ଏନ. ମୋହନା ରଙ୍ଗନ କହିଲେ, ‘‘ଗୋଟିଏ ବର୍ଷରେ ମୁଁ କେତେଟା କାତି ବିକ୍ରି କରିପାରିବି?’’ କୋଟାଗିରି ସହରର ଏକ ଗଳିରେ ରହିଛି ତାଙ୍କ ଟିଣ ଛାତର କାର୍ଯ୍ୟଶାଳା। ‘‘ଚା ଗଛର ପତ୍ର କାଟିବା ପାଇଁ ସେମାନେ ଛୋଟ ଛୋଟ କାତି ଦରକାର କରନ୍ତି। ଚାଷ ପାଇଁ କିନ୍ତୁ ଲୁହାରେ ତିଆରି ହାତ ଲଙ୍ଗଳ ଓ ବିଦା ଆବଶ୍ୟକ ହୁଏ। କିନ୍ତୁ ଆଜିକାଲି ଚାଷ କମ୍ ଆଉ ଚା ବଗିଚା ଅଧିକ ହେଉଛି। ବେଳେବେଳେ ଶାଳରେ ଖାଲି ବସିବସି ଯାଉଛି, କିଛି କାମ ନାହିଁ.... ’’

୪୪ ବର୍ଷୀୟ ରଙ୍ଗନ ହେଉଛନ୍ତି କୋଟା ଆଦିବାସୀ ସଂପ୍ରଦାୟର ଶେଷ କୋଲେଲ ବା ଲୁହା କାରୀଗରଙ୍କ ମଧ୍ୟରୁ ଜଣେ। ତାମିଲନାଡ଼ୁ ନୀଳଗିରି ଜିଲ୍ଲାର ପୁଡୁ କୋଟାଗିରି ପଡ଼ାରେ ତାଙ୍କ ଘର। କୋଟାଗିରିଠାରୁ ଅଳ୍ପ କେଇ କିଲୋମିଟର ଦୂର। ସେ କହନ୍ତି, ‘‘୨୭ ବର୍ଷ ହେବ ମୁଁ ଏହି କାମ କରୁଛି। ମୋ ପୂର୍ବରୁ ମୋ ବାପା, ମୋ ଜେଜେବାପା ଏବଂ ତାଙ୍କ ବାପା ଓ ଜେଜେବାପାମାନେ ଏଇ କାମ କରୁଥିଲେ।’’ ‘‘କେତେ ପୁରୁଷ ଧରି ଆମ ପରିବାର ଏହି କାମ କରିଆସୁଛି ମୁଁ ଜାଣିନି।’’

କିନ୍ତୁ ଚା’ ବଗିଚା ବଢି ଚାଲିଥିବା ବେଳେ ଅନେକ ପିଢିର ଏହି କାମ ଏବେ କମିବାରେ ଲାଗିଛି- ୧୯୯୫ରୁ ୨୦୦୮ ମଧ୍ୟରେ (ଶେଷ ବର୍ଷର ତଥ୍ୟ ଅନୁସାରେ), ଇଣ୍ଡିଆନ୍ ଟି ଆସୋସିଏସନ୍‌ ତଥ୍ୟ ଅନୁଯାୟୀ ନୀଳଗିରିରେ ଚା’ ଚାଷ ତିନିଗୁଣା ହୋଇଛି। ୨୨,୬୫୧ ହେକ୍ଟରରୁ ବଢି ୬୬,୧୫୬ ହେକ୍ଟର ହୋଇଛି। ଏହାର ଅର୍ଥ ହେଉଛି ଧୀରେ ଧୀରେ ଲୁହା କାରିଗରି ବୃତ୍ତିର ଅନ୍ତ ଘଟିବା।

N. Mohana Rangan beating the red hot iron with his hammer
PHOTO • Priti David
N. Mohana Rangan's tools
PHOTO • Priti David

ଏନ. ମୋହନା ରଙ୍ଗନ: ଦିନେ ଦିନେ ମୁଁ ଶାଳକୁ ଆସେ, କିନ୍ତୁ କିଛି କାମ ନଥାଏ... ’

କୌଣସି ଗ୍ରାହକ ନମିଳିଲେ କେତେ ଦିନ ପର୍ଯ୍ୟନ୍ତ ସେ ତିଷ୍ଠିପାରିବେ- ଏଭଳି ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ତାଙ୍କୁ କଷ୍ଟ ଅନୁଭବ ହେଲା, ‘‘ଜଣେ ଲୁହା କାରିଗରର କାମ କଣ ମୁଁ ଜଣେ। ଆମେ କୋଟାମାନେ ଏହାକୁ କରିଆସୁଛୁ। କିନ୍ତୁ ଦିନ ବଦଳି ଯାଇଛି। ମୋ ପୁଅକୁ ଯଦି ଅନ୍ୟ କେଉଁଠି କାମ ମିଳେ ସେ ଚାଲିଯିବ।’’ ତାଙ୍କ ପୁଅ ବୈଗୁଣ୍ଡ ୧୦ ବର୍ଷର, ଝିଅ ଅନ୍ନପୂର୍ଣ୍ଣିର ବୟସ ୧୩ ବର୍ଷ; ତାଙ୍କ ସ୍ତ୍ରୀ ସୁମତି ଲକ୍ଷ୍ମୀ ଜଣେ ପୂଜକ। ରଙ୍ଗନ ମଧ୍ୟ ଜଣେ ପୂଜକ। ଆଉ ପାରମ୍ପରିକ କୋଟା ପୋଷାକ ପିନ୍ଧନ୍ତି, ଏପରିକି ଲୁହାକାମ କଲାବେଳେ ମଧ୍ୟ।

ରଙ୍ଗନ ପ୍ରାୟ ୩୦ ପ୍ରକାର କାତି ତିଆରି କରିପାରନ୍ତି, ଲଙ୍ଗଳ, ଦାଆ ଏବଂ ଅନ୍ୟାନ୍ୟ କାଟିବା ଯନ୍ତ୍ର; ତାଙ୍କ ଗ୍ରାହକଙ୍କ ଭିତରେ ଅଛନ୍ତି ଚା ବଗିଚାରେ କାମ କରୁଥିବା କୃଷି ଶ୍ରମିକ, କୃଷକ ଏବଂ ଗଛ କଟାଳି। କଂସେଇ ଏବଂ ମାଳିମାନେ ମଧ୍ୟ। ‘‘ବର୍ଷା ଆସିଲେ ଚାଷ କାମ ଆରମ୍ଭ ହେବା ମାତ୍ରେ ହାଟ ଦିନ [ରବିବାର ଓ ସୋମବାର] ଗୁଡ଼ିକରେ ମୋତେ ଅଗ୍ରୀମ ମିଳେ। ଜମି ସଫା କରିବା, ସମତୁଲ କରିବା, ଚା ଗଛ କାଟିବା ଏବଂ ଗଛର ଡାଳ କାଟିକା କାମରେ ମୋ ଯନ୍ତ୍ରପାତି ବ୍ୟବହାର ହୁଏ। ଜୁନରୁ ଡିସେମ୍ବର ପର୍ଯ୍ୟନ୍ତ ମାସକୁ ୧୨,୦୦୦ ଟଙ୍କା ଯାଏଁ ରୋଜଗାର କରିପାରେ। ତା ପରେ ବର୍ଷର ବାକି ସମୟ ଏକ ତୃତୀୟାଂଶକୁ କାମ କମିଯାଏ ବା ତାଠାରୁ ମଧ୍ୟ କମ। ସେତେବେଳେ ଚଳିବା କଷ୍ଟକର ହୁଏ।’’

ଖର୍ଚ୍ଚ କମେଇବାକୁ, ରଙ୍ଗନ ଗୋଟିଏ ହାତ-ଚାଳିତ ପୁଲି ତିଆରି କରିଛନ୍ତି, ଏଥିରେ ନିଆଁକୁ ପବନ ଦିଆଯାଏ। ‘‘କମାର ଶାଳରେ କେବଳ ଜଣେ ଲୋକର କାମ ନିଆଁକୁ ପଙ୍ଖା କରିବା, ଯାହା ଫଳରେ ତାପମାତ୍ରା ବଢିବ ଆଉ ଲୁହା ତରଳିବ। ସାଇକେଲ ଚକାକୁ ପୁଲି ଭଳି ବ୍ୟବହାର କରି ମୁଁ ପଙ୍ଖା ତିଆରି କରିଛି। ଏବେ ମୁଁ ଗୋଟିଏ ହାତରେ ନିଆଁକୁ ପବନ ଦେଉଛି ଏବଂ ଆଉ ଗୋଟିଏ ହାତରେ ଲୁହାକୁ ଧରି ଗରମ କରୁଛି।’’

ଭିଡିଓ ଦେଖନ୍ତୁ: ତାଙ୍କ କୋଟାଗିରି ଶାଳରେ ରଙ୍ଗନ କାମ କରୁଛନ୍ତି

ଚା’ ବଗିଚା ବଢିବା ଫଳରେ ଅନେକ ପିଢିର ଏହି କାମ ଏବେ କମିବାରେ ଲାଗିଛି - ୨୦୦୮ ସୁଦ୍ଧା ନୀଳଗିରିରେ ଚା’ ବଗିଚା ତିନିଗୁଣା ହୋଇଛି।

ତାଙ୍କ ଉଦ୍ଭାବନ ବ୍ୟତୀତ, ଜଣଙ୍କୁ ସହାୟକ ଭାବେ ରଙ୍ଗନ ନିଯୁକ୍ତି ଦେଇଥାନ୍ତି। କିନ୍ତୁ ଅଧିକାଂଶ ସ୍ଥାନୀୟ ଶ୍ରମିକ ଏବେ ଚା ବଗିଚାରେ କାମ କରୁଛନ୍ତି। ଏହା ଛଡା ସେମାନେ ସେଠି ଦିନକୁ ୫୦୦ ଟଙ୍କା ମଜୁରୀ ପାଉଥିବା ବେଳେ ଏତେ ଟଙ୍କା ଦେବାକୁ ରଂଗନ ଅସମର୍ଥ।

ନୀଳଗିରିର ଆଦିବାସୀ ତାଲିକାଭୁକ୍ତ ହୋଇଥିବା କୋଟାମାନେ ପାରଂପରିକ ଭାବେ କାରିଗର। ଏହି ସଂପ୍ରଦାୟରେ ଅଛନ୍ତି ବୁଣାକାର, କୁମ୍ଭାର, କମାର, ବଣିଆ, ବଢେଇ, ରାଜମିସ୍ତ୍ରୀ, ଝୁଡି-କାରିଗର ଏବଂ ଚମଡ଼ା କାରିଗର। ୫୮ ବର୍ଷୀୟ ଆର. ଲକ୍ଷ୍ମଣ ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକ। ଏବେ ସେ କୋଟା ପୂଜାରୀ (ପ୍ରିଷ୍ଟ)। ସେ କହନ୍ତି, ‘‘ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମେ ସବୁ ଆବଶ୍ୟକତା ପୂରଣ କରିପାରୁ, ନୀଳଗିରିରେ ଥିବା (ଅନ୍ୟ ଲୋକଙ୍କ) ଭଳି ଆମର ମଧ୍ୟ ସମାନ ଆବଶ୍ୟକତା। ‘‘ଅନ୍ୟ ସଂପ୍ରଦାୟମାନଙ୍କୁ ଆମେ ନିଜ ହାତ ତିଆରି ଜିନିଷ ବିକ୍ରି କରୁ। ସେମାନେ ଆମକୁ ଲୁହା ଯନ୍ତ୍ରପାତି ବଦଳରେ ଖାଦ୍ୟଶସ୍ୟ ଓ ଶୁଖିଲା ବିନ୍ ଦିଅନ୍ତି। ଅଧିକାଂଶ ଯନ୍ତ୍ରପାତି କୃଷି କାମରେ ଲାଗେ। କିଛି ଫସଲ କାଟିବା ଏବଂ କିଛି ଗଛ କାଟିବାରେ ବ୍ୟବହାର ହୁଏ। ଏହି ପର୍ବତାଞ୍ଚଳରେ ଘର ତିଆରି ପାଇଁ ମୁଖ୍ୟତଃ କାଠ ହେଉଛି ପ୍ରଥମ ଆବଶ୍ୟକତା। ଗଛ କାଟିବା ପାଇଁ ଏବଂ ବିମ୍ ଓ ଖୁଣ୍ଟ ପାଇଁ କାଠକୁ ଲମ୍ବ ପଟରେ ସାଇଜ କରିବାକୁ ଏବଂ କାଠକାମ କରିବାକୁ ଆବଶ୍ୟକ ସବୁ ପ୍ରକାର ଯନ୍ତ୍ରପାତି ଆମେ ତିଆରି କରିଛୁ।’’   

କିନ୍ତୁ ଏବେ, ନୀଳଗିରି ଜିଲ୍ଲାର ୭୦ ପ୍ରତିଶତ ପରିବାର ସ୍ଥାୟୀ ଘର କରିଛନ୍ତି। ଇଟା, ଧାତୁ, ସିମେଣ୍ଟ ଏବଂ କଂକ୍ରିଟରେ ଏହି ଘର ତିଆରି ହେଉଛି। ୨୮ ପ୍ରତିଶତ ଘର ଅର୍ଦ୍ଧ-ସ୍ଥାୟୀ (ବାଉଁଶ, କାଦୁଅ ଏବଂ ଅନ୍ୟ ଜିନିଷରେ ତିଆରି)। କେବଳ ୧.୭ ପ୍ରତିଶତ ଲୋକ ଜଂଗଲଜାତ ଜିନିଷରେ ତିଆରି ଘରେ ରହୁଛନ୍ତି। ଏଥିରେ କମାର କାର୍ଯ୍ୟର ଆବଶ୍ୟକ ପଡ଼େ। ବାସ୍ତବରେ ରଂଗନ ଓ ଲକ୍ଷ୍ମଣ ରହୁଥିବା ପୁଡୁ କୋଟାଗିରିରେ କେବଳ ସିମେଣ୍ଟ ଘର।

Kollel Rangan is also a Kota priest and must wear the traditional Kota dress even while working at his smithy. He is holding a large size sickle and rake once used to clear the hills for agriculture.
PHOTO • Priti David
R. Lakshmanan, 58, a former bank manager and now a Kota pujari (priest).
PHOTO • Priti David

ବାମ: ଚାଷ ପାଇଁ ମୁଣ୍ଡିଆ ସଫା କରିବାରେ ଗୋଟିଏ ଥର ବ୍ୟବହାର ହୋଇଥିବା ଦାଆ ଏବଂ ବିଦା ଧରିଛନ୍ତି ରଂଗନ। ଦକ୍ଷିଣ: ଆର ଲକ୍ଷ୍ମଣ: ‘.... ଚାଷ ଜମିକୁ ଚା ବଗିଚାରେ ପରିବର୍ତ୍ତନ କରିବାକୁ ଆମ ଯନ୍ତ୍ରପାତି ସହାୟତା କରେ, ଏବଂ ଆମ ବୃତ୍ତିକୁ ସଫା କରିପାରେ’  

ରଙ୍ଗନ ତାଙ୍କ ବାପାଙ୍କ ଠାରୁ ଏହି ବିଦ୍ୟା ଶିଖିଛନ୍ତି। ତାଙ୍କର ମନେ ଅଛି ଗୋଟେ ସମୟରେ ତାଙ୍କ ପରିବାର ଆଉ ପାଞ୍ଚ ଜଣ କମାରଙ୍କୁ ନିଯୁକ୍ତି ଦେଇଥିଲା। ସେ ଗର୍ବର ସହ କହନ୍ତି, ‘‘ନୂଆ ନୂଆ ଯନ୍ତ୍ରପାତି ଉଦ୍ଭାବନ କରିବାରେ ମୋ ବାପା ବେଶ୍ ଜଣାଶୁଣା ଥିଲେ। ସେ ଏମିତି ଏକ ଯନ୍ତ୍ର ତିଆରି କରିଥିଲେ ଯାହା ଯେକୌଣସି ଜମିରେ ଚା’ ବୁଦା ରୋପଣ କରିପାରିବ।’’ ଅଧିକାଂଶ ଆଦିବାସୀ ତାଙ୍କ ଚାଷ ଜମିକୁ ଚା’ ବଗିଚା କରି ଦେଇଛନ୍ତି। ମଜାଳିଆ ଢଙ୍ଗରେ ଲକ୍ଷ୍ମଣ କହିଲେ, ‘‘ସେମାନଙ୍କର ଯାହା ଆବଶ୍ୟକ ହୁଏ ଏବଂ ଯାହା ଅଧିକ କିଣନ୍ତି ଏବେ କେବଳ ସେଇସବୁ ଜିନିଷ ତିଆରିରେ ତାଙ୍କର ପାରଙ୍ଗମତା ରହିଛି। ଚାଷ ଜମି ଏବଂ ଜଂଗଲ ଜମିକୁ ଚା’ ବଗିଚା କରିବାରେ ଆମ ଯନ୍ତ୍ରପାତି ବ୍ୟବହାର ହୁଏ। ଏହି କାମ କରି ଏବେ ଆମ ବୃତ୍ତି ଧୋଇ ହୋଇଗଲାଣି।’’

ତଥାପି ବର୍ଷା ଋତୁରେ ରଂଗନ କିଛି ବିକ୍ରିବଟା କରନ୍ତି। କିନ୍ତୁ ବାକି ଦିନ ତାଙ୍କ ପାଖରେ କ୍ୱଚିତ କାମ ଥାଏ। ତେଣୁ ସେଇ କେଇ ମାସ ତାଙ୍କୁ ରୋଜଗାର କରିବାକୁ ପଡ଼େ। ​‌ସେ କହନ୍ତି, ‘‘ଗୋଟିଏ ଦିନରେ କାଠ ବେଣ୍ଟ ସହ ମୁଁ ଦୁଇଟି ବଡ଼ କାତି ବା ଦାଆ [ଗଛ କାଟିବା ପାଇଁ] ତିଆରି କରିପାରିବି। ମୁଁ ତାକୁ [ସମୁଦାୟ] ୧,୦୦୦ ଟଙ୍କାରେ ବିକ୍ରି କରିପାରିବି। ତିଆରି ଖର୍ଚ୍ଚ ପ୍ରାୟ ୬୦୦ ଟଙ୍କା। କିନ୍ତୁ ଦିନକୁ ଦୁଇଟି କାତି ବିକ୍ରି କରିବା ସହଜ ନୁହେଁ, ଏପରିକି ଭଲ ବେପାର ସମୟରେ ମଧ୍ୟ।’’

ଅନିଶ୍ଚିତ ଭବିଷ୍ୟତ ଏବଂ ବେପାର କମିବା ସତ୍ତ୍ୱେ ରଂଗନ ଏହି ବୃତ୍ତି ଛାଡିବାକୁ ପ୍ରସ୍ତୁତ ନୁହନ୍ତି। ‘‘ଯଦିଓ ମୁଁ ବେଶି ପଇସା ପାଉନି, ତଥାପି ଏହି କୋଇଲା, ଲୁହା ଏବଂ ଥେଡ୍ [ନଳ] ସାହାଯ୍ୟରେ ମୋ ଉଦ୍ଭାବନକୁ ନେଇ ମୁଁ ଆନନ୍ଦ ପାଉଛି। ସବୁ ପରେ, ମୁଁ ଏହି କଳା ଜାଣିଛି।’’

ଅନୁବାଦ କରିବାରେ ସହାୟତା ପାଇଁ ମଙ୍ଗଲି ସାନମୁଗମ ଓ ଆର.ଲକ୍ଷ୍ମଣଙ୍କୁ ଏହି ଲେଖକ ଧନ୍ୟବାଦ ଦେବାକୁ ଚାହାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍


ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Priti David

ପ୍ରୀତି ଡେଭିଡ୍ ବେଙ୍ଗାଲୁରୁ ଅଞ୍ଚଳର ଜଣେ ଲେଖିକା, ସଂପାଦିକା ଏବଂ ଶିକ୍ଷୟିତ୍ରୀ। ଲୋକେ ଭୁଲି ଯାଉଥିବା କାହାଣୀ ସଂଗ୍ରହ କରିବା ତାଙ୍କର ରୁଚି, ଏବଂ ସେ ଜଣେ ପରି ସ୍ୱେଛାସେବୀ।

Other stories by Priti David