ବିଜୟୱାଡ଼ା ଜଙ୍କସନ ରେଳ ଷ୍ଟେସନର ୧୦ ନମ୍ବର ପ୍ଲାଟଫର୍ମରେ ପ୍ରାୟ ୧୦ଜଣ ଶ୍ରମିକ ସଂଘମିତ୍ରା ଏକ୍ସପ୍ରେସ୍ ପାଇଁ ଅପେକ୍ଷା କରିଥିଲେ। ଏହି ଏକ୍ସପ୍ରେସ୍ ବେଙ୍ଗାଲୁରୁରୁ ଆସେ ଏବଂ ପାଟନା ପର୍ଯ୍ୟନ୍ତ ଯାଏ। ଏହି ଟ୍ରେନ୍ ସେମାନଙ୍କୁ ବିହାରର ବେଲଗାଛିରେ ଥିବା ସେମାନଙ୍କ ଘରକୁ ନେଇଯିବ। ସେମାନେ ମଧ୍ୟରେ ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ନଗରୀ ଅମରାବତୀକୁ ନିର୍ମାଣ କରିବା ପାଇଁ କେଇମାସ କାମ କରିସାରିଲେଣି। 

୨୪ବର୍ଷ ବୟସ୍କ ମହମ୍ମଦ ଆଲମ୍ କୁହନ୍ତି, ‘‘ଗତ ଅଧଘଣ୍ଟା ମଧ୍ୟରେ ବିଭିନ୍ନ ଟିକେଟ ନିରୀକ୍ଷକ(TEs) ଆମକୁ ତିନିଥର ଟିକେଟ ଦେଖାଇବାକୁ କହିସାରିଲେଣି’’ ପ୍ଲାଟଫର୍ମରେ ଅନେକ ଟିକେଟ ନିରୀକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମତେ କହିଥିଲେ, ‘‘ଏହିଶ୍ରମିକମାନେସାଧାରଣତଃ ଟିକେଟ୍ କିଣନ୍ତି ନାହିଁ। ସେଥିପାଇଁ ଆମେ କେତେକେ ଟ୍ରେନ୍ରେ ଅଧିକ ସଂଖ୍ୟକ ଟିକେଟ ନିରୀକ୍ଷକମାନଙ୍କୁ ନିୟୋଜନ କରିଛୁ। ବିଶେଷ କରି ଯେଉଁଗୁଡ଼ିକ ଉତ୍ତରକୁ କିମ୍ବା ଉତ୍ତର-ପୂର୍ବକୁ ଯାଉଛି। ’’

ପୁର୍ଣ୍ଣିଆ ଜିଲ୍ଲାର ଦାଗାରୁଆ ବ୍ଲକ୍ରେ ଥିବା ନିଜ ନିଜ ଗ୍ରାମକୁ ଫେରୁଥିବା ଶ୍ରମିକମାନେ ଲାର୍ସେନ ଆଣ୍ଡ ଟର୍ବୋ (L & T) ଏବଂ ସାପୁରଜୀ ପାଲୋନଜୀ ପ୍ରାଇଭେଟ ଲିମିଟେଡ୍ ପରି ବଡ଼ବଡ଼ କମ୍ପାନୀ ପାଇଁ କାମ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ଏବଂ ଅନ୍ୟ କେତୋଟି ମିଶି ଅମରାବତୀରଜଷ୍ଟିସ୍ ସିଟି’ (ଏକ ଉଚ୍ଚ ନ୍ୟାୟାଳୟ ପରିସର), ବିଧାୟକମାନଙ୍କ ପାଇଁ ଘର ଏକ ଆଇଏଏସ୍ ଅଫିସର୍ କଲୋନୀ ଏବଂ ଅନ୍ୟ କେତେଗୁଡ଼ିଏ ନିର୍ମାଣ କାର୍ଯ୍ୟ କରୁଛନ୍ତି। 

People cramped in train
PHOTO • Rahul Maganti
men sitting and hanging in the train.
PHOTO • Rahul Maganti
Men sleeping in train.
PHOTO • Rahul Maganti

ବିହାରର ଏହି କ୍ଲାନ୍ତ ଶ୍ରମିକମାନେ ଅମରାବତୀର ନିର୍ମାଣ କ୍ଷେତ୍ରମାନଙ୍କରେ ମାସମାସ ଧରି କାମ କରିବା ପରେ ସଂଘମିତ୍ରା ଏକ୍ସପ୍ରେସ୍ରେ ନିଜ ନିଜ ଘରକୁ ଫେରୁଛନ୍ତି। ଟ୍ରେନ୍ଟିରେ ନିଜ କ୍ଷମତାଠାରୁ ଢେର ଅଧିକ ଯାତ୍ରୀ ଭର୍ତ୍ତି ହୋଇଛନ୍ତି।

ଯେତେବେଳେ ଯାତ୍ରୀ ବୋଝେଇ ଟେନ୍ଟି ଆସି ପହଞ୍ଚିଲା, ଟିକେଟ୍ ନିରୀକ୍ଷକମାନେ ସାଧାରଣ କମ୍ପାର୍ଟମେଣ୍ଟକୁ ଦୌଡ଼ିଲେ। କଡ଼ରେ ଓହଳିଥିବା ଶ୍ରମିକମାନଙ୍କୁ ସେମାନଙ୍କ ଟିକେଟ ଦେଖାଇବାକୁ କହିଲେ। ମଧ୍ୟରେ ଆଲମ୍ ଏବଂ ତାଙ୍କ ସାଙ୍ଗ ସଂଘର୍ଷ କରି ପୂର୍ବରୁ ଭର୍ତ୍ତି ହୋଇଥିବା ବଗି ଭିତରକୁ ପଶିଗଲେ। 

ଆଲମ୍ କହିଲେ, ‘‘ ଗହଳି ଖୁବ୍ ଅଧିକ। ଏଠାକୁ ଆସୁଥିବା ସବୁ ଟ୍ରେନ୍ ଏକଦମ୍ ଭରପୂର। କାରଣ ସେଗୁଡ଼ିକ ହାଇଦ୍ରାବାଦ କିମ୍ବା ବେଙ୍ଗାଲୁରୁ କିମ୍ବା ଚେନ୍ନାଇରୁ ଆରମ୍ଭ ହେଉଛି।’’ ମୁଁ ଆଲମ୍କୁ ପ୍ରଥମେ ଗୁଣ୍ଟୁର ଜିଲ୍ଲାର ଥୁଲୁର ମଣ୍ଡଳର ନେଲାପାଡ଼ୁ ଗ୍ରାମରେ ଥିବା ଏକ ନିର୍ମାଣ କ୍ଷେତ୍ରରେ ଭେଟିଥିଲି। 

ମୁଁ କମ୍ପାର୍ଟମେଣ୍ଟ ଭିତରକୁ ଯାଇ ଯାତ୍ରୀଙ୍କ ସଂଖ୍ୟା ଗଣିବାକୁ ଚେଷ୍ଟା କଲି। ୫୦ଜଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ବଗିରେ ପ୍ରାୟ ୨୦୦ ପ୍ରବାସୀ ଶ୍ରମିକ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଠିକୁ ଆଉଜାଇ କୌଣସିମତେ ଛିଡ଼ା ହୋଇଥିଲେ କିମ୍ବା ତଳେ ବସିଥିଲେ। ଅନ୍ୟମାନେ ସିଟ୍ରେ ଜାକିଜୁକି ହୋଇ ବସିଥିଲେ। 

ଆଲମ୍ର ଭାଇ ୧୯ବର୍ଷ ବୟସ୍କ ମହମ୍ମଦ ରିଜୱାନ କହିଥିଲେ, ‘‘ଆମକୁ ପାଟନାରେ ପହଞ୍ଚିବା ପାଇଁ ୪୦ଘଣ୍ଟା ଏହିପରି ଯାତ୍ରା କରିବାକୁ ହେବ। ସେଠାରୁ ଗାଁକୁ ଯିବା ପାଇଁ ଆମକୁ ପରବର୍ତ୍ତୀ ୧୦ଘଣ୍ଟା ବସରେ ବସିବାକୁ ହେବ। ଆମ ଗାଁର ୨୨ଜଣ ଲୋକ ଅମରାବତୀରେ କାମ କରୁଛନ୍ତି। ସମସ୍ତେ ପରସ୍ପରର ସମ୍ପର୍କୀୟ।’’ ସେ ନିଜ ପାଇଁ ଶୋଇବାର ବ୍ୟବସ୍ଥା କରିନେଇଥିଲେ- ଗୋଟିଏ କମ୍ବଳକୁ ଦୁଇଟି ରଡ୍ ମଝିରେ  ଝୁଲା କରି ବାନ୍ଧି ନେଇ। 

Workers routine
PHOTO • Rahul Maganti

ନିର୍ମାଣ କ୍ଷେତ୍ର ନିକଟରେ ନିର୍ମିତ ହୋଇଥିବା ଅସ୍ଥାୟୀ ଗୃହଗୁଡ଼ିକରେ ପ୍ରତ୍ୟେକ ସନ୍ତସନ୍ତିଆ ଏବଂ ବାୟୁ ଚଳାଚଳ ନଥିବା ଛୋଟ ଛୋଟ କୋଠରିରେ ପ୍ରାୟ ୧୫-୨୦ଜଣ ପ୍ରବାସୀ ଶ୍ରମିକ ରୁହନ୍ତି। 

ଏହି ଶ୍ରମିକମାନଙ୍କୁ ମହମ୍ମଦ ଜୁବେର୍ ନାମକ ଜଣେ କଣ୍ଟ୍ରାକ୍ଟର ଅମରାବତୀକୁ ଆଣିଛନ୍ତି। ଜୁବେର୍ କୁହନ୍ତି, ‘‘ପ୍ରାୟ ୧୦୦ଜଣ ଲୋକ ମୋ ପାଇଁ କାମ କରନ୍ତି। ମୁଁ ଏଲ୍ ଆଣ୍ଡ ଟି ନିର୍ମାଣ ପ୍ରକଳ୍ପ ପାଇଁ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଏପରିକି ନେପାଳ ପାଇଁ ଶ୍ରମିକ ଯୋଗାଏ।’’ ସେ ମଧ୍ୟ ପୁର୍ଣ୍ଣିଆ ଜିଲ୍ଲାର।

ଆଲମ୍  ଏବଂ ରିଜୱାନ ୨୦୧୮ ଜାନୁଆରୀରେ ପ୍ରଥମଥର ପାଇଁ ଅମରାବତୀକୁ ଆସିଥିଲେ। ରିଜୱାନ କୁହନ୍ତି, ‘‘ଆମ ପରିବାରର ଏକର ଜମି ଅଛି, ଯେଉଁଥିରେ ଆମେ ଧାନ ଏବଂ ଗହମ ଚାଷ କରୁ। ଆମେ ଚାରି ଭାଇ। ଆମର ଦୁଇଭାଇ ବାପା-ମାଆଙ୍କ ସହ ସାରାବର୍ଷ ଜମିବାଡ଼ି କଥା ବୁଝନ୍ତି। ୪ମାସ ନିର୍ମାଣ ଶ୍ରମିକ ଭାବେ କାମ କରିବା ପରେ ଆମେ ଫସଲ କଟାଯିବା ସମୟରେ ଫେରିଯାଉ [ଗାଁକୁ] ଏବଂ ଦ୍ୱିତୀୟ ଫସଲ ବୁଣୁ [ ସବୁ କାମ ପରିବାରର ଅଧିକ ସଦସ୍ୟ ଆବଶ୍ୟକ କରେ] ପ୍ରାୟ ଗୋଟିଏ ମାସ ପରେ ଆମେ ପୁଣି ଥରେ ଟ୍ରେନ୍ରେ ଦକ୍ଷିଣକୁ ଆସିବୁ ଏବଂ କଣ୍ଟ୍ରାକ୍ଟର ଯେଉଁଠିକୁ କହିବେ ସେଠାକୁ ଯିବ। ’’ 

ଆଲମ୍ କୁହନ୍ତି, ‘‘ଏତେଦୂର ଯାତ୍ରା କରିବା ଏବଂ ଗାଁଠାରୁ ଦୂରରେ ରହିବା କଷ୍ଟକର ହୋଇଯାଉଛି। ଗୋଟିଏ ସିଫ୍ଟ ସକାଳ ୮ରୁ ରାତି କିମ୍ବା ରାତି ୮ରୁ ସକାଳ ୮।’’ ସେ ଗତ ୬ବର୍ଷ ହେବ ସାମୟିକ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ଏବଂ ଅମରାବତୀ ନିର୍ମାଣ କ୍ଷେତ୍ରରେ ୧୨ଘଣ୍ଟିଆ ସିଫ୍ଟରେ ଦିନକୁ ୩୫୦ ଟଙ୍କା ରୋଜଗାର କରୁଛନ୍ତି। ସେ ଏବଂ ରିଜୱାନର ସେହି ଋତୁ ପାଇଁ ସମୁଦାୟ ଆୟ ସେମାନେ କେତେଦିନ କାମ କରିଛନ୍ତି, ତାହା ଉପରେ ନିର୍ଭର କରେ। 

ଶ୍ରମିକମାନଙ୍କ ଆକଳନ ଅନୁଯାୟୀ ଅମରାବତୀରେ ଏଲ୍ ଆଣ୍ଡ ଟି ଏବଂ ସାପୁରଜୀ ପାଲୋନଜୀ ନିର୍ମାଣ କ୍ଷେତ୍ରଗୁଡ଼ିକରେ ପ୍ରାୟ ୧୦ ହଜାର ଲୋକ କାମ କରନ୍ତି। ଏମାନେ ସମସ୍ତେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆସାମର। 

Workers going to their job.
PHOTO • Rahul Maganti
Boards of development on construction site
PHOTO • Rahul Maganti

ପ୍ରବାସୀମାନଙ୍କ ଆକଳନ ଅନୁଯାୟୀ ସେମାନଙ୍କ ମଧ୍ୟରୁ କେଇହଜାର ଦୁଇଟି ସିଫ୍ଟରେଜଷ୍ଟିସ୍ ସିଟିସମେତ ଅମରାବତୀର ବିଭିନ୍ନ କମ୍ପ୍ଲେକ୍ସ ନିର୍ମାଣ ପାଇଁ କାମ କରୁଛନ୍ତି। 

ଅଧିକାଂଶ ଶ୍ରମିକ ନିର୍ମାଣ କ୍ଷେତ୍ରଗୁଡ଼ିକ ନିକଟରେ ନିର୍ମିତ ହୋଇଥିବା ଅସ୍ଥାୟୀ ଶ୍ରମିକ କଲୋନୀରେ ବାସ କରନ୍ତି ଯାହାକି ସିମେଣ୍ଟ ଏବଂ ଆଜ୍ବେଷ୍ଟସ୍ରେ ତିଆରି। ଆଲମ୍ କୁହନ୍ତି, ‘‘ଗୋଟିଏ ଛୋଟ କୋଠରିରେ ଆମେ ୧୫-୨୦ ଜଣ ରହୁ। ସେଠାରେ ଆମେ ରୋଷେଇ କରୁ ଏବଂ ଖାଉ। ଯେତେବେଳେ ବର୍ଷାହୁଏ, ସମୁଦାୟ କଲୋନୀ ପଙ୍କ ପାଲଟିଯାଏ। 

ଶ୍ରମିକଙ୍କ ମଧ୍ୟରୁ ଅନେକ ନିକଟରେ ଥିବା ଧୂଆଁପତ୍ର ଖଳାରେ ରହିବାକୁ ପସନ୍ଦ କରନ୍ତି। ଯେଉଁଠାରେ ଧୂଆଁପତ୍ରଗୁଡ଼ିକ ଶୁଖାଯାଇ ସଂରକ୍ଷିତ କରାଯାଏ। ସେମାନେ ଏଠାରେ ରହିବା ପାଇଁ ବ୍ୟକ୍ତି ପିଛା ମାସକୁ ୧୦୦୦ ଟଙ୍କା ଦିଅନ୍ତି। ୨୪ବର୍ଷ ବୟସ୍କ ବିବେକ ସିଲ୍ କୁହନ୍ତି, ‘‘ଏହି ଖଳାଗୁଡ଼ିକରେ ବାୟୁ ଚଳାଚଳ ନାହିଁ ଏବଂ ଏକଦମ୍ ଗରମ। କାରଣ ସେଗୁଡ଼ିକ ସେପରି ଭାବରେ ହିଁ ପ୍ରସ୍ତୁତ କରାଯାଇଛି। କିନ୍ତୁ ଶ୍ରମିକ କଲୋନୀଗୁଡ଼ିକ ଆହୁରି ଖରାପ ଏବଂ ଆମେ ଭଲ ଘର ପାଇଁ ଅଧିକ ଅର୍ଥ ଦେଇପାରିବୁ ନାହିଁ। ’’ ବିବେକ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱର ଗ୍ରାମରୁ ଆସିଛନ୍ତି।  ଅମରାବତୀରଜଷ୍ଟିସ୍ ସିଟିନିର୍ମାଣ କ୍ଷେତ୍ରକୁ ଆସିବା ପୂର୍ବରୁ ସେ ୨୦୧୭ ନଭେମ୍ବର ପର୍ଯ୍ୟନ୍ତ ହାଇଦ୍ରାବାଦ ମେଟ୍ରୋ ରେଲ୍ ଲିମିଟେଡ୍ ପାଇଁ ଜଣେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ। ସେ କୁହନ୍ତି, ‘‘ସହରକୁ ପରିବର୍ତ୍ତିତ ହେଉଥିବା ଏସବୁ ଗ୍ରାମରେ କାମ କରିବା ଅପେକ୍ଷା ହାଇଦ୍ରାବାଦ ଖୁବ୍ ଭଲ ଥିଲା। ଆମେ ଛୁଟିଦିନରେ ଚାର୍ମିନାର, ହୁସେନସାଗର ଏବଂ ପାର୍କକୁ ଯାଇପାରୁଥିଲୁ। ଏଠାରେ କିଛି ବି ନାହିଁ। 

ବର୍ଷବର୍ଷ ଧରି ନିର୍ମାଣ କ୍ଷେତ୍ରମାନଙ୍କରେ କାମ କରିବା ସତ୍ତ୍ୱେ ସେମାନେ ଠିକା ଶ୍ରମିକ।  ସେ କୁହନ୍ତି, ‘‘ମୁଁ ରାଜ୍ୟ ସରକାରଙ୍କ କର୍ମଚାରୀ ବୀମା କିମ୍ବା ଭବିଷ୍ୟନିଧି କିଛି ବି ପାଉନାହିଁ, ଓଭର ଟାଇମ୍ ପାଇଁ ଅଧିକ ଅର୍ଥ ବିଷୟରେ ଭୁଲିଯିବା ଉଚିତ୍।’’ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ଅନ୍ୟ ଶ୍ରମିକମାନଙ୍କ ପରି ସେ ସପ୍ତାହରେ ୭ଦିନ ଗୋଟିଏ ସିଫ୍ଟରେ ୧୨ଘଣ୍ଟା ଲେଖାଏଁ କାମ କରୁଛନ୍ତି ଏବଂ ଗୋଟିଏ ଦିନ କାମ ବନ୍ଦ କଲେ ମଜୁରି ହରାଉଛନ୍ତି।

PHOTO • Rahul Maganti
PHOTO • Rahul Maganti

ବିବେକ ସିଂ (ବାମରୁ ଦ୍ୱିତୀୟ) ଏବଂ ଅନ୍ୟମାନେ ଉତ୍ତପ୍ତ ଧୂଆଁପତ୍ର ଖଳାରେ ରହିବାକୁ ପସନ୍ଦ କରନ୍ତି। ଯାହାକୁ କି ସେମାନେ କୁହନ୍ତି, ହାଉସିଂ କଲୋନୀ ଅପେକ୍ଷା ଭଲ। 

ପଶ୍ଚିମବଙ୍ଗର ଅନ୍ୟ ପ୍ରବାସୀମାନେ ଅମରାବତୀରେ ପରିବା ଦୋକାନ କିମ୍ବା ଔଷଧ ଦୋକାନ କରିଛନ୍ତି। ସେମାନେ ଏହି ନିର୍ମାଣାଧୀନ ରାଜଧାନୀ ନଗରୀରେ ପ୍ରଥମ ଉଦ୍ୟୋଗୀ- ଯେମିତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ କହିଥିଲେ, ଇଣ୍ଟରନ୍ୟାସନାଲ୍ କର୍ପୋରେସନ ଏବଂ ସିଙ୍ଗାପୁର ଜାପାନର ଉଦ୍ୟୋଗୀମାନେ ଅମରାବତୀରେ ପ୍ରଥମେ ଅଫିସ୍ ସ୍ଥାପନ କରିବେ ସେମିତି ନୁହେଁ। 

୪୨ବର୍ଷ ବୟସ୍କ ଶୁଭଙ୍କର ଦାସ ଏକ ନିର୍ମାଣ କ୍ଷେତ୍ର ନିକଟରେ ମାସକୁ ୩୦୦୦ ଟଙ୍କା ଭଡ଼ାରେ ଏକ ପ୍ଲଟ ଭଡ଼ା ନେଇ ଛୋଟ ମେଡିସିନ୍ ଦୋକାନ ଚଳାଉଛନ୍ତି। ଶ୍ରୀ ଦାସ କହିଥିଲେ, ଠିକାଦାରମାନେ ଆମକୁ ଏଠାକୁ ଡାକିଛନ୍ତି। କାରଣ ଶ୍ରମିକମାନେ ସ୍ଥାନୀୟ ଭାଷା ବୁଝିପାରୁନାହାନ୍ତି। ସେ ବିହାରର ଶ୍ରମିକମାନଙ୍କ ସହ ହିନ୍ଦୀରେ କଥାବାର୍ତ୍ତା କରନ୍ତି। 

ରଫିକୁଲ୍ ଇସ୍ଲାମ ସଦାର୍  କେଇମାସ ତଳେ ଏକ ନିର୍ମାଣ କ୍ଷେତ୍ର ନିକଟରେ ପରିବା ଦୋକାନ କରିଛନ୍ତି। ୪୮ବର୍ଷ ବୟସ୍କ ସଦାର କୁହନ୍ତି, ‘‘ବଙ୍ଗାଳିମାନେ ଏଠାରେ କାମ କରୁଛନ୍ତି। ସମ୍ପର୍କରେ କେହି ଜଣେ ମୋତେ କହିବା ପରେ ମୁଁ ଏଠାକୁ [କୋଲକାତାରୁ] ଆସିଲି। 

PHOTO • Rahul Maganti
PHOTO • Rahul Maganti

ଶୁଭଙ୍କର ଦାସ ନେଲାପାଡ଼ୁ ବାହାରେ ଏକ ଔଷଧ ଦୋକାନ (ବାମ) ସ୍ଥାପନ କରିଛନ୍ତି, ଏକ ନିର୍ମାଣ କ୍ଷେତ୍ର ନିକଟରେ ରଫିକୁଲ୍ ସଦାର ଏକ ପରିବାର ଦୋକାନ ବସାଇଛନ୍ତି।

ଅମରାବତୀ ସ୍ୱୟଂ ସମ୍ପୂର୍ଣ୍ଣ ରାଜଧାନୀ ନଗରୀ ବିକାଶ ପ୍ରକଳ୍ପ ନିମନ୍ତେ ମାଷ୍ଟର ପ୍ଲାନ୍ ସିଙ୍ଗାପୁରର ନିର୍ମାଣ କମ୍ପାନୀମାନଙ୍କର ଏକ ସଂଘ ପ୍ରସ୍ତୁତ କରିଛି। ୨୦୩୫ ମସିହା ସୁଦ୍ଧା ୩୩. ଲକ୍ଷ ଏବଂ ୨୦୫୦ ମସିହା ସୁଦ୍ଧା ୫୬. ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟରେ ଏହା ପ୍ରତିଶ୍ରୁତି ଦେଇଛି। ୨୦୧୪ ନିର୍ବାଚନ ସମୟରେ ଚନ୍ଦ୍ରବାବୁ ନାଇଡୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ‘‘ରାଜ୍ୟରେ ପ୍ରତ୍ୟେକ ପରିବାରକୁ ଗୋଟିଏ କାମ’’ ନିଶ୍ଚୟ ଯୋଗାଇବୁ। ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ରାଜଧାନୀ ଅଞ୍ଚଳରେ ଗୋଟିଏ ମାତ୍ର ସ୍ଥିର କାର୍ଯ୍ୟ ଉପଲବ୍ଧ, ତାହା ହେଉଛି ନିର୍ମାଣ। 

ଅମରାବତୀ ସମେତ ବିଭିନ୍ନ ସହର ଏବଂ ଏହାର ଯୋଜନା ସମ୍ପର୍କରେ ଗବେଷଣା କରୁଥିବା ଫ୍ରାନ୍ସର ୟୁନିଭରସିଟି ଅଫ୍ ଲିଲେ ଭୂଗୋଳ ଏବଂ ଯୋଜନା ବିଭାଗର ପ୍ରାଧ୍ୟାପକ ଏରିକ୍ ଲେକଲର୍କ କୁହନ୍ତି, ‘‘ଏପରିକି ଏଠାରେ ମିଳୁଥିବା ଛୋଟ କାମ ମଧ୍ୟ ଠିକାରେ। କୌଣସି ଔପଚାରିକ ନିଯୁକ୍ତି ନାହିଁ ଯେଉଁଥିରେ ଶ୍ରମିକ ଆଇନ ଅନୁଯାୟୀ ଶ୍ରମିକମାନେ ଅଧିକାର ଏବଂ ପାରିଶ୍ରମିକ ପାଇବା ପାଇଁ ହକ୍ଦାର। ଏହା ଏକ ପରିବର୍ତ୍ତନ ପର୍ଯ୍ୟାୟ ହୋଇପାରେ। କିନ୍ତୁ ରାଜ୍ୟ ସରକାର ଯେଉଁ ସଂଖ୍ୟା [କର୍ମ]ରେ ସୃଷ୍ଟି କରିବେ ବୋଲି କହୁଛନ୍ତି ତାହା ନିଶ୍ଚିତ ଭାବରେ ଅତିଶୟୋକ୍ତି। ’’

କିନ୍ତୁ ଶ୍ରମିକମାନଙ୍କର ଖୁବ୍ କମ୍ ବିକଳ୍ପ ରହିଛି। ତେଣୁ ସେମାନେ ଅସ୍ଥାୟୀ କାମ ଏବଂ ଋତୁକାଳୀନ ପ୍ରବାସର ଚକ୍ରକୁ ଅବ୍ୟାହତ ରଖିଛନ୍ତି, ଅମଳ ଏବଂ ବିହନ ବୁଣିବା ସମୟରେ ଟ୍ରେନ୍ରେ ଘରକୁ ଫେରିବା ସହ। ବିଜୟଓ୍ୱାଡ଼ାରୁ ବିଶାଖାପଟ୍ଟନମ୍ ପର୍ଯ୍ୟନ୍ତ କରମଣ୍ଡଳ ଏକ୍ସପ୍ରେସ୍ରେ ବଗିରେ ଯାଉଥିବା ଆଉ ଏକ ପ୍ରବାସୀ ଶ୍ରମିକ ଦଳ ମଧ୍ୟ ସଂଘମିତ୍ରା ଏକ୍ସପ୍ରେସ୍ରେ ଯାଉଥିବା ଆଲମଙ୍କ ଦଳ ପରି ଅମରାବତୀ ସମ୍ପର୍କରେ ସେହି ସମାନ ଅନୁଭବ ବୟାନ କରିଛନ୍ତି। ବିହାରର କଟିହାର ଜିଲ୍ଲାରୁ ଆସିଥିବା ୩୦ବର୍ଷ ବୟସ୍କ ବିଜୟ କୁମାର କହିଥିଲେ, ‘‘ଉତ୍ତର-ପୂର୍ବ ବେଙ୍ଗଲ ଏବଂ ବିହାରକୁ ଯାଉଥିବା ସବୁ ଟ୍ରେନ୍ ଏମିତି ଗହଳି। ମୁଁ ପ୍ରଥମ ଥର ପାଇଁ ୨୦୦୯ରେ ବେଙ୍ଗାଲୁରୁରେ ନିର୍ମାଣ ଶ୍ରମିକ ଭାବେ କାମ କରିବା ପାଇଁ ବିହାର ବାହାରକୁ ଆସିଲି। ମୁଁ ହାଇଦ୍ରାବାଦ, କୁର୍ଣ୍ଣୁଲ, କୋଚି ଏବଂ ଆଉ କେତେକ ସ୍ଥାନରେ କାମ କରିସାରିଛି।’’ ସେ ଜଣେ ଦଳିତ, ଭୂମିହୀନ, ୨୦୧୭ ଜୁନ୍ରୁ ଅମରାବତୀରେ କାମ କରୁଛନ୍ତି; ତାଙ୍କର ପତ୍ନୀ, ତିନିବଷର୍ର ଝିଅ ଏବଂ ଏକବର୍ଷ ବୟସର ପୁଅ ଗାଁରେ ଅଛନ୍ତି। 

PHOTO • Rahul Maganti
PHOTO • Rahul Maganti

ଶ୍ରମିକମାନଙ୍କ ପାଇଁ ଥିବା ଅସ୍ଥାୟୀ ହାଉସିଂ କଲୋନୀ ବାହାରେ ଅନ୍ୟ ଛୋଟ ବ୍ୟବସାୟ ଯଥା, ଚାଦୋକାନ, ସେଲୁନ୍, ତେଜରାତି ଦୋକାନ ଆଦି ଗଢ଼ି ଉଠିଛି।

ସେ କୁହନ୍ତି, ‘‘ମୁଁ ଏମିତି ଭିଡ଼ରେ ଯାତ୍ରା କରିବାକୁ ପସନ୍ଦ କରେନି। କିନ୍ତୁ ନିଜ ପରିବାରକୁ କେତେଦିନ ନଦେଖି ରହିପାରିବି?’’ ତାଙ୍କର ପ୍ରାୟ ୩୫ଘଣ୍ଟିଆ ଯାତ୍ରାରେ ୨୫ବର୍ଷ ବୟସ୍କ ସମ୍ପର୍କୀୟ ଭାଇ ମନୋଜ କୁମାର ହିଁ ସାଥୀ। ସେ ମଧ୍ୟ ୨୦୧୭ ଜୁନ୍ରୁ ଅମରାମତୀରେ କାମ କରୁଛନ୍ତି। ଲଗେଜ୍ ଡେକ୍ ସାମ୍ନାରେ ପରସ୍ପର ବିପରୀତରେ ବସି ଏକ ଟାଓ୍ୱେଲକୁ ଟେବୁଲ୍ ଭଳି ରଖି ସେମାନେ ତାସ ଖେଳିବା ଆରମ୍ଭ କରିଛନ୍ତି। 

ସେତେବେଳେ ପାଖରେ ଏକ ପାଟିତୁଣ୍ଡ ଶୁଣାଗଲା। ଜଣେ ଯାତ୍ରୀ ଗଡ଼ିପଡ଼ିଥିବା ଜଣେ ଯୁବକଙ୍କ ଉପରେ ଚିତ୍କାର କରୁଥିଲେ ଏବଂ କହୁଥିଲେ ଯେ ବସିପଡ଼ ଏବଂ କିଛି ସ୍ଥାନ ଦିଅ। କ୍ଲାନ୍ତ ଯୁବକ ଜଣଙ୍କ ଉତ୍ତର ଦେଲେ, ‘‘ଯାହା କରୁଛ କର, ମୁଁ କିନ୍ତୁ ଘୁଞ୍ଚିବିନି।’’ ବିଜୟ ହସ୍ତକ୍ଷେପ କଲେ, ‘‘ଭାଇ, ଆମକୁ ଆଉ ୩୦ଘଣ୍ଟା ଏକାଠି ଯାତ୍ରା କରିବାକୁ ହେବ। ଆମେ ଖାପ ଖୁଆଇ ନେବା ଉଚିତ୍। ତାଙ୍କୁ ଟିକେ ସ୍ଥାନ ଦିଅ। ଯେତେବେଳେ ତୁମେ ଆବଶ୍ୟକ କରିବ ଲୋକମାନେ ତୁମକୁ ମଧ୍ୟ ସ୍ଥାନ ଦେବେ।’’ ଯୁବକ ଜଣଙ୍କ ବସିଲେ, ଅନ୍ୟ ଦୁଇଜଣ ବସିବା ପାଇଁ ସ୍ଥାନ ବାହାରିଲା। 

ମୁଁ ଛଅ ଘଣ୍ଟା ପରେ ବିଶାଖାପଟନମ୍ରେ ଟ୍ରେନ୍ରୁ ଓହ୍ଲାଇଲି, ଭିଡ଼ ଏବଂ ଅଣନିଶ୍ୱାସୀ ହେବା ଯୋଗୁ ଏହି ଯାତ୍ରା ଅବ୍ୟାହତ ରଖିପାରିଲି ନାହିଁ। କିନ୍ତୁ ବିଜୟ, ଆଲମ୍ ଏବଂ ଅନ୍ୟମାନଙ୍କୁ ବିଶ୍ରାମ ପାଇବା ପାଇଁ ଘରେ ପହଞ୍ଚିବା ନିମନ୍ତେ ୨୪ଘଣ୍ଟାରୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ହେବ। 


ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ରହୁଥିବା ରାହୁଲ ମାଗାନ୍ତି ଜଣେ ସ୍ୱାବଲମ୍ବୀ ସାମ୍ବାଦିକ ଏବଂ 2017ର PARI ଫେଲୋ।

Other stories by Rahul Maganti