“ମୋତେ ଲାଗୁଛି ଯେ କେବଳ ଏସବୁ ଶାଗୁଆନ ବଗିଚା (ଜଙ୍ଗଲ ବିଭାଗର) ଦେଖି ଦେଖି ଆମ ପିଲାମାନେ ବଡ଼ ହେବେ । ସେମାନେ ଆମ ଭଳି ଜଙ୍ଗଲର ଗଛ, ଗୁଳ୍ମ ଓ ଜୀବମାନଙ୍କ ସଂପର୍କରେ କିଛି ଜାଣିପାରିବେ ନାହିଁ ।” ଏହା କହନ୍ତି ମଧ୍ୟପ୍ରଦେଶ ଉମରୱାଡ଼ା ଗାଁର ଲାଇଚିବାଇଉଇକେ ।

୧୮୬୪ ମସିହାରେ ବ୍ରିଟିଶ ଔପନିବେଶିକ ସରକାର ଦ୍ୱାରା ଗଠିତ ଭାରତର ଜଙ୍ଗଲ ବିଭାଗ ଆଜି ଯାଏ ଦେଶର ସବୁଠାରୁ ବଡ଼ ଜମି ମାଲିକ ହୋଇ ରହିଛି । ଶହେ ବର୍ଷରୁ ଅଧିକ କାଳ ଧରି ବିଭାଗ ଦ୍ୱାରା ଯେଉଁ ସବୁ ଆଇନ ଲାଗୁ କରାଯାଇଛି ସେସବୁ ବଳରେ ସଂରକ୍ଷଣ ଓ ବାଣିଜ୍ୟ (ଯେମିତି କି କାଠ ବିକ୍ରି) ନାଁରେ ଜଙ୍ଗଲ ଓ ଜମିକୁ ବାଡ଼ ଘେରା ଯାଇଛି, ଆଦିବାସୀ ଓ ବନବାସୀଙ୍କୁ ଅପରାଧୀର ଆଖ୍ୟା ଦିଆଯାଇଛି ଏବଂ ସେମାନଙ୍କ ପାରମ୍ପରିକ ଜମିରୁ ବେଦଖଲ କରାଯାଇଛି ।

ଏହି ‘ଐତିହାସିକ ଅନ୍ୟାୟ’ରେ ସଂଶୋଧନ ପାଇଁ ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ ଭଳି ସଂସ୍କାରଧର୍ମୀ ଆଇନ ପ୍ରଣୟନ କରାଗଲା । ଏହା ବଳରେ ବିଭିନ୍ନ ବନବାସୀ ସଂପ୍ରଦାୟକୁ (୧୫ କୋଟିରୁ ଅଧିକ) ବସବାସ ଅବଧିର ଅଧିକାର, ସେମାନଙ୍କ ଜଙ୍ଗଲର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କ୍ଷମତା ପ୍ରଦାନ କରାଗଲା । କିନ୍ତୁ ବହୁ କ୍ଷେତ୍ରରେ ଏଭଳି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ।

People from over 10 states gathered in the capital for meetings and a protest at Jantar Mantar in Delhi
PHOTO • Chitrangada Choudhury

ଏସବୁ ବ୍ୟବସ୍ଥା ପୂର୍ବରୁ ପ୍ରଚଳିତ ଭାରତୀୟ ବନ ଆଇନ (୧୯୨୭) ଏବଂ ବନ ସଂରକ୍ଷଣ ଆଇନ (୧୯୮୦) ଭଳି ଆଇନ ସହ ମେଳ ଖାଉନାହିଁ । କାରଣ, ପୂର୍ବରୁ ପ୍ରଚଳିତ ଆଇନଗୁଡ଼ିକରେ ଜଙ୍ଗଲ ଜମି ନିୟନ୍ତ୍ରଣ ଏବଂ ଏ ସଂପର୍କିତ ନିଷ୍ପତ୍ତି ନେବା ପାଇଁ ଜଙ୍ଗଲ ବିଭାଗକୁ ବ୍ୟାପକ କ୍ଷମତା ପ୍ରଦାନ କରାଯାଇଛି । ନିକଟରେ ପ୍ରଣିତ କ୍ଷତିପୂରକ ବନୀକରଣ ଆଇନ (୨୦୧୬)ରେ ମଧ୍ୟ ବିଭିନ୍ନ ସଂପ୍ରଦାୟର ପାରମ୍ପରିକ ଜମି ଅଧିଗ୍ରହଣ ଲାଗି ଜଙ୍ଗଲ ବିଭାଗକୁ ଅନୁମତି ପ୍ରଦାନ କରାଯାଇଛି ।

ଜଙ୍ଗଲ ଅଧିକାର ଆଇନର ବୈଧତାକୁ ଚ୍ୟାଲେଞ୍ଜ କରି କେତେକ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ଏବଂ ସଂରକ୍ଷଣବାଦୀ ଗୋଷ୍ଠୀଙ୍କ ଆବେଦନକ୍ରମେ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ଯୋଗୁଁ ଆଗକୁ ଗାଁ ଲୋକମାନଙ୍କୁ ବାସଚ୍ୟୁତ କରାଯିବା ଆଶଙ୍କା ଉପୁଜିଛି। ବିଶେଷତଃ, ନିକଟରେ ହୋଇଥିବା କେତେକ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଓକିଲମାନେ ଜଙ୍ଗଲ ଅଧିକାର ଆଇନ ସପକ୍ଷରେ ଯୁକ୍ତି ଉପସ୍ଥାପନ ନ କରିଥିବାରୁ ଏଭଳି ଆଶଙ୍କା ଦେଖାଦେଇଛି।

ସଂପୂର୍ଣ୍ଣ କାର୍ଯ୍ୟକାରୀ ଢଙ୍ଗରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରା ନଯିବା ଯୋଗୁଁ ଉଚ୍ଛେଦ ଆଶଙ୍କା ବୃଦ୍ଧି ପାଉଥିବାରୁ ଏହା ବିରୋଧରେ ବନବାସୀ, ସେମାନଙ୍କ ସଂପ୍ରଦାୟର ଗୋଷ୍ଠୀ. ବନ କର୍ମୀ ସଂଘ ଏବଂ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ଦୀର୍ଘ କାଳ ହେଲା ପ୍ରତିବାଦ କରାଯାଇ ଆସୁଛି । ନଭେମ୍ବର ୨୦-୨୧ ତାରିଖ ଦିନ ୧୦ଟି ରାଜ୍ୟରୁ ଆସିଥିବା ଲୋକେ ରାଜଧାନୀରେ ଏକତ୍ର ହୋଇଥିଲେ ଏବଂ ଯନ୍ତର ମନ୍ତରରେ ପ୍ରତିବାଦ ସଭା କରିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ, ପ୍ରାୟତଃ ସେମାନଙ୍କ ଜୀବନଧାରଣର ଏକମାତ୍ର ଉତ୍ସ ଜଙ୍ଗଲ ଓ ଜମି ଉପରେ ସେମାନଙ୍କ ବ୍ୟକ୍ତିଗତ ଏବଂ ସାଂପ୍ରଦାୟିକ ଅଧିକାର ପାଇଁ ସଂଘର୍ଷରତ ଲକ୍ଷ ଲକ୍ଷ ଆଦିବାସୀ ଏବଂ ଦଳିତ ମହିଳାଙ୍କ ମଧ୍ୟରୁ କେତେଜଣ । ହିଂସା ଓ ବିଭେଦକୁ ନେଇ ସେମାନଙ୍କ ଅନୁଭୂତି ସଂପର୍କରେ କେତେକଙ୍କ ସହ PARI କଥାବାର୍ତ୍ତା କରିଥିଲା ।

ଦେବନ୍ତୀବାଇ ସୋନୱାନି, ତେଲି (ଓବିସି) ସଂପ୍ରଦାୟ; ବିଜାପୁର ଗାଁ, କୋର୍‌ଚି ତାଲୁକା, ଗଡ଼ଚିରୋଲି ଜିଲ୍ଲା, ମହାରାଷ୍ଟ୍ର

Devantibai Sonwani, Teli (OBC) community; Bijapar village, Korchi taluka, Gadchiroli district, Maharashtra
PHOTO • Chitrangada Choudhury

ଆମ ଜମିର ପଟ୍ଟା (ମାଲିକାନା) ପାଇବା ପାଇଁ ଆମେ ୨୦୦୨ରୁ ସଂଘର୍ଷ କରିଆସୁଛୁ, କିନ୍ତୁ କିଛି ହୋଇନାହିଁ । ଥରେ ତାଲାଟି ଏକସର୍ଭେ କରିବାକୁ ଆସିଥିଲେ, କିନ୍ତୁ ସେ ମଦ ନିଶାରେ ଥିଲେ ଏବଂ ଆମ ଜମିକୁ ଅଣଦେଖା କରିଗଲେ । ସରକାର ଯାହା କରୁଛନ୍ତି, ତାହା କାହିଁକି କରୁଛନ୍ତି ବୋଲି ବୁଝିବା ମୋ ଭଳି ଲୋକଙ୍କ ପାଇଁ କଷ୍ଟକର । ଦଶ ବର୍ଷ ତଳେ ବନ ବିଭାଗ ରେଞ୍ଜର ଆମ ଜମି ପାଖକୁ ଆସି କହିଲେ ଯେ ଏହା ଉପରେ ବିଭାଗ ପକ୍ଷରୁ ଏକ ନର୍ସରୀ ଖୋଲାଯିବ ।  ମୁଁ ତାଙ୍କୁ କହିଲି, “ଦେଖ ଭାଇ, ତୁମେ ଯେମିତି ତୁମ ପରିବାର ଚଳାଇବା ପାଇଁ ଚାକିରି କରୁଛ, ସେମିତି ମୁଁ ବି ମୋ ପରିବାର ପାଇଁ ଏହି ଜମିରେ ଚାଷ କରୁଛି । ତୁମେ ତୁମ କର୍ତ୍ତବ୍ୟ କରୁଥିବାରୁ (କାରଣ ତୁମର ଚାକିରିଟିଏ ଅଛି) ଗର୍ବ ଅନୁଭବ କରୁଛ ସତ, ହେଲେ ମୋ ପରିଶ୍ରମର କ’ଣ କିଛି ମୂଲ୍ୟ ନାହିଁ ? ତୁମେ ତୁମ କାମ କର ଏବଂ ମୋତେ ମୋ କାମ କରିବାକୁ ଦିଅ।” ସେ ରାଜି ହେଲେ ଏବଂ କହିଲେ, “ଠିକ୍‌ ଅଛି ଭଉଣୀ, ମୁଁ ତୁମ ଜମି ଉପରେ ନର୍ସରୀ କରିବି ନାହିଁ ।” ଆଉ ଦିନେ ମୁଁ ଓ ମୋର ସାଙ୍ଗ ଜଙ୍ଗଲରୁ ବାଉଁଶ ଆଣିବାକୁ ଯାଉଥିଲୁ ଏବଂ ଜଣେ ବନରକ୍ଷୀ ଆମକୁ ଅଟକାଇଲେ ଏବଂ କହିଲେ ଯେ ସେ ଆମ କୁରାଢ଼ିକୁ ଜବତ କରିବେ । “ଆମେ ତାହେଲେ କେମିତି ବାଉଁଶ କାଟିବୁ ?” ଆମେ ତାଙ୍କୁ ପଚାରିଲୁ । “କ’ଣ ଖାଲି ହାତରେ ?” ଆମେ ତାଙ୍କୁ ଗଛରେ ବାନ୍ଧି ଦେବୁ ବୋଲି ଧମକ ଦେଲୁ ଏବଂ ତାଙ୍କ ସହ ଏତେ ଲଢ଼ିଲୁ ଯେ ସେ ଛାଡ଼ି ପଳାଇବାକୁ ବାଧ୍ୟ ହେଲେ । ପଟ୍ଟା ପାଇଁ ଆମ ଲଢ଼େଇ ଏବେ ବି ଚାଲିଛି ।

ତୀଜା ଉଇକେ, ଗୋଣ୍ଡ ଆଦିବାସୀ; ଔରାଇ (ଓରାଇ) ଗାଁ, ବିଚ୍ଛିୟା ତାଲୁକା, ମାଣ୍ଡଲା ଜିଲ୍ଲା, ମଧ୍ୟପ୍ରଦେଶ

Teeja Uike, Gond Adivasi; Aurai (Orai) village, Bichhiya taluka, Mandla district, Madhya Pradesh
PHOTO • Chitrangada Choudhury

“ଆମେ ଜାଣିନୁ ଏସବୁ କି ଆଇନ ଆଉ କି ପ୍ରକଳ୍ପ । କିନ୍ତୁ ସେମାନେ ଆମର ଜଙ୍ଗଲକୁ ପଶିବା ଅଧିକାର ଛଡ଼ାଇ ନେଇଛନ୍ତି । ଶାଗୁଆନ (ଟିକ୍‌) ବୃକ୍ଷରୋପଣ ପାଇଁ ଆମ ଅଞ୍ଚଳର ଶହ ଶହ ବର୍ଷ ପୁରୁଣା ଗଛଗୁଡ଼ିକୁ କାଟି ଦିଆଯାଇଛି । ଗାଁର ଜଣଙ୍କୁ ଗ୍ରାମ୍ୟ ଜଙ୍ଗଲ କମିଟିର ସଚିବ (ସଂପାଦକ) କରାଯାଇଛି ଏବଂ (ବନ ବିଭାଗର) ରେଞ୍ଜ ଅଫିସ୍‌ରେ ଅଧିକାରୀମାନେ ତିଆରି କରୁଥିବା ସବୁ ଯୋଜନା ପାଇଁ ତାଙ୍କ ଦସ୍ତଖତ ନିଆଯାଉଛି । ଆମ ଭଳି ମହିଳାମାନଙ୍କୁ କେହି ପଚାରୁନାହାନ୍ତି ଏବଂ ଆମେ ଲଗାଇଥିବା ଗଛ ଓ ବଢ଼ାଇ ଥିବା ଜଙ୍ଗଲକୁ ନଷ୍ଟ କରି ଦିଆଯାଉଛି । ସେମାନେ ଶାଗୁଆନ ଗଛ କାଟନ୍ତି, କାଠଖଣ୍ଡକୁ ଗଦା କରି ଟ୍ରକ୍‌ରେ ବୋଝେଇ କରନ୍ତି ଏବଂ ଏଥିରୁ ବ୍ୟବସାୟ କରନ୍ତି । ତଥାପି ସେମାନ କହନ୍ତି କି ଆଦିବାସୀମାନେ ଜଙ୍ଗଲ ନଷ୍ଟ କରିଦେଉଛନ୍ତି । ଆମେ ସହରୀ (ସହର) ଲୋକ ନୁହଁ ଯେ ଚାକିରି କରି ଦରମା ପାଉ। ଜଙ୍ଗଲ ହିଁ ଆମର ରୋଜଗାର ଓ ଖାଦ୍ୟର ଉତ୍ସ । ସେଠାକୁ ହିଁ ଆମର ଗୃହପାଳିତ ପଶୁମାନେ ଯାଆନ୍ତି । ଆମେ କାହିଁକି ଜଙ୍ଗଲ ନଷ୍ଟ କରିବୁ ?”

କମଲା ଦେବୀ, ସାନିୟା ବସ୍ତି (ବିଲହିରୀ ପଞ୍ଚାୟତ), ଖଟିମା ବ୍ଲକ୍‌, ଉଧାମ ସିଂହ ନଗର ଜିଲ୍ଲା, ଉତ୍ତରାଖଣ୍ଡ

Kamala Devi, Saniya Basti (Bilheeri Panchayat), Khatima block, Udham Singh Nagar district, Uttarakhand
PHOTO • Chitrangada Choudhury

ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବିରେ ଆମ ଗାଁର ୧୦୧ଟି ପରିବାର ପକ୍ଷରୁ ୨୦୧୬ରେ ଦାୟର କରାଯାଇଥିବା ଆବେଦନକୁ ସରକାର ସ୍ୱୀକାର କରିନାହାନ୍ତି । କିନ୍ତୁ ଜଙ୍ଗଲ ବିଭାଗ କହେ ଏହା ସେମାନଙ୍କର ଜମି । ଗତ ବର୍ଷ ନଭେମ୍ବର ୨୪ ତାରିଖରେ ଜଙ୍ଗଲ ବିଭାଗ ଅଧିକାରୀମାନେ ଜେସିବି ନେଇ ଆମ ଗାଁକୁ ଆସିଲେ ଏବଂ ଆମ ଗହମ ଫସଲ ନଷ୍ଟ କରିଦେଲେ । ଆମେ ଏତଲା (ପ୍ରାଥମିକ ସୂଚନା ରିପୋର୍ଟ) ଦେବାକୁ ପୋଲିସ ପାଖକୁ ଧାଇଁଗଲୁ, କିନ୍ତୁ ସେମାନେ ଏହା ଦାୟର କରିବାକୁ ମନା କରିଦେଲେ ଏବଂ ଆମକୁ କହିଲେ, ‘ଜଙ୍ଗଲ ମେଁ କ୍ୟୁଁ ବୈଠେ ହୋ ? (ତମେମାନେ ଜଙ୍ଗଲରେ କାହିଁକି ରହୁଛ ?)’। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ଆମର ୧୫ ଜଣ ମହିଳାଙ୍କ ବିରୋଧରେ ମାମଲା କଲା- ମୁଁ ଭାବୁଛି ସରକାରୀ ଅଧିକାରୀମାନଙ୍କୁ ବାଧା ଦେବା ଭଳି କିଛି ଅଭିଯୋଗରେ ମାମଲା ହୋଇଥିବ । ମୋ ବୋହୂ, ଯାହାର ସେତେବେଳେ ମାସକର ଶିଶୁଟିଏ ଥିଲା, ତା ନାଁକୁ ବି ମାମଲାରେ ଯୋଡ଼ାଗଲା । ଆମ ବିରୋଧରେ ଥିବା ମାମଲାରେ ହାଇକୋର୍ଟରୁ ରହିତାଦେଶ ଆଣିବା ଲାଗି ଆମେ ଜଣ ପିଛା ୨,୦୦୦ ଟଙ୍କା ଲେଖାଏଁ ଚାନ୍ଦା କରି ଓକିଲ ନିଯୁକ୍ତ କଲୁ ।ଦୋ ଫସଲ ଐସେ ହି ଚଲେ ଗୟେ ହୈଁ ହମାରେ (ଏମିତିରେ ଆମର ଦୁଇଟି ଋତୁର ଫସଲ ନଷ୍ଟ ହୋଇଗଲା)। ଆମେ ଖୁବ୍‌ ଅସୁରକ୍ଷିତ ଅନୁଭବ କରୁଛୁ । ଜଙ୍ଗଲ ବିଭାଗ ଆମର ସାଧାରଣ ଜମିରେ ବାଡ଼ ଘେରାଇ ଦେଇ ସେଥିରେ ବୃକ୍ଷରୋପଣ କରିଛି । ଗତ ବର୍ଷ ଗୋଟିଏ ଗାଈ ବୃକ୍ଷରୋପଣ ସ୍ଥାନରେ ପଶିଗଲା ଏବଂ ସେମାନେ ଗାଈର ମାଲିକ ନାଁରେ ମାମଲା ରୁଜୁ କରିଦେଲେ । ଆମକୁ ହଇରାଣ କରିବା ଲାଗି ଏମିତି ସେମାନେ ଆଇନର ଉପଯୋଗ କରୁଛନ୍ତି ।

ରାଜିମ ତାଣ୍ଡି, ପିଥୋରା ସହର, ପିଥୌରା ବ୍ଲକ୍‌, ମହାସମୁନ୍ଦ ଜିଲ୍ଲା, ଛତିଶଗଡ଼

Rajim Tandi, Pithora town, Pithaura block, Mahasamund district, Chhattisgarh
PHOTO • Chitrangada Choudhury

ଜଣେ ଦଳିତ ଭାବରେ, ମହିଳାମାନେ ସମ୍ମୁଖୀନ ହେଉଥିବା ହିଂସା ସତ୍ତ୍ୱେ ମୁଁ ବଞ୍ଚି ରହିଛି, କାରଣ ଆଇନଗତ ଭାବେ ଏହି ଜମିର ମାଲିକାନା ଆମ ପାଖରେ ନାହିଁ । ଏହି ଜମି ଆମ ନାଁରେ ଲେଖା ନହେବା ପର୍ଯ୍ୟନ୍ତ ଆମେ ମଣିଷ ବୋଲି ଗଣା ହେବୁ ନାହିଁ । ଏଥିପାଇଁ ଆମେ ଆମ ଅଞ୍ଚଳରେ ଦଳିତ ଆଦିବାସୀ ମଞ୍ଚ ଗଠନ କରିଛୁ । ଏହା ଲୋକମାନଙ୍କର ଏକ ସଂଗଠନ, ଯେଉଁଥିରେ ୮୦ଟି ଗାଁର ୧୧,୦୦୦ ସଦସ୍ୟ ଅଛନ୍ତି ଏବଂ ସେମାନେ ବାର୍ଷିକ ୧୦୦ ଟଙ୍କା ଓ ୧ କିଲୋ ଚାଉଳ ଚାନ୍ଦା ଦିଅନ୍ତି । ଗାଁ ଲୋକଙ୍କୁ ଜମି ଓ ଜଙ୍ଗଲ ଉପରେ ସେମାନଙ୍କ ଅଧିକାର ସଂପର୍କରେ ଶିକ୍ଷା ଦେବା ପାଇଁ ଆମେ ପ୍ରଚାରପତ୍ର ଛାପିଥାଉ । ଅଧିକାରୀମାନେ ସେମାନଙ୍କୁ ଡରାଇଲେ କ’ଣ କହିବାକୁ ହେବ ଏବଂ ଜଙ୍ଗଲର ମାଲିକ ସରକାର (ରାଜ୍ୟ) ବୋଲି ଆମେ ସେମାନଙ୍କୁ କହିଥାଉ । ତୃଣମୂଳ ସ୍ତରରେ ଆମର ଶକ୍ତି ବଳରେ ହିଁ ଆମେ (ବହୁରାଷ୍ଟ୍ରୀୟ ଖଣି ନିଗମ) ବେଦାନ୍ତର ବାଘମରା ସୁନା ଖଣି ଲିଜ୍‌ ପ୍ରସ୍ତାବକୁ ଚ୍ୟାଲେଞ୍ଜ କରିପାରିଥିଲୁ (୨୦୧୭-୧୯ରେ ପଡ଼ୋଶୀ ବଲୋଦା ବଜାର ଜିଲ୍ଲାର ସୋନାଖାନ୍‌ ଗାଁର ପ୍ରାୟ ୧,୦୦୦ ଏକର ଜମିରେ ପରିବ୍ୟାପ୍ତ; ଖବର ମୁତାବକ ଏହି ଲିଜ୍‌ ନାକଚ ହୋଇଯାଇଛି ) ।

ବଇଦିବାଇ, ଗରାସିଆ ଆଦିବାସୀ; ନିଚଲାଗଡ଼ ଗାଁ, ଆବୁ ରୋଡ୍‌ ତାଲୁକା, ସିରୋହୀ ଜିଲ୍ଲା, ରାଜସ୍ଥାନ

Baidibai
PHOTO • Chitrangada Choudhury

ଆମେ ଯେତେବେଳେ ଜଙ୍ଗଲର ଯତ୍ନ ନେଉଥିଲୁ ଏବଂ ଏହାର ସୁରକ୍ଷା କରୁଥିଲୁ, କୌଣସି ଆଇନ କି ଅଧିକାରୀ ଆସି ଆମ ସାଙ୍ଗରେ ଠିଆ ହୋଇ ନଥିଲେ । ତା’ହେଲେ ଏବେ କାହିଁକି ସେମାନେ ଆମକୁ ଉଚ୍ଛେଦ କରିବାକୁ ଆସୁଛନ୍ତି ? ଜଙ୍ଗଲ ବିଭାଗ ନର୍ସରୀ ଓ ବୃକ୍ଷରୋପଣ କରି ଚାରିପଟେ ଛଅ ଫୁଟ ଉଚ୍ଚ ପାଚେରି ଠିଆ କରିଛି - କେହି ଏହାକୁ ଡେଇଁ କରି ବି ଆରପଟକୁ ଯାଇପାରିବ ନାହିଁ । ସମସ୍ତେ ଜାଣନ୍ତି ଟଙ୍କା ପାଇଁ ବୃକ୍ଷରୋପଣ କରାଯାଏ । ଯଦିଓ ଜଙ୍ଗଲ ଅଧିକାର ଆଇନ ବଳରେ ଆମେ ଛ’ ବର୍ଷ ତଳେ ଆବେଦନ କରିଥିଲୁ, ତଥାପି ଆମ ଜମି ପଟ୍ଟାରେ ମୋ ନାଁ ନାହିଁ । ଏବେ ଏହା ମୋ ବଡ଼ ଭିଣୋଇଙ୍କ ନାଁରେ ଅଛି । ବାହା ହେବାର ୧୫ ବର୍ଷ ପରେ ବି ମୋର ଓ ମୋ ସ୍ୱାମୀଙ୍କର କୌଣସି ସନ୍ତାନ ନାହିଁ । ମୋତେ ଘରୁ ବାହାର କରିଦେବେ କିମ୍ବା ସେ ଆଉ ଥରେ ବାହା ହୋଇଯିବେ ବୋଲି ଭାବିଲେ ଭୟରେ ମୋ ଛାତି ଥରି ଉଠେ । ଖାଲି ଯଦି ଜମିର ମାଲିକାନା ମୋ ନାଁରେ ଥାଆନ୍ତା, ତା’ହେଲେ ମୁଁ କିଛିଟା ସୁରକ୍ଷା ପାଇଥାଆନ୍ତି । ଆମେ ମଧ୍ୟ ଜମିରେ ପରିଶ୍ରମ କରୁ ଏବଂ ଏଥିରୁ ଫସଲ ଅମଳ କରି ଘରକୁ ଆଣୁ । ତେବେ କେବଳ ପୁରୁଷଙ୍କ ନାଁରେ ଜମି କାହିଁକି ରହିବ ?

କଲାତିବାଇ, ବରେଲା ଆଦିବାସୀ; ସିୱାଇ ଗାଁ, ଖାକନାର ବ୍ଲକ, ବୁରହାନପୁର ଜିଲ୍ଲା, ମଧ୍ୟପ୍ରଦେଶ

Kalatibai, Barela Adivasi; Siwal village, Khaknar block, Burhanpur district, Madhya Pradesh
PHOTO • Chitrangada Choudhury

ଜୁଲାଇ ୯ ତାରିଖ ଦିନ ମୁଁ ଘରେ ଥିଲା ବେଳେ ପିଲାମାନେ ଦୌଡ଼ି ଆସି କହିଲେ ଯେ ସେମାନେ ଆମ କ୍ଷେତରେ ଅନେକ ଜେସିବି ଓ ଟ୍ରାକ୍ଟର ଦେଖିଲେ । ଆମେ ଗାଁ ଲୋକେ ଧାଇଁ ଗଲୁ ଏବଂ ଦେଖିଲୁ ଯେ ଜଙ୍ଗଲ ବିଭାଗ ଅଧିକାରୀମାନେ ୧୧ଟି ଜେସିବି ଓ ଟ୍ରାକ୍ଟର ଆଣି ଆସି ଆମ ଫସଲ ଉପରେ ମଡ଼ାଇ ଦେଇଛନ୍ତି ଏବଂ ସେଠାରେ ଗାତ ଖୋଳୁଛନ୍ତି । ସେଠାରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା ଏବଂ ସେମାନେ ପୁରୁଷମାନଙ୍କ ଉପରେ (ପେଲେଟ୍‌ ଥିବା ବନ୍ଧୁକରୁ) ଗୁଳିମାଡ଼ କଲେ- କାହା ଛାତିରେ ତ କାହାର ପେଟରେ ଏବଂ ଆଉ କାହାର ଗଳାରେ ପେଲେଟ୍‌ ବାଜିଲା । ୨୦୦୩ ମସିହାରେ ବି  ଆମ ଘରଗୁଡ଼ିକ ଜାଳି ଦିଆଯାଇଥିଲା ଏବଂ ପୁରୁଷ ଲୋକମାନଙ୍କୁ ହାଜତକୁ ନିଆଯାଇଥିଲା । ସେମାନେ ଆମ ଗୃହପାଳିତ ପଶୁମାନଙ୍କୁ ଜବତ କରିନେଲେ, ଆମକୁ ଫେରାଇବାକୁ ମନା କଲେ ଏବଂ ସେମାନଙ୍କୁ ନିଲାମ କରିଦେଲେ । ମାସ ମାସ ଧରି ଆମକୁ ଗଛ ତଳେ ଜୀବନ ବିତାଇବାକୁ ପଡ଼ିଲା । ପୁରୁଷ ପୁରୁଷ ଧରି ଆମେ ଏହି ଜମିକୁ ଚାଷ କରିଆସୁଛୁ । କିନ୍ତୁ ଜଙ୍ଗଲ ବିଭାଗ ଅଧିକାରୀମାନେ ଖୋଲାଖୋଲି ଭାବେ କହନ୍ତି ଯେ ଜଙ୍ଗଲ ଅଧିକାର ଆଇନରେ ସେମାନଙ୍କର କିଛି ଯାଏ ଆସେ ନାହିଁ, ସେଥିରେ ସେମାନଙ୍କର କିଛି କରିବାର ନାହିଁ ଏବଂ ଏହି ଜମି ସେମାନଙ୍କର ।

ଲାଇଚିବାଇ ଉଇକେ, ଗୋଣ୍ଡ ଆଦିବାସୀ; ଉମରୱାଡ଼ା ଗାଁ, ବିଚ୍ଚିୟା ତାଲୁକା, ମାଣ୍ଡଲା ଜିଲ୍ଲା ମଧ୍ୟପ୍ରଦେଶ

Laichibai Uike
PHOTO • Chitrangada Choudhury

ଆମ ଦେଖାରଖାରେ ଥିବା ଜଙ୍ଗଲରେ ଆପଣ ଯେଉଁ ପ୍ରକାରର ବିଭିନ୍ନତା ଦେଖିବେ ତାହା ସରକାରଙ୍କ ବୃକ୍ଷରୋପଣ ସ୍ଥଳରେ ଦେଖିପାରିବେ ନାହିଁ । ସେଠାରେ ଆପଣ କେବଳ ଶାଗୁଆନ ଗଛ ଦେଖିବେ । ଏଇ ବର୍ଷ ହିଁ ସେମାନେ ଆମ ଗାଁ ନିକଟରେ ଏତେ ବେଶୀ ଜମି ନେଲେ ଏବଂ ସେଠାରେ ଶାଗୁଆନ୍‌ ଲଗାଇ ତାରବାଡ଼ ଘେରାଇ ଦେଲେ । ଏ ଶାଗୁଆନ କୋଉ କାମରେ ଲାଗିବ ? ଆମ ଗୃହପାଳିତ ପଶୁମାନେ କେଉଁଠିକି ଚରିବାକୁ ଯିବେ ? ଆମେ ଆମ ଗୃହପାଳିତ ପଶୁମାନଙ୍କ ପାଇଁ ଏକ ଗାଓଥାନ୍‌ (ଖୁଆଡ଼) କରିବାକୁ ଏବଂ ଆମ ଗାଁ ପୋଖରୀକୁ ଗଭୀର କରି ପାଣି ଭରି ରଖିବାକୁ ଚାହିଁଲୁ । କିନ୍ତୁ ସେଥିପାଇଁ ବି ଜଙ୍ଗଲ ବିଭାଗ ଆମକୁ ଅନୁମତି ଦେଲା ନାହିଁ । ମୋତେ ଲାଗୁଛି ଯେ କେବଳ ଏସବୁ ଶାଗୁଆନ ବଗିଚାକୁ ଦେଖି ଦେଖି ଆମ ପିଲାମାନେ ବଡ଼ ହେବେ । ଜଙ୍ଗଲ ଓ ଗଛ, ଗୁଳ୍ମ ଓ ପଶୁମାନଙ୍କ ସଂପର୍କରେ ଆମେ ଯାହା ଜାଣିଛୁ ତାହା ସେମାନେ ଜାଣିପାରିବେ ନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଚିତ୍ରାଙ୍ଗଦା ଚୌଧୁରୀ ଜଣେ ସ୍ୱାଧୀନ ସାମ୍ବାଦିକ, ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ ଇଣ୍ଡିଆର କେନ୍ଦ୍ରୀୟ ଗୋଷ୍ଠୀର ଜଣେ ସଦସ୍ୟ।

Other stories by Chitrangada Choudhury