ପ୍ରତି ଚାରି ବର୍ଷରେ ଥରେ ଗୋଣ୍ଡ ଆଦିବାସୀମାନେ ଛତିଶଗଡ଼ର କାଙ୍କେର (ଉତ୍ତର ବସ୍ତର) ଜିଳ୍ଲା ସ୍ଥିତ ଅନ୍ତଗଡ଼ ତହସିଲର ସେମାରଗାଓଁକୁ ଆସନ୍ତି। ଏହି ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୦୦। ସେମାନେ ନିକଟସ୍ଥ କୋଣ୍ଡଗାଓଁ ଏବଂ ନାରାୟଣପୁରରୁ ସେମାନଙ୍କ ପୂର୍ବଜଙ୍କ ପାଇଁ ଉତ୍ସବ ମନେଇବାକୁ ଏକ ଯାତ୍ରାକୁ ଆସନ୍ତି। ଗୋଣ୍ଡମାନେ ବିଶ୍ୱାସ କରନ୍ତି ମୃତ୍ୟୁ ପରେ ବି ସେମାନଙ୍କ ସମୁହର ବରିଷ୍ଠମାନେ ଥାଆନ୍ତି। ସେମାନେ ଏହି ଯାତ୍ରା ସମୟରେ ହିଁ ଆସନ୍ତି ଏବଂ ସେମାନଙ୍କୁ ପୂର୍ବଜ ଦେବୀ ଓ ଦେବତା ଭାବରେ ପୂଜା କରାଯାଏ। ୨୦୧୮ ମାର୍ଚ୍ଚରେ ମୁଁ ଏହି ପର୍ବରେ ଯୋଗ ଦେଇଥିଲି।

ପାହାଣ୍ଡି ପାରି କୁପୁର୍ ଲିଙ୍ଗୋ କର୍ସାଦ ଯାତ୍ରା ଭାବରେ ଖ୍ୟାତ ଦେବତାମାନଙ୍କର ଏହି ତିନିଦିନିଆ ସମ୍ମିଳନୀକୁ ୨୦,୦୦୦ରୁ ଅଧିକ ଶ୍ରଦ୍ଧାଳୁ ଆସନ୍ତି। ସେମାନେ ଗୋଣ୍ଡ ପୁରାଣର କୂଳ ବୃଦ୍ଧ ପାରି କୁପର୍ ଲିଙ୍ଗୋଙ୍କ ସମ୍ମାନରେ ଏହି ଉତ୍ସବ ମନାନ୍ତି। ଗୋଣ୍ଡ ସଂପ୍ରଦାୟର ଏହି ଦେବତା ଯାହାଙ୍କ ଠାରୁ ସମୁହର ସାଂସ୍କୃତିକ ଏବଂ ସଙ୍ଗୀତ ଧାରା ଆରମ୍ଭ ହୋଇଛି ଏବଂ ଯିଏ ଗୋଣ୍ଡମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟର ଭାବନା ଦେଇଛନ୍ତି।  

କୋଣ୍ଡଗାଓଁ ଜିଲ୍ଲାର ଖାଲେମୁର୍ବେନ୍ଦ ଗାଁରୁ ଆସିଥିବା ଏବଂ ଉତ୍ସବର ଆୟୋଜକମାନଙ୍କ ମଧ୍ୟରୁ ଅନ୍ୟତମ ବିଷ୍ଣୁଦେବ ପଡ୍ଡା କୁହନ୍ତି, "ପୂର୍ବେ ଏହି ଯାତ୍ରା ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ହେଉଥିଲା, ତା’ପରେ ନ’ ବର୍ଷରେ, ସାତ ବର୍ଷରେ ଏବଂ ଏବେ ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଛି। ବିଷ୍ଣୁଦେବ ନିଜେ ମଧ୍ୟ ଗୋଣ୍ଡ ସମୂହର। ସେ ଏକଥା ମଧ୍ୟ କୁହନ୍ତି," କମ୍ ଲୋକ ଯୋଗୁଁ ଏହାର ପ୍ରଚାର କମ୍ ହେଉଥିଲା କିନ୍ତୁ ଏବେ ଏହା ଖୁବ୍ ଧୂମଧାମରେ ପାଳିତ ହେଉଛି। ଏହା ବିଷୟରେ ଶୁଣିବା ଓ ପଢ଼ିବା ପରେ ଏବେ ଅନେକ ଲୋକ ଏକାଠି ହେଉଛନ୍ତି। ମୋବାଇଲ୍ ଫୋନ୍ ଏବଂ ଯାତ୍ରା ସ୍ଥଳୀରେ ପହଞ୍ଚିବା ପାଇଁ ମୋଟର ସାଇକେଲ୍ ଏବଂ ଟ୍ୟାକ୍ସିର ଉପଲବ୍ଧତା ଉତ୍ସବର ପ୍ରଚାର ଏବଂ ଲୋକପ୍ରିୟତା ବଢ଼ାଇବାରେ ସହଯୋଗ ଦେଇଛି।

ଲୋକମାନେ ଏଠାରେ କ’ଣ କରନ୍ତି ଏ ବିଷୟରେ ଯେତେବେଳେ ମୁଁ ବିଷ୍ଣୁଦେବଙ୍କୁ ପଚାରିଲି ସେତେବେଳେ ସେ କହିଲେ, "କୋୟା [ଏହା] ଏଠାରେ ଆଦିବାସୀ ଲୋକଙ୍କୁ ସୂଚିତ କରୁଛି କିନ୍ତୁ ଗୋଣ୍ଡ, ମୁରିଆ ଏବଂ କୋୟା ଯଥାକ୍ରମେ ବସ୍ତର , ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମାନ ଆଦିବାସୀ ସମୂହମାନଙ୍କର ସମୁଦାୟ ୭୫୦ ଗୋତ୍ର [କୂଳ] ମଧ୍ୟରୁ ପ୍ରାୟ ୭୨ଟି ଗୋତ୍ର ବସ୍ତରରେ ରୁହନ୍ତି। ଏସବୁ ଗୋତ୍ରର ଲୋକମାନେ ସେମାନଙ୍କ ମଣ୍ଡକୁ ପେନ୍ (ଦେବତା)ମାନଙ୍କୁ ଏଠାକୁ ଆଣନ୍ତି ଏବଂ ସେମାନେ ଏଠାରେ ପରସ୍ପରକୁ ଭେଟନ୍ତି।’’ (ପ୍ରତ୍ୟେକ ଗୋତ୍ର ଜଣେ କୂଳ ଦେବତାଙ୍କ ଦ୍ୱାରା ଚିହ୍ନିତ- ଛେଳି, ବାଘ, ସାପ, କଇଁଛ ପରି ବିଭିନ୍ନ ଜୀବଜନ୍ତୁ ଏବଂ ପଶୁମାନଙ୍କର ପ୍ରତୀକ। ଗୋଣ୍ଡମାନେ ସେମାନଙ୍କ କୂଳଦେବତାଙ୍କୁ ପୂଜା କରନ୍ତି ଏବଂ ଉକ୍ତ ପ୍ରଜାତିକୁ ସଂରକ୍ଷିତ କରନ୍ତି)।

ତା’ ହେଲେ ଏହି ପେନମାନେ କିଏ? ଜୀବିକା ପାଇଁ ଏକ ଅଣ ସରକାରୀ ସଂସ୍ଥା ସହ କାର୍ଯ୍ୟ କରୁଥିବା କାଙ୍କେର୍ ସହରର ଗୋଣ୍ଡ କର୍ମକର୍ତ୍ତା କେଶବ ସୋରୀ କହିଥିଲେ, "ପେନମାନେ ଆମର ପୂର୍ବଜ । ଯେଉଁ ବରିଷ୍ଠମାନେ ଆମ ସହ ନାହାନ୍ତି ସେମାନେ ଆମମାନଙ୍କ ପାଇଁ ସ୍ୱର୍ଗୀୟ ନୁହନ୍ତି ବରଂ ସେମାନେ ପେନ୍ ପାଲଟି ଯାଆନ୍ତି। ଆମେ ଧରି ନେଉ ସେମାନେ ଆମ ସହ ଅଛନ୍ତି ଏବଂ ସେମାନଙ୍କୁ ପୂଜା କରୁ। ଆମେ ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବଙ୍କ ପେନମାନଙ୍କୁ ମଧ୍ୟ ଭେଟିବାକୁ ଯାଉ। ଗୋଣ୍ଡମାନେ ସେମାନଙ୍କ ପୂର୍ବଜଙ୍କ ସହ ଏକାଠି ହୁଅନ୍ତି ଏବଂ ସମସ୍ତେ ସମସ୍ତଙ୍କ ସହ କଥାବାର୍ତ୍ତା ହୁଅନ୍ତି। ସେମାନେ ଉତ୍ସବ ମନାନ୍ତି।"

ବିଶ୍ୱାସ କରାଯାଏ ପୂର୍ବଜ ଦେବୀ-ଦେବତା ପେନମାନେ ଯାତ୍ରାରେ ନାଚନ୍ତି, କାନ୍ଦନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ କରନ୍ତି। ଲୋକମାନେ ନିଜ ନିଜର ସମସ୍ୟା ସେମାନଙ୍କ ସହ ବାଣ୍ଟନ୍ତି ଏବଂ ବଦଳରେ ସେମାନେ ସମାଧାନର ବାଟ ଦେଖାନ୍ତି। ଅନେକ ଆଦିବାସୀ ସେମାନଙ୍କୁ ଗେଣ୍ଡୁ ଫୁଲ ମାଳ ଅର୍ପଣ କରନ୍ତି। ମୋତେ କୁହାଗଲା ପେନମାନେ ଫୁଲକୁ ଭଲପାଆନ୍ତି ଯାହାକି ପ୍ରଚୁର ପରିମାଣରେ ଏହି ଯାତ୍ରାରେ ବିକ୍ରୀ ହୁଏ।

କାଙ୍କେର ଜିଲ୍ଲାର ଘୋଟିଆ ଗ୍ରାମର ଜଣେ ପୂଜକ ଦେଓସିଂହ କୁରେତି କୁହନ୍ତି, "ଆମେ ଅଙ୍ଗା (ଦେବତା) ମାନଙ୍କୁ ବୋହିକରି ଆଣୁ ଏବଂ ଲିଙ୍ଗୋ ଡୋକ୍ରା (ଡୋକ୍ରା ଅର୍ଥ ବଡ଼, ଦେବତା ବା ଇଶ୍ୱରଙ୍କ ବଦଳରେ ଏହି ଶବ୍ଦ ଶ୍ରଦ୍ଧାର ସହ ବ୍ୟବହାର କରାଯାଏ)। ଆମର ଭକ୍ତି ନୈବେଦ୍ୟ ସେବା ଅର୍ପଣ କରୁ। ଆମେ ତାଙ୍କୁ ଫୁଲ, ଗୁଆ, ସିନ୍ଦୁର ଏବଂ ଲେମ୍ବୁ ଆଦି ଅର୍ପଣ କରୁ। ଆମେ (ତାଙ୍କ) ପାଇଁ ଘୁଷୁରୀ ଏବଂ ଛେଳି ବଳି ଦେଉ।" ପାରମ୍ପରିକ ଭାବରେ ଲୋକମାନେ ଦୁରଦୁରାନ୍ତରୁ ଏହି ଉତ୍ସବକୁ ଆସନ୍ତି। ଅଧିକାଂଶ ସମୟରେ ସେମାନେ ରାତିରେ କାଠ ପାଲିଙ୍କିରେ ଅଙ୍ଗାମାନଙ୍କୁ ବସାଇ ଫୁଲ, ଛେଳି, କୁକୁଡ଼ା ପରି ନୈବେଦ୍ୟ ସହ ଚାଲି ଚାଲି ଆସନ୍ତି। ଚଳିତ ବର୍ଷ ମୁଁ କେତୋଟି ଯାନ ମୋ ନଜରକୁ ଆସିଥିଲା। ସେଥିରେ  କିଛି ଲୋକ ଅଙ୍ଗାମାନଙ୍କୁ ଆଣିଥିଲେ। ମୋତେ ସେଠାକୁ ନେଇଥିବା କେଶବ ସୋରି କହିଥିଲେ ଏହା ଏକ ନୁତନ ପରିବର୍ତ୍ତନ ପରି ମନେହେଉଛି।

ମୁଁ ଏକ ବୋଲେରୋ ଗାଡ଼ିରେ ନିଜ ଅଙ୍ଗା ନେଇ ଆସିଥିବା ଜେ. ଆର୍. ମାଣ୍ଡବିଙ୍କୁ ଏ ବିଷୟରେ ପଚାରିଲି। ୫୦ ବର୍ଷ ବୟସ୍କ ଶ୍ରୀ ମାଣ୍ଡବି ଜଣେ ସରକାରୀ କର୍ମଚାରୀ। ସେ କହିଥିଲେ, "ମୁଁ ଘୋଡ଼ାଗାଓଁରୁ ଆସିଥିଲେ ବି ଆମର ଦେବତା କାଙ୍କେର ଜିଲ୍ଲାର ତେଲାୱଟ୍ ଗ୍ରାମର। ଆମେମାନେ ଆଗରୁ କାନ୍ଧରେ ଅଙ୍ଗାମାନଙ୍କୁ ବୋହି ପାଦରେ ଚାଲି ଚାଲି ଆସୁଥିଲୁ କିନ୍ତୁ ଏବେ ଆମ ପରିବାରର ସଦସ୍ୟ ସଂଖ୍ୟା କମି ଯିବାରୁ ଏତେ ଦୂର ପାଦରେ ଚାଲି ଚାଲି ଆସିବା କଷ୍ଟକର (ପ୍ରାୟ ୮୦ କିଲୋମିଟର)। ତେଣୁ ଆମେ ଅଙ୍ଗାଙ୍କ ଅନୁମତି ଲୋଡ଼ିଲୁ ଏବଂ  ଯେତେବେଳେ ଅଙ୍ଗା ଉଦୁମ୍ କୁମାରୀ (ସବୁ ଅଙ୍ଗା ଲିଙ୍ଗୋ ଦେଓଙ୍କ ସହ ସମ୍ପର୍କିତ) ଆମକୁ ଅନୁମତି ଦେଲେ ସେତେବେଳେ ଆମେ ତାଙ୍କୁ ଗାଡ଼ିରେ ବସାଇ ଏଠାକୁ ଆଣିଲୁ।"

କାଙ୍କେର ଜିଲ୍ଲାର ଦୋମାହରା ଗ୍ରାମରୁ ନିଜ ଅଙ୍ଗାଙ୍କୁ କାନ୍ଧରେ ବସାଇ ଆଣିଥିବା ମୈତୁରାମ ମୋତେ କହିଥିଲେ, "ଏହା ଆମ ପୂର୍ବଜମାନଙ୍କ ସ୍ଥାନ। ଆମେ ନିଜ ସହ ଜଣେ ବୟସ୍କା ମହିଳାଙ୍କୁ ଆଣିଛୁ। ଆମ ଦେବତା ଯେଉଁ ସ୍ଥାନକୁ ଯିବା ପାଇଁ ନିମନ୍ତ୍ରଣ ପାଆନ୍ତି ସେଠାକୁ ଯାଆନ୍ତି (ଅନ୍ୟ ଦେବତାମାନଙ୍କ ସହ ଭେଟ ହେବାକୁ) ଏବଂ ତାଙ୍କୁ ଭେଟିବାକୁ ସେମାନଙ୍କୁ ନିମନ୍ତ୍ରଣ କରନ୍ତି।"

ଲିଙ୍ଗୋ ରହୁଥିବାର ବିଶ୍ୱାସ କରାଯାଉଥିବା ପବିତ୍ର ଉତ୍ସବ ସ୍ଥଳରେ ପ୍ରବେଶ କରିବା ପୂର୍ବରୁ ପରିବାରଗୁଡିକ ଗଛ ତଳେ ବିଶ୍ରାମ ନିଅନ୍ତି। ସେମାନେ ସେଠାରେ ଭାତ, ତରକାରୀ, ଚିକେନ୍ ଏବଂ ଅନ୍ୟ ବ୍ୟଞ୍ଜନ କାଠ ଚୁଲିରେ ରୋଷେଇ କରନ୍ତି ଏବଂ ବାଜରା ପାଣି ପିଅନ୍ତି। ସେମାନଙ୍କ ମଧ୍ୟରେ ଥିଲେ କାଙ୍କେର ଜିଲ୍ଲାର କୋଲିଆରୀ ଗ୍ରାମରୁ ଆସିଥିବା ଘାସୁ ମାଣ୍ଡବି। ସେ କହିଥିଲେ, "ଆମେ ଲିଙ୍ଗୋ ଦେଓଙ୍କ ବଡ଼ ଭାଇ ମୁଡ୍ ଡୋକ୍ରାଙ୍କୁ ନେଇ ଆସିଛୁ। ତାଙ୍କର ସାନ ଭାଇ ଏବଂ ତାଙ୍କ ପୁଅ ଝିଅମାନେ ମଧ୍ୟ ଏଠାରେ ଅଛନ୍ତି। ଏହା ଏକ ପୁରୁଣା ପରମ୍ପରା ଏବଂ ଲିଙ୍ଗୋ ଡ଼ୋକ୍ରାଙ୍କ ପରିବାର ସଦସ୍ୟମାନେ ପରସ୍ପରକୁ ଭେଟିବା ପାଇଁ ଏଠାରେ ଏକାଠି ହୁଅନ୍ତି।"

ଉତ୍ସବ ପଡ଼ିଆରେ ଫଟୋଗ୍ରାଫି ଏବଂ ଭିଡ଼ିଓଗ୍ରାଫିର ଅନୁମତି ନାହିଁ। ନିକଟ ଅତୀତରେ ଗୋଣ୍ଡ ସଂସ୍କୃତି ଓ ପରମ୍ପରାର ତ୍ରୁଟିପୂର୍ଣ୍ଣ ଉପସ୍ଥାପନା କରାଯାଇଛି, ବିଶେଷ କରି ଦୃଶ୍ୟ ମାଧ୍ୟମ ଦ୍ୱାରା। ତେଣୁ ସେମାନେ ଖୁବ୍ ସତର୍କ ହୋଇଯାଇଛନ୍ତି।  ମୁଁ ସେମାନଙ୍କୁ ପ୍ରତିଶୃତି ଦେଲି ଯେ କେବଳ ଉତ୍ସବ ପଡ଼ିଆ ବାହାରେ ହିଁ ଫଟୋ ନେବି।

Gond Adivasis from (Uttar Bastar) Kanker, Kondagaon and Narayanpur districts of Chhattisgarh
PHOTO • Purusottam Thakur

ଛତିଶଗଡ଼ର କାଙ୍କେର, କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ଆଦିବାସୀମାନେ ଉତ୍ସବକୁ ନିଜ ପୂର୍ବଜ ଦେବତାଙ୍କ ସଂକେତ ଥିବା ପତାକା ନେଇ ଆସିଛନ୍ତି। ସେମାନଙ୍କର ବିଶ୍ୱାସ ସେମାନେ ମଧ୍ୟ ଏଠାକୁ ଆସିଥିବେ ପରସ୍ପରକୁ ଭେଟିବାକୁ।

People coming from far village walking to attend jatra
PHOTO • Purusottam Thakur

କେତେକ ଶ୍ରଦ୍ଧାଳୁ ସେମାନଙ୍କ ଗାଁରୁ ଚାଲି ଚାଲି ଆସନ୍ତି। ଅନେକ ସମୟରେ ସେମାନେ ରାତିରେ ଅଙ୍ଗାମାନଙ୍କୁ କାନ୍ଧରେ ବସାଇ ଆସନ୍ତି। ସେମାନେ ସମସ୍ତେ ଗୋଣ୍ଡ କିମ୍ବଦନ୍ତୀର ‘କୂଳ ବୃଦ୍ଧ’ ପାରି କୁପୁର୍ ଲିଙ୍ଗୋଙ୍କ ସହ ସମ୍ପର୍କିତ।

People transporting  their material on the vehicle to participate in Jatra
PHOTO • Purusottam Thakur
People sitting in a tractor to participate in Jatra
PHOTO • Purusottam Thakur

ଯଦିଓ ଏହା ସଦ୍ୟତମ ପରିବର୍ତ୍ତନ , ବର୍ତ୍ତମାନ କେତେକ ପରିବାର ସେମାନଙ୍କ ଅଙ୍ଗାମାନଙ୍କୁ ଯାନ ବାହନରେ ନେଇ ଆସୁଛନ୍ତି(ବାମ)। କେତେକ ପର୍ଯ୍ୟଟକ ସେମାରଗାଓଁକୁ ଟ୍ରାକ୍ଟରରେ ଆସିଥିଲେ। ଅନ୍ୟମାନେ ପାଦରେ ଚାଲି ଚାଲି, ବାଇ ସାଇକେଲ୍ ଏବଂ ମୋଟର ବାଇକ୍ ଆଦିରେ ଆସିଥିଲେ। ମୋବାଇଲ୍ ଫୋନ୍ ଏବଂ ଯାତ୍ରା ସ୍ଥଳୀରେ ପହଞ୍ଚିବା ପାଇଁ ମୋଟର ସାଇକେଲ୍ ଏବଂ ଟ୍ୟାକ୍ସିର ଉପଲବ୍ଧତା ଉତ୍ସବର ଲୋକପ୍ରିୟତା ବଢ଼ାଇଛି।

People are taking rest before going at the festival ground
PHOTO • Purusottam Thakur
People are taking rest before going at the festival ground
PHOTO • Purusottam Thakur

ଗୋଣ୍ଡମାନେ ଲିଙ୍ଗୋ ଗୁଡ଼ି ବା ଲିଙ୍ଗୋଙ୍କ ଦରବାର (ଉପାସନାସ୍ଥଳୀ) ଭାବରେ ଜଣାଶୁଣା ସମ୍ମିଳନୀ ସ୍ଥଳରେ ପହଞ୍ଚି ଯିବାପରେ ଉତ୍ସବ ପଡ଼ିଆକୁ ଯିବା ପୂର୍ବରୁ ବିଶ୍ରାମ ନିଅନ୍ତି।

Women in a traditional attire
PHOTO • Purusottam Thakur
A person in a traditional attire
PHOTO • Purusottam Thakur

ଗୋଣ୍ଡମାନେ ଦେବତାଙ୍କର ଏହି ସମ୍ମିଳନୀକୁ ସେମାନଙ୍କ ପାରମ୍ପରିକ ପରିଧାନରେ ଆସନ୍ତି। ଏହି ଉତ୍ସବ ସେମାନଙ୍କ ଭିନ୍ନ ସାଂସ୍କୃତିକ ପରିଚୟ ସହ ପୁନଃ ସଂଯୁକ୍ତିର ସମୟ।

The festival celebrates deeply revered Pari Kupar Lingo, from whom flow many of the community’s cultural legacies
PHOTO • Purusottam Thakur
The festival celebrates deeply revered Pari Kupar Lingo, from whom flow many of the community’s cultural legacies
PHOTO • Purusottam Thakur

ଏହି ଉତ୍ସବ ପାରି କୁପୁର୍ ଲିଙ୍ଗୋଙ୍କ ପ୍ରତି ଗଭୀର ଶ୍ରଦ୍ଧା ପ୍ରଦର୍ଶନ କରେ। ତାଙ୍କ ଠାରୁ ହିଁ ଏହି ସମୂହର ଅନେକ ସାଂସ୍କୃତିକ ଉତ୍ତରାଧିକାରିତ୍ଵ ଆରମ୍ଭ ହୋଇଛି।

Women carrying headloads are also at the festival
PHOTO • Purusottam Thakur

ମୁଣ୍ଡରେ ବୋଝ ରଖିଥିବା ମହିଳାମାନେ ମଧ୍ୟ ଉତ୍ସବକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱୟଂ ସହାୟିକା ଗୋଷ୍ଠିଗୁଡ଼ିକର ସଦସ୍ୟ ଏବଂ ସେମାନେ ଏଠାକୁ ରନ୍ଧା ଖାଦ୍ୟ ବିକ୍ରି କରିବାକୁ ଆସିଛନ୍ତି।

People eat and drink before they enter the festival ground
PHOTO • Purusottam Thakur

ଲୋକମାନେ ଉତ୍ସବ ପଡ଼ିଆରେ ପ୍ରବେଶ କରିବା ପୂର୍ବରୁ ଖାଆନ୍ତି ଏବଂ ପିଅନ୍ତି। ରାଗି ବା ବାଜରା ପାଣି ଏକ ଲୋକପ୍ରିୟ ଏବଂ ଶୀତଳ ଖରାଦିନିଆ ପେୟ।

Adivasi dancers and musical troupes from different parts of (Uttar Bastar)
PHOTO • Purusottam Thakur
Adivasi dancers and musical troupes from different parts of (Uttar Bastar)
PHOTO • Purusottam Thakur

ଏହି ଯାତ୍ରା ଉତ୍ତର ବସ୍ତରର ବିଭିନ୍ନ ଅଞ୍ଚଳ ଯଥା କାଙ୍କେର , କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ଆଦିବାସୀ ନୃତ୍ୟ ଶିଲ୍ପୀ ଓ ସଙ୍ଗୀତ ଦଳଗୁଡ଼ିକୁ ଆକୃଷ୍ଟ କରେ। ସଙ୍ଗୀତଜ୍ଞମାନେ ପ୍ରଦର୍ଶନ ସ୍ଥଳରୁ ବିରତି ନେଉଛନ୍ତି। ଏଠାରେ ଏକ ସମୟରେ ଗୋଟିଏ ବା ଦୁଇଟି ଦଳ ଉପସ୍ଥିତ ରହିପାରିବେ। ସେତେବେଳେ ଅନ୍ୟମାନେ ନିଜ ପାଳି ଅସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି କିମ୍ବା ବିରତି ନିଅନ୍ତି।

Visitors buy bamboo products, jewellery and other items as offerings to their ancestor gods and goddesses
PHOTO • Purusottam Thakur
Traditional jewellery
PHOTO • Purusottam Thakur

ପର୍ଯ୍ୟଟକମାନେ ପୂର୍ବଜ ଦେବୀ ଦେବତାଙ୍କୁ ଅର୍ପଣ କରିବା ପାଇଁ ବାଉଁଶ ସାମଗ୍ରୀ, ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ କିଣନ୍ତି।

ferris wheels
PHOTO • Purusottam Thakur

ଏଠାରେ ଚକ୍ରଦୋଳି ଅଛି। ଉଭୟ ମାନବଚାଳିତ ଏବଂ ମୋଟରଚାଳିତ। ଯେଉଁ ସ୍ଥାନୀୟ ଲୋକମାନେ ମାନବଚାଳିତ ଦୋଳି ଚଳାଉଛନ୍ତି ସେମାନେ ଗ୍ରାହକ ପାଇବା କଷ୍ଟକର ହେଉଛି।

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Purusottam Thakur

ପୁରୁଷୋତ୍ତମ ଠାକୁର ୨୦୧୫ର ପରି ସାଥୀ, ସେ ଜଣେ ସ୍ୱାଧୀନ ସାମ୍ବାଦିକ, ଫଟୋଗ୍ରାଫର ଏବଂ ବୃତ୍ତ ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ ସଂଗ୍ରହ କରନ୍ତି। ସେ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାମ କରନ୍ତି।

Other stories by Purusottam Thakur