କେ. ଭି ଜର୍ଜକୁଟ୍ଟି କହନ୍ତି, ‘ଲୋକମାନେ ଆମ ଉପରେ ହସିଲେ କାରଣ ସେମାନେ ଭାବିଲେ ଯେ ଏହାକୁ ହାସଲ କରିବା ଖୁବ୍ ଉଚ୍ଚାଭିଳାଷ।’

ସେତେବେଳେ ଫେବ୍ରୁଆରୀ ମାସ ହୋଇଥିଲା ଏବଂ କେରଳର ନିଦାଘ ଗ୍ରୀଷ୍ମ ସତ୍ତ୍ୱେ କେ.ଭି ଜର୍ଜକୁଟ୍ଟି ଏବଂ ବାବୁ ଉଲାହାନନ ସେମାନଙ୍କର ଅସ୍ଥାୟୀ କୁଡ଼ିଆ ନିକଟରେ ବିଶ୍ରାମ ନେଉଥିଲେ। ସେମାନଙ୍କ ପାଖ ଦେଇ ଦଲକାଏ ପବନ ବୋହିଗଲା, କିନ୍ତୁ ଆଖି ଆଗରେ ସେମାନଙ୍କର ୨୫୦ ଏକରର ସବୁଜ ରଙ୍ଗର ଧାନକ୍ଷେତ ଥିଲା। ସରୁ ନାଳ ସେଗୁଡ଼ିକୁ ଅଲଗା କରୁଥିଲା। ତାହା କୋଟ୍ଟୟାମ ଜିଲ୍ଲାର ପାଲୋମ ବ୍ଲକର ପାନାଚିକାଡୁ ତାଲୁକର  କୋଲାଡ ଅଞ୍ଚଳରେ ଅବସ୍ଥିତ ଥିଲା। ଧଳା ପକ୍ଷୀଗୁଡ଼ିକ ଧାନର ଅଗ୍ରଭାଗରେ ଝୁଲୁଥିଲେ, କଳା ପକ୍ଷୀଗୁଡ଼ିକ ଜମି ମଧ୍ୟଦେଇ ଯାଇଥିବା ତାରରେ ଆଡ୍ଡା ଜମାଇଥିଲେ।

କିଛିମାସ ପୂର୍ବରୁ ଏହି ସବୁଜିମା ଶୂନ୍ୟ ସ୍ଥାନ ଥିଲା-ଜମିଗୁଡ଼ିକ ତିନିଦଶନ୍ଧିରୁ ଅଧିକ ସମୟ ଧରି ଟାଙ୍ଗରା ହୋଇପଡ଼ିଥିଲା। ବାବୁ, ଜର୍ଜକୁଟ୍ଟି, ସୁରେଶ କୁମାର, ଶିବୁ କୁମାର ଏବଂ ଭର୍ଗିଜ ଯୋଶେଫ୍ ତାକୁ ପରିବର୍ତ୍ତନ କରିଦେଲେ। ବାବୁ କହନ୍ତି, ‘ଏହି ପ୍ରକ୍ରିୟାର ସବୁଠୁ କଷ୍ଟକର କାମ ଥିଲା ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିବା। ବାଳୁଙ୍ଗାଗୁଡ଼ିକୁ ବାଛିବା କଷ୍ଟଦାୟକ କାମ ଥିଲା, ଏଥିସହିତ ମାଟିକୁ ସଜାଡ଼ିବା, ଜମି ଚାରିପଟେ ଜଳସେଚନ ପାଇଁ ନାଳ ଖୋଳିବା ବି ଆବଶ୍ୟକ ହୋଇଥିଲା। ଅନ୍ୟ ସାଧାରଣ ଚାଷ ଜମି ଅପେକ୍ଷା ଏହି ଟାଙ୍ଗରା ଭୁଇଁକୁ ଚାଷପୋଯୋଗୀ କରିବା ଲାଗି ଦଶଗୁଣ ଅଧିକ କଷ୍ଟ ହୋଇଥିଲା (ଏଥିପାଇଁ ଟ୍ରାକ୍ଟର ଓ  ମୂଲିଆ ଆବଶ୍ୟକ ହୋଇଥିଲେ)’। ସେ ଏବଂ ତାଙ୍କ ସହ ଚାଷ କରୁଥିବା ଚାଙ୍ଗନାସେରୀର ଚାଷୀମାନେ ସମସ୍ତେ ହେଉଛନ୍ତି ଅଭିଜ୍ଞ ଧାନଚାଷୀ। ଚାଙ୍ଗନାସେରୀ ତାଙ୍କ ଜମିଠାରୁ ୨୦ କିମି ଦୂରରେ ଥିବା ଏକ ସହର।
Babu Ulahannan and  KV George, (orange and white shirt,respectively) are two of the five farmers who got together to cultivate paddy on 250 acres of fallow land.
PHOTO • Noel Benno
A part of the 250 acres of paddy fields in Kallara that were cultivated by Babu, George, Shibu, Varghese, and Suresh.
PHOTO • Vishaka George

ବିଶ୍ୱାସୀ ମୂଲିଆ କୁଟ୍ଟିଚାନ୍ ଯିଏକି କୋଲାଡ୍ ସ୍ଥିତ ଏହି ଜମି (ଡାହାଣ)କୁ ପୁଣି ଚାଷପୋଯୋଗୀ କରିବାକୁ ପରିଶ୍ରମ କରିଛନ୍ତି ତାଙ୍କ ସହ ବାବୁ ଉଲାହାନନ(ତଳେ) ଏବଂ କେ. ଭି ଜର୍ଜକୁଟ୍ଟି (ଷ୍ଟୁଲ ଉପରେ ବସିଛନ୍ତି)।

ଧାନ ଚାଷ କରି ସେମାନେ କେରଳରେ ସୃଷ୍ଟି ହୋଇଥିବା ଟ୍ରେଣ୍ଡର ବିରୋଧରେ ଯାଉଛନ୍ତି। ରାଜ୍ୟ ସରକାରଙ୍କ କୃଷି ପରିସଂଖ୍ୟାନ ରିପୋର୍ଟ ୨୦୧୬-୧୭ ଅନୁସାରେ ୧୯୮୦ ମସିହାରେ ରାଜ୍ୟର ସର୍ବାଧିକ ୩୨ ପ୍ରତିଶତ ଚାଷ ଜମିରେ ଧାନ ଚାଷ କରାଯାଇଥିବାବେଳେ ୨୦୧୬-୧୭ରେ ମାତ୍ର ୬.୬୩ ପ୍ରତିଶତ ଜମିରେ ଧାନଚାଷ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡର ଅର୍ଥନୈତିକ ସମୀକ୍ଷା ୨୦୧୬ ଅନୁସାରେ ୧୯୭୪-୭୫ରେ ୮.୮୨ଲକ୍ଷ  ହେକ୍ଟର ଚାଷ ଜମିରେ ଧାନଚାଷ ହେଉଥିବାବେଳେ ୨୦୧୫-୧୬ରେ ତାହା ୧.୯୬ ଲକ୍ଷ ହେକ୍ଟରକୁ ଖସି ଆସିଥିଲା।

ଅଧିକ ଲାଭ ପ୍ରଦାନକାରୀ ଅର୍ଥକାରୀ ଫସଲର ଅଭିବୃଦ୍ଧି ହେବାଯୋଗୁ ଧାନର ଅର୍ଥନୈତିକ ବ୍ୟାବହାରିକତା ନିରନ୍ତର ଭାବେ କମିଛି। ରାଜ୍ୟର ଅନେକ ଚାଷଜମି ରିଅଲ ଇଷ୍ଟେଟ୍ ପ୍ଲଟ ପାଲଟି ସାରିଛି, ତେଣୁ ଧାନ ଚାଷରେ ଦକ୍ଷ ଚାଷୀଙ୍କ ପାଇଁ ଚାଷର ଅବକାଶ ନାହିଁ। ୨୦୧୬ ଅର୍ଥନୈତିକ ସମୀକ୍ଷା ଅନୁସାରେ ଏବେ ଅର୍ଥକାରୀ ଫସଲ କୃଷି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି। ୨୦୧୫-୧୬ରେ ରାଜ୍ୟର ମୋଟ ଚାଷ କ୍ଷେତ୍ରର ୬୨ ପ୍ରତିଶତ ଜମିରେ ରବର, ଗୋଲମରିଚ, ନଡ଼ିଆ, ଅଳେଇଚ, ଚା’ ଏବଂ କଫି ଚାଷ ହୋଇଛି। ସେହି ସମୟ ମଧ୍ୟରେ ଧାନ, ସାଗୁଦାନା, ଡାଲିଜାତୀୟ ଶସ୍ୟ ମାତ୍ର ୧୦.୨୧ ପ୍ରତିଶତ ଜମିରେ ଚାଷ ହୋଇଛି।

ଥିରୁଅନନ୍ତପୁରମ୍ ସ୍ଥିତ ଲଉରି ବେକର ସେଣ୍ଟର ଫର ହାବିଟାଟ୍ ଷ୍ଟଡିଜ୍ର ଅଧ୍ୟକ୍ଷ ଏବଂ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍(ସିଡିଏସ୍)ର ପୂର୍ବତନ ନିର୍ଦ୍ଦେଶକ କେ. ପି. କାନନ୍ କହନ୍ତି ‘କେରଳରେ ଅର୍ଥକାରୀ ଫସଲ ଚାଷ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି କ୍ଷେତ୍ରରେ ଧାନ ସେଗୁଡ଼ିକ ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରୁନାହିଁ। ତେଣୁ ଚାଷୀଙ୍କ ପାଇଁ ଅଣଧାନ ଚାଷକୁ ବିକଳ୍ପ ଭାବେ ବାଛିବା ଶ୍ରେୟସ୍କର ହେଉଛି। ’

‘ଏହି ପ୍ରକ୍ରିୟାର ସବୁଠୁ କଷ୍ଟକର କାମ ଥିଲା ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିବା। ବାଳୁଙ୍ଗାଗୁଡ଼ିକୁ ବାଛିବା କଷ୍ଟଦାୟକ କାମ ଥିଲା, ଏଥିସହିତ ମାଟିକୁ ସଜାଡ଼ିବା, ଜମି ଚାରିପଟେ ଜଳସେଚନ ପାଇଁ ନାଳ ଖୋଳିବା ବି ଆବଶ୍ୟକ ହୋଇଥିଲା।’

ଭିଡିଓ ଦେଖନ୍ତୁ: ‘ଧାନକୁ ବଢୁଥିବାର ଦେଖି ମୋତେ ଖୁବ୍ ଖୁସି ଲାଗୁଛି’

ସିଡିଏସରେ ଗବେଷଣା ସହଯୋଗୀ ଥିବା କେ.କେ. ଈଶ୍ୱରନ୍ କହନ୍ତି, ‘ସେଥିଯୋଗୁ ରାଜ୍ୟରେ ବର୍ତ୍ତମାନ ଧାନଚାଷର ପରିମାଣ ଏତେ କମିଯାଇଛି ଯେ ତାହା ରାଜ୍ୟର ଆବଶ୍ୟକତାର ଏକ ପଞ୍ଚମାଂଶ ବି ପୂରଣ କରିପାରୁନାହିଁ।’ଅର୍ଥନୈତିକ ସମୀକ୍ଷା ଅନୁସାରେ ୧୯୭୨-୭୩ରେ ରାଜ୍ୟରେ ୧୩.୭୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ୨୦୧୬-୧୬ରେ ମାତ୍ର ୫.୪୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅମଳ ହୋଇଛି।

ଜଳଜମି ଏବଂ ଜଳସମ୍ପଦର ସୁରକ୍ଷା ପାଇଁ ସାରା ରାଜ୍ୟରେ ଅନେକଗୁଡ଼ିଏ ଜନ ଆନ୍ଦୋଳନ ହେବା ପରେ ସରକାର ଦଶବର୍ଷ ତଳେ କେରଳ ଧାନ ଓ ଜଳଜମି ସଂରକ୍ଷଣ ଆଇନ, ୨୦୦୮ ଆଣିଥିଲେ। ସେହି ଆଇନ ଅନୁସାରେ ଧାନଜମି ଓ ଜଳଜମିକୁ ଅନ୍ୟ କାମ ପାଇଁ ବ୍ୟବହାର କରିବା ଏକ ଜାମିନବିହୀନ ଅପରାଧ। ୨୦୧୦ରେ ରାଜ୍ୟ ସରକାର ତାଙ୍କ ଉଦ୍ୟମକୁ ଆହୁରି ବ୍ୟାପକ କରି ‘ଟାଙ୍ଗରାବିହୀନ ପଞ୍ଚାୟତ’ ନିର୍ମାଣ ପାଇଁ ଯୋଜନା ଆରମ୍ଭ କଲେ। ସେହି ଯୋଜନା ଅନୁସାରେ ଚାଷୀମାନଙ୍କୁ ଟାଙ୍ଗରା ଭୂଇଁରେ ଚାଷ ପାଇଁ ଆର୍ଥିକ ସହାୟତା ଦିଆଗଲା।

ଜର୍ଜକୁଟ୍ଟି କହନ୍ତି, ‘ପ୍ରଥମ ବର୍ଷ ରାଜ୍ୟ ସରକାର ହେକ୍ଟର ପିଛା ୩୦,୦୦୦ଟଙ୍କା ସବସିଡି ଦିଅନ୍ତି, ସେଥିମଧ୍ୟରୁ ୨୫,୦୦୦ ହେଉଛି ଚାଷୀର ଏବଂ  ୫,୦୦୦ ହେଉଛି ଲିଜ୍ ମୂଲ୍ୟ ଭାବେ ଜମିମାଲିକଙ୍କର। ପ୍ରଥମ ବର୍ଷ ଜମିକୁ ଚାଷପୋଯୋଗୀ କରିବାର ବଡ଼ କାମ ସରିଯିବା ପରେ ଏହି ସହାୟତା ପର୍ଯ୍ୟାୟକ୍ରମେ ୫,୮୦୦ ଏବଂ ୧,୨୦୦କୁ ଖସିଆସେ।’

ପାରିପାର୍ଶ୍ୱିକ ଭାବେ ନିରନ୍ତର ଧାନ ଚାଷ ସଂପର୍କରେ କେ.ପି.କାନନ କହନ୍ତି, ‘ସେମାନେ ଅନ୍ୟ ବିକଳ୍ପ ଫସଲରୁ ଯେଉଁ ଟଙ୍କା ପାଇଥାନ୍ତେ ତା ବଦଳରେ ସେମାନଙ୍କୁ କିଛି କ୍ଷତିପୂରଣ ଦେବାକୁ ପଡ଼ିବ। ଚାଷୀମାନେ କ’ଣ ପାଇଁ ଏକା ଏକା ପରିବେଶ ସୁରକ୍ଷାର ସାମାଜିକ ଦାୟିତ୍ୱ ନେବେ ଏବଂ ଋଣଭାର ବି ସହିବେ?’
Large Hitachi tractors are used to harvest the fields. These tractors are used on levelled  ground. However many parts of the field are uneven and marshy which is why and where MNREGA are commissioned  to the harvesting work.
PHOTO • Vishaka George
MNREGA workers getting in to work at the 100 acre paddy field in Kallara, ready to begin the harvesting of the crops
PHOTO • Vishaka George

ସମତଳ ଜମିରେ ଫସଲ ଅମଳ ପାଇଁ ଟ୍ରାକ୍ଟର ବ୍ୟବହାର କରାଯାଉଛି। ଆବୁଡ଼ାଖାବୁଡ଼ା ଅଂଶରେ ମନରେଗା ଶ୍ରମିକ (ଡାହାଣ, କଲାରାରେ ଥିବା ଧାନ ଜମି)ରେ ଏହି କଠିନ ପରିଶ୍ରମ କରୁଛନ୍ତି।

ବଳପୂର୍ବକ ଜମି ଅପହରଣଜନିତ ଭୟକୁ ଦୂର କରିବା ଲାଗି ଏହି ନିୟମ ଅଧୀନରେ ଚାଷୀ ଓ ଜମି ମାଲିକଙ୍କୁ ଏକତ୍ରିତ କରି ମଧ୍ୟସ୍ଥି ଭାବେ କଥାବାର୍ତ୍ତା କରିବା ଲାଗି ସ୍ଥାନୀୟ ପଞ୍ଚାୟତକୁ ପ୍ରୋତ୍ସାହିତ କରାଯାଉଛି। ଏହା ସ୍ଥାନୀୟ କୃଷି ଅଧିକାରୀଙ୍କ ତଦାରଖରେ ହୋଇଥାଏ।

କୋଟ୍ଟୟାମର ଏହି ଅଞ୍ଚଳରେ ଟାଙ୍ଗରା ପଡ଼ିଥିବା ଜମିରେ ଧାନ ଚାଷକୁ ପ୍ରୋତ୍ସାହନ ଦେଇଥିବା କୋଲାଡ ପଞ୍ଚାୟତର ଶେବିନ୍ ଜ୍ୟାକବଙ୍କ କହନ୍ତି, ‘ଭୂସଂସ୍କାର (ଐତିହାସିକ କେରଳ ଜମି ସଂସ୍କାର ସଂଶୋଧନ) ଆଇନ, ୧୯୬୯ (ଯାହାକି ଭାଗଚାଷୀମାନଙ୍କର ଅଧିକାରକୁ ସୁନିଶ୍ଚିତ କରିଛି) ପରେ ରାଜ୍ୟରେ ଜମି ଲିଜ୍ରେ ଦେବା ବେଆଇନ ହୋଇଛି କିନ୍ତୁ(ପଞ୍ଚାୟତ ମଧ୍ୟସ୍ଥତା)ରେ ଚାଷ ପାଇଁ ଜମି ଲିଜ୍ରେ ଦେବାକୁ ଖୁବ୍ ସମର୍ଥନ ମିଳୁଛି। ସ୍ଥାନୀୟ ପଞ୍ଚାୟତର ଅଧିକାରୀମାନେ ଜମି ମାଲିକମାନଙ୍କ ନିକଟକୁ ଯାଉଛନ୍ତି ଏବଂ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଯେ, ‘ଆପଣମାନେ ଜମିମାଲିକ ରହିବେ, ସେମାନେ କେବଳ ଜମିରେ ଚାଷ କରିବେ।’

ବର୍ତ୍ତମାନ ଯାଏ ଯାହାକିଛି ସଫଳତା ମିଳିଛି ତାହା ସନ୍ତୋଷଜନକ। ଇଶ୍ୱରନ୍ କହନ୍ତି, ‘ଆରାକୁଲାମ, ଇଡୁକି, କାୟଲ ଲ୍ୟାଣ୍ଡ (କୁଟ୍ଟାନାଡ ଅଞ୍ଚଳରେ  ଆଲାପୁଝା ଏବଂ କୋଟ୍ଟୟାମରେ ଥିବା ଧାନ ଜମି ଯାହାକୁ ୟୁନେସ୍କୋ ସମୁଦ୍ରପତ୍ତନଠାରୁ ତଳେ ହେଉଥିବା ଚାଷ ପାଇଁ ଐତିହ୍ୟ ମାନ୍ୟତା ଦେଇଛି)ପରି କିଛି କିଛି ଅଞ୍ଚଳରେ ସଫଳତା ମିଳିଛି। କାରଣ ଏଠାରେ ଧାନଚାଷ କରିବା ଲାଗି ବହୁ ଲୋକ ସଂଘର୍ଷ କରିଛନ୍ତି।’

କୋଲାଡ ଅଞ୍ଚଳରେ ଥିବା ଚାଷ ଜମି ପାଇଁ ମଧ୍ୟ ସେମାନେ ସେହିପରି ପରିଶ୍ରମ କରିଛନ୍ତି। ସେଥିପାଇଁ ସ୍ଥାନୀୟ ସରକାର, ସମୁଦାୟ, ଚାଷ ଅଧିକାରୀ ଏବଂ ଚାଷୀମାନେ ସମ୍ମିଳିତ ଉଦ୍ୟମ କରିଛନ୍ତି। କୋଟ୍ଟୟାମ୍ରେ ଥିବା କୃଷି ଅଫିସର ମାର୍ଚ୍ଚ ମାସର ପ୍ରୋଗ୍ରେସ ରିପୋର୍ଟ ଅନୁସାରେ ୨୦୧୭-୧୮ରେ ରାଜ୍ୟରେ ଟାଙ୍ଗରା ହୋଇପଡିଥିବା ପ୍ରାୟ ୮୩୦ ଏକର ଚାଷକମିରେ ଏବେ ଧାନ ଚାଷ ହେଉଛି। ସେଥିମଧ୍ୟରେ କୋଲାଡର ୨୫୦ ଏକର ଚାଷ ଜମି ସାମିଲ।
Babu Ulahannan telling the writers of this story about the work that went behind cultivating 250 acres of paddy on fallow land
PHOTO • Noel Benno
Babu Ulahannan moves around the 250 acres with the help of a wooden boat, called vallam in Malayalam. A stream runs that through this large field facilitates the travel
PHOTO • Noel Benno

୨୫୦ ଏକରର ଟାଙ୍ଗରା ଜମିରେ ଧାନ ଚାଷ ପାଇଁ ଆବଶ୍ୟକୀୟ କଠିନ ପରିଶ୍ରମ ସଂପର୍କରେ ବାବୁ ଉଲାହାନନ(ବାମ) କହୁଛନ୍ତି। ସେ ଏକ ଡଙ୍ଗାରେ ଝରଣା ପାର ହୋଇ ଚାଷ ଜମିକୁ ଯାଉଛନ୍ତି।

ଡଙ୍ଗାରେ ଚଢୁଚଢୁ ବାବୁ କହିଲେ, ‘ଆମେ ନଭେମ୍ବର (୨୦୧୭)ରୁ ଧାନ ବୁଣିବା ଆରମ୍ଭ କରିଥିଲୁ, ୧୨୦ ଦିନର କଠିନ ପରିଶ୍ରମ ପରେ ଆମେ ଆଜି ଏଠାରେ ଅଛୁ’। ସେହି ଡଙ୍ଗା ସାହାଯ୍ୟରେ ଆମେ ଜମି ପାଖରେ ପହଞ୍ଚିଲୁ। ‘ଯଦି ସବୁକିଛି ଠିକଠାକ୍ ହୁଏ ତାହେଲେ ଏକର ପିଛା ଆମେ ୨୨ କ୍ୱିଣ୍ଟାଲ ଧାନ ଅମଳ ଏବଂ ୨୫,୦୦୦ ଟଙ୍କା ଲାଭ ପାଇଁ ଲକ୍ଷ୍ୟ ରଖିଛୁ।’

ସେ ଏବଂ ଚାଙ୍ଗନାସେରିର ତାଙ୍କର ସହଚାଷୀମାନେ ଧାନ ଚାଷ ପାଇଁ ପ୍ରଶାସନିକ ଭାବେ ଅନୁମତି ପାଇବା ପରେ ସେମାନେ ତାଙ୍କ ସହ କିଛି ବିଶ୍ୱାସୀ ମୂଲିଆ ଆଣିଲେ। ଟାଙ୍ଗରା ଜମିରେ ଚାଷକୁ ପ୍ରୋତ୍ସାହନ ଦେବା କେରଳରେ ଏକ ବିରାଟ କୃଷିଭିତ୍ତିକ ସମସ୍ୟା-ଶ୍ରମିକମାନଙ୍କର ସଙ୍କଟର ସମାଧାନ କଥା କହେନାହିଁ।

୧୦ ଏକର ଜମିରେ ଧାନ ଚାଷ କରୁଥିବା କୋଟ୍ଟୟାମ୍ର ମୀନାଚିଲ ତାଲୁକର କାଲାଥୁକାଦାଭୁ ଗାଁର ଜଣେ ଚାଷୀ ଜୋସ୍ ଜର୍ଜ କହନ୍ତି, ‘ଶ୍ରମିକ ସମସ୍ୟା ଏଠାରେ ଖୁବ୍ ଅଧିକ।’ସ୍ଥାନୀୟ ଶ୍ରମିକମାନଙ୍କୁ ଦିନକୁ ୮୫୦ ଟଙ୍କା ମଜୁରୀ ମିଳେ। (ଏହି ମଜୁରୀ ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଥାଏ। ) ସ୍ଥାନାନ୍ତର ହୋଇ ବିଶେଷ କରି ବିହାର ଓ ପଶ୍ଚିମବଙ୍ଗରୁ ଆସିଥିବା ମୂଲିଆଙ୍କୁ ଦିନକୁ ୬୫୦ ଟଙ୍କା ଦିଆଯାଏ। ତା’ପରେ ପୁଣି ସ୍ଥାନୀୟ ଶ୍ରମିକମାନେ ସ୍ଥାନାନ୍ତର ହୋଇ ଆସିଥିବା ମଜୁରିଆମାନଙ୍କୁ ନିଯୁକ୍ତି ଦେବା ନେଇ ପ୍ରତିବାଦ କରୁଛନ୍ତି। ’

ଚାଷକାମର ଚାହିଦା ପୂରଣ କରିବା ଲାଗି ପଞ୍ଚାୟତ ପକ୍ଷରୁ ଅଧିକାଂଶ ସମୟରେ କେରଳର ମନରେଗା କର୍ମୀମାନଙ୍କୁ ଟାଙ୍ଗରା ଜମିରେ ଚାଷ ପାଇଁ ନିୟୋଜିତ କରାଯାଉଛି। ସେମାନଙ୍କୁ ଦିନକୁ ୨୬୦ ଟଙ୍କା ମଜୁରୀ ମିଳୁଛି। କୋଟ୍ଟୟାମ୍ର କୃଷି ଅଧିକାରୀ ରାସିଆ.ଏ ସଲାମ୍ କହନ୍ତି, ‘ମନରେଗା ଚାଷୀମାନେ ଜମି ପ୍ରସ୍ତୁତ କରିବା ଲାଗି ଚାଷୀମାନଙ୍କୁ ପ୍ରାଥମିକ ଭାବେ ଖୁବ୍ ସହାୟତା ପ୍ରଦାନ କରିଥାନ୍ତି। ସେମାନେ ମଧ୍ୟ ଜମି ଚାରିପଟେ କ୍ଷୁଦ୍ର ଜଳସେଚନ କେନାଲ ଖୋଳିଥାନ୍ତି। ଏହା ଯୋଗୁ ଚାଷରେ ହେଉଥିବା ଖର୍ଚ୍ଚ ଉଲ୍ଲେଖନୀୟ ଭାବେ କମିଯାଏ। ପୂର୍ବରୁ ପଞ୍ଚାୟତ ପକ୍ଷରୁ ୩୦ ଦିନ କାମ ଯୋଗାଇବା କଷ୍ଟକର ହୋଇପଡୁଥିଲା, କିନ୍ତୁ ଏବେ ଏହି ନୂଆ ଯୋଜନା ଯୋଗୁ ୫୦ରୁ ୬୦ ଦିନ କାମ ଯୋଗାଇ ହେଉଛି।’
Jose George overlooking the ten acres of paddy he is co-cultivating on in Kalathilkadavu, a village in Panachikkadu block, Kottayam district
PHOTO • Vishaka George
Agricultural labourers who were adding fertilisers to the field in Kalathilkadavu,Kottayam
PHOTO • Vishaka George

ଜୋସ ଜର୍ଜ(ବାମ) ତାଙ୍କ ୧୦ ଏକରର ଧାନ କ୍ଷେତରେ ଛିଡ଼ା ହୋଇଛନ୍ତି। ସେ କୋଟ୍ଟୟାମ୍ ଜିଲ୍ଲାର କାଲାଥୁକାଦାଭୁ ଗାଁରେ ଅନ୍ୟ ଜଣକ ସହ ମିଶି ଚାଷ କରୁଛନ୍ତି। ପୁରୋଷୋତ୍ତମନ୍(ଡାହାଣ ଯିଏ ତାଙ୍କର ପ୍ରଥମ ନାଁ କହିଲେ), ଆଲାପୁଝା ଜିଲ୍ଲାର ଜଣେ ୭୫ ବର୍ଷୀୟ ଦକ୍ଷ କୃଷକ ଯିଏକି ଜୋସଙ୍କ ଚାଷ କ୍ଷେତରେ କୃଷିଶ୍ରମିକ ଭାବେ ମଧ୍ୟ କାମ କରନ୍ତି।

ଧାନ ଚାଷର ଅମଳକୁ ବୃଦ୍ଧି କରିବା ପାଇଁ ସରକାରୀ ନିୟମ ଆସିବା ପୂର୍ବରୁ କୁଦୁମ୍ବଶ୍ରୀ ପକ୍ଷରୁ ମଧ୍ୟ ଅନେକ ପ୍ରୟାସ କରାଯାଇଥିଲା। ୧୯୯୮ ମସିହାରେ ଆରମ୍ଭ ହୋଇଥିବା ଏହି ସଂଗଠନ ଏବେ ପ୍ରାୟ ୪.୩ ନିୟୁତ ମହିଳାଙ୍କର ଏକ ବୃହତ ନେଟୱର୍କ ପାଲଟିଛି। ସେମାନଙ୍କ ମଧ୍ୟରୁ ଅନେକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଏବଂ ଅଧିକାଂଶ କୃଷିଶ୍ରମିକ ଯେଉଁମାନେ ଧାନ ରୋଇବା ଏବଂ କାଟିବା ଜାଣିଛନ୍ତି। ସେମାନଙ୍କୁ ଏକାଠି ହେବା ଏବଂ ଚାଷୀ କିମ୍ବା ଜମି ମାଲିକଙ୍କ ସହ କଥାବାର୍ତ୍ତା କରିବାରେ କୁଦୁମ୍ବଶ୍ରୀ ସାହାଯ୍ୟ କରିଛି।  ମହିଳାମାନେ ଚାଷ ଜମିରେ କାମ କରନ୍ତି ଏବଂ ଏ ବାବଦକୁ କୁଦୁମ୍ବଶ୍ରୀଠାରୁ ହେକ୍ଟର ପିଛା ୯,୦୦୦ଟଙ୍କା ଲେଖାଏଁ ପାଉଣା ପାଆନ୍ତି। ଏହି ଗୋଷ୍ଠୀ ଏବେ କେରଳର ୮,୩୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରୁଛନ୍ତି। ବିଶେଷତଃ ମାଲାପୁରମର କେନ୍ଦ୍ରୀୟ ଭାଗ, ତ୍ରିସୁର, ଆଲାପୁଝା ଏବଂ କୋଟ୍ଟୟାମରେ ଏମାନେ ଚାଷ କରୁଛନ୍ତି। ଏମାନେ ଧାନକୁ ପ୍ରକ୍ରିୟାକରଣ କରିବା ପରେ ସେମାନଙ୍କ ଅଞ୍ଚଳର ନାଁ ଦେଇ ବିକ୍ରି କରନ୍ତି। କିଛି ପାଇକାରୀ ଦୋକାନୀଙ୍କ ସହ ସେମାନଙ୍କର ବ୍ୟବସାୟିକ କାରବାର ଥାଏ। କୁଦୁମ୍ବଶ୍ରୀର କୃଷି ଜୀବିକା ପରାମର୍ଶଦାତା ରାହୁଲ କ୍ରିଷ୍ଣନ୍ କହନ୍ତି, ‘ଏହାଦ୍ୱାରା ସେମାନଙ୍କର ଆୟରେ ବୃଦ୍ଧି ହୁଏ’।

କୋଟ୍ଟାୟମ ଜିଲ୍ଳା ଭୈକମ୍ ବ୍ଲକ ଅଧୀନ କାଲାରା ଗାଁରେ ଫେବୃଆରୀ ୧୬ରେ ଅନୁଷ୍ଠିତ ଏକ କୃଷି ମହୋତ୍ସବରେ ପ୍ରାୟ ୪୦ ଜଣ ଚାଷୀ ଏବଂ ସେମାନଙ୍କର ପରିବାର, କୃଷି ଅଧିକାରୀ, ପଞ୍ଚାୟତ ସଦସ୍ୟ ଏବଂ ଗଣମାଧ୍ୟମଙ୍କ ସହ ଏକାଠି ହୋଇଥିଲେ। ୧୦୦ ଏକରର ଟାଙ୍ଗରା ଭୂଇଁ ଧାନ କ୍ଷେତ ପାଲଟିବାର ଖୁସିକୁ ପାଳନ କରିବା ପାଇଁ ସେମାନେ ଏକତ୍ରିତ ହୋଇଥିଲେ। ସେଠାକାର ପରିବେଶ ଖୁବ୍ ଆମୋଦପ୍ରଦ ଥିଲା। କାରଣ ସେଠାରେ ଡ୍ରମ ବଜାଇ  ଚାଷୀମାନଙ୍କୁ ଉପହାର ଏବଂ ସମ୍ମାନ ପ୍ରଦାନ କରାଯାଇଥିଲା।

୪୦ ଜଣ ଚାଷୀଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀଧରନ୍ ଅମ୍ବାଟୁମୁକିଲ ଖୁବ୍ ଖୁସିର ସହ ତାଙ୍କର ଧାନ ଫସଲର ପ୍ରଥମ ବିଡ଼ା ଧରିଛନ୍ତି। ଯାହାକି ତାଙ୍କର ମାସ ମାସର ପରିଶ୍ରମର ଫଳ। କିନ୍ତୁ କାଲାରାର ଅନ୍ୟ ଚାଷୀଙ୍କ ଭଳି ସେ ମଧ୍ୟ ଧାନ ବିକ୍ରି ନେଇ ଚିନ୍ତିତ। ‘ସେମାନେ (ଘରୋଇ କଣ୍ଟ୍ରାକ୍ଟର ଯେଉଁମାନେ ରାଜ୍ୟ ସରକାରଙ୍କଠାରୁ ଧାନ ସଂଗ୍ରହ କରନ୍ତି) ୧୦୦ କିଲୋ ଧାନ ନିଅନ୍ତି ଏବଂ ୧୭ କିଲୋର ଟଙ୍କା ଦିଅନ୍ତି ନାହିଁ, ଗତବର୍ଷ ଯଦିଓ ସେମାନେ ମାତ୍ର ୪ କିଲୋ କାଟିଥିଲେ।’କଣ୍ଟ୍ରାକ୍ଟରମାନେ କେବଳ ଧାନ ନୁହେଁ, ସବୁ ଫସଲ ନେବାବେଳେ ଏମିତି କରନ୍ତି। ଏହା ହିଁ ଅଧିକାଂଶ ଚାଷୀଙ୍କ ପାଇଁ ବିବାଦର କାରଣ।

କେତେକ ସ୍ଥାନରେ ଚାଷୀ ଓ ମିଲ୍ ମାଲିକଙ୍କ ଏଜେଣ୍ଟଙ୍କ ମଧ୍ୟରେ ଧାନର ମାନକୁ ନେଇ ଅସହମତି ଫଳରେ ଧାନକିଣାରେ ବହୁଦିନ ବିଳମ୍ବ ହୋଇଯାଏ। ଇଶ୍ୱରନ୍ କହନ୍ତି, ‘ଏହା ଚାଷୀଙ୍କ ପାଇଁ ଖୁବ୍ କ୍ଷତିକାରକ।’

ବହୁ ଅନିଶ୍ଚିତତା ମଧ୍ୟରେ ଚାଷୀମାନଙ୍କୁ ସେମାନଙ୍କ କାମ ଜାରି ରଖିବା ପାଇଁ କ’ଣ ପ୍ରେରିତ କରେ? ଶ୍ରୀଧରନ୍ କହନ୍ତି, ‘ଆମ ପାଇଁ ଚାଷ ଏକ ନିଶା। କ୍ଷତି ହେଲେ ମଧ୍ୟ ଆମେ ଚାଷ କରିବୁ। ଦେଶରେ ଚାଷୀ କେବେ ସଂପନ୍ନ ହେବନାହିଁ କିମ୍ବା ସଂପୂର୍ଣ୍ଣ ବୁଡି ଯିବ ନାହିଁ’।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vishaka George

ଲେଖକ ପରିଚୟ: ବିଶାଖା ଜର୍ଜ ବେଙ୍ଗାଲୁରୁର ଜଣେ ସାମ୍ବାଦିକା। ସେ ବ୍ୟବସାୟ ପ୍ରତିନିଧି ଭାବରେ ରଏଟର୍ ସହ କାର୍ଯ୍ୟ କରିଥିଲେ। ସେ ଚେନ୍ନାଇସ୍ଥ ଏସିଆନ୍ କଲେଜ୍ ଅଫ୍ ଜର୍ଣ୍ଣାଲିଜିମରୁ ଗ୍ରାଜୁଏସନ୍ କରିଛନ୍ତି। ସେ ଗ୍ରମୀଣ ଭାରତ ସହ ଶିଶୁ ଓ ମହିଳା ବିଷୟ ପ୍ରତି ବିଶେଷ ଆଗ୍ରହୀ।

Other stories by Vishaka George
Noel Benno

ନୋଏଲ ବେନ୍ନୋ ଆମେରିକୀୟ ଭାରତୀୟ ଫାଉଣ୍ଡେସନର ଜଣେ ପୂର୍ବତନ ୱିଲିୟମ ଜେ.କ୍ଲିଣ୍ଟନ୍ ବ୍ୟକ୍ତିତ୍ୱ। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍ ପଲିସି ବିଭାଗର ଜଣେ ଛାତ୍ର।

Other stories by Noel Benno