‘ଶ୍ରୀ ପ୍ରସନ୍ନଞ୍ଜନେୟର ବୃନ୍ଧାମ୍’ କଣ୍ଢେଇ ନାଚ ଗ୍ରୁପର ମୁଖ୍ୟ ପୁରୁଷ କଳାକାର ଏବଂ ପ୍ରତିଷ୍ଠାତା ରେଖାନରା କୋଟିଲିଙ୍ଗମ୍ କହନ୍ତି, “ଗତବର୍ଷ ମୁଁ ମାତ୍ର ପାଞ୍ଚଟି ସୋ’ କରିଛି।”

୨,୫୦୦ରୁ ଅଧିକ ସୋ” କରିଥିବା ୪୮ ବର୍ଷୀୟ କୋଟିଲିଙ୍ଗମ୍ ଜଣେ ପ୍ରଫେସନାଲ କଣ୍ଢେଇନଚାଳୀ। ୧୨ ବର୍ଷ ବୟସରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ବାପା ବାଲାଜୀଙ୍କ ଦ୍ୱାରା ପରିଚାଳିତ ଟ୍ରୁପରେ ସେ ଗୀତ ଗାଇବା ସହ ମୃଦଙ୍ଗ ବଜାଉଥିଲେ। ୨୫ ବର୍ଷ ତଳେ ସେ ନିଜସ୍ୱ ଦଳ ଗଠନ କରିଥିଲେ।

କୋଟିଲିଙ୍ଗମଙ୍କର ୬୦ ବର୍ଷୀୟ ଭାଇ ରେଖାନରା ହନୁମନ୍ତ ରାଓ ମଧ୍ୟ ତାଙ୍କ ଦଳର ଜଣେ ସଦସ୍ୟ। ସେ କହନ୍ତି, “ମୁଁ ମୋ ବାପାଙ୍କଠାରୁ ଏହି କଳା ଶିଖିଥିଲି, ଯିଏକି ତାଙ୍କ ବାପାଙ୍କଠାରୁ ଏହାକୁ ଶିକ୍ଷା କରିଥିଲେ। ଆମେ କଣ୍ଢେଇନାଚ ପାଇଁ ଆବଶ୍ୟକୀୟ ଉପକରଣ (ଡ୍ରମ, ହାରମୋନିୟମ୍, ମଞ୍ଚସାମଗ୍ରୀ) ଏବଂ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ ଯେପରିକି ବାସନକୁସନ ଏବଂ ଲୁଗାପଟାକୁ ନେଇ ବଳଦଗାଡ଼ିରେ ରଖୁଥିଲୁ ଏବଂ କଣ୍ଢେଇ ନାଚ ପାଇଁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ଯାଉଥିଲୁ।”

କିନ୍ତୁ ଏବେ କେବଳ ହାଇଦ୍ରାବାଦର ରବୀନ୍ଦ୍ର ଭାରତୀ, ଚେନ୍ନାଇର ମାଡ୍ରାସ ବିଶ୍ୱବିଦ୍ୟାଳୟ ଏବଂ ତିରୁପତିର ବ୍ରହ୍ମୋତ୍ସବମ୍ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଳାକାରମାନଙ୍କୁ ସମୟ ସମୟରେ ଡକାଯାଉଛି। 

Rekhanara Kotilingam, Vanaparthi Koteswara Rao and Rekhanara Hanumantha Rao setting up the screen for the puppet show
PHOTO • Rahul Maganti
Rekhanara Kotilingam, Vanaparthi Koteswara Rao and Rekhanara Vemalayya (Left to Right on the stage) Vanaparthi Ramanjuneyamma, Rekhanara Hanumantha Rao and Rekhanara Durgamma (Left to Right). They are standing in front of the screen where the puppets will be tacked on
PHOTO • Rahul Maganti
Rekhanara Kotilingam fixing puppets on the screen just before the performance
PHOTO • Rahul Maganti

ଅଡ୍ଡାଙ୍କି ସହରରେ ଏକ କାର୍ଯ୍ୟକ୍ରମ ପୂର୍ବରୁ କଣ୍ଢେଇନଚାଳୀମାନେ ମଞ୍ଚ ପ୍ରସ୍ତୁତ କରୁଛନ୍ତିରେଖାନରା କୋଟିଲିଙ୍ଗମ୍, ବାଣପାର୍ଥି କୋଟେଶ୍ୱର ରାଓ ଏବଂ ରେଖାନରା ଭିମାଲାୟା (ମଝି, ବାମରୁ ଡାହାଣ, ଉପର) ଏବଂ ବାଣପାର୍ଥୀ ରମାଞ୍ଜୁନେୟମ୍ମା, ରେଖାନରା ହନ୍ତୁମନ୍ତ ରାଓ ଏବଂ ରେଖାନରା ଦୁର୍ଗାମ୍ମା (ମଝି, ବାମରୁ ଡାହାଣ, ତଳ)

ମାର୍ଚ୍ଚ ୧୦, ୨୦୧୮ରେ ସେମାନେ ଅଡ୍ଡାଙ୍କି ସହରରେ ‘ରାମ ରାବଣ ଯୁଦ୍ଧମ୍’ ନାଟକ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ଅଡ୍ଡାଙ୍କି କଳା ପୀଠର ବିଂଶତମ ବାର୍ଷିକୀ ପାଳନ ସମାରୋହରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା। ସେହି ସଂଗଠନ ପ୍ରକାଶମ୍ ଜିଲ୍ଲାରେ ଲୋକକଳାକୁ ପ୍ରୋତ୍ସାହିତ କରିଥାଏ। ରାମ ଏବଂ ରାବଣଙ୍କ ମଧ୍ୟରେ ଯୁଦ୍ଧ ସେହି ନାଟକର ବିଷୟବସ୍ତୁ ହୋଇଥିବାବେଳେ ତାହା ପାପ ଓ ପୁଣ୍ୟର ଲଢ଼ାଇ ଭାବେ ବର୍ଣ୍ଣନା କରାଯାଇଥାଏ। ଏହି ନାଟକକୁ କାର୍ଯ୍ୟକ୍ରମର ଶେଷରେ ରଖାଯାଇଥିଲା। ଯାହାଦ୍ୱାରା କଳାକାରମାନେ ୨ ଘଣ୍ଟାର ନାଟକକୁ ଘଣ୍ଟାଏକୁ କାଣ୍ଟଛାଣ୍ଟ କରିବାକୁ ବାଧ୍ୟ ହୋଇଥିଲେ। ବିଳମ୍ବିତ ରାତି (୧୧ଟାବେଳେ) ପରିବେଷଣ ହୋଇଥିଲେ ମଧ୍ୟ ଉଭୟ ପୁରୁଷ ଓ ମହିଳାମାନେ ତାକୁ ଦେଖିବାକୁ ରହିଥିଲେ। ହାତରେ ବିଡ଼ି ଧରି ଦର୍ଶକଙ୍କ ମଧ୍ୟରେ ସାମିଲ ଥିବା ମାଣିକ୍ୟଲା ରାଓ (୭୪) କହନ୍ତି, “ମୁଁ କଣ୍ଢେଇନାଚ ଦେଖିବାର ବହୁତ ବର୍ଷ ହୋଇଗଲାଣି। ସେଥିପାଇଁ ବିଳମ୍ବିତ ରାତିରେ ପ୍ରଦର୍ଶିତ ହୋଇଥିଲେ ମଧ୍ୟ ଏଠାରେ ଅପେକ୍ଷା କରିଛି।”

କୋଟିଲିଙ୍ଗମଙ୍କର ୧୦ ସଦସ୍ୟବିଶିଷ୍ଟ ଦଳ ଆନ୍ଧ୍ରପ୍ରଦେଶରେ ଥିବା ଅଳ୍ପ କିଛି କଣ୍ଢେଇନଚାଳୀଙ୍କ ମଧ୍ୟରୁ ଅନ୍ୟତମ। ଏହା ସଦସ୍ୟମାନେ ଆର୍ଯ୍ୟକ୍ଷତ୍ରିୟ ସଂପ୍ରଦାୟର ଯାହାକି ମହାରାଷ୍ଟ୍ରରୁ ଉପôତ୍ତି ହୋଇଛି। ସେମାନେ ସମସ୍ତେ କୋଟିଲିଙ୍ଗମଙ୍କର ସଂପର୍କୀୟ। ସେମାନେ ଦକ୍ଷିଣପୂର୍ବ ଆନ୍ଧ୍ରର ଗୁଣ୍ଟୁର ଏବଂ ପ୍ରକାଶମ୍ ଜିଲ୍ଲାର ବିଭିନ୍ନ ଭାଗରେ ରହନ୍ତି। ଅଡ୍ଡାଙ୍କି, ଦାରସୀ ଏବଂ ଓନଗୋଲ ପରି ଛୋଟ ସହରରେ ବୁଲା ବେପାରୀ ବା ଶ୍ରମିକ ଭାବେ କାମ କରନ୍ତି। କୌଣସି କାର୍ଯ୍ୟକ୍ରମ ପାଇଁ ପ୍ରତି ତିନି ବା ଚାରି ମାସରେ ଡକାପଡ଼ିଲେ ସେମାନେ ଏକ ଦଳ ଭାବେ ଭେଟ ହୋଇଥାନ୍ତି।

ସେମାନଙ୍କର ଏହି ବଂଶାନୁକ୍ରମିକ କଳାକୁ ଛତ୍ରପତି ଶିବାଜୀଙ୍କର ମରାଠା ସାମ୍ରାଜ୍ୟ ସହିତ ସଂଯୋଗ କରି ଗ୍ରୁପ୍ର ମୁଖ୍ୟ ମହିଳା କଳାକାର ବାଣପାର୍ଥି ରମାଞ୍ଜୁନେୟମ୍ମା (୪୫) କହନ୍ତି, “ଶିବାଜୀଙ୍କର ଭାଇ ସେରଫୋଜି ଏବଂ ଭେଙ୍କୋଜି ମଦୁରାଇ-ଥାଞ୍ଜାଭୁର ଅଞ୍ଚଳକୁ ୧୭ଶ ଶତାବ୍ଦୀରେ ଆସିଥିଲେ ଏବଂ ଆର୍ଯ୍ୟକ୍ଷତ୍ରିୟ ସଂପ୍ରଦାୟ ଦ୍ୱାରା କଣ୍ଢେଇନାଚ ଭଳି ବିଭିନ୍ନ ପ୍ରକାର କଳାକୁ ପ୍ରୋତ୍ସାହିତ କରିଥିଲେ।”

କୋଟିଲିଙ୍ଗମ୍ ଏବଂ ରମାଞ୍ଜୁନେୟମ୍ମା ଏହାପରେ ସେମାନଙ୍କର ଉପôତ୍ତିର କାହାଣୀକୁ ବର୍ଣ୍ଣନା କଲେ। “ଏକଦା ଜଣେ ଚୋଳ ରାଜାଙ୍କ ପାରିଷଦରେ ଜଣେ ବ୍ରାହ୍ମଣ କମଶାଳୁ (ଏକ ଜାତି: ବର୍ତ୍ତମାନ ଏହା କମ୍ଶାଳି ଭାବେ ଆନ୍ଧ୍ରରେ ପରିଚିତ)ଙ୍କୁ ଘୃଣା କରୁଥିଲେଏବଂ କମଶାଳୁମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ରାଜାଙ୍କ ମନରେ ବିଶ୍ୱାସ ଜନ୍ମାଇବା  ଲାଗି ଏକ କାହାଣୀ ରଚନା କଲେ। ରାଜା କମଶାଳୁମାନଙ୍କ ମୁଣ୍ଡ କାଟ ପାଇଁ ନିର୍ଦ୍ଦେଶ ଦେଲେ। ଯେଉଁ କେତେଜଣ ବଞ୍ଚିଗଲେ ସେମାନେ ଜୀବିକା ହରାଇଲେ ଏବଂ ଜଙ୍ଗଲକୁ ପଳାଇଲେ। ସେଠାରେ ସେମାନେ ମୃତ ପଶୁଙ୍କର ଚମଡ଼ାରେ କଣ୍ଢେଇ ତିଆରି ଆରମ୍ଭ କଲେ। ସେମାନେ ଏହି ଲୋକକଳାକୁ ବିକଶିତ କରିବା ସହିତ ଜୀବିକା ପାଇଁ ଲୋକମାନଙ୍କ ନିକଟରେ ଏହାର ପ୍ରଦର୍ଶନ କଲେ। ଷଡ଼ଯନ୍ତ୍ର କରି ଅନ୍ୟ ଜାତିର ଲୋକମାନେ ମଧ୍ୟ ଏହି କଳା ଶିଖିଲେ। ଛଅମାସ ଧରି ରାମାୟଣ ପ୍ରଦର୍ଶନ କରିବା ମଧ୍ୟରେ ସେମାନେ ପ୍ରତିଶୋଧସ୍ୱରୂପ ରାଜା ଓ ବ୍ରାହ୍ମଣଙ୍କୁ ହତ୍ୟା କରିବା ପାଇଁ ମଞ୍ଚ ନିକଟରୁ ରାଜପ୍ରସାଦ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ତିଆରି କରିବା ଆରମ୍ଭ କଲେ। ପ୍ରଦର୍ଶନର ଅନ୍ତିମ ଦିନରେ ରାମ ରାବଣଙ୍କୁ ହତ୍ୟା କରିବା ସମୟରେ  ସେମାନେ ଉଭୟଙ୍କୁ ହତ୍ୟା କଲେ ଏବଂ ଯେଉଁ ଲୋକମାନେ ଆଗ୍ରହ ସହିତ ଏହି କଳାକୁ ଶିଖିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଏହି କଳାକୁ ଉତ୍ସର୍ଗ କଲେ। ସମୟାନୁକ୍ରମେ ଯେଉଁମାନେ ଏହି କଳାକୁ ପ୍ରଦର୍ଶନ କଲେ ସେମାନେ ଆର୍ଯ୍ୟକ୍ଷତ୍ରିୟ ଭାବେ ପରିଚିତ ହେଲେ।”

ରମାଞ୍ଜୁନେୟମ୍ମା କହନ୍ତି, “ପୂର୍ବରୁ କେତେ ଦିନ ଏବଂ ମାସ ଧରି ପ୍ରଦର୍ଶନ ହେଉଥିଲା। ଏବେ କିନ୍ତୁ ଆମେ ନିଜକୁ ସନ୍ଧ୍ୟା ସୋ’ରେ ସୀମିତ ରଖିଛୁ।”

ଭିଡିଓ ଦେଖନ୍ତୁ: ଏହା ଶେଷ ପ୍ରଦର୍ଶନ ନୁହେଁ

୧୮୭୧ର ‘ଅପରାଧିକ ଆଦିବାସୀ ଆଇନ’ ଅଧୀନରେ ସେହି ସଂପ୍ରଦାୟ କିପରି ଶୋଷିତ ହୋଇଥିଲେ ଏହି କାହାଣୀ ତାହା ବର୍ଣ୍ଣନା କରେ। ଔପନିବେଶିକ ଅଧିକାରୀମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଇନରେ କିଛି ଆଦିବାସୀମାନଙ୍କୁ ପୁରୁଷାନୁକ୍ରମିକ ଭାବେ ଅପରାଧୀ ଆଖ୍ୟା ଦିଆଯାଇଥିଲା ଏବଂ ସର୍ବସାଧାରଣରେ ପ୍ରଦର୍ଶନ ପରି ସେମାନଙ୍କର କାର୍ଯ୍ୟକଳାପକୁ ବେଆଇନ ଭାବେ ଗଣନା କରାଯାଉଥିଲା। ୧୯୫୨ ମସିହାରେ ଭାରତ ସରକାର ସେହି ଆଇନକୁ ଉଚ୍ଛେଦ କଲେ ଏବଂ ସର୍ବସାଧାରଣରେ ସେମାନଙ୍କର ପ୍ରଦର୍ଶନକୁ ଅପରାଧମୁକ୍ତ କଲେ; ଆର୍ଯ୍ୟକ୍ଷତ୍ରିୟମାନେ ଏବେ ପଛୁଆବର୍ଗରେ ସାମିଲ ହୋଇଛନ୍ତି।

ଜାତିଭିତ୍ତିକ ଲୋକକଳା ଉପରେ ପର୍ଯବସିତ ହୋଇଥିବାରୁ ଏବଂ ପାରମ୍ପରିକ ଭାବେ ସବୁଠୁ ତଳ ସ୍ତରର ଦର୍ଶକଙ୍କୁ ଟାର୍ଗେଟ୍ କରିକରାଯାଉଥିବାରୁ ଏହି ନାଟକରେ (ତେଲଗୁ)ପୁରାଣ ଏବଂ ରାମାୟଣ ଓ ମହାଭାରତ ଭଳି ହିନ୍ଦୁ ଧର୍ମଗ୍ରନ୍ଥରୁ କାହାଣୀ ସଂଗ୍ରହ କରି ତାକୁ ବ୍ରାହ୍ମଣବିରୋଧୀ ଆଭିମୁଖ୍ୟ ଦିଆଯାଏ। ପ୍ରତି ନାଟକରେ ୭ରୁ ୧୦ଟି କଣ୍ଢେଇ ଥାଏ, ଯାହାକୁ କି ପ୍ରଦର୍ଶନକାରୀମାନେ ନିଜେ ଛେଳି ଚମଡ଼ାରୁ ତିଆରି କରିଥାନ୍ତି। ଛିଣ୍ଡିଯିବା ପରେ ସେଗୁଡ଼ିକୁ ବଦଳାଇ ଦିଆଯାଏ। କୋଟିଲିଙ୍ଗମ୍ କହନ୍ତି, “ଆମେ ସୁନ୍ଦରାକାଣ୍ଡ, ମହିରାବଣ ଚରିତ୍ର, ଲକ୍ଷଣ ମୂର୍ଚ୍ଛା, ଇନ୍ଦ୍ରଜିତୁଣି ବଧ, କୁମ୍ଭକର୍ଣ୍ଣୁଡ଼ି ବଧ, ପଦ୍ମଭ୍ୟୁହମ୍, ବିରାଟପର୍ବମ୍, କିଚକ ବଧ ଏବଂ ଆହୁରି ଅନେକ ପ୍ରଦର୍ଶନ କରିଛୁ।”

ସୁନ୍ଦରାକାଣ୍ଡକୁ କୋଟିଲଙ୍ଗମ୍ ସବୁଠୁ ଅଧିକ ପ୍ରଦର୍ଶନ କରନ୍ତି। ସେଥିଯୋଗୁ ତାଙ୍କୁ ବହୁତ ପୁରସ୍କାର ମିଳିଥିବାରୁ ତାହା ତାଙ୍କର ଖୁବ୍ ପ୍ରିୟ। ଏହା ରାମାୟଣ ଉପରେ ପର୍ଯ୍ୟବସିତ, କିନ୍ତୁ କଣ୍ଢେଇନାଚ କରାଳୀମାନେ କାହାଣୀକୁ ରାବଣର ଦୃଷ୍ଟିକୋଣରୁ ବର୍ଣ୍ଣନା କରନ୍ତି। ରାବଣକୁ ସେମାନେ କାହାଣୀର ହିରୋ ବା ନାୟକ ଭାବେ ଦର୍ଶାନ୍ତି। 

The background of the stage just before the performance
PHOTO • Rahul Maganti
Rekhanara Kotilingam is being felicitated by Addanki Kalaparishad
PHOTO • Rahul Maganti

ସୋ’ ପାଇଁ ସବୁ ପ୍ରସ୍ତୁତ: କଣ୍ଢେଇ, ହାରମୋନିୟମ୍, ମୃଦଙ୍ଗଡାହାଣ: ଦଳର ମୁଖ୍ୟ ପୁରୁଷ କଳାକାର ଆର କୋଟିଲିଙ୍ଗମଙ୍କୁ ଅଡ୍ଡାଙ୍କି କଳା ପୀଠମ୍ ପକ୍ଷରୁ ପୁରସ୍କୃତ କରାଯାଉଛି। 

ରମାଞ୍ଜୁନେୟମ୍ମା କହନ୍ତି, “ଆଗରୁ ଏହି ପ୍ରଦର୍ଶନ ଦିନ ଦିନ ଏବଂ ମାସ ମାସ ଯାଏ ଚାଲୁଥିଲା। ରାମାୟଣର ମୂଳରୁ ଶେଷ ଯାଏ ସାରିବାକୁ ଛଅ ମାସ ସମୟ ଲାଗେ। ଆମେ କିନ୍ତୁ ଆଉ ସେଭଳି ଦୀର୍ଘ ନାଟକ ପରିବେଷଣ କରୁନାହୁଁ। କାରଣ ଆମେ ପ୍ରଦର୍ଶନ କରୁଥିବା ସ୍ଥାନରେ ପରିବର୍ତ୍ତନ ସହିତ ଯେଉଁମାନଙ୍କ ପାଇଁ ପରିବେଷଣ କରୁଛୁ ତାହା ମଧ୍ୟ ବଦଳିଛି। ୨ରୁ ୩ ଘଣ୍ଟାର ସୋ’ ପାଇଁ ପ୍ରଦର୍ଶନସ୍ଥଳୀକୁ ଦେଖି ଏହି ଦଳକୁ ୧୦,୦୦୦ରୁ ୩୦,୦୦୦ ଟଙ୍କା ମିଳୁଛି।

ବାଲାଜୀ ଟ୍ରୁପ୍ ଯେଉଁଠାରେ ଉଭୟ କୋଟିଲିଙ୍ଗମ୍ ଏବଂ ହନୁମନ୍ତ ରାଓ କଣ୍ଢେଇନଚାଳୀ ଭାବେ ତାଲିମ ନେଇଥିଲେ ତାହା ପ୍ରକାଶମ୍ ଏବଂ ଗୁଣ୍ଟୁର ଜିଲ୍ଲାର ପ୍ରାୟ ୧,୦୦୦ଟି ଗାଁରେ ପରିବେଷଣ କରିଥାଏ। ବ୍ରାହ୍ମଣମାନଙ୍କ ଆଗ୍ରାହରା ପରମ୍ପରା ଭଳି ମିରାସି ବ୍ୟବସ୍ଥା ଅନୁସାରେ ଏହି ଗ୍ରୁପ୍ ପ୍ରତି ଗାଁରେ ମାସେ ବା ଦୁଇମାସ ରହି କଣ୍ଢେଇନାଚ ପରିବେଷଣ କରିଥାନ୍ତି। ପ୍ରତି ଦଳକୁ ସେମାନଙ୍କର ମିରାସି ଅଧୀନରେ ଥିବା ଗାଁରେ ପରିବେଷଣ କରିବାକୁ ସ୍ୱତନ୍ତ୍ର ଅଧିକାର ରହିଥାଏ। ସେମାନଙ୍କର ପ୍ରଦର୍ଶନ ସେହି ଗାଁରେ ସୀମାବଦ୍ଧ ହୋଇଥାଏ।

କୋଟିଲିଙ୍ଗମ୍ କହନ୍ତି, “ ଏହାହିଁ ଆମର ଏକମାତ୍ର ସମ୍ପତ୍ତି। ପୁଅମାନେ(ଝିଅମାନେ ନୁହନ୍ତି) ନିଜ ନିଜ ଭିତରେ ମିରାସୀ ଗାଁଗୁଡ଼ିକୁ ଭାଗ କରିନେଇଛନ୍ତି ଏବଂ ସେମାନେ ନିଜର ଗ୍ରୁପ୍ ଆରମ୍ଭ କରିଛନ୍ତି। କଣ୍ଢେଇନାଚ ପରିବେଷଣ କରି ଆମେ ଯେଉଁ ଟଙ୍କା ଓ ଧାନ ଆଣୁ ତାକୁ ଛାଡ଼ି (ଖାଦ୍ୟ, ବସ୍ତ୍ର, ବାସଗୃହ) ପରି ଆମର ସମସ୍ତ ଆବଶ୍ୟକତାକୁ ଗ୍ରାମବାସୀ ପୂରଣ କରିଥାନ୍ତି”। ସେ ଏବେ ଜଣେ ବୁଲା ବେପାରୀ, ବର୍ଷର ଅଧିକାଂଶ ସମୟରେ କଣ୍ଢେଇ ନାଚ ପରିବେଷଣ ନ କରୁଥିବା ସମୟରେ ସେ ନିଜ ସହର ଅଡ୍ଡାଙ୍କିରେ ଛତା ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରିଥାନ୍ତି। ହନୁମନ୍ତ ରାଓ କଣ୍ଢେଇନାଚ ବ୍ୟତୀତ ଅନ୍ୟ କାମ କରନ୍ତି ନାହିଁ। ରମାଞ୍ଜୁନେୟମ୍ମା ପ୍ରକାଶମ୍ ଜିଲ୍ଲାରେ ଦାରସିରେ ଘରୋଇ ସହାୟିକା ଭାବେ କାମ କରନ୍ତି।

ଲୋକକଳାକାରମାନଙ୍କ ସହିତ ୩୫ ବର୍ଷ ଧରି କାମ କରୁଥିବା ଅଡ୍ଡାଙ୍କିର ଜଣେ ଅବସରପ୍ରାପ୍ତ ତେଲଗୁ ଶିକ୍ଷକ ଏବଂ ସାଂସ୍କୃତିକ କର୍ମୀ ଜ୍ୟୋତି ଚନ୍ଦ୍ରମୌଲି କହନ୍ତି, “ଅଧିକାଂଶ ମହିଳାମାନେ ଏହି କଣ୍ଢେଇ ନାଚ ଦେଖିବାକୁ ଆସୁଥିଲେ। କିନ୍ତୁ ଘରେ ଘରେ ଟିଭି ଆସିଯିବା ପରେ ସେମାନେଧାରାବାହିକ ଦେଖି ଘର ଭିତରେ ଆବଦ୍ଧ ରହିଲେ। “

Rekhanara Kotilingam with his son and daughter in law, showing mementos won by his troupe in front of his house
PHOTO • Rahul Maganti
Two men
PHOTO • Rahul Maganti

ନିଜ ଘର ବାହାରେ ଦଳକୁ ମିଳିଥିବା ପୁରସ୍କାର ସହିତ କୋଟିଲିଙ୍ଗମ୍ (ବାମ): ଦୀର୍ଘ ବର୍ଷ ଧରି ଲୋକ କଳାକାରମାନଙ୍କ ସହିତ କାମ କରିଥିବା ଜ୍ୟୋତି ଚନ୍ଦ୍ରମୌଲି(ଡାହାଣ)। 

ଅଣକୁଶଳୀ କାମ କରିବା ଲାଗି କଣ୍ଢେଇନଚାଳୀମାନେ ବାଧ୍ୟ ହେବାର ଏହା ଅନ୍ୟତମ କାରଣ। କୋଟିଲିଙ୍ଗମଙ୍କର ଚାରି ପିଲାଙ୍କ ମଧ୍ୟରୁ କେହି କଣ୍ଢେଇନାଚ ଶିଖିଲେ ନାହିଁ, ତା’ ବଦଳରେ ଅଡ୍ଡାଙ୍କିର ଆଖପାଖ ଅଞ୍ଚଳରେ ନିର୍ମାଣ କାରଖାନାରେ ଦିନ ମଜୁରିଆ ଭାବେ କାମ କରିବାକୁ ପସନ୍ଦ କଲେ। ହନୁମନ୍ତ ରାଓ ଏବଂ ରମାଞ୍ଜୁନେୟମ୍ମାଙ୍କ ପିଲାମାନେ ମଧ୍ୟ କଣ୍ଢେଇନାଚ ଶିଖିଲେ ନାହିଁ।

ଚନ୍ଦ୍ରମୌଲି କହନ୍ତି, “୧୦ ବର୍ଷ ତଳେ ପ୍ରକାଶମ୍ ଜିଲ୍ଲାରେ ପ୍ରାୟ ଛଅଟି କଣ୍ଢେଇନଚାଳୀଙ୍କ ଦଳ ଏବଂ ୧୫ଟି ଟ୍ରୁପ୍ ରାସ୍ତା କଡ଼ରେ ନାଟକ ପରିବେଷଣ କରୁଥିଲେ। ବର୍ତ୍ତମାନ ଆପଣ କାହାରିକୁ ପାଇବେ ନାହିଁ। ଅନ୍ୟ କିଛି ଲୋକକଳା ଯେପରିକି ନେମାଳି ଆଟା (ମୟୁର ଖେଳ) ଏବଂ ଭୁଟ୍ଟା ବୋମ୍ମାଲୁ(ବାସ୍କେଟରେ ଖେଳନା ରଖି ଖେଳାଇବା) ଏବେ ବିଲୁପ୍ତ ହୋଇସାରିଛି। ନିଜର ଉଦବେଗ ପ୍ରକାଶ କରି କୋଟିଲିଙ୍ଗମ୍ କହନ୍ତି, “ ଏହା କଣ୍ଢେଇନଚାଳୀମାନଙ୍କର ଅନ୍ତିମ ପିଢ଼ି ହେବ। ଏବେଠାରୁ ଆଉ ଦଶ ବର୍ଷ ପରେ ଆପଣମାନେ ଆମ ବିଷୟରେ ଏବଂ ଆମର ପରିବେଷଣ ବିଷୟରେ କେବଳ ବହିରେ ପଢ଼ିବେ ଏବଂ ଫଟୋ ଦେଖିବେ। ପ୍ରକୃତରେ ଦେଖିବାକୁ କିଛି ନଥିବ”।

ହନୁମନ୍ତ ରାଓ କହନ୍ତି, “ପୂର୍ବରୁ ଲୋକମାନେ ଗାଁରେ ଲୋକକଳାକୁ ବଞ୍ଚାଇ ରଖିଥିଲେ। ଏବେ ସରକାର ଆମ ବିଷୟରେ ମୁଣ୍ଡ ଖେଳାଉନାହାନ୍ତି। ଧାର୍ମିକସ୍ଥଳ ଏବଂ ସ୍କୁଲ ନିକଟରେ ଏଭଳି ପରିବେଷଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସେମାନଙ୍କୁ ନିବେଦନ କରିଆସୁଛୁ। କିନ୍ତୁ ସେମାନେ ଶୁଣୁନାହାନ୍ତି। କଳାକାରମାନେ କୌଣସି ସହାୟତା, ଅନୁଦାନ, ପେନସନ୍, ପରିଚୟପତ୍ର ପାଇନାହାନ୍ତି। ସେ କହନ୍ତି, ମାସକୁ ପାଞ୍ଚରୁ ଛଅଟି ସୋ” କଲେ ଆମର ରୋଜଗାର ହେବା ସହିତ ଲୋକକଳା ବଞ୍ଚିପାରିବ। “ହନୁମନ୍ତରାଓ ଏବେ ବି ତାଙ୍କ ପରେ ଏହି ଲୋକକଳା ହଜିଯିବ ନାହିଁ ବୋଲି ଆଶା କରୁଛନ୍ତି।”


ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti