କୃ​‌ଷି ଋଣ ଛାଡ଼ ପାଇଁ ଜୁନ୍ ୬ରେ, ଯେତେବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ପ୍ରତିଶ୍ରୁତି ଦଲେ, ସେତେବେଳେ ଗଣମାଧ୍ୟମକୁ କହିଲେ, ‘‘ଏହା ଇତିହାସରେ ସବୁଠୁ ବଡ଼ ହେବ।’’ ଏହା ବଡ଼ ନିଶ୍ଚିତ ଭାବେ ହେଲା, ତେବେ ଋଣ ‘ଛାଡ଼’ ଯୋଗ୍ୟତା ପାଇଁ ଯେତେ ସଂଖ୍ୟାରେ ସର୍ତ୍ତ ଲାଗିଲା ତାହାହିଁ ହେଲା ସବୁଠାରୁ ବଡ଼। 

କିଛି ଆଶ୍ୱସ୍ତି ପାଇଁ ଅପେକ୍ଷା କରି ରହିଥିଲେ ଔରଙ୍ଗାବାଦ ଜିଲ୍ଲାର ମରୁଡ଼ି ପ୍ରଭାବିତ ପରୁଣ୍ଡି ଗାଁର ବାପ୍ପାସାହେବ ଇର୍କାଲ। ଯେତେବେଳେ ପୁଳାପୁଳା ସର୍ତ୍ତ କଥା ଶୁଣିଲେ, ସେତେବେଳେ ସେ ହସିବେ କି କାନ୍ଦିବେ ଜାଣି ପାରିଲେନି। ସ୍ତ୍ରୀ ରାଧା ଓ ବାପା ଭାନୁଦାସଙ୍କ ସହ ୧୬ ଏକର ଚାଷ ଜମିରେ ଘାସ ବାଛିବା ବେଳେ ୪୧-ବର୍ଷୀୟ ଏହି ଚାଷୀ ଜଣଙ୍କ କହିଲେ, ‘‘ସର୍ବୋଚ୍ଚ [ଋଣ ଛାଡ଼] ସୀମା ୧.୫ ଲକ୍ଷ ଟଙ୍କା।'' "ମୋର ୯ ଲକ୍ଷ ଟଙ୍କାର ଋଣ ଅଛି। ଯଦି ମୁଁ ୭.୫ ଲକ୍ଷ ଟଙ୍କା ପରିଶୋଧ କରେ ତା’ହେଲେ ୧.୫ ଲକ୍ଷ ଟଙ୍କାର ଲାଭ ପାଇବି।’’ 

ରାଧା କହନ୍ତି, ୨୦୧୨-୨୦୧୫ ମଧ୍ୟରେ ବ୍ୟାଙ୍କ ଋଣ ବଢି ଯାଇଥିଲା। ଏହି ସମୟରେ ମରୁଡି ମାରିଥିଲା। ପଛକୁ ପଛ ସବୁ ଫସଲ ଉଜୁଡ଼ି ଯାଇଥିଲା। ୨୦୧୪ରେ, ଏହି ପରିବାର ଚାରି କିଲୋମିଟର ଦୂରରେ ଥିବା ଏକ ଜଳାଶୟକୁ ପାଇପଲାଇନ୍ ସଂଯୋଗ କରିଥିଲେ। ସେମାନେ ଜମିରେ ଖୋଳିଥିବା କୂଅ ସହ ପାଇପ ସଂଯୋଗ କରିଥିଲେ। ସେ କହନ୍ତି, ‘‘ସେ ବର୍ଷ ବି ଅନିୟମିତ ବର୍ଷା ହେଲା।’’ “କପା ଆଉ ହରଡ଼ ଫସଲ ସଂପୂର୍ଣ୍ଣ ଶୁଖିଗଲା। ଯେତେବେଳେ ଫଡ଼ନାଭିସ ଚାଷୀଙ୍କ ଋଣ ଛାଡ଼ କଥା କହିଲେ, ଆମ ଭିତରେ ଆଶା ସଂଚାର କଲା। କିନ୍ତୁ ଏହା ଆମ ପାଇଁ ଉପହାସ ଥିଲା। ଯଦି ଆମ ପାଖରେ ପରିଶୋଧ କରିବାକୁ ଟଙ୍କା ଥାଆନ୍ତା, ଆମ ମୁଣ୍ଡରେ ଋଣ ବୋଝ ଲଦି ଥାଆନ୍ତୁ କି?’’ 

PHOTO • Parth M.N.

୧.୫ ଲକ୍ଷ ଟଙ୍କାର ଋଣ ଲାଭ ପାଇବାକୁ ପରୁନ୍ଦି ଗାଁର ବାପ୍ପାସାହେବ ଓ ରାଧା ଇର୍କାଲଙ୍କୁ ପ୍ରଥମେ ୭.୫ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ହେବ! ‘... ଏହା ଆମ ପାଇଁ ଏକ ଉପହାସ,’ ରାଧା କହିଲେ 

ଜୁନ୍ ୧ରେ କୃଷକ ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିଲେ। କୃଷକମାନଙ୍କର ସବୁଠାରୁ ବଡ଼ ଦାବି ଥିଲା ପଡ଼ି ରହିଥିବା ସ୍ୱାମୀନାଥନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ କରିବା। ଏଥିରେ କୃଷକଙ୍କୁ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ପାଇଁ ସୁପାରିଶ ହୋଇଛି ତାହା ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ। ଏହାସହ ସଂପୂର୍ଣ୍ଣ କୃଷି ଋଣ ଛାଡ଼ ସୁପାରିଶ ରହିଛି। କ୍ରୋଧରେ ଥିବା ଚାଷୀଙ୍କୁ ଶାନ୍ତ କରିବାକୁ ଫଡ଼ନାଭିସ ଋଣଛାଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଋଣଛାଡ଼ ପାଇଁ ଯେତେବେଳେ ଜୁଲାଇ ୨୪ରେ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଲା, ଏଥିରେ ଥିବା ସର୍ତ୍ତ ମହାରାଷ୍ଟ୍ର ମରାଠାୱାଡ଼ା ଅଞ୍ଚଳର ଚାଷୀଙ୍କୁ ଅଧିକ କ୍ରୋଧାନ୍ୱିତ କଲା। 

୧.୫ ଲକ୍ଷ ଟଙ୍କାର ସୀମା ନିର୍ଦ୍ଧାରଣ ଯୋଗୁଁ ବହୁ ଚାଷୀ ବାଦ ପଡ଼ିଥିଲେ, ଯେଉଁମାନଙ୍କ ପାଇଁ ଋଣଛାଡ଼ ସବୁଠୁ ଅଧିକ ଆବଶ୍ୟକ ଥିଲା। ଅନ୍ୟପଟେ ଯେଉଁ ଚାଷୀଙ୍କର ୧.୫ ଲକ୍ଷ ଟଙ୍କାରୁ କମ୍ ଋଣ ସେମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ସହଜରେ ଉପଲବ୍ଧ ନଥିଲା। 

ଲାଟୁର ଜିଲ୍ଲା ମାତେଫଲ୍ ଗାଁର ୫୦ ବର୍ଷୀୟ ମଙ୍ଗଲ ଜମ୍ଭାର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରୁ ୨ ଲକ୍ଷ ଟଙ୍କା ଋଣ କରିଛନ୍ତି। ସେ ଚିନ୍ତାକଲେ, ଯଦି ୫୦ ହଜାର ଟଙ୍କା ଯୋଗାଡ଼ କରିପାରିବେ ତାହାଲେ ଋଣ ଛାଡ଼ ପାଇଁ ଯୋଗ୍ୟ ହୋଇପାରିବେ। କିନ୍ତୁ ଏହା ପରେ ବି ତାଙ୍କ ପାଇଁ ପ୍ରତିବନ୍ଧକ ଥିଲା। ସେ କହନ୍ତି, ‘‘ମୋ ପୁଅ (ଜଣେ ଯବାନ) ସେନାରେ ଅଛି, ଆସାମରେ କାମ କରୁଛି। ପରିବାରରେ ଜଣେ ଚାକିରିଆ ଥିଲେ ଋଣ ଛାଡ଼ ସୁବିଧା ମିଳିବ ନାହିଁ। ’’ 

ଏକ ଦୁର୍ଘଟଣାରେ ମଙ୍ଗଲ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ଏହା ପରେ ସେ ତାଙ୍କ ଘର ଚଳାଇଛନ୍ତି। ଦୁଇ ପୁଅ ଓ ଗୋଟିଏ ଝିଅକୁ ଅକ୍ଳାନ୍ତ ପରିଶ୍ରମ କରି ବଡ଼ କରିଛନ୍ତି। ତାଙ୍କର ଚାରି ଏକର ଚାଷ ଜମିରେ ସେ ହରଡ଼ ଓ ସୋୟାବିନ ଚାଷ କରନ୍ତି। ୨ ଲକ୍ଷ ଟଙ୍କା ପରିଶୋଧ କରିନଥିବାରୁ ସେ ନୂଆ ଋଣ କରିପାରୁ ନାହାନ୍ତି। ଗତ ଫେବ୍ରୁଆରୀରେ ସେ ଏକ ଘରୋଇ ମାଇକ୍ରୋ ଫାଇନାନ୍ସିଂ ସଂସ୍ଥାରୁ ୧.୫ ଲକ୍ଷ ଟଙ୍କା ଉଧାର ଆଣିଥିଲେ। ଜୁନ ମାସରେ ବୁଣାବୁଣି ପାଇଁ ସେ ଏହି ଟଙ୍କା ଆଣିଥିଲେ। ସେ କହନ୍ତି, ‘‘ଯେତେବେଳେ ମୁଁ ଋଣଛାଡ଼ କଥା ଶୁଣିଲି, ଭାବିଲି ଆଉ ଏକ ନୂଆ ଋଣ ପାଇଁ ମୁଁ ଖୁବ୍ ଶୀଘ୍ର ଯୋଗ୍ୟ ବିବେଚିତ ହେବି ଏବଂ ଏହି ଋଣକୁ ପରିଶୋଧ କରିଦେବି''। "ବ୍ୟାଙ୍କଠାରୁ ଏହାର ସୁଧ ପରିମାଣ ବହୁ ଅଧିକ। ୪ ବର୍ଷ ପରେ ମୁଁ ୭୦,୦୦୦-୮୦,୦୦୦ ଟଙ୍କା ଅଧିକ [ମୂଳ ଧନ ସହ] ଦେବି। ବ୍ୟାଙ୍କ ଆପଣଙ୍କୁ ନିର୍ଯାତନା ବି ଦେବନି।’’ 

ଭିଡିଓ ଦେଖନ୍ତୁ: ମାତେଫଲ ଗାଁର ମଙ୍ଗଲ ଜମ୍ଭାରେ ଛାଡ଼ ପାଇବାକୁ ଅଯୋଗ୍ୟ କାରଣ ତାଙ୍କ ପୁଅ ଆର୍ମୀ ଯୱାନ; ଗୋଟିଏ ପରିବାରରେ ଯଦି ଜଣେ ସରକାରୀ ଚାକିରିଆ ଥାଆନ୍ତି, ତେବେ ଋଣ ଛାଡ଼ ପାଇଁ ଜଣେ ଯୋଗ୍ୟ ହେବେ ନାହିଁ  

ମାଇକ୍ରୋ-ଫାଇନାନ୍ସ ରିକଭରି ଏଜେଣ୍ଟମାନଙ୍କ ଦ୍ୱାରା ମଙ୍ଗଲ ଜମ୍ଭାରେ ନିର୍ଯାତିତ ହୋଇଛନ୍ତି। ସେମାନେ ବାରମ୍ବାର ତାଙ୍କୁ କଲ୍ କରନ୍ତି ଆଉ ଭୟଭୀତ କରାନ୍ତି - ପ୍ରଥମ ଛଅ-ମାସିଆ କିସ୍ତି ୨୮,୮୦୦ ହଜାର ଟଙ୍କା ସେ ଦେଇ ପାରିନାହାନ୍ତି। ସେ କହନ୍ତି, ‘‘ଘର ଦଖଲ କରିବେ ବୋଲି ସେମାନେ ଧମକ ଦିଅନ୍ତି’’। “ସେମାନେ ମାସରେ ୪-୫ ଥର ଆସନ୍ତି। ସେମାନେ ଆସୁଥିବାର ଦେଖିଲେ ମୁଁ ପଡ଼ିଶା ଘରେ ଲୁଚିଯାଏ। ରାଜ୍ୟ ସରକାରଙ୍କ ଋଣ ଛାଡ଼ କାର୍ଯ୍ୟକାରୀ ହୋଇ ହୁଏତ ମୁଁ ଏଥିରୁ ସ୍ଥାୟୀ ମୁକ୍ତି ପାଇଥାନ୍ତି।’’ 

ଗାଁର ଏକ ଚା ଦୋକାନରେ ଥିବା ୬୨ ବର୍ଷୀୟ ଦିଗମ୍ବର ଖୋସେ ମଧ୍ୟ ହତୋତ୍ସାହିତ ଥିଲେ। ତାଙ୍କ ନାଁରେ ତିନି ଏକର ଚାଷ ଜମି ଅଛି। ତାଙ୍କ ଦୁଇ ପୁଅଙ୍କ ନାଁରେ ପାଞ୍ଚ ଏକର ଲେଖାଏଁ ଜମି ଅଛି ଏବଂ ତାଙ୍କ ବୋହୂଙ୍କ ନାଁରେ ତିନି ଏକର ଜମି ଅଛି। ସେ କହନ୍ତି, ‘‘ମୁଁ ୧ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ କରିଛି।’’ “ମୋ ବୋହୂ ୧.୫ ଲକ୍ଷ ଟଙ୍କା ଓ ଗୋଟିଏ ପୁଅ ୪-୫ ଲକ୍ଷ ଓ ଆଉ ଜଣେ ପୁଅ ୨ ଲକ୍ଷ। ଗାଁରୁ ୧୫ କିଲୋମିଟର ଦୂରରେ ଥିବା ଏକ ଅନଲାଇନ୍ କେନ୍ଦ୍ରକୁ ଯାଇ ଆମେ ଫର୍ମ ପୂରଣ [ଋଣ ଛାଡ଼ ଆବେଦନ] କରିଛୁ। ସବୁ କାଗଜପତ୍ର ଦେଇଛୁ। ଗତ ରାତିରେ ମୁଁ ଏକ ଏସ୍ଏମ୍‌ଏସ୍ ପାଇଥିଲି। ଏଥିରେ କୁହାଯାଇଥିଲା ପରିବାରରୁ କେବଳ ଜଣଙ୍କ ଋଣ ଛାଡ଼ ହେବ।’’

ଖୋସେଙ୍କର ବିଶ୍ୱାସ ରାଜ୍ୟ ସରକାର ଚାଷୀଙ୍କୁ ନିଷ୍ପୁର ପରିହାସ କରୁଛନ୍ତି। ସେ ରାଗିଯାଇ କହିଲେ, ‘‘ଲୋକଙ୍କୁ ବୋକା ବନେଇବା ଉଦ୍ଦେଶ୍ୟ।’’ ଟିଣ ଛାତ ପଡ଼ିଥିବା ଏହି ଚା’ ଦୋକାନରେ ବସିଥିବା ଅନ୍ୟ ଚାଷୀମାନେ ଏଥିରେ ସହମତ ହେଲେ। ‘‘ଯଦି ଆମର ଅଲଗା ଜମି ଓ ଅଲଗା ଆକାଉଣ୍ଟ ଅଛି, କାହିଁକି ଆମେ ଯୋଗ୍ୟ ବିବେଚିତ ହେବୁ ନାହିଁ? ସରକାର ଆମ ଭିତରେ ଆଶା ସଂଚାର କରିଥିଲେ ଭାଙ୍ଗି ଦେବା ପାଇଁ।’’

ଭିଡିଓ ଦେଖନ୍ତୁ: ହତାଶ ହୋଇପଡ଼ିଥିବା ଦିଗମ୍ବର ଖୋସେ କହନ୍ତି, ‘ସରକାର ଆମ ଭିତରେ ଆଶା ସଂଚାର କରିଥିଲେ କେବଳ ଭାଙ୍ଗିଦେବା ପାଇଁ’

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସିଷ୍ଟ) ସହ କାମ କରୁଥିବା କୃଷକ ନେତା ରାଜେ ଦେଶଲେ କହନ୍ତି, ମହାରାଷ୍ଟ୍ରର ଅଧିକାଂଶ ଚାଷୀ ଋଣ ଛାଡ଼ରୁ ବାଦ ପଡ଼ିବେ। ଦେଶଲେ ସୁକାନୁ (କୋର ବା ଷ୍ଟିୟରିଂ) କମିଟିର ଜଣେ ସଦସ୍ୟ ଥିଲେ। ସରକାରଙ୍କ ସହ ଆଲୋଚନା କରିବାକୁ ଜୁନ୍ ମାସରେ ଆନ୍ଦୋଳନ ବେଳେ ଏହି କମିଟି ଗଠନ ହୋଇଥିଲା। ସେ କହନ୍ତି, ‘‘ଜଣା ପଡ଼ୁଛି ରାଜ୍ୟ ସରକାର ୩୪,୦୦୦ କୋଟି ଟଙ୍କାର ଋଣ ଛାଡ଼ କରିବେ ନାହିଁ।’’ (ଏହି ପରିମାଣ ହେଉଛି ଫଡ଼ନାଭିସ୍‌ଙ୍କ ମୋଟ ଋଣର ହିସାବ)। “ଏତେ ଗୁଡ଼ାଏ ସର୍ତ୍ତ ଆମକୁ ଆଶ୍ଚର୍ଯ୍ୟ କରୁଛି ଯେ, ପ୍ରକୃତରେ ସେମାନେ ଚାଷୀଙ୍କ ଦୁଃଖ ବୁଝିବେ କି ନାହିଁ।’’ 

ସଂଖ୍ୟାରୁ ଏହା ସତ ଭଳି ଲାଗୁଛି: ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଋଣ ଛାଡ଼ ପାଇଁ ଆବେଦନର ଶେଷ ତାରିଖ ଥିଲା, ରାଜ୍ୟ ସରକାର ପାଖାପାଖି ୫୭ ଲକ୍ଷ ଆବେଦନ ଗ୍ରହଣ କରିଥିବା, ସମବାୟ ରାଷ୍ଟ୍ରମନ୍ତ୍ରୀ ସୁବାସ ଦେଶମୁଖ ଏହି ରିପୋର୍ଟରଙ୍କୁ କହିଥିଲେ। ଏଥିରୁ ସମସ୍ତେ ଯୋଗ୍ୟ ହେବେ ନାହିଁ। ଟାଇମ୍‌ସ ଅଫ୍ ଇଣ୍ଡିଆ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୮୯ ଲକ୍ଷ ଚାଷୀଙ୍କ ଋଣଛାଡ଼ ଲକ୍ଷ୍ୟ ରଖାଯାଇଥିଲା। ଏହି ଲକ୍ଷ୍ୟଠାରୁ ଏହା ୩୧ ଲକ୍ଷ କମ୍। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏହି ସଂଖ୍ୟା ଦେଇଥିଲା। କିନ୍ତୁ ଏତେଗୁଡ଼ିଏ ସର୍ତ୍ତ ଲାଗିବ ବୋଲି ଏହି କମିଟିର ଦୂରଦୃଷ୍ଟି ନଥିଲା। 

ଫଡ଼ନାଭିସ ଏହା ବି କହିଥିଲେ ଜୁନ ୨୦୧୬ ସୁଦ୍ଧା ‘ନନ୍ ପର୍ଫମିଙ୍ଗ ଆସେଟ୍‌ସ୍’ (ଏନପିଏଏସ୍) ମଧ୍ୟ ଛାଡ଼ ପାଇବେ। ଏନପିଏ ହେଉଛି ଏକ ଏକାଉଣ୍ଟ ଯାହା ଶୁପ୍ତ ଅବସ୍ଥାରେ ଥାଏ, ଯେତେବେଳେ ଜଣେ ଏକାଉଣ୍ଟଧାରୀ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଋଣ ପରିଶୋଧ କରି ନଥାନ୍ତି। ତେବେ ଏଥିରେ ଏକ କ୍ୟାଚ୍ ରହିଥିବା କହନ୍ତି ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ଯୁଗ୍ମ ସଂପାଦକ ଦେବୀଦାସ ତୁଲଜାପୁର୍‌କର। ସେ କହନ୍ତି, ‘‘ପ୍ରତିବର୍ଷ ବ୍ୟାଙ୍କ ଏନପିଏ ଆକାଉଣ୍ଟର ସମୀକ୍ଷା କରେ ଏବଂ ଏହାକୁ ଟର୍ମ ଲୋନ୍‌ରେ ପରିବର୍ତ୍ତନ କରାଯାଏ। ଫଳରେ କାଗଜପତ୍ରରେ ଏନପିଏ ନିୟନ୍ତ୍ରଣରେ ଥାଏ। ଏହା ପରେ ଏକାଉଣ୍ଟ ‘ପର୍ଫମିଙ୍ଗ ଆସେଟ୍‌’ ହୋଇଯାଏ। ଏହାକୁ ଏନ-ମାସି ପ୍ରକ୍ରିୟା କହନ୍ତି। ସେଥିପାଇଁ ବହୁ ସଂଖ୍ୟାରେ କୃଷି ଏକାଉଣ୍ଟ ଋଣ ଛାଡ଼ ତାଲିକାରେ ରହିବ ନାହିଁ।’’

ପରଭାନି ଜିଲ୍ଲା ଜୱଲା ଜୁଟ୍ ଗାଁର ସୁରେଶ ଜୁଟ୍‌ଙ୍କ ବ୍ୟାଙ୍କ ଋଣ ନବୀକରଣ ହୋଇଥିଲା। ଏହା ଅର୍ଥ ୪୫-ବର୍ଷୀୟ ଏହି ଚାଷୀ ବ୍ୟାଙ୍କ ଏନପିଏ ଭିତରେ ନାହାନ୍ତି। ପରଭାନି ଜିଲ୍ଲା ସମବାୟ ବ୍ୟାଙ୍କରୁ ସେ ୧ ଲକ୍ଷ ଆଣିଥିଲେ। ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ମଧ୍ୟ ୧.୨୦ ଲକ୍ଷ ଟଙ୍କା ଋଣ ଥିବା ଦର୍ଶାଯାଇଛି। ସୁରେଶ କହନ୍ତି, ‘‘ମୋ ବଡ଼ ଭାଇ ଚଣ୍ଡିକାଦାସଙ୍କର ୬ଲକ୍ଷ ଟଙ୍କାର ଋଣ ଥିଲା’’। “ଏହା ଏନପିଏ ତାଲିକାଭୁକ୍ତ ହୋଇଛି, କିନ୍ତୁ ଛାଡ଼ ସୀମା ୧.୫ ଲକ୍ଷ ଟଙ୍କା, ଏହାର ଅର୍ଥ ଏହି ଋଣରେ କିଛି କରିହେବ ନାହିଁ। 

PHOTO • Parth M.N.

ସୁରେଶ ଜୁଟ୍ (ଡାହଣ) ଏବଂ ତାଙ୍କ ସଂପର୍କୀୟ ଭାଇ ଲକ୍ଷ୍ମଣ ଯିଏ ଋଣ ସଂକଟରେ ତାଙ୍କ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହରାଇଛନ୍ତି, ଯେତେବେଳେ ଛାଡ଼ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ  

କପା ଚାଷ ଉଜୁଡ଼ିଯିବା ପରେ ଚଣ୍ଡିକାଦାସ ଅଗଷ୍ଟ ୩ ତାରିଖରେ ବିଷ ଖାଇ ଆତ୍ମହତ୍ୟା କରିଥିଲେ। ସୁରେଶଙ୍କ କୁଟୁମ୍ବ ଲୋକ ଜାୱଲା ଜୁଟ୍‌ରେ ଥିବା ତାଙ୍କ ଘରକୁ ଯାଇଥିଲେ। ତାଙ୍କର ଦୁଇ ପୁଅ ସେଲୁ ଓ ବେଦ୍‌ରେ ପଢନ୍ତି। ତାଙ୍କ ଝିଅ, ୧୮ ବର୍ଷୀୟା ସାରିକା ମଧ୍ୟ ବେଦ୍‌ରେ ପଢନ୍ତି। 

ସମବେଦନା ଜଣାଇବାକୁ ତାଙ୍କ ଘରକୁ ଆସିଥିବା ଲୋକଙ୍କ ପାଇଁ ଅଗଷ୍ଟ ୮ତାରିଖରେ ସାରିକା ଚା’ କପେ ତିଆରି କରିଥିଲେ। ତା’ ପରେ ଭିତର ପାଖରେ ଥିବା ଏକ କୋଠରୀକୁ ପଳାଇଥିଲେ। କିଛି ସମୟ ପରେ ବାହାରକୁ ନଆସିବାରୁ ତାଙ୍କର ଜଣେ ସଂପର୍କୀୟ ଭାଇ କବାଟ ଠକ୍‌ଠକ୍ କରିଥିଲେ। ଏବଂ କିଛି ଜବାବ ନମିଳିବାରୁ, ସେମାନେ କବାଟ ଭାଙ୍ଗିଥିଲେ ଏବଂ ଲଏସାରିକା ଛାତରେ ରଶି ଲଗାଇ ଝୁଲି ପଡ଼ିଥିଲେ। 

ମରାଠୀ ଭାଷାରେ ଲେଖାଥିବା ଏକ ସୁଇସାଇଡ଼ ନୋଟ ପଡ଼ିଥିଲା: ‘‘ପ୍ରିୟ ବାପା, ଫସଲ ଉଜୁଡି ଯିବାରୁ ଦାଦା ଆତ୍ମହତ୍ୟା କରିଛନ୍ତି। ଆମ ଫସଲ ମଧ୍ୟ ମରି ଯାଇଛି। ତମେ ଚାଷ ପାଇଁ କରଜ କରିଥିଲ। ମୁଁ ତୁମର ଆର୍ଥିକ ସଂକଟ ଦେଖିପାରିବିନି। ଦିଦି ଗତବର୍ଷ ବାହା ହୋଇଛି ଏବଂ ଏପର୍ଯ୍ୟନ୍ତ ବି ତୁମେ ସେ କରଜ ସୁଝିନ। ମୁଁ ଭୟଭୀତ ଯେ ମୋ ବିବାହ ତୁମକୁ ଅଧିକ କଷ୍ଟ ଦେବ। ସେଥିପାଇଁ ମୁଁ ଜୀବନ ହାରୁଛି, ତୁମକୁ ସେଭଳି କରିବାକୁ ପଡ଼ିବନି।’’ 

ଗୋଟିଏ ସପ୍ତାହରେ ପରିବାରର ଦୁଇ ଜଣ ସଦସ୍ୟଙ୍କୁ ହରାଇ ସୁରେଶ ମର୍ମାହତ ହୋଇପଡ଼ିଥିଲେ, ସାରିକା ଏଭଳି ଚରମ ପଦକ୍ଷେପ ନେବ ବୋଲି ସୁରେଶ କେବେ ଭାବି ନଥିଲେ। ଲୁହଭିଜା ଆଖିରେ ସୁରେଶ କହିଲେ, ‘‘ଆମେ ଦୁଇ ଦିନ ପୂର୍ବରୁ କ୍ଷେତକୁ ଯାଇଥିଲୁ। ସେ ଫସଲର ଅବସ୍ଥା ଦେଖିଥିଲା।’’ “ମୁଁ ନିରକ୍ଷର। ହିସାବ ରଖିବାରେ ସେ ଅଧିକାଂଶ ସମୟରେ ମୋତେ ସାହାଯ୍ୟ କରେ। ସେ ଜାଣିଛି, ତା ଭଉଣୀ ବାହାଘରରେ ଆମେ କେତେ ଟଙ୍କା ଖର୍ଚ୍ଚ କରିଥିଲୁ। ଝିଅମାନେ ଖୁବ୍ ସମ୍ବେଦନଶୀଳ। ସେମାନେ ତାଙ୍କ ବାପା ମାଆଙ୍କର ଯେମିତି ଯତ୍ନ ନିଅନ୍ତି, ଅନ୍ୟ କେହି ସେଭଳି କରି ପାରିବେନି।’’ 

ସୁରେଶ କହିଲେ, ଯଦି ସେ ଋଣ ଛାଡ ପାଇଁ ଯୋଗ୍ୟ ହୋଇଥାନ୍ତେ, ବୋଧହୁଏ ସାରିକା ଭୟଭୀତ ହୋଇ ନଥାନ୍ତା। ତାଙ୍କ ଆତ୍ମହତ୍ୟା ପୂରା ଗାଁକୁ ସ୍ତବ୍ଧ କରି ଦେଇଥିଲା। ଏହି ଦୁଃଖଦ ଘଟଣା ତହସିଲଦାରଙ୍କୁ ବାଧ୍ୟ କରିଥିଲା ତାଙ୍କ ଘରକୁ ଋଣ ବାବଦରେ ସଂପୂର୍ଣ୍ଣ ତଥ୍ୟ ହାସଲ କରିବାକୁ। ଯଦିଓ ଛାଡ଼ ପାଇଁ ସେ ସର୍ତ୍ତାନୁସାରେ ଯୋଗ୍ୟ ନୁହନ୍ତି, ତଥାପି ଋଣ ଟଙ୍କାକୁ ନେଇ ଚିନ୍ତିତ ନହେବାକୁ ତହସିଲଦାର ତାଙ୍କୁ ମୁହଁରେ ପ୍ରତିଶ୍ରୁତି ଦେଇଥିଲେ। 

ମରାଠଓ୍ୱାଡ଼ାର ବହୁ କୃଷକ ଛାଡ଼ ପାଉ ନଥିବା ବେଳେ ହୁଏତ ସୁରେଶଙ୍କ ଋଣ ଛାଡ଼ ହୋଇପାରେ। କିନ୍ତୁ ଏକ ବଡ଼ ମୂଲ୍ୟ ବିନିମୟରେ। 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.