ସେ କହନ୍ତି, “ଆସନ୍ତୁ ଏବଂ ଆମକୁ ଦେଖନ୍ତୁ, ଆମେ ସମସ୍ତେ ଆଦେଶ ପାଳନ କରୁଛୁ । ମାସ୍କ ପିନ୍ଧି, ଜଣେ ଜଣଙ୍କଠାରୁ ଦୂରରେ ରହି, ଏଇଠି ବସିଛୁ । ଏସବୁ ଖାଦ୍ୟସାମଗ୍ରୀ ପାଇଁ ମୁଁ କୃତଜ୍ଞ, କିନ୍ତୁ ଏଥିରେ ମାତ୍ର କିଛି ଦିନ ପାଇଁ ମୋ ପରିବାର ଚଳିଯିବ । ତା’ପରେ, ମୁଁ ଜାଣିନି ଆମେ କ’ଣ କରିବୁ ।”

ସେ ହେଲେ ୫୫ ବର୍ଷୀୟା ଦୁର୍ଗା ଦେବୀ। ରାଜସ୍ଥାନର ଚୁରୁ ଜିଲ୍ଲା ଅନ୍ତର୍ଗତ ସୁଜାନଗଡ଼ ସହରରୁ ଫୋନ୍‌ରେ ଆମ ସହ କଥାବାର୍ତ୍ତା କରିବା ସମୟରେ, ସେ ମାଗଣା ଖାଦ୍ୟ ସାମଗ୍ରୀ ନେବା ପାଇଁ ଦିଶା ଶେଖାୱତୀ ନାମକ ବେସରକାରୀ ସଂଗଠନ ନିକଟରେ ଲାଗିଥିବା ଧାଡ଼ିରେ ଅପେକ୍ଷା କରିଥିଲେ। ଏହି ସଂଗଠନରେ ସେ ଶିବୋରି କାରିଗର ଭାବରେ କାମ କରନ୍ତି। ଶିବୋରି ହେଉଛି କପଡ଼ାକୁ ବାନ୍ଧି ରଙ୍ଗ କରିବାର ଏକକୌଶଳ, ଯାହାକି ସଂପୂର୍ଣ୍ଣ ଭାବରେ ଏକ ହସ୍ତଶିଳ୍ପ। ଦୁର୍ଗା ଦେବୀ କହନ୍ତି, “ଆମେ ଜାଣିନୁ କରୋନା କେତେବେଳେ ଆମ ପାଖକୁ ଆସିବ, କିନ୍ତୁ ତା’ ପୂର୍ବରୁ ଆମେ ଭୋକରେ ମରିଯିବୁ।” ନିଜର ଏହି ଚରମ ଭବିଷ୍ୟବାଣୀକୁ ସେ ନିଜେ ହସରେ ଉଡ଼ାଇ ଦିଅନ୍ତି ।

କିଛି ବର୍ଷ ତଳେ, ନିଶାସକ୍ତ ସ୍ଵାମୀଙ୍କ ମୃତ୍ୟୁ ହେବା ପରେ ଦୁର୍ଗା ଦେବୀ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟା । ସେ ହିଁ ତାଙ୍କର ନଅ ଜଣ ପିଲାଙ୍କ ଲାଳନପାଳନ କରୁଛନ୍ତି । ଦିନକୁ ସେ ପ୍ରାୟ୨୦୦ ଟଙ୍କା ମଜୁରି ପାଆନ୍ତି ଏବଂ ସେ କହନ୍ତି ଯେ ମାସକୁ ତାଙ୍କୁ ପ୍ରାୟ ୧୫ ଦିନ କାମ ମିଳିଯାଏ ।

ଖାଦ୍ୟ ସାମଗ୍ରୀ ପାଇଁ ଲାଗିଥିବା ଧାଡ଼ିରେ ତାଙ୍କ ପଛରେ ବସିଥିବା ଆଉ ଜଣେ ଦିନ ମଜୁରିଆ କାରିଗର ୩୫ ବର୍ଷୀୟା ପରମେଶ୍ଵରୀଙ୍କୁ ସେ ଫୋନ୍‌ ବଢ଼ାଇ ଦିଅନ୍ତି । ପରମେଶ୍ଵରୀ (ସେ ତାଙ୍କ ନାମର କେବଳ ପ୍ରଥମ ଭାଗ ବ୍ୟବହାର କରିବାକୁ ଚାହାଁନ୍ତି) କହନ୍ତି ଯେ, ତାଙ୍କ ସ୍ଵାମୀ ବିଭିନ୍ନ ନିର୍ମାଣସ୍ଥଳୀରେ ଶ୍ରମିକ ଭାବେ କାମ କରନ୍ତି । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସେ ସବୁ ବନ୍ଦ ହୋଇଯାଇଥିବାରୁ ଏବେ ସେ ଘରେ ବେକାର ବସିଛନ୍ତି । ସେ କହନ୍ତି, “ଆମ ପାଖରେ କାମ ନାହିଁ କି ଖାଇବାକୁ ପଇସା ନାହିଁ ।” ଦୁର୍ଗା ଦେବୀଙ୍କ ଭଳି ସେ ମଧ୍ୟ ଆଶା କରନ୍ତି ଯେ, ଏହି ପାଞ୍ଚ କିଲୋ ଅଟା, ଗୋଟିଏ କିଲୋ ଡାଲି, ୨୦୦ ଗ୍ରାମ ଲେଖାଏଁ ଧନିଆ, ହଳଦୀ ଏବଂ ଲଙ୍କା ଥିବା ପ୍ୟାକେଟ୍‌ରେ ସେ, ତାଙ୍କ ସ୍ଵାମୀ ଏବଂ ସେମାନଙ୍କର ଚାରି ପିଲା କିଛି ଦିନ ଚଳିଯିବେ ।

୬୫ ବର୍ଷୀୟା ଚାନ୍ଦି ଦେବୀ ଆଉ ଶିବୋରୀ କାମ କରୁନାହାନ୍ତି, କିନ୍ତୁ ଖାଦ୍ୟ ସାମଗ୍ରୀ ନେବାକୁ ଧାଡ଼ିରେ ଥିବା ଅନ୍ୟମାନଙ୍କ ସହ ଆସିଛନ୍ତି । “ଶେଷ ଥର ପାଇଁ ମୁଁ ୨୪ ଘଣ୍ଟା ତଳେ ଖାଇଥିଲି । ଭାତ ଖାଇଥିଲି । ଖାଲି ଭାତ । ଗତକାଲି କିଛି ଖାଦ୍ୟଦ୍ରବ୍ୟ ଧରି ଆମ ଅଞ୍ଚଳକୁ ଗୋଟିଏ ଗାଡ଼ି ଆସିଥିଲା । କିନ୍ତୁ ମୁଁ ଧୀରେ ଧୀରେ ଚାଲେ ଏବଂ ସେଠି ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା । ମୋତେ ଏବେ ଭାରି ଭୋକ ।”
'The last meal I ate was 24 hours ago. I am very hungry', says Chandi Devi (bottom row left). She and 400 shibori artisans including Parmeshwari (top right) and Durga Devi (bottom row middle) are linked to Disha Skekhawati, an NGO in Sujangarh, Rajasthan. Bottom right:Founder Amrita Choudhary says, 'Ninety per cent of the artisans are daily wage labourers and have no savings to fall back on'
PHOTO • Pankaj Kok

‘ଶେଷ ଥର ପାଇଁ ମୁଁ ୨୪ ଘଣ୍ଟା ତଳେ ଖାଇଥିଲି । ମୋତେ ଭାରି ଭୋକ’ ବୋଲି କହନ୍ତି ଚାନ୍ଦି ଦେବୀ (ତଳ ଧାଡ଼ିର ବାମ)। ସେ ଏବଂ ପରମେଶ୍ଵରୀଙ୍କ (ଉପର ଡାହାଣ) ସମେତ ୪୦୦ ଶିବୋରି କାରିଗର ଏବଂ ଦୁର୍ଗା ଦେବୀ (ତଳ ଧାଡ଼ିର ମଝି) ରାଜସ୍ଥାନର ସୁଜାନଗଡ଼ରେ ଥିବା ଦିଶା ଶେଖାୱତୀ ନାମକ ବେସରକାରୀ ସଂଗଠନ ସହ ସଂପର୍କିତ । ତଳ ଡାହାଣ:ସଂଗଠନର ପ୍ରତିଷ୍ଠାତ୍ରୀ ଅମୃତା ଚୌଧରୀ କହନ୍ତି, ’ଏହି କାରିଗରମାନଙ୍କ ମଧ୍ୟରୁ ନବେ ପ୍ରତିଶତ ଦିନ ମଜୁରିଆ ଏବଂ ସେମାନଙ୍କର କୌଣସି ସଞ୍ଚିତ ଧନ ନାହିଁ ଯେ କିଛି ଦିନ ଚଳିଯିବେ’

ଦୁର୍ଗା ଏବଂ ପରମେଶ୍ଵରୀଙ୍କ ଭଳି ୪୦୦ଶିବୋରି ବନ୍ଧା ରଙ୍ଗ କାରିଗରଙ୍କ ନାଁ ଦିଶା ଶେଖାୱତୀରେ ପଞ୍ଜୀକୃତ ହୋଇଛି। ସଂଗଠନର ପ୍ରତିଷ୍ଠାତ୍ରୀ ଅମୃତା ଚୌଧରୀ କହନ୍ତି, “ସରକାର କିଛି କରୁନାହାନ୍ତି । ନବେ ପ୍ରତିଶତ କାରିଗର ଦିନ ମଜୁରିଆ ଏବଂ ସେମାନଙ୍କର କୌଣସି ସଞ୍ଚିତ ଧନ ନାହିଁ ଯେ କିଛି ଦିନ ଚଳିଯିବେ । ଆମେ ଯାହା କରିପାରିବୁ, କରୁଛୁ ।”

ଚୌଧରୀ କହନ୍ତି, ପ୍ରାୟ ୧୦ ଦିନ ତଳେ ତାଙ୍କୁ ହସ୍ତଶିଳ୍ପ ସାମଗ୍ରୀର ବଡ଼ ବଡ଼ ବ୍ୟବସାୟୀମାନେ ଫୋନ୍‌ କରି କହିଲେ ଯେ ସେମାନେ ପୂର୍ବରୁ ଅର୍ଡର ଦେଇଥିବା ସାମଗ୍ରୀକୁ ନେଇ ପାରିବେ ନାହିଁ । ସେମାନେ ତାଙ୍କୁ ଆଉ ଅଧିକ ସାମଗ୍ରୀ ତିଆରି ନ କରିବା ପାଇଁ ମଧ୍ୟ କହିଲେ । “ମୁଁ ଏବେ ୨୫ ଲକ୍ଷ ଟଙ୍କାର ଶାଢ଼ି ଓ ଷ୍ଟୋଲ୍‌ (ଓଢ଼ଣୀ) ଧରି ବସିଛି । ପ୍ୟାକିଂ, ଲେବଲ୍‌ ଏବଂ ବାର୍‌କୋଡ୍‌ ଲଗାଇବା କାମ ସରିଛି । ଏବେ ଏସବୁ କେବେ ଯିବ ? କେବେ କାରିଗରମାନଙ୍କୁ ଦେବା ଲାଗି ପଇସା ଆସିବ ? କେହି କହିପାରିବେନି ।”

କୃଷି କ୍ଷେତ୍ରକୁ ଛାଡ଼ି ଦେଲେ, ବୋଧହୁଏ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଏକତ୍ର ଭାବେ ଦେଶର ସବୁଠାରୁ ବଡ଼ ନିଯୁକ୍ତି କ୍ଷେତ୍ର । କେବଳ ହସ୍ତତନ୍ତ ବୁଣାରେ ୩୫ଲକ୍ଷରୁ ଅଧିକ ଭାରତୀୟ ଶହ ଶହ ପ୍ରକାର କପଡ଼ା ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଵାଧୀନ ଭାବେ କାମ କରନ୍ତି । ହସ୍ତଶିଳ୍ପ ଉନ୍ନୟନ ନିଗମ ପରିଷଦ ଅନୁସାରେ, ୭୦ ଲକ୍ଷ ଲୋକ ହଜାର ହଜାର ପ୍ରକାରର ପାରମ୍ପରିକ ଶିଳ୍ପ କାରିଗରିରେ ନିୟୋଜିତ ଏବଂ କେବଳ ଏହି କ୍ଷେତ୍ରରୁ ୨୦୧୫ ମସିହାରେ  ୮,୩୧୮କୋଟି ଟଙ୍କାର ସାମଗ୍ରୀ ରପ୍ତାନୀ କରାଯାଇଥିଲା ।

କିନ୍ତୁ ଚେନ୍ନାଇରେ ଅବସ୍ଥିତ ଭାରତୀୟ ହସ୍ତଶିଳ୍ପ ପରିଷଦର ଅଧ୍ୟକ୍ଷା ଗୀତା ରାମ ଏହି ତଥ୍ୟକୁ ଅସ୍ଵୀକାର କରନ୍ତି: “ଏହି ସବୁ ସଂଖ୍ୟା ନିର୍ଭରଯୋଗ୍ୟ ନୁହେଁ । ହସ୍ତଶିଳ୍ପୀମାନଙ୍କ ସଂପର୍କରେ କୌଣସି ଡାଟାବେସ୍‌ ନାହିଁ ଏବଂ ତେଣୁ ମୋଟ ଘରୋଇ ଉତ୍ପାଦ ବା GDPରେ ସେମାନଙ୍କ ପ୍ରକୃତ ଯୋଗଦାନ ଜଣାନାହିଁ । ହେଲେ, ଆମେ ଏହା ଜାଣିଛୁ ଯେ ଏହାର ଅଧିକାଂଶ ଉତ୍ପାଦନ ଅଣସଂଗଠିତ କ୍ଷେତ୍ରରେ ଆତ୍ମନିଯୁକ୍ତ କାରିଗରମାନଙ୍କ ଦ୍ଵାରା ହୋଇଥାଏ ଏବଂ ସେମାନଙ୍କୁ ଏବେ ସହାୟତା କରିବା ନିହାତି ଦରକାର ।”

ଆନ୍ଧ୍ରପ୍ରଦେଶର ପ୍ରକାଶମ୍‌ ଜିଲ୍ଲା ଅନ୍ତର୍ଗତ ଚିରାଲା ସହରର ୫୦ ବର୍ଷରୁ ଅଧିକ ବୟସର ବୁଣାକାର ଜି.ସୁଲୋଚନା ଏବଂ ତାଙ୍କ ସ୍ଵାମୀ ଜି.ଶ୍ରୀନିବାସ ରାଓ ମଧ୍ୟ ଏଥିରେ ଅଧିକ ସହମତ ହୋଇପାରିଲେ ନାହିଁ

ଶ୍ରୀନିବାସ ରାଓ କହନ୍ତି, “ଆମକୁ କଞ୍ଚାମାଲ ମିଳୁନାହିଁ ଏବଂ ତେଣୁ ଆମ ପାଖରେ କାମ ନାହିଁ । ଏହି ଲକ୍‌ଡାଉନ କାରଣରୁ ଆମେ ଘୋର ଆର୍ଥିକ ସମସ୍ୟା ଭିତରେ ରହିଛୁ । ଖୁବ୍‌ ଶୀଘ୍ର ଆମକୁ ଖାଦ୍ୟ ପାଇଁ ଟଙ୍କା ଧାର କରିବାକୁ ପଡ଼ିବ ।” ଫୋନ୍‌ରେ ସୁଲୋଚନା କହନ୍ତି, “ଆମ ମଜୁରି ଏତେ କମ୍‌ ଯେ, ଆମେ କୌଣସି ପ୍ରକାର ସଞ୍ଚୟ କରିପାରୁନାହିଁ ।”

G. Sulochana and her husband G. Srinivas Rao, weavers in their 50s in Chirala town of Andhra Pradesh’s Prakasam district: 'We are not getting raw material, and so have no work. Soon we will need to borrow money to eat'
PHOTO • Srikant Rao

ଆନ୍ଧ୍ର ପ୍ରଦେଶ ପ୍ରକାଶମ ଜିଲ୍ଲା ଅନ୍ତର୍ଗତ ଚିରାଲା ସହର ନିବାସୀ୫୦ ବର୍ଷରୁ ଅଧିକ ବୟସର ଜି.ସୁଲୋଚନା ଏବଂ ତାଙ୍କ ସ୍ଵାମୀ ଜି.ଶ୍ରୀନିବାସ ରାଓ:‘ଆମକୁ କଞ୍ଚାମାଲ ମିଳୁନାହିଁ, ଏବଂ ତେଣୁ, ଆମ ପାଖରେ କାମ ନାହିଁ । ଖୁବ୍‌ ଶୀଘ୍ର ଆମକୁ ଖାଦ୍ୟ ପାଇଁ ଟଙ୍କା ଧାର କରିବାକୁ ପଡ଼ିବ’

ଚିରାଲା ସହରରେ ବହୁ ବୁଣାକାର ପରିବାର ରହନ୍ତି। ସେମାନେ ସୂତା ଓ ରେଶମ ସହିତ ଜରିକାମ ମିଶାଇ ଯେଉଁ ଶାଢ଼ି ତିଆରି କରନ୍ତି, ତାହା ସେହି ସହର ନାଁରେ ପରିଚିତ। ସୁଲୋଚନା ଓ ଶ୍ରୀନିବାସ ରାଓ ମିଶି ମାସକୁ ୧୦-୧୫ଟି ଶାଢ଼ି ପ୍ରସ୍ତୁତ କରନ୍ତି । ସେମାନେ ଯେଉଁ ମାଷ୍ଟର ବୁଣାକାରଙ୍କ ପାଇଁ କାମ କରନ୍ତି ସେ ସେମାନଙ୍କୁ କଞ୍ଚାମାଲ ଏବଂ ପ୍ରତି ପାଞ୍ଚଟି ଶାଢ଼ି ବାବଦରେ ପ୍ରାୟ ୬,୦୦୦ ଟଙ୍କା ହିସାବରେ ପାଉଣା ଦିଅନ୍ତି। ଏହିପରି ଦୁହେଁ ମିଶି ମାସକୁ ପ୍ରାୟ ୧୫,୦୦୦ ଟଙ୍କା ରୋଜଗାର କରନ୍ତି ।

ଚିରାଲାର ଆଉ ଏକ ବୁଣାକାର ଦମ୍ପତି ୩୫ ବର୍ଷୀୟା ବି.ସୁନୀତା ଏବଂ ତାଙ୍କ ସ୍ଵାମୀ ୩୭ ବର୍ଷୀୟ ବାନ୍ଦଲା ପ୍ରଦୀପ କୁମାରଙ୍କ ପାଇଁ ମଧ୍ୟ ସେମାନଙ୍କର ଏବଂ ସେମାନଙ୍କ ଦୁଇ ପିଲାଙ୍କର ଜୀବନଧାରଣ କଷ୍ଟକର ମନେହୁଏ । ସାଧାରଣତଃ ସେମାନେ ଦୁହେଁ ମିଶି ମାସକୁ ୧୫ ଖଣ୍ଡ ଯାଏଁ ଶାଢ଼ି ବୁଣି ପ୍ରାୟ୧୨,୦୦୦ ଟଙ୍କା ରୋଜଗାର କରନ୍ତି । ସୁନୀତା କହନ୍ତି, “ମାର୍ଚ୍ଚ ୧୦ତାରିଖରେ ହିଁ ଜରି (ସୁନେଲି ରଙ୍ଗର ସୂତା) ଯୋଗାଣ ବନ୍ଦ ହୋଇଗଲା ଏବଂ ତା’ ପରେ ପରେ ରେଶମ ସୂତା ଯୋଗାଣ ବି ବନ୍ଦ ହୋଇଗଲା। କଞ୍ଚାମାଲ ନଥିବାରୁ ଆମେ କାମ କରିପାରିବୁ ନାହିଁ ।”

ଲକ୍‌ଡାଉନ୍‌ ଲାଗୁ ହେବା ଦିନରୁ ସେମାନେ ଖାଉଟି ସାମଗ୍ରୀ ଦୋକାନକୁ ଯାଇପାରିନାହାନ୍ତି । ସେମାନଙ୍କ ପାଖରେ ଥିବା ଚାଉଳ ସରିଗଲାଣି ଏବଂ ବଜାରରେ ଏହାର ଦର ବଢ଼ିଗଲାଣି । ସେ କହନ୍ତି, “ଖାଦ୍ୟସଂଗ୍ରହ ପାଇଁ ଏହା ହିଁ ଏକମାତ୍ର କାମ, ଯାହା ଆମେ ଜାଣିଛୁ ।”

ଉଭୟ ଚିରାଲା ବୁଣାକାର ପରିବାର ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ରୂପେ ତାଲିକାଭୁକ୍ତ ହୋଇଛନ୍ତି । ବାସ୍ତବରେ, ଚତୁର୍ଥ ସର୍ବ ଭାରତୀୟ ହସ୍ତତନ୍ତ ଜନଗଣନା (୨୦୧୯-୨୦୨୦) ଅନୁସାରେ ସମସ୍ତ ବୁଣାକାର ପରିବାରର ୬୭ ପ୍ରତିଶତ ଅଧିସୂଚିତ ଜାତି (୧୪), ଅଧିସୂଚିତ ଜନଜାତି (୧୯) କିମ୍ବା ଅନ୍ୟାନ୍ୟ ପଛୁଆ ବର୍ଗ (୩୩.୬ ପ୍ରତିଶତ) ରୂପେ ତାଲିକାଭୁକ୍ତ ହୋଇଛନ୍ତି ।

ସୁନୀତା ଏବଂ ଶ୍ରୀନିବାସ ବ୍ୟକ୍ତିଗତ ଭାବେ ଯାହା ରୋଜଗାର କରନ୍ତି, ତାହା ଭାରତର ମୁଣ୍ଡପିଛା ମାସିକ ଆୟ (୧୧,୨୫୪)ଠାରୁ ବହୁତ କମ୍‌ । ଯଦିଓ, ସେମାନଙ୍କ ମିଳିତ ଆୟକୁ ବିଚାର କଲେ, ସେମାନେ ସମସ୍ତ ବୁଣାକାର ପରିବାର ମଧ୍ୟରେ ଶୀର୍ଷ ସାତ ପ୍ରତିଶତ ସ୍ଥାନରେ ରହିବେ । ଚତୁର୍ଥ ସର୍ବ ଭାରତୀୟ ହସ୍ତତନ୍ତ ଜନଗଣନା ଅନୁସାରେ, ୬୬ ପ୍ରତିଶତ ବୁଣାକାର ପରିବାର ମାସିକ ୫,୦୦୦ ଟଙ୍କାରୁ କମ୍‌ ରୋଜଗାର କରନ୍ତି ।

Left: B. Sunitha and her husband Bandla Pradeep Kumar in Chirala: 'With no raw material, we cannot work'. Right" Macherla Mohan Rao, founder president of the Chirala-based National Federation of Handlooms and Handicrafts, says, 'This [lockdown] will finish them off the weavers'
PHOTO • Guthi Himanth
Left: B. Sunitha and her husband Bandla Pradeep Kumar in Chirala: 'With no raw material, we cannot work'. Right" Macherla Mohan Rao, founder president of the Chirala-based National Federation of Handlooms and Handicrafts, says, 'This [lockdown] will finish them off the weavers'
PHOTO • M. Sravanthi

ବାମ:ଚିରାଲାରେ ବି.ସୁନୀତା ଏବଂ ତାଙ୍କ ସ୍ଵାମୀ ବାନ୍ଦଲା ପ୍ରଦୀପ କୁମାର:‘କଞ୍ଚାମାଲ ନଥିବାରୁ ଆମେ କାମ କରିପାରିବୁ ନାହିଁ’। ଡାହାଣ: ଚିରାଲାର ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମହାସଂଘର ପ୍ରତିଷ୍ଠାତା ସଭାପତି ମାଚେର୍ଲା ମୋହନ ରାଓ କହନ୍ତି, ‘ଏହି (ଲକ୍‌ଡାଉନ୍‌) ଆମ ବୁଣାକାରମାନଙ୍କୁ ଖତମ କରିଦେବ’

୧୯୯୦ ଦଶକରେ ଏକ ‘ଅସ୍ତଗାମୀ’ ଶିଳ୍ପ ରୂପେ ଅଭିହିତ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରକୁ ୨୦୧୮ରେ ଆଉ ଏକ ଧକ୍କା ସହିବାକୁ ପଡ଼ିଲା, ଯେତେବେଳେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଉପରେ ୫ରୁ ୧୮ ପ୍ରତିଶତ ଜିଏସ୍‌ଟି (ସାମଗ୍ରୀ ଓ ସେବା କର) ଲାଗୁ କରାଗଲା । ପରବର୍ତ୍ତୀ ସମୟରେ, ହସ୍ତତନ୍ତ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତକୁ ଖସାଇ ଦିଆଗଲା । କିନ୍ତୁ ଯଦି ଉତ୍ପାଦିତ ସାମଗ୍ରୀ କେବଳ କପଡ଼ାରୁ ପ୍ରସ୍ତୁତ ହୋଇଥାଏ ବୋଲି ସର୍ତ୍ତ ରହିଲା । ହେଲେ, ବସ୍ତ୍ର ଶିଳ୍ପ ଲାଗି ଗୁରୁତ୍ଵପୂର୍ଣ୍ଣ ବିବେଚିତ କପଡ଼ା ରଙ୍ଗ ଏବଂ ରାସାୟନିକ ଦ୍ରବ୍ୟ ଉପରେ ଏହା ୧୨-୧୮ ପ୍ରତିଶତ ରହିଲା । ହସ୍ତଶିଳ୍ପରେ ଏହା ୮ରୁ ୧୮ ପ୍ରତିଶତ ଭିତରେ ରହିଛି ।

୨୦,୦୦୦ସଭ୍ୟ ସଂଖ୍ୟା ବିଶିଷ୍ଟ ଏକ ଶ୍ରମିକ ସଂଗଠନ, ଚିରାଲାର ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମହାସଂଘର ପ୍ରତିଷ୍ଠାତା ସଭାପତି ୫୯ ବର୍ଷୀୟ ମାଚେର୍ଲା ମୋହନ ରାଓ କହନ୍ତି, “କରୋନା ଏବଂ ଲକ୍‌ଡାଉନ୍‌ ପୂର୍ବରୁ ମଧ୍ୟ ବୁଣାକାରମାନେ ଉପଯୁକ୍ତ ମଜୁରି ମିଳୁଥିବା କାମ ପାଉ ନଥିଲେ ଏବଂ ନିଜ ନିଜ ପରିବାର ଚଳାଇବା ସେମାନଙ୍କ ପକ୍ଷରେ କଷ୍ଟକର ଥିଲା । ଏହି (ଲକ୍‌ଡାଉନ୍‌) ସେମାନଙ୍କୁ ଖତମ କରିଦେବ ।”

ମୋହନ ରାଓ ପଚାରନ୍ତି, “ମୁଁ ସରକାରଙ୍କୁ (ବୟନ ମନ୍ତ୍ରାଳୟକୁ) ପଚାରି ଆସୁଛି ଯେ, ଗରିବ ବୁଣାକାରମାନଙ୍କୁ କାହିଁକି ସେମାନେ ଅଣଦେଖା କରୁଛନ୍ତି ? ପୋଷାକପତ୍ର ଏବଂ ପ୍ରସାଧନ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଭଳି ହସ୍ତତନ୍ତ ଏବଂ ହସ୍ତଶିଳ୍ପ କାରିଗରଙ୍କୁ କାହିଁକି କର୍ମଚାରୀ ରାଜ୍ୟ ବୀମା ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଏବଂ ମାତୃତ୍ଵକାଳୀନ ସୁବିଧା ପ୍ରଦାନ କରାଯାଉନାହିଁ ? ବାସହୀନ ବୁଣାକାରମାନଙ୍କ ପାଇଁ କାହିଁକି ଗୃହନିର୍ମାଣ ସୁବିଧା ନାହିଁ ?” ସଂସଦରେ ଏହି ସବୁ ପ୍ରଶ୍ନ ଉଠାଇବା ଲାଗି ନିବେଦନ କରି ସେ ୨୦୧୪ ମସିହାରୁ ଅନେକ ସାଂସଦଙ୍କ ପାଖକୁ ମେଲ୍‌ ପଠାଇଛନ୍ତି ।

ତାମିଲନାଡୁର କାଞ୍ଚିପୁରମ୍‌ ସହର (ଏବଂ ଜିଲ୍ଲା)ରେ ପ୍ରବୀଣ ବୁଣାକାର ଏବଂ ଜାତୀୟ ପୁରସ୍କାର ବିଜେତା ୬୦ ବର୍ଷୀୟ ବି.କ୍ରିଷ୍ଣାମୂର୍ତ୍ତି ଏବଂ ୫୦ ବର୍ଷ ବୟସ୍କା ବି. ଜୟନ୍ତୀଙ୍କର ୧୦ଟି ତନ୍ତ ରହିଛି । ଏହି ଦମ୍ପତି ଏଥିରେ ପ୍ରସିଦ୍ଧ କାଞ୍ଚିପୁରମ୍‌ ସିଲ୍‌କ ଶାଢ଼ି ପ୍ରସ୍ତୁତ କରନ୍ତି । ସେମାନେ ଗୋଟିଏ ତନ୍ତରେ କାମ କରନ୍ତି ଏବଂ ଅନ୍ୟଗୁଡ଼ିକ ସେମାନଙ୍କ ଦ୍ଵାରା ନିଯୁକ୍ତ ବୁଣାକାରମାନଙ୍କ ଘରେ ବସାଯାଇଛି ।

କ୍ରିଷ୍ଣାମୂର୍ତ୍ତି କହନ୍ତି, “ମୋର ବୁଣାକାରମାନେ ମୋତେ ଫୋନ୍‌ କରି (ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ) ଖାଦ୍ୟ ସାମଗ୍ରୀ କିଣିବା ପାଇଁ ୨,୦୦୦-୩,୦୦୦ ଟଙ୍କା ଉଧାର ମାଗୁଛନ୍ତି ।” ସେ ସେମାନଙ୍କୁ ଅଗ୍ରୀମ ଭାବରେ କିଛି ଟଙ୍କା ଦେଇସାରିଛନ୍ତି। କିନ୍ତୁ କାଳେ ଏହି ଅତି କୁଶଳୀ ବୁଣାକାରମାନେ ନିରାଶ ହୋଇ ଅନ୍ୟ କାମ ଖୋଜିବେ କିମ୍ବା ସହର ଛାଡ଼ି ପଳାଇବେ, ସେଥିପାଇଁ ସେ ଚିନ୍ତିତ । କ୍ରିଷ୍ଣାମୂର୍ତ୍ତିଙ୍କ ଆଶଙ୍କା ଅମୂଳକ ନୁହେଁ; କେବଳ ୧୯୯୫ରୁ ୨୦୧୦ ମସିହା ଭିତରେ ବୁଣାକାର ପରିବାର ସଂଖ୍ୟା ୨ ଲକ୍ଷ ୫୦ ହଜାର କମିଯାଇଛି 
In Kancheepuram, Tamil Nadu, master weavers and national award winners B. Krishnamoorthy and B. Jayanthi: 'Weavers keep calling [since the lockdown began] asking for loans of Rs. 2,000-3,000 for food'
PHOTO • Prashanth Krishnamoorthy
In Kancheepuram, Tamil Nadu, master weavers and national award winners B. Krishnamoorthy and B. Jayanthi: 'Weavers keep calling [since the lockdown began] asking for loans of Rs. 2,000-3,000 for food'
PHOTO • Prashanth Krishnamoorthy

ତାମିଲନାଡୁର କାଞ୍ଚିପୁରମ୍‌ରେ ପ୍ରବୀଣ ବୁଣାକାର ଏବଂ ଜାତୀୟ ପୁରସ୍କାର ବିଜେତା ବି.କ୍ରିଷ୍ଣାମୂର୍ତ୍ତି ଏବଂ ବି.ଜୟନ୍ତୀ: ‘ବୁଣାକାରମାନେ ମୋତେ ଫୋନ୍‌ କରି (ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ) ଖାଦ୍ୟ ଯୋଗାଡ଼ ପାଇଁ ୨,୦୦୦-୩,୦୦୦ ଟଙ୍କା ଉଧାର ମାଗୁଛନ୍ତି

ଭାରତର ବିଭିନ୍ନ ମହାନଗରରେ ଏବଂ ଛୋଟ ଛୋଟ ନଗର ଓ ସହରରେ ବି ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ନିୟମିତ ଭାବେ ଆୟୋଜିତ ହୁଏ। ଏହି ସବୁ କାର୍ଯ୍ୟକ୍ରମରେ ହିଁ ସବୁଠାରୁ ଅଧିକ ବିକ୍ରିବଟା ହୁଏ ବୋଲି ହସ୍ତଶିଳ୍ପୀମାନେ କହନ୍ତି । କିନ୍ତୁ ଏ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ, ଯେଉଁ ସବୁ ମାସରେ ଭଲ କାରବାର ହୁଏ, ହେବାକୁ ଥିବା ବହୁ ପ୍ରଦର୍ଶନୀ ବାତିଲ ହୋଇଯାଇଛି ଏବଂ ସେମାନଙ୍କ ପାଖରେ ପୂର୍ବରୁ ପ୍ରସ୍ତୁତ ବହୁ ତାଲିକାଭୁକ୍ତ ସାମଗ୍ରୀ ଜମା ହୋଇ ରହିଛି ।

ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଏକ କ୍ଷୁଦ୍ର ସହର ଭୁଜୋଡ଼ିର ଜଣେ ବୁଣାକାର ୪୫ ବର୍ଷୀୟ ବନ୍‌କର ଶାମ୍‌ଜୀ ବିଶ୍ରାମ ପଚାରନ୍ତି, “ଦିଲ୍ଲୀ ଏବଂ କୋଲକାତାରେ ତିନିଟି ପ୍ରଦର୍ଶନୀ ବାତିଲ ହୋଇଗଲା । ମୋ ପାଖରେ ଜିନିଷ ଗଦା ହୋଇ ରହିଛି, କିନ୍ତୁ କେହି କିଣୁନାହାନ୍ତି । ଆମେ କେମିତି ଖାଇବୁ ?”  ସେ କହନ୍ତି, “ବିଦେଶର ଗ୍ରାହକମାନେ ଫୋନ୍‌ କରି ବୁଣାବୁଣି ବନ୍ଦ କରିବାକୁ କହୁଛନ୍ତି । ସେମାନେ କହୁଛନ୍ତି ଯେ କିଛି ଦିନ ପାଇଁ ସେମାନେ କୌଣସି ସାମଗ୍ରୀ ନେବେ ନାହିଁ ।”

ଉତ୍ତର ପ୍ରଦେଶର ବାରାଣସୀ ନିବାସୀ କାଠ କଣ୍ଢେଇ ନିର୍ମାତା ୩୫  ବର୍ଷୀୟ ଅଜିତ କୁମାର ବିଶ୍ଵକର୍ମା କହନ୍ତି, “ ଏବେ ଯେଉଁ ସମୟରେ (ଅପରାହ୍‌ଣ ୩ଟା) ଆପଣ ଫୋନ୍‌ କରିଛନ୍ତି, ଏହି ସମୟରେ ମୁଁ ମୋ ବାପା ଓ ଭାଇଙ୍କ ସହ ଆମକାରଖାନାରେ ପରିଶ୍ରମ କରୁଥାଆନ୍ତି । ଏବେ ମୁଁ ଭାବୁଛି କେଉଁଠୁ ଖାଇବା ଜିନିଷ ପାଇବି ଏବଂ କେମିତି ଅଟା, ଡାଲି ଓ ଆଳୁ ପାଇଁ କଳାବଜାର ଦରରେ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ ।”

Ajit Kumar Vishwakarma, a wooden toy-maker in Varanasi, Uttar Pradesh, with his family: '“Now I am thinking of where to get food'
PHOTO • Sriddhi Vishwakarma

ବାମ: ଉତ୍ତର ପ୍ରଦେଶ ବାରାଣସୀର କାଠ କଣ୍ଢେଇ ନିର୍ମାତା ଅଜିତ କୁମାର ବିଶ୍ଵକର୍ମା କହନ୍ତି, ‘ଏବେ ମୁଁ ଭାବୁଛି କେଉଁଠୁ ଖାଇବା ଜିନିଷ ପାଇବି’। ଡାହାଣ: ମଧ୍ୟ ପ୍ରଦେଶ ଭୋପାଳର ଜଣେ ଗୋଣ୍ଡ ଚିତ୍ରଶିଳ୍ପୀ ସୁରେଶ କୁମାର ଧୁର୍ବେ କହନ୍ତି, ‘ମୁଁ ଘରେ ଖାଲି ହାତରେ ବସିଛି’

ଅଜିତ ଏବଂ ତାଙ୍କ ପରିବାର କାଠ କଣ୍ଢେଇ, ପଶୁ ଓ ପକ୍ଷୀଙ୍କ କ୍ଷୁଦ୍ର ଆକୃତି ଏବଂ ହିନ୍ଦୁ ଦେବଦେବୀଙ୍କ ଛୋଟ ଛୋଟ କାଠମୂର୍ତ୍ତି ଗଢ଼ନ୍ତି । ସେ କହନ୍ତି, “ଏହି କାମରୁ ମିଳୁଥିବା ରୋଜଗାର ଉପରେ ଆମର ପୂରା ପରିବାର ନିର୍ଭର କରେ । ଅନ୍ୟମାନଙ୍କଠାରୁ ମୋତେ ବହୁତ ଟଙ୍କା ମିଳିବାର ଅଛି । କିନ୍ତୁ କେହି ଦେବାକୁ ଇଚ୍ଛା କରୁନାହାନ୍ତି । ପ୍ରଦର୍ଶନୀ ପାଇଁ ଏବେ ମୋ ପାଖରେ ୫-୬ ଲକ୍ଷ ଟଙ୍କାର ଜିନିଷ ପ୍ରସ୍ତୁତ ହୋଇ ରହିଛି, କିନ୍ତୁ ପ୍ରଦର୍ଶନୀ ବାତିଲ ହୋଇଯାଇଛି’’ । “ମୋର କଣ୍ଢେଇଗୁଡ଼ିକୁ ରଙ୍ଗ କରୁଥିବା କୁମ୍ଭାରମାନଙ୍କୁ (ମୃତ୍ତିକା ଶିଳ୍ପୀ)ମୁଁ ଆଗୁଆ ଟଙ୍କା ଦେଇଛି । କିନ୍ତୁ ସେମାନେ ବି ଦୁଃଖକଷ୍ଟରେ ଅଛନ୍ତି ।”

ତାଙ୍କ ଦ୍ଵାରା ନିର୍ମିତ ପକ୍ଷୀ ଓ ହିନ୍ଦୁ ଦେବଦେବୀଙ୍କ ଏକ ଇଞ୍ଚ୍‌ ଉଚ୍ଚ କ୍ଷୁଦ୍ରାକୃତି ମୂର୍ତ୍ତିକୁ ନେଇ ଗର୍ବ କରନ୍ତି ଅଜିତ । ତାଙ୍କ ପରିବାରର ସମସ୍ତ ସଦସ୍ୟ-ତାଙ୍କ ବାପା, ଦୁଇ ଭାଇ, ତାଙ୍କ ମାଆ, ଭଉଣୀ ଏବଂ ସ୍ତ୍ରୀ- କାଠକୁ ଛେଲି ଏବଂ ଖୋଦେଇ କରି କଣ୍ଢେଇ ଏବଂ ବିଭିନ୍ନ ଅଳଙ୍କାର ତିଆରି କରନ୍ତି । ମହିଳାମାନେ ଘରେ ରହି ଘରକାମ ଭିତରେ ଏହି କାମ କରନ୍ତି ଏବଂ ପୁରୁଷମାନେ ଘରଠାରୁ ପ୍ରାୟ ୧୨ କିଲୋମିଟର ଦୂର କାର୍ଯ୍ୟଶାଳାକୁ ଯାଆନ୍ତି । କଣ୍ଢେଇ ଗଢ଼ିବାରେ ଆମ୍ବ, ଅଶ୍ଵତ୍‌ଥ, କଦମ୍ବ ଏବଂ ଅନ୍ୟ ନରମ କାଠ ବ୍ୟବହାର ହୁଏ ଏବଂ କଣ୍ଢେଇଗୁଡ଼ିକୁ ରଙ୍ଗ କରିବା ପାଇଁ କୁମ୍ଭାରମାନଙ୍କ ପାଖକୁ ପଠାଯାଏ ।

ମଧ୍ୟ ପ୍ରଦେଶ ଭୋପାଳର ଜଣେ ଚତୁର୍ଥ ପିଢ଼ିର ଗୋଣ୍ଡ ଚିତ୍ରଶିଳ୍ପୀ  ୩୫ ବର୍ଷୀୟ ସୁରେଶ କୁମାର ଧୁର୍ବେ କହନ୍ତି, “ମୁଁ ଘରେ ଖାଲି ହାତରେ ବସିଛି’’ । “ଏବେ ତ ଖାଇବା ଜିନିଷ ଓ ପାଣି ମିଳିବା କଷ୍ଟକର ଏବଂ ରଙ୍ଗ, ବ୍ରଶ୍‌, କାଗଜ ଓ କାନ୍‌ଭାସ୍‌ ଆଦୌ ମିଳୁନାହିଁ । ତେଣୁ, ମୁଁ କେମିତି କେଉଁ କାମ କରିବି ? କେବେ ମୁଁ ପୁଣି ନୂଆ କାମ କରିବି ଏବଂ କେବେ ମୁଁ ତାକୁ ବିକି ପଇସା ପାଇବି ? ମୁଁ ଜାଣିନି । କେମିତି ମୋ ପରିବାରକୁ ଖାଇବାକୁ ଦେବି ? ମୁଁ ଜାଣିନି ।”

ଧୁର୍ବେ କହନ୍ତି ଯେ ତାଙ୍କୁ କାମ ପାଇଁ ଅର୍ଡର ଦେଇଥିବା ଲୋକଙ୍କ ଉପରେ ତାଙ୍କର ୫୦,୦୦୦ ଟଙ୍କା ବାକି ରହିଛି । କିନ୍ତୁ ସେ ଟଙ୍କାକୁ ସେ କେବେ ଦେଖିବେ ତାହା ଜାଣନ୍ତି ନାହିଁ । “ମୋ ମୁଣ୍ଡରେ ଖାଲି ଏଇ କୋଭିଡ୍‌ ଭରି ହୋଇଯାଉଛି ଏବଂ ମୁଁ ଆଉ କୌଣସି କଥା ଭାବିପାରୁନାହିଁ ।”

ଏହି ଲେଖା ପାଇଁ ଅଧିକାଂଶ ସାକ୍ଷାତ୍‌କାର ଟେଲିଫୋନ୍‌ରେ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍‌ ଜଣେ ସାମ୍ବାଦିକା ଏବଂ ଆମର ଶିକ୍ଷା ସଂପାଦିକା । ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଶ୍ରେଣୀଗୃହ ଏବଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ଲାଗି ସେ ବିଭିନ୍ନ ସ୍କୁଲ୍‌ ଏବଂ କଲେଜ ସହ କାର୍ଯ୍ୟରତ ।

Other stories by Priti David