କେରଳର ପରପ୍ପା ଗାଁରେ ପ୍ରାୟ ୧୫ ଜଣ ପୁରୁଷଙ୍କ ଏକ ଦଳ ‘ଘାସ’ ଉପରେମୁଲାମ ଚେଣ୍ଡା  ନାମକ ଏକ ବାଉଁଶର ଢୋଲ ବଜାନ୍ତି । ସେମାନେ ହେଲେ ମୁଖ୍ୟତଃ କାସରଗୋଡ଼ ଏବଂ କନ୍ନୁର ଜିଲ୍ଲାରେ ରହୁଥିବା ମାଭିଲନ୍‌ ଆଦିବାସୀ ସଂପ୍ରଦାୟର ପାରମ୍ପରିକ କଳାକାର ।

 “ବହୁ ପୂର୍ବରୁ, ଆମ ପୂର୍ବପୁରୁଷ ସଙ୍ଗୀତ ସୃଷ୍ଟି କରିବା ପାଇଁ ଏହି ବାଉଁଶ ଢୋଲ ବ୍ୟବହାର କରୁଥିଲେ ।” ଏହା କହନ୍ତି କେ.ପି. ଭାସ୍କରନ୍‌, ଯାହାଙ୍କର ବାଦ୍ୟକାର ଦଳ ଏଠାରେ ଦିଆଯାଇଥିବା ଭିଡ଼ିଓରେ ରହିଛି । ସେମାନେ ସମସ୍ତେ କାସରଗୋଡ଼ର ଭେଲ୍ଲାରିକୁଣ୍ଡ ତାଲୁକ ଅନ୍ତର୍ଗତ ପରପ୍ପା ଗାଁର । “ଆଜି ମଧ୍ୟ (କେରଳର ଅନ୍ୟ କେତେକ ସ୍ଥାନରେ) ଗୋରୁ ଚମଡ଼ାରେ ଢୋଲ ତିଆରି ହେଉଛି । ପରମ୍ପରାଗତ ଭାବେ, ଗୋମାଂସ କିମ୍ବା ଗୋରୁ ଚମଡ଼ାକୁ ଆମେ କେବେ ହେଲେ ନିତିଦିନିଆ ଜୀବନରେ ବ୍ୟବହାର କରୁନାହିଁ । ତେଣୁ ଆମ ପୂର୍ବପୁରୁଷ, ଥେୟମ୍‌ ଭଳି ପର୍ବରେ ସଙ୍ଗୀତ ପରିବେଷଣ ପାଇଁ ବାଉଁଶରୁ ଢୋଲ ତିଆରି କରିଥିଲେ ।”

କିଛି ଦଶନ୍ଧି ପୂର୍ବରୁ, ଏହି ସଂପ୍ରଦାୟକୁ ସହଜରେ ଜଙ୍ଗଲଜାତ ଦ୍ରବ୍ୟ ମିଳୁଥିଲା । କିନ୍ତୁ ଜଙ୍ଗଲ ଯିବା ଉପରେ ସରକାରୀ କଟକଣା ଯୋଗୁଁ, ବାଉଁଶ ଢୋଲ ତିଆରି କରିବା ବ୍ୟୟବହୁଳ ହୋଇଗଲାଣି। ଆଜିକାଲି ମାଭିଲନ୍‌ମାନେ ୫୦ କିଲୋମିଟର ଦୂର ବାଡ଼ିଆଡ୍‌କା ସହରରେ ଥିବା ବଜାରରୁ ବାଉଁଶ କିଣନ୍ତି । ପ୍ରତି ବାଉଁଶ ଗଣ୍ଡିର ମୂଲ୍ୟ ୨,୫୦୦ ଟଙ୍କାରୁ ୩,୦୦୦ ଟଙ୍କା ଏବଂ ଏଥିରୁ ୩ରୁ ୪ଟି ଢୋଲ ପ୍ରସ୍ତୁତ ହୋଇପାରିବ । ଗୋଟିଏ ଢୋଲକୁ ଅତି ବେଶୀରେ ଦୁଇଟି ପ୍ରଦର୍ଶନ ପାଇଁ ବ୍ୟବହାର କରାଯାଏ, ଏବଂ ତା’ପରେ ଏହା ଫାଟିବା ଆରମ୍ଭ ହୁଏ । ଢୋଲଟିଏ ତିଆରି କରିବା ପାଇଁ ଢୋଲବାଦକଙ୍କୁ ୩ରୁ ୪ ଦିନ ଲାଗେ । ଏଥିରେ ଖୋଦେଇ କରି ଖରାରେ ଶୁଖିବାକୁ ରଖି ଦିଆଯାଏ । ଢୋଲବାଦକ ସୁନୀଲ ଭୀଟିୟୋଡ଼ି କହନ୍ତି, “ଖଣ୍ଡିଏ ବାଉଁଶ ଢୋଲ ତିଆରି କରିବା ଲାଗି ବହୁ କଠିନ ପରିଶ୍ରମ କରିବାକୁ ପଡ଼େ ।”

ଭିଡିଓ ଦେଖନ୍ତୁ: ପରପ୍ପା ଗାଁର ଢୋଲବାଦକମାନେ ମୁଲାମ ଚେଣ୍ଡା ବଜାଉଛନ୍ତି

ଅତୀତରେ, ଜମିଦାରମାନଙ୍କ ପାଇଁ ମାଭିଲନ୍‌ (ସ୍ଥାନୀୟ ଭାଷାରେ ମାଭିଲାର) ସଂପ୍ରଦାୟର ଲୋକେ ଚାଷଜମିରେ କାମ କରୁଥିଲେ। ଏବେ ଅଳ୍ପ କେତେକ ପରିବାର ପାଖରେ ଚାଷ କରିବାକୁ ନିଜ ନିଜର ଛୋଟିଆ ଜମି ଖଣ୍ଡେ ଖଣ୍ଡେ ରହିଛି । ଢୋଲବାଦକମାନେ ମୁଖ୍ୟତଃ ନିର୍ମାଣସ୍ଥଳରେ ଦିନ ମଜୁରିଆ, ବଢ଼େଇ କିମ୍ବା ଘରେ ରଙ୍ଗମିସ୍ତ୍ରୀ ଭାବେ କାମ କରନ୍ତି ।

ଏବେ ସଂପ୍ରଦାୟର ମାତ୍ର ୩୦-୩୫ ଜଣ ସଦସ୍ୟ ବାଉଁଶ ଢୋଲ ବଜାନ୍ତି। ପାରମ୍ପରିକ ଭାବେ, ମନ୍ଦିରର ଉତ୍ସବ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମାଭିଲନ୍‌ ପୁରୁଷମାନେ ଢୋଲ ବଜାନ୍ତି ଓ ଗୀତ ଗାଆନ୍ତି ଏବଂ ମହିଳାମାନେ ନୃତ୍ୟ କରନ୍ତି । ଢୋଲବାଦକ କେ.ପି. ଭାସ୍କରନ୍‌ କହନ୍ତି ଯେ, ବାଦ୍ୟ ପରିବେଷଣ ପାଇଁ ବର୍ଷକରେ ସେମାନଙ୍କୁ ମିଳୁଥିବା ଡକରା ସଂଖ୍ୟା ଶୂନରୁ୧୦ ପର୍ଯ୍ୟନ୍ତ ହୋଇଥାଏ। ଗୋଟିଏ ବାଦ୍ୟ ପରିବେଷଣ୧୦ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲେ ଏବଂ ପ୍ରତି ଢୋଲ ବାଦକ ୧,୫୦୦ ଟଙ୍କା ଲେଖାଏଁ ପାଆନ୍ତି । ସେମାନେ ନିଜ ନିଜର ଯିବାଆସିବା ଖର୍ଚ୍ଚ ବହନ କରନ୍ତି ଏବଂ ସାଧାରଣତଃ ସେହି ଦିନଟିର ମଜୁରି ହରାଇବାକୁ ପଡ଼େ ।

ଭାସ୍କରନ୍‌ କହନ୍ତି, “ହୁଏତ ଆମେ ସଂଘର୍ଷ କରିଥାଉ, କିନ୍ତୁ ଆମେ ଆମ ସଂସ୍କୃତିକୁ ପରିବାରର ଯୁବ ସଦସ୍ୟମାନଙ୍କ ହାତରେ ନିଶ୍ଚିତ ଭାବେ ଟେକି ଦେଉ। ଆମ କଳା ଏବଂ ଆମ ସଂସ୍କୃତି, ଆମେ ସେସବୁକୁ ସାଇତି ରଖୁ । ଆମେ ଜାଣିଛୁ ଯେ ଏହା ଅନନ୍ୟ ଏବଂ ପିଢି ପରେ ପିଢିକୁ ଏହା ହସ୍ତାନ୍ତରିତ ହୋଇଛି । ଏହା ହିଁ ଆମର ପରିଚୟ ।”

In Parappa village of Kerala, a group of around 15 men drum on ‘grass’ – on the mulam chenda, a bamboo drum.
PHOTO • Gopika Ajayan
In Parappa village of Kerala, a group of around 15 men drum on ‘grass’ – on the mulam chenda, a bamboo drum.
PHOTO • Gopika Ajayan

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Gopika Ajayan

ଗୋପିକା ଅଜୟନ୍‌, ଚେନ୍ନାଇର ଏସିଆନ୍‌ କଲେଜ ଅଫ୍‌ ଜର୍ଣ୍ଣାଲିଜ୍‌ମର ଜଣେ ଗ୍ରାଜୁଏଟ୍‌ ଏବଂ ଭାରତର ବିଭିନ୍ନ ଆଦିବାସୀ ସଂପ୍ରଦାୟର କଳା ଓ ସଂସ୍କୃତି ଉପରେ ବିଶେଷ ଦୃଷ୍ଟି ସହ କାର୍ଯ୍ୟରତ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ।

Other stories by Gopika Ajayan