ଭିଡିଓ ଦେଖନ୍ତୁ: ପି. ସାଇନାଥ କୁହନ୍ତି, "ମୁଁ ମହିଳାମାନେ ନବେ ପ୍ରତିଶତ ସମୟ କାମ କରୁଥିବା ଦେଖିଛି । ସେମାନେ ହାଡ଼ଭଙ୍ଗା ପରିଶ୍ରମ କରନ୍ତି । ସେମାନଙ୍କୁ ଦେଖିବା ପାଇଁ ତୁମେ ଅଣ୍ଟା ସିଧା କରି ଠିଆ ହେବା ଦରକାର।”

ଇଟା, କୋଇଲା ପଥର

ସେମାନେ କେବଳ ଖାଲି ପାଦରେ ନଥିଲେ। ସେମାନଙ୍କ ମୁଣ୍ଡରେ ଗରମ ଇଟା ଥିଲା। ଯେଉଁମାନେ ଧାଡ଼ିରେ ଚାଲୁଥିଲେ, ସେମାନେ ଥିଲେ- ଓଡ଼ିଶାରୁ ଆସି ଆନ୍ଧ୍ରପ୍ରଦେଶର ଇଟାଭାଟିରେ କାମ କରୁଥିବା ଶ୍ରମିକ। ବାହାରର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ୍ ଥିଲା। ମହିଳାମାନେ ମୁଖ୍ୟତଃ କାମ କରୁଥିବା ଫର୍ଣ୍ଣେସ୍ ଅଞ୍ଚଳର ତାପମାତ୍ରା ଆହୁରି ଅଧିକ। 

women carrying bricks
PHOTO • P. Sainath

ମହିଳାମାନେ ଦିନକର କାମ ପାଇଁ ୧୦-୧୨ଟଙ୍କା ପାଉଥିଲେ। ପୁରୁଷମାନେ ପାଉଥିଲେ ୧୫-୨୦ ଟଙ୍କା। ଠିକାଦାରମାନେ ‘ଅଗ୍ରୀମ’ ଦେଇ ଏପରି ପ୍ରବାସୀମାନଙ୍କର ପୂରା ପରିବାରକୁ ଆଣୁଥିଲେ। ଏହି ଅଗ୍ରୀମ ବା ଋଣ ପ୍ରବାସୀ ଶ୍ରମିକମାନଙ୍କୁ ଠିକାଦାର ସହ ବାନ୍ଧି ଦେଉଥିଲା ଏବଂ ସେମାନେ ଗୋତିଶ୍ରମିକ ପାଲଟି ଯାଉଥିଲେ। ଏମାନଙ୍କ ମଧ୍ୟରେ ୯୦ ପ୍ରତିଶତ ଭୂମିହୀନ କିମ୍ବା ନାମମାତ୍ର ଚାଷୀ। 

ସର୍ବନିମ୍ନ ମଜୁରି ଆଇନର ଖୋଲା ଉଲ୍ଲଙ୍ଘନ ସତ୍ତ୍ଵେ ଏହି ଶ୍ରମିକମାନଙ୍କ ମଧ୍ୟରୁ କେହି କ୍ଷତିପୂରଣ ଦାବି କରି ପାରୁନଥିଲେ। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ପୁରୁଣାକାଳିଆ ଆଇନ ସେମାନଙ୍କୁ ସୁରକ୍ଷା ଦିଏନାହିଁ। ଉଦାହରଣ ସ୍ୱରୂପ - ଏହି ଆଇନ ଆନ୍ଧ୍ରପ୍ରଦେଶ ଶ୍ରମ ବିଭାଗକୁ ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ ବାଧ୍ୟ କରିପାରିବ ନାହିଁ ଏବଂ ଓଡ଼ିଶାର ଶ୍ରମ କର୍ତ୍ତୃପକ୍ଷଙ୍କର ଆନ୍ଧ୍ରପ୍ରଦେଶରେ କୌଣସି କର୍ତ୍ତୃତ୍ୱ ନାହିଁ। ଏହାଛଡ଼ା ଏହି ଗୋତି ଶ୍ରମିକ ଧାରାରେ ଇଟାଭାଟିରେ କାମ କରୁଥିବା ମହିଳା ଏବଂ ଯୁବତୀମାନେ ଯୌନ ନିର୍ଯାତନାର ଶିକାର ହେଉଥିବାର ଘଟଣା ମଧ୍ୟ ଜାଣିବାକୁ ମିଳେ। 

ଝାଡ଼ଖଣ୍ଡର ଗୋଡାରେ ଏକ ଖୋଲା କୋଇଲା ଖଣିରେ ଜଣେ ଏକାକିନୀ ମହିଳା କାଦୁଅ ଏବଂ କୋଇଲା ଗୁଣ୍ଡ ଦେଇ ଯାଉଛନ୍ତି। ଏହି ଅଞ୍ଚଳର ଅନ୍ୟ ମହିଳାମାନଙ୍କ ପରି ସେ ଏହି ବର୍ଜ୍ୟ ଗଦାରୁ କୋଇଲାଗୁଣ୍ଡ ନିଅନ୍ତି, ଯାହାକୁ କି ସେ ଘରୋଇ ଇନ୍ଧନ ଭାବରେ ବିକି କିଛି ଅର୍ଥ ରୋଜଗାର କରିପାରନ୍ତି। ତାଙ୍କ ପରି ଲୋକମାନେ ନଥିଲେ ଏହି କୋଇଲା ସେଠାରେ ଅବ୍ୟବହୃତ ଭାବରେ ପଡ଼ି ରହିଥାନ୍ତ। ତାଙ୍କର କାମ ଦେଶର ଶକ୍ତି ସଞ୍ଚୟ କରୁଛି। କିନ୍ତୁ ଆଇନ ଅନୁଯାୟୀ ସେ ଅପରାଧୀ।

ଛତିଶଗଡ଼ର ସୁରଗୁଜା ଠାରେ ଟାଇଲ୍ ପ୍ରସ୍ତୁତକାରିଣୀ ଜଣକ ରୁହନ୍ତି। ତାଙ୍କ ପରିବାର ଋଣ ସୁଝି ନପାରିବାରୁ ମୁଣ୍ଡ ଉପରର ଛାତ ହରାଇଲା। ସେମାନଙ୍କ ଛାତର ଟାଇଲ୍ ହିଁ ଏକମାତ୍ର ଜିନିଷ ଯାହାକୁ ବିକ୍ରି କରି  କିଛି ଅର୍ଥ ଯୋଗାଡ଼ କରି ସେମାନେ ଋଣର ଗୋଟିଏ କିସ୍ତି ପ୍ରଦାନ କରିବେ। ତେଣୁ ସେମାନେ ତାହା କଲେ। ଏବେ ସେ ପୁରୁଣା ଟାଇଲ୍ ବଦଳରେ ଛପର ପାଇଁ ନୂଆ ଟାଇଲ୍ ତିଆରି କରୁଛନ୍ତି। 

ତାମିଲନାଡ଼ୁର ପୁଡୁକୋଟ୍ଟାଇର ଏହି ପଥର କଟାଳିମାନେ ଖୁବ୍ ଅନନ୍ୟ। ୧୯୯୧ ମସିହାରେ, ପ୍ରାୟ ୪ହଜାର ଗରିବ ମହିଳା ଗୋତିଶ୍ରମିକ ଭାବରେ କାମ କରୁଥିବା ଏଇ ପଥର ଖଣିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ସେ ସମୟର ସ୍ଥାନୀୟ ସରକାରଙ୍କ ପଦକ୍ଷେପ ଏହାକୁ ସମ୍ଭବ କରିଥିଲା। ନୂତନ ଭାବରେ ଶିକ୍ଷିତ ହୋଇଥିବା ମହିଳାମାନଙ୍କର ସମୂହ ପଦକ୍ଷେପ ଏହାକୁ ବାସ୍ତବ କରିଥିଲା। ଏହାପରେ ପଥର ଖଣି ମହିଳାମାନଙ୍କ ପରିବାରର ଜୀବନ ନାଟକୀୟ ଭାବରେ ବଦଳି ଯାଇଥିଲା। ସରକାର ମଧ୍ୟ ଏହି ସନ୍ତୁଷ୍ଟ ନୂତନ ମାଲିକମାନଙ୍କ ଠାରୁ ମୋଟା ଅଙ୍କର ରାଜସ୍ୱ ପାଇପାରିଲେ। କିନ୍ତୁ ଏହି ଧାରା ଉପରେ ଠିକାଦାରମାନଙ୍କର  ଆକ୍ରମଣ ଚାଲିଥିଲା। ଯେଉଁମାନେ କି ଏହି ଅଞ୍ଚଳରେ ବେଆଇନ ପଥର ଖାଦାନ ଚଳାଇଥିଲେ। ଅନେକ କ୍ଷୟକ୍ଷତି ହେଲା। ତଥାପି ଅନେକ ମହିଳା ଉନ୍ନତ ଜୀବନ ପାଇଁ ସେମାନଙ୍କର ସଂଗ୍ରାମ ଜାରି ରଖିଲେ। 

ସୂର୍ଯ୍ୟାସ୍ତ ସମୟରେ ଚିତ୍ରପରି ଦେଖାଯାଉଥିବା ଏହି ମହିଳାମାନେ ଗୋଡ଼ାର ଖୋଲା କୋଇଲା ଖଣିର ଆବର୍ଜନା ଗଦାରୁ ବାହାରି ଆସୁଛନ୍ତି। ସେମାନେ ଗୋଟିଏ ଦିନରେ ଯେତେ କୋଇଲା ସଂଗ୍ରହ କରି ହେବ,ତାହା କରି ନେଇଛନ୍ତି। ମୌସୁମୀ ଆକାଶର ବର୍ଷା ସେମାନଙ୍କୁ ଏହି କୋଇଲା ଆବର୍ଜନା ଓ କାଦୁଅ ମଧ୍ୟରେ ଭିଜେଇ ଦେବା ପୂର୍ବରୁ ସେମାନେ ସ୍ଥାନ ଛାଡ଼ୁଛନ୍ତି। ଏଭଳି ଖଣି ଏବଂ ପଥର ଖାଦାନରେ କାମ କରୁଥିବା ମହିଳାମାନଙ୍କ ସଂଖ୍ୟାର ଔପଚାରିକ ଗଣନା ମୂଲ୍ୟହୀନ। କାରଣ ବେଆଇନ ଖଣି ଏବଂ ଏହା ଆଖପାଖର ବିପଜ୍ଜନକ କାମ କରୁଥିବା ଅନେକ ମହିଳା ଶ୍ରମିକ ଏଥିରୁ ବାଦ୍ ଯାଆନ୍ତି। ଏହି କୋଇଲା ବର୍ଜ୍ୟ ଗଦାରୁ ବାହାରି ଆସୁଥିବା ମହିଳାମାନଙ୍କ ପରି ସେମାନେ ମଧ୍ୟ ଗୋଟିଏ ଦିନର କାମ ଶେଷରେ ୧୦ ଟଙ୍କା ରୋଜଗାର କରିପାରନ୍ତି।

ଏଥିସହିତ ସେମାନେ ମାଇନ୍ ବ୍ଲାଷ୍ଟିଂ ଏବଂ ବିଷାକ୍ତ ଗ୍ୟାସ୍, ପଥର ଗୁଣ୍ଡ ଏବଂ ବାୟୁ ବାହିତ ପ୍ରଦୂଷଣକୁ ସାମ୍ନା କରନ୍ତି। ଅନେକ ସମୟରେ ୧୨୦ଟନ୍ ଡମ୍ପର୍ ଟ୍ରକ୍ ଖଣିର ଶେଷ ଭାଗକୁ ଆସି ଖଣିର ବର୍ଜ୍ୟ କିମ୍ବା ଉପର ମାଟି ଗଦେଇ ଦିଅନ୍ତି ଏବଂ ଏହି ଗରିବ ମହିଳାମାନଙ୍କ ମଧ୍ୟରୁ କେହି କେହି ଏହି ମାଟି ମଧ୍ୟରେ ଥିବା ପରିତ୍ୟକ୍ତ କୋଇଲା ପାଇବାର ଆଶାରେ ସେଠାକୁ ପଶିଯାଆନ୍ତି ଏବଂ ମାଟି ସେମାନଙ୍କ ଉପରେ ଅଜାଡି ହୋଇଯାଏ।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath