କରୋନା ଭୂତାଣୁ ସମ୍ବନ୍ଧିତ ତାଙ୍କର ପ୍ରଥମ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଷ୍ଟାତ୍ମାମାନଙ୍କୁ ଘଉଡ଼ାଇବା ପାଇଁ ଲୋକେ ସେମାନଙ୍କର ଗିନା ଓ ଥାଳି ଜୋରରେ ପିଟନ୍ତୁ ବୋଲି କହି ଆମ ଭିତରେ ଭୀତିସଂଚାର କରାଇଥିଲେ ।

ତାଙ୍କ ଦ୍ଵିତୀୟ ଭାଷଣରେ ସେ ଆମର ସମସ୍ତ ସାମର୍ଥ୍ୟକୁ ଆଶଙ୍କାରେ ଆଚ୍ଛାଦିତ କରିଦେଇଥିଲେ ।

ଆଗାମୀ ସପ୍ତାହଗୁଡିକରେ ଜନସାଧାରଣ, ବିଶେଷକରି ଗରିବମାନେ କିଭଳି ଖାଦ୍ୟ ଓ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପାଇପାରିବେ ସେ ବିଷୟରେ ଗୋଟିଏ ମଧ୍ୟ ଶବ୍ଦ କୁହାଯାଇନଥିବା ବେଳେ, ଏହା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ଖେଳିଗଲା । ଦୋକାନ ଓ ବଜାରରେ ମଧ୍ୟମ ବର୍ଗର ଲୋକମାନଙ୍କର ଭିଡ ଜମିଲା –ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଯାହା କରିବା ସହଜ ନୁହେଁ । ସହର ଛାଡି ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ନୁହେଁ । ଏପରିକି କ୍ଷୁଦ୍ର ବୁଲାବିକାଳି, ଘରୋଇ ସହାୟକ, କୃଷିକ୍ଷେତ୍ରରେ କାମକରୁଥିବା ଶ୍ରମିକମାନଙ୍କ ପାଇଁ ମଧ୍ୟ ନୁହେଁ । ଯେଉଁ ଚାଷୀମାନେ ସେମାନଙ୍କ ରବିଫସଲ ଅମଳ କରିବାକୁ ଅସମର୍ଥ ବା ଯେଉଁମାନେ ଅମଳ କରିବାକୁ ଯାଇ ଫସି ଯାଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ ନୁହେଁ । ଏହା ସେହି କୋଟି କୋଟି ନାମମାତ୍ର ଭାରତୀୟଙ୍କ ପାଇଁ ମଧ୍ୟ ନୁହେଁ ।

ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ୍‌ - ଯାହା ଗତକାଲି, ମାର୍ଚ୍ଚ ୨୬ରେ ଘୋଷଣା କରାଯାଇଛି–ସେଥିରେ ଏହାହିଁ ଏକମାତ୍ର ବିଷୟ ଯାହାକି, ସରକାରଙ୍କୁ ଲଜ୍ଜାଜନକ ସ୍ଥିତିରୁ ଉଦ୍ଧାର କରିପାରିବ: ପୂର୍ବରୁ ପିଡିଏସ୍‌ ବା ସାଧାରଣବଣ୍ଟନ ବ୍ୟବସ୍ଥା ଅଧୀନରେ ଦିଆଯାଉଥିବା ଖାଉଟି ସାମଗ୍ରୀ ସହିତ ବ୍ୟକ୍ତି ପିଛା ଆଉ ୫କେଜି ଗହମ ବା ଚାଉଳ ତିନିମାସ ପର୍ଯ୍ୟନ୍ତ ଦିଆଯିବ । ସେଠାରେ ମଧ୍ୟ ଏହା ସ୍ପଷ୍ଟ ନୁହେଁ ଯେ ପୂର୍ବରୁ ଦିଆଯାଉଥିବା ବା ବର୍ତ୍ତମାନ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ୫କେଜି ମଧ୍ୟ ମାଗଣାରେ ଦିଆଯିବ ନା ଏଥିପାଇଁ କିଛି ଅର୍ଥ ଦେବାକୁ ହେବ । ଯଦି ସେଥିପାଇଁ ଅର୍ଥ ଦେବାକୁ ହୁଏ, ତେବେ ଏହାଦ୍ୱାରା କୌଣସି ଲାଭ ହେବ ନାହିଁ । ଏହି “ପ୍ୟାକେଜ୍‌’’ରେ ଥିବା ଅଧିକାଂଶ ଉପାଦାନରେ ପୂର୍ବ ପ୍ରଚଳିତ ବିଭିନ୍ନ ଯୋଜନା ପାଇଁ କରାଯାଇଥିବା ବ୍ୟୟବରାଦ ବାବଦ ଅର୍ଥରାଶି ସମ୍ମିଳିତ। ଏମ୍‌ଜିଏନ୍‌ଆର୍‌ଇଜିଏ ( MGNREGA) ଅଧୀନରେ ଯେଉଁ ୨୦ଟଙ୍କାର ମଜୁରି ବୃଦ୍ଧି କରାଯାଇଛି ତାହା, ଯାହାହେଉ ନା କାହିଁକି – ସେଥିରେ ଅତିରିକ୍ତ କାର୍ଯ୍ୟ ଦିବସ ବିଷୟରେ କେଉଁଠାରେ ଉଲ୍ଲେଖ କରାଯାଇଛି? ଏହାସହିତ ଥରେ ସେମାନେ ସାମାଜିକ ଦୂରତ୍ୱ ରକ୍ଷାକରିବା ନିୟମ ପାଳନ କରିବାକୁ ଆରମ୍ଭ କରିବା ପରେ ସେମାନେ କିଭଳି ଓ କେଉଁ ପ୍ରକାରର କାମକରି ଏହାକୁ ବଜାୟ ରଖିପାରିବେ? ଯେଉଁ ପରିମାଣର କାମ ଆବଶ୍ୟକ,ତାହାର ପ୍ରସ୍ତୁତିରେ ଯେଉଁ କେତେକ ସପ୍ତାହ ସମୟ ଲାଗିବ, ସେହି ଖାଲି ସମୟରେ ଲୋକମାନେ କ’ଣ କରିବେ? ସେମାନଙ୍କ ସ୍ୱାସ୍ଥ୍ୟ କ’ଣ ସେମାନଙ୍କୁ କାମ କରିବାକୁ ଅନୁମତି ଦେବ? ଆମେ ଏମ୍‌ଜିଏନ୍‌ଆର୍‌ଇଜି  ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ଓ କୃଷକମାନଙ୍କୁ ଏହି ସଂକଟ ଯେତେବେଳ ପର୍ଯ୍ୟନ୍ତ ଦୂର ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ସେମାନଙ୍କ ଦୈନିକ ମଜୁରି ପ୍ରଦାନ କରିବା ଉଚିତ୍‌, କାମ ହେଉ ବା ନହେଉ ।

ପିଏମ୍‌-କିଷାନ୍‌ ଯୋଜନା ଅଧୀନରେ ଯେଉଁ ୨୦୦୦ଟଙ୍କା ହିତାଧିକାରୀଙ୍କୁ ମିଳିବ ତାହା ପୂର୍ବରୁ ନିର୍ଦ୍ଧାରିତ ଓ ଉଚିତ ଅଟେ- ଏଥିରେ ନୂଆ କ’ଣ ଅଛି? ତ୍ରୈମାସିକର ଶେଷ ମାସରେ ସେମାନଙ୍କୁ ଦେୟ ପ୍ରଦାନ କରାଯିବା ପରିବର୍ତ୍ତେ ଏହାକୁ ଅଗ୍ରୀମ ଭାବେ ପ୍ରଥମ ମାସରେ ପ୍ରଦାନ କରାଯିବ । ଦେଶ ବ୍ୟାପୀ ଦେଖା ଦେଇଥିବା ଏହି ସ୍ୱାସ୍ଥ୍ୟ ସଙ୍କଟ ଓ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ୧.୭ଲକ୍ଷ କୋଟି ଟଙ୍କାର ଯେଉଁ ପ୍ୟାକେଜ୍‌ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ସେଥିରେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯିବ ସେ ସଂପର୍କରେ ସ୍ପଷ୍ଟ ବିବରଣୀ ପ୍ରଦାନ କରାଯାଇ ନାହିଁ– ଏଥିରେ କ’ଣ ସବୁ ନୂଆ ଉପାଦାନ ରହିଛି ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । ଏହି ଅଙ୍କରେ ପହଞ୍ଚିବା ପାଇଁ ଏହି ଅର୍ଥର କେତେ ଭାଗ ପୁରୂଣା ତଥା ପ୍ରଚଳିତ ଯୋଜନାକୁ ମିଶାଇ କରାଯାଇଛି? ସେଗୁଡିକ ବୋଧହୁଏ ଜରୁରୀକାଳୀନ ଉପାୟର ଯୋଗ୍ୟତା ହାସଲ କରିପାରିବେନି । ଆହୁରି ମଧ୍ୟ ପେନ୍‌ସନ୍‌ ଗ୍ରହୀତା, ବିଧବା ଓ ଦିବ୍ୟାଙ୍ଗମାନେ ଗୋଟିଏ ଥରରେ ପାଇବାକୁ ଥିବା୧୦୦୦ଟଙ୍କା ଆସନ୍ତା ତିନିମାସରେ ଦୁଇଟି କିସ୍ତିରେ ପାଇବେ ? ଏବଂ ଜନ ଧନ ଯୋଜନା ଆକାଉଣ୍ଟ ଥିବା୨୦ କୋଟି  ମହିଳାଙ୍କୁ ତିନି ମାସ ପର୍ଯ୍ୟନ୍ତ  ପ୍ରତି ମାସରେ ୫୦୦ଟଙ୍କା ଲେଖାଏଁ ପାଇପାରିବେ । ଏହା ତ କୌଣସି ପ୍ରତୀକାତ୍ମକ ଉଦ୍ୟମ ତୁଳନାରେ ମଧ୍ୟ ନିମ୍ନସ୍ତରର ଏବଂ ଜଘନ୍ୟ ।

ଯେଉଁଠାରେ ବିଦ୍ୟମାନ ଋଣ ରାଶି ପ୍ରାପ୍ତ କରିବା ଏକ ଅପ୍ରୀତିକର ଅନୁଭୂତି ଅଟେ ସେଠାରେ ସ୍ୱୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକ ପାଇଁ ଋଣସୀମା ବୃଦ୍ଧି କରିବା ଦ୍ୱାରା ସ୍ଥିତି କିଭଳି ବଦଳିପାରିବ? ସେପରି ଏହି ‘ପ୍ୟାକେଜ୍‌’ ଦୂରବର୍ତ୍ତୀ ସ୍ଥାନରେ ଫସି ରହିଥିବା ଅଗଣିତ ପ୍ରବାସୀ ଶ୍ରମିକ, ଯେଉଁମାନେ ସେମାନଙ୍କ ଗାଁକୁ ଫେରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପାଇଁ କେତେଦୂର ପର୍ଯ୍ୟନ୍ତ ସାହାଯ୍ୟକାରୀ ହୋଇପାରିବ? ଏହା ପ୍ରବାସୀଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବ ବୋଲି ଯେଉଁ ଦାବି କରାଯାଉଛି ତାହା ଆଧାରହୀନ । ପ୍ରଭାବଶାଳୀ ଜରୁରୀକାଳୀନ ଉପାୟ ତିଆରି କରିବାରେ ବିଫଳ ହେବାର ପରିଣତି ଯଦି ଆତଙ୍କଜନକ, ତାହାହେଲେ ପ୍ୟାକେଜ୍‌ ପ୍ରସ୍ତୁତକାରୀଙ୍କ ମନୋଭାବ ମଧ୍ୟ ଭୟଙ୍କର ଅଟେ । ସେମାନେ ତୃଣମୂଳସ୍ତରରେ ବିକଶିତ ହେଉଥିବା ପରିସ୍ଥିତି ବିଷୟରେ ଅବଗତ ନଥିବା ପରି ଦେଖାଯାଉଛି ।

PHOTO • Labani Jangi

ଏହି ଆଲେଖ୍ୟରେ ରହିଥିବା ଉଭୟ ପେଣ୍ଟିଂ ହେଉଛି ଜଣେ କଳାକାରଙ୍କ ଦୃଷ୍ଟିକୋଣରୁ ଦିଲ୍ଲୀ ଓ ନୋଏଡାଠାରୁ ଉତ୍ତର ପ୍ରଦେଶ ଓ ଅନ୍ୟ ସ୍ଥାନଗୁଡିକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ ପେଣ୍ଟିଂ । କଳାକାର, ଲବାନି ଜାଙ୍ଗି ହେଉଛନ୍ତି ନିଜେ ନିଜେ ଶିଖିଥିବା ଜଣେ କଳାକାର ଯିଏ କୋଲ୍‌କାତା ସ୍ଥିତ ସେଣ୍ଟର୍‌ ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ୍‌ ସାଇନ୍ସରେ ଲେବର୍‌ ମାଇଗ୍ରେସନ୍‌ ବିଷୟରେ ଗବେଷଣା କରୁଛନ୍ତି

ବର୍ତ୍ତମାନ ଆମେ ଯେଉଁ ତାଲାବନ୍ଦ ସ୍ଥିତି ଦେଇ ଗତି କରୁଛେ- ଯେଉଁଠି ନିରାଶ୍ରୟମାନଙ୍କ ପାଇଁ କୌଣସି ସାମାଜିକ ସହଯୋଗ ବା ଯୋଜନା ନାହିଁ - ସେ କାରଣରୁ ପ୍ରବାସୀମାନେ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ବା ପ୍ରତ୍ୟାବର୍ତ୍ତନ କରିବାକୁ ଆରମ୍ଭ କଲେଣି । ସେଗୁଡ଼ିକର ପରିମାଣ କିମ୍ବା ତୀବ୍ରତା ଉପରେ ଏକ ସମାଧାନ ପାଇବା ଅସମ୍ଭବ । କିନ୍ତୁ ବିଭିନ୍ନ ରାଜ୍ୟରୁ ମିଳୁଥିବା ଖବରରୁ ଏହା ସ୍ପଷ୍ଟ ଯେ ବହୁସଂଖ୍ୟକ ଲୋକ ସେମାନେ କାମ କରୁଥିବା ସହର ଓ ଟାଉନ୍‌ରେ ତାଲାବନ୍ଦ ହେବା ଯୋଗୁଁ ନିଜ ନିଜ ଗ୍ରାମାଭିମୁଖୀ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ଉପଲବ୍ଧ ହେଉଥିବା ଏକମାତ୍ର ପରିବହନର ମାଧ୍ୟମକୁ ବ୍ୟବହାର କରୁଛନ୍ତି – ସେମାନଙ୍କ ନିଜ ପାଦ ଦ୍ୱୟ । କିଛି ଲୋକ ସାଇକେଲ୍‌ରେ ନିଜ ଘରକୁ ଫେରୁଛନ୍ତି । ଅନେକ ଟ୍ରେନ୍‌, ବସ୍‌ ଓ ଭ୍ୟାନ୍‌ ଆଦି ଚାଲିବା ବନ୍ଦ ହୋଇଯିବା ଯୋଗୁଁ ରାସ୍ତାରେ ଫସି ଯାଇଛନ୍ତି । ଯଦି ପରିସ୍ଥିତି ଆହୁରି ଅଧିକ ଗମ୍ଭୀର ହୁଏ ତେବେ ସେମାନଙ୍କୁ ଯେଉଁ ପ୍ରକାରର ଯନ୍ତ୍ରଣା ଭୋଗିବାକୁ ପଡିବ, ତାହା ଭୟାନକ ହେବ ।

କଳ୍ପନା କରନ୍ତୁ ଯେ ଏକ ବଡ ବଡ ଦଳରେ ଲୋକ ଘରକୁ ଚାଲି ଚାଲି ଆସୁଛନ୍ତି, ଗୁଜୁରାଟ୍‌ର ଏକ ସହରରୁ ରାଜସ୍ଥାନର ଏକ ଗ୍ରାମକୁ; ହାଇଦ୍ରାବାଦରୁ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ଦୂରବର୍ତ୍ତୀ ଅଞ୍ଚଳକୁ; ଦିଲ୍ଲୀରୁ ଉତ୍ତର ପ୍ରଦେଶ ବା ବିହାରରେ ଥିବା କୌଣସି ସ୍ଥାନକୁ; ମୁମ୍ବାଇରୁ କେହି-ଜାଣନ୍ତି-ନାହିଁ- କେଉଁ ଗନ୍ତବ୍ୟ ସ୍ଥଳକୁ । ଯଦି ସେମାନଙ୍କର ଏହି ଦରକାର ସମୟରେ ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରାନଯାଏ, ତାହାହେଲେ ସେମାନଙ୍କ ପାଖରେ ଉପଲବ୍ଧ ଖାଦ୍ୟ ଓ ପାଣି ଦ୍ରୁତ ଗତିରେ ହ୍ରାସ ପାଇବା ଯୋଗୁଁ ପରିଣତି ବିପଜ୍ଜନକ ହୋଇପାରେ ।  ସେମାନେ କଲେରା, ଡାଇରିଆ ଓ ଅନ୍ୟାନ୍ୟ ବହୁପୂରାତନ ରୋଗରେ ଆକ୍ରାନ୍ତ ହୋଇପାରିବେ ।

ଅଧିକନ୍ତୁ, କ୍ରମଶଃ ବୃଦ୍ଧି ପାଉଥିବା ଏହି ଆର୍ଥିକ ସଙ୍କଟ ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତା’ର ପରିଣାମ ସ୍ୱରୂପ ଯେଉଁମାନେ ନିଜ ଜୀବନ ହାରିବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଶ୍ରମିକ ଶ୍ରେଣୀ ଓ ଯୁବ ପିଢିର ହୋଇଥିବେ । ପିପୁଲ୍‌ସ ହେଲ୍‌ଥ ମୁଭ୍‌ମେଣ୍ଟର ଗ୍ଲୋବାଲ୍‌ କୋ-ଅର୍ଡିନେଟର୍‌ ପ୍ରଫେସର୍‌ ଟି.ସୁନ୍ଦରରମଣଙ୍କ ପରୀକୁ କହିବା ମୁତାବକ ଏପରି ଆର୍ଥିକ ଦୁଃସ୍ଥିତିରେ ଶେଷରେ କରୋନା ଭୂତାଣୁଜନିତ ମୃତ୍ୟୁ ବଦଳରେ ଅନ୍ୟ ରୋଗ ଯୋଗୁଁ ହେଉଥିବା ମୃତ୍ୟୁର ହାର ଯଥେଷ୍ଟ ଅଧିକ ହୋଇଯିବ ’’।

ଜନସଂଖ୍ୟାର ୮ ପ୍ରତିଶତ ଲୋକ ଯେଉଁମାନଙ୍କ ବୟସ ୬୦ ବା ଅଧିକ ଅଟେ ସେମାନଙ୍କ ପାଇଁ କରୋନା ଭୂତାଣୁଜନିତ ବିପଦ ଅଧିକ ଅଟେ । ଅନ୍ୟାନ୍ୟ ରୋଗର ପ୍ରକୋପ ସହିତ ଅନ୍ୟ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଅପହଞ୍ଚରେ ରହିବା ଓ ଉପଲବ୍ଧ ନହେବା ଯୋଗୁଁ କର୍ମଜୀବୀ ଲୋକ ଓ ଯୁବପିଢି ଗଭୀର ଭାବେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି ।

ଡ.ସୁନ୍ଦରରମଣ, ନାସ୍‌ନାଲ୍‌ ହେଲ୍‌ଥ ସିଷ୍ଟମ୍‌ ରିସୋର୍ସେସ୍‌ ସେଣ୍ଟରର ଜଣେ ପୂର୍ବତନ ଏକଜିକ୍ୟୁଟିଭ୍‌ ଡାଇରେକ୍ଟର୍‌, “ପ୍ରବାସୀଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଓ ଜୀବିକା ହରାଇବା ନେଇ ରହିଥିବା ସମସ୍ୟାଗୁଡିକୁ ଚିହ୍ନଟ କରିବା ଓ ସେଗୁଡିକର ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିରେ ବିଫଳ ହେଲେ, ସେହି ସବୁ ରୋଗ ଯାହା କାରଣରୁ ଦୀର୍ଘଦିନ ଧରି ଅଧିକାଂଶ ଗରିବ ଭାରତୀୟ ଜନତା ମାନସିକ ଯନ୍ତ୍ରଣା ଭୋଗ କରିବା ସହିତ ଜୀବନ ହାରୁଛନ୍ତି, ସେମାନଙ୍କ ସଂଖ୍ୟା କରୋନା ଭୂତାଣୁଜନିତ ମତ୍ୟୁ ସଂଖ୍ୟା ଠାରୁ ଅଧିକ ହୋଇଯିବ ।’’ ନିର୍ଦ୍ଦିଷ୍ଟ ଭାବେ କହିଲେ, ସହରରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନଗଣ୍ୟ ମଜୁରୀ ପାଇବାଠାରୁ ବଞ୍ଚିତ ହୋଇ ଭୋକରେ ଜୀବନଯାପନ କରିବାକୁ ବାଧ୍ୟ ହୁଅନ୍ତି ତେବେ ପ୍ରବସୀ ଶ୍ରମିକଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ବୃଦ୍ଧି ପାଇବା ସହିତ ସମସ୍ୟା ଜଟିଳ ହେବ ।

PHOTO • Rahul M.

କ୍ଳାନ୍ତ ହୋଇ ପଡିଥିବା ପ୍ରବାସୀ ଶ୍ରମିକମାନେ ଯେଉଁମାନେ ପ୍ରତି ସପ୍ତାହରେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଓ କେରଳର କୋଚି ମଧ୍ୟରେ ଆତଯାତ ହୋଇଥାନ୍ତି

ଅଧିକାଂଶ ପ୍ରବାସୀ ଶ୍ରମିକ ସେମାନଙ୍କ କାର୍ଯ୍ୟ ସ୍ଥଳରେ ରୁହନ୍ତି । ଏହି କାର୍ଯ୍ୟସ୍ଥଳଗୁଡିକ ବନ୍ଦ ହୋଇଯାଇଛି ଓ ସେମାନଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ କୁହାଯାଇଛି- ହେଲେ ସେମାନେ କୁଆଡେ ଯିବେ? ସେମାନଙ୍କ ମଧ୍ୟରୁ ସମସ୍ତେ ଏତେ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ସମର୍ଥ ନୁହନ୍ତି । ସେମାନଙ୍କ ପାଖରେ ରାସନ୍‌ କାର୍ଡ ମଧ୍ୟ ନାହିଁ – ସେମାନଙ୍କ ପାଖରେ ଆପଣ କିଭଳି ଖାଦ୍ୟ ପହଞ୍ଚାଇ ପାରିବେ?

ଆର୍ଥିକ ଦୁଃସ୍ଥିତି ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଏହାସହିତ ଆଉ ଯାହା ଦୃଷ୍ଟିକୁ ଆସୁଛି ତାହା ହେଉଛି ହାଉସିଂ ସୋସାଇଟିଗୁଡିକ ପ୍ରବାସୀ ଶ୍ରମିକ, ଘରେ କାମ କରୁଥିବା ଶ୍ରମିକ, ବସ୍ତି ବାସିନ୍ଦା ଓ ଅନ୍ୟ ଗରିବମାନଙ୍କୁ ଦାନବ ସହିତ ତୁଳନା କରୁଛନ୍ତି ଓ ସେମାନେ ବଡ ସମସ୍ୟା ବୋଲି ଭାବୁଛନ୍ତି । ସତ୍ୟ କଥା ଏହା ଯେ କୋଭିଡ୍‌- ୧୯ର ଅସଲ ବାହକ, ଯେପରି ପୂର୍ବେ ସାର୍ସ କ୍ଷେତ୍ରରେ ହୋଇଥିଲା, ହେଉଛନ୍ତି ଉଚ୍ଚ ବର୍ଗର ଲୋକମାନେ: ଅର୍ଥାତ୍‌ ଆମେ । ଏହାକୁ ସ୍ୱୀକାର କରିବା ପରିବର୍ତ୍ତେ ଆମେମାନେ ଏହି ଅନାବଶ୍ୟକ ଉପାଦାନଗୁଡିକୁ ବିଶୋଧକ ପ୍ରକ୍ରିୟା ଅନ୍ତର୍ଗତ ବାହାର କରି ସହରକୁ ଜୀବାଣୁମୁକ୍ତ କରିବାକୁ ଚେଷ୍ଟା କରୁଛେ । ଏହି ପରିପ୍ରେକ୍ଷୀରେ ଏକଥା ଟିକିଏ ବିଚାର କରନ୍ତୁ : ଯଦି ଫେରୁଥିବା ସେହି ସମସ୍ତ ପ୍ରବାସୀଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଆମର ଉଚ୍ଚ ବର୍ଗର ବାହକଙ୍କ ଦ୍ୱାରା ସଂକ୍ରମିତ ହୋଇଯାଆନ୍ତି- ତେବେ ସେମାନେ ଯେତେବେଳେ ସେମାନଙ୍କ ଗ୍ରାମରେ ପହଞ୍ଚିବେ ସେତେବେଳେ ପରିଣତି କ’ଣ ହେବ?

ସବୁବେଳେ କିଛି ପ୍ରବାସୀ ଶ୍ରମିକ ସେମାନଙ୍କ ଗ୍ରାମକୁ ଚାଲି ଚାଲି ଫେରୁଥିବା ଦେଖାଯାଏ, ଯଦିଓ ସେହି ରାଜ୍ୟ ମଧ୍ୟରେ ବା ପଡୋଶୀ ରାଜ୍ୟକୁ ଯାଇଥାନ୍ତି । ପାରମ୍ପରିକ ଭାବେ ସେମାନେ ରାସ୍ତାରେ ଥିବା କୌଣସି ଚାହା ଦୋକାନ ଓ ଢାବାରେ କିଛି ସମୟ କାମ କରି ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି ଓ ସେଠାରେ ରାତିରେ ଶୋଇ ପଡ଼ନ୍ତି । ବର୍ତ୍ତମାନ, ସେଗୁଡିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇଯାଇଛି – ଏ ପରିସ୍ଥିତିରେ ତାହାହେଲେ କ’ଣ ହେବ?

ସେ ଯାହାହେଉନା କାହିଁକି ଉଚ୍ଚ ବର୍ଗ ଓ ମଧ୍ୟମ ବର୍ଗର ଲୋକମାଙ୍କ ବିଶ୍ୱାସ ଯେ ଯଦି ସେମାନେ ନିଜ ଘର ଭିତରେ ରହିବେ ଓ ସାମାଜିକ ଦୂରତା ପାଳନ କରିବେ, ତେହାହେଲେ ସବୁ ଠିକ୍‌ ହୋଇଯିବ । ଅର୍ଥାତ୍‌ କିଛି ନହେଲେ ମଧ୍ୟ ଆମେମାନେ ଭୂତାଣୁଠାରୁ ସୁରକ୍ଷିତ ରହିପରିବା । ହେଲେ ଏହି ଆର୍ଥିକ ଦୁଃସ୍ଥିତି ଦ୍ୱାରା ଆମେ କିଭଳି ପ୍ରଭାବିତ ହେବା ତାହା କେହି ଜାଣିବାକୁ ଚାହୁଁନାହାନ୍ତି । ଅନେକଙ୍କ ପାଇଁ ‘ସାମାଜିକ ଦୂରତା’ର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଆମେମାନେ ଏହାର ଏକ ଶକ୍ତିଶାଳୀ ରୂପ ଆବିଷ୍କାର କରିଥିଲେ – ଯାହାକୁ ଜାତି କୁହାଯାଏ । ଶ୍ରେଣୀ ଓ ଜାତି କାରକ ଆଜିର ଏହି ତାଲାବନ୍ଦ ପ୍ରତିକ୍ରିୟାରେ ସ୍ଥାପିତ ହୋଇଥିବା ଭଳି ମନେହେଉଛି ।

ପ୍ରତିବର୍ଷ ଟ୍ୟୁବରୋକୋଲୋସିସ୍‌ ରୋଗରେ ପାଖାପାଖି ଏକ ମିଲିୟନ୍‌ ଭାରତୀୟଙ୍କ ମଧ୍ୟରୁ ଏକ ଚତୁର୍ଥାଂଶଙ୍କ ମୃତ୍ୟୁ ହେଉଛି, ଡାଇରିଆ ଯୋଗୁଁ ପ୍ରତି ବର୍ଷ ପ୍ରାୟ ୧୦୦,୦୦୦ ପିଲାଙ୍କ ଜୀବନ ଯାଉଛି- ହେଲେ ସେତେବେଳେ ଭାରତୀୟ ଭାବେ ଆମକୁ ଏହା ପ୍ରଭାବିତ କରିପାରୁନି । କାରଣ ହେଉଛି ସେମାନେ ଆମେ  ନୁହଁ । ଯେତେବେଳେ ସୁନ୍ଦର ଲୋକମାନେ କେତେକ ମାରାତ୍ମକ ରୋଗର ପ୍ରତିରୋଧ କରିବାକୁ ଅସମର୍ଥ ଥିବା ଜଣାପଡେ ସେତେବେଳେ ଚାରିଆଡେ ଆତଙ୍କ ଖେଳିଯାଏ । ଏହିପରି ସାର୍ସ (ଏସ୍‌ଏଆର୍‌ଏସ୍‌) ବେଳେ ଦେଖାଯାଇଥିଲା । ଏହିପରି ୧୯୯୪ରେ ସୁରତରେ ପ୍ଲେଗ୍‌ ବ୍ୟାପିବା ସମୟରେ ମଧ୍ୟ ଦେଖାଯାଇଥିଲା । ଉଭୟ ରୋଗ ଭୟଙ୍କର ଥିଲା କିନ୍ତୁ ଏହାର ପ୍ରଭାବରେ ଭାରତରେ ଅପେକ୍ଷାକୃତ କମ୍‌ ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାହା ବହୁ ଲୋକଙ୍କ ଧ୍ୟାନ ଆକାର୍ଷଣ କରିଥିଲା । ଯେପରି ମୁଁ ସେତେବେଳେ ସୁରତ ପରିପ୍ରେକ୍ଷୀରେ ଲେଖିଥିଲି; “ପ୍ଲେଗ୍‌ ଜୀବାଣୁ ଜାତି ପ୍ରଥା ନିର୍ବିଶେଷରେ ଲୋକଙ୍କୁ ପ୍ରଭାବିତ କରୁଥିବାର ଅପଖ୍ୟାତି ଅର୍ଜନ କରିଛି… ଏହାଠୁ ଆଉ ଅଧିକ ଖରାପ କଥା ଏହା ଯେ ସେମାନେ ବିମାନରେ ଯାତ୍ରା କରିପାରିବେ ଓ କ୍ଲବ୍‌ କ୍ଲାସ୍‌ରେ ବସି ନ୍ୟୁୟର୍କରେ ପହଞ୍ଚି ପାରିବେ’’ ।

PHOTO • Jyoti Shinoli

ମୁମ୍ବାଇର ଚେମ୍ବୁର ଅଞ୍ଚଳର ମାହୁଲ୍‌ ଗ୍ରାମରେ ସଫେଇ କର୍ମଚାରୀମାନେ ସମ୍ଭବତଃ ବିଷାକ୍ତ ଆବର୍ଜନା ମଧ୍ୟରେ ସର୍ବନିମ୍ନ ସୁରକ୍ଷା ମଧ୍ୟରେ କାମ କରୁଛନ୍ତି

ଆମକୁ ଏହି ସମୟରୁ ହିଁ ପଦକ୍ଷେପ ଗ୍ରହଣ କରିବାକୁ ହେବ । ଆମେ କେବଳ ଗୋଟିଏ ଭୂତାଣୁ ସହିତ ସଂଘର୍ଷ କରୁନାହୁଁ – ମହାମାରୀ ମଧ୍ୟ ଏକ ‘ପ୍ୟାକେଜ୍‌’ ଅଟେ ଯେଉଁଥିରେ ଆର୍ଥିକ ଅନଗ୍ରସରତା ନିଜ ପାଇଁ ନିଜେ ନିର୍ଦ୍ଧାରଣ କରିଥିବା ଦଣ୍ଡବିଧାନ ବା ନିଜ ପାଇଁ ଉତ୍କଟ ସମସ୍ୟା ସୃଷ୍ଟି କରୁଥିବା ଏକ ଅଂଶ ହୋଇପାରେ-  ଯାହା ଆମକୁ ବିପତ୍ତିରୁ ବିପର୍ଯ୍ୟୟ ଆଡକୁ ଟାଣି ନେଇଥାଏ

ଆମେ କେବଳ ଗୋଟିଏ ଭୂତାଣୁ ସହିତ ସଂଘର୍ଷ କରୁଛେ ଓ ଏହା ଉପରେ ବିଜୟ ଲାଭ କରିବା ପରେ ସବୁକିଛି ଠିକ୍‌ ହୋଇଯିବ- ଏହି ଧାରଣା ବିପଦପୂର୍ଣ୍ଣ ଅଟେ । ନିଶ୍ଚିତ ଭାବେ ଆମକୁ ଦୃଢ ସାହାସ ସହିତ କୋଭିଡ୍‌- ୧୯ର ମୁକାବିଲା କରିବାକୁ ହେବ – ଏହା ୧୯୧୮ରେ ଦେଖାଦେଇଥିବା ମହାମାରୀ, ଯାହାକୁ ଭୂଲ୍‌ରେ ‘ସ୍ପାନିସ୍‌ ଫ୍ଲୁ’ ଭାବେ ନାମକରଣ କରାଯାଇଛି, ତା’ ଠାରୁ ମଧ୍ୟ ଅଧିକ ଉତ୍କଟ ହୋଇପାରେ । ( ଏହା ଯୋଗୁଁ ୧୯୧୮- ୧୯୨୧ ମଧ୍ୟରେ ୧ ୬ -୨୧ମିଲିୟନ୍‌ ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରକୃତରେ କହିବାକୁ ଗଲେ, ୧୯୨୧ ସେନ୍‌ସସ୍‌ ହେଉଛି ଏକମାତ୍ର ସେନ୍‌ସସ୍‌ ଯେଉଁଥିରେ ବୋଧହୁଏ ସର୍ବପ୍ରଥମେ ଗ୍ରାମାଞ୍ଚଳ ଜନସଂଖ୍ୟାରେ ହୋଇଥିବା ହ୍ରାସ ବିଷୟରେ ଉଲ୍ଲେଖ କରାଯାଇଛି ।)

କିନ୍ତୁ କାନ୍‌ଭାସ୍‌ର ଏକ ବିରାଟ ଅଂଶକୁ ବାଦ୍‌ ଦେଇ କୋଭିଡ୍‌- ୧୯ ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଅର୍ଥ ହେଉଛି ସମସ୍ତ ପାଣି ପାଇପ୍‌କୁ ଖୋଲିଦେଇ ଓ ସେଥିରୁ ପାଣି ବାହାରିବାକୁ ଦେଇ ଚଟାଣକୁ ପୋଛି ଶୁଖିଲା କରିବାକୁ ପ୍ରୟାସ କରିବା । ଆମକୁ ଏହିପରି ଉପାୟ ବାହାର କରିବାକୁ ହେବ ଯାହା ଆମର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଅଧିକାର ଓ ପାଇବାର ଅଧିକାରକୁ ସୁଦୃଢ କରୁଥିବ ।

୧୯୭୮ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେତେଜଣ ବୁଦ୍ଧିଜୀବୀ ଡିକ୍ଲାରେସନ୍‌ ଅଫ୍‌ ଆଲ୍ମା ଆତା ପ୍ରସ୍ତୁତ କରିଥିଲେ – ସେହି ସମୟରେ ଯେତେବେଳେ ଡବ୍ଲୁଏଚ୍‌ଓ କର୍ପୋରେଟ୍‌ ସ୍ୱାର୍ଥ ରକ୍ଷା ପାଇଁ ପାଶ୍ଚାତ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ନଥିଲା । ଏହା ହେଉଛି ସେହି ଘୋଷଣାନାମା ଯାହାଦ୍ୱାରା ‘୨୦୦୦ ସୁଦ୍ଧା ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବ’ ଉକ୍ତିଟି ଚାରିଆଡେ ବିଖ୍ୟାତ ହୋଇଯାଇଥିଲା । ବିଶ୍ୱର ସମସ୍ତ ସମ୍ବଳକୁ ସମ୍ପୂର୍ଣ୍ଣ ଓ ଉନ୍ନତ ଭାବେ ବ୍ୟବହାର କରାଯାଇ ସମସ୍ତଙ୍କ ପାଇଁ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ ବୋଲି ସମସ୍ତଙ୍କ ବିଶ୍ୱାସ ଜାଗ୍ରତ ହୋଇଥିଲା ।

୮୦ଦଶକ ପରେ କିନ୍ତୁ ସ୍ୱାସ୍ଥ୍ୟର ସାମାଜିକ ଓ ଅର୍ଥନୈତିକ ନିର୍ଣ୍ଣାୟକ ଉପାଦାନଗୁଡିକୁ ବୁଝିବା ଧାରଣା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା । କିନ୍ତୁ ଅନ୍ୟ ଏକ ଧାରଣା ମଧ୍ୟ ଏହା ସହିତ ବୃଦ୍ଧି ପାଉଥିଲା । ଅଧିକ ଦ୍ରୁତ ଗତିରେ : ନୂତନ-ଉଦାରବାଦ ।

୮୦ଦଶକର ଶେଷ ଭାଗରେ ଓ ୯୦ଦଶକରେ, ସ୍ୱାସ୍ଥ୍ୟ, ଶିକ୍ଷା, କର୍ମ ନିୟୋଜନ ସମ୍ବନ୍ଧିତ ଧାରଣାଗୁଡିକୁ - ମାନବିକ ଅଧିକାର ଭାବେ ସମଗ୍ର ବିଶ୍ୱରେ ମୂଲ୍ୟହୀନ ମନେକରା ଯାଉଥିଲା ।

୧୯୯୦ର ମଧ୍ୟ ଭାଗରେ, ସଂକ୍ରାମକ ରୋଗଗୁଡିକ ସମଗ୍ର ବିଶ୍ୱରେ ବ୍ୟାପିବା ଆରମ୍ଭ ହେଲା । ହେଲେ, ଏହି ମାରାତ୍ମକ ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଗଠନ କରାଯିବା ପରିବର୍ତ୍ତେ, ଅଧିକାଂଶ ଦେଶ ସେମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରର ଅଧିକ ଘରୋଇକରଣ କରିବାକୁ ଆରମ୍ଭ କଲେ । ଭାରତରେ ,ଏହି କ୍ଷେତ୍ର ସର୍ବଦା ଘରୋଇ ଅନୁଷ୍ଠାନଗୁଡିକର ନିୟନ୍ତ୍ରଣରେ ରହିଆସିଛି । ପୃଥିବୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୋଧହୁଏ ସବୁଠାରୁ କମ୍‌ ପରିମାଣର ଅର୍ଥ ଖର୍ଚ୍ଚ କରାଯାଏ- ଅତି ସ୍ୱଳ୍ପ ପରିମାଣ ଯାହା ୧.୨ ପ୍ରତିଶତ ଅଟେ ( ଜିଡିପିର ଅଂଶ ଭାବେ) । ୧୯୯୦ ପରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଯାହା କେବେ ମଧ୍ୟ ଅତ୍ୟନ୍ତ ସୁଦୃଢ ନଥିଲା, ତାହା ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ପଲିସି ଅନ୍ତର୍ଗତ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ଆହୁରି ଦୁର୍ବଳ ହୋଇଗଲା । ବର୍ତ୍ତମାନର ସରକାର ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡିକର ଦାୟିତ୍ୱ ବହନ କରିବାକୁ ଘରୋଇ ମ୍ୟାନେଜ୍‌ମେଣ୍ଟକୁ ଆମନ୍ତ୍ରଣ କରୁଛନ୍ତି ।

ବର୍ତ୍ତମାନ ଭାରତର ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡିକ ଉପରେ ଋଣ ବୋଝ ଦ୍ରୁତ ଗତିରେ ବଢିବାର ସମ୍ଭବତଃ ଏକ ପ୍ରମୂଖ କାରଣ ହେଉଛି ସ୍ୱାସ୍ଥ୍ୟଗତ ବ୍ୟୟ । ଜୁନ୍‌ ୨୦୧୮ରେ ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ବନ୍ଧିତ ବିଭିନ୍ନ ତଥ୍ୟାବଳୀ ବିଶ୍ଳେଷଣ କରି ଏହି ସିନ୍ଧାନ୍ତରେ ଉପନୀତ  ପହଞ୍ଚିଛନ୍ତି ଯେ ୨୦୧୧-୧୨ ରେ ୫୫ ମିଲିୟନ୍‌ ଲୋକ ସେମାନଙ୍କ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାକୁ ଯାଇ ଖର୍ଚ୍ଚାନ୍ତ ହେବା ଫଳରେ ମାତ୍ର ଏକ ବର୍ଷରେ ଦରିଦ୍ର ହୋଇଯାଇଛନ୍ତି – ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏମାନଙ୍କ ମଧ୍ୟରୁ ପ୍ରାୟ ୩୮ ମିଲିୟନ୍‌ ଲୋକ କେବଳ ବିଭିନ୍ନ ଔଷଧ ବାବଦକୁ ଖର୍ଚ୍ଚ କରି ଦାରିଦ୍ର ସୀମା ରେଖା ତଳକୁ ଆସିଯାଇଛନ୍ତି ।

ସମଗ୍ର ଭାରତରେ କୃଷକ ଆତ୍ମହତ୍ୟା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିବା ହଜାର ହଜାର ପରିବାରଗୁଡିକରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଥିବା ଏକ ସାଧାରଣ ବିଷୟ ହେଉଛି: ଅତ୍ୟଧିକ ମାତ୍ରାରେ ସ୍ୱାସ୍ଥ୍ୟଗତ ବ୍ୟୟ, ଯେଉଁଥିପାଇଁ ସେମାନେ ସାଧାରଣତଃ ସାହୁକାରଙ୍କ ଠାରୁ ଋଣ କରିଥାନ୍ତି ।

PHOTO • M. Palani Kumar

ଅନ୍ୟ ସ୍ଥାନରେ ଥିବା ସେମାନଙ୍କ ଅନୁରୂପ ବ୍ୟକ୍ତିଙ୍କ ଭଳି ଚେନ୍ନାଇରେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ସହିତ କିମ୍ବା କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ନକରି ଠିକା ସଫେଇ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି

ଆମର ଜନସଂଖ୍ୟା ବହୁତ ଅଧିକ ହୋଇଥିବା ବେଳେ କୋଭିଡ୍‌- ୧୯ ଭଳି ସଂକଟର ମୁକାବିଲା କରିବା ପାଇଁ ଆମ ପାଖରେ ଆବଶ୍ୟକତା ଠାରୁ ଢେର୍‌ କମ୍‌ ପରିମାଣର ଜିନିଷ ଅଛି । ହେଲେ, ସବୁଠାରୁ ଦୁଖଃଦ ଘଟଣା ହେଉଛି : ଆଗାମୀ ବର୍ଷଗୁଡିକରେ ମଧ୍ୟ ଅନ୍ୟ ନାମରେ କୋଭିଡ୍‌ ଦେଖାଦେବ । ୯୦ଦଶକର ଶେଷ ଭାଗରୁ ଆମେ ସାର୍ସ (ଏସ୍‌ଏଆର୍‌ଏସ୍‌), ମେର୍ସ (ଏମ୍‌ଇଆର୍‌ଏସ୍‌) -ଉଭୟ କରୋନା ଭୂତାଣୁର ରୂପ- ଓ ଅନ୍ୟାନ୍ୟ ସମଗ୍ର ବିଶ୍ୱରେ ବ୍ୟାପିଥିବା ରୋଗଗୁଡିକ ଆଦି ଦେଖି ଆସୁଛେ । ଭାରତରେ ୧୯୯୪ରେ ସୁରତରେ ପ୍ଲେଗ୍‌ ବ୍ୟାପିଥିଲା । ଏ ସବୁଥିରୁ ଯାହା ସବୁ ସଙ୍କେତ ମିଳୁଛି ତାହା ହେଉଛି ଏପରି ଏକ ବିଶ୍ୱ ଆମେ ନିଜେ ନିର୍ମାଣ କରିଛେ ଓ ଏହା ଭିତରକୁ ଆମେ ପ୍ରବେଶ କରିଛେ ।

ଗ୍ଲୋବାଲ୍‌ ଭିରୋମ୍‌ ପ୍ରୋଜେକ୍ଟର ପ୍ରଫେସର୍‌ ଡେନିସ୍‌ କାରୋଲ୍‌ଙ୍କ କହିବା ମୁତାବକ: “ଆମେ ବିଭିନ୍ନ ଇକୋଜୋନ ଭିତରକୁ ଏତେ ମାତ୍ରାରେ ପ୍ରବେଶ କରିସାରିଛେ ଯାହା ଆମେ ପୂର୍ବରୁ କେବେ ମଧ୍ୟ ଦଖଲ କରିନଥିଲେ…” । ପୂର୍ବରୁ ଯେଉଁ ସ୍ଥାନରେ ଅତି ଅଳ୍ପ ସଂଖ୍ୟକ ଲୋକ ବସବାସ କରୁଥିଲେ, ସେଠାରେ ତେଲ ଓ ଖଣିଜ ପଦାର୍ଥ ଉତ୍ତୋଳନ ପରି ଗତିବିଧି ଯୋଗୁଁ  ଆମକୁ ବହୁ ମୂଲ୍ୟ ଦେବାକୁ ପଡୁଛି ବୋଲି ସେ କହିଛନ୍ତି । ଭଙ୍ଗୁର ପରିସଂସ୍ଥା ମଧ୍ୟକୁ ଆମର ଅନୁପ୍ରବେଶ ଯୋଗୁଁ କେବଳ ଜଳବାୟୁ ପରିବର୍ତ୍ତନ ହୋଇଛି ତାହା ନୁହେଁ ବରଂ ବନ୍ୟଜନ୍ତୁ ଓ ମନୁଷ୍ୟମାନଙ୍କ ମଧ୍ୟରେ ସାନ୍ନିଧ୍ୟ ବଢିବା ସହିତ ଯେଉଁ ଭୂତାଣୁଗୁଡିକ ବିଷୟରେ ଆମର ଅଳ୍ପ ଧାରଣା ରହିଛି ବା କିଛି ମଧ୍ୟ ଜଣାନାହିଁ ସେମାନଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ସେହିସବୁ ଭୂତାଣୁଜନିତ ସଂକ୍ରମଣ ବ୍ୟାପିବା ସମ୍ଭାବନା ବୃଦ୍ଧି ହେବା ସହିତ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ବିପତ୍ତି ଦେଖାଦେଇଛି ।

ହଁ, ଏଥିପାଇଁ ବୋଧହୁଏ ଆମେ ଏହିପରି ଆହୁରି ଅନେକ ଘଟଣା ଦେଖିବାକୁ ପାଇବା ।

କୋଭିଡ୍‌- ୧୯ କ୍ଷେତ୍ରରେ ଦୁଇଟି ଘଟଣା ଘଟିପାରେ ।

ଏହି ଭୂତାଣୁର ନବୋଦ୍ଭବନ ହୋଇପାରିବ (ଆମ ସୁବିଧା ମୁତାବକ) ଓ ଏହା ଦୁଇ ସପ୍ତାହରେ ନଷ୍ଟ ହୋଇଯିବ ।

କିମ୍ବା: ନିଜକୁ ସୁହାଇବା ଭଳି ଏହାର ନବୋଦ୍ଭବନ ହେବ, ଯାହା ଫଳରେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ । ଯଦି ଏପରି ହୁଏ ତାହାହେଲେ ଘୋର ବିପତ୍ତି ମାଡି ଆସିବ ।

ତାହାହେଲେ ଆମେ କ’ଣ କରିପାରିବା? ମୁଁ ନିମ୍ନିଲିଖିତ ପରାମର୍ଶ ଦେବାକୁ ଚାହିଁବି - ଅଧିକନ୍ତୁ ସେହି ସବୁ ମତ ଯାହା ଭାରତର ସମସ୍ତ ସମାଜିକ କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜୀବୀଙ୍କ ମଧ୍ୟରୁ କେତେଜଣ ଉନ୍ନତ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତିଙ୍କ ଦ୍ୱାରା ପୂର୍ବରୁ ଦର୍ଶାଯାଇଛି, ସେମାନଙ୍କ ସହିତ ମିଳିତ ଭାବେ ଦେବାକୁ ଚାହିଁବି । (ଏପରି ଧାରଣା ମଧ୍ୟ ରହିଛି ଯାହା ସମଗ୍ର ବିଶ୍ୱ ସ୍ତରରେ ଋଣବୋଝ, ଘରୋଇକରଣ ଓ ଆର୍ଥିକ ବଜାର ଅଚଳ ହେବା ପରିପ୍ରେକ୍ଷୀରେ ଗ୍ରହଣ କରାଯିବା ଯୋଗ୍ୟ ପଦକ୍ଷେପଗୁଡିକ ବିଚାର କରିଥାଏ) । କେରଳ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା କେତେକ ପଦକ୍ଷେପ ପ୍ରେରଣାଦାୟୀ ଭାବେ ଗ୍ରହଣ କରାଯାଇପାରିବ ।

Ø ସର୍ବପ୍ରଥମେ କ’ଣ କରାଯିବା ଉଚିତ: ଆମ ପାଖରେ ମହଜୁଦ୍‌ ଥିବା ‘ଅତିରିକ୍ତ’ ୬୦ ମିଲିୟନ୍‌ ଟନ୍‌ ଖାଦ୍ୟଶସ୍ୟ ଭଣ୍ଡାରକୁ ଜରୁରୀକାଳୀନ ବିତରଣ ବ୍ୟବସ୍ଥା ପାଇଁ ପ୍ରସ୍ତୁତ କରିବାକୁ ହେବ ଓ ଏକାଥରକେ ଏହି ଦୁଃସ୍ଥିତିରେ ଛାରଖାର ହୋଇଯାଇଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଓ ଅନ୍ୟ ଗରିବମାନଙ୍କ ପାଖରେ ପହଞ୍ଚିବାକୁ ହେବ । ବର୍ତ୍ତମାନ ବନ୍ଦ ରହିଥିବା ସମସ୍ତ ଗୋଷ୍ଠୀ ସ୍ଥଳ ( ବିଦ୍ୟାଳୟ, ମହାବିଦ୍ୟାଳୟ, ଗୋଷ୍ଠି କେନ୍ଦ୍ର ଓ କୋଠା)କୁ ଫସି ରହିଥିବା ପ୍ରବାସୀ ଓ ବାସଗୃହ ନଥିବା ଲୋକଙ୍କ ପାଇଁ ଆଶ୍ରୟସ୍ଥଳି ଭାବେ ଘୋଷଣା କରାଯାଉ ।

Ø ଦ୍ୱିତୀୟଟି - ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ – ସମସ୍ତ କୃଷକ ଯେପରି ଖରିଫ୍‌ ଚାଷ କରିବାକୁ ସମର୍ଥ ହେବେ  ସେଥିପ୍ରତି ଦୃଷ୍ଟି ଦିଆଯାଉ । ଯଦି ପ୍ରଚଳିତ ଧାରା ଜାରି ରହେ, ତେବେ ଭବିଷ୍ୟତରେ ଉତ୍କଟ ଖାଦ୍ୟ ସମସ୍ୟା ଉପୁଜିପାରେ । ସେମାନେ ଚଳିତ ଋତୁରେ ଅମଳ କରିଥିବା ସେମାନଙ୍କ ଅର୍ଥକାରୀ ଫସଲ ବିକ୍ରି କରିପାରିବେ ନାହିଁ । ଅଧିକ ଅର୍ଥକାରୀ ଫସଲ ପାଇଁ ଚିନ୍ତାକରିବା ମରଣାନ୍ତକ ପ୍ରମାଣିତ ହୋଇପାରେ । କରୋନା ଭୂତାଣୁ ପାଇଁ ଟିକା/ ପ୍ରତିଷେଧକ ଆବିଷ୍କାର ହେବାକୁ ଆହୁରି ସମୟ ଲାଗିବ । ଇତିମଧ୍ୟରେ କିନ୍ତୁ ଖାଦ୍ୟ ଭଣ୍ଡାର ହ୍ରାସ ପାଇବାକୁ ଲାଗିବ ।

Ø ସରକାର ନିଶ୍ଚିତ ଭାବେ କୃଷକଙ୍କ ସହାୟତା କରିବା ଉଚିତ, ସେମାନଙ୍କ ଉତ୍ପାଦ କ୍ରୟ କରିବା ଉଚିତ । ସାମାଜିକ ଦୂରତା ଓ ତାଲାବନ୍ଦ ଘୋଷଣା ହେବା ଯୋଗୁଁ ଅନେକ ସେମାନଙ୍କ ରବି ଫସଲ ଅମଳ କରିପାରି ନାହାନ୍ତି । ଯେଉଁମାନେ କରିଛନ୍ତି, ସେମାନେ ଏହାକୁ ଅନ୍ୟ ସ୍ଥାନକୁ ନେଇ ପାରୁନାହାନ୍ତି କିମ୍ବା ଅନ୍ୟ ସ୍ଥାନରେ ବିକ୍ରି କରିପାରୁନାହାନ୍ତି । ଏପରିକି ଖରିଫ୍‌ ସମୟରେ ମଧ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହିତ ସହାୟକ ସେବା ଓ ବିପଣନ ସହାୟତା ଯୋଗାଇବାକୁ ହେବ ।

Ø ସମଗ୍ର ଦେଶରେ ଘରୋଇ ମେଡିକାଲ୍‌ ବ୍ୟବସ୍ଥାର ଜାତୀୟକରଣ ପାଇଁ ସରକାର ପ୍ରସ୍ତୁତ ହେବା ଉଚିତ । କେବଳ ‘କରୋନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା’ ରହିବା ଆବଶ୍ୟକତା ବିଷୟରେ ଡାକ୍ତରଖାନାଗୁଡିକୁ ପରାମର୍ଶ ଦେଇଦେଲେ କୌଣସି ଲାଭ ହେବନି । ସବୁବେଳେ ଲାଭ ପାଇଁ ଲାଳାୟିତ ଏକ ବ୍ୟବସ୍ଥା ଜରିଆରେ ଏହିପରି ଏକ ସଂକଟର ମୁକାବିଲା କରିହେବନି ବୋଲି ହୃଦ୍‌ବୋଧ ହେବାପରେ ଗତ ସପ୍ତାହରେ ସ୍ପେନ୍‌ ଏହାର ସମସ୍ତ ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା ଯୋଗାଉଥିବା କେନ୍ଦ୍ରଗୁଡିକର ଜାତୀୟକରଣ କରିଛି ।

Ø ସଫେଇ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିବା ସରକାର/ ପୌରପାଳିକା ସେମାନଙ୍କୁ ସଙ୍ଗେସଙ୍ଗେ ନିୟମିତ କରିବା ସହିତ ଫୁଲ୍‌ଟାଇମ୍‌ କର୍ମଚାରୀ ଭାବେ ନିଯୁକ୍ତ କରିବା ଉଚିତ, ଏହାସହିତ ସେମାନଙ୍କ ବର୍ତ୍ତମାନର ବେତନରେ ଅଧିକ ୫୦୦୦ଟଙ୍କା ମିଶାଇ ଦିଆଯିବା ସହିତ ସେମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଲାଭ ଯୋଗାଯିବା ଉଚିତ ଯେଉଁଥିରୁ ସେମାନଙ୍କୁ ସବୁବେଳେ ବଞ୍ଚିତ କରାଯାଇଛି । ଆମେ ତିନି ଦଶନ୍ଧି ଭିତରେ ସେଇ ଲକ୍ଷ ଲକ୍ଷ ନିରାଶ୍ରୟ ସଫେଇ କର୍ମଚାରୀଙ୍କ ଜୀବନ ଆହୁରି ଦୁଃଖପୂର୍ଣ୍ଣ କରିଦେଇଛେ, ସେମାନଙ୍କୁ ସରକାରୀ ସେବାଠାରୁ ଦୂରେଇ ରଖିଛେ। ସେମାନଙ୍କ ବୃତ୍ତିକୁ ଘରୋଇ ଅନୁଷ୍ଠାନକୁ ଆଉଟ୍‌ସୋର୍ସ କରାଯାଇଛି – ଯେଉଁମାନେ ଚୁକ୍ତି ଆଧାରରେ କମ୍‌ ମଜୁରୀରେ ନିଯୁକ୍ତ କରୁଛନ୍ତି ଓ ସେମାନଙ୍କୁ ସମସ୍ତ ଲାଭ ପାଇବାଠାରୁ ବଞ୍ଚିତ ରଖୁଛନ୍ତି ।

Ø ତିନ ମାସ ପର୍ଯ୍ୟନ୍ତ ଗରିବମାନଙ୍କ ପାଇଁ ମାଗଣା ରାସନ୍‌ ଘୋଷଣା କରନ୍ତୁ ଓ ସେମାନଙ୍କ ପାଖକୁ ଏହା ପହଞ୍ଚାନ୍ତୁ ।

Ø ଆଶା, ଅଙ୍ଗନୱାଡି  ଓ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କ ଚାକିରି ତୁରନ୍ତ ନିୟମିତ କରାଯାଉ – ସେମାନେ ପୂର୍ବରୁ ଏହି ଯୁଦ୍ଧରେ ଆଗଧାଡିରେ ଅଛନ୍ତି – ସରକାରୀ କର୍ମଚାରୀ ଭାବେ । ଭାରତର ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସେମାନଙ୍କ ହାତରେ । ସେମାନଙ୍କୁ ମଧ୍ୟ ଫୁଲ୍‌ଟାଇମ୍‌ କର୍ମଚାରୀ କରାଯାଉ, ଉପଯୁକ୍ତ ମଜୁରି ପ୍ରଦାନ କରାଯାଉ ଓ ସୁରକ୍ଷା ପ୍ରଦାନକାରୀ ପୋଷାକ ଦିଆଯାଉ ।

Ø ସଂକଟରୁ ସମ୍ପୂର୍ଣ୍ଣ ଭାବେ ନବାହାରିବା ପର୍ଯ୍ୟନ୍ତ କୃଷକମାନଙ୍କୁ ପ୍ରତିଦିନ ଏମ୍‌ଜିଏନ୍‌ଆର୍‌ଇଜିଏ ମଜୁରି ପ୍ରଦାନ କରାଯାଉ । ସହରି ଦିନ ମଜୁରିଆମାନେ ଏହି ସମୟ ଅବଧି ପାଇଁ ମାସକୁ ୬୦୦୦ଟଙ୍କା ପାଇବେ ।

ଆମେ ବର୍ତ୍ତମାନ ସଙ୍ଗେ ସଙ୍ଗେ ଏହି ସବୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସରକାରଙ୍କ ‘ପ୍ୟାକେଜ୍‌’ ହେଉଛି ହୃଦୟହୀନତା ଓ ନିର୍ବୋଧତାର ଏକ ଅଦ୍ଭୁତ ସମଷ୍ଟି । ଏହା କେବଳ ଗୋଟିଏ ମାତ୍ର ଭୂତାଣୁ ନୁହେଁ ଯାହା ସହିତ ଆମେ ସଂଘର୍ଷ କରୁଛେ – ମହାମାରୀଗୁଡିକ ମଧ୍ୟ ଏକ ‘ପ୍ୟାକେଜ୍‌’ ଅଟେ । ଯାହା ଅନ୍ତର୍ଗତ ଆର୍ଥିକ ଦୁଃସ୍ଥିତି ନିଜ ପାଇଁ ନିଜେ ନିର୍ଦ୍ଧାରଣ କରିଥିବା ଦଣ୍ଡବିଧାନ ବା ନିଜ ପାଇଁ ଉତ୍କଟ ସମସ୍ୟା ସୃଷ୍ଟି କରୁଥିବା ଅଂଶ ହୋଇପାରେ – ଯାହା ଆମକୁ ବିପତ୍ତିରୁ ବିପର୍ଯ୍ୟୟ ଆଡକୁ ଟାଣିନେବ ।

ଯଦି ଭୂତାଣୁର ଏହି ଧାରା ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଜାୟ ରହୁଛି, ତେବେ ଖରିଫ୍‌ ଚାଷ ପାଇଁ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ କୃଷକଙ୍କୁ ଉତ୍ସାହିତ କରିବା ହେଉଛି ଏକମାତ୍ର ଗୁରୁତ୍ୱପୂର୍ଣ୍ଣ କାମ ।

ଏହାସହିତ ଆମେ କଣ ନିରପେକ୍ଷ ଭାବେ କୋଭିଡ୍‌- ୧୯କୁ ଦୃଷ୍ଟି ଆକର୍ଷଣ କରିବା ଭଳି ସତ୍ୟତା ପ୍ରକାଶ କରୁଥିବା ଇତିହାସର ଏକ ମୁହୂର୍ତ୍ତ ଭାବେ ଦେଖି ପାରିବା ? ଏକ ଛକ ଯେଉଁଠାରୁ ଆମର ଗତି କେଉଁଆଡେ ହେବ ତାହା ଆମେ ନିଷ୍ପତି ନେବା । ଏହା ହେଉଛି ନବୀକରଣର ସମୟ, ଅସମାନତା ଓ ସ୍ୱାସ୍ଥ୍ୟଗତ ନ୍ୟାୟ ଉପରେ ତର୍କ କରିବା ସମୟ ।

ଏହି ଆଲେଖ୍ୟର ଏକ ଭର୍ସନ୍‌ ମାର୍ଚ୍ଚ ୨୬, ୨୦୨୦ରେ ଦ ୱାଇର୍‌ରେ ପ୍ରକାଶିତ ହୋଇସାରିଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath