ରମେଶ ଜଗତାପଙ୍କର ଏକ ଖରାପ ଦିନ ଚାଲିଛି। ସେ ତାଙ୍କ ପତ୍ନୀ ଗଙ୍ଗୁବାଈଙ୍କ ସହ ସକାଳେ ଝଗଡ଼ା କଲେ। ଝଗଡ଼ା ପରେ ସେ କୀଟନାଶକ ଖାଇଦେଲେ। ସେ ତାଙ୍କୁ ଗୋଟିଏ ସେୟାର ରିକ୍ସାରେ ସତେଫଲ ଗାଁ ଠାରୁ ୩୦ କିଲୋମିଟର ଦୂର ଓସମାନବାଦ ସହରରେ ଥିବା ଜିଲ୍ଲାର ସିଭିଲ୍‌ ହସ୍ପିଟାଲକୁ ନେଲେ। ସେ କୁହନ୍ତି, ‘‘ଯିବା ସମୟରେ ମୋ ହୃତ୍‌ସ୍ପନ୍ଦନ ଏତେ ବଢ଼ିଯାଇଥିଲା ଯେମିତି କେବେ ବି ହୋଇନଥିଲା । ସୌଭାଗ୍ୟବଶତଃ ଆମେ ଠିକ୍‌ ସମୟରେ ପହଞ୍ଚିଲୁ ଏବଂ ଡାକ୍ତରମାନେ ତା’ର ଚିକିତ୍ସା କଲେ।

ସେ ଅପରାହ୍ନରେ ତରବର ହୋଇ ସତେଫଲକୁ ଫେରିଆସିଲେ । ଜିଲ୍ଲା ସମବାୟ ବ୍ୟାଙ୍କର ସ୍ଥାନୀୟ ଶାଖା ସରକାରଙ୍କ ଫସଲବୀମା ଯୋଜନା ଅଧୀନରେ କୃଷକମାନଙ୍କ ପକ୍ଷରୁ କରାଯାଇଥିବା ଦାବି ସମାଧାନ ପାଇଁ ଅର୍ଥ ବଣ୍ଟନ କରୁଥିଲେ। ଜଗତାପ କୁହନ୍ତି, ‘‘ମୁଁ ଫେରି ଆସିଲି ଏବଂ ଧାଡ଼ିରେ ଏକ ଘଣ୍ଟାରୁ ଅଧିକ ସମୟ ଛିଡ଼ା ହେଲି । କିନ୍ତୁ ବ୍ୟାଙ୍କ ଉକ୍ତ ରାଶିର କିଛି ଅଂଶମାତ୍ର ପ୍ରଦାନ କଲା। ଏବଂ ତାହା ମଧ୍ୟ ତାଙ୍କ ଆଗରୁ ଆସି ଟୋକନ ନେଇଥିବା କୃଷକମାନଙ୍କୁ ପ୍ରଦାନ କରାଗଲା।’’

ଭିଡ଼ିଓ ଦେଖନ୍ତୁ: ରମେଶ ଜଗତାପ କୁହନ୍ତି, ‘ମୁଁ ସେହି ବ୍ୟାଙ୍କକୁ ୧୫ଦିନ ହେବ ଯାଉଛି’

୫୦ ବର୍ଷ ବୟସ୍କ ଜଗତାପ ତାଙ୍କର ୫ଏକର ଜମିରେ ସୋୟାବିନ, ଯଅ ଏବଂ ଗହମ ଚାଷ କରନ୍ତି । ସକାଳେ ଉଠିବା ବେଳକୁ ତାଙ୍କର କେତେ ସମସ୍ୟା ଅଛି ତାହାର ହିସାବ ସେ ପାଆନ୍ତି ନାହିଁ। ସେ ଗୋଟିଏ ବ୍ୟାଙ୍କରୁ ଟ.୧.୨୦ଲକ୍ଷ ଟଙ୍କା ଋଣ ନେଇଛନ୍ତି ଏବଂ ଘରୋଇ ସାହୁକାରଙ୍କଠାରୁ ୫୦ହଜର ଧାର୍‌ ଆଣିଛନ୍ତି। ସେ କୁହନ୍ତି, ‘‘ମୁଁ ପୂର୍ବ ବର୍ଷଗୁଡ଼ିକର ମରୁଡ଼ି ଏବଂ ମୋ ଝିଅର ବାହାଘର ପାଇଁ ଋଣ କରିଥିଲି। ଯେହେତୁ ଆମେ ସେମାନଙ୍କର ଅର୍ଥ ପରିଶୋଧ କରିବାରେ ବିଳମ୍ବ କରୁଛୁ, ସାହୁକାରମାନେ ସବୁଦିନ ଆମକୁ ଗାଳି ଦିଅନ୍ତି। ଏହାକୁ ନେଇ ମୋ ପତ୍ନୀଙ୍କ ସହ ଝଗଡ଼ା ଆରମ୍ଭ ହୋଇଥିଲା। ସେ ଏହି ଚାପ ଏବଂ ଅପମାନ ସହିପାରିଲା ନାହିଁ ଓ ଉତ୍ତ୍ୟକ୍ତ ହୋଇ ବିଷ ଖାଇଦେଲା। ମୁଁ ଋଣ ପରିଶୋଧ କରିବା ଆବଶ୍ୟକ। ମୁଁ ମୌସୁମୀ ଋତୁ ଆଗରୁ ମୋ ଜମି ମଧ୍ୟ ପ୍ରସ୍ତୁତ କରିବା ପାଇଁ ଅର୍ଥ ଆବଶ୍ୟକ କରୁଛି।’’

ଅର୍ଥ ପାଇଁ ବ୍ୟାକୁଳତା ଜଗତାପକୁ ବାଧ୍ୟ କରିଥିଲା ଗଙ୍ଗୁବାଈଙ୍କୁ ଡାକ୍ତରଖାନାରେ ଛାଡ଼ି ସତେଫଲ ଫେରିବା ପାଇଁ। ସେ ୨୦୧୪-୧୫ ରବି ଋତୁ ନିମନ୍ତେ ଫସଲ ବୀମା ଭାବରେ ସରକାରଙ୍କଠାରୁ ଟ. ୪୫,୦୦୦ ପାଇବା ପାଇଁ ଯୋଗ୍ୟ। ମାର୍ଚ୍ଚ ୪ ତାରିଖରେ ସରକାର ଓସମାନାବାଦ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ଓଡିସିସି) ଟ. ୧୫୯ କୋଟି ଜମା କରିଥିଲେ ଯାହାକି ଜଗତାପଙ୍କ ପରି ୨,୬୮,୦୦୦ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଦୁଇମାସ ପରେ ମାତ୍ର ଟ. ୪୨କୋଟି ବଣ୍ଟନ କରାଯାଇଛି।

PHOTO • Parth M.N.

ବ୍ୟାଙ୍କ ସତେଫଲର ଆଉ ଜଣେ ଚାଷୀ ଚନ୍ଦ୍ରକାନ୍ତ ଉଗାଲେଙ୍କୁ ତାଙ୍କର ଟ. ୧୮,୦୦୦ ଫସଲ ବୀମା କ୍ଷତିପୂରଣ ପୈଠ କରିନାହିଁ

ଏପ୍ରିଲ ୫ରେ ସରକାର ୨୦୧୬-୧୭ ଖରିଫ ଋତୁ ପାଇଁ ଫସଲ ବୀମା ଭାବରେ ଟ. ୩୮୦କୋଟି ଜମା କରିଥିଲେ । କୃଷକମାନେ ତାହା ମଧ୍ୟ ପାଇନାହାନ୍ତି।

ବ୍ୟାଙ୍କ ଅର୍ଥ ପୈଠ କରିବାରେ ବିଳମ୍ବ କରିବା ପରେ ଏପ୍ରିଲ୍‌ ୧୯ ତାରିଖରେ ତିନିଦିନିଆ ଅନଶନ କରିଥିବା ଓସମାନାବାଦର ଜଣେ କୃଷକ ନେତା ସଞ୍ଜୟ ପାଟିଲ-ଦୁଦଗାଁଓକର ଅଭିଯୋଗ କରନ୍ତି ଯେ, ଓଡିସିସି ଏହି ଅର୍ଥ ନିବେଶ କରିଛି ଏବଂ ଏହାର ସୁଧ ଖାଉଛି। ସେ କୁହନ୍ତି, ‘‘ଏହି ସମୟରେ ହିଁ କୃଷକମାନେ ଋଣ ଚାହାଁନ୍ତି।’’ ‘‘ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। କିନ୍ତୁ ହାତରେ ଥିବା ଅର୍ଥ ଦୂରକୁ ଚାଲିଯାଇଛି। କୃଷକମାନେ କାହିଁକି ତାଙ୍କର ନିଜର ଅର୍ଥ ପାଇଁ ମାସ ମାସ ଅପେକ୍ଷା କରିବେ? ’’ ବ୍ୟାଙ୍କ ୧୫ ଦିନ ମଧ୍ୟରେ ଅର୍ଥ ପୈଠ କରିବାର ପ୍ରତିଶ୍ରୁତି ଦେବା ପରେ ତାଙ୍କର ଅନଶନ ଶେଷ ହୋଇଥିଲା- ଏହି ପ୍ରତିଶ୍ରୁତି ମଧ୍ୟ ରକ୍ଷା କରାଯାଇନି ।

ସତେଫଲର ୫୨ବର୍ଷ ବୟସ୍କ ଚନ୍ଦ୍ରକାନ୍ତ ଉଗାଲେ କୁହନ୍ତି, ଅର୍ଥ ପାଇଁ ଏତେ ଦୌଡ଼ାଦୌଡ଼ି କରିବା ଖରିଫ ଋତୁ ପାଇଁ ଜମି ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବା କଷ୍ଟକର କରୁଛି। ‘‘ଏବେ ବିହନ କିମ୍ବା ସାର ଉଦ୍ଧାରରେ ପାଇବା ସହଜ ନୁହେଁ, ସମସ୍ତେ ଆମର ଆର୍ଥିକ ଅବସ୍ଥା ଜାଣନ୍ତି। କେହି କୃଷକଙ୍କୁ ଅର୍ଥ ମାମଲାରେ ବିଶ୍ୱାସ କରୁନାହାଁନ୍ତି।’’ ବ୍ୟାଙ୍କ ଏ ପର୍ଯ୍ୟନ୍ତ ଉଗାଲେଙ୍କୁ ତାଙ୍କ ଫସଲ ବୀମା କ୍ଷତିପୂରଣ ରାଶି ଟ. ୧୮,୦୦୦ ପୈଠ କରିନାହିଁ।

ଭିଡ଼ିଓ ଦେଖନ୍ତୁ: ଚନ୍ଦ୍ରକାନ୍ତ ଉଗାଲେ କୁହନ୍ତି, ‘ମୁଁ ଆଠଦିନ ହେବ ବ୍ୟାଙ୍କକୁ ଯାଉଛି- ସବୁ ବୃଥାରେ’

ଓଡିସିସିର ମୁଖ୍ୟ ଅଧିକାରୀ (ପ୍ରଶାସନ ଏବଂ ହିସାବ) ଭି.ବି. ଚଣ୍ଡକ କୁହନ୍ତି, ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଯଥେଷ୍ଟ ଅର୍ଥ ପ୍ରଦାନ କରିନାହିଁ ଏବଂ ବ୍ୟାଙ୍କ ପୈଠ କରିବା ପାଇଁ ସଂଘର୍ଷ କରୁଛି। ‘‘ଆମେ ଯେତେ ଶୀଘ୍ର ସମ୍ଭବ ବଣ୍ଟନ କରୁଛୁ, ଆମେ ୧୫ ଦିନ ମଧ୍ୟରେ ସମୁଦାୟ ଅର୍ଥ ପ୍ରଦାନ କରିବାକୁ ଚେଷ୍ଟା କରିବୁ।’’

ଯଦିଓ ଚଣ୍ଡକ ତାଙ୍କର ତାଙ୍କ ବ୍ୟାଙ୍କ ପାଇଁ କହିବାକୁ ଚେଷ୍ଟା କରୁଥିଲେ ୧୦-୧୫ ଲୋକ ଉତ୍ତ୍ୟକ୍ତ ହୋଇ ତାଙ୍କ କ୍ୟାବିନ ମଧ୍ୟକୁ ପଶିଗଲେ। ସେମାନେ ତାଙ୍କ ଉପରକୁ ଡକ୍ୟୁମେଣ୍ଟ ଫୋପାଡ଼ିଲେ।  ଏବଂ ସେ ସେମାନଙ୍କର ଆର୍ଥିକ ଯୋଜନା ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରି ଅର୍ଥ ଦାବି କଲେ। ସେମାନେ ସମସ୍ତେ କେଇବର୍ଷ ହେବ ମ୍ୟାଚୁଓର୍‌ ହୋଇଯାଇଥିବା ନିଜର ଫିକ୍ସଡ୍‌ ଡିପୋଜିଟ୍‌ ଉଠାଇ ଦେଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ବର୍ଷ ବୟସ୍କା ବିଧବା ମହିଳା ସୁନୀତା ଯାଦବ। ସେ ନିଜର ଟ. ୩୦,୦୦୦ ଜମା ଉଠାଇ ଦେବାକୁ ଯାଉଛନ୍ତି। ଯାହାକି ବର୍ଷେ ତଳୁ ମ୍ୟାଚୁଓର୍‌ ହୋଇଯାଇଛି। ସେ କୁହନ୍ତି, ‘‘ମୋ ଝିଅ ମେ ୭ ତାରିଖରେ ବିବାହ କରିବ। ମୁଁ ଟଙ୍କା ବିନା ଫେରିଯିବି ନାହିଁ।’’

PHOTO • Parth M.N.

ଜାଲକୁଟ ଗ୍ରାମର ସୁନୀତା ଯାଦବ: ‘ମୋ ଝିଅ ମେ ୭ ତାରିଖରେ ବିବାହ କରିବ। ମୁଁ ଟଙ୍କା ବିନା ଫେରିଯିବି ନାହିଁ।’

ଯାଦବ ଜାଲକୁଟ ଗ୍ରାମରେ ବାସ କରନ୍ତି। ଯାହାକି ଓସମାନାବାଦ ସହରଠାରୁ ୫୦ କିଲୋମିଟର ଦୂରରେ ରହିଛି। ବ୍ୟାଙ୍କକୁ ଯିବା ଆସିବା କରିବାରେ ସେ ପ୍ରାୟ ଗୋଟିଏ ଦିନର ମଜୁରୀ ଟ. ୨୦୦ ଖର୍ଚ୍ଚ କରିସାରିଛନ୍ତି ଏବଂ ସେ ଗତ ଛଅମାସରେ ବାରମ୍ବାର ଓଡିସିସିକୁ ଆସିଛନ୍ତି। ସେ ତାଙ୍କ ପର୍ସରୁ ଗୋଟିଏ ବିବାହ ନିମନ୍ତ୍ରଣ ପତ୍ର ବାହାର କଲେ ଏବଂ କହିଲେ, ‘‘ଏହି ଅର୍ଥ ସଞ୍ଚୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରିଛି।’’ ଯାଦବ ଗୋଟିଏ ଇଟାଭାଟିରେ ଶ୍ରମିକ ଭାବରେ କାମ କରନ୍ତି। ତାଙ୍କ ସହ ରହୁଥିବା ଭାଇ ଜାଲକୁଟର ଗୋଟିଏ ଜଳଖିଆ ଦୋକାନରେ ଓ୍ୱେଟର ଭାବରେ କରୁଥିବା କାମ ନିକଟରେ ହରାଇଛନ୍ତି। ସେ କୁହନ୍ତି, ‘‘ମୋର ନିଜର କଷ୍ଟ ଅର୍ଜିତ ଧନ ମାଗିବାରେ ଗୋଟିଏ ଦିନ କଟିଗଲା। ଏହାର ଅର୍ଥ ମୋର ଗୋଟିଏ ଦିନର ମଜୁରୀ ମଧ୍ୟ ହରାଇବା’’। ସ୍ଥାନୀୟ ଶାଖା ମୋତେ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ କହୁଛି। ‘‘ଏଠାରେ ଏମାନେ ମୋତେ ସ୍ଥାନୀୟ ଶାଖାକୁ ଯିବାକୁ କହୁଛନ୍ତି।’’

ଚଣ୍ଡକ ସେ ସମସ୍ତଙ୍କୁ ଶୁଣନ୍ତି ଏବଂ ନମ୍ର ଭାବରେ କୁହନ୍ତି, ବ୍ୟାଙ୍କ ପାଖରେ ଅର୍ଥ ନାହିଁ । ସେ ବି ଠିକ୍‌ କୁହନ୍ତି। ସାଧାରଣ ଭାବରେ କହିବାକୁ ଗଲେ ଓଡିସିସି ଏକ ଅବ୍ୟବସ୍ଥା ଭିତରେ ଅଛି। ବ୍ୟାଙ୍କ ଟ. ୪୦୦କୋଟିର ଫିକ୍ସଡ୍‌ ଡିପୋଜିଟ୍‌ କରିବାକୁ ପୈଠ କରିବାକୁ ଅସମର୍ଥ। କିନ୍ତୁ ଏହା ଟ. ୫୦୦କୋଟିରୁ ଊର୍ଦ୍ଧ୍ୱ ଅଣକୃଷି ଋଣଗୁଡ଼ିକ ଆଦାୟ କରିବା ପାଇଁ କିଛି କରୁନାହିଁ। ଏ ମଧ୍ୟରେ ରହିଛି ଜିଲ୍ଲାର ଦୁଇଟି ଆଖୁ କଳ-ତେରନା ଏବଂ ତୁଲଜାଭବାନୀ, ଏଗୁଡ଼ିକ ବ୍ୟାଙ୍କଠାରୁ ଟ. ୩୮୨କୋଟି ଋଣ ନେଇଛନ୍ତି।

ଏଥିସହିତ ଓଡିସିସି କୃଷକମାନଙ୍କୁ ଯେଉଁ ଋଣ ଦେଇଛି- ଏହି ଋଣଗୁଡ଼ିକ ୪୬୭ଟି ବିବିଧ କାର୍ଯ୍ୟକାରୀ ସେବା ସମିତି ଜରିଆରେ ହୋଇଛି, ଏଥିରେ ବୃହତ୍‌ ପରିମାଣର ଦୁର୍ନୀତି ଅଛି। ଏହି ସମିତିଗୁଡ଼ିକ ଓଡିସିସିଠାରୁ ଟ. ୨୦୦କୋଟି ଋଣ ନେଇଛନ୍ତି। ଏହି ପରିମାଣ କୃଷକଙ୍କଠାରୁ ଆଦାୟ ହେବାକୁ ଥିବା ପରିମାଣଠାରୁ ଅଧିକ। ଏହି ଅର୍ଥ କୁଆଡ଼େ ଗଲା ତାହା ଯେ କେହି ଅନୁମାନ କରିପାରିବେ।

ଏସବୁ ସମସ୍ୟାର ସମାଧାନ ପାଇଁ ସାମାନ୍ୟ କିଛି କରୁଥିବା ଓଡିସିସି ବ୍ୟଙ୍କରୁ ଟ. ୧୮୦କୋଟି ଋଣ ନେଇଥିବା ୨୦,୦୦୦ ଚାଷୀକୁ ଧମକାଉଛି, ସେମାନଙ୍କୁ ସାର୍ବଜନୀନ ଭାବରେ ଅପମାନିତ କରୁଛି ଏବଂ ଏହାପରେ ନଭେମ୍ବରର ମଧ୍ୟ ଭାଗରେ ନୋଟିସ ପଠାଇଛି। ଏହି ଧମକ ସମ୍ପର୍କରେ ଗୋଟିଏ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବନ୍ଦ ହୋଇଛି। ଜନୈକ ବ୍ୟାଙ୍କ ଅଧିକାରୀ କୁହନ୍ତି, ‘‘ଅଣ-କୃଷି ଋଣଗୁଡ଼ିକ ପ୍ରଭାବଶାଳୀ [ରାଜନୈତିକ ଭାବରେ ସଂଯୁକ୍ତ] ଲୋକମାନଙ୍କର ଆମେ ଯେତେବେଳେ ସେମାନଙ୍କୁ ମନେପକାଇ ଦେବା ପାଇଁ ଯାଉ ସେତେବେଳେ ଆମେ ପାଖରେ ଅଛୁ ବୋଲି କହିବାଠାରୁ ଆରମ୍ଭ କରୁ ଏବଂ ଏହା ପରେ ଋଣ ସମ୍ପର୍କରେ ଏକ ପରୋକ୍ଷ ସୂଚନା ଦେଉ।’’

PHOTO • Parth M.N.

ଓସମାନାବାଦ ଜିଲ୍ଲା ସମବାୟ ବ୍ୟାଙ୍କଠାରେ ଉତ୍ତ୍ୟକ୍ତ ଜମାକାରୀମାନେ ସେମାନଙ୍କର ଅର୍ଥ ଫେରସ୍ତ ଦାବି କରୁଛନ୍ତି

ଋଣ ଖିଲାପିମାନଙ୍କଠାରୁ ଋଣ ଆଦାୟ କରୁନଥିବା ବେଳେ ଓଡିସିସି କୃଷକମାନଙ୍କଠାରୁ ବକେଇଥିବା ଫସଲ ଋଣ ପରିଶୋଧ ବିପକ୍ଷରେ କୃଷକମାନେ ପାଇବାକୁ ଥିବା ଫସଲବୀମା କ୍ଷତିପୂରଣ ରାଶି ଭରଣା କରୁଛି। ଏଠାରେ ଭରଣାର ଅର୍ଥ ହେଉଛି କୃଷକମାନେ ବୀମା କ୍ଷତିପୂରଣ ଭାବରେ ପାଇବାକୁ ଥିବା ରାଶିରୁ ଗୋଟିଏ ଅଂଶ ସେମାନେ ନେଇଥିବା ଫସଲ ଋଣ ପରିଶୋଧ ରାଶି ଭାବରେ କାଟି ଦିଆଯାଉଛି। ଚଣ୍ଡକ କୁହନ୍ତି, ‘‘ଜିଲ୍ଲାପାଳ ମାର୍ଚ୍ଚ ୨୨ ତାରିଖରେ କହିଛନ୍ତି ଆମେ ଏହି ରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଭରଣା କରିପାରିବୁ।’’ ତାହା ହେଉଛି ଜଣେ କୃଷକକୁ ପ୍ରଦାନ କରାଯାଇଥିବା ବୀମା କ୍ଷତିପୂରଣ ରାଶିର ଅର୍ଦ୍ଧେକ ପର୍ଯ୍ୟନ୍ତ ଏହି ଢ଼ଙ୍ଗରେ ବିଯୋଗ କରାଯାଇପାରିବ। ‘‘ମାର୍ଚ୍ଚ ୩୧ ତାରିଖରେ ଏହି ନିଷ୍ପତ୍ତି ଫେରାଇ ନିଆଗଲା। ଆମେ ସରକାରଙ୍କଠାରୁ ସ୍ପଷ୍ଟ ନିର୍ଦ୍ଦେଶ ପାଇବା ପରେ ଯେଉଁମାନଙ୍କଠାରୁ ଅର୍ଥ ଭରଣା ହୋଇଛି ସେମାନଙ୍କୁ ଅର୍ଥ ଫେରାଇ ଦେବୁ’’।

ଦୁଦଗାଁଓକର କୁହନ୍ତି ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ ମଧ୍ୟରେ ସରକାର ପୈଠ ହୋଇଥିବା ବୀମା ରାଶି ମଧ୍ୟରୁ ଟ. ୫କୋଟି ଏହି ଉପାୟରେ ବଦଳାଇ ଦେଇଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କିନ୍ତୁ ଗତ ଛଅମାସ ମଧ୍ୟରେ ଅଣକୃଷି ଋଣରୁ ଟ. ୫୦ଲକ୍ଷ ମଧ୍ୟ ଆଦାୟ ହୋଇନାହିଁ।

ଓଡିସିସି କୃଷକମାନଙ୍କ ଉପରେ ଅନ୍ୟ କେତେକ ଉପାୟରେ ମଧ୍ୟ ଚାପ ବୃଦ୍ଧି କରୁଛି। କେଇ ବର୍ଷ ତଳେ ବ୍ୟାଙ୍କ କୃଷକମାନଙ୍କର ମିଆଦୀ ଋଣ ଏବଂ ଫସଲ ଋଣକୁ ଏକତ୍ର କରି ଋଣ ପୁନର୍ଗଠନ କରିଥିଲା। ଗୋଟିଏ ଫସଲ ଋଣ (ବିହନ ଏବଂ ସାର ଆଦି ପରି କୃଷିଗତ କାର୍ଯ୍ୟକଳାପ ନିମନ୍ତେ)ର ସୁଧହାର ହେଉଛି ୭ ପ୍ରତିଶତ, ଏ ମଧ୍ୟରେ ୪ ପ୍ରତିଶତ ସରକାର ପୈଠ କରନ୍ତି। ଗୋଟିଏ ମିଆଦୀ ଋଣ (ପୁଞ୍ଜି ନିବେଶ ପାଇଁ ବ୍ୟବହୃତ)ର ସୁଧହାର ଦୁଇଗୁଣ। ପୁନର୍ଗଠନ ଦ୍ୱାରା ବ୍ୟାଙ୍କ ଦୁଇଟିଯାକ ଋଣ ଏକତ୍ର କରେ ଏବଂ ସେଗୁଡ଼ିକୁ ଏକ ନୂତନ ମିଆଦୀ ଋଣରେ ପରିବର୍ତ୍ତନ କରେ ଯାହାକି କୃଷକଙ୍କ ଦେୟ ଯୋଗ୍ୟ ରାଶିକୁ ବଢ଼ାଇ ଦିଏ।

ସେଲଗାଓଁ ଗ୍ରାମର ୬୭ ବର୍ଷ ବୟସ୍କ କୃଷକ ବାବୁରାଓ ନାଭ୍‌ଲେ କୁହନ୍ତି, ତାଙ୍କ ମୂଳ ଋଣରାଶି ଟ. ୪ଲକ୍ଷ ତଳେ ଥିଲା। ପୁନର୍ଗଠନ ପରେ କେଇବର୍ଷ ମଧ୍ୟରେ ଏହା ଟ. ୧୭ଲକ୍ଷରେ ପହଞ୍ଚିଲା। ବ୍ୟାଙ୍କ ଏହି ପରିବର୍ତ୍ତନ ପାଇଁ କୃଷକମାନଙ୍କ ସହମତି ଉପରେ ଗୁରୁତ୍ୱ ଦିଏ। କିନ୍ତୁ କୃଷକମାନେ ଦାବି କରନ୍ତି ଯେ ସେମାନଙ୍କ ସହ ଛଳନା କରାଯାଇଛି। ନାଭ୍‌ଲେ କୁହନ୍ତି, ‘‘ଆମକୁ ଚଢ଼ଉ ଏବଂ ଆମ ଘର ନିଲାମି ଏଡାଇବା ପାଇଁ ଗୋଟିଏ ଡକ୍ୟୁମେଣ୍ଟରେ ସ୍ୱାକ୍ଷର କରିବାକୁ କୁହାଯାଇଥିଲା।’’ ନାଭଲେ ତାଙ୍କର ଚାରି ଏକର ଜମିରେ ଗହମ, ଯଅ ଏବଂ ବାଜରା ଚାଷ କରନ୍ତି। ତାଙ୍କ ଗ୍ରାମର ପଚିଶି ଜଣ କୃଷକଙ୍କର ଓଡିସିସି ବ୍ୟାଙ୍କରେ ସମୁଦାୟ ୨କୋଟିରୁ ଅଧିକ ଋଣ ଅଛି। ମୂଳ ପରିମାଣ ପ୍ରାୟ ଟ. ୪୦ଲକ୍ଷ ଥିଲା। ‘‘ଆମକୁ ସ୍ୱାକ୍ଷର କରିବା ପାଇଁ କହିବା ପୂର୍ବରୁ ଆମକୁ ସମ୍ପୂର୍ଣ୍ଣ ସୂଚନା ଦେବା ବ୍ୟାଙ୍କର ଦାୟିତ୍ୱ ନୁହେଁ କି?’’

PHOTO • Parth M.N.

ଶେଲଗାଁଓ ଗ୍ରାମର ଜଣେ କୃଷକ ବାବୁରାଓ ନାଭଲେ, ଯାହାଙ୍କର ମୂଳ ଋଣ ରାଶି ଟ. ୪ଲକ୍ଷ ଟ.୧୭ ଲକ୍ଷକୁ ବୃଦ୍ଧି ପାଇଛି

ମରଠାଓ୍ୱାଡାର ପ୍ରାୟ ସମସ୍ତ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକ-ଯେଉଁଠାରେ ଅଧିକାଂଶ କୃଷକଙ୍କର ଜମାଖାତା ଅଛି- ଦୁର୍ଦ୍ଦିନ ଦେଇ ଯାଉଛି। ଏହି ବ୍ୟାଙ୍କଗୁଡ଼ିକ ପ୍ରଭାବଶାଳୀ ଋଣ ଖିଲାପୀଙ୍କୁ ମୁକାବିଲା କରିବାକୁ ଅସମର୍ଥ ଏବଂ ନିଜେ ଆର୍ଥିକ ଦୁର୍ଗତିରେ ଅଛନ୍ତି, ସେମାନେ କୃଷକମାନଙ୍କର ଆର୍ଥିକ ମେରୁଦଣ୍ଡ ହେବା ଅସମ୍ଭବ-ଯାହା ଫଳରେ ସେମାନେ ଘରୋଇ ସାହୁକାରଙ୍କ ପାଖକୁ ଯାଉଛନ୍ତି।

ସତେଫଲ୍‌ରେ ଜଗତାପ ମୋତେ ତାଙ୍କର ସମସ୍ୟାଗୁଡ଼ିକ ସମ୍ପର୍କରେ କହିବା ସମୟରେ ନିଜନିଜର ମୋଟର ବାଇକରେ ଯାଉଥିବା ଅନେକ ଲୋକ ଯୋଗ ଦେଲେ। ସମସ୍ତେ ବ୍ୟାଙ୍କରୁ ଫେରୁଥିଲେ। କେଇଜଣ ହାଲକା ହୋଇଯାଇଥିଲେ। ଅଧିକାଂଶ ଉଦାସ ହୋଇଯାଇଥିଲେ। ସେହିଦିନ ଶାଖା ସତେଫଲର ମାତ୍ର ୭୧ ଜଣ ଚାଷୀଙ୍କୁ ଫସଲ ବୀମା ବଣ୍ଟନ କରିଥିଲା। ଜଗତାପ ଡାକ୍ତରଖାନା ଫେରିବାକୁ ନିଷ୍ପତ୍ତି ନେଲେ। ସେ କହିଲେ, ‘‘ମୋ ପତ୍ନୀ ପଚାରିବ ମୁଁ ବୀମା ଅର୍ଥ ପାଇଲି ନା ନାହିଁ। ମୁଁ ତାକୁ କ’ଣ କହିବି….?’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.