ଆଲାଗିରି ସାମି ପାକୁଆ ପାଟିରେ ହସୁଥିଲେ, ହସ୍ତ ତନ୍ତର ଛନ୍ଦମୟ ଖଟ୍‌ଖଟ୍‌ ଶବ୍ଦ ମଧ୍ୟରେ କିଛି କହିବାକୁ ଚେଷ୍ଟା କରୁଥିଲେ। ସେ କହିଲେ, ‘‘ସେମାନେ କୁହନ୍ତି ଆମେ ଏଠାକୁ ୫୦୦ ବର୍ଷ ତଳେ ଆସିଥିଲୁ ଏବଂ ଆମର କଳା ଚାଲୁ ରଖିବା ପାଇଁ ନଦୀ କୂଳରେ ବସବାସ କଲୁ’’। ‘‘ମୁଁ ଭାବୁଛି ଆମେ ଏଠାକୁ କେବଳ ମାଛ ପାଇଁ ଆସିଥିଲୁ।’’

୮୫ ବର୍ଷ ବୟସ୍କ ସାମି କୁଥାମ୍‌ପଲି ଗ୍ରାମର ଯେଉଁ ଶାଳରେ କାମ କରୁଛନ୍ତି, ସେଠାରେ ତିନୋଟି ଧାଡ଼ିରେ ୧୨ଟି ତନ୍ତ ରହିଛି। ଶାଳର ଚାରି ପାଖରେ ମାଲାପୁରମ୍‌ ଏବଂ କୋଇମ୍ବାଟୁରର୍‌ ସୁତା କଳଗୁଡ଼ିକରୁ ଆସିଥିବା କପା ସୁତାର ବଣ୍ଡଲ୍‌ଗୁଡ଼ିକ ଅଛି । ଲମ୍ବା ଲମ୍ବା ସୁତା ଶୁଖିବା ପାଇଁ ଝୁଲାଯାଇଛି। ପାତ୍ରରେ ତରଳ ମଣ୍ଡରେ ସୁନେଲି କାସାଭୁ (ଜରି)ର ବଣ୍ଡଲ୍‌ଗୁଡ଼ିକୁ ବୁଡ଼ାଯାଇ ଟାଣ କରିବା ପାଇଁ ରଖାଯାଇଛି। ସୁନେଲି ଧଡ଼ି ଥିବା ହାଲ୍‌କା ଧୂଷର ଲୁଙ୍ଗି ଏବଂ ସୁନ୍ଦର ଭାବରେ ବୁଣା ଯାଇଥିବା ହାତୀ, ମୟୂର ଏବଂ ପାରମ୍ପରିକ ଡିଜାଇନ୍‌ଗୁଡ଼ିକର ଶାଢ଼ି ଗ୍ରାହକମାନଙ୍କୁ ଯୋଗାଇବା ପାଇଁ ଥାକ ମରାଯାଇ ରଖାଯାଇଛି।

ସାମିଙ୍କ ପରିବାର ସେହି ଶାଳ ଏବଂ ଏଥିସହ ସଂଲଗ୍ନ ଏକ ହସ୍ତତନ୍ତ ଦୋକାନର ମାଲିକ। ସେମାନେ ବୁଣାକାରମାନଙ୍କର ଦେବାଙ୍ଗ ଚେଟିଆର୍‌ ଜାତି (ଦୈବାଙ୍ଗ ବ୍ରାହ୍ମଣ, ଏକ ଅନ୍ୟାନ୍ୟ ପଛୁଆ ଜାତି ଭାବରେ ତାଲିକାଭୁକ୍ତ) ଏବଂ ୧୯୬୨ ମସିହାରେ ଭାଗୀରଥୀ ଆମ୍ମାଙ୍କୁ ବିବାହ କରି ତାମିଲନାଡୁରୁ କୁଥାମପଲ୍ଲୀ ଆସିଥିଲେ। କେତେକ ଦସ୍ତାବିଜ ପ୍ରକାଶ କରେ ଯେ ଏହି ଜାତି ୫୦୦ ବର୍ଷ ତଳେ କର୍ଣ୍ଣାଟକରୁ କେରଳ ଆସିଥିଲେ କୋଚିର ରାଜାଙ୍କ ଅନୁରୋଧରେ ରାଜପରିବାର ପାଇଁ ବସ୍ତ୍ର ବୁଣିବାକୁ। ସେମାନେ ଉତ୍ତରରେ ଭାରତପୂଝା ନଦୀଠାରୁ ପଶ୍ଚିମରେ ଗାୟତ୍ରୀପୂଝା ନଦୀ (ପୋନ୍ନାନୀ ଭାବରେ ମଧ୍ୟ ଜଣାଶୁଣା) ପର୍ଯ୍ୟନ୍ତ ବସବାସ କରୁଥିଲେ।

85 year-old Alagir Sami works on a manual weaving machine
PHOTO • Remya Padmadas

ଆଲାଗିରି ସାମି: ‘ସେମାନେ କୁହନ୍ତି ଆମେ ୫୦୦ ବର୍ଷ ହେବ ଏଠାକୁ ଆସିଛୁ ଏବଂ ଆମ କଳା ସ୍ଥାପନ ପାଇଁ ନଦୀକୂଳମାନଙ୍କରେ ବସବାସ କରିଛୁ’।

ସେମାନଙ୍କର କୁଶଳତା ଏବଂ କଳା ଜରିଆରେ ଏହି ବୁଣାକାରମାନେ କେରଳର ପାରମ୍ପରିକ ପରିଧାନ ମୁଣ୍ଡୁ (ଲୁଙ୍ଗି), ସେତୁ ଶାଢ଼ି (ସୁନେଲି ଜରି ଧଡ଼ି ବିଶିଷ୍ଟ ଶାଢ଼ି) ଏବଂ ସେତୁ ମୁଣ୍ଡୁ (ଦୁଇଟି ଭିନ୍ନ ଭିନ୍ନ ଖଣ୍ଡ ଥିବା ଶାଢ଼ି)କୁ ନୂତନ ଜୀବନ ଦେଲେ। ସମୟକ୍ରମେ ସେମାନେ କୋଚିନଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଥିବା ତ୍ରିଶୁର ଜିଲ୍ଲାର ତାଲାପିଲି ତାଲୁକର ତିରୁବିଲ୍ୱୋମାଲା ପଞ୍ଚାୟତର କୁଥାମପଲ୍ଲୀ ଗ୍ରାମକୁ ଆସିଲେ। ବର୍ତ୍ତମାନ ଏହି ଗ୍ରାମ କେରଳରେ ହସ୍ତତନ୍ତ ଶାଢ଼ି ଏବଂ ଲୁଙ୍ଗି ଉତ୍ପାଦନର ପ୍ରାଥମିକ କେନ୍ଦ୍ର ମଧ୍ୟରୁ ଅନ୍ୟତମ ପାଲଟିଯାଇଛି।

ଏବଂ କୁଥାମପଲ୍ଲୀ ଶାଢ଼ି, ଲୁଙ୍ଗି, ସେତୁମୁଣ୍ଡୁ, ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ସାର୍ଟିଫିକେଟ୍‌ ହାସଲ କରିଛି। ଗୋଟିଏ ସମୂହର ପାରମ୍ପରିକ ଜ୍ଞାନର ସୁରକ୍ଷା କରିବା ନିମନ୍ତେ ସରକାରଙ୍କ ଦ୍ୱାରା ଗୋଟିଏ ଜିଆଇ ପ୍ରଦାନ କରାଯାଏ। ଏହା ସୂଚିତ କରେ ଯେ ଏହି ଉତ୍ପାଦ ବା କଳାର ଏକ ନିର୍ଦ୍ଦିଷ୍ଟ ଉତ୍ପତ୍ତି ରହିଛି ଏବଂ ଏହା ସେହି ଉତ୍ପତ୍ତି କାରଣରୁ ମାନ ଏବଂ ଖ୍ୟାତି ହାସଲ କରିଛି।

ଗ୍ରାମର ୨୪୦୦ ଜନସଂଖ୍ୟା (୨୦୧୧ ଜନଗଣନା) ମଧ୍ୟରୁ ୧୪୦ଜଣ କୁଥାମପଲ୍ଲୀ ହସ୍ତତନ୍ତ ଶିଳ୍ପ ସମବାୟ ସମିତି ସହ ସଂଯୁକ୍ତ। ସରକାରଙ୍କ ଆଂଶିକ ପରିଚାଳନା ବିଶିଷ୍ଟ ଏହି ସମିତି କଞ୍ଚାମାଲ ଉପଲବ୍ଧ କରେ ଏବଂ ସମ୍ପୂର୍ଣ୍ଣ ହୋଇଥିବା ଉତ୍ପାଦ ପାଇଁ ମଜୁରୀ ପ୍ରଦାନ କରେ। ଅନ୍ୟ ବୁଣାକାରମାନେ ଗ୍ରାମର ମୁଖ୍ୟ ବୁଣାକାରମାନଙ୍କ ପାଇଁ କାମ କରନ୍ତି। ଯେଉଁମାନେ ରାଜ୍ୟର ବିଭିନ୍ନ ଅଂଶରେ ଥିବା ଦୋକାନରୁ ଉତ୍ପାଦ ପାଇଁ ଅର୍ଡର ଆଣନ୍ତି ଏବଂ ସେହି କାମ ସମ୍ପୂର୍ଣ୍ଣ କରିବା ପାଇଁ ବୁଣାକାରମାନଙ୍କୁ କମିଶନ ଦିଅନ୍ତି। ଆଉ କେତେଜଣ ସିଧାସଳଖ ଗ୍ରାହକମାନଙ୍କଠାରୁ ଅର୍ଡର ନିଅନ୍ତି ଏବଂ ସେମାନଙ୍କୁ ପୋଷାକ ଯୋଗାନ୍ତି। ଗ୍ରାମରେ ଅଧିକାଂଶ ବୁଣାକାରଙ୍କର ୧ କିମ୍ବା ୨ଟି ତଦନ୍ତ ନିଜନିଜର ଘରେ ଅଛି, ୨ କିମ୍ବା ୩ଟି ପରିବାରର ବହୁ ସଂଖ୍ୟକ ତନ୍ତ ପାଇଁ ଭିନ୍ନ ତନ୍ତଶାଳ ରହିଛି ।

ପ୍ରତ୍ୟେକ ପରିସ୍ଥିତିରେ ଆୟ ସାଧାରଣ। ଆଲାଗିରିଙ୍କ ୨୪ ବର୍ଷୀୟ ନାତି ସୁରଜିତ୍‌ ସାରାବନନ୍‌ କୁହନ୍ତି, ‘‘ଏଠାରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୭୦ ଉପରେ।’’ ‘‘ସେମାନେ କୌଣସି ଡିଜାଇନ ନଥିବା ସାଦା ମୁଣ୍ଡୁ (ସାଧାରଣତଃ ଚାରି ମିଟର ଲମ୍ବ)କୁ ସମ୍ପୂର୍ଣ୍ଣ କରିବା ପାଇଁ ସାରାଦିନ ନେଇଯାଆନ୍ତି। ଆପଣ କେତେ ରୋଜଗାର କରିବେ ତାହା ଦ୍ରୁତତା ଏବଂ ଆପଣ ଦିନରେ କେତେ ଶେଷ କରିପାରିବେ ତାହା ଉପରେ ନିର୍ଭର କରେ।’’

Tools used for weaving
PHOTO • Remya Padmadas
Mani K. who has been in this profession for over 30 years, works on the handloom
PHOTO • Remya Padmadas

ଶାଢ଼ି ପାଇଁ ସୂତା କଣ୍ଡା ବା ଲଟେଇରେ ଗୁଡ଼ା ହୋଇଛି (ବାମ), କୁଥାମପଲ୍ଲୀରେ ମଣି କେ.ଙ୍କ ଘରେ ବୁଣିବା ପାଇଁ ପ୍ରସ୍ତୁତି, ଯେଉଁଠାରେ ସେ ଗୋଟିଏ ତଦନ୍ତରେ କାମ କରନ୍ତି (ଡାହାଣ)

କୁଥାମପଲ୍ଲୀର ପ୍ରତ୍ୟେକ ବୁଣାକାର ପ୍ରତ୍ୟେକ ମୁଣ୍ଡୁ ପାଇଁ ୨୦୦ରୁ ୪୦୦ଟଙ୍କା ଆୟ କରନ୍ତି। ଗୋଟିଏ ସାଦା ଶାଢ଼ି ୫୦୦ଟଙ୍କା ଆୟ ଦେଇଥାଏ ଏବଂ ଡିଜାଇନ୍‌ ଥିବା ଶାଢ଼ି ପାଇଁ ୭୫୦ରୁ ୨୦୦୦ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଅଧିକ ସୂକ୍ଷ୍ମ ଡିଜାଇନ ଥିବା ଶାଢ଼ିଗୁଡ଼ିକ ପାଇଁ ୪ହଜାର ଟଙ୍କା ମଧ୍ୟ ମିଳିଥାଏ। କିନ୍ତୁ ଜଣେ ବୟସ୍କ ବୁଣାକାର ଦିନକୁ ୯-୧୦ଘଣ୍ଟା କାମ କରି ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଦିନ ନିଅନ୍ତି। ସୁରଜିତ୍‌ କୁହନ୍ତୁ, ‘‘ଗତ ସପ୍ତାହରେ ଜଣେ [ତୁଳନାତ୍ମକ ଭାବରେ] ଯୁବ ବୁଣାକାର ସାହାଯ୍ୟ କରିବାକୁ ଆସିଲେ, ସେ ଦୁଇଦିନରେ ଏକ ଡିଜାଇନ ଥିବା ଶାଢ଼ି ବୁଣିଲେ, ୪,୦୦୦ଟଙ୍କା ନେଲେ ଓ ଚାଲିଗଲେ’’। ‘‘ମୋ ଜେଜେବାପା ସେହି ସମାନ ଶାଢ଼ି ବୁଣିବା ପାଇଁ ୮ଦିନ ସମୟ ନିଅନ୍ତି।’’

ମଣି କେ. କୁହନ୍ତି, ବୁଣିବା ପାରମ୍ପରିକ ଭାବରେ ଏକ ପାରିବାରିକ ବ୍ୟବସାୟ। ସେ ଏହି ବୃତ୍ତିରେ ୩୦ବର୍ଷରୁ ଅଧିକ କାଳ ହେବ ଅଛନ୍ତି। ପ୍ରକୃତ ବୁଣା ଆରମ୍ଭ ହେବା ପୂର୍ବରୁ ଅନେକ କାମ କରିବାକୁ ହୋଇଥାଏ। ‘‘ଯେତେବେଳେ ଆମେ ପିଲାଥିଲୁ ସମ୍ପୂର୍ଣ୍ଣ ପରିବାର ଏହି ବୁଣିବା ପ୍ରକ୍ରିୟାର ଅଂଶ ହେଉଥିଲା, ଜେଜେବାପା, ଜେଜେମାଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ।’’

ପାଭୁ କିମ୍ବା ମଣ୍ଡଦିଆ କପାସୂତା ସୂତାକଳରୁ ବଣ୍ଡଲରେ ଆସେ। ପରିବାରର ବୟସ୍କମାନେ ଏହି ସୂତାକୁ ଖୋଲି ଅଲଗା କରିବେ ଏବଂ ସିଧା କରିବେ ଏବଂ ଏହାକୁ ମୋଡି ଗୁଚ୍ଛା କରିବେ ଯାହାକି ତଦନ୍ତରେ ଲଗାଯିବ। ଯେହେତୁ ଏହି ସୂତାଗୁଡ଼ିକ ପ୍ରାୟ ୪୪ମିଟର ଲମ୍ବ ଏହାକୁ ରାସ୍ତାରେ ଛିଡ଼ା ହୋଇ ଗୁଳା କରିବାକୁ ହୋଇଥାଏ ଏବଂ ଏଥିପାଇଁ ଅତିକମ୍‌ରେ ସାତ ଯୋଡ଼ା ହାତ ଆବଶ୍ୟକ ହୋଇଥାଏ। ଏ ମଧ୍ୟରେ ପରିବାରର ମହିଳା ଏବଂ ପିଲାମାନେ ଏହି ସୂତାକୁ ବୁଣିବାରେ ସାହାଯ୍ୟ କରନ୍ତି ଏବଂ କାସାବୁ ଗୁଳାକୁ ଚରଖା ବ୍ୟବହାର କରି ଛୋଟ ଛୋଟ ଗୁଳା କରନ୍ତି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଗୋଟିଏ ଦିନ ନେଇଯାଏ।

ଏବେ ଏସବୁ ବଦଳିଯାଇଛି। ପରିବାର ଛୋଟ ହୋଇଛି, ପିଲାମାନେ ଏହି ବୃତ୍ତିରେ ରହିବାକୁ ଅନିଚ୍ଛୁକ ଏବଂ କୁଶଳୀ ବୁଣାକାରମାନଙ୍କର ଅଭାବ, ତନ୍ତ ଆରମ୍ଭ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ତାମିଲନାଡୁରୁ ଶ୍ରମିକ ମଗାଇବାକୁ ବୟସ୍କ ବୁଣାକାରମାନଙ୍କୁ ବାଧ୍ୟ କରୁଛି। ମଣି କୁହନ୍ତି, ‘‘ଆମେ ଲୋକଙ୍କୁ ତନ୍ତରେ କାମ କରିବା ପାଇଁ ଡାକୁଛୁ ସେମାନେ ସକାଳେ ଆସନ୍ତି ଏବଂ ସନ୍ଧ୍ୟା ୫ଟା ସୁଦ୍ଧା ଚାଲି ଯାଆନ୍ତି।’’ ଯେଉଁ ଶାଢ଼ିରୁ ୪୦୦୦ଟଙ୍କା ମିଳିବା କଥା ସେଥିରୁ ବୁଣାକାର ମାତ୍ର ୩୦୦୦ଟଙ୍କା ପାଉଛି। ବଳକା ଶ୍ରମିକ ଖର୍ଚ୍ଚରେ ଚାଲିଯାଉଛି। ଏହାର ଶେଷରେ ଆମେ କେତେ ପାଉଛୁ’’। ତେଣୁ ତାଙ୍କ ପରିବାର ଏହା କମ୍‌ କରିଦେଇଛି-୧୯୯୦ ଦଶକରେ ଘରେ ଚାରୋଟି ତନ୍ତ ଥିଲା ଏବେ ମାତ୍ର ଦୁଇଟି।

Stacks of punched cards to be used in the jacquard machine, kept in a corner. Shot inside Mani's house.
PHOTO • Remya Padmadas
The charkha in Mani's home used to spin the kasavu (zari) into smaller rolls
PHOTO • Remya Padmadas
The charkha in Mani's house used to spin the kasavu into smaller rolls
PHOTO • Remya Padmadas

ମଣି କେ.ଙ୍କ ଘରେ: ଜାକ୍ୱାର୍ଡ ମେସିନ ପାଇଁ କଣା ହୋଇଥିବା କାର୍ଡର ଥାକ (ବାମ) ଏବଂ କାସାଭୁକୁ ଛୋଟ ଛୋଟ ଗୁଳା କରିବା ପାଇଁ ବ୍ୟବହୃତ ହେଉଥିବା ଚରଖା (ମଝି ଏବଂ ଡାହାଣ)

କୁଥାମପଲ୍ଲୀର ଅନେକ ଯୁବକଯୁବତୀ ଏବେ ଗ୍ରାଜୁଏଟ୍‌ ଏବଂ ବୁଣାରେ ତାଙ୍କର ଆଗ୍ରହ ନାହିଁ। ମଣି କୁହନ୍ତି, ତାଙ୍କ ପୁଅ ଜଣେ ମେକାନିକାଲ ଇଞ୍ଜିନିୟର ଏବଂ ସେ ତ୍ରିସୁରୀର ଏକ କନଷ୍ଟ୍ରକ୍ସନ ଫାର୍ମରେ କାମ କରୁଛନ୍ତି। ସେ ପଚାରନ୍ତି, ‘‘ଯଦି ତୁମେ ମାସକୁ ମାତ୍ର ୬୦୦୦ ଟଙ୍କା [ବୁଣାରୁ] ସେହି ଅର୍ଥରେ ତୁମେ କ’ଣ କରିପାରିବ?’’ ‘‘ଏହି କାରଣରୁ ଏହି କଳାରେ ଯୁବପିଢ଼ି ନାହାଁନ୍ତି, ସେମାନେ ବାହାରେ କାମ ଚାହୁଁଛନ୍ତି।’’

ସୁରଜିତ ମଧ୍ୟ ଜଣେ ଇଞ୍ଜିନିୟର; ସେ ବୁଣିବା ଶିଖିନାହାଁନ୍ତି ଏବଂ ପରିବାରର କପଡ଼ା ଦୋକାନ ଚଳାଉଛନ୍ତି। ତାଙ୍କ ବାପା କୁଥାମପଲ୍ଲୀ ହସ୍ତତନ୍ତ ଶିଳ୍ପ ସମବାୟ ସମିତିର ସମ୍ପାଦକ ଏବଂ ତାଙ୍କ ମାଆ କୁଥାମପଲ୍ଲୀରେ ସେମାନଙ୍କ ଘରେ ଲୁଗା ବୁଣାବୁଣି କରନ୍ତି। ସେ କୁହନ୍ତି, ‘‘ଯୁବ ପିଢ଼ୀ ଏହି ଶିଳ୍ପରେ ଆଦୌ କାମ କରିବାକୁ ଚାହାଁନ୍ତି ନାହିଁ, ଅନ୍ୟ କ୍ଷେତ୍ରରେ ଆପଣ ସ୍ୱାଧୀନ ଭାବରେ କାମ କରିପାରିବେ ଏବଂ ଏଥିପାଇଁ ଅର୍ଥ ପାଇବେ। କିନ୍ତୁ ବୁଣିବା ସମୟରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଥମରୁ ଗୋଟିଏ ଦଳ ଦରକାର। ଯଦି ଜଣେ ଗ୍ରାହକ ଏକ ନିର୍ଦ୍ଦିଷ୍ଟ ରଙ୍ଗ ପାଇଁ କୁହନ୍ତି, ଆପଣଙ୍କୁ ସୂତା ରଙ୍ଗ କରିବାକୁ ହେବ। ଏଥିପାଇଁ ସାହାଯ୍ୟ ଦରକାର। ଯଦି ବୁଣା ମଝିରୁ ସୂତା ସରିଯିବ ଆପଣଙ୍କୁ ପ୍ରତ୍ୟେକ ସୂତାକୁ ଏକ ନୂଆ ରିଲ୍‌ ସହ ଯୋଡ଼ିବାକୁ ହେବ। ଏଥିପାଇଁ ପ୍ରାୟ ଗୋଟିଏ ଦିନ ସମୟ ଲାଗିଯାଏ ଏବଂ ଆପଣ ଏହା ଏକୁଟିଆ କରିପାରିବେ ନାହିଁ। ଆପଣଙ୍କ ଡିଜାଇନ୍‌ ଉପରେ ନିର୍ଭର କରି ପଞ୍ଚ କାର୍ଡ ଆଉ କେହି ଡିଜାଇନ କରିବ। ଯଦି ତନ୍ତରେ ଗୋଟିଏ ତ୍ରୁଟି ଥିବ, ଜଣେ ଟେକ୍ନିସିଆନ ଏହାକୁ ସଜାଡିବ। ଆପଣ ଏକୁଟିଆ ଏସବୁ କାମ କରିପାରିବେ ନାହିଁ। ଏହା ଏକ ଦଳଗତ କାମ ଏବଂ କାହା ଉପରେ ଏତେ ନିର୍ଭର କରିବା କଷ୍ଟ।’’

ଜୟ ମଣି, ଯେ କି ତାଙ୍କ ସ୍ୱାମୀଙ୍କ ସହ ସେମାନଙ୍କ ଘରେ ଦୁଇଟି ତନ୍ତ ଚଳାନ୍ତି ଏଥରେ ସହମତ। ସେ କୁହନ୍ତି, ‘‘ବୁଣିବା କାମରେ ଅନେକ ଲୋକ ମିଶିବା ଦରକାର’’। ‘‘ଆମ ପଡ଼ୋଶୀ ଆମର ପାଭୁ ସିଧା କରିବା ଏବଂ ଗୁଡ଼େଇବାରେ ଆମକୁ ସାହାଯ୍ୟ କରନ୍ତି ଏବଂ ଆମେ ତାଙ୍କୁ ମଧ୍ୟ ଏଥିପାଇଁ ସାହାଯ୍ୟ କରୁ। ଏହି ସ୍ତରର ସହଯୋଗ ନଥିଲେ, ଆମେ କାମ କରିପାରିବୁ ନାହିଁ।’’ ଜୟା ଏବଂ ତାଙ୍କ ସ୍ୱାମୀ ହସ୍ତତନ୍ତ ସମବାୟ ସହ ସମ୍ପୃକ୍ତ ଏବଂ ମାସିକ ୧୮,୦୦୦ରୁ ୨୫,୦୦୦ ପର୍ଯ୍ୟନ୍ତ ରୋଜଗାର କରନ୍ତି।

ତଥାପି ଏ ପର୍ଯ୍ୟନ୍ତ ବୁଣୁଥିବା ଗାଁ’ର ଅଳ୍ପ କେଇଜଣ ମହିଳାଙ୍କ ମଧ୍ୟରେ ଜୟା ସାମିଲ। ସେ କୁହନ୍ତି, ‘‘ଅଧିକାଂଶ ମହିଳା ଆଜିକାଲି କପଡ଼ା ଦୋକାନରେ କାମ କରୁଛନ୍ତି। କାରଣ ଏହି କାମ ସହଜ ଏବଂ ସେମାନେ ତାହା ଏକୁଟିଆ କରିପାରିବେ’’। ‘‘ମୋ ପିଲାମାନେ ଏଥିରେ ଆଗ୍ରହୀ ନୁହଁନ୍ତି, ମୋ ଝିଅ କେମିତି ବୁଣିବାକୁ ହୁଏ ତାହା ଜାଣେ, କିନ୍ତୁ ଯଦି ସେ ବୁଣିବାରେ ବସିବ ତେବେ ଘରେ ଅନ୍ୟ କାମ କରିପାରିବ ନାହିଁ। ମୋ ପୁଅ ଆଦୌ ଆଗ୍ରହୀ ନୁହେଁ ଏବଂ ଏକ ଦୋକାନରେ କାମ କରେ ଏବଂ ତାକୁ କିଏ ଦୋଷ ଦେବ? ଏହା ଏକ ଲାଭଜନକ ବ୍ୟବସାୟ ନୁହେଁ।’’

Jaya Mani works on a loom in her home. In the dying light of the setting sun, the threads on her loom glow faintly.
PHOTO • Remya Padmadas
The roller of a handloom in Kuthampully, over which 4,000 to 4,500 threads of yarn are strung.
PHOTO • Remya Padmadas

ବାମ: ଜୟା ମଣି କୁଥାମପଲ୍ଲୀର ଅଳ୍ପ କେଇଜଣ ମହିଳାଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏବେ ବି ବୁଣୁଛନ୍ତି। ଡାହାଣ: ଗୋଟିଏ ହସ୍ତତନ୍ତର ରୋଲର ଯେଉଁଥିରେ ୪୦୦୦ରୁ ୪୫୦୦ ସୂତାଖିଅ ଲଗାଯାଇଛି

କୁଥାମପଲ୍ଲୀରେ ହାତବୁଣା ହ୍ରାସ ପାଇବାର ଅନ୍ୟ ଏକ କାରଣ ହେଉଛି ଅଧିକ ଉନ୍ନତ କଳ ତନ୍ତର ବ୍ୟାପକତା। ଯାହାକି ଖୁବ୍‌ ସୂକ୍ଷ୍ମ ଡିଜାଇନର ଶାଢ଼ିକୁ ଶୀଘ୍ର ଏବଂ ଶସ୍ତାରେ ବୁଣି ଦେଉଛି। ହସ୍ତତନ୍ତ ସମିତିର ଜଣେ କର୍ମଚାରୀ କୁହନ୍ତି, କୁଥାମପଲ୍ଲୀର ଦୋକାନଗୁଡ଼ିକରେ ପ୍ରଦର୍ଶିତ ହୋଇଥିବା ୮୦ ପ୍ରତିଶତ ଶାଢ଼ି ତାମିଲନାଡୁର କଳତନ୍ତଗୁଡ଼ିକରେ ପ୍ରସ୍ତୁତ ହୋଇଛି।

ସୁରଜିତ୍‌ କୁହନ୍ତି, ‘‘ମେସିନରେ, ଗୋଟିଏ ଦିନରେ ୫ରୁ୬ ଶାଢ଼ି ବୁଣାଯାଇପାରିବ ଏବଂ ଯଦି ରାତିସାରା କାମ କରାଯାଏ ତେବେ ୧୦ଖଣ୍ଡ ମଧ୍ୟ ପ୍ରସ୍ତୁତ ହୋଇପାରିବ। ଜଣେ ବ୍ୟକ୍ତି ଚାରୋଟି କଳତନ୍ତ ଉପରେ ଏକ ସମୟରେ ନଜର ରଖିପାରିବ। ସମୁଦାୟ ପ୍ରକ୍ରିୟା କମ୍ପ୍ୟୁଟରକୃତ’’। ‘‘ହସ୍ତତନ୍ତରେ ଜଣେ ବ୍ୟକ୍ତି ଗୋଟିଏ ସମୟରେ ମାତ୍ର ଗୋଟିଏ ଶାଢ଼ି ବୁଣିପାରିବ। ଦାମ୍‌ରେ ମଧ୍ୟ ଏକ ବୃହତ ଫରକ ରହିଛି- ଗୋଟିଏ ହସ୍ତତନ୍ତ ଶାଢ଼ିର ଦାମ୍‌ ୨୦୦୦ଟଙ୍କା ହୋଇଥିବା ବେଳେ କଳତନ୍ତରେ ପ୍ରସ୍ତୁତ ହେଲେ ଏହାର ଦାମ୍‌ ୪୦୦ଟଙ୍କା ହୋଇଯାଏ।

ତେଣୁ ଲୋକମାନେ କାହିଁକି ହସ୍ତତନ୍ତ ଶାଢ଼ି ଏବଂ ମୁଣ୍ଡୁ କିଣନ୍ତି? ସେ ଉତ୍ତର ଦିଅନ୍ତି, ‘‘ମାନ’’। ‘‘ଗୋଟିଏ ହସ୍ତତନ୍ତ ଶାଢ଼ି ଏତେ କୋମଳ ଯେ ପିନ୍ଧିବା ସମୟରେ ଆଦୌ ଓଜନ ନଥିବା ପରି ଜଣାଯାଏ। ମେସିନରେ ପ୍ରସ୍ତୁତ ହେଉଥିବା ଶାଢ଼ିରେ ହସ୍ତତନ୍ତଠାରୁ ଏକ ଭିନ୍ନ ପ୍ରକାରର କାସାଭୁ ବ୍ୟବହାର କରାଯାଏ। ଏହି ମାନରେ ଦୁନିଆଯାକର ଫରକ ରହିଛି। ଏଥିସହ ହସ୍ତତନ୍ତ ଶାଢ଼ିଗୁଡ଼ିକ ଅଧିକ ଦିନ ରହେ।’’

The entrance to a shed in Kuthampully, where weaving takes place.
PHOTO • Remya Padmadas
Settu sarees in a handloom shop in Kuthampully
PHOTO • Remya Padmadas

ଡାହାଣ : ଗ୍ରାମରେ ଗୋଟିଏ ବୁଣାକାର ଶାଳର ପ୍ରବେଶ ପଥ। ବାମ: କୁଥାମପଲ୍ଲୀରେ ଏକ ହସ୍ତତନ୍ତ ଦୋକାନରେ ବିକ୍ରି ପାଇଁ ପ୍ରସ୍ତୁତ ସେତୁ ଶାଢ଼ିଗୁଡ଼ିକ

ଯଦିଓ ହସ୍ତତନ୍ତ ଶାଢ଼ି ପାଇଁ ଥିବା ଚାହିଦା ଏଠାରେ ବୁଣାକାରମାନଙ୍କୁ ବଞ୍ଚାଇ ରଖିଛି, ୨୦୧୮ ଅଗଷ୍ଟ ମାସରେ କେରଳରେ ହୋଇଥିବା ଭୀଷଣ ବନ୍ୟା ଏହି ଉଦ୍ୟୋଗକୁ କ୍ଷତିଗ୍ରସ୍ତ କରିଛି। କୁଥାମପଲ୍ଲୀ ହସ୍ତତନ୍ତ ସମିତିର ଜନୈକା ପ୍ରଶାସନିକ କର୍ମଚାରୀ ଐଶ୍ୱର୍ଯ୍ୟା ଏସ୍‌. କୁହନ୍ତି ଯେ, ବନ୍ୟା ପରେ ବ୍ୟବସାୟୀମାନଙ୍କୁ ବିକ୍ରି ହୋଇଥିବା ୧ କୋଟି ଟଙ୍କାର ମାଲ ଫେରି ଆସିଲା, କାରଣ ଦୋକାନୀମାନେ ଗ୍ରାହକ ପାଇଲେ ନାହିଁ। ଏତେ ସଂଖ୍ୟକ ବିକ୍ରି ହୋଇନଥିବା ମାଲ୍‌ କାରଣରୁ ସମିତିକୁ ଏହାର ୧୪୦ଜଣ ବୁଣାକାରଙ୍କୁ ଅର୍ଥ ପୈଠ କରିବା ପାଇଁ ଏକ ଋଣ ନେବାକୁ ହୋଇଥିଲା। ଅଗଷ୍ଟ ମଧ୍ୟ କେରଳର ସବୁଠାରୁ ଲୋକପ୍ରିୟ ପର୍ବ ଓନାମର ସମୟ। ଏହି ସମୟରେ ପାରମ୍ପରିକ ପୋଷାକର ବିକ୍ରି ସବୁଠାରୁ ଅଧିକ ହୁଏ। ସମିତି ପରେ ଶାଢ଼ିଗୁଡ଼ିକୁ ରିହାତି ଦରରେ ବିକ୍ରି କଲା ଏବଂ ଐଶ୍ୱର୍ଯ୍ୟା କୁହନ୍ତି, ଏ ପର୍ଯ୍ୟନ୍ତ ଅନେକ ମାଲ୍‌ ବିକ୍ରି ହେବାକୁ ଅପେକ୍ଷା କରି ରହିଛି।

କୁଥାମପଲ୍ଲୀରେ ବନ୍ୟାର ପ୍ରଭାବ ସର୍ବନିମ୍ନ ଥିଲା। ଆଲାଗିରି ସାମୀ କୁହନ୍ତି, ‘‘ବନ୍ୟା ଆମକୁ ଅଧିକ ପ୍ରଭାବିତ କରିନଥିଲା।’’ ‘‘ଆମ ସହରର ଉଭୟ ପାର୍ଶ୍ୱରେ ଦୁଇଟି ନଦୀ ଅଛି ଏବଂ ଗୋଟିଏ ପାର୍ଶ୍ୱକୁ ପାଣି ସାମାନ୍ୟ ପ୍ରଭାବିତ କରିଥିଲା କିନ୍ତୁ କୌଣସି ବିଶେଷ କ୍ଷତି ହୋଇନଥିଲା’’।

କିନ୍ତୁ ଅବଶିଷ୍ଟ କେରଳରେ ବନ୍ୟା ପରବର୍ତ୍ତୀ ପରିସ୍ଥିତି କାରଣରୁ ସମବାୟ ସମିତି ରଙ୍ଗୀନ ଶାଢ଼ି ବୁଣା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲା। ଏହା କେଇ ଦଶକ ଧରି ରାଜ୍ୟର ବିଶିଷ୍ଟ ହାଲ୍‌କା-ଧୂଷର ଏବଂ ସୁନେଲି ପାଢ଼ି ଥିବା ଶାଢ଼ିରେ ବିଶେଷତ୍ୱ ହାସଲ କରିଥିଲା, ଯାହାକି କେରଳରେ ପର୍ବ ସମୟରେ ମୁଖ୍ୟତଃ ବିକ୍ରି ହୁଏ। ରଙ୍ଗୀନ ଶାଢ଼ି ପଛର କାରଣ ଦର୍ଶାଇ ସେମାନେ କହିଥିଲେ, ବର୍ଷ ସାରା ଏଥିପାଇଁ ଚାହିଦା ଥାଏ। ଗାଁ’ରେ ଅନେକ ବୁଣାକାର ବିରୋଧ କଲେ। ଐଶ୍ୱର୍ଯ୍ୟା କୁହନ୍ତି, ‘‘ଏଠାରେ ଅଧିକାଂଶ ବୁଣାକାର ଖୁବ୍‌ ବୟସ୍କ ଏବଂ ସେମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ। ରଙ୍ଗୀନ ଶାଢ଼ି ବୁଣିବାରେ କାମ ଅଧିକ ଏବଂ ଅଧିକ ସମୟ ଓ ଧ୍ୟାନ ଆବଶ୍ୟକ କରେ।’’ ‘‘କିନ୍ତୁ ଆମେ ଏହା କରିବାକୁ ନିଷ୍ପତ୍ତି ନେଲୁ କାରଣ ଉଦ୍ୟୋଗକୁ ବଞ୍ଚାଇ ରଖିବାକୁ ହେବ। କେବଳ ସମୟ କହିବ ଏହା କେତେ ଠିକ୍‌।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Remya Padmadas

Remya Padmadas is an independent journalist based in Benglauru and Kerala. She has previously worked with Reuters as a business correspondent. Her dream is to travel the world and become a teller of stories.

Other stories by Remya Padmadas