ସୟଦ ଘନି ଖାନ୍ ସେଦିନ ପ୍ରାୟ ବେହୋସ ହୋଇଯାଇଥିଲେ । ସେ ନିଜ ଜମିରେ ଫସଲର ଦେଖାଶୁଣା କରିବା ସମୟରେ ଅସହଜ ଅନୁଭବ କରିଥିଲେ । ସେ ସିଞ୍ଚନ କରୁଥିବା କୀଟନାଶକରୁ ବାହାରୁଥିବା ଗ୍ୟାସ ଯୋଗୁ ତାଙ୍କର ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା ।  ସେ କହିଲେ, “ମୁଁ ସେତେବେଳେ ଭାବିଲି ମୁଁ କ’ଣ କରୁଛି? ଯଦି ମୁଁ ଏଭଳି ଅନୁଭବ କରୁଛି ତା’ ହେଲେ ଯେଉଁ ଲୋକମାନେ ଚାଉଳ ଖାଉଛନ୍ତି ତା’ ଉପରେ ଏଭଳି କୀଟନାଶକ ପକାଇ ନିଶ୍ଚିତ ଭାବେ ମୁଁ ସେମାନଙ୍କୁ ମୁଁ ବିଷ ଖୁଆଉଛି । ମୁଁ ଏହାକୁ ବନ୍ଦ କରିବା ଆବଶ୍ୟକ ।’’

ଦୁଇ ଦଶନ୍ଧି ତଳେ ୧୯୯୮ ମସିହାରେ ସେହି ଟର୍ଣ୍ଣିଂ ପଏଣ୍ଟ ପରଠାରୁ ଘନି କୌଣସି ରସାୟନିକ କୀଟନାଶକ ବା ସାର ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି । ଏବଂ ସେ କେବଳ ଦେଶୀ ଧାନ ଚାଷ କରିବା ଆରମ୍ଭ କରିଛନ୍ତି । ସେ ମନେ ପକାଇଲେ, “ମୁଁ ମୋର ବାପା ଓ ଘରର ଅନ୍ୟ ବଡ଼ ଲୋକମାନଙ୍କ ସହିତ ଜମିକୁ ଯାଉଥିଲି । ସେମାନେ ଚାଷ କରୁଥିବା ଅନେକ ଫସଲ ମଧ୍ୟରୁ ଦେଶୀ ଧାନ ଅପେକ୍ଷାକୃତ ଭାବେ ଖୁବ୍ କମ୍ ଥିଲା ।’’

କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର କିରୁଗାଭାଲୁ ଗାଁର ୪୨ ବର୍ଷୀୟ ଏହି ଚାଷୀଜଣକ ଆକଳନ କଲେ ଯେ ମାଣ୍ଡ୍ୟାରେ ୧୦ ଜଣରୁ କମ୍ ଲୋକ ଜୈବକୃଷି ମାଧ୍ୟମରେ ଦେଶୀ ପ୍ରଜାତିର ଧାନ ଚାଷ କରୁଛନ୍ତି । ମାଣ୍ଡ୍ୟାରେ  ୭୯,୯୬୧ ହେକ୍ଟର ଜମିରେ ଧାନଚାଷ ହୋଇଥାଏ । ସେ ଆହୁରି କହିଲେ, “ଦେଶୀ ପ୍ରଜାତିର ଧାନ ତାର ଗୁରୁତ୍ୱ ହରାଇଲା କାରଣ ତାହା କେବେ ହେବ ତାହା ଜଣାନଥିଲା  ଏବଂ ଏତେ ଅପେକ୍ଷା ପରେ ମଧ୍ୟ ଅମଳ କମ୍ ହେଉଥିଲା । ଫସଲ ଅପେକ୍ଷା ବାଳୁଙ୍ଗା ସେଥିରେ ଅଧିକ ଦେଖାଯାଉଥିଲା ।’’

Ghani working in field
PHOTO • Manjula Masthikatte

କିରୁଗାଭାଲୁ ଗାଁର ସୟଦ ଘନି ଖାନ୍ ଆକଳନ କଲେ ଯେ ମାଣ୍ଡ୍ୟା ଜିଲ୍ଲାରେ ୧୦ ଜଣରୁ କମ୍ ଲୋକ ଜୈବକୃଷି ମାଧ୍ୟମରେ ଦେଶୀ ପ୍ରଜାତିର ଚାଷ କରୁଛନ୍ତି ।

ଅନେକ ଚାଷୀଙ୍କୁ ଏହା ବୁଝାଯାଇଥିଲା ଯେ ହାଇବ୍ରିଡ୍ ପ୍ରଜାତିରୁ ନିରନ୍ତର ଭାବେ କମ୍ ସମୟରେ ଅଧିକ  ଅମଳ ମିଳିବ । ସମୟ ସମୟରେ ତାହା ହେଉଥିଲା- କିନ୍ତୁ କିଛି ଦିନ ପାଇଁ । ଦେଶୀ ପ୍ରଜାତି ସଂପର୍କରେ ଯୁକ୍ତି ଉପସ୍ଥାପନ କରୁଥିବା ଲୋକଙ୍କ ମତରେ ସେଥିପାଇଁ ଅଧିକାଂଶ ସମୟରେ ଖୁବ୍ ଅଧିକ ରାସାୟନିକ ସାର, କୀଟନାଶକ ଏବଂ ପାଣି ବ୍ୟବହାର କରିବାକୁ ପଡୁଥିଲା । ଏପରିକି ଅମଳ କମୁଥିବା ସମୟରେ ଚାଷର ଖର୍ଚ୍ଚ ବଢି ବଢି ଯାଉଥିଲା ଏବଂ ସ୍ୱାସ୍ଥ୍ୟ ଓ କୃଷି ଅର୍ଥନୀତି ଉପରେ ତାର ପ୍ରତିକୂଳ ପ୍ରଭାବ ଦେଖାଯିବା ଆରମ୍ଭ କରିଥିଲା ।

ଦେଶୀ ପ୍ରଜାତି ଧୀରେ ଧୀରେ ନିଶ୍ଚିହ୍ନ ହେବାକୁ ବସିଥିବାର ଦେଖି ଘନି ୧୯୯୬ ମସିହାରୁ ତାକୁ ସଂଗ୍ରହ ଓ ସଂରକ୍ଷଣ କରିବା ଆରମ୍ଭ କଲେ । ସେତେବେଳେ ସେ ପ୍ରାୟ ୪୦ ପ୍ରଜାତିର ବିହନ ସଂଗ୍ରହ କରିଥିଲେ । ସମୟ ସହିତ ତାଳ ଦେଇ ଏଭଳି ବିହନ ସଂଗ୍ରହ ପାଇଁ ତାଙ୍କର ଆଗ୍ରହ ବଢିଚାଲିଲା ଏବଂ ଏବେ ସେ ସାରା ଭାରତର ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ପ୍ରଜାତିର ଦେଶୀ ଧାନ ବିହନକୁ ସଂରକ୍ଷଣ କରିଛନ୍ତି । ବିଭିନ୍ନ ପ୍ରକାର ଧାନ ବିହନ ସଂଗ୍ରହ କରିବା ଲାଗି ଘନି ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ସହିତ ଦେଣନେଣ ବ୍ୟବସ୍ଥାକୁ ପାଳନ କରିଥାନ୍ତି । ସେ ଛତିଶଗଡ଼, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ ଓ ପଶ୍ଚିମବଙ୍ଗର ଚାଷୀମାନଙ୍କଠାରୁ ଧାନ ବିହନ ସଂଗ୍ରହ କରିଛନ୍ତି।

ବଡ଼ବାଗ୍(ବିଗ୍ ଗାର୍ଡେନ)ସ୍ଥିତ ତାଙ୍କ ଘରେ ଯେଉଁଠାରେ ସେ ତାଙ୍କର ପତ୍ନୀ, ତିନି ପିଲା ଓ ତାଙ୍କ ଭାଇଙ୍କ ପରିବାର ସହିତ ରହିଥାନ୍ତି ସେଠାରେ ତାଙ୍କର ଏ ସଂପର୍କିତ ଆଗ୍ରହକୁ ଆପଣା ଦ୍ୱାର ଦେଇ ପ୍ରବେଶ କଲାମାତ୍ରେ ଦେଖିପାରିବେ। କାନ୍ଥ ନିକଟରେ ପରିଚ୍ଛନ୍ନ ଧାଡ଼ିରେ ବିଭିନ୍ନ ପ୍ରକାରର ଧାନ ବିହନ ଓ ଧାନଫୁଲକୁ କାଚ ଜାରରେ ରଖାଯାଇଛି । ତା ପାଖରେ ପ୍ରତି ପ୍ରଜାତି ସଂପର୍କରେ ସବିଶେଷ ତଥ୍ୟକୁ ପରିଦର୍ଶକ, ଆଗ୍ରହୀ ଚାଷୀ, ସାରା ରାଜ୍ୟର କୃଷି ବିଭାଗର ଛାତ୍ର ଏବଂ ଅନ୍ୟମାନେ ଯେଉଁମାନେ କି ବଡ଼ବାଗକୁ ପରିଦର୍ଶନ ପାଇଁ ଆସିଥାନ୍ତି ସେମାନଙ୍କ ପାଇଁ ରଖାଯାଇଛି । ଏହା ଭାରତର ସଂପନ୍ନ ଧାନ ବିବିଧତାର ଏକ ଟୁର୍ ଭଳି । 

ଘନି କହିଲେ, “ଏହାକୁ ବିକ୍ର କରି ଲାଭ ପାଇବା ଅପେକ୍ଷା ମୁଁ ବିଭିନ୍ନ ପ୍ରଜାତିର ବିହନ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦେଇଥାଏ ।’’ ଯେଉଁ ଲୋକମାନେ ଜୈବିକ ପଦ୍ଧତି ବ୍ୟବହାର କରି ତାକୁ ଅମଳ କରିବାକୁ ଚାହାନ୍ତି ସେମାନଙ୍କୁ ସେ ଖୁବ୍ କମ୍ ଦାମରେ ବିହନ ବିକ୍ରି କରିଥାନ୍ତି ।

Ghani preserves desi paddy in glass bottle, along with the paddy name label outside
PHOTO • Manjula Masthikatte
Desi paddy ready to harvest in Ghani field
PHOTO • Manjula Masthikatte

୧୯୯୬ ମସିହାଠାରୁ ଘନି ବିଭିନ୍ନ ଦେଶୀ ଧାନ ବିହନର ସଂଗ୍ରହ ଆରମ୍ଭ କରିଥିଲେ ଏବଂ ଏବେ ତାଙ୍କ ପାଖରେ ସାରା ଭାରତର ୭୦୦ରୁ ଊର୍ଦ୍ଧ୍ଵ ପ୍ରଜାତିର ବିହନ ଅଛି

ସେ କହିଲେ, ଗୋଟିଏ ଏକର ଜମିରେ ଧାନ ଚାଷ କରିବା ଲାଗି ୮-୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦିବି ହାଇବ୍ରିଡ୍ ପ୍ରଜାତି ଅପେକ୍ଷା ଅମଳ କମ୍ ହୋଇଥାଏ ତେବେ ଦେଶୀ ପ୍ରଜାତିର ବିହନରେ ଚାଷୀଙ୍କର କ୍ଷତି ହେବାର ସମ୍ଭାବନା କମ୍  । ସେ ଆହୁରି କହିଲେ, “ଜୈବିକ ଭାବେ ଚାଷ ହୋଇଥିବା ଧାନ ରାସାୟନିକ ସାର ମାଧ୍ୟମରେ ଚାଷ ହୋଇଥିବା ପ୍ରଜାତି ଅପେକ୍ଷା ବଜାରରେ ୨୦-୪୦% ଅଧିକ ଦାମରେ ବିକ୍ରି ହେଉଛି’’ ।

ଘନି କହିଲେ, ଦେଶୀ ପ୍ରଜାତିର ଧାନରେ ଔଷଧୀୟ ଗୁଣ ମଧ୍ୟ ରହିଛି । ଉଦାହରଣ ସ୍ୱରୂପ ‘ନବର’ ନାମକ ଏକ ପ୍ରକାର ପ୍ରଜାତି ଆର୍ଥ୍ରାଇଟିସ୍ ଓ ଗଣ୍ଠି ଯନ୍ତ୍ରଣା ପାଇଁ ଉପଯୋଗୀ । ସେହିପରି ‘କାରିଗିଜିଭିଲି ଆମବେମୋହର’ ଯୋଗୁ ମା’ ମାନଙ୍କର ଅଧିକ କ୍ଷୀର ହୋଇଥାଏ । ଆଉ ଏକ ପ୍ରଜାତି ‘ସନ୍ନାକ୍କି’ ପିଲାମାନଙ୍କର ଡାଇରିଆ ଦୂର କରିବା ଲାଗି ଉପଯୋଗୀ ଏବଂ ‘ମହାଡି’ ପ୍ରଜାତିର ଧାନକୁ ଗାଈବାଛୁରୀମାନଙ୍କର ହାଡ଼ଭାଙ୍ଗିଲେ ଚିକିତ୍ସା ପାଇଁ ବ୍ୟବହାର(ଖୁଆ ଯାଇଥାଏ) କରାଯାଇଥାଏ ।

ଘନି କହିଲେ ତାମିଲନାଡୁରେ ଧାନର ଏକ ପ୍ରକାର ପ୍ରଜାତି “ମାପ୍ପିଲ୍ଲାଇ ସାମ୍ବା’’ ରହିଛି ଯାହାକୁକି ଯୁବ ବରମାନଙ୍କୁ ସେମାନଙ୍କର କ୍ଷମତା ବୃଦ୍ଧି କରିବାକୁ ଦିଆଯାଇଥାଏ । ପାରମ୍ପରିକ ଭାବେ ରାଜ୍ୟର କିଛି ଅଞ୍ଚଳରେ  ବରଜଣକ ତାଙ୍କର ଦକ୍ଷତାକୁ ପ୍ରମାଣ କରିବା ଲାଗି ଏକ ବୋଲଡର ନିହାତି ଉଠାଇବା ଆବଶ୍ୟକ ବୋଲି ବ୍ୟବସ୍ଥା ରହିଛି । “ଏହି ଧାନ ତାଙ୍କୁ ଏହି ବୀରତାପୂର୍ଣ୍ଣ କାର୍ଯ୍ୟ କରିବା ଲାଗି ଶକ୍ତି ଯୋଗାଇପାରେ ।’’

ଘନିଙ୍କ ଘରେ ପ୍ରତି ବିହନ ନମୂନାର ତଳେ କାନ୍ଥରେ ସେହି ପ୍ରଜାତିର ଧାନ କେଉଁଠାରେ ଚାଷ ହୋଇଥାଏ, ତାର ସ୍ୱାଦରେ ବିଭିନ୍ନତା, ସେମାନଙ୍କର ଔଷଧୀୟ ଗୁଣ ପରି କିଛି ତଥ୍ୟ ମଧ୍ୟ ଲେଖାଯାଇଛି । ସେ କହିଲେ, “ଦେଶୀ ପ୍ରଜାତିଗୁଡ଼ିକର ନିଜସ୍ୱ ଗୁଣ ଓ ସ୍ୱାତନ୍ତ୍ରତା ରହିଛି । ସେଗୁଡ଼ିକ ଆକାର, ଆକୃତି ଓ ରଙ୍ଗରେ ଅଲଗା ହୋଇଥାଏ ।’’

Desi paddy varieties and their names
PHOTO • Manjula Masthikatte
Ghani explains the variety of desi paddy seeds and their uses
PHOTO • Manjula Masthikatte

ଘନିଙ୍କ ଘର ହେଉଛି ଭାରତର ସଂପନ୍ନ ଧାନ ବିବିଧତାର ଏକ ଟୁର କଲା ଭଳି-ପରିଦର୍ଶକମାନଙ୍କ ପାଇଁ ସବିଶେଷ ତଥ୍ୟ ସହିତ ଧାନ ବିହନକୁ ଜାରରେ ଏବଂ ଧାନଫୁଲକୁ ପରିଚ୍ଛନ୍ନ ଭାବେ ରଖାଯାଇଛି । 

ବଡ଼ବାଗ ଯାହାକୁକି ଘନି ତାଙ୍କର ବାପାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ତାହା ମାଣ୍ଡ୍ୟାରେ ୧୬ ଏକର ଚାଷଜମିରେ ଅବସ୍ଥିତ । ସେଠାରେ ତାଙ୍କ ପରିବାର ଧାନ, ଆମ୍ବ ଓ ପନିପରିବା ଚାଷ କରିଥାନ୍ତି ଏବଂ ସେମାନେ ପଶୁପାଳନ ବି କରନ୍ତି । ଘନିଙ୍କର ୩୬ ବର୍ଷୀୟା ପତ୍ନୀ ସୟିଦା ଫିର୍ଦ୍ଦୋଶ ତାଙ୍କୁ ଦେଶୀ ବିହନ ସଂରକ୍ଷଣ କରିବାର ଉଦ୍ୟମରେ ସହାୟତା କରନ୍ତି । ସେ ମଧ୍ୟ କାନ୍ଥରେ ଚିତ୍ର ଆଙ୍କନ୍ତି, କୃଷି ଆବର୍ଜନାରୁ ଫୁଲମାଳ ଏବଂ ଗହଣା ତିଆରି କରନ୍ତି ଏବଂ ତାକୁ ପରିଦର୍ଶକ ବା ସ୍ଥାନୀୟ ଦୋକାନରେ ଖୁବ୍ କମ୍ ଦାମରେ ବିକ୍ରି କରନ୍ତି ।

ଏକ ବିହନ ସଂରକ୍ଷଣ କେନ୍ଦ୍ର ବ୍ୟତୀତ ସେମାନଙ୍କର ଘର ଏବେ ଧାନର ବୈଚିତ୍ର ସଂପର୍କରେ ଅଣଆନୁଷ୍ଠାନିକ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀ ଓ ପରିଦର୍ଶକମାନଙ୍କ ଲାଗି ଏକ କ୍ଲାସରୁମ୍ ପାଲଟିଛି । ଘନିଙ୍କର ବିସ୍ତୃତ ଜ୍ଞାନ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ “କୃଷି ବୈଜ୍ଞାନିକ’ ଭାବେ ପରିଚିତି ଦେଇଛି ଏବଂ ସେ କୃଷି ପ୍ରସଙ୍ଗରେ ଜଣେ ପରାମର୍ଶଦାତା ପାଲଟିଯାଇଛନ୍ତି । ଏ ସଂପର୍କରେ ସେ ବିଭିନ୍ନ ସହର ଓ ସ୍କୁଲ, କଲେଜ, କୃଷିବିଜ୍ଞାନ କେନ୍ଦ୍ର ଓ ଅନ୍ୟ ସଂସ୍ଥାନ ଗସ୍ତ କରିଥାନ୍ତି । ସେଠାରେ ସେ ପ୍ରାକୃତିକ କୃଷି ଓ ବିହନ ସଂରକ୍ଷଣ ସଂପର୍କରେ କହିଥାନ୍ତି ।

ଏତେ ଉଦ୍ୟମ ପରେ ବି  ଘନି ସରକାରଙ୍କଠାରୁ ସେତେ ସାହାଯ୍ୟ ପାଇନାହାନ୍ତି । ଯଦିଓ ସେ କିଛି ପୁରସ୍କାର ପାଇଛନ୍ତି । ୨୦୦୭ ମସିହାରେ ମାଣ୍ଡ୍ୟାସ୍ଥିତ ଏକ ସଂଗଠନ ତାଙ୍କୁ କୃଷି କ୍ଷେତ୍ରରେ ଉଦ୍ଭାବନ ପାଇଁ ‘ଆରାସମା ମେନସେଗୌଡ଼ା ପୁରସ୍କାର’ ଦେଇଥିଲା । ତାଙ୍କର ଅନ୍ୟ ପୁରସ୍କାର ମଧ୍ୟରେ ରହିଛି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ୨୦୦୮-୦୯ରେ ମିଳିଥିବା ‘କୃଷିପଣ୍ଡିତ ପୁରସ୍କାର’ (ଏହା ମାଧ୍ୟମରେ ସେ ୨୫ ହଜାର ଟଙ୍କା ପାଇଥିଲେ) ଏବଂ ୨୦୧୦ରେ ମିଳିଥିବା  ‘ଜୀବବୈଭିଦ୍ୟ ପୁରସ୍କାର’(ଏହା ମାଧ୍ୟମରେ ସେ ୧୦ ହଜାର ଟଙ୍କା ପାଇଥିଲେ) ।

ସେ କହିଲେ, “ଦେଶୀ ପ୍ରଜାତିର ସଂରକ୍ଷଣ କରାଯିବା ଆବଶ୍ୟକ ଏବଂ ତାହା ନିଶ୍ଚିତ ଭାବେ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ।’’ “ଆମେ ନିଜ ପାଖରେ ଥିବା ଧାନ ବିହନକୁ ଚିହ୍ନଟ କରି ଏହା ଆରମ୍ଭ କରିବା ଆବଶ୍ୟକ ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Manjula Masthikatte

ମଞ୍ଜୁଳା ମସ୍ଥିକାଟେ ୨୦୧୯ର ପରୀ ବ୍ୟକ୍ତିତ୍ୱ ଯିଏକି ବେଙ୍ଗାଲୁରୁରେ ରହନ୍ତି । ପୂର୍ବରୁ ସେ ବିଭିନ୍ନ କନ୍ନଡ଼ ନ୍ୟୁଜ ଚ୍ୟାନେଲରେ ନ୍ୟୁଜ୍ ପ୍ରେଜେଣ୍ଟର ଭାବେ କାମ କରିଛନ୍ତି ।

Other stories by Manjula Masthikatte