“ଇରାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ହ୍ଵାଟ୍ସଆପ ବାର୍ତ୍ତା ଜରିଆରେ ଆମର କୋଭିଡ-19 ପରୀକ୍ଷା ରିପୋର୍ଟ ପଜିଟିଭ କିମ୍ବା ନେଗେଟିଭ ପଠାଇଛି। ଏଥିରେ (କେବଳ ଆମର) ପାସପୋର୍ଟ ନମ୍ବର ରହିଛି। ଆମ ରିପୋର୍ଟ ନେଗେଟିଭ କିମ୍ବା ପଜିଟିଭ ଆସିଛି ସେ ସମ୍ପର୍କରେ ସୁନିଶ୍ଚିତ ହେବାକୁ ଏହା ଆମ ପାଇଁ ପରୀକ୍ଷା ଫଳ [ସିଟ୍] ଜାଣିବାକୁ ନିଜ ରୋଲ ନମ୍ବର ଖୋଜିବା ଭଳି ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ କୌଣସି ପ୍ରକୃତ ରିପୋର୍ଟ ଆମକୁ ଏବେ ବି ଦିଆଯାଇନାହିଁ,” ବୋଲି କୁହନ୍ତି ଶବିର ହୁସେନ ହାକିମି। କେବଳ ଏକ ପଜିଟିଭ ଓ ନେଗେଟିଭ ରାଙ୍କିଙ୍ଗ। ଲଦାଖ କାର୍ଗିଲ ଅଞ୍ଚଳର ୨୯ ବର୍ଷ ବୟସ୍କ ଏହି ଯୁବକ ଜଣକ ଇରାନର କୋମ ସହରରୁ ଆମ ସହିତ କଥା ହେଉଥିଲେ। ସେ ଗତ ଜାନୁଆରୀରେ ନିଜ ମାତାପିତାଙ୍କ ସହିତ ଶିୟା ମୁସଲିମଙ୍କ ପାଇଁ ପବିତ୍ର ସ୍ଥଳୀକୁ ତୀର୍ଥ ଉଦ୍ଦେଶ୍ୟରେ ଯାଇଥିଲେ।

ପ୍ରତିବର୍ଷ ଭାରତରୁ ହଜାର ହଜାର ଶିୟା ମୁସଲିମ ଇରାନରେ ଥିବା ମହାପୁରୁଷ ମହମ୍ମଦଙ୍କ ପରିବାର ସଦସ୍ୟ ଇମାମ ଅଲି, ହୁସେନ ଏବଂ ଅନ୍ୟମାନଙ୍କ ସହିତ ଜଡ଼ିତ ଧର୍ମସ୍ଥଳୀରେ ପ୍ରାର୍ଥନା କରିବାକୁ ଇରାନ ଯାଇଥାନ୍ତି। ଇରାନରେ କରୋନା ଭୂତାଣୁ ମହାମାରୀ ବ୍ୟାପିବା ପରେ ସଂକ୍ରମଣ ଆଶଙ୍କା କରି ସେଠାରୁ ଭାରତକୁ ଆସିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରି ଦିଆଯାଇଛି। ଫଳରେ ଜମ୍ମୁ, କଶ୍ମୀର, ଲଦାଖ ଓ ମହାରାଷ୍ଟ୍ରର ପାଖାପାଖି ୧,୧୦୦ ତୀର୍ଥଯାତ୍ରୀ ଇରାନର କୋମ ସହରରେ ଫସି ରହିଛନ୍ତି।

“ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆମର ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା। ଆମକୁ ପ୍ରତିଶ୍ରୁତି ଦିଆଗଲା ଯେ ଆମର ନମୁନା ପ୍ରଥମେ ପୁନେକୁ ପରୀକ୍ଷଣ ପାଇଁ ପଠାଯିବ, ଏହାପରେ ଅଟକି ରହିଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ବିମାନ ଯୋଗେ ଉଦ୍ଧାର କରି ଭାରତକୁ ପଠାଇ ଦିଆଯିବ,” ଶବିର କୁହନ୍ତି। ପ୍ରଥମେ ୭୮ ଜଣ ତୀର୍ଥଯାତ୍ରୀଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନ ଯୋଗେ ମାର୍ଚ୍ଚ ୧୦ରେ ଭାରତକୁ ପଠାଇବା ଲାଗି ତେହେରାନ ଡକାଗଲା।

“ମାତ୍ର ଆଶ୍ଚର୍ଯ୍ୟର କଥା, କୌଣସି କାରଣ ଦର୍ଶାନଯାଇ ସେମାନଙ୍କ ମଧ୍ୟରୁ ୧୯ଜଣଙ୍କୁ ପୁଣିଥରେ କୋମକୁ ଫେରାଇ ଦିଆଗଲା”, ବୋଲି କୁହନ୍ତି ଶବିର। ଏହାପରେ, ଲଦାଖର ୨୫୪ ତୀର୍ଥଯାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ଦୂତାବାସ ପକ୍ଷରୁ ଘୋଷଣା କରାଗଲା। ଶବିର କୁହନ୍ତି, “ଭାରତୀୟ ଦୂତାବାସ’’ ପକ୍ଷରୁ “ପଜିଟିଭ ରିପୋର୍ଟ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖିବା ତ’ ଦୂରର କଥା ଗୋଟିଏ ସାଧାରଣ ମାସ୍କ ମଧ୍ୟ ଦିଆଗଲା ନାହିଁ। ଅନ୍ୟପଟେ, ଆମ ଭିତରୁ କିଛି ଲୋକ ସ୍ଵେଚ୍ଛାକୃତ ଭାବେ ସେମାନଙ୍କୁ କୋମରେ ଥିବା ଏକ ହସ୍ପିଟାଲକୁ ପରୀକ୍ଷା ପାଇଁ ନେଇଗଲୁ। ଆଶା ଥିଲା ଯେ ସେମାନଙ୍କୁ ସେଠାରେ ଭର୍ତ୍ତି କରାଯିବ’’।

କିଛି ଦିନ ପୂର୍ବରୁ ଏହି ରିପୋର୍ଟର ତେହେରାନସ୍ଥିତ ଭାରତୀୟ ଦୂତାବାସକୁ କିଛି ପ୍ରଶ୍ନାବଳୀ ପଠାଇଥିଲେ, ସେ ସମ୍ପର୍କରେ ଏଯାଏ କିଛି ଉତ୍ତର ମିଳିନାହିଁ।

Left: A delegation of stranded Indian pilgrims meeting Indian Embassy officials in Qom, Iran. Right: Shabbir Hussain Hakimi
Left: A delegation of stranded Indian pilgrims meeting Indian Embassy officials in Qom, Iran. Right: Shabbir Hussain Hakimi

ବାମ : ଇରାନର କୋମଠାରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ଏକ ପ୍ରତିନିଧି ଦଳ ଭାରତୀୟ ଦୂତାବାସ ଅଧିକାରୀମାନଙ୍କୁ ସାକ୍ଷାତ କରୁଛନ୍ତି। ଡାହାଣ : ଶବିର ହୁସେନା ହାକିମି

ଅଧିକାଂଶ ତୀର୍ଥଯାତ୍ରୀଙ୍କ ବୟସ ୬୫ ବର୍ଷରୁ ଅଧିକ, କିଛି ୮୦ ବର୍ଷ ପାଖାପାଖି ପହଞ୍ଚିଲେଣି, ତେଣୁ ସେମାନଙ୍କ ସହିତ ଯାଇଥିବା ଯୁବତୀର୍ଥଯାତ୍ରୀ ଓ ସହଯୋଗୀ ସେମାନଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ। କିନ୍ତୁ ହସ୍ପିଟାଲରେ ଡାକ୍ତର ସେହି ରୋଗୀମାନଙ୍କୁ ପରୀକ୍ଷା କରୁଛନ୍ତି ଯେଉଁମାନଙ୍କୁ ପଜିଟିଭ ଘୋଷଣା କରାଯାଇଛି, ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଏ ସମସ୍ତ ତୀର୍ଥଯାତ୍ରୀଙ୍କ ପାଖରେ ଟଙ୍କା ସରି ଆସୁଥିବା ବେଳେ ସେମାନଙ୍କୁ ଯେନତେନ ପ୍ରକାରେ ସେହି ଛୋଟ ଓ ଜନବହୁଳ ଲଜିଂକୁ ଫେରିବାକୁ ପଡ଼ୁଛି ଯେଉଁଠି ରହିବା ପାଇଁ ସେମାନଙ୍କ ପାଖରେ ସମ୍ବଳ ଅଛି।

“ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସର ଅଧିକାରୀମାନେ (ଇରାନରେ) ଥିବା ଭାରତୀୟ ନାଗରିକମାନଙ୍କୁ ବାରମ୍ବାର ଆଶ୍ଵାସନା ଦେଉଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଓ ଅନ୍ୟ ସୁବିଧା ସୁନିଶ୍ଚିତ କରୁଛନ୍ତି,” ବୋଲି ମାର୍ଚ୍ଚ ୧୩ରେ ଲୋକସଭାରେ କହିଥିଲେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଆହୁରି, “ସାରା ବିଶ୍ୱରେ ଆମର ନାଗରିକମାନେ ରହିଛନ୍ତି। ଏପରି ଏକ ଦେଶ ଭାବେ ଏହା ଆମ ପାଇଁ ସର୍ବାଧିକ ଚିନ୍ତାର ବିଷୟ। ସେହିପରି ଆମେ ଦାୟିତ୍ଵ ସମ୍ପନ୍ନ ଭାବେ ଏବଂ ଗମ୍ଭୀରତା ପୂର୍ବକ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ଆବଶ୍ୟକ। ଯାହା ଆମେ କହୁଛୁ ଏବଂ ଯାହା ଆମେ କରୁଛୁ, ତାହା ଭୟ ସଂଚାର କରିବା ବଦଳରେ, ସମସ୍ୟା ସମାଧାନ କରିବା ଉଚିତ”, ବୋଲି ସେ କହିଥିଲେ।

ଏକ ପ୍ରଶଂସନୀୟ ପଦ। ଏହାର ପ୍ରତିବାଦରେ, ଇରାନରେ ଫସି ରହିଥିବା ୨୫୪ ଜଣ ଲଦାଖୀ ତୀର୍ଥଯାତ୍ରୀ କୋଭିଡ ପଜିଟିଭ ବୋଲି ପ୍ରଥମେ ଗଣମାଧ୍ୟମ ଖବରର ଶିରୋନାମା ପାଲଟିଥିଲା। (ପରେ ଅବଶ୍ୟ କୁହାଗଲା ଯେ ଏହି ମାମଲାଗୁଡ଼ିକ ବର୍ତ୍ତମାନସୁଦ୍ଧା ସୁନିଶ୍ଚିତ ହୋଇନାହିଁ)। କିନ୍ତୁ ଏହି ଖବର ଲଦାଖରେ ଥିବା ସେମାନଙ୍କ ସମ୍ପର୍କୀୟମାନଙ୍କୁ ମାନସିକ ଚାପ, ଦ୍ୱନ୍ଦ୍ୱ ଓ ଭୟ ମଧ୍ୟକୁ ନେଇଯାଇଥିଲା। ଦୁଇଟି ଗ୍ରାମ ଲେହର ଚୁଚ୍ଛୁଟ ଗୋଙ୍ଗମା ଏବଂ କାରଗିଲର ସାଙ୍କୁ କୁ ସମ୍ପୂର୍ଣ୍ଣ ଭାବେ କ୍ଵାରେଣ୍ଟାଇନରେ ରଖାଗଲା। ଏକାଧିକ ହ୍ଵାଟ୍ସଆପ ଭଏସ୍ ମେସେଜର ଏକ ପପିଙ୍ଗ୍ ଅପ୍ ଆରମ୍ଭ ହେଲା, ଏଗୁଡ଼ିକ ମଧ୍ୟରୁ କେତେକ ସାମ୍ପ୍ରଦାୟିକ ଓ ବିଭେଦପୂର୍ଣ୍ଣ ଥିଲା। ଫଳରେ ଜମ୍ମୁ ଓ ଏବଂ ଅନ୍ୟସ୍ଥାନରେ ପଢ଼ୁଥିବା ଲଦାଖୀ ଛାତ୍ରଛାତ୍ରୀମାନେ ଗାଳିଗୁଲଜ, ବାଛବିଚାର ଓ ବର୍ଣ୍ଣବିଦ୍ଵେଷର ଶିକାର ହେଲେ।

ଭୟ ଏତେ ମାତ୍ରାରେ ଖେଳିଗଲା ଯେ ଚୁଛୁଟ ଗ୍ରାମରେ ମହମ୍ମଦ ଅଲି ନାମକ ଜଣେ ୭୩ ବର୍ଷୀୟ ବୃଦ୍ଧ ଯେତେବେଳେ ପ୍ରାଣ ହରାଇଲେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପରିବାରକୁ କେହି ସହାୟତା କଲେ ନାହିଁ। ପରେ ଜଣାପଡ଼ିଲା ଯେ ମୂତ୍ରାଶୟ ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, କୋଭିଡ-19 ଯୋଗୁ ନୁହେଁ। ନିଜର ଅନୁଭୂତି ସମ୍ପର୍କରେ ତାଙ୍କ ପୁଅ ମହମ୍ମଦ ଇସା କୁହନ୍ତି ଯେ “ମୋ ଶତ୍ରୁ ମଧ୍ୟ ଏପରି ଅସୁବିଧା ଓ ଅସହାୟତାର ଶିକାର ନହେଉ ତାହା ମୁଁ ଚାହେଁ।”

Left: An Iranian medical team examining Ladakhi pilgrims outside their hotel in Qom. Right: Rations being distributed in Kargil's Sankoo village
Left: An Iranian medical team examining Ladakhi pilgrims outside their hotel in Qom. Right: Rations being distributed in Kargil's Sankoo village

ବାମ : କୋମର ଏକ ହୋଟେଲ ଆଗରେ ଲଦାଖୀ ତୀର୍ଥଯାତ୍ରୀଙ୍କ ପରୀକ୍ଷା କରୁଛି ଇରାନ ମେଡ଼ିକାଲ ଟିମ। ଡାହାଣ : କାର୍ଗିଲର ସାଙ୍କୁ ଗ୍ରାମରେ ରାସନ ବଣ୍ଟନ କରାଯାଉଛି।

ବିଦେଶରେ ଫସି ରହିଥିବା ଭାରତୀୟ, ବିଶେଷ କରି ଇରାନରେ ଥିବା ତୀର୍ଥଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଆଦେଶ ଦେବାକୁ କାର୍ଗିଲର ଜଣେ ଆଇନଜୀବୀ ମାର୍ଚ୍ଚ ୨୧ ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ଏକ ରିପୋର୍ଟ ମାର୍ଚ୍ଚ ୩୦ ସୁଦ୍ଧା ଦାଖଲ କରିବା ସର୍ବୋଚ୍ଚ ନ୍ୟୟାଳୟ ମାର୍ଚ୍ଚ ୨୭ ତାରିଖରେ ସରକାରଙ୍କୁ ଆଦେଶ ଦେଇଥିଲେ।

ଏହି ପ୍ରସଙ୍ଗରେ ଜରୁରି ହସ୍ତକ୍ଷେପର ଆବଶ୍ୟକତା ହୃଦୟଙ୍ଗମ କରି ଅଦାଲତ ରାୟ ଦେଇଥିଲେ ଯେ : “ଆମେ ଆଶା ଓ ବିଶ୍ଵାସ କରୁ ଯେ ଇତିମଧ୍ୟରେ ଆବଶ୍ୟକ ସମସ୍ତ ପଦକ୍ଷେପ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯିବ ଏବଂ ଇରାନରେ ଥିବା ଭାରତୀୟ ଦୂତାବାସ ସମେତ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ପରାମର୍ଶ କରି ଉପଯୁକ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ’’।

ଭାରତ ସରକାର ଶେଷରେ ନମୁନା ସଂଗ୍ରହ କରାଯିବାର ପ୍ରାୟ ଏକ ମାସ ପରେ ଏପ୍ରିଲ ୧ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ। “ଭାରତୀୟ ତୀର୍ଥଯାତ୍ରୀଙ୍କୁ ଇରାନରୁ ଉଦ୍ଧାର କରିବା ଲାଗି ଏତେ ବିଳମ୍ବ କାହିଁକି ଯେତେବେଳେ କି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୂତାଣୁ ମହାମାରୀରେ ପୀଡ଼ିତ ହେବାର ଆଶଙ୍କା ଅଧିକ?” ମୁସ୍ତାଫା ପଚାରନ୍ତି।

ଇତିମଧ୍ୟରେ, ଇରାନର ଏକ ଘରୋଇ ବିମାନ ଚଳାଚଳ ସଂସ୍ଥାନ ମାହାନ ଏୟାର ନେଗେଟିଭ ରିପୋର୍ଟ ଆସିଥିବା କେତେ ଜଣ ତୀର୍ଥଯାତ୍ରୀଙ୍କୁ ଭାରତକୁ ଫେରାଇ ନେବା ଲାଗି ସ୍ଵେଚ୍ଛାକୃତ ଭାବେ ଆଗେଇ ଆସିଥିଲା ଏବଂ ମାର୍ଚ୍ଚ ୨୪ରେ ୨୫୩ ଜଣ ଓ ମାର୍ଚ୍ଚ ୨୮ ତାରିଖରେ ୨୨୪ ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଏହା ସତ୍ତ୍ଵେ ଇରାନରେ ଏବେ ବି ୩୨୪ ଲଦାଖୀ ତୀର୍ଥଯାତ୍ରୀ ଅଟକି ରହିଛନ୍ତି- ସେମାନଙ୍କ ମଧ୍ୟରୁ ୨୫୪ ଜଣ ‘କରୋନା ସଂକ୍ରମିତ’ ବୋଲି ସନ୍ଦେହ କରାଯାଉଛି। ସେଠାରେ ମଧ୍ୟ ୭୦ ଜଣ ସ୍ଵେଚ୍ଛାସେବୀ ରହିଛନ୍ତି (ଯେଉଁମାନଙ୍କର ରିପୋର୍ଟ ନେଗେଟିଭ) ଆସିଛି, ସେମାନଙ୍କ ଭିତରେ ଶବିରଙ୍କ ଭଳି ଯୁବକ ଅଛନ୍ତି, ଯେଉଁମାନେ ସେଠାରେ ବୟସ୍କଙ୍କ ସହାୟତା ପାଇଁ ରହି ଯାଇଛନ୍ତି।

Left: Some of the pilgrims airlifted from Iran, at a quarantine camp in Jodhpur. Right: File photo of pilgrim Haji Mohammad Ali with daughter Hakima Bano
Left: Some of the pilgrims airlifted from Iran, at a quarantine camp in Jodhpur. Right: File photo of pilgrim Haji Mohammad Ali with daughter Hakima Bano

ବାମ : ଇରାନରୁ ବିମାନ ଜରିଆରେ ଉଦ୍ଧାର ହୋଇଥିବା କେତେଜଣ ତୀର୍ଥଯାତ୍ରୀ ଯୋଧପୁରର କ୍ଵାରେଣ୍ଟାଇନ କେନ୍ଦ୍ରରେ। ଡାହାଣ : ତୀର୍ଥଯାତ୍ରୀ ହାଜି ମହମ୍ମଦ ଅଲି ଏବଂ ଝିଅ ହାକିମା ବାନୋଙ୍କ ଫାଇଲ ଫଟୋ

ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ କିଛି ଲୋକଙ୍କୁ ବିମାନ ଯୋଗେ ଭାରତକୁ ଅଣାଯାଇ ରାଜସ୍ଥାନର ଯୋଧପୁରସ୍ଥିତ ରିଲିଫ କ୍ୟାମ୍ପରେ ରଖାଯାଇଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କାର୍ଗିଲ ସହରର ୭୯ ବର୍ଷୀୟ ହାଜି ମହମ୍ମଦ ଅଲି। “ମୋ ବାପା ଏବେ ଭାରତରେ ଆସି ପହଞ୍ଚିଯାଇଛନ୍ତି, ଯୋଧପୁରରେ କ୍ଵାରେଣ୍ଟାଇନ କେନ୍ଦ୍ରରେ ଅଛନ୍ତି, ଆମେ ଏବେ ଟିକିଏ ଆଶ୍ଵସ୍ତ ହୋଇଛୁ।’’ ତାଙ୍କର ୨୫ ବର୍ଷୀୟା ଝିଅ ହାକିମା ବାନୋ ପରୀକୁ କହିଛନ୍ତି। “କିନ୍ତୁ ମୁଁ ଏବେ ବି ଚିନ୍ତାରେ। କେମିତି ସେ ଶୀଘ୍ର ଘରକୁ ଫେରି ଆସିବେ, ପରିବାର ଲୋକଙ୍କୁ ଭେଟିବେ’’।

ମାର୍ଚ୍ଚ ୨୮ରେ ଇରାନରେ ଫସି ରହିଥିବା ତୀର୍ଥଯାତ୍ରୀ ଭାବେ ଶବିର ୧ ମାସ ପୂରଣ କରିବେ। “ଗୋଟିଏ ସପ୍ତାହ ପରେ ଆମକୁ ଶେଷରେ ହୋଟେଲ ରୁମ ମିଳିଛି ଏବଂ ସେମାନେ ଆମର ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ନିମନ୍ତେ ଇରାନୀୟ ଡାକ୍ତରମାନଙ୍କୁ ପଠାଉଛନ୍ତି। ତେବେ ଏଠାରେ ଥିବା କୋଠରୀଗୁଡ଼ିକରେ ୬, ୮, ୧୨ ଶଯ୍ୟା ରହିଛି। ତେଣୁ ଏଠାରେ ମଧ୍ୟ ଉପଯୁକ୍ତ କ୍ଵାରେଣ୍ଟାଇନ ସୁବିଧା ନାହିଁ। ୨୫୪ ଜଣ ଲଦାଖୀ ତୀର୍ଥଯାତ୍ରୀଙ୍କୁ କରୋନା ପଜିଟିଭ ଘୋଷଣା କରାଯିବାର ୧୪ ଦିନ ବିତିଲାଣି, ତଥାପି କେହି ଦ୍ଵିତୀୟ ପରୀକ୍ଷା ପାଇଁ ଆସିନାହାନ୍ତି।”

ଶବିର କୁହନ୍ତି, “ଆମେ କେବଳ ଘରକୁ ଫେରିବା ଲାଗି ଚାହୁଁଛୁ”। “ଯାହା ସତର୍କତାର ଆବଶ୍ୟକତା ରହିଛି (ଦ୍ଵିତୀୟ ପରୀକ୍ଷା କିମ୍ବା କ୍ଵାରେଣ୍ଟାଇନ କରିବା) କରନ୍ତୁ, କିନ୍ତୁ ଆମକୁ ଘରକୁ ଫେରାଇ ନିଅନ୍ତୁ। କରୋନା ଭୂତାଣୁରେ ନହେଲେ ମଧ୍ୟ ଏଠାରେ ଥିବା ଅଧିକାଂଶ ବୟସ୍କ ଅବସାଦ, ପୂର୍ବରୁ ଥିବା ରୋଗ ଏବଂ ଆତ୍ମୀୟଙ୍କ ଠାରୁ ଦୂରରେ ରହିବା ଦୁଃଖରେ ପ୍ରାଣ ହରାଇବେ।”

ତାଙ୍କୁ ଯାହା ବାଧିଛି : “ଆମ ପରିବାର ଲୋକମାନେ ଦୁଃଖରେ ଅଛନ୍ତି ଏବଂ ଗାଁରେ ଲଦାଖୀମାନେ ଭୟଭୀତ ହୋଇ ରହିଛନ୍ତି। ଦୟାକରି ୨୫୪ ଜଣ ତୀର୍ଥଯାତ୍ରୀଙ୍କୁ ‘କରୋନା ପଜିଟିଭ’ ବୋଲି କୁହନ୍ତୁ ନାହିଁ, ସେମାନେ କେବଳ କରୋନା ସନ୍ଦିଗ୍ଧ କାରଣ ସେମାନଙ୍କୁ ଏଯାଏ ଉପଯୁକ୍ତ ଡାକ୍ତରୀ ରିପୋର୍ଟ ଦିଆଯାଇନାହିଁ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Stanzin Saldon

ଲେଖକଙ୍କ ସମ୍ପର୍କରେ: ଷ୍ଟାନଜି ସାଲଡନ ହେଉଛନ୍ତି ଲେହ ଲଦାଖ ଅଞ୍ଚଳର ୨୦୧୭ ପରିର ବ୍ୟକ୍ତିବିଶେଷ। ପିରାମାଲ ଫାଉଣ୍ଡେସନ୍ ଫର ଏଜୁକେସନ୍ ଲିଡରସିପ୍, ଷ୍ଟେଟ୍ ଏଜୁକେସନାଲ ଟ୍ରାନ୍ସଫର୍ମେସନ ପ୍ରକଳ୍ପର କ୍ୱାଲିଟି ଇମ୍ପ୍ରୁଭମେଣ୍ଟ ମ୍ୟାନେଜର। ସେ ମଧ୍ୟ ଆମେରିକୀୟ ଭାରତ ପ୍ରତିଷ୍ଠାନ ଡବ୍ଲୁ.ଜେ. କ୍ଲିଣ୍ଟନ (୨୦୧୫-୧୬)ର ସହଯୋଗୀ।

Other stories by Stanzin Saldon