ମହେନ୍ଦ୍ର ନାଉରୀ କହନ୍ତି, “ଆମେ ଆମ ମାଟିରେ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁନାହିଁ । କୀଟ ମାରିବା ଲାଗି ମାଟି ବିଷ ଦରକାର କରେନାହିଁ । ଯଦି ମାଟି ଭଲ ଥାଏ, ତେବେ ତାହା ସବୁ କିଛିର ଯତ୍ନ ନେଇପାରେ।” ନିୟମଗିରି ପର୍ବତର ପୂର୍ବ ଦିଗରେ ପ୍ରାୟ ୧.୫ କିଲୋମିଟର ଦୂରରେ ତାଙ୍କର ଚାଷଜମି ରହିଛି । ସେ କହନ୍ତି, “ଆପଣଙ୍କ ଚାଷଜମି ହୁଡ଼ାରେ ମହୁଲ ବା ସହଜ ଗଛଟିଏ ଦରକାର, ଯାହାକି କି ପକ୍ଷୀ, ଏଣ୍ଡୁଅ ଏବଂ ବେଙ୍ଗମାନଙ୍କୁ ଆଶ୍ରୟ ଦେଉଥିବ। ସେଇମାନେ ହିଁ ଆମ ଫସଲର କ୍ଷତି କରୁଥିବା କୀଟ ଓ ପତଙ୍ଗମାନଙ୍କୁ ଶେଷ କରିଦେବେ ।”

ଦକ୍ଷିଣ-ପଶ୍ଚିମ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍‌ରେ ଥିବା ପ୍ରାୟ ୧୦୦ ଲୋକଙ୍କ ଗାଁ କେରାଣ୍ଡିଗୁଡ଼ାରେ ମହେନ୍ଦ୍ରଙ୍କର ଦୁଇ ଏକର ଜମି ଅଛି । ଏଠାକାର ଅଧିକାଂଶ ପରିବାର କନ୍ଧ ଆଦିବାସୀ ସଂପ୍ରଦାୟର । ହେଲେ, ନାଉରୀଙ୍କ ପରିବାର ଡୋରା ସଂପ୍ରଦାୟର ।

୩୦ ବର୍ଷ ବୟସ୍କ ମହେନ୍ଦ୍ର ଓ ତାଙ୍କ ବାପା ୬୨ ବର୍ଷ ବୟସ୍କ ଲୋକନାଥ, ସେମାନଙ୍କ ଜମିରେ, ୩୪ଟି କିସମର ଫସଲ କରନ୍ତି । ଉପ-କିସମକୁ ମିଶାଇଲେ ଏହା ଅବିଶ୍ୱସନୀୟ ଭାବେ ୭୨ ପ୍ରକାରର ଫସଲ । ସେମାନଙ୍କ ଚାଷଜମିର ବିଭିନ୍ନ ଭାଗରେ ଗୋଟିଏ ପରେ ଆଉ ଗୋଟିଏ କରି ପର୍ଯ୍ୟାୟକ୍ରମେ ସେମାନେ ଏହି ଚାଷ କରନ୍ତି । ସେମାନଙ୍କ ଫସଲରେ ଥାଏ କ୍ଷୁଦ୍ର ବାଜରା ଜାତୀୟ ଶସ୍ୟ (ଯେମିତି କି ସୁଆଁ ଓ ସିକ୍‌ରା), ଡାଲିଜାତୀୟ ଶସ୍ୟ (ହରଡ଼ ଓ ମୁଗ ସମେତ), ତୈଳବୀଜ (ଯେମିତିକି ଅଳସୀ, ସୂର୍ଯ୍ୟମୁଖୀ ଏବଂ ଚିନାବାଦାମ), କନ୍ଦା, ଅଦା, ସବୁଜ ପନିପରିବା, ଟମାଟୋ, ବାଇଗଣ ଏବଂ ଆହୁରି ଅନେକ । ମହେନ୍ଦ୍ର କହନ୍ତି, “ଖାଦ୍ୟ ପାଇଁ ଆମେ ବଜାର ଉପରେ ନିର୍ଭର କରୁନାହିଁ ।”

ଗାଁ ଲୋକେ ନିୟମଗିରି ପର୍ବତରୁ ଝରିଆସୁଥିବା ଝରଣାର ପାଣି ବ୍ୟବହାର କରନ୍ତି। ଚାଷଜମିକୁ ପାଣି ମଡ଼େଇବା ପାଇଁ ସେମାନେ ପଥରର ବନ୍ଧ ତିଆରି କରନ୍ତି । ଲୋକନାଥ କହନ୍ତି, “ଗତ ଚାରି ବର୍ଷ ଧରି ଏଠାକାର ପାଣିପାଗ ପ୍ରତିକୂଳ ସ୍ଥିତିରେ ରହିଛି’’, ‘‘କିନ୍ତୁ ସମସ୍ତ ବିପରୀତ ସ୍ଥିତିରେ ବି ଆମକୁ ଆମ ଫସଲ ବଞ୍ଚାଇ ରଖିଛି। ମୁଁ କାହାଠାରୁ କେବେହେଲେ ଋଣ କରିନାହିଁ । କେବଳ ଆମର ପାରମ୍ପରିକ ଚାଷ ପଦ୍ଧତି ଯୋଗୁଁ ଏହା ସମ୍ଭବ ହୋଇଛି ।” ତାଙ୍କର ପୂରା ପରିବାର ନିଜ ଫସଲ ଉପରେ ହିଁ ନିର୍ଭର କରି ଚଳନ୍ତି ଏବଂ ବଳକା ଫସଲକୁ ମୁନିଗୁଡ଼ା ଓ ବିଷମକଟକର ସାପ୍ତାହିକ ହାଟରେ ବିକନ୍ତି ।

Mahendra's father, Lokanath looking at some plants
PHOTO • Ajit Panda
Mahendra Nauri in his backyard
PHOTO • Ajit Panda

ଲୋକନାଥ ନାଉରୀ (ବାମ):‘ସମସ୍ତ ପ୍ରତିକୂଳ ସ୍ଥିତିରେ ଆମକୁ ଆମ ଫସଲ ବଞ୍ଚାଇ ରଖିଛି’। ମହେନ୍ଦ୍ର (ଡାହାଣ) ଏବଂ ତାଙ୍କ ଭାଇ ଓ ପାଞ୍ଚ ଜଣ ଭଉଣୀ- ସମସ୍ତେ ପରିବାରର ଚାଷଜମିରେ କାମ କରନ୍ତି ।

ଲୋକନାଥ କହନ୍ତି, “୫୦ବର୍ଷ ହେଲା ମୁଁ ଚାଷ କାମ କରିଆସୁଛି । ବୁଣିବା ଏବଂ ରୋଇବା ପାଇଁ ମାଟିକୁ କେମିତି ପ୍ରସ୍ତୁତ କରିବାକୁ ହେବ ତାହା ମୁଁ ମୋ ବାପାଙ୍କ ନିକଟରୁ ଶିଖିଛି ।” ତାଙ୍କ ବାପା ଥିଲେ ଭୂମିହୀନ ଶ୍ରମିକ । ବହୁ ବର୍ଷ ଧରି ଲୋକନାଥ ବି ତାଙ୍କ ବାପାଙ୍କ ଭଳି ଥିଲେ । ପ୍ରାୟ ୩୦ ବର୍ଷ ବୟସରେ ସେ ସରକାରଙ୍କଠାରୁ ଜମି ପାଇବା ପରେ ବିହନ ସଂରକ୍ଷଣ କରିବା ଆରମ୍ଭ କଲେ ।

ସେ କହନ୍ତି, “ଆଜିପର୍ଯ୍ୟନ୍ତ ମୁଁ ସେହି ସବୁ ପଦ୍ଧତି (ମୋ ବାପାଙ୍କଠାରୁ ଶିଖିଥିବା) ଅନୁସରଣ କରୁଛି ଏବଂ ସେହି ସମାନ ଫଳ ପାଉଛି ।’’ ‘‘କିନ୍ତୁ ବର୍ତ୍ତମାନ ପିଢ଼ିର ଚାଷୀମାନେ କପା ଚାଷ କରି ମାଟିକୁ ନଷ୍ଟ କରିଦେଉଥିବା ମୁଁ ଦେଖିଛି । ସେମାନେ ମାଟିକୁ ଶକ୍ତ କରିଦେଇଛନ୍ତି। ଚାଷୀମାନେ ସେମାନଙ୍କର ବିହନ ବଦଳାଇବା ଆରମ୍ଭ କଲେଣି। ଧାନ ଓ ପନିପରିବାରେ ମଧ୍ୟ ସାର ଓ କୀଟନାଶକ ଉପଯୋଗ କଲେଣି । ଫସଲର ସ୍ୱାଦ ନଷ୍ଟ ହେଉଛି । ଯେହେତୁ ସେମାନେ ସାର ଓ କୀଟନାଶକରେ ଅଧିକରୁ ଅଧିକ ଖର୍ଚ୍ଚ କରୁଛନ୍ତି, ସେମାନେ ବେଶି କିଛି ଲାଭ ପାଉନାହାନ୍ତି ।”

ନାଉରୀ ପରିବାରକହନ୍ତି ଯେ, ଲୋକନାଥଙ୍କ ସମେତ କେରାଣ୍ଡିଗୁଡ଼ାର କେବଳ ଚାରିଟି ପରିବାର କୌଣସି ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରନ୍ତି ନାହିଁ । ମହେନ୍ଦ୍ର କହନ୍ତି ଯେ, ଏସବୁ ଆଜିକାଲି ଏ ଅଞ୍ଚଳର ଦୁର୍ଗମ ଆଦିବାସୀ ଗାଁଗୁଡ଼ିକରେ ବି ବ୍ୟବହୃତ ହେଲାଣି । ଶୁଣାଯାଉଛି ଯେ, ଅଧିକ ମାତ୍ରାରେ ରାସାୟନିକ ଦ୍ରବ୍ୟ ଏବଂ ଗୁଳ୍ମନାଶକ ବ୍ୟବହାର କରି କପା ଓ ୟୁକାଲିପଟାସ୍‌ ଚାଷ ଲାଗି କେତେକ ଆଦିବାସୀ ପରିବାର ସେମାନଙ୍କ ଚାଷଜମିକୁ ବ୍ୟବସାୟୀମାନଙ୍କୁ ଲିଜ୍‌ରେ ଦେଇଛନ୍ତି ।

ଲୋକନାଥ ଓ ମହେନ୍ଦ୍ର ବହୁରୂପୀ, ଭାଞ୍ଜିବୁଟା, ବୋଧନା ଏବଂ ଲାଲ୍‌ବୋରୋ ଭଳି ଚାରିଟି ପାରମ୍ପରିକ କିସମର ଧାନଚାଷ ବି କରନ୍ତି । ଲୋକନାଥ କହନ୍ତି ଯେ ପ୍ରାୟ୩୦ ବର୍ଷ ତଳେ ଏ ଅଞ୍ଚଳରେ ବୋଧନା ଚାଷ ହେଉଥିଲା । ଯଦିଓ ବହୁ ଚାଷୀ ଏହା ବଦଳରେ ଅନ୍ୟ କିସମର ଧାନ ଚାଷ କରୁଛନ୍ତି, ସେ ଏହାକୁ ସଂରକ୍ଷିତ କରି ରଖିପାରିଛନ୍ତି । ଏହା ପାହାଡ଼ିଆ ଜମିରେ, ସ୍ୱଳ୍ପ ସମୟରେ ହେଉଥିବା ଏକ ଧାନ ଏବଂ ଏହାକୁ ବର୍ଷକୁ ତିନି ଥର ଚାଷ କରାଯାଇପାରିବ । ୨୦୧୧ ମସିହାରୁ କେରାଣ୍ଡିଗୁଡ଼ାର ଏକ ୨.୫ ଏକରର କୃଷିକ୍ଷେତ୍ରରେ ବସବାସ କରୁଥିବା ଜଣେ ଖ୍ୟାତନାମା ଚାଉଳ ସଂରକ୍ଷଣବାଦୀ ଡାକ୍ତର ଦେବଲ ଦେବଙ୍କଠାରୁ ମହେନ୍ଦ୍ର ଅନ୍ୟ ତିନି ପ୍ରକାରର ଧାନ ସଂଗ୍ରହ କରିଥିଲେ। ବିହନ ଓ ସଂରକ୍ଷଣ ସଂପର୍କିତ ସେମାନଙ୍କ ପାରମ୍ପରିକ ଜ୍ଞାନକୁ ପୁଣି ଉଜ୍ଜୀବିତ କରିବା ଲାଗି ସେ ଏହି ଅଞ୍ଚଳର ଆଦିବାସୀମାନଙ୍କ ସହ କାମ କରନ୍ତି। ନିଜ ଚାଷକାମ ସହିତ ବିହନ ସଂରକ୍ଷଣ କ୍ଷେତ୍ରରେ ଡାକ୍ତର ଦେବଙ୍କ ସହ କାମ କରି ମହେନ୍ଦ୍ର ମାସକୁ ୩,୦୦୦ ଟଙ୍କା ପାରିଶ୍ରମିକ ପାଆନ୍ତି ।

Top left - alsi
Top right - siali leaves
Bottom left - seed storage
Bottom right - rice seeds
PHOTO • Ajit Panda

ଅଳସୀ (ଏକ ତୈଳବୀଜ, ଉପର ବାମ) ଏବଂ ଶିଆଳି ଲଟା (ଉପର ଡାହାଣ) ସମେତ ଅନେକ ଫସଲ କରନ୍ତି ନାଉରୀଙ୍କ ପରିବାର । ତଳ ଧାଡ଼ି: ସଂରକ୍ଷିତ ବିଭିନ୍ନ କିସମର ଦେଶୀ ବିହନ

ସେ କହନ୍ତି ତାଙ୍କ ବାପା ଲୋକନାଥ ହିଁ ତାଙ୍କର ମାର୍ଗଦର୍ଶକ ଏବଂ ଶିକ୍ଷକ, ଯେ କି ବହୁ ଦଶନ୍ଧି ଧରି ପାରମ୍ପରିକ କୌଶଳ ଉପଯୋଗ କରି ଚାଷ କରିଛନ୍ତି । ଯେମିତି କି ଫସଲରେ ଏବଂ ବିହନରେ ବିଭିନ୍ନ ବଣୁଆ ଗଛର ପତ୍ରକୁ କୀଟ ନିରୋଧକ ରୂପେ ବ୍ୟବହାର କରିବା, କେତେକ ପ୍ରକାର କୀଟର ପ୍ରତିରୋଧ ଏବଂ ମୃତ୍ତିକାର ନାଇଟ୍ରୋଜେନ୍‌ ସଂରକ୍ଷଣ ପାଇଁ ବେଳେବେଳେ ପରିବା ଚାଷରେ ମଧ୍ୟବର୍ତ୍ତୀକାଳୀନ ଫସଲ (ଯେମିତି କି ପିଆଜ) କରିବା ଏବଂ ବାଜରା ଫସଲରେ ମିଶ୍ରିତ ଫସଲ (ଋତୁକାଳୀନ ବିବିଧତା) କରି ସେ ଚାଷବାସ କରିଛନ୍ତି । ମହେନ୍ଦ୍ର ଓ ତାଙ୍କ ଭାଇ ଏବଂ ପାଞ୍ଚ ଭଉଣୀ, ସମସ୍ତେ ପରିବାରର ଚାଷଜମିରେ କାମ କରନ୍ତି । ଧାନ ଗଛ ବଢ଼ିବାର ପ୍ରକାରଭେଦରେ ପରାଗଯୋଗ ଓ ଲିଖିତ ପ୍ରମାଣ ଆହରଣ ଭଳି ପ୍ରାୟୋଗିକ ବିଷୟ ସଂପର୍କରେ ସେ କହନ୍ତି, “ମୁଁ ମୋ ବାପାଙ୍କଠାରୁ ଚାଷବାସ ଶିଖିଲି ଏବଂ ପରେ ଡାକ୍ତର ଦେବ ଓ ଲିଭିଂ ଫାର୍ମ୍‌ସ (ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଆଦିବାସୀମାନଙ୍କ ଚାଷକାର୍ଯ୍ୟ ଓ ଜୀବିକା ଉପରେ କାମ କରୁଥିବା ଏକ ଅଣ ସରକାରୀ ସଂସ୍ଥା) ନିକଟରୁ ଏ ସଂପର୍କିତ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ସ୍ପଷ୍ଟ ରୂପେ ଜାଣିଲି।”

ମହେନ୍ଦ୍ର ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥା ମାଧ୍ୟମରେ ଶିକ୍ଷାଲାଭ କରିଛନ୍ତି ଏବଂ ବିଷମକଟକର ମାଆ ମାର୍କମା କଲେଜରୁ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି । ପରେ ସେ ବାୟୋଟେକ୍‌ନୋଲୋଜିରେ ଡିଗ୍ରୀ ପାଇଁ କଟକର ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । କିନ୍ତୁ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଯୋଗୁଁ ସେ ସ୍ନାତକୋତ୍ତର ଶିକ୍ଷା ଶେଷ କରିପାରି ନଥିଲେ ଏବଂ ତାଙ୍କ ବାପାଙ୍କ ସହ କାମ କରିବାକୁ କେରାଣ୍ଡିଗୁଡ଼ାକୁ ଫେରି ଆସିଥିଲେ ।

ଏ ଅଞ୍ଚଳରେ ମୃତ୍ତିକା ଓ ବୃକ୍ଷରାଜିର ଜୈବ ବିବିଧତା ସଂରକ୍ଷଣ କରିବାକୁ ମହେନ୍ଦ୍ର ଚାହାଁନ୍ତି । ରାଜସ୍ୱ ବିଭାଗର ଏକ ଛୋଟ ପଡ଼ିଆ ଜମିକୁ ସେ ଏକ ଘଞ୍ଚ ପ୍ରାକୃତିକ ଜଙ୍ଗଲରେ ପରିବର୍ତ୍ତନ କରିଛନ୍ତି । ୨୦୦୧ରେ ସେ ଏହି ଜମିରେ ବୃକ୍ଷ ସଂରକ୍ଷଣ ଆରମ୍ଭ କଲେ । ସେ କହନ୍ତି, “ଏହାକୁ କେବଳ ସୁରକ୍ଷିତ ରଖିବାର ଆବଶ୍ୟକତା ଥିଲା, ସେଠାରେ ଅଧିକ ଗଛ ଲଗାଇବା ଦରକାର ନଥିଲା ।’’ ଏହା ଥିଲା ବନ୍ଧନ ଥିବା ଏକ ପାହାଡ଼ିଆ ଜମିର ପ୍ଲଟ୍‌। ସାଧାରଣତଃ ଏଭଳି ଜମିକୁ ଛୋଟ ଛୋଟ ବାଜରାଜାତୀୟ ଚାଷ ଉପଯୋଗୀ କରିବା ଲାଗି ଏହାକୁ ବର୍ଷେ କି ଦି ବର୍ଷ ଯାଏ ପଡ଼ିଆ ରଖାଯାଏ । ମୁଁ ଏଥିରେ ଗଛ ବଢ଼ାଇବା ଲାଗି ଏହାକୁ ସୁରକ୍ଷିତ ରଖିବାକୁ ସ୍ଥିର କଲି । ଏବେ ଆମେ (ଏହି ପ୍ଲଟ୍‌ରୁ) ବଣୁଆ କନ୍ଦା, ଛତୁ, ଶିଆଳି ପତ୍ର (ଏକ ପ୍ରକାର ଲତା), ମହୁଲ ଫୁଲ, ଚାର କୋଳି (ଏକ ପ୍ରକାର କୋଳି) ଏବଂ ଆହୁରି ଅନେକ ସଂଗ୍ରହ କରୁଛୁ । ଆମେ ଏହି ଜଙ୍ଗଲର ଲାଭ ଉଠାଉଛୁ .... ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ajit Panda

ଅଜିତ ପଣ୍ଡା ଓଡ଼ିଶାର ଖଡ଼ିଆଳ ସହରରେ ରହନ୍ତି । ସେ ‘ଦି ପାଓନିୟର’ର ଭୁବନେଶ୍ୱର ସଂସ୍କରଣର ନୂଆପଡ଼ା ଜିଲ୍ଲା ସମ୍ବାଦଦାତା ଏବଂ ସ୍ଥାୟୀ କୃଷି, ଆଦିବାସୀମାନଙ୍କର ଜମି ଏବଂ ଜଙ୍ଗଲ ଉପରେ ଅଧିକାର, ଲୋକନୃତ୍ୟ ଏବଂ ଉତ୍ସବ ସଂପର୍କରେ ବିଭିନ୍ନ ପତ୍ରପତ୍ରିକାରେ ଲେଖିଛନ୍ତି ।

Other stories by Ajit Panda