“ଓଃ, ସେମାନେ କେବଳ ଆମ ‘ଅତିଥିଗୃହ’ ବିଷୟରେ ଜାଣିବାକୁ ଆସିଛନ୍ତି”, ସେଠାରେ ଥିବା ନିଜ ‘ସହନିବାସୀ’ ଲାବଣ୍ୟଙ୍କୁ କହୁଥିଲେ ରାଣୀ। ଆମ ଗସ୍ତର ଉଦ୍ଦେଶ୍ୟ ଜାଣିବା ପରେ ଉଭୟ ଆଶ୍ୱସ୍ତ ହେବା ଭଳି ଦେଖାଯାଉଛନ୍ତି।

ଜାନୁଆରୀର ପ୍ରଥମ ଭାଗରେ ଆମେ ଯେତେବେଳେ ଅତିଥି ଗୃହ ବିଷୟରେ ଜାଣିବା ଲାଗି ମଦୁରାଇ ଜିଲ୍ଲାର ଟି. କଲ୍ଲୁପଟ୍ଟି ବ୍ଲକ୍ କୁଭାଲପୁରମ ଗାଁ ଦାଣ୍ଡରେ ପହଞ୍ଚିଲୁ ସେଠାରେ ଆତଙ୍କ ଖେଳିଯିବା ଭଳି ମନେହେଲା। ପୁରୁଷମାନେ, ଖୁବ ଧୀର ସ୍ୱରରେ ଆମକୁ ଦୁଇ ଜଣ ମହିଳାଙ୍କ ଆଡ଼କୁ ହାତ ଠାରି ଦେଖାଇଦେଲେ। ଉଭୟ ସ୍ୱଳ୍ପବୟସ୍କା ମା’ ଥିଲେ- କିଛି ଦୂରରେ ଏକ ବାରଣ୍ଡା ଉପରେ ବସିଥିଲେ।

“ଏହା ଅନ୍ୟପଟେ ଅଛି, ଚାଲନ୍ତୁ ଯିବା,” ମହିଳାମାନେ କହିଲେ, ଆମକୁ ଗାଁଠାରୁ ପ୍ରାୟ ଅଧା କିମି ଦୂରରେ ଥିବା ଏକ କୋଣକୁ ନେଇଗଲେ। ଦୁଇଟି ଅଲଗା କୋଠରି ଥିଲ, ତଥାକଥିତ ‘ଅତିଥିଗୃହ’, ଆମେ ପହଁଚିବା ସମୟରେ ବନ୍ଦ ଥିବା ଭଳି ଲାଗୁଥିଲା। ଆଶ୍ଚର୍ଯ୍ୟର କଥା, ଦୁଇଟି କ୍ଷୁଦ୍ର ଢାଞ୍ଚା ମଧ୍ୟରେ ଏକ ନିମ୍ବ ଗଛ ଲଦା ହୋଇଥିଲା। ଏହାର ଶାଖାରେ କିଛି ବସ୍ତା ଓହଳିଥିଲା।

ଏହି ଅତିଥିଗୃହରେ ଋତୁବତୀ ମହିଳା ‘ଅତିଥି’ ଭାବେ ଥିଲେ। ତେବେ ସେମାନେ କୌଣସି ନିମନ୍ତ୍ରଣ କିମ୍ବା ନିଜ ଇଚ୍ଛାରେ ଏଠାରେ ନଥିଲେ। ମଦୁରାଇ ସହରଠାରୁ ୫୦ କିମି ଦୂର ୩୦୦୦ ଗ୍ରାମବାସୀ ଥିବା ଏହି ଗାଁର ସାମୁଦାୟିକ ପରମ୍ପରା ଅନୁଯାୟୀ ସେମାନଙ୍କୁ ବାଧ୍ୟ ହୋଇ ଏଠାରେ ସମୟ ବିତାଇବାକୁ ପଡ଼ୁଥିଲା। ଅତିଥିଗୃହରେ ଆମେ ଭେଟିଥିବା ଦୁଇ ଜଣ ମହିଳା ରାଣୀ ଓ ଲାବଣ୍ୟ (ଛଦ୍ମନାମ)ଙ୍କୁ ଏଠାରେ ୫ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ତେବେ, ଯୌବନାବସ୍ଥାରେ ପାଦ ଥାପୁଥିବା କିଶୋରୀଙ୍କୁ ଏଠାରେ ପୂରା ଗୋଟିଏ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିଥାଏ। ସେହିପରି ପ୍ରସବ ପରେ ନବଜାତ ଶିଶୁଙ୍କ ସହ ପ୍ରସୂତୀମାନେ ମଧ୍ୟ ଏଠାରେ ରୁହନ୍ତି।

“ଆମେ କୋଠରିରେ ଆମର ଥଳି ନିଜ ପାଖରେ ରଖିଥାଉ,” ବୋଲି ରାଣୀ କୁହନ୍ତି। ଏହି ଥଳିରେ ମହିଳାଙ୍କ ପାଇଁ ଅଲଗା ବାସନକୁସନ ଥାଏ ଯାହାକୁ ସେମାନେ ଋତୁସ୍ରାବ ସମୟରେ ବ୍ୟବହାର କରିଥା’ନ୍ତି। ଏଠାରେ କିଛି ଖାଦ୍ୟ ରନ୍ଧା ହୁଏ ନାହିଁ। ଘରୁ ଖାଇବା ଆସେ, ବେଳେ ବେଳେ ପଡ଼ୋଶୀମାନେ ରାନ୍ଧି ଦିଅନ୍ତି। ପରେ ମହିଳାମାନଙ୍କୁ ସେମାନଙ୍କ ଥାଳିରେ ଖାଇବା ବାଢ଼ି ଦିଆଯାଇଥାଏ। କେହି ଯେପରି ଏଗୁଡ଼ିକୁ ଛୁଇଁବେ ନାହିଁ, ସେଥିପାଇଁ ନିମ୍ବ ଗଛରେ ଥଳିଗୁଡ଼ିକୁ ଓହଳାଇ ଦିଆଯାଇଥାଏ। ଗୋଟିଏ ପରିବାରର ହୋଇଥିଲେ ମଧ୍ୟ ପ୍ରତ୍ୟେକ ‘ଅତିଥି’ଙ୍କ ପାଇଁ ଅଲଗା ବାସନକୁସନ ଥାଏ। କିନ୍ତୁ ସେଠାରେ କେବଳ ୨ଟି କୋଠରି ଅଛି ଏବଂ ସମସ୍ତଙ୍କୁ ସାଥୀ ହୋଇ ଏଠାରେ ରହିବାକୁ ପଡ଼େ ।

Left: Sacks containing vessels for the menstruating women are hung from the branches of a neem tree that stands between the two isolated rooms in Koovalapuram village. Food for the women is left in these sacks to avoid physical contact. Right: The smaller of the two rooms that are shared by the ‘polluted’ women
PHOTO • Kavitha Muralidharan
Left: Sacks containing vessels for the menstruating women are hung from the branches of a neem tree that stands between the two isolated rooms in Koovalapuram village. Food for the women is left in these sacks to avoid physical contact. Right: The smaller of the two rooms that are shared by the ‘polluted’ women
PHOTO • Kavitha Muralidharan

ବାମ : କୁଭାଲାପୁରମ ଗାଁର ଦୁଇଟି ପୃଥକ କୋଠରିର ମଧ୍ୟଭାଗରେ ଥିବା ନିମ୍ବ ଗଛ ଶାଖାରେ ଓହଳିଥିବା ଥଳିରେ ଋତୁବତୀ ମହିଳାଙ୍କ ପାଇଁ ବାସନ ରହିଛି। ଛୁଇଁବାରୁ ଏଡ଼ାଇବା ଲାଗି ମହିଳାଙ୍କ ପାଇଁ ଖାଦ୍ୟ ଏହି ଥଳିରେ ରଖିଦିଆଯାଇଥାଏ। ଡାହାଣ : ଦୁଇଟି କୋଠରି ମଧ୍ୟରୁ ଛୋଟ କୋଠରି ଯେଉଁଥିରେ ‘ଅପବିତ୍ର’ ମହିଳାମାନେ ରୁହନ୍ତି

କୁଭାଲାପୁରମରେ, ରାଣୀ ଓ ଲାବଣ୍ୟଙ୍କ ଭଳି ମହିଳାଙ୍କ ପାଇଁ ଋତୁସ୍ରାବ ସମୟରେ ଏସବୁ କୋଠରୀରେ ରହିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ଗାଁର ଲୋକମାନେ ଦୁଇ ଦଶନ୍ଧି ପୂର୍ବେ ଟଙ୍କା ଆଦାୟ କରି ଏଥିମଧ୍ୟରୁ ଗୋଟିଏ ତିଆରି କରିଥିଲେ। ଉଭୟ ମହିଳାଙ୍କ ବୟସ ୨୩ ବର୍ଷ ଏବଂ ସେମାନେ ବିବାହିତ। ଲାବଣ୍ୟଙ୍କର ଦୁଇ ଜଣ ଓ ରାଣୀଙ୍କର ଜଣେ ସନ୍ତାନ ଅଛନ୍ତି; ଉଭୟଙ୍କ ସ୍ୱାମୀ କୃଷି ଶ୍ରମିକ।

“ବର୍ତ୍ତମାନ ଏଠାରେ କେବଳ ଆମେ ଦୁଇ ଜଣ ଅଛୁ, କିନ୍ତୁ ଅନେକ ସମୟରେ ଏହି ଘରେ ୮ରୁ ୯ ଜଣ ମହିଳା ରହିଥାନ୍ତି, ଫଳରେ କୋଠରିରେ ଭିଡ଼ ହୋଇଯାଏ,” ବୋଲି ଲାବଣ୍ୟ କୁହନ୍ତି । ବାରମ୍ବାର ଏପରି ଭିଡ଼ ହେବା କାରଣରୁ ଗାଁର ବୟସ୍କ ଲୋକମାନେ ଦ୍ୱିତୀୟ କୋଠରି ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ। ଏହାପରେ ଏକ ଯୁବ କଲ୍ୟାଣ ସଂଗଠନ ଅକ୍ଟୋବର ୨୦୧୯ରେ ପାଣ୍ଠି ଆଦାୟ କରି ଦ୍ୱିତୀୟ କୋଠରି ନିର୍ମାଣ କରିଥିଲେ ।

ଏଠାରେ ଦୁଇଟି କୋଠରି ଥିବା ସତ୍ତ୍ୱେ ରାଣୀ ଓ ଲାବଣ୍ୟ ନୂଆ କୋଠରିରେ ରହୁଛନ୍ତି କାରଣ ଏହା ବଡ଼, ଏହା ଭିତରକୁ ଅଧିକ ପବନ ଓ ଆଲୋକ ଆସିଥାଏ । ବିଡ଼ମ୍ବନାର ବିଷୟ ହେଉଛି, ରୁଢ଼ିବାଦୀ ପରମ୍ପରାର କ୍ଷୁଦ୍ର ସ୍ଥାନରେ ଏକ ଲାପଟପ ରହିଛି, ଯାହାକୁ ଲାବଣ୍ୟ ସ୍କୁଲରେ ପଢ଼ୁଥିବା ସମୟରେ ରାଜ୍ୟ ସରକାରଙ୍କଠାରୁ ପାଇଥିଲେ। “ମୁଁ ଏଠି ସମୟ କିପରି ବିତାଇବି? ଆମେ ମୋ ଲାପଟପରେ ଗୀତ ଶୁଣୁଛୁ କିମ୍ବା ଫିଲ୍ମ ଦେଖୁଛୁ। ଏହାକୁ ମୁଁ ଘରକୁ ଫେରାଇନେବି”, ସେ କୁହନ୍ତି।

ଏହି ‘ଅତିଥିଗୃହ’କୁ ମୁଟ୍ଟୁଥୁରାଇ ବା ‘ଅପବିତ୍ର’ ମହିଳାଙ୍କ ରହିବା ସ୍ଥାନ ବୋଲି କୁହାଯାଇଥାଏ । “ଆମେ ଆମ ପିଲାଙ୍କ ଆଗରେ ଏହାକୁ ମୁଟ୍ଟୁଥୁରାଇ ବୋଲି କହିଥାଉ, ଏହା କ’ଣ ବୋଲି ସେମାନେ ବୁଝିନଥାନ୍ତି,” ରାଣୀ କୁହନ୍ତି। “ଗାଁରେ ପର୍ବପର୍ବାଣୀ ଓ ସାର୍ବଜନୀନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ମୁଟ୍ଟୁଥୁରାଇରେ ରହିବା ଅପମାନଜନକ। ଏ ଗାଁ ବାହାରେ ଆମର ଏମିତି ସମ୍ପର୍କୀୟମାନେ ଅଛନ୍ତି ଯେଉଁମାନଙ୍କୁ ଏପରି ପ୍ରଥାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।” ମଦୁରାଇ ଜିଲ୍ଲାର ୫ଟି ଗାଁ ମଧ୍ୟରୁ କୁଭାଲାପୁରମ ହେଉଛି ଅନ୍ୟତମ ଯେଉଁଠି ଋତୁସ୍ରାବ ସମୟରେ ମହିଳାଙ୍କୁ ଅଲଗା ରହିବାକୁ ପଡ଼ିଥାଏ। ଏହି ପ୍ରଥା ପ୍ରଚଳନ ଥିବା ଅନ୍ୟ ଗାଁଗୁଡ଼ିକ ହେଲା ପୁଦୁପତି, ଗୋବିନ୍ଦାନାଲ୍ଲୁର, ସପ୍ତୁର ଆଲାଗପୁରୀ ଓ ଚିନ୍ନାୟାପୁରମ ।

ଏହି ପୃଥକୀକରଣ ଲାଞ୍ଛନା ଆଣିଦେଇପାରେ। ନିର୍ଦ୍ଧାରିତ ସମୟରେ କିଶୋରୀ, ଅବିବାହିତା ଝିଅମାନେ ଅତିଥିଗୃହକୁ ନଗଲେ ଗାଁ ଲୋକେ ନାନା କଥା କୁହନ୍ତି। ନବମ ଶ୍ରେଣୀରେ ପଢ଼ୁଥିବା ୧୪ ବର୍ଷୀୟା ଭାନୁ (ଛଦ୍ମନାମ) “ସେମାନେ ମୋର ଋତୁଚକ୍ରର ସମୟ ଜାଣନ୍ତି ନାହିଁ, କିନ୍ତୁ ମୁଁ ଯଦି ୩୦ଦିନରେ ଥରେ ମୁଟ୍ଟୁଥୁରାଇକୁ ନଯାଏ, ତେବେ ମୁଁ ସ୍କୁଲକୁ ମଧ୍ୟ ଯାଇପାରିବି ନାହିଁ ବୋଲି ସେମାନେ କୁହନ୍ତି” ।

ଚିତ୍ରଣ : ପ୍ରିୟଙ୍କା ବୋରାର

ଋତୁସ୍ରାବକୁ ନେଇ ରହିଥିବା କଟକଣା ବିରୋଧରେ ସ୍ୱର ଉତୋଳନ କରୁଥିବା ପୁଡୁଚେରୀର ନାରୀବାଦୀ ଲେଖିକା ସାଲାଇ ସେଲଭମ କୁହନ୍ତି, “ମୁଁ ଆଦୌ ଚକିତ ନୁହେଁ”। “ଏ ଦୁନିଆ ମହିଳାଙ୍କୁ ସବୁବେଳେ ତଳେ ରଖିବାକୁ ଚେଷ୍ଟା କରିଆସିଛି, ସେମାନଙ୍କ ସହ ସବୁବେଳେ ଦ୍ୱିତୀୟ ଶ୍ରେଣୀ ନାଗରିକ ଭଳି ବ୍ୟବହାର କରିଛି। ସଂସ୍କୃତି ନାଁରେ ଏସବୁ କଟକଣା ମହିଳାଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ ରଖିବାର ଆଉ ଏକ ଅବସର। ଯେପରି ନାରୀବାଦୀ ଗ୍ଲୋରିଆ ଷ୍ଟିନେମ ନିଜ ଐତିହାସିକ ପ୍ରବନ୍ଧ (‘ଯଦି ପୁରୁଷଙ୍କର ଋତୁସ୍ରାବ ହେଉଥାଆନ୍ତା’)ରେ ଉଲ୍ଲେଖ କରିଛନ୍ତି ଯଦି ପୁରୁଷଙ୍କର ଋତୁସ୍ରାବ ହେଉଥା’ନ୍ତା ତେବେ ପରିସ୍ଥିତି ଭିନ୍ନ ହୋଇଥାଆନ୍ତା ।

କୁଭାଲାପୁରମ ଏବଂ ସପ୍ତୁର ଆଲାଗପୁରୀରେ ମୁଁ ଭେଟିଥିବା ଅଧିକାଂଶ ମହିଳା ସେଲଭମଙ୍କ କଥାରେ ଏକମତ ଯେ ସଂସ୍କୃତି ନାଁରେ ବାଛବିଚାର କରାଯାଉଛି। ଉଭୟ ରାଣୀ ଏବଂ ଲାବଣ୍ୟଙ୍କୁ ଦ୍ୱାଦଶ ଶ୍ରେଣୀ ପରେ ଜୋରଜବରଦସ୍ତ ପାଠପଢ଼ାରୁ ବଞ୍ଚିତ କରାଯାଇ ସେମାନଙ୍କର ବାହାଘର କରିଦିଆଗଲା । “ପ୍ରସବ ସମୟରେ ସମସ୍ୟା ଦେଖାଦେବାରୁ ମୋତେ ସିଜରିଆନ ଅସ୍ତ୍ରୋପଚାର କରିବାକୁ ପଡ଼ିଲା। ପ୍ରସବ ପରେ ମୋର ଅନିୟମିତ ଋତୁସ୍ରାବ ହେଉଛି, କିନ୍ତୁ ମୁଁ ଯଦି ମୁତୁଥୁରାଇକୁ ଯିବାକୁ ଡେରି କରିବି ତ’ ପୁଣିଥରେ ମୁଁ ଗର୍ଭବତୀ ହୋଇପଡ଼ିଛି କି ବୋଲି ଲୋକେ ମୋତେ ପ୍ରଶ୍ନ କରିବେ। ସେମାନେ ମୋର ସମସ୍ୟା ବୁଝନ୍ତି ନାହିଁ,” ବୋଲି ରାଣୀ କୁହନ୍ତି ।

ଏହି ପ୍ରଥା କେବେଠାରୁ ଆରମ୍ଭ ହେଲା ତାହା ରାଣୀ, ଲାବଣ୍ୟ କିମ୍ବା କୁଭାଲାପୁରମର ଅନ୍ୟ କୌଣସି ମହିଳା ଜାଣନ୍ତି ନାହିଁ। କିନ୍ତୁ ଲାବଣ୍ୟ କୁହନ୍ତି, “ଆମର ମା’, ଜେଜେ ମା’ ଓ ଅଣଜେଜେ ମା’ଙ୍କୁ ଏପରି ଭାବେ ଅଲଗା ରଖାଯାଉଥିଲା । ତେଣୁ ଆମକୁ ମଧ୍ୟ ସେପରି ରଖାଯାଉଛି ।”

ଏହି ପ୍ରଥା ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ କିନ୍ତୁ ତର୍କସଙ୍ଗତ ବ୍ୟାଖ୍ୟା କରନ୍ତି ଚେନ୍ନାଇରେ ରହୁଥିବା ଚିକିତ୍ସକ ତଥା ଦ୍ରାବିଡ଼ୀୟ ବିଚାରକ ଡ. ଏଝିଲାନ ନାଗନାଥନ । “ଆମେ ଶିକାରୀ ଥିବା ସମୟରେ ଏହି ପ୍ରଥା ଆରମ୍ଭ ହୋଇଥିଲା”, ସେ ବିଶ୍ୱାସ କରନ୍ତି । 

“ତାମିଲରେ ଭିଟୁକ୍କୁ ତୁରମ (ଘରଠାରୁ ଦୂରରେ-ଋତୁବତୀ ମହିଳାଙ୍କୁ ଘରଠାରୁ ଦୂରରେ ରଖାଯିବା)ର ବିଚାର ପ୍ରକୃତରେ କାଟୁକ୍କୁ ତୁରମ (ଜଙ୍ଗଲଠାରୁ ଦୂରରେ)ରୁ ଆସିଅଛି । ମହିଳାମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପଛରେ ଥିବା ଯେଉଁ ବିଶ୍ୱାସ ରହିଛି ତାହା ହେଲା ସେମାନଙ୍କ ରକ୍ତ (ଋତୁସ୍ରାବ, ପ୍ରସବ ଓ ଯୌବନାବସ୍ଥା ପ୍ରାପ୍ତି ସମୟରେ ନିର୍ଗତ)ର ବାସ୍ନା ହିଂସ୍ର ପଶୁଙ୍କୁ ଆକୃଷ୍ଟ କରିଥାଏ । ସେମାନେ ମହିଳାଙ୍କୁ ଆକ୍ରମଣ କରି ମାରିଦେବାର ଆଶଙ୍କା ଥାଏ । ପରବର୍ତ୍ତୀ ସମୟରେ ଏହି ପ୍ରଥା ମହିଳାଙ୍କୁ ଶୋଷଣ କରିବାର କାରଣ ପାଲଟିଗଲା ।”

ଏହାକୁ ନେଇ କୁଭଲପୁରମର ଲୋକକଥା କମ ତର୍କସଙ୍ଗତ। ଗ୍ରାମବାସୀ କୁହନ୍ତି, ଏହା ଶ୍ରୀଧର (ପବିତ୍ର ପୁରୁଷ)ଙ୍କ ପ୍ରତି ବ୍ୟକ୍ତ କରାଯାଉଥିବା ସଂକଳ୍ପ ଯାହା ଆଖପାଖର ୪ଟି ଗ୍ରାମକୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। “ଶ୍ରୀଧର ଆମ ଗହଣରେ ରହୁଥିଲେ ଏବଂ ଚଲାବୁଲା କରୁଥିଲେ । ସେ ଭଗବାନ ଓ ଶକ୍ତିଶାଳୀ ଥିଲେ।” ବୋଲି କୁହନ୍ତି କୁଭଲାପୁରମରେ ଥିବା ଶ୍ରୀଧର-ଥାଙ୍ଗାମୁଡି ସାମି ମନ୍ଦିରର ମୁଖ୍ୟ ପରିଚାଳକ ୬୦ ବର୍ଷ ବୟସ୍କ ଏମ. ମୁଥୁ। “ଆମେ ବିଶ୍ୱାସ କରୁ ଯେ ଆମ ଗାଁ ସମେତ ପୁଦୁପଟ୍ଟି, ଗୋବିନ୍ଦାନାଲ୍ଲୁର, ସପ୍ତୁର ଆଲାଗାପୁରୀ ଓ ଚିନ୍ନାୟାପୁରମ ହେଉଛନ୍ତି ଶ୍ରୀଧରଙ୍କ ପତ୍ନୀ । ସଂକଳ୍ପ ଭାଙ୍ଗିଲେ ଏ ସବୁ ଗାଁ ଧ୍ୱଂସ ପାଇଯିବାର ଆଶଙ୍କା ରହିଛି”।

Left: C. Rasu, a resident of Koovalapuram, believes that the muttuthurai practice does not discriminate against women. Right: Rasu's 90-year-old sister Muthuroli says, 'Today's girls are better off, and still they complain. But we must follow the system'
PHOTO • Kavitha Muralidharan
Left: C. Rasu, a resident of Koovalapuram, believes that the muttuthurai practice does not discriminate against women. Right: Rasu's 90-year-old sister Muthuroli says, 'Today's girls are better off, and still they complain. But we must follow the system'
PHOTO • Kavitha Muralidharan

ବାମ : କୁଭାଲାପୁରମ ବାସିନ୍ଦା ସି. ରାସୁଙ୍କ କହିବା କଥା ହେଲା ମୁଟ୍ଟୁଥୁରାଇ ପ୍ରଥା ମହିଳାଙ୍କ ବିରୋଧରେ ଭେଦଭାବ ନୁହେଁ। ଡାହାଣ : ରାସୁଙ୍କ ୯୦ ବର୍ଷୀୟା ଭଉଣୀ ମୁଥୁରୋଲି କୁହନ୍ତି, ‘ଆଜି’ର ଝିଅମାନେ ଭଲସ୍ଥିତିରେ ଅଛନ୍ତି, ତଥାପି ସେମାନେ ଅଭିଯୋଗ କରୁଛନ୍ତି। କିନ୍ତୁ ଆମକୁ ପରମ୍ପରା ପାଳନ କରିବାକୁ ହେବ”

ନିଜ ଜୀବନର ଅଧିକାଂଶ ସମୟ କୁଭାଲାପୁରମରେ ବିତାଇଥିବା ୭୦ବର୍ଷୀୟ ସି. ରାସୁ କିନ୍ତୁ କୌଣସି ପ୍ରକାରର ଭେଦଭାବକୁ ଅସ୍ୱୀକାର କରନ୍ତି। “ଏହା ଭଗବାନଙ୍କୁ କୃତଜ୍ଞତା ଜଣାଇବାର ଏକ ପ୍ରଥା । ମହିଳାଙ୍କୁ ସବୁପ୍ରକାରର ଆନନ୍ଦ ମିଳିଛି। ସେମାନଙ୍କ ମୁଣ୍ଡ ଉପରେ ଛାତ, ପଙ୍ଖା ଅଛି ଏବଂ ସେମାନଙ୍କୁ ଭଲ ସ୍ଥାନ ରହିବାକୁ ମିଳିଛି।” 

ଏମିତି ‘ସୁବିଧା’ ତାଙ୍କ ୯୦ ବର୍ଷୀୟ ଭଉଣୀ ମୁଥୁରୋଲିଙ୍କୁ ତାଙ୍କ ସମୟରେ ମିଳୁନଥିଲା। “ଆମକୁ ମୁଣ୍ଡ ଗୁଞ୍ଜିବା ଲାଗି କେବଳ ଚାଳଛପର ଘର ମିଳୁଥିଲା। ବିଦ୍ୟୁତ ସଂଯୋଗ ନଥିଲା । ଆଜିର ମହିଳାମାନେ ଭଲସ୍ଥିତିରେ ଅଛନ୍ତି, ତଥାପି ସେମାନେ ଆପତି କରୁଛନ୍ତି। ଆମେ ପରମ୍ପରାକୁ ମାନିବା ଦରକାର”, ସେ ଦୃଢ଼ ଭାବେ କୁହନ୍ତି। “ନଚେତ ଆମେ, ମାଟିରେ ମିଶିଯିବା।”

ଗାଁର ଅଧିକାଂଶ ମହିଳାଙ୍କ ମନରେ ଏହି ଧାରଣା ବସା ବାନ୍ଧି ନେଇଛି। ଜଣେ ମହିଳା ନିଜ ଋତୁସ୍ରାବ କଥା ଲୁଚାଇବାକୁ ଚାହିଁଲେ। ରାତିରେ ସେ ଲଗାତାର ସାପ ସ୍ୱପ୍ନ ଦେଖିଲେ। ତାଙ୍କର ଧାରଣା ହେଲା ଯେ ମୁଟ୍ଟୁଥୁରାଇକୁ ନଯାଇ ପରମ୍ପରା ଭାଙ୍ଗିବା ଯୋଗୁ ଭଗବାନ ରାଗିଯାଇଛନ୍ତି ।

ଏତେସବୁ ଆଲୋଚନା ଭିତରେ ଯାହା ବାକି ରହିଯାଇଛି ତାହା ହେଲା, ଅତିଥି ଗୃହରେ ସବୁ ସୁବିଧା ଥିବା ସତ୍ତ୍ୱେ ଶୌଚାଳୟ ନାହିଁ। “ଆମକୁ ଶୌଚ ହେବା ଲାଗି କିମ୍ବା ନାପକିନ ବଦଳାଇବା ଲାଗି ଖୋଲାପଡ଼ିଆକୁ ଯିବାକୁ ପଡ଼ିଥାଏ”, ବୋଲି ଭାନୁ କୁହନ୍ତି। ଗାଁରେ ସ୍କୁଲ ଯାଉଥିବା ଝିଅମାନେ ସାନିଟାରୀ ନାପକିନ ବ୍ୟବହାର କରିଥାନ୍ତି (ଯାହାକୁ ବ୍ୟବହାର ପରେ ପୋତି କିମ୍ବା ଜାଳି ଦିଆଯାଇଥାଏ ଅଥବା ଗାଁ ସୀମାଠାରୁ ଦୂରରେ ଫିଙ୍ଗି ଦିଆଯାଏ)। ଅନ୍ୟପଟେ ବୟସ୍କ ମହିଳା ଏବେ କପଡ଼ା ବ୍ୟବହାର କରିଥାନ୍ତି ଯାହାକୁ ସେମାନେ ସଫା କରି ପୁଣିଥରେ ବ୍ୟବହାର କରିଥାନ୍ତି ।

ମୁଟ୍ଟୁଥୁରାଇଥିବା ମହିଳାଙ୍କ ପାଇଁ ବାହାରେ ଏକ ପାଣି ଟ୍ୟାପ ରହିଛି-ଯାହାକୁ ଗାଁରେ ଅନ୍ୟମାନେ ଛୁଅନ୍ତି ନାହିଁ । “ଆମେ ସାଥୀରେ ଆଣୁଥିବା କପଡ଼ା ଓ କମ୍ବଳ ସଫା ନକରିବା ପର୍ଯ୍ୟନ୍ତ, ଆମେ ଗାଁ ଭିତରକୁ ପ୍ରବେଶ କରିପାରିବୁ ନାହିଁ,” ବୋଲି ରାଣୀ କୁହନ୍ତି ।

Left: The small, ramshackle muttuthurai in Saptur Alagapuri is located in an isolated spot. Rather than stay here, women prefer camping on the streets when they are menstruating. Right: The space beneath the stairs where Karpagam stays when she menstruates during her visits to the village
PHOTO • Kavitha Muralidharan
Left: The small, ramshackle muttuthurai in Saptur Alagapuri is located in an isolated spot. Rather than stay here, women prefer camping on the streets when they are menstruating. Right: The space beneath the stairs where Karpagam stays when she menstruates during her visits to the village
PHOTO • Kavitha Muralidharan

ବାମ: ସପ୍ତୁର ଆଲାଗପୁରୀରେ ଥିବା ଛୋଟ, ପୁରୁଣା ମୁଟ୍ଟୁଥୁରାଇ ଏକ ଅଲଗା ଜାଗାରେ ରହିଛି। ଏଠାରେ ରହିବା ବଦଳରେ ମହିଳାମାନେ ଗାଁ ଦାଣ୍ଡରେ ତମ୍ବୁ ଟାଣି ରହିବାକୁ ପସନ୍ଦ କରିଥାନ୍ତି । ଡାହାଣ : ଶିଢ଼ି ତଳେ ଥିବା ସ୍ଥାନ ଯେଉଁଠି ଗାଁରେ ଥିବା ସମୟରେ ଋତୁସ୍ରାବ ହେଲେ କର୍ପଗମ ରହିଥାନ୍ତି

ସେଦାପ୍ପଟି ବ୍ଲକ ଅନ୍ତର୍ଗତ ସପ୍ତୁର ଆଲାଗପୁରୀ ଗାଁରେ ପାଖାପାଖି ୬୦୦ ଲୋକ ରୁହନ୍ତି, ମହିଳାମାନେ ବିଶ୍ୱାସ କରନ୍ତି ଯେ ସେମାନେ ଯଦି ଏହି ପ୍ରଥା ବନ୍ଦ କରିଦେବେ ତା’ହେଲେ ସେମାନଙ୍କ ଋତୁସ୍ରାବ ବନ୍ଦ ହୋଇଯିବ। ୩୨ ବର୍ଷୀୟା କର୍ପଗମ (ଛଦ୍ମନାମ)ଙ୍କ ଘର ଚେନ୍ନାଇରେ, ସେ ମଧ୍ୟ ଏହି ପ୍ରଥାର ଶିକାର ହୋଇ ଅଲଗା ରହୁଛନ୍ତି। “ମୁଁ ଏହାକୁ ସଂସ୍କୃତି ବୋଲି ଜାଣିଛି ଏବଂ ମୁଁ ଏହାକୁ ଉପେକ୍ଷା କରିପାରିବି ନାହିଁ। ମୋର ସ୍ୱାମୀ ଏବଂ ମୁଁ ତିରୁପ୍ପୁରରେ କାମ କରୁ ଏବଂ ଛୁଟି ହେଲେ ଏଠାକୁ ଆସୁ।” ସେ ଘରେ ଶିଢ଼ି ତଳେ ଥିବା ଏକ ସ୍ଥାନକୁ ଦେଖାଇ କୁହନ୍ତି ଯେ ଋତୁସ୍ରାବ ସମୟରେ ସେ ଏଠାରେ ରୁହନ୍ତି ।

ସପ୍ତୁର ଆଲାଗପୁରୀରେ ମୁଟ୍ଟୁଥୁରାଇ ଏକ କ୍ଷୁଦ୍ର ଓ ଜୀର୍ଣ୍ଣ ଢାଞ୍ଚା ଯାହା ଅଲଗା ସ୍ଥାନରେ ରହିଛି । ତେଣୁ ମହିଳାମାନେ ଋତୁସ୍ରାବ ସମୟରେ ଘରଠାରୁ ଦୂରରେ ରାସ୍ତା ପାଶ୍ୱର୍ରେ ତମ୍ବୁ ଟାଣି ରହିବାକୁ ପସନ୍ଦ କରିଥାନ୍ତି। “ବର୍ଷା ହେବା ପର୍ଯ୍ୟନ୍ତ ଆମେ ସେଠାରେ ରହୁ”, ବୋଲି କୁହନ୍ତି ୪୧ ବର୍ଷୀୟ ଲତା (ଛଦ୍ମନାମ)। ବର୍ଷା ହେଲେ ସେମାନେ ମୁଟ୍ଟୁଥୁରାଇକୁ ଚାଲି ଆସିଥାନ୍ତି।

ବିଡ଼ମ୍ବନା ହେଉଛି, ଉଭୟ କୁଭାଲାପୁରମ ଓ ସପ୍ତୁର ଆଲାଗାପୁରୀରେ ଅଧିକାଂଶ ପରିବାର ନିକଟରେ ଶୌଚାଳୟ ରହିଛି। ସାତ ବର୍ଷ ତଳେ ରାଜ୍ୟ ସରକାରଙ୍କ ଯୋଜନାରେ ସେମାନେ ଏହାକୁ ନିର୍ମାଣ କରିଥିଲେ। କମ୍ ବୟସ୍କ ଗ୍ରାମବାସୀ ଏହାକୁ ବ୍ୟବହାର କରୁଥିବା ବେଳେ ଗାଁର ବୟସ୍କ ଲୋକମାନେ ଖୋଲା ପଡ଼ିଆରେ ଶୌଚ ହେବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଉଭୟ ଗ୍ରାମରେ ଥିବା ମୁଟ୍ଟୁଥୁରାଇରେ ଶୌଚାଳୟ ନାହିଁ।

୨୦ ବର୍ଷ ବୟସ୍କା ମାଇକ୍ରୋବାୟୋଲୋଜି ସ୍ନାତକ ଛାତ୍ରୀ ଶାଳିନୀ (ଛଦ୍ମନାମ) କୁହନ୍ତି ଯେ, “ଋତୁସ୍ରାବ ହେବା ସମୟରେ ଆମେ ସେହି ସ୍ଥାନକୁ ଗାଁର ମୁଖ୍ୟ ରାସ୍ତା ଦେଇ ମଧ୍ୟ ଯାଇପାରିବୁ ନାହିଁ।” “ମୁଟ୍ଟୁଥୁରାଇ ଯିବାକୁ ହେଲେ ଆମକୁ ବୁଲି ବୁଲି, ଅପନ୍ତରା ରାସ୍ତା ଦେଇ ଯିବାକୁ ପଡ଼ିଥାଏ।” ଶାଳିନୀ ନିଜ ଋତୁସ୍ରାବ ବିଷୟରେ ମଦୁରାଇରେ ଥିବା ତାଙ୍କ କଲେଜର ସାଙ୍ଗମାନଙ୍କୁ କେବେ କହିନଥାନ୍ତି, ଏହାଦ୍ୱାରା ଗୋପନୀୟ କଥା ପଦାକୁ ଆସିଯିବାର ଭୟ ଥାଏ। “ଏହା କୌଣସି ଗର୍ବର କଥା ନୁହେଁ”, ସେ କୁହନ୍ତି ।

ଏହି କୁପ୍ରଥାର କଟକଣା ବିଷୟରେ ସପ୍ତୁର ଆଲାଗପୁରୀ ଗ୍ରାମର ଜୈବିକ ଚାଷୀ ଟି. ସେଲଭକନି, ୪୩, ଗାଁ ଲୋକଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ। “ଆମେ ଆଜି ସ୍ମାର୍ଟ ଫୋନ ଏବଂ ଲାପଟପ ବ୍ୟବହାର କଲୁଣି, କିନ୍ତୁ ଏବେବ ବି ୨୦୨୦ରେ ଆମ ମହିଳାମାନେ ଋତୁସ୍ରାବ ସମୟରେ ଅଛୁଆଁ ହୋଇ ରହିଛନ୍ତି?” ବୋଲି ସେ ପ୍ରଶ୍ନ କରନ୍ତି । ତେବେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ଶୁଣାଯାଏ ନାହିଁ । ଲତା କୁହନ୍ତି, “ଏମିତି କି ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ମଧ୍ୟ ଏହି ପରମ୍ପରା ମାନିବାକୁ ପଡିବ’’। “ଏଠି ଡାକ୍ତରଖାନା ଓ କ୍ଲିନିକରେ କାମ କରୁଥିବା ନର୍ସ, (ଏବଂ ଅନ୍ୟ ଶିକ୍ଷିତ ଏବଂ କର୍ମଜୀବୀ ମହିଳାଙ୍କୁ) ମଧ୍ୟ ଏହି ପ୍ରଥା ମାନି ଘରଠାରୁ ବାହାରେ ରହିବାକୁ ହୋଇଥାଏ, ସେ କୁହନ୍ତି। ‘‘ଆପଣଙ୍କ ପତ୍ନୀ ମଧ୍ୟ ଏହା ମାନିବା ଉଚିତ, କାରଣ ଏହା ବିଶ୍ଵାସର କଥା” ବୋଲି ସେ ସେଲଭକନିଙ୍କ ଉଦ୍ଦେଶ୍ୟରେ କୁହନ୍ତି ।

ଚିତ୍ରଣ : ପ୍ରିୟଙ୍କା ବୋରାର

ମହିଳାମାନଙ୍କୁ ଅତିଥିଗୃହରେ ୫ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିଥାଏ । ତେବେ ଯୌବନାବସ୍ଥା ପ୍ରାପ୍ତ କରୁଥିବା ଝିଅମାନଙ୍କୁ ଏଠାରେ ପୂରା ଏକ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିଥାଏ। ଗର୍ଭବତୀ ମହିଳାମାନେ ମଧ୍ୟ ନବଜାତ ଶିଶୁ ସହିତ ଏଠାରେ ମାସେ କାଳ ରହିଥାନ୍ତି


“ମଦୁରାଇ ଏବଂ ଥେନି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆପଣମାନେ ଏପରି ଅନେକ ‘ଅତିଥି ଗୃହ’ ପାଇପାରିବେ। ସେମାନେ ଭିନ୍ନ ମନ୍ଦିରକୁ ମାନିଥାନ୍ତି, ଭିନ୍ନ କାରଣ ଦର୍ଶାଇଥାନ୍ତି”, ବୋଲି ସାଲାଇ ସେଲ୍ଭମ କୁହନ୍ତି । “ଆମେ ଏ ବିଷୟରେ ଲୋକମାନଙ୍କ ସହ କଥା ହେବା ଲାଗି ବହୁବାର ଉଦ୍ୟମ କରିଛୁ, କିନ୍ତୁ ସେମାନେ ଆମକଥା ଶୁଣନ୍ତି ନାହିଁ, କାରଣ ଏହା ଆସ୍ଥାର ବିଷୟ। ରାଜନୈତିକ ଇଚ୍ଛାଶକ୍ତି ରହିଲେ କେବଳ ଏହା ପରିବର୍ତ୍ତନ ହୋଇପାରିବ। ହେଲେ, କ୍ଷମତାରେ ଥିବା ଲୋକମାନେ ଭୋଟ ମାଗିବା ପାଇଁ ଆସିବା ସମୟରେ ଆଧୁନିକ ଅତିଥିଗୃହ ନିର୍ମାଣ ସହ ଅଧିକ ସୁବିଧା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥାନ୍ତି ।”

ସେଲଭମ ଅନୁଭବ କରନ୍ତି ଯେ କ୍ଷମତାରେ ଥିବା ଲୋକମାନେ ଅତିଥିଗୃହ ପରମ୍ପରାକୁ ବନ୍ଦ କରିବା ଲାଗି ଆଗେଇ ଆସିବା ଉଚିତ। “ସେମାନେ କୁହନ୍ତି ଏହା କରିବା କଷ୍ଟକର କାରଣ ଏହା ଆସ୍ଥାର ବିଷୟ। କିନ୍ତୁ କେତେଦିନ ପର୍ଯ୍ୟନ୍ତ ଆମେ ଏପରି ଅସ୍ପୃଶ୍ୟତା ଗ୍ରହଣ କରିଚାଲିଥିବା? ସରକାର କଠୋର ପଦକ୍ଷେପ ଗ୍ରହଣ କଲେ ନିଶ୍ଚିତ ଭାବେ ଏହା ବନ୍ଦ ହେବ। କିନ୍ତୁ ଏହା (ଶେଷ) ହେବା ଦରକାର। ମୋତେ ବିଶ୍ୱାସ କର ଯେ ଲୋକମାନେ ଖୁବଶୀଘ୍ର ଏହାକୁ ଭୁଲିଯିବେ।”

ତାମିଲନାଡ଼ୁରେ ଋତୁସ୍ରାବକୁ ଲଜ୍ଜା ଭାବେ ଗ୍ରହଣ କରିବା ଏବଂ ଏହାକୁ ନେଇ ରହିଥିବା କଟକଣା ଦେଖିବାକୁ ମିଳିବା ସାଧାରଣ କଥା। ନଭେମ୍ବର ୨୦୧୮ରେ ତାଞ୍ଜାଭୁର ଜିଲ୍ଲା ଭୟାନକ ସାମୁଦ୍ରିକ ଝଡ଼ ଗାଜାର ସମ୍ମୁଖୀନ ହୋଇଥିଲା। ଏହି ଜିଲ୍ଲାର ପଟ୍ଟୁକୋଟ୍ଟାଇ ବ୍ଲକ ଆନାଇକ୍କାଡୁ ଗ୍ରାମର ୧୪ ବର୍ଷୀୟା ବାଳିକା ଏସ. ବିଜୟାଙ୍କୁ ଏହି କୁପ୍ରଥା ଜନିତ କଟକଣା କାରଣରୁ ପ୍ରାଣ ହରାଇବାକୁ ପଡ଼ିଥିଲା। ପ୍ରଥମ ଥର ଋତୁସ୍ରାବ ହୋଇଥିବାରୁ ତାଙ୍କୁ ଘର ପାଖରେ ଥିବା ଏକ କଚ୍ଚା ଘରେ ଏକୁଟିଆ ରହିବାକୁ ପଡ଼ିଥିଲା। ମୁଖ୍ୟ ଘରେ ରହିଥିବା ପରିବାରର ଅନ୍ୟ ସଦସ୍ୟମାନେ ବଞ୍ଚିଯାଇଥିଲେ।

“ଏହି କଟକଣା ସମଗ୍ର ତାମିଲନାଡ଼ୁରେ ଦେଖିବାକୁ ମିଳିଥାଏ, କେବଳ ଏହାର ସ୍ତରରେ ଭିନ୍ନତା ଥାଏ”, ବୋଲି କୁହନ୍ତି କୁହନ୍ତି ଡକୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ଗୀତା ଇଲାନଗୋଭାନ । ସେ ୨୦୧୨ରେ ପ୍ରସ୍ତୁତ କରିଥିବା ଡକୁମେଣ୍ଟାରୀ ମାଧାଭିଦାଇ (ମାସିକ ଧର୍ମ) ଋତୁସ୍ରାବ ସହ ଜଡ଼ିତ ଅଭିଶପ୍ତ ପ୍ରଥା ଉପରେ ଆଧାରିତ। ଅଲଗା ରହିବାର ଏହି ପରମ୍ପରା ସହରାଞ୍ଚଳରେ ସାମାନ୍ୟ  କୋହଳ ଥିଲେ ମଧ୍ୟ ସାଧାରଣତଃ ଦେଖିବାକୁ ମିଳିଥାଏ । “ଜଣେ ପ୍ରଶାସକଙ୍କ ପତ୍ନୀଙ୍କଠାରୁ ମୁଁ ଶୁଣିଛି, ଋତୁସ୍ରାବ ସମୟରେ ସେ ତାଙ୍କ ଝିଅକୁ ତିନି ଦିନ ପାଇଁ ରୋଷେଇ ଘର ଭିତରକୁ ପୂରାଇ ଦେଇନଥିଲେ ଏବଂ ତାଙ୍କୁ ‘ବିଶ୍ରାମ’ ନେବାକୁ କହିଥିଲେ। ଆପଣ ଏହାକୁ ଭିନ୍ନ ଭାବେ କହିପାରନ୍ତି, କିନ୍ତୁ ପ୍ରକୃତରେ ଏହା ମହିଳାଙ୍କ ପ୍ରତି ପକ୍ଷପାତ ।”

ଇଲାନଗୋଭାନ କୁହନ୍ତି ଯେ ଧର୍ମ ଓ ସାମାଜିକ ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଋତୁସ୍ରାବକୁ ଲଜ୍ଜା ଭାବେ ଗ୍ରହଣ କରାଯାଇଥାଏ, କେବଳ ଏହା ସହ ଜଡ଼ିତ ମାର୍ଗ ପୃଥକ ହୋଇଥାଏ। “ମୋର ଡକୁମେଣ୍ଟାରୀରେ ମୁଁ ଜଣେ ମହିଳାଙ୍କ ସହିତ କଥା ହୋଇଥିଲି, ଯିଏକି ଏବେ ଆମେରିକା ସହରରେ ରହୁଛନ୍ତି, ତଥାପି ଋତୁସ୍ରାବ ସମୟରେ ଅଲଗା ହୋଇ ରହିବାର ପ୍ରଥାକୁ ଅବଲମ୍ବନ କରିଆସୁଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଇଚ୍ଛା ବୋଲି ସେ କୁହନ୍ତି। ତାଙ୍କ ଭଳି ଜଣେ ଉଚ୍ଚବର୍ଗର, ଉଚ୍ଚ ଜାତିର ମହିଳାଙ୍କ ପାଇଁ ଯାହା ବ୍ୟକ୍ତିଗତ ଇଚ୍ଛା ତାହା ଅନ୍ୟ ନିଷ୍ପେସିତ ମହିଳାଙ୍କ ପାଇଁ ଅତ୍ୟନ୍ତ କଠୋର କୁପ୍ରଥା ।” 

Left: M. Muthu, the chief executive of the temple in Koovalapuram dedicated to a holy man revered in village folklore. Right: T Selvakani (far left) with his friends. They campaign against the 'iscriminatory 'guesthouse' practice but with little success
PHOTO • Kavitha Muralidharan
Left: M. Muthu, the chief executive of the temple in Koovalapuram dedicated to a holy man revered in village folklore. Right: T Selvakani (far left) with his friends. They campaign against the 'iscriminatory 'guesthouse' practice but with little success
PHOTO • Kavitha Muralidharan

ବାମ : ଗାଁର ଲୋକକଥା ସହ ଜଡ଼ିତ କୁଭାଲାପୁରମର ପବିତ୍ର ପୁରୁଷଙ୍କୁ ସମର୍ପିତ ମନ୍ଦିରର ମୁଖ୍ୟ ପରିଚାଳକ ଏମ. ମୁଥୁ । ଡାହାଣ : ଟି ସେଲଭକଣି (ବାମରେ କିଛିଦୂର) ସାଙ୍ଗମାନଙ୍କ ସହିତ। ସେମାନେ ଏହି ପକ୍ଷପାତପୂର୍ଣ୍ଣ ଅତିଥିଗୃହ ପରମ୍ପରା ବିରୋଧରେ ଅଭିଯାନ ଚଳାଇଛନ୍ତି ମାତ୍ର ସଫଳ ହୋଇପାରିନାହାନ୍ତି

ଇଲାନଗୋଭାନ କୁହନ୍ତି, “ସମସ୍ତେ ମନେ ରଖିବା ଉଚିତ ପବିତ୍ରତାର ଏହି ପରମ୍ପରା ପ୍ରକୃତରେ ‘ଉଚ୍ଚ ବର୍ଗ’ରୁ ଆସିଛି । ତଥାପି ଦଳିତ ବହୁଳ କୁଭାଲପୁରମର ସମଗ୍ର ସମୁଦାୟକୁ ଏହା ପ୍ରଭାବିତ କରିଛି।” ଏହି ଚଳଚ୍ଚିତ୍ର ନିର୍ମାତା ଆହୁରି କୁହନ୍ତି, “ମୋ ଡକୁମେଣ୍ଟାରୀ ଚଳଚ୍ଚିତ୍ରର ଲକ୍ଷିତ ଦର୍ଶକ ଥିଲେ ପୁରୁଷ; ଆମେ ସେମାନଙ୍କୁ ଏହି ପ୍ରସଙ୍ଗ ବୁଝାଇବାକୁ ଚାହୁଁଥିଲୁ। ଅଧିକାଂଶ ନୀତିନିର୍ମାତା ପୁରୁଷ। ଯେପର୍ଯ୍ୟନ୍ତ ଆମେ ଏ ବିଷୟରେ ଆମେ କଥା ହେବା ନାହିଁ, ପରିବାରରେ ଏ ବିଷୟରେ ଆଲୋଚନା ହେବ ନାହିଁ, ସେ ପର୍ଯ୍ୟନ୍ତ ମୁଁ କିଛି ଆଶା ଦେଖିପାରୁନାହିଁ ।”

ଚେନ୍ନାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶାରଦା ଶକ୍ତିରଜନ କୁହନ୍ତି ଯେ “ଯଥେଷ୍ଟ ପାଣିନଥିବା ସ୍ଥାନରେ ମହିଳାଙ୍କୁ ଅଲଗା କରି ରଖିବା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକିଆଣିପାରେ’’। ଦୀର୍ଘ ସମୟ ଋତୁସ୍ରାବ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଓଦା ପ୍ୟାଡ ପିନ୍ଧି ରହିବା ଏବଂ ସ୍ୱଚ୍ଛ ପାଣି ନମିଳିବା ଫଳରେ ମୂତ୍ରାଶୟ ଏବ ପ୍ରଜନନ ପଥ ସଂକ୍ରମଣ ହୋଇପାରେ। ଏସବୁ ସଂକ୍ରମଣ ଭବିଷ୍ୟତରେ ମହିଳାଙ୍କ ପ୍ରଜନନ ଶକ୍ତିକୁ ପ୍ରଭାବିତ କରିପାରେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ତଳି ପେଟ ଯନ୍ତ୍ରଣା ଭଳି ରୋଗକୁ ଡାକିଆଣିପାରେ। ସ୍ୱଚ୍ଛତା ଅଭାବ (ପୁରୁଣା କପଡ଼ାକୁ ପୁଣି ବ୍ୟବହାର କରିବା) ଏବଂ ଲଗାତାର ସଂକ୍ରମଣ କାରଣରୁ ଗ୍ରୀବା କର୍କଟର ଆଶଙ୍କା ବୃଦ୍ଧି ପାଇଥାଏ” ।

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କମ୍ୟୁନିଟି ମେଡ଼ିସିନ ଓ ପବ୍ଲିକ ହେଲ୍‌ଥରେ ୨୦୧୮ର ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଏଥିରେ କୁହାଯାଇଥିଲା ଗ୍ରାମୀଣ ତାମିଲନାଡ଼ୁର ମହିଳାମାନେ ଏବେ ଅଧିକ ମାତ୍ରାରେ ଗ୍ରୀବା କର୍କଟ ରୋଗର ଶିକାର ହେଉଛନ୍ତି।

କୁଭାଲାପୁରମରେ ରହୁଥିବା ଭାନୁ ଅଲଗା କଥା କୁହନ୍ତି, “ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଏହି ପ୍ରଥାକୁ ବଦଳାଇପାରିବେ ନାହିଁ। କିନ୍ତୁ ଯଦି କିଛି ଚାହୁଁଛନ୍ତି ତା’ହେଲେ ଆମ ପାଇଁ ମୁଟ୍ଟୁଥୁରାଇ ଠାରେ ଏକ ଶୌଚାଳୟ ନିର୍ମାଣ କରାଇ ଦିଅନ୍ତୁ। ଏହା ଆମ ରହିବାକୁ ଆହୁରି ସହଜ କରିଦେବ।”

ପ୍ରଚ୍ଛଦ ଚିତ୍ରଣ : ପ୍ରିୟଙ୍କା ବୋରାର ଜଣେ ନ୍ୟୁ ମିଡିଆ ଆର୍ଟିଷ୍ଟ। ସେ ନୂଆ ନୂଆ ଅର୍ଥ ଏବଂ ଅଭିବ୍ୟକ୍ତି ଉଦ୍ଭାବନ ଲାଗି ପ୍ରଯୁକ୍ତିର ପରୀକ୍ଷଣ ଜାରି ରଖିଛନ୍ତି। ସେ ଶିଖିବା ଓ ନାଟକ ପାଇଁ ସେ ଅନୁଭୂତି ଡିଜାଇନ କରିଥାନ୍ତି। ଇଣ୍ଟର ଆକ୍ଟିଭ ମିଡିଆକୁ ନେଇ ପରୀକ୍ଷଣ କରନ୍ତି ଏବଂ ଘରେ ସେ ପାରମ୍ପରିକ କାଗଜ ଓ କଲମକୁ ନେଇ ନୂଆ ନୂଆ କଥା ଚିନ୍ତା କରିଥାନ୍ତି।

ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସହଯୋଗରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ଦ୍ୱାରା କିଶୋରୀ ଏବଂ ଯୁବ ମହିଳାଙ୍କ ଉପରେ ରାଷ୍ଟ୍ରବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପ ଜାରି ରହିଛି । ଏହାର ଉଦ୍ଦେଶ୍ୟ ହେଉଛି, ସମାଜର ଏହି ବଞ୍ଚିତ ତଥାପି ଗୁରୁତ୍ୱପୂର୍ଣ୍ଣ ସମୁଦାୟଙ୍କ କଥା ଶୁଣିବା ଏବଂ ସାଧାରଣ ଜନତାଙ୍କ ଅନୁଭୂତି ଜାଣିବା ଜରିଆରେ ସେମାନଙ୍କ ସ୍ଥିତିକୁ ସାମ୍ନାକୁ ଆଣିବା ।

ଏହି ସ୍ତମ୍ଭକୁ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] ,  ଏକ ସିସି ସହିତ [email protected]

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Other stories by Kavitha Muralidharan