୍ଧାନରେ ଫତେଗଞ୍ଜ ଫ୍ଲାଏ ଓଭର୍‌, ସୟାଜିଗଞ୍ଜ ଅଞ୍ଚଳରେ ଥିବା ରେଳ ଷ୍ଟେସନ୍‌ କିମ୍ବା ଅନ୍ୟ ଗହଳିପୂର୍ଣ୍ଣ ଛକକୁ ଯାଆନ୍ତି  । 

ସେମାନେ ସମସ୍ତେ ଋତୁ ଅନୁଯାୟୀ ଉପକରଣ ବଦଳାନ୍ତି – ପତାକା, ରାକ୍ଷି, ମହମବତୀ, ସାନ୍ତା କ୍ୟାପ୍‌ ।

ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ ବର୍ଷ ବୟସ୍କା ଲକ୍ଷ୍ମୀ ବାଗାରିଆ (ଉପରେ ପ୍ରଚ୍ଛଦ ଫଟୋରେ) ଯିଏକି ଛଅ ବର୍ଷ ବୟସରୁ ପତାକା ବିକୁଛନ୍ତି । ସେ ରାଜସ୍ଥାନର ଟୋଙ୍କ୍‌ ଜିଲ୍ଲାର ଉନିଆରା ତହସିଲରେ ଥିବା କାକୋଡ଼ ଗ୍ରାମରୁ ତାଙ୍କ ସମ୍ପର୍କୀୟମାନଙ୍କ ସହ ବର୍ଷରେ ତିନିଥର ଏଠାକୁ ଆସନ୍ତି- ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ ଏବଂ ବଡ଼ଦିନ ସମୟରେ। ସେ କୁହନ୍ତି, ‘‘ନଗରପାଳିକାର ଲୋକମାନେ ଆସନ୍ତି ଏବଂ ଆମକୁ ଚାଲିଯିବାକୁ କୁହନ୍ତି। କିନ୍ତୁ ଆମେ କୌଣସି ମତେ ରହୁ ଏବଂ ପୁଣି ଫେରୁ।’’

Around 20 persons from the Bagaria community set up stalls in the MS University area; others go to the Fatehgunj flyover or the railway station and other areass
PHOTO • Hansal Machchi
Around 20 persons from the Bagaria community set up stalls in the MS University area; others go to the Fatehgunj flyover or the railway station and other areass
PHOTO • Hansal Machchi

ବାଗାରିଆ ସମୂହର ପ୍ରାୟ ୨୦ଜଣ ଲୋକ ଏମ୍‌ଏସ୍‌ ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଷ୍ଟଲ୍‌ କରିଛନ୍ତି; ଅନ୍ୟମାନେ ଫତେଗଞ୍ଜ ଫ୍ଲାଏଓଭର କିମ୍ବା ରେଳ ଷ୍ଟେସନ କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଯାଆନ୍ତି 

୧୯ବର୍ଷ ବୟସ୍କ ରାକେଶ ବାଗାରିଆ ମଧ୍ୟ ପାଞ୍ଚବର୍ଷ ବୟସରୁ ଏହି ବ୍ୟବସାୟରେ ଅଛନ୍ତି ସେ କୁହନ୍ତି, ‘‘ଆମକୁ ନିଜର ପେଟ ଭରିବା ପାଇଁ ରୋଜଗାର କରିବାକୁ ପଡ଼େ।’’ ସେ ଟ୍ରେନରେ ଦିଲ୍ଲୀର ସଦର ବଜାରକୁ ଯାଇ ସମସ୍ତ ତ୍ରିରଙ୍ଗା ସାମଗ୍ରୀ ଆଣନ୍ତି। ଏହି ବଡ଼ ଧରଣର କ୍ରୟ ପାଇଁ ସେ ତାଙ୍କ ଗାଁ’ରେ ସ୍ଥାନୀୟ ଗହଣା ବ୍ୟବସାୟଙ୍କଠାରୁ ଟ. ୨୦,୦୦୦ ବାର୍ଷିକ ୨୪ ପ୍ରତିଶତ ସୁଧହାରରେ ଉଧାର ନିଅନ୍ତୁ। 

ରାକେଶଙ୍କ ପରିବାର ରାଜସ୍ଥାନର ସଓ୍ୱାଇ ମାଧୋପୁର ଗ୍ରାମର ଧୀଙ୍ଗଲା ଜଟଓ୍ୱାରା ଖୁର୍ଦରେ ବାସ କରନ୍ତି। ଓବିସି ସମୂହର ଏହି ବାଗାରିଆମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପରି ତାଙ୍କ ପିତାମାତା କୃଷି ଶ୍ରମିକ ଏବଂ ଭାଗଚାଷୀ ଭାବରେ କାମ କରନ୍ତି। ସେମାନେ ସାଧାରଣତଃ ଗହମ ଏବଂ ବାଜରା ଚାଷ କରନ୍ତି। ସେମାନଙ୍କର ଏହି ଫେରି ବ୍ୟବସାୟ ପ୍ରାୟ ତିନି ଦଶକ ପୁରୁଣା ବୋଲି ପତାକା ବିକାଳିମାନେ ଆକଳନ କରନ୍ତି।  ଯେତେବେଳେ ସେମାନଙ୍କ ଗ୍ରାମରେ କୃଷି ଶ୍ରମ କମ୍‌ ହୋଇଗଲା ଏବଂ ବାଗାରିଆମାନେ କାମ ସନ୍ଧାନରେ ସହର ଓ ମହାନଗରମାନଙ୍କୁ ଆସିଲେ ସେତେବେଳେ ଏହି ବ୍ୟବସାୟ ଆରମ୍ଭ ହୋଇଥିଲା।  

ରାକେଶ ମୁଖ୍ୟ ବିକ୍ରୟ ଶେଷ ହେବା ପରେ ତାଙ୍କ ଘରକୁ ଫେରି ଯାଆନ୍ତି – ସେ ଅଗଷ୍ଟ ୧୬ ତାରିଖରେ ତାଙ୍କ ଗାଁ’କୁ ଫେରିବାକୁ ଯୋଜନା କରିଛନ୍ତି। ସେଠାରେ ସେ ସରକାରୀ ସ୍କୁଲରେ ୧୦ମ ଶ୍ରେଣୀରେ ପାଠପଢ଼ନ୍ତି। ସେ କୁହନ୍ତି, ‘‘ଯଦି ତୁମେ ଶିଖିତ ନୁହେଁ, ଲୋକମାନେ ତୁମକୁ ବୋକା ବନାଇବେ’’।

ଲକ୍ଷ୍ମୀଙ୍କର ସମ୍ପର୍କୀୟ ଭାଇ ମହେନ୍ଦ୍ର; ତାଙ୍କ ଷ୍ଟଲ୍‌ କେଇ ମିଟର ଦୂରରେ ଅଛି । ତାଙ୍କର ବୟସ ୧୮, ଲକ୍ଷ୍ମୀଙ୍କ ପରି ସେ ମଧ୍ୟ ନିଜ ଗାଁ’ରେ ସରକାରୀ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ବେଳେ ବେଳେ ବଦୋଦରା ଆସନ୍ତି ଋତୁକାଳୀନ ସାମଗ୍ରୀ ବିକ୍ରୟରେ ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ । ତାଙ୍କ ପରିବାର ସ୍ଥାନୀୟ ଗହଣା ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ପାଇଁ ଚଳିତବର୍ଷ ଟ. ୧୧,୦୦୦ ଉଧାର ନେଇଛି। କିନ୍ତୁ ଏ ପର୍ଯ୍ୟନ୍ତ ତାହା ଉପାର୍ଜନ କରିପାରି ନାହିଁ। 

Mahendra standing in front of a pole that has Independence Day flags attached to it
PHOTO • Hansal Machchi
Suresh's eldest son playing with a toy
PHOTO • Hansal Machchi

ମହେନ୍ଦ୍ର କୁହନ୍ତି , ଆମେ ସ୍ୱାଧୀନ ନୁହେଁ, (ବାମ), କିନ୍ତୁ ବିଶାଲ (ଡାହାଣ) ଯିଏ ପତାକା ବିକ୍ରି ପାଇଁ ଟ୍ରାଫିକ୍‌କୁ ଯାଆନ୍ତି ସେ ଜାଣନ୍ତି ନାହିଁ, କାହିଁକି କାର୍‌ରେ ଥିବା ଲୋକମାନେ ତାଙ୍କଠାରୁ ତ୍ରିରଙ୍ଗା କିଣନ୍ତି। 

ମହେନ୍ଦ୍ର କୁହନ୍ତି, ‘‘ଆମେ ସ୍ୱାଧୀନ ନୁହେଁ''। ''ସରକାରଙ୍କଠାରୁ କୌଣସି ସାହାଯ୍ୟ ନାହିଁ, ଆମର ଯନ୍ତ୍ରଣା ବିଷୟରେ କେହି ପଚାରନ୍ତି ନାହିଁ। ବାପା-ମା ଏଠାରେ ରୁହନ୍ତି, ସେମାନେ ଛୋଟ ଛୋଟ ଖେଳଣା କିମ୍ବା ଦିନେ ଦିନେ ବେଲୁନ ବିକନ୍ତି ଏବଂ ଖୁବ୍‌ କମ୍‌ ରୋଜଗାର କରନ୍ତି। ମୋତେ ଏସବୁ ଅତିକ୍ରମ କରିବାକୁ ହେବ ଏବଂ ବଡ଼ ମଣିଷ ହେବାକୁ ହେବ, ଅଧିକ ପଢ଼ିବାକୁ ହେବ ଏବଂ ମୋ ବାପା-ମା’ଙ୍କ କଷ୍ଟ କମ୍‌ କରିବାକୁ ହେବ।’’

ସବୁ ପତାକା ବିକ୍ରେତାମାନେ ଫୁଟପାଥରେ ଶୁଅନ୍ତି । ଯେଉଁମାନଙ୍କର ଛୋଟ ପିଲା ଅଛନ୍ତି ସେମାନଙ୍କର ଦୋକନ ପାଖରେ ଦୋଳି ଅଛି। ବିଶ୍ୱମିତ୍ରି ନଦୀ ଉପରେ ଥିବା ବ୍ରିଜ୍‌ର ରେଲିଂ ପଛରେ ସେମାନଙ୍କର ପତଳା ପ୍ଲାଷ୍ଟିକ୍‌ ତମ୍ବୁ ଅଛି। ଯେତେବେଳେ ରାତିରେ ବର୍ଷାହୁଏ, ସେତେବେଳେ ଖୁବ୍‌ କଷ୍ଟ ହୁଏ ଏବଂ ସେମାନଙ୍କୁ ନିକଟସ୍ଥ ବ୍ୟାଙ୍କ ବିଲ୍‌ଡିଂର ଆଶ୍ରୟ ନେବାକୁ ହୁଏ ଏବଂ ନିରାପତ୍ତା ରକ୍ଷୀଙ୍କ ସହ ଝଗଡ଼ା କରିବାକୁ ହୁଏ। ନିକଟରେ ଥିବା ସାର୍ବଜନୀନ  ଶୌଚାଳୟକୁ ଥରେ ଯିବାକୁ ୫ଟଙ୍କା ଦେବାକୁ ହୁଏ। ଯାହାକି ସେମାନେ ଦେଇପାରିବେନି। ତେଣୁ ସେମାନେ ଖୋଲାରେ ମଳତ୍ୟାଗ କରନ୍ତି। 

ଆମେ କଥା ହେଉଥିବା ବେଳେ ମହେନ୍ଦ୍ରଙ୍କ ମା’ ମୋରାବାଈ ତାଙ୍କୁ ଏକ ବଡ଼ ପାଓ ଖାଇବା ପାଇଁ ଆଣି ଦେଲେ- ଏହାର ଦାମ୍‌ ଟ. ୧୦। ସେ କୁହନ୍ତି, ‘‘ଆମେ ସାରାଜୀବନ ସଂଘର୍ଷ କରିଛୁ କିନ୍ତୁ ଆମେ ଆମ ପିଲାମାନଙ୍କ ଆବଶ୍ୟକତା ପୂରଣ କରିପାରୁନି।’’

‘‘କେତେକ ଭ୍ୟାନ ଖେଚୁଡି [ଟ.୧୦ରେ] ବିକ୍ରି କରନ୍ତି, କିନ୍ତୁ ଏହାର ସ୍ୱାଦ ଖୁବ୍‌ ଖରାପ, କୁକୁର ବି ଏହାକୁ ପସନ୍ଦ କରିବନି।’’ ଏକଥା କୁହନ୍ତି ସୁନ୍ଦର ବାଗାରିଆ, ଯାହାଙ୍କ ଷ୍ଟଲ ଏହା ନିକଟରେ ଅଛି। ପତାକା ବିକ୍ରେତାମାନେ ଗୋଷ୍ଠୀ ହୋଇ ଫୁଟପାଥରେ ରୋଷେଇ କରନ୍ତି। ‘‘ବେଳେ ବେଳେ ଆମେ ରୋଷେଇ କରୁ- କିମ୍ବା ଆମେ ବିସ୍କୁଟରେ ଆମର ଭୋକ ମାରିଦେଉ। କିମ୍ବା ଏବେ ମୁଁ ମୋ ପୁଅକୁ ଟଙ୍କା ପାଇଁ କହିବି… ଆମକୁ ଏମିତି ଚଳିବାକୁ ପଡ଼େ।’’ 

Sundar Bagariya selling Independence Day flags and other items related to Independence Day
PHOTO • Hansal Machchi
Sundar Bagariya selling Independence Day flags and other items related to Independence Day
PHOTO • Hansal Machchi

ସୁନ୍ଦର ବାଗାରିଆ କୁହନ୍ତି, ‘ସ୍ୱାଧୀନତା ଧନୀ ଏବଂ କ୍ଷମତାଶାଳୀଙ୍କ ପାଇଁ’। ସେ ଦିନରେ ୧୪ ଘଣ୍ଟା ପତାକା ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରନ୍ତି ଏବଂ ୨୦୦ଟଙ୍କା ଆୟ କରନ୍ତି ଏବଂ ଅତିବେଶିରେ ୩୦୦ ଟଙ୍କା। 

ଅନ୍ୟମାନଙ୍କ ପରି ସୁନ୍ଦର ଦିନରେ ୨୦୦ଟଙ୍କା, ଅତି ବେଶୀରେ ୩୦୦ଟଙ୍କା ରୋଜଗାର କରନ୍ତି- ଏହା ୨-୩ ଜଣଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦୋକାନ ପିଛା ଆୟ। ତାଙ୍କ ପୁଅ ସୁରେଶଙ୍କ ଷ୍ଟଲ ପ୍ରାୟ ୧୦୦ମିଟର ଦୂରରେ।, ସେଠି ଗୋଟିଏ ସ୍ୱାଧୀନ ଦେଶରେ ନୀଳ ଆକାଶରେ ପତାକାଗୁଡ଼ିକ ଫରଫର ହୋଇ ଉଡୁଛି। ତାଙ୍କ ପରିବାର ସଓ୍ୱାଇ ମାଧପୁର ବ୍ଲକ୍‌ର କାରମୋଡ଼ା ଗ୍ରାମରୁ ଆସିଛନ୍ତି। ସୁରେଶ ତାଙ୍କ ପତ୍ନୀଙ୍କ ସହ କମ୍ଲେଶିଙ୍କ ସହ ମିଶି ଦୋକାନ ଚଳାନ୍ତି। ତାଙ୍କ ପୁଅ ବିଶାଲ ୫ମ ଶ୍ରେଣୀରେ ପାଠ ପଢ଼ୁଛି, ସେମାନଙ୍କ ଝିଅ ପ୍ରିୟଙ୍କା ୩ ବର୍ଷର। ସୁରେଶ କୋଟା ୟୁନିଭର୍ସିଟିରୁ ହିନ୍ଦୀରେ ସ୍ନାତକ ଉପାଧିଧାରୀ।  ସେ କୁହନ୍ତି, ‘‘ମୁଁ ଜଣେ ଗ୍ରାଜୁଏଟ୍‌, କିନ୍ତୁ କୌଣସି କାମ ନାହିଁ…’’ 

ଗତବର୍ଷ ସୁରେଶ ରାଜସ୍ଥାନର ରାଜ୍ୟ ପୋଲିସ ସେବା ପାଇଁ ଆବେଦନ କରିଥିଲେ କିନ୍ତୁ ମନୋନୀତ ହେଲେ ନାହିଁ। ସେ କୁହନ୍ତି, ‘‘ଅଳ୍ପ କେଇଟି ପଦ ପାଇଁ ଭୀଷଣ ପ୍ରତିଯୋଗିତା''। "ରାଜନୈତିକ ଦଳମାନେ ନିର୍ବାଚନ ପୂର୍ବରୁ ସେମାନଙ୍କର ଇସ୍ତାହାର ପ୍ରକାଶ କରନ୍ତି, କୁହନ୍ତି- କ୍ଷମତାକୁ ଆସିଲେ ସେମାନେ ରୋଜଗାର ସୃଷ୍ଟି କରିବେ। କିନ୍ତୁ ପ୍ରତ୍ୟେକ ଥର ସେମାନେ ଅସଫଳ ହୁଅନ୍ତି, ତାଙ୍କ ସହ ଆମେ ମଧ୍ୟ ବିଫଳ ହେଉ।’’

ବିଶାଲ ମଧ୍ୟ ତାଙ୍କ ପରିବାରର ବ୍ୟବସାୟରେ ସାହାଯ୍ୟ କରନ୍ତି। ଛୋଟ ପତାକାଗୁଡ଼ିକ ବିକ୍ରି କରିବା ପାଇଁ ମଧ୍ୟ ସେ ଟ୍ରାଫିକ୍‌କୁ ଯାଆନ୍ତି। ଯେତେବେଳେ ଆମେ ତାଙ୍କୁ ପଚାରିଲୁ ଲୋକେ ତ୍ରିରଙ୍ଗା କାହିଁକି କିଣନ୍ତି, ସେ କିଛି ଜାଣିନଥିଲେ। 

Chiranjilal Bagariya, in his 60s, is the oldest flag-seller on these streets
PHOTO • Hansal Machchi

ଏସବୁ ରାସ୍ତାରେ ସବୁଠାରୁ ବୟସ୍କ ପତାକା ବିକ୍ରେତା ହେଉଛନ୍ତି ଚିରଞ୍ଜିଲାଲ ବାଗାରିଆ ତାଙ୍କ ଗ୍ରାହକମାନଙ୍କୁ ଅନୁରୋଧ କରନ୍ତି ଯେ, ସେ ତ୍ରିରଙ୍ଗା ପାଇଁ ଯେତେ କମ୍‌ ଦାମ୍‌ ରଖିଛନ୍ତି ତାହା ଉପରେ ଆଉ ମୂଲଚାଲ ନ କରିବାକୁ

୬୦ଦଶକ ବୟସରେ ପହଞ୍ଚିଥିବା ଚିରଞ୍ଜିଲାଲ ବାଗାରିଆ ଏସବୁ ରାସ୍ତାରେ ସବୁଠାରୁ ବୟସ୍କ ପତାକା ବିକ୍ରେତା; ରାକେଶଙ୍କ ଦୋକାନଠାରୁ ଅନତି ଦୂରରେ ବିନୋଭା ଭାବେ ରୋଡ଼ରେ ତାଙ୍କର ଦୋକାନ। ସେ କୁହନ୍ତି, ‘‘ଆମେ ଭୂମିହୀନ, ମାଧପୁରରେ ଆମର କେବଳ କୁଡ଼ିଆ ଅଛି, ଆମେ ଆଉ କ’ଣ କରିପାରିବୁ ?’’

ଚିରଞ୍ଜିଲାଲ୍‌ଙ୍କ ବଡ଼ ପୁଅ ଯେ କି, ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲା ଏକ ଦୁର୍ଘଟଣାରେ ପ୍ରାଣ ହରାଇଲା। ସେ କୁହନ୍ତି, ‘‘ମୋର ଆଶା ଶେଷ ହୋଇଗଲା''। "ତାକୁ ପୁଣି ଥରେ ଜୀବନ୍ତ କରିବା ପାଇଁ ମୋର କିଛି ବି ନାହିଁ।’’ ଚିରଞ୍ଜିଲାଲ୍‌ଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଛି; ତାଙ୍କର ଅନ୍ୟ ତିନିପୁଅ ସଓ୍ୱାଇ ମାଧପୁରରେ  ଶ୍ରମିକ ଭାବରେ କାମ କରନ୍ତି । ସେ କୁହନ୍ତି, ‘‘ନଗରପାଳିକା କର୍ମଚାରୀମାନେ ଆମର ଜିନିଷ ପତ୍ର ଜବତ କରିଦିଅନ୍ତି ଏବଂ ବେଳେ ବେଳେ ଆମକୁ ପୋଲିସ ଷ୍ଟେସନକୁ ଘୋଷାଡନ୍ତି। ଆମେ କିଛି ଅର୍ଥ ଦେବା ପରେ ସେମାନେ ଆମ ଜିନିଷ ଫେରାନ୍ତି।’’ 

ଯେତେବେଳେ ଆମେ ଚିରଞ୍ଜିଲାଲ୍‌ଙ୍କ ସହ କଥାବାର୍ତ୍ତା କରୁଥିଲୁ, ଗୋଟିଏ ଏସ୍‌ୟୁଭି ଆସିଲା ଏବଂ ସେଥିରେ ଥିବା ଲୋକମାନେ ମୂଲଚାଲ ଆରମ୍ଭ କଲେ। ଚିରଞ୍ଜିଲାଲ୍‌ ବିନତି କଲେ, ‘‘ମୁଁ ଗରିବ ଲୋକ ସାହେବ, ମୁଁ ଆପଣଙ୍କୁ ଅଧିକ ଦାମ୍‌ କହିନି।’’

ଗ୍ରାହକ ଚାଲିଯିବା ପରେ ମୁଁ ଚିରଞ୍ଜିଲାଲଙ୍କୁ ପଚାରିଲି: ଆପଣ ଏଠାରେ ୨୦ବର୍ଷରୁ ଅଧିକ ହେବ ଅଛନ୍ତି, କେନ୍ଦ୍ରରେ ଏବଂ ଦୁଇଟି ରାଜ୍ୟରେ ଅନେକ ସରକାରଙ୍କୁ ଦେଖିଛନ୍ତି। ତଥାପି ଆପଣଙ୍କ ଅବସ୍ଥା କିଛି ଭିନ୍ନ ନୁହେଁ। ସେ ଉତ୍ତର ଦେଲେ, ‘‘ହଁ , ସମସ୍ତେ ସମାନ, "ବାସ୍ତବରେ ଆମେ ଗରିବ ମତଦାତାମାନେ ହିଁ କଷ୍ଟ ପାଉ। ଅଧିକାଂଶ ମତାଦାତା ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର। କିନ୍ତୁ ଆମେ ଧନୀମାନଙ୍କ ପାଇଁ ସରକାର ନିର୍ବାଚନ କରୁ।’’ ଏହା ପରେ ସେ ଚାଲି ଯାଉଥିବା ଏସ୍‌ୟୁଭି ଆଡ଼କୁ ଅନାଇ କହିଲେ, ‘‘ଆମେ ଫୁଟପାଥ ବାଲା, ଆମେ କେବେ ପକ୍କା ରାସ୍ତାରେ ଯିବାକୁ ସମର୍ଥ ହେବୁ ?’’

ଆଦିତ୍ୟ ତ୍ରିପାଠୀ ଏବଂ କ୍ରିଷ୍ଣା ଖତିକ ରିପୋର୍ଟିଂରେ ସାହାଯ୍ୟ କରିଥିଲେ ଏବଂ ଧ୍ରୁବ ମାଛି ଫଟୋଗ୍ରାଫିରେ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ujjawal Krishnam

ଉଜ୍ଜଲ କ୍ରିଷ୍ଣମ, ବରୋଦାର ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର ଜଣେ ଗବେଷକ। ସେ ଏକାଡେମିଆ.ଏଡୁ ଏବଂ ଓ୍ୱିକି ପ୍ରୋଜେକ୍ଟରେ ଜଣେ ସମ୍ପାଦକ, ଗେଟ୍ଟି ଇମେଜ୍‌ ପାଇଁ ଯୋଗଦାନ ଦିଅନ୍ତି ଏବଂ ଭାରତୀୟ ରାଜନୀତି ଏବଂ ଆଇନ ଶାସ୍ତ୍ର ସମ୍ପର୍କରେ ଲେଖନ୍ତି

Other stories by Ujjawal Krishnam