ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ଗୁମାଡିଦଲା ବ୍ଲକର ଡୋମାଡ଼ୁଗୁ ଗାଁରେ ଥିବା ଏକ ଇଟା ଭାଟିରେ ବୈଦେହୀ ଓ ତାଙ୍କ ସ୍ୱାମୀ ଏକ ଦଶନ୍ଧିରୁ ଅଧିକ ସମୟ ହେବ କାମ କରି ଆସୁଛନ୍ତି। ସେମାନେ ନୂଆପଡ଼ା ଜିଲ୍ଲା କୁରୁମପୁରୀ ପଞ୍ଚାୟତରୁ ପ୍ରତିବର୍ଷ ଏଠାକୁ ଆସନ୍ତି। ବୈଦେହୀ କହନ୍ତି, ‘‘ପ୍ରତିବର୍ଷ ଆମେ ସେଠ୍‌ଙ୍କଠାରୁ ୨୦,୦୦୦ ଟଙ୍କା ଅଗ୍ରୀମ ନେଇଥାଉ। ଏହା ବାଦ ଭାଟି ମାଲିକ ତାଙ୍କୁ ପ୍ରତିଦିନ ଖାଇବା ଖର୍ଚ୍ଚ ବାଦକୁ ୬୦ ଟଙ୍କା ଦିଏ। ‘‘ଦୟାକରି ସେଠ୍‌ଙ୍କୁ କୁହ ଆମକୁ ଅତି କମରେ ୮୦ ଟଙ୍କା ଦେବେ ଯେଉଁଥିରେ ଆମେ ଅଧା ପେଟରେ ଶୋଇପାରିବୁ। ’’

ବୈଦେହୀଙ୍କ ପରିବାରକୁ ୨୦୧୭ରେ ଭେଟିଥିଲି ଯେତେବେଳେ ମୁଁ ତେଲେଙ୍ଗାନାର ରଙ୍ଗାରେଡ୍ଡୀ, ସଙ୍ଗାରେଡ୍ଡୀ ଏବଂ ୟଦାରୀ ଭୁବନଗିରି ଜିଲ୍ଲାକୁ ଆଉ ଥରେ ଯାଇଥିଲି।

ଏହାର ଅନେକ ବର୍ଷ ପୂର୍ବରୁ, ୧୯୯୦ ଦଶକରେ, ଯେତେବେଳେ କଳାହାଣ୍ଡି (ବର୍ତ୍ତମାନ ବିଭାଜିତ ହୋଇ ନୂଆପଡ଼ା ଜିଲ୍ଲା ହୋଇଛି) ଏବଂ ଏହାର ପାର୍ଶ୍ୱବର୍ତ୍ତୀ ବଲାଙ୍ଗିର ଜିଲ୍ଲାରୁ (ବିଭାଜିତ ହୋଇ ସୋନପୁର ଜିଲ୍ଲା ହୋଇଛି। ଏହାକୁ ଏବେ ସୁବର୍ଣ୍ଣପୁର କୁହାଯାଉଛି) ଲୋକେ ରାଜ୍ୟ ବାହାରକୁ ଯିବା ନେଇ ମୁଁ ଗବେଷଣା ଏବଂ ରିପୋର୍ଟ ପ୍ରସ୍ତୁତ କରୁଥିଲି, ସେତେବେଳେ ଚାରି ପ୍ରକାର ସ୍ଥାନାନ୍ତରଣ ଦେଖିଛି।

ଯେଉଁମାନେ ରାୟପୁର ସହର (ବର୍ତ୍ତମାନ ଛତିଶଗଡ଼ର ରାଜଧାନୀ)କୁ ଯାଆନ୍ତି ସେମାନେ ଦିନ ମଜୁରି କରନ୍ତି, ରିକ୍ସା ଟାଣନ୍ତି, ହୋଟେଲ ସଫା କରନ୍ତି କିମ୍ବା ଅନ୍ୟ କେଉଁଠି ଶ୍ରମିକ ଭାବେ କାମ କରନ୍ତି; ଯେଉଁମାନେ ସମ୍ବଲପୁର ଏବଂ ବରଗଡ଼ ଭଳି ଜଳସେଚିତ ଜିଲ୍ଲାକୁ ଯାଆନ୍ତି; ଯେଉଁ ଯୁବକମାନେ ଦିଲ୍ଲୀ, ମୁମ୍ବାଇ କିମ୍ବା ଅନ୍ୟ ସହରାଞ୍ଚଳକୁ ଯାଆନ୍ତି ସେମାନେ ପ୍ରାୟ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି; ଏବଂ କିଛି ପରିବାର ଆନ୍ଧ୍ରପ୍ରଦେଶକୁ ଇଟା ଭାଟିରେ କାମ କରିବାକୁ ଯାଆନ୍ତି (ଏବଂ ପରେ ଉପକୂଳ ଓଡ଼ିଶାକୁ ଯାଉଛନ୍ତି)।  

PHOTO • Purusottam Thakur

ବୈଦେହୀ (ପାଖରେ), ତାଙ୍କ ସ୍ୱାମୀ ଏବଂ ସଂପର୍କୀୟମାନେ ତେଲେଙ୍ଗାନାର ଏକ ଇଟା ଭାଟିରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାମ କରୁଛନ୍ତି। ଏଥର ସାଙ୍ଗରେ ଗୋଟିଏ ଛୁଆକୁ ଆଣିଥିବାବେଳେ ଅନ୍ୟ ଦୁଇ ଛୁଆଙ୍କୁ ଛାଡି ଆସିଛନ୍ତି, କାରଣ ସେମାନେ ଏବେ ସ୍କୁଲ ଯାଉଛନ୍ତି। 

୧୯୫୦ ଦଶକର ମଧ୍ୟ ଭାଗ ଆଡ଼କୁ ଏହି ଦେଶାନ୍ତରୀ ଆରମ୍ଭ ହୋଇଥିଲା, ଯେତେବେଳେ କଳାହାଣ୍ଡି ଏବଂ ବଲାଙ୍ଗିରରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ୮୦ ଦଶକର ଶେଷ ଭାଗ ଏବଂ ୯୦ ଦଶକର ଆରମ୍ଭରେ ଲେକେ ମରୁଡି, ଫସଲହାନୀ ଏବଂ ଋଣ ଯନ୍ତାରେ ପଡ଼ି ଦେଶାନ୍ତରୀ ହୋଇଥିଲେ। ଓଡ଼ିଶାରୁ ଯାଉଥିବା ଲୋକଙ୍କ ନିରାଶା ଦେଖିବା ପରେ ହୁଏତ ଇଟା ଭାଟି ମାଲିକମାନେ ସ୍ଥାନୀୟ ଶ୍ରମିକଙ୍କଠାରୁ କମ୍ ମଜୁରୀ ଦେଇଥିବେ। ପରବର୍ତ୍ତୀ ସମୟରେ ମଧ୍ୟ ଏହି ଶୋଷଣ ଚାଲିଲା। ସ୍ୱାମୀ ସ୍ତ୍ରୀ ଏବଂ ଆଉ ଜଣେ ପ୍ରାପ୍ତ ବୟସ୍ତ ଶ୍ରମିକଙ୍କୁ ଗୋଟିଏ ୟୁନିଟ୍ ବୋଲି ଧରାଯାଏ ଏବଂ ପ୍ରତି ୟୁନିଟ୍‌କୁ ୨୦,୦୦୦ ରୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ଦିଆଯାଏ।

ଏହା ବଦଳରେ, ଅକ୍ଟୋବର ନଭେମ୍ବରରେ ଅମଳଦମଳ ଏବଂ ଓଡ଼ିଶାର ଏକ ସ୍ଥାନୀୟ ଉତ୍ସବ ଶେଷ ହେବା ପରେ ପରିବାରଗୁଡ଼ିକ ବାହାରକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଡିସେମ୍ବର-ଜାନୁଆରୀ ମାସରେ ଠିକାଦାରମାନେ ଶ୍ରମିକମାନଙ୍କୁ ଇଟା ଭାଟିକୁ ନେଇ ଯାଆନ୍ତି। ସେଠି ସେମାନେ ପ୍ରାୟ ଜୁନ ପର୍ଯ୍ୟନ୍ତ କାମ କରନ୍ତି। ମୌସୁମୀ ଆରମ୍ଭରେ ସେମାନେ ପୁଣି ଗାଁକୁ ଫେରିଆସି କୃଷି ଶ୍ରମିକ ଭାବେ ବା ନିଜର ସ୍ୱଳ୍ପ ଜମିରେ କାମ କରନ୍ତି।

ଶ୍ରମିକମାନେ ନେଇଥିବା ଅଗ୍ରୀମ ଟଙ୍କାରେ ଋଣ ପରିଶୋଧ କରନ୍ତି କିମ୍ବା ବାହାଘର କରନ୍ତି, ବଳଦ କିଣନ୍ତି, ଚିକିତ୍ସା ବାବଦରେ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କରନ୍ତି। ଖାଇବା ବାବଦକୁ ଇଟା ଭାଟିରେ ପ୍ରତି ୟୁନିଟ୍‌ ପିଛା ଦିନକୁ ୬୦ ଟଙ୍କା ଦିଆଯାଏ। ଯେଉଁ ପରିବାରଗୁଡ଼ିକ ଏକାଠି ଯାଇଥାନ୍ତି, ସେମାନଙ୍କୁ ମଧ୍ୟ ଏହି ହିସାବରେ ପଇସା ଦିଆଯାଇଥାଏ। ସିଜିନ ଶେଷରେ ସେମାନଙ୍କୁ ଦିଆଯାଇଥିବା ଆଗ୍ରୀମ ଟଙ୍କା ଏବଂ ପ୍ରତିଦିନର ଖାଇବା ଖର୍ଚ୍ଚ ମିଶାଇ ସେମାନେ କେତେଖଣ୍ଡ ଇଟା ଗଢିଲେ, ସେ ବାବଦକୁ ହିସାବ ହୁଏ।

ପ୍ରତି ୧,୦୦୦ ଇଟାକୁ ପ୍ରତି ୩ ଜଣିଆ ସଦସ୍ୟ ବିଶିଷ୍ଟ ୟୁନିଟର ରୋଜଗାର ୨୨୦ ଟଙ୍କାରୁ ୩୫୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଏହି ପରିମାଣ ଭାଟି ମାଲିକ କିମ୍ବା ଠିକାଦାର ସହ ମୂଲଚାଲ ଉପରେ ନିର୍ଭର କରେ। ଗୋଟିଏ ଶ୍ରମିକ ଗ୍ରୁପ୍ ପ୍ରାୟ ୫ ମାସ ମଧ୍ୟରେ ୧୦୦,୦୦୦ରୁ ୪୦୦,୦୦୦ ପର୍ଯ୍ୟନ୍ତ ଇଟା ଗଢି ପାରନ୍ତି। ଅଧିକ କେତେଜଣ ସହଯୋଗ କରି ପାରୁଛନ୍ତି ତା ଉପରେ ଏହା ନିର୍ଭର କରେ- ଯେଉଁ ପରିବାରରେ ୩ ଜଣିଆ ୟୁନିଟ୍ ବାଦ ଅଧିକ ଶାରୀରିକ ସକ୍ଷମ ସଦସ୍ୟ ଥାଆନ୍ତି। ଏହା ୨୦,୦୦୦ ଟଙ୍କାରୁ ସର୍ବାଧିକ ୧୪୦,୦୦୦ ପର୍ଯ୍ୟନ୍ତ ଆୟ ଦେଇଥାଏ। ଖାଇବା ବାବଦକୁ ଦିନକୁ ୬୦ ଟଙ୍କା ଏବଂ ଅଗ୍ରୀମ ଟଙ୍କା ଫେଡ଼ିଦେଲେ କଷ୍ଟକର ଇଟାଗଢା ସିଜିନ ଶେଷ ବେଳକୁ କିଛି ଶ୍ରମିକ ଋଣରେ ଥାଆନ୍ତି।  

PHOTO • Purusottam Thakur

ବନିତା ଚିନ୍ଦା ଓ ତାଙ୍କ ସ୍ୱାମୀ ନେତ୍ର ଗତ ତିନି ବର୍ଷ ହେବ ରଙ୍ଗାରେଡ୍ଡୀ ଜିଲ୍ଲାର କଙ୍ଗରା କଲଣ ଗାଁର ଏକ ଭାଟିରେ କାମ କରି ଆସୁଛନ୍ତି। ଏମାନେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକର କିରେଝୋଲା ଗାଁର ସରଗିମୁଣ୍ଡା ପଡ଼ାରୁ ଆସିଛନ୍ତି। ଏମାନେ ଚକୋଟିଆ-ଭୁଞ୍ଜିଆ ଆଦିବାସୀ ସଂପ୍ରଦାୟର। ୭ ବର୍ଷର ଝିଅ ପିଙ୍କି, ୫ ବର୍ଷର ଝିଅ ଲକ୍ଷ୍ମୀ ଏବଂ ସାତ ମାସର ଛୁଆ କଲ୍ୟାଣୀକୁ ସାଙ୍ଗରେ ଆଣି ଆସିଛନ୍ତି। ନେତ୍ର କହିଲେ, ‘‘ଆମ ସର୍ଦ୍ଦାର [ଠିକାଦାର] ଏକାଠି ବସି ଆମ ମଜୁରୀ ନିର୍ଦ୍ଧାରଣ କରିବେ। ୩ ଜଣଙ୍କ ପାଇଁ ଆମେ ୮୦ ହଜାର ଟଙ୍କା ଅଗ୍ରୀମ ନେଇଛୁ। ମୁଁ, ମୋ ସ୍ତ୍ରୀ ଓ ସଂପର୍କୀୟ ଭାଇ। ୧୦ ହଜାର ଟଙ୍କାରେ ସୁନା କିଣିଛୁ, ୧୭ ହଜାର ଟଙ୍କା ବ୍ୟାଙ୍କରେ ଜମା ରଖିଛୁ, ଏବଂ ବାକି ପଇସା ଖର୍ଚ୍ଚ କରିବୁ। ’’ 

PHOTO • Purusottam Thakur

ସଙ୍ଗାରେଡ୍ଡୀ ଜିଲ୍ଲା ଜିନାରାମ ବ୍ଳକ୍‌ର ଆନ୍ନାରାମ ଗାଁରେ ନେତ୍ରାନନ୍ଦ ଶବର (ବସିଛନ୍ତି) ଓ ରଇବାରୀ ଭୋଇ (ସ୍ପଷ୍ଟ ଜଣାପଡ଼ୁଛନ୍ତି)ଙ୍କୁ ଭେଟିଥିଲି। ସେମାନେ ନୂଆପଡ଼ା ଜିଲ୍ଲାର ମହୁଲକୋଟ ଗାଁରୁ ଆସିଥିଲେ। ଭୋଇ କହିଲେ, ‘‘ଆମେ ୧୮ ବର୍ଷ ହେଲା ଆସୁଛୁ [ଏହି ଭାଟିକୁ]। 

PHOTO • Purusottam Thakur

ରେମତି ଧରୁଆ ଓ ତାଙ୍କ ସ୍ୱାମୀ କୈଳାସଙ୍କ ଘର ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ପାଣ୍ଡ୍ରିଜୋର ଗାଁରେ। ସେମାନେ କୃଷକ। ସଙ୍ଗାରେଡ୍ଡୀ ଜିଲ୍ଲାର ଆନ୍ନାରାମ ଗାଁରେ ମୁଁ ତାଙ୍କୁ ଭେଟିଥିଲି। ମରୁଡି ଯୋଗୁ ସେମାନଙ୍କ ଚାଷ ନଷ୍ଟ ହୋଇ ଯାଇଥିଲା। ସେମାନେ ନିଜ ଝିଅ, ଜ୍ୱାଇଁ, ନାତୁଣୀ (ମଝିରେ) ଓ ହିମାଂଶୁକୁ ସାଙ୍ଗରେ ଆଣି ଆସିଛନ୍ତି। ହିମାଂଶୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ସେ ତାଙ୍କ କଲେଜ ପଢା ଖର୍ଚ୍ଚ ତୁଲାଇବା ପାଇଁ କାମ କରୁଥିଲେ। 

PHOTO • Purusottam Thakur

ସଙ୍ଗାରେଡ୍ଡୀ ଜିଲ୍ଲା ଡୋମାଡୁଗୁ ଗାଁର ଏକ ଭାଟି : ବହାରୁ ଆସିଥିବା ଏହି ଶ୍ରମିକମାନେ ନିଜେ ଏକ ଅସ୍ଥାୟୀ ଘର ତିଆରି କରି ସେଠାରେ ୬ ମାସ ପାଇଁ ରହନ୍ତି। ସେମାନେ ଭାଟିର ଭଙ୍ଗାରୁଜା ଇଟା ବ୍ୟବହାର କରି ଏହି ଘର ତିଆରି କରିଥାନ୍ତି ଆଉ ଗାଁକୁ ଫେରିବା ପୂର୍ବରୁ ଏହାକୁ ଭାଙ୍ଗି ଦିଅନ୍ତି। ଏହି ନୂଆଣିଆ ଗେଞ୍ଜ ଘର ଭିତରେ ଗାଧୋଇବା ପାଇଁ ଜାଗା ନଥାଏ। ପାଣିର ମଧ୍ୟ ଅଭାବ ଥାଏ। ଘରକୁ ସଫା ସୁତୁରା ରଖିବା ପାଇଁ ଶ୍ରମିକମାନଙ୍କ ପାଖରେ ସମୟ ନଥାଏ କି ବଳ ନଥାଏ।

PHOTO • Purusottam Thakur
PHOTO • Purusottam Thakur

ବାମ : ସଙ୍ଗାରେଡ୍ଡୀ ଜିଲ୍ଲାର ଆନ୍ନାରାମ ଗାଁରେ: ଅସ୍ଥାୟୀ କୁଡିଆ ଭିତରେ ଜଣେ ଶ୍ରମିକ ଓ ତାଙ୍କ ଝିଅ; ଏହି ପରିବାର ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଳକ୍‌ରୁ ଆସିଛନ୍ତି। ଦକ୍ଷିଣ: ସଙ୍ଗାରେଡ୍ଡୀ ଜିଲ୍ଲାର ଡୋମାଡୁଗୁ ଗାଁ: ସିନାପାଲି ବ୍ଳକରୁ ଆସିଥିବା ଜଣେ ଶ୍ରମିକ ପାଣି ନେଇ ତାଙ୍କ ଅସ୍ଥାୟୀ କୁଡ଼ିଆରେ ପଶୁଛନ୍ତି। ଏହାର ଛାତ ଏତେ ନୂଆଣିଆ ଯେ ତା ଭିତରେ ଛିଡା ହେବା ମଧ୍ୟ କଷ୍ଟସାଧ୍ୟ। 

PHOTO • Purusottam Thakur
PHOTO • Purusottam Thakur

ବାମ: କିଛି ଇଟା ଭାଟି ଶ୍ରମିକଙ୍କ ପିଲାମାନେ ତେଲେଙ୍ଗାନାର ସ୍ଥାନୀୟ ସରକାରୀ ସ୍କୁଲ କିମ୍ବା ଅଙ୍ଗନୱାଡିକୁ ଯାଆନ୍ତି, କିନ୍ତୁ ଓଡ଼ିଆ ଜାଣିଥିବା ଶିକ୍ଷକ ନଥିବାରୁ ତାଙ୍କୁ ପଢିବା ବହୁତ କଷ୍ଟକର ହୁଏ। ବେଳେବେଳେ ଛୋଟ ପିଲାମାନେ ମଧ୍ୟ ବାପା ମାଆଙ୍କ ସାଙ୍ଗରେ କାମ କରନ୍ତି ନହେଲେ କୁଡ଼ିଆକୁ ଜଗନ୍ତି। ଭାଟି ପାଖରେ ଥିବା ଏକ ସରକାରୀ ପ୍ରାଥମିକ ସ୍କୁଲକୁ ଯାଉଥିବା ନୂଆପଡ଼ା ଜିଲ୍ଲା ସର୍ଗିମୁଣ୍ଡା ଗାଁର ୬ ବର୍ଷର ବାଳକ ନବୀନ କହନ୍ତି, ‘‘ମୁଁ ଏଠି ସ୍କୁଲକୁ ଯାଉଚି, କିନ୍ତୁ ମୁଁ ମୋ ଗାଁ ସ୍କୁଲକୁ ଭଲ ପାଏ।’’  

 

ଦକ୍ଷିଣ: ସଙ୍ଗାରେଡ୍ଡୀ ଜିଲ୍ଲାର ଡୋମାଡୁଗୁ ଗାଁ: ଇଟା ଭାଟିରେ ଏକ ପରିବାର କାମ କରୁଛନ୍ତି - ଏହି ଦମ୍ପତି ତାଙ୍କ ପିଲାମାନଙ୍କ ସହ ଆସିଥାନ୍ତି। ଘରେ ପିଲାଙ୍କୁ ଛାଡି ଆସିଲେ ପିଲାଙ୍କ ଦେଖାଶୁଣା କରିବାକୁ କେହି ନାହାନ୍ତି, ଏଠି ଭାଟିରେ ପିଲାମାନେ ତାଙ୍କୁ କାମରେ ସହଯୋଗ କରନ୍ତି। ଏହି ପରିବାର ବଡି ଭୋରରୁ କାମ ଆରମ୍ଭ କରି ଦିଅନ୍ତି। ପୂର୍ବାହ୍ନ ୧୦ଟା କିମ୍ବା ୧୧ଟା ବେଳକୁ ସେମାନେ ବିଶ୍ରାମ ନିଅନ୍ତି, ତା ପରେ ଅପରାହ୍‌ଣ ୩ଟା କିମ୍ବା ୪ଟାରୁ ରାତି ୧୦ଟା ବା ୧୧ଟା ପର୍ଯ୍ୟନ୍ତ କାମ କରନ୍ତି।  

PHOTO • Purusottam Thakur

ରଙ୍ଗାରେଡ୍ଡୀ ଜିଲ୍ଲା ଇବ୍ରାହିମପାଟନମ୍ ବ୍ଲକ କଙ୍ଗରା କଲଣ ଗାଁର ଇଟାଭାଟି: ବିଶେଷ କରି ମହିଳା, ଶିଶୁ ଏବଂ ବୟସ୍କଙ୍କ ଉପରେ ଦେଶାନ୍ତରୀରର କଷ୍ଟ ପଡ଼େ। ପୁଷ୍ଟିହୀନତା ସତ୍ତ୍ୱେ ମହିଳାମାନେ ଭାଟିରେ ସବୁଠୁ ଅଧିକ ସମୟ କାମ କରନ୍ତି।  

PHOTO • Purusottam Thakur

ରଙ୍ଗାରେଡ୍ଡୀ ଜିଲ୍ଲା କଙ୍ଗରା କଲଣ ଗାଁର ଏକ ଭାଟି: ସାଧାରଣତଃ ପୁରୁଷମାନେ ଇଟା ଗଢନ୍ତି ଏବଂ ମହିଳାମାନେ କାଦୁଅ ପ୍ରସ୍ତୁତ କରିବା ସହ ଏଗୁଡ଼ିକ ଶୁଖାନ୍ତି। 

PHOTO • Purusottam Thakur

୨୦୦୧ରେ ଯେତେବେଳେ ମୁଁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଇଟାଭାଟି ବୁଲିଥିଲି, ସେତେବେଳେ ବହାର ରାଜ୍ୟରୁ ଆସିଥିବା ଅଧିକାଂଶ ଶ୍ରମିକ ଅନୁସୂଚତିତ ଜାତିର ଥିଲେ। ୨୦୧୭ରେ ଯେତେବେଳେ ତେଲେଙ୍ଗାନାର ବିଭିନ୍ନ ଭାଟି ବୁଲିଲି, ଦେଖିଲି ଅନୁସୂଚିତ ଜନଜାତିର ଶ୍ରମିକମାନେ ମଧ୍ୟ ଅଛନ୍ତି। ଏହାର କାରଣ ଜଙ୍ଗଲ ଜୀବିକା ହ୍ରାସ ପାଇବା ଏବଂ ଋଣଗ୍ରସ୍ତ ହେବା। 

PHOTO • Purusottam Thakur

ପ୍ରତି ପରିବାରର ୩ ଜଣିଆ ୟୁନିଟି ,୦୦୦ ଇଟା ପିଛା ୨୨୦ ଟଙ୍କାରୁ ୩୫୦ ଟଙ୍କା ରୋଜଗାର କରନ୍ତି। ଏହି ଅର୍ଥ ଭାଟି ମାଲିକ ଏବଂ ଠିକାଦାରଙ୍କ ମଧ୍ୟରେ ମୂଲଚାଲ ଉପରେ ନିର୍ଭର କରେ। ପାଖାପାଖି ୫ ମାସ ସମୟ ମଧ୍ୟରେ ଗୋଟିଏ ଶ୍ରମିକ ଦଳ ୧୦୦,୦୦୦ ରୁ ୪୦୦,୦୦୦ ପର୍ଯ୍ୟନ୍ତ ଇଟା ଗଢିପାରନ୍ତି। ସହଯୋଗ ପାଇଁ ପରିବାରର ଅଧିକ କେତେଜଣ ସଦସ୍ୟ ଅଛନ୍ତି ତା ଉପରେ ଏହା ନିର୍ଭର କରେ। 

PHOTO • Purusottam Thakur

ସଙ୍ଗାରେଡ୍ଡୀ ଜିଲ୍ଲା ଆନ୍ନାରାମ ଗାଁର ଏକ ଇଟା ଭାଟିରେ ନୂଆପଡ଼ା ଜିଲ୍ଲା କୁରୁମପୁରୀ ପଞ୍ଚାୟତରୁ ଆସିଥିବା ଶ୍ରମିକ। ସେମାନେ ଶୁଣି ଖୁସି ହେଲେ ଯେ, ମୁଁ ମଧ୍ୟ ତାଙ୍କ ଜିଲ୍ଲାର। ବୟସ୍କଙ୍କ ଭିତରୁ ଜଣେ କହିଲେ, ‘‘ବହୁ ଦିନ ପରେ ଜଣଙ୍କୁ ଭେଟିଲି ଯିଏ ଓଡ଼ିଆ କହୁଛନ୍ତି। ତୁମକୁ ଦେଖି ମୁଁ ବହୁତ ଖୁସି!’’ 

PHOTO • Purusottam Thakur

ଡିସେମ୍ବର-ଜାନୁଆରୀରେ ଠିକାଦାରମାନେ ଶ୍ରମିକମାନଙ୍କୁ ଭାଟିକୁ ନେଇ ଆସନ୍ତି। ସେମାନେ ସେଠାରେ ପ୍ରାୟ ଜୁନ୍ ପର୍ଯ୍ୟନ୍ତ କାମ କରନ୍ତି। ମୌସୁମୀ ଆରମ୍ଭ ହେଲେ ସେମାନେ ପୁଣି ଗାଁକୁ ଫେରି ଆସନ୍ତି, ଯେଉଁଠି ସେମାନେ କୃଷି ଶ୍ରମିକ ଭାବେ ବା ନିଜର ସ୍ୱଳ୍ପ ଜମିରେ କାମ କରନ୍ତି।  

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur