କାଫକା ହୁଏତ ଏହି ଲେଖାକୁ ଇର୍ଷା କରିନପାରନ୍ତି। ଦିଲ୍ଲୀରେ, କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାଓ୍ୱାର ମେ ୭ରେ ରାଜ୍ୟସଭାକୁ ସୂଚନା ଦେଲେ ଯେ ଜାନୁଆରିଠାରୁ ବିଦର୍ଭରେ ମାତ୍ର ୬ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିଦିନ ସେହି ସମୟରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କହିଲେ ଏହି ସଂଖ୍ୟା ୩୪୩। ଯାହା ଶରଦ ପାୱାରଙ୍କ ଗଣନାର ୫୭ ଗୁଣ। ଶ୍ରୀଯୁକ୍ତ ଚୌହାନ ବିଦର୍ଭରେ କହୁଥିଲେ। ସଂସଦରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀଯୁକ୍ତ ପାୱାର ଏହି ସଂଖ୍ୟା ଦର୍ଶାଇଥିଲେ। ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ) ଗୋଟିଏ ଦିନରେ ଦୁଇଟିଯାକ ରିପୋର୍ଟ କରିଥିଲା। ସବୁ ଗୋଟିଏ ଦିନର କଥାଥିଲା।

ଦ୍ୱନ୍ଦ୍ୱ ? ଚେଷ୍ଟା କରନ୍ତୁ: ପାଞ୍ଚ ଦିନ ପୂର୍ବରୁ କୃଷି ରାଷ୍ଟ୍ରମନ୍ତ୍ରୀ କେ.ଭି. ଥୋମାସ୍ କହିଥିଲେ ଜାନୁଆରିଠାରୁ ବିଦର୍ଭରେ ୨୩ଟି ଆତ୍ମହତ୍ୟା ହୋଇଛି। ସେହି ଗୋଟିଏ ସପ୍ତାହରେ - ସେହି ରାଜ୍ୟସଭାରେ। ଏବଂ ଥୋମାସ କହିଥିଲେ, ‘‘ଏହା ମହାରାଷ୍ଟ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ତଥ୍ୟ।’’ ଯାହାର ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସଂଖ୍ୟ ହେଉଛି  ୩୪୩। ଇତିମଧ୍ୟରେ ଶ୍ରୀଯୁକ୍ତ ପାୱାର ୪ ମାସରେ ୬ଟି ଆତ୍ମହତ୍ୟା ଦର୍ଶାଇବା ପୂର୍ବରୁ, ବିଦର୍ଭରେ କାର୍ଯ୍ୟ କରୁଥିବା ସରକାରଙ୍କ ବସନ୍ତରାଓ ନାଏକ ଫାର୍ମର୍ସ ସେଲ୍‌ଫ ରିଲାଏନ୍ସ ମିଶନ ଦର୍ଶାଇଥିଲା ଯେ କେବଳ ଜାନୁଆରିରେ ଏହି ସଂଖ୍ୟା ୬୨।

ଚାଷୀ ଆତ୍ମହତ୍ୟା ହିସାବ କରିପାରିବେ କି -- ସବୁ ଆନୁଷ୍ଠାନିକ -- ୫,୫୦୦ ପ୍ରତିଶତ ଫରକ ? (ଶ୍ରୀଯୁକ୍ତ ଚୌହାନଙ୍କ ସଂଖ୍ୟା ଶ୍ରୀଯୁକ୍ତ ପାୱାରଙ୍କ ସଂଖ୍ୟାଠାରୁ ବହୁ ଅଧିକ।) କିନ୍ତୁ କଥା ସେଇଠି ସରୁନି। ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ନାରାୟଣ ରାଣେ ରାଜ୍ୟ ବିଧାନସଭାକୁ ଏପ୍ରିଲ ମାସରେ ସୂଚନା ଦେଇଥିଲେ ଯେ, ୨୦୦୬ ମସିହାଠାରୁ ବିଦର୍ଭରେ ୫,୫୭୪ଟି ଆତ୍ମହତ୍ୟା ହୋଇଛି। କିନ୍ତୁ ସଂସଦକୁ କୁହାଗଲା ଜାନୁଆରି ପରଠାରୁ ମାତ୍ର ୬ଟି ହୋଇଛି। ୨୦୦୬ ରୁ ପୂରା ରାଜ୍ୟରେ ୭,୭୮୬ଟି ଚାଷୀ ଆତ୍ମହତ୍ୟା ହୋଇଥିବା ଶ୍ରୀଯୁକ୍ତ ରାଣେଙ୍କ ଗଣନା। ଗତ ତିନି ବର୍ଷରେ ପୂରା ଦେଶରେ ୩,୪୫୦ ଟି ଆତ୍ମହତ୍ୟା ହୋଇଥିବା ପାୱାରଙ୍କ ନୂଆ ଗଣନାର ଦୁଇ ଗୁଣରୁ ଏହା ଅଧିକ।

PHOTO • V. Sudershan

ଏହି ଜାନୁଆରୀ ୩୧, ୨୦୦୮ର ଚିତ୍ର, ପଂଜାବରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କ ସଦସ୍ୟଙ୍କ ଦ୍ୱାରା ଗଠିତ ଲୋକ ରାଜ ସଂଗଠନର ସଦସ୍ୟମାନେ କେନ୍ଦ୍ର ଓ ପଞ୍ଜାବ ସରକାରଙ୍କ ଚାଷୀ-ବିରୋଧ ନୀତି ବିରୋଧରେ ନୂଆଦିଲ୍ଲୀରେ ବିକ୍ଷୋଭ କରିଥିଲେ

ତାହା ହିଁ ଅସଙ୍ଗତି - ପୂରା ଦେଶ ପାଇଁ ୩,୪୫୦ ? ତିନି ବର୍ଷରେ ? ଜାତୀୟ କ୍ରାଇମ ରେକର୍ଡସ୍ ବ୍ୟୁରୋ ତଥ୍ୟ ଅନୁସାରେ ଗତ ତିନି ବର୍ଷରେ ଏହି ସଂଖ୍ୟା ୫୦,୦୦୦। ଏହା ୨୦୦୬, ୨୦୦୭ ଏବଂ ୨୦୦୮ ପାଇଁ ( ଗତ ବର୍ଷର ତଥ୍ୟ ଉପଲବ୍ଧ)। ଏବଂ ଜାତୀୟ ସ୍ତରରେ ଚାଷୀ ଆତ୍ମହତ୍ୟା ତଥ୍ୟ ପାଇଁ ଏନସିଆରବି କେବଳ ଏକମାତ୍ର ଉତ୍ସ। ଏହାର ତଥ୍ୟ କହୁଛି ୧୯୯୭ ରୁ ୨୦୦୮ ମଧ୍ୟରେ ପ୍ରାୟ ୨୦୦,୦୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ତେଣୁ କାହା ସଂଖ୍ୟା ସଂସଦକୁ ଦିଆଯିବ? ଏବଂ ସୂଚନାରେ ବହୁ ତାରତମ୍ୟ ରହୁଥିବା ବେଳେ ଆମେ କାହାକୁ ଗ୍ରହଣ କରିବା? ତାହା ମଧ୍ୟ ଯେତେବେଳେ ଗୋଟିଏ ଅନୁଷ୍ଠାନର ତଥ୍ୟ ବିଶ୍ୱାସନୀୟ। ଆଉ ମହାରାଷ୍ଟ୍ରରେ ଏହା ସବୁବେଳେ କାହିଁକି ଘଟେ ?

କାରଣ ଦେଶରେ ମହାରାଷ୍ଟ୍ରର ସଂଖ୍ୟା ସବୁଠୁ ଖରାପ। ଏହି ରାଜ୍ୟ ୧୯୯୭ରୁ ୪୧,୪୦୪ ଟି ଚାଷୀ ଆତ୍ମହତ୍ୟା ଦେଖିଛି। ଏହା ଭିତରୁ ୨୦୦୬ ରୁ ୦୮ ମଧ୍ୟରେ ୧୨,୪୯୩ ଆତ୍ମହତ୍ୟା ହୋଇଛି। ତେଣୁ ଏଠି ଏସବୁକୁ ହିସାବ କରିବାର ଚାପ ଅନ୍ୟ ଅଞ୍ଚଳରଠାରୁ ଅଲଗା।

ଚାଷୀଙ୍କ ପାଇଁ ଆଦୌ ଦରଦ ନଥିଲା। ୨୦୦୬ରେ ପ୍ରଧାନମନ୍ତ୍ରୀଙ୍କ ବିଦର୍ଭ ପରିଦର୍ଶନ ପର୍ଯ୍ୟନ୍ତ ରାଜ୍ୟର ବଡ଼ ମନ୍ତ୍ରୀମାନେ ଘୋର ସଂକଟରେ ପଡ଼ିଥିବା ଗାଁକୁ ଆଦୌ ଯାଇନଥିଲେ। ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଜଣେ ହେଲେ ଭେଟି ନଥିଲେ। ଲୋକେ ତାଙ୍କୁ କ’ଣ ଭାବୁଛନ୍ତି, ସେ ନେଇ ସେମାନେ ଆଦୌ ବ୍ୟସ୍ତ ନୁହନ୍ତି। ଦିଲ୍ଲୀରେ ହାଇକମାଣ୍ଡଙ୍କ ଅସନ୍ତୋଷକୁ ସେମାନଙ୍କର ଭୟ - ସେତେବେଳକୁ ଆତ୍ମହତ୍ୟା ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଥିଲା। ତେଣୁ ସେମାନେ କେବଳ ସଂଖ୍ୟାକୁ ମାଲିସ କରିବା ଆରମ୍ଭ କଲେ।

ଏହାର ଅର୍ଥ, ପ୍ରଥମେ ଚାଷୀ ଆତ୍ମହତ୍ୟା ଚିହ୍ନଟ ପାଇଁ ଅସମ୍ଭବ ପ୍ରକାର ସଂକେତ ରଖିଲେ। ୨୦୦୫ ଜୁନ୍ ଆରମ୍ଭରେ ଦିଗମ୍ବର ଅଗୋସେଙ୍କ ଆତ୍ମହତ୍ୟା ପରେ ଆମେ ଯେତେବେଳେ ସେଠି ପହଞ୍ଚିଲୁ, ସେତେବେଳେ ମାଲୱାଗଡ, ଜବତମାଲରେ ଲୋକେ ଏହି ପ୍ରକ୍ରିୟାକୁ ଉପହାସ କରୁଥିଲେ। ଅଗୋସେଙ୍କର ଜଣେ ପଡୋଶୀ ଶ୍ମଶାନରେ ପରିହାସ କରି କହିଲେ, ‘‘ଏବେ ଆମେ ଶାନ୍ତିରେ ବି ଆତ୍ମହତ୍ୟା କରିପାରୁନୁ।’’ ଆଉ ଜଣେ କହିଲେ, ‘‘ଫର୍ମ ନପଢି ଅଧିକାରୀ ଏମିତି କରୁଥିଲେ ଯେମିତି ଆମେ ଦେଖିବାକୁ ସବୁ ଠିକ୍ ଅଛି। ଆଉ ଜଣେ ଇଙ୍ଗିତ କଲେ: ‘‘ଅନୁଧ୍ୟାନ ତାଲିକାରେ ୪୦ ଟି ସର୍ତ୍ତ ରହିଛି। ସବୁ ସର୍ତ୍ତ ଲାଗିବ।’’ ଅଳ୍ପରେ କହିଲେ, ଯଦି ଆପଣ ଆତ୍ମହତ୍ୟା କରୁଛନ୍ତି ଏସବୁ ଠିକ୍‌ଠାକ୍ ଥିବା ଆବଶ୍ୟକ। ଆପଣ ନିଶ୍ଚିତ କରନ୍ତୁ ଯେ, ଏହି ପ୍ରୋ ଫର୍ମା ଭିତରେ ଅଛନ୍ତି। ତା’ ପରେ ଆପଣଙ୍କ ପରିବାର କ୍ଷତିପୂରଣ ପାଇଁ ‘ଯୋଗ୍ୟ’ ହେବ।

ଚାଷୀ ହୋଇ ନଥିବା ଦର୍ଶାଯାଇ ଶହଶହ ଲୋକଙ୍କୁ ଚାଷୀ ଆତ୍ମହତ୍ୟା ତାଲିକାରୁ ବାଦ ଦିଆଯାଇଥିଲା। ଅଧିକାରୀମାନେ ଉଲ୍ଲେଖ କରିଥିଲେ, ‘‘ସେମାନଙ୍କ ନାଁରେ ଜମି ନାହିଁ।’’ ଏହି ଆଧାରରେ ଜୀବନ ହାରିଥିବା ଅଧିକାଂଶ ମହିଳା ଚାଷୀ ତାଲିକାରୁ ବାଦ ପଡିଥିଲେ। ସେହିଭଳି ପ୍ରକୃତରେ ଚାଷ କରୁଥିବା ବଡ ପୁଅମାନେ ଯେଉଁମାନଙ୍କ ବୟସ୍କ ବାପାଙ୍କ ନାଁରେ ଜମି ଅଛି, ସେମାନେ ବି ବାଦ ପଡ଼ିଥିଲେ। ବହୁ ଗରିବ ଦଳିତ ଏବଂ ଆଦିବାସୀ ମଧ୍ୟ ତାଲିକାରେ ନଥିଲେ - ଯେଉଁମାନଙ୍କ ନାଁରେ ସ୍ପଷ୍ଟ ପଟ୍ଟା ନାହିଁ।

ତଥାପି ଏହି ସଂଖ୍ୟା ବଢୁଥିଲା। ଏହି ପ୍ରସଙ୍ଗ ସେଇଠି ଆଘାତ କରୁଥିଲା ଯେଉଁଠି ଏହା ପ୍ରସଙ୍ଗ ହୋଇଥିଲା: ଦିଲ୍ଲୀରେ। ତେଣୁ କିପରି ଏହି ସଂଖ୍ୟା କମାଯାଇପାରିବ ? ଉତ୍ସୁକ ଅଧିକାରୀମାନେ ନୂଆ କାଟାଗୋରୀ ତିଆରି କରିବାକୁ ଆଗେଇ ଆସିଲେ। ‘ଯୋଗ୍ୟ’ ଏବଂ ‘ଅଯୋଗ୍ୟ’ ଆତ୍ମହତ୍ୟ। ପ୍ରଥମଟିକୁ କେବଳ ଚାଷୀ ଆତ୍ମହତ୍ୟାରେ ଗଣନା ହେଲା। ୨୦୦୬ରେ ଏଭଳି ଏକ ଧାରା ପ୍ରସ୍ତୁତ ହେଲା।

ଅନେକ ନୂଆ ସ୍ତମ୍ଭ ଥିବା ଏକ ଟେବୁଲ ତିଆରି ହେଲା। ପ୍ରତି ସ୍ତମ୍ଭରେ ସଂଖ୍ୟା ଖସିଲା। କିଭଳି ? ମୋଟ ହିସାବ ବା ଚାଷୀ ଆତ୍ମହତ୍ୟା ନୂଆ ପର୍ଯ୍ୟାୟକୁ ଆସିଲା: ‘‘ପରିବାର ସଦସ୍ୟଙ୍କ ଆତ୍ମହତ୍ୟା।’’ ଏହା ଅର୍ଥ କୃଷକ ପରିବାରର ସଦସ୍ୟଙ୍କ ଆତ୍ମହତ୍ୟା ଚାଷୀ ଆତ୍ମହତ୍ୟାରେ ଗଣତି ହେବ ନାହିଁ। ସଂଖ୍ୟା କମାଇବାରେ ଏହା ସହାୟକ ହେଲା। ପରବର୍ତ୍ତୀ ସ୍ତମ୍ଭଟି ହେଉଛି, ‘‘ତଦନ୍ତ ହୋଇଥିବା ମାମଲା’’। ଏଥିରେ ମଧ୍ୟ ସଂଖ୍ୟା ଖସିଲା। ପରବର୍ତ୍ତୀ ସ୍ତମ୍ଭଟି ବାସ୍ତବରେ ଅଭିନବ - ‘‘ଯୋଗ୍ୟ ଆତ୍ମହତ୍ୟ।’’ ଏହା ହେଉଛି ସରକାର ଯାହା ଉପରେ କ୍ଷତିପୂରଣ ଦେବାକୁ ବିଚାର କରନ୍ତି। ଏହିଭଳି ୨୦୦୫ ପାଇଁ ୨,୪୨୫ ରୁ ଆରମ୍ଭ ହୋଇଥିବା ଆତ୍ମହତ୍ୟା ସ୍ତମ୍ଭ ୨୭୩ରେ ଶେଷ ହୋଇଥିଲା। (ମୋଟ ସଂଖ୍ୟାର ୧୨ ପ୍ରତିଶତରୁ କମ୍)। କମ୍ କରାଯାଇଥିବା ଏହି ସଂଖ୍ୟା ସରକାରୀ ଆତ୍ମହତ୍ୟା ସଂଖ୍ୟା ଭାବେ ଗଣତି ହେଲା। ଏବଂ ଆତ୍ମହତ୍ୟା ସଂଖ୍ୟାକୁ ‘କମ୍’ ସାବ୍ୟସ୍ତ କରାଗଲା।

ତା ପରେ ଆସିଲା ଯାହା ‘ଅଯଥାର୍ଥ’ ଆତ୍ମହତ୍ୟା। ଏହାର ଅର୍ଥ ନୁହେଁ ଯେ ମୃତ୍ୟୁଠାରୁ ଏହା କିଛି କମ୍। କିମ୍ବା ସେ ନିଜକୁ ନିଜେ ମାରି ନାହିଁ। ଏହାର ଅର୍ଥ ଋଣ ଏବଂ ହତାଶା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସରକାର ଗ୍ରହଣ କରିପାରୁ ନାହାନ୍ତି। (ଏପରିକି କିଛି ସୁଇସାଇଡ ନୋଟ୍ ଏହି କାରଣକୁ ସ୍ପଷ୍ଟ କରୁଥିଲେ ମଧ୍ୟ।) ଆତ୍ମହତ୍ୟା ‘ଯଥାର୍ଥ’ କି ନାହିଁ ତାର ଅନୁଧ୍ୟାନ କରିବାକୁ ସଂକଟରେ ପଡିଥିବା ଜିଲ୍ଲାଗୁଡିକରେ କମିଟି ଗଠନ ହେଲା। ଖୁବ୍ ପ୍ରଖର ଭାବେ ଏହି କମିଟି ଗୁଡିକ ଚାଲିଲା। ଏପରିକି ବେଳେବେଳେ ଗୋଟିଏ ମାସରେ ହୋଇଥିବା ପ୍ରତିଟି ଆତ୍ମହତ୍ୟାକୁ ସେମାନେ ‘ଅଯଥାର୍ଥ’ ଦର୍ଶାଇଲେ। ତାଙ୍କ ଜାଲିଆତି କାମ ଦ୍ୱାରା କ୍ୱଚିତ୍ ପରିବାର ଯେଉଁ ପରିବାରର ମୁଖ୍ୟ ରୋଜଗାରିଆ ଲୋକ ଆତ୍ମହତ୍ୟା କରିଛନ୍ତି, ସେମାନେ ସରକାରୀ କ୍ଷତିପୂରଣ ପାଇଲେ।

ଆଉ ଏବେ ବି ଏହା ହିଁ ଚାଲିଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନରେ ଶ୍ରୀଯୁକ୍ତ ରାଣେ ଉତ୍ତର ଦେଇଥିଲେ ୪ ବର୍ଷ ମଧ୍ୟରେ ଏହିଭଳି ହଜାର ହଜାର ସଂଖ୍ୟାର ‘ଅଯଥାର୍ଥ ଆତ୍ମହତ୍ୟା’ ହୋଇଛି।

ତେବେ ଏନସିଆରବି ତଥ୍ୟର ଅଡୁଆ ରହିଛି। ଠକିବା ପାଇଁ ଏହା ତାଙ୍କ ହାତରେ ନାହିଁ। ତେବେ ଏହା ନିଶ୍ଚିତ ଯେ, ସମୟ ଆସିଲେ ଏନସିଆରବି ତଥ୍ୟ ମଧ୍ୟ ଗୋଳିଆ ହେବ। ଯେତେବେଳେ ତଳ ସ୍ତରରୁ ଭୁଲ ରିପୋର୍ଟ ଦିଆଯିବ। କିନ୍ତୁ ଏଠି ଯେଉଁ ରାଜନୀତି ଚାଲିଛି ତାହା ହେଉଛି ପ୍ରସଙ୍ଗ। ଏଥିରୁ ମୁକ୍ତିପାଇଁ ଏକମାତ୍ର ଉପାୟ ହେଉଛି ଏନସିଆରବିକୁ ଅଣଦେଖା କରିବା। ତେଣୁ ସଂସଦରେ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଏହାର ଉଲ୍ଲେଖ ନଥିଲା। ଆପଣ କେବଳ ଅତୀତରୁ ପରିବର୍ତ୍ତନ ଦେଖିପାରିବେ।

୨୦୦୭ରେ ସେ ଯେଉଁ ଏନସିଆରବି ତଥ୍ୟ ରଖିଥିଲେ ସେଥିରେ ସ୍ପଷ୍ଟ ଥିଲା ଯେ ୧୯୯୭ ରୁ ୨୦୦୫ ମଧ୍ୟରେ ୧.୫ ଲକ୍ଷ ଆତ୍ମହତ୍ୟା ହୋଇଛି। ରାଜ୍ୟସଭାରେ ଏକ ତାରକାପ୍ରଶ୍ନ ନମ୍ବର ୨୩୮ର ଉତ୍ତର ଦେଇ (ନଭେମ୍ବର ୩୦, ୨୦୦୭), ଶ୍ରୀଯୁକ୍ତ ପାୱାର ଯେଉଁ ସଂଖ୍ୟା ଦେଇଥିଲେ ତାହା ତୁଳନାତ୍ମକ ଭାବେ ସେହି ସଂଖ୍ୟାର ଶେଷ ଅଙ୍କ ଥିଲା ଯାହା ଦୁଇ ସପ୍ତାହ ତଳେ ଦି ହିନ୍ଦୁ (ନଭେମ୍ବର ୧୨-୧୭)ରେ ପ୍ରକାଶ ପାଇଥିଲା। ସେତେବେଳର ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜ୍‌ର ପ୍ରଫେସର କେ. ନାଗରାଜଙ୍କ ତଥ୍ୟ ଉପରେ ହିନ୍ଦୁରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରିତ ଥିଲା। ତାଙ୍କ ଦ୍ୱାରା ବିଶ୍ଳେଷଣ ହୋଇଥିବା ଏହି ତଥ୍ୟ ଏନସିଆରବିରୁ ଆସିଥିଲା। ପ୍ରତିବର୍ଷ ଏହି ସଂସ୍ଥା ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା (ଏଡିଏସଆଇ) ରିପୋର୍ଟ ପ୍ରକାଶ କରେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଂଶଭାବେ ଥିବା ଏକମାତ୍ର ଅନୁଷ୍ଠାନ ଏନସିଆରବି, ଦେଶରେ ସବୁ ପ୍ରକାର ଆତ୍ମହତ୍ୟାର ତଥ୍ୟ ରଖେ।

ଏନସିଆରବି ରିପୋର୍ଟ ଆଧାରରେ ପ୍ରତିବର୍ଷ ଆତ୍ମହତ୍ୟା ସଂଖ୍ୟା ପ୍ରକାଶ କରୁଥିବା ଦି ହିନ୍ଦୁ ନାଗରାଜଙ୍କ ଅନୁଧ୍ୟାନକୁ ଅନୁସରଣ କରିଥାଏ। (ଏସବୁ ରିପୋର୍ଟ ସେମାନଙ୍କ ୱେବସାଇଟ୍‌ରେ ଉପଲବ୍ଧ। ଉଦାହରଣସ୍ୱରୂପ ୨୦୦୮ ତଥ୍ୟ ଅନୁସାରେ ସେହି ବର୍ଷ ‘‘ଆତ୍ମ ନିଯୁକ୍ତ (ଫାର୍ମିଂ / କୃଷି)’’ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୬, ୧୯୬। (http://ncrb.nic.in/ADSI2008/table-2.11.pdf ରେ ଏହା ଆପଣ ନିଜେ ଦେଖନ୍ତୁ)। କିନ୍ତୁ ଏହି ମେ ରେ ରାଜ୍ୟସଭାରେ ଶ୍ରୀଯୁକ୍ତ ପାୱାର ଦେଇଥିବା ସଂଖ୍ୟା ଥିଲା ୧,୨୩୭। (ଏଥିରେ କୌଣସି ସୂତ୍ର ସ୍ପଷ୍ଟ କରାଯାଇ ନଥିଲା। ଏପରିକି ପିଟିଆଇ ରିପୋର୍ଟରେ ବି ନଥିଲା)।ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଏନସିଆରବି ଆଧାରିତ ଡକ୍ଟର ନାଗରାଜଙ୍କ ରିପୋର୍ଟ ଏବଂ ଦି ହିନ୍ଦୁ କୁ ବିରୋଧ କରି ନାହାନ୍ତି। ସେମାନେ କେବଳ ନିଜେ ନିଜକୁ ବିରୋଧ କରିବାରେ ଖୁବ୍ ବ୍ୟସ୍ତ।

ଅତି ସରଳ କଥା, ଗରିବି ଆକଳନ କଲାବେଳେ ସରକାର ମଧ୍ୟ ଏହି କାମ କରୁଛନ୍ତି। ବିପିଏଲ ଗଣନା,ଏପିଏଲ ଗଣନା, ରାସନ୍ କାର୍ଡ, ଇତ୍ୟାଦି ଇତ୍ୟାଦି। ଚାଷୀ ଆତ୍ମହତ୍ୟା - ପ୍ରକୃତ ମଣିଷଙ୍କ ମୃତ୍ୟୁ। ଚାଷୀ ସଂକଟକୁ ନେଇ ଯେଉଁ ଜନଅସନ୍ତୋଷ ତା’ଠାରୁ ଅଧିକ ଭୟଂକର ଜାଲିଆତି କରିବାର ଚାପ।

ତଥାପି, ୨୦୧୧ ଜନଗଣନା ଅନେକ ଦୟନୀୟ ଚିତ୍ର ଦେବାରେ ସକ୍ଷମ ହବ। ଏହା କହିବ, କେଉଁ ରାଜ୍ୟରେ ପ୍ରକୃତରେ କେତେଜଣ ଚାଷୀ ଅଛନ୍ତି। ମହାରାଷ୍ଟ୍ର ଭଳି ରାଜ୍ୟରେ ୨୦୦୧ ଠାରୁ ଏହି ସଂଖ୍ୟା ଢେର କମିଯାଇପାରେ। (୨୦୦୧ ଜନଗଣନା କହିଥିଲା ୧୯୯୧ ରୁ ୮୦ ଲକ୍ଷ ଲୋକ ଚାଷ ଛାଡିଛନ୍ତି)। ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀ ଆତ୍ମହତ୍ୟା ହାର (ପ୍ରତି ୧୦୦,୦୦୦ ଚାଷୀରେ ଆତ୍ମହତ୍ୟା)କୁ ନେଇ ଡକ୍ଟର ନାଗରାଜଙ୍କ ହିସାବ ୨୦୦୧ ଜନଗଣନା ଉପରେ ଆଧାରିତ। ଉଦାହରଣ ସ୍ୱରୂପ ମହାରାଷ୍ଟ୍ର ପାଇଁ ଏଫଏସଆର ହେଉଛି ୨୯.୯। ଏହା ଅତ୍ୟନ୍ତ ଦୟନୀୟ - ଏବଂ ଆତ୍ମହତ୍ୟା ଖୁବ୍ ଗମ୍ଭୀର - ଯେତେବେଳେ ଚାଷୀଙ୍କ ଉପରେ ନୂଆ ଜନଗଣନା ଚିତ୍ର ଆସିଲା। କିନ୍ତୁ ଦୁର୍ନୀତି ଆଉ ଜାଲିଆତି ଏମିତି ଚାଲିବ।

ଏହି ଲେଖାଟି ପ୍ରଥମେ ଦି ହିନ୍ଦୁରେ ପ୍ରକାଶ ପାଇଥିଲା। http://www.thehindu.com/opinion/lead/article428367.ece ରେ 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath