୩୦ ବର୍ଷ ବୟସ୍କ ପ୍ରଭାକର ଚଭହଲ, ତାଙ୍କ ଦାଦା ୫୫ବର୍ଷ ବୟସ୍କ ଶିବାଜୀ ଚହଲଙ୍କଠାରୁ କଷ୍ଟକର ସମୟ ଦେଖୁଛନ୍ତି। ଉଭୟ ମରାଠାଓ୍ୱାଡାର ପର୍ଭାଣୀ ଜିଲ୍ଲାର ମୋରେ ଗାଁଓର ଚାଷୀ। ଉଭୟ ମୁଖ୍ୟତଃ କପା ଚାଷ କରନ୍ତି। କିନ୍ତୁ ଯେତେବେଳେ ଶିବାଜୀଙ୍କର କପା ବହୁ ବର୍ଷ ପର୍ଯ୍ୟନ୍ତ ଏକ ଅର୍ଥକରୀ ଫସଲ ହୋଇଥିଲା, ପ୍ରଭାକରଙ୍କର ସେହି ସମାନ ଫସଲ ଆଉ ଅଧିକ ଅର୍ଥ ଆଣୁନାହିଁ।

ଚହଲମାନେ କେବଳ ଏକୁଟିଆ ନୁହଁନ୍ତି। ମରାଠାଓ୍ୱାଡାର ପର୍ଭାଣୀ, ହିଙ୍ଗୋଳି ଏବଂ ଔରଙ୍ଗାବାଦ ଜିଲ୍ଲାରେ ବିଶାଳ କପା କ୍ଷେତ୍ର ରହିଛି- ଏହା ପ୍ରାୟ ୧୭.୬୦ ଲକ୍ଷ ହେକ୍ଟର ବୋଲି ରାଜ୍ୟ କୃଷି ବିଭାଗ ସୂଚନା ଦେଇଛି। ଏହି ଫସଲ ଯଅ, ହରଡ଼, ସୋୟାବିନ୍‌ ପରି ଖାଦ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଇ ଆସୁଥିଲା- ସେହି କାରଣରୁ କପାକୁ ‘ଅର୍ଥକରୀ’ ଫସଲ କୁହାଯାଉଥିଲା। କିନ୍ତୁ ବର୍ଷ ପରେ ବର୍ଷ କପାର ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି। ଯେତେବେଳେ କି ଲାଭ ପ୍ରାୟ ସମାନ ରହିଛି ଫଳରେ କପା ନାମକୁ ମାତ୍ର ଅର୍ଥକରୀ ଫସଲ ହୋଇରହିଛି।

ପ୍ରଭାକର ପରିସ୍ଥିତିକୁ ବିଶଦ ଭାବରେ ବ୍ୟାଖ୍ୟା କରନ୍ତି। ସେ ଗୋଟିଏ କାଗଜ କାଢ଼ନ୍ତି, ଯେଉଁଥିରେ କି ସେ ଗୋଟିଏ ଏକର କପା ଚାଷ ପାଇଁ କରିଥିବା ସମସ୍ତ ଖର୍ଚ୍ଚ ଲେଖିଛନ୍ତି- ଗୋଟିଏ ବ୍ୟାଗ୍‌ ବିହନ ପାଇଁ ଟ. ୮୦୦, ଜୁନ୍‌ ମାସର ମଝିଆମଝି ବୁଣିବା ସମୟ ପୂର୍ବରୁ ଜମି ପ୍ରସ୍ତୁତି ପାଇଁ ଶ୍ରମିକମାନଙ୍କୁ ଟ ୧,୧୦୦ ମଜୁରୀ ଭାବରେ ଏବଂ ବିହନ ବୁଣିବା ସମୟରେ ଆଉ ଟ. ୪୦୦। ଯଦି ମୌସୁମୀ ବର୍ଷା ଭଲ ହେବ ସେ ତିନୋଟି ପର୍ଯ୍ୟାୟରେ ଅନାବନା ବାଛିବା ଆବଶ୍ୟକ କରିବେ, ଯାହାକି ମଜୁରୀ ଭାବରେ ଆଉ ଟ. ୩୦୦୦ ଖର୍ଚ୍ଚ କରାଇବ। ଉର୍ବରକ? ଆଉ ଟ ୩୦୦୦। କୀଟନାଶକ ପାଇଁ ଟ. ୪୦୦୦। ଅମଳ ଖର୍ଚ୍ଚ ଟ. ୫୦୦୦ ହେବ।

ଏବଂ ଏହା ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଶେଷ ପ୍ରତିବନ୍ଧକ ହେଉଛି ବଜାରରେ ବିକ୍ରି କରିବା, ଯାହାର ଖର୍ଚ୍ଚ ଅମଳ ପିଛା ଟ. ୩୦୦୦, ଏଥିରେ ପରିବହନ ଏବଂ ବ୍ୟବସାୟୀଙ୍କୁ ଦେଉଥିବା କମିଶନ ମଧ୍ୟ ରହିଛି।

ପ୍ରଭାକର କୁହନ୍ତି, ‘‘ଏସବୁ ମିଶାଇଲେ ଏକର ପିଛା ଟ.୨୦,୩୦୦ ପ୍ରାୟ ହେବ’’। ଚଳିତବର୍ଷ ନଭେମ୍ବର, ଡିସେମ୍ବରରେ ସେ ତାଙ୍କ କପା ଅମଳ କରିବା ସମୟରେ ଆଶା କରାଯାଉଥିବା ବଜାର ଦର ଥିଲା କ୍ୱିଣ୍ଟାଲ ପିଛା ଟ. ୪,୩୦୦ (ଗତବର୍ଷ ଏହା ଟ. ୪,୦୦୦ ଥିଲା)। ସେ କୁହନ୍ତି ‘‘ଆୟ (ସବୁ ଖର୍ଚ୍ଚ ପରେ) ୩୪,୮୦୦ଟଙ୍କା।’’ ଅର୍ଥାତ୍ ଆଠ ମାସର କଠିନ ପରିଶ୍ରମ ଏବଂ ନିବେଶ ଏକର ପିଛା ମାତ୍ର ୧୪,୫୦୦ଟଙ୍କା। ଏବଂ ଏହା ପରେ ଚହଲମାନଙ୍କୁ ପାଣି ପମ୍ପ ଏବଂ ବୋରଓ୍ୱେଲ୍‌ ପାଇଁ ବିଦ୍ୟୁତ ବିଲ୍‌ ଦେବାକୁ ହେବ ଏବଂ ତାଙ୍କ ଛଅଟି ଗାଈ ପାଇଁ ମାସକୁ ଟ. ୧୪,୦୦୦ରୁ ଅଧିକ ଖର୍ଚ୍ଚ କରିବାକୁ ହେବ।

Shivaji Chavhal in his nephews farm
PHOTO • Parth M.N.

ପନ୍ଦରବର୍ଷ ତଳେ,  ମୋରେଗାଓଁର ଶିବାଜୀ ଚହଲ ଟ.୫,୦୦୦ରେ ଏକରରେ କପା ଚାଷ କରିଥିଲେ, ଏବେ ତାଙ୍କ ପୁତୁରା ପ୍ରଭାକର ଏକର ପିଛା ଟ. ୨୦,୩୦୦ ଖର୍ଚ୍ଚ କରୁଛନ୍ତି।

ପ୍ରାୟ ୧୫ବର୍ଷ ତଳେ, ଶିବାଜୀ ଚହଲ ଟ. ୪,୫୦୦-୫,୦୦୦ରେ ଏକରରେ କପା ଚାଷ କରିପାରିଥିଲେ। ବର୍ତ୍ତମାନର ଖର୍ଚ୍ଚ ତୁଳନାରେ କୀଟନାଶକ, ଉର୍ବରକ ଏବଂ ବିହନର ଦାମ୍‌ ଅଧାରୁ କମ୍‌ ଥିଲା। କୃଷି ଶ୍ରମିକମାନଙ୍କର ଦିନ ମଜୁରୀ ମଧ୍ୟ ଦୁଇଗୁଣ ହୋଇଯାଇଛି। ବିଦ୍ୟୁତ୍‌ ଦାମ୍‌ ମଧ୍ୟ ବଢ଼ି ଯାଇଛି।

ପ୍ରଭାକରଙ୍କ ତାଙ୍କ ଦାଦା ଶିବାଜୀଙ୍କ ସମେତ ୧୫ଜଣିଆ ସଂଯୁକ୍ତ ପରିବାରର ପ୍ରାୟ ୩୦ ଏକର ଚାଷ ଜମି ରହିଛି। ସେ ମଧ୍ୟରୁ ୧୫ ଏକର ଆଗରୁ କପା ପାଇ ସଂରକ୍ଷିତ ରହୁଥିଲା। ଗତ ୪ବର୍ଷରେ ସେମାନେ ଏହାକୁ ୭-୮ଏକରକୁ କମ୍‌ କରିଦେଲେଣି। କପା ବଦଳରେ ସେମାନେ ହରଡ଼, ମୁଗ, ବୁଟ ଏବଂ ସୋୟାବିନ୍ ପରି ଖାଦ୍ୟଶସ୍ୟ ଚାଷ କରୁଛନ୍ତି।

କପା ଏକ ତୃଷାର୍ତ୍ତ ଫସଲ, ଏହା ଖାଦ୍ୟ ଫସଲ ତୁଳନାରେ ଅଧିକ ପାଣି ଆବଶ୍ୟକ କରିଥାଏ। ମରଠାଓ୍ୱାଡାରେ ୨୦୧୨-୨୦୧୫ ପର୍ଯ୍ୟନ୍ତ ଚାରି ବର୍ଷର ମରୁଡ଼ି କପା ଅମଳ ଉପରେ ଆତଙ୍କ ସୃଷ୍ଟି କରିଥିଲା। ଚଳିତବର୍ଷ ମଧ୍ୟ ବର୍ଷା ଅନିୟମିତ ହୋଇଛି। ଶୁଷ୍କ ବର୍ଷଗୁଡ଼ିକ କୃଷକମାନଙ୍କୁ ବୋରଓ୍ୱେଲ ଖୋଳିବା, ପାଣି ଟ୍ୟାଙ୍କର କିଣିବା କିମ୍ବା କୂଅ ଖୋଳିବା ଦ୍ୱାରା ଜଳସେଚନରେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ କରିଛି।

କିନ୍ତୁ କପାର ଦାମ୍‌ ଏହି ଅନୁପାତରେ ବୃଦ୍ଧି ପାଇନାହିଁ। ଚହଲ କୁହନ୍ତି, ‘‘ଏକ କ୍ୱିଣ୍ଟାଲ କପା ପାଇଁ ବଜାର ଦର ପ୍ରାୟ ୨,୦୦୦ ଟଙ୍କା ଥିଲା [୧୫ବର୍ଷ ତଳେ]।’’ “ଗୋଟିଏ ଏକରରୁ ଆଠ କ୍ୱିଣ୍ଟାଲ ଅମଳ ହେବାର ଅର୍ଥ ଥିଲା ୧୬,୦୦୦ଟଙ୍କା। ସେତେବେଳେ ଲାଭ ପ୍ରାୟ ଥିଲା ୧୧,୦୦୦ - ବର୍ତ୍ତମାନ ୧୫ ବର୍ଷ ପରେ ଆମେ ଯେତିକି ପାଉଛୁ ତା’ଠାରୁ ମାତ୍ର ୩,୦୦୦ ଟଙ୍କା କମ୍‌।’’

ବିଭିନ୍ନ କାରଣ ଯୋଗୁଁ ମୂଲ୍ୟ କମ୍‌ ହେଉଛି, ଏ ମଧ୍ୟରେ ରହିଛି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିର୍ଦ୍ଧାରଣ କରିବା ସମୟରେ କ୍ରମବର୍ଦ୍ଧିଷ୍ଣୁ ନିବେଶ ଖର୍ଚ୍ଚ ବିବେଚନା କରିବା ନିମନ୍ତେ ସରକାରଙ୍କ ଅସହମତି। ବୟସ୍କ କୃଷକ ନେତା ବିଜୟ ଜବନ୍ଦିଆ କୁହନ୍ତି, ଅନ୍ୟ କାରଣ ହେଉଛି- ଆମେରିକୀୟ କପା ଚାଷୀଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ବଜାରରେ କପାର ଦରକୁ ରିହାତି ପ୍ରଦାନ କରାଯାଇଛି। ଯାହାକି ଭାରତରେ ଏକ ଅସ୍ଥିର ଘରୋଇ ଦରକୁ ନକରାତ୍ମକ ଭାବରେ ପ୍ରଭାବିତ କରିଛି। ସେ କୁହନ୍ତି, ‘‘ଯଦିଓ ଉଭୟ ଆଖୁ ଏବଂ କପା ଅର୍ଥକରୀ ଫସଲ, ସେଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ପ୍ରୟୋଗ କରାଯାଏ।’’ “ଯେତେବେଳେ ବଜାରରେ ଭରପୂର ହୋଇଯାଏ ସେତେବେଳେ ଚିନି ରିହାତି ସହ ରପ୍ତାନୀ କରାଯାଏ ଯାହା ଫଳରେ ଏହା ମୂଲ୍ୟକୁ ଅଧିକ ପ୍ରଭାବିତ କରେ ନାହିଁ। କପା ରପ୍ତାନୀ ପାଇଁ ସେମିତି କୌଣସି ରିହାତି ନାହିଁ। ସେମିତି ଚିନି ଉପରେ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଥିବା ବେଳେ କପା ଉପରେ କୌଣସି ଆମଦାନୀ ଶୁଳ୍କ ନାହିଁ।’’

ଚହଲ କୁହନ୍ତି, ‘‘ଆଜିର ଖର୍ଚ୍ଚଗୁଡ଼ିକୁ ଦେଖନ୍ତୁ, ସେଗୁଡ଼ିକ ଭୀଷଣ ଭାବରେ ବଢ଼ିଯାଇଛି।’’ “ଚାକିରିଆ ଲୋକ [ଯେମିତିକି ଶିକ୍ଷକ, ସରକାରୀ କର୍ମଚାରୀ କିମ୍ବା ବ୍ୟାଙ୍କ ଅଧିକାରୀ]ଙ୍କ ଦରମାରେ ବୃଦ୍ଧିକୁ ମଧ୍ୟ ଦେଖନ୍ତୁ ଏବଂ ତାହାକୁ ଆମର ଗ୍ରାଫ୍‌ ସହ ତୁଳନା କରନ୍ତୁ। ଏହା ଠିକ୍‌ କି?’’

କପା ଚାଷୀମାନେ ଦର ବୃଦ୍ଧି ଏବଂ ସ୍ଥିର ଲାଭ ମଧ୍ୟରେ ପେଶି ହୋଇଯାଉଥିବା ବେଳେ ଗୋଟିଏ ଜରୁରୀ ସ୍ୱାସ୍ଥ୍ୟ ପରିସ୍ଥିତି, ପରିବାରରେ ଗୋଟିଏ ବିବାହ କିମ୍ବା ଏପରିକି ସ୍କୁଲ ଦେୟଗୁଡ଼ିକରେ ବୃଦ୍ଧି ସେମାନଙ୍କୁ ଗୋଟିଏ ବ୍ୟାଙ୍କ ଋଣ ପାଇଁ ଆବେଦନ କରିବାକୁ ବାଧ୍ୟ କରୁଛି। କିମ୍ବା ଆହୁରି କଦର୍ଯ୍ୟ ହେଉଛି ଘରୋଇ ସାହୁକାରଙ୍କୁ ଅନୁରୋଧ କରିବା, ଯେଉଁମାନେ କି ସାଧାରଣତଃ ମାସିକ ୫ ପ୍ରତିଶତ ସୁଧ ନେଇଥାନ୍ତି।

PHOTO • Parth M.N.

ପ୍ରଭାକର ଚହଲଙ୍କ ପରିବାର କପା ପାଇଁ ଥିବା ଏକରଗୁଡ଼ିକୁ କମ୍‌ କରିଦେଇଛନ୍ତି, ଏହା ବଦଳରେ ଖାଦ୍ୟ ଫସଲ ଯଥା ହରଡ଼, ମୁଗ, ଚଣା ଏବଂ ସୋୟାବିନ୍‌ ଚାଷ କରୁଛନ୍ତି

ପ୍ରଭାକର ଚହଲ ତାଙ୍କ ଦୁଇ ଭଉଣୀଙ୍କୁ ବିବାହ ପାଇଁ  ଗୋଟିଏ ୮ଲକ୍ଷ ଟଙ୍କାର ବ୍ୟାଙ୍କ ଋଣରୁ ଖର୍ଚ୍ଚ କରିଛନ୍ତି। ଏହା ମଧ୍ୟରୁ ଅଧିକାଂଶ ୨୦୧୨-୧୫ ମରୁଡ଼ି ବର୍ଷଗୁଡ଼ିକ ସମୟରେ ନିଆଯାଇଥିଲା। ଏହି ଅର୍ଥରୁ କିଛି ଏହି କଷ୍ଟକର ବର୍ଷଗୁଡ଼ିକରେ ପରିବାର ଚଳାଇବାରେ ମଧ୍ୟ ସାହାଯ୍ୟ କରିଥିଲା। କିନ୍ତୁ ଯେହେତୁ ରାଜ୍ୟ ସରକାରଙ୍କ ନିକଟତମ ଋଣ ଛାଡ଼ର ସୀମା ଥିଲା ଟ.୧.୫.ଲକ୍ଷ। ପ୍ରଭାକରଙ୍କ ପରିବାର ଋଣ ଛାଡ଼ ପାଇଁ ଯୋଗ୍ୟ ହେଲେ ନାହିଁ। ସେ କୁହନ୍ତି, ‘‘ମୋର ଘରୋଇ ସାହୁକାରଙ୍କଠାରୁ କୌଣସି ଋଣ ନାହିଁ କିନ୍ତୁ ଏହା କେତେଦିନ ପର୍ଯ୍ୟନ୍ତ ରହିବ?’’

୨୦୦୬ ମସିହାରେ, ସ୍ୱାମିନାଥନ କମିଶନ ଯାହାକି, କଂଗ୍ରେସ ସରକାରଙ୍କ ନିର୍ଦ୍ଦେଶରେ କୃଷି ବିପର୍ଯ୍ୟୟ ଆକଳନ କରିବା ଏବଂ ସମାଧାନ ଆଣିବା ନିମନ୍ତେ ସ୍ଥାପିତ ହୋଇଥିଲା ଏହା ନିଜର ରିପୋର୍ଟ ଦାଖଲ କରିଥିଲା। ଏହାର ଗୁରୁତ୍ୱପୂର୍ଣ୍ଣ ମତାମତ ମଧ୍ୟରୁ ଗୋଟିଏ ଥିଲା ଯେ କେନ୍ଦ୍ର ସରକାର କୃଷକମାନଙ୍କ ନିମନ୍ତେ ଏକ ଏମ୍‌ଏସ୍‌ପି ପ୍ରଦାନ କରନ୍ତୁ, ଯାହାକି ଉତ୍ପାଦନ ଖର୍ଚ୍ଚ ଏବଂ ଏହାର ୫୦ ପ୍ରତିଶତର ମିଶ୍ରଣ ହେବ। କିନ୍ତୁ ସରକାର କିଛି କଲେ ନାହିଁ। ୨୦୧୪ ମସିହାରେ ବିରୋଧୀ ଭାରତୀୟ ଜନତା ପାର୍ଟି କୃଷିବହୁଳ କ୍ଷେତ୍ରଗୁଡ଼ିକରେ ଏହି ରିପୋର୍ଟ କାର୍ଯ୍ୟକାରୀ କରିବାର ପ୍ରତିଶ୍ରୁତି ଜୋର୍‌ଦାର ପ୍ରଚାର କଲେ। କିନ୍ତୁ କ୍ଷମତାକୁ ଆସିବା ପରେ ରିପୋର୍ଟର ଅନୁମୋଦନଗୁଡ଼ିକ ଲାଗୁ କଲେ ନାହିଁ।

ପର୍ଭାଣୀରେ ଥିବା ସାମ୍ବାଦିକ ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଆଶାରାମ ଲୋମ୍‌ତେ କୁହନ୍ତି, କପାଚାଷ କରୁଥିବା ଚାଷୀମାନଙ୍କ ପାଇଁ ବୁଟ କିମ୍ବା ସୋୟାବିନ ଉପଯୁକ୍ତ ବିକଳ୍ପ ନୁହେଁ କାରଣ ଏହି ଫସଲଗୁଡ଼ିକୁ ଉପଯୁକ୍ତ ଏମ୍‌ଏସପି ପ୍ରଦାନ କରାଯାଏ ନାହିଁ ଏବଂ ଏସବୁ ଖାଦ୍ୟ ଫସଲରୁ ମିଳୁଥିବା ଲାଭ ତୁଳନାତ୍ମକ ଭାବେ କମ୍‌।

ଏହାବ୍ୟତୀତ ୧୫ବର୍ଷ ତଳେ ଭାରତରେ ଆରମ୍ଭ ହୋଇଥିବା ବିଟି କଟନ ଯାହା, ବଲଓ୍ୱାର୍ମ ପ୍ରତିରୋଧୀ ଭାବରେ ଆନୁବଂଶିକ ଭାବରେ ପରିବର୍ତ୍ତନ ହୋଇଛି, ଏବେ ତାହା ମଧ୍ୟ କୀଟନାଶକ ଆବଶ୍ୟକ କରୁଛି। ଲୋମ୍‌ତେ କୁହନ୍ତି, ‘‘ବିଟି ପୂର୍ବରୁ କୃଷକମାନେ କୀଟନାଶକ ଉପରେ ଅଧିକ ଖର୍ଚ୍ଚ କରୁଥିଲେ।’’ “୨୦୦୦ ମସିହା ପରଠାରୁ ଏହା ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଲା। ତଥାପି ବିଟି ମାତ୍ର ୪-୫ ବର୍ଷ ପାଇଁ ଭଲ ପ୍ରଦର୍ଶନ କଲା। ଏହା ପରଠାରୁ କୃଷକମାନେ ଏହାର ଅଧୋଗତି ନିରାକରଣ ପାଇଁ କୀଟନାଶକ ସିଞ୍ଚନ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ଏହା ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ପୁନଶ୍ଚ ବୃଦ୍ଧି କରିଛି।’’

୨୦୧୫ ମସିହାରେ ସବିତା ଦାସଲକର ନିଜ ସୁନା ବନ୍ଧକ ରଖି ବୁଣିବା ଋତୁ ପାଇଁ ଟଙ୍କା ସଂଗ୍ରହ କରିଥିଲେ: ‘ଆମେ ଏ ପର୍ଯ୍ୟନ୍ତ ତାହା ଆଣିପାରିନାହୁଁ। କଥା ହେଉଛି  ଯେତେବେଳେ ଆମେ ପାଉ, ସେତେବେଳେ ଆମେ କେବଳ ଆବଶ୍ୟକ ମୁତାବକ ପାଉ। କିନ୍ତୁ ଯେତେବେଳେ ଆମେ ହରାଉ ବହୁତ ହରାଉ’

ଭିଡ଼ିଓ ଦେଖନ୍ତୁ : ଖୁପ୍‌ସା ଗ୍ରାମର ସନ୍ତୋଷ ଦାସଲକର କୁହନ୍ତି ୨୦୧୨ଠାରୁ ସେ କପାଚାଷରୁ ଲାଭ ପାଇବାକୁ ସମର୍ଥ ହୋଇନାହାଁନ୍ତି

ପର୍ଭାଣୀର ଖୁପ୍‌ସା ଗ୍ରାମର ୨୬ବର୍ଷ ବୟସ୍କ ସନ୍ତୋଷ ଦାସଲକର କୁହନ୍ତି, ସେ ୨୦୧୨ଠାରୁ କପାରୁ କୌଣସି ଲାଭ କରିବାକୁ ସମର୍ଥ ହୋଇନାହାଁନ୍ତି। ସେ କୁହନ୍ତି, ‘‘ବର୍ତ୍ତମାନ [ଅଗଷ୍ଟ] ସୁଦ୍ଧା ଫସଲ ଅଣ୍ଟା ଉଚ୍ଚ ହେବା କଥା। କିନ୍ତୁ ଏହା ମାତ୍ର ଗୋଇଠି ପର୍ଯ୍ୟନ୍ତ ପହଞ୍ଚିଛି। “ଯଦି  ଅବଶିଷ୍ଟ ମୌସୁମୀରେ ବି ଠିକ୍‌ ବର୍ଷାହୁଏ ତଥାପି ମୁଁ କୌଣସି ମତେ ଏକର ପିଛା ୩ କ୍ୱିଣ୍ଟାଲରୁ ଅଧିକ ଅମଳ କରିପାରିବ ନାହିଁ। ଗତବର୍ଷକୁ ବାଦ୍‌ ଦେଲେ ଏହା ୨୦୧୨ଠାରୁ ପ୍ରତ୍ୟେକ ବର୍ଷର କାହାଣୀ ହୋଇଆସୁଛି।’’

ଦାସଲକରଙ୍କର ପର୍ଭାଣୀ-ସେଲୁ ରାଜପଥ କଡ଼ରେ ୭ଏକର ଚାଷ ଜମି ଅଛି, ସେ ମଧ୍ୟରୁ ୫ ଏକର କପା ପାଇଁ। ତାଙ୍କର ଛଅ ଏବଂ ଆଠ ବର୍ଷର ଦୁଇ ସନ୍ତାନ ପୌରପାଳିକା ସ୍କୁଲରେ ପଢ଼ୁଛନ୍ତି। ସେ କୁହନ୍ତି, ‘‘ଘରୋଇ ସ୍କୁଲଗୁଡ଼ିକ ୫,୦୦୦ ଟଙ୍କା ଡୋନେସନ ମାଗୁଛନ୍ତି’’ ଏବଂ “ମୋର ୨ଲକ୍ଷ ଟଙ୍କାର ଏକ ବ୍ୟାଙ୍କ ଋଣ ଅଛି।’’

୨୦୧୫ ମସିହା ଆଉ ଏକ ମରୁଡ଼ିର ବର୍ଷ ହେବା ପରେ ସନ୍ତୋଷଙ୍କ ପତ୍ନୀ ସବିତା ଦାସଲକର ବୁଣାବୁଣି ଋତୁ ପାଇଁ ଅର୍ଥ ଯୋଗାଡ଼ କରିଥିଲେ। ସେ କୁହନ୍ତି, ‘‘ଆମେ ମୋର ୭୦,୦୦୦ ଟଙ୍କା ମୂଲ୍ୟର ସୁନା ଏକ ଋଣ କମ୍ପାନୀରେ ୪୦,୦୦୦ ଟଙ୍କା ପାଇଁ ବନ୍ଧା ଦେଲୁ।’’ ‘‘ଏହା କରିନଥିଲେ ଆମେ କୌଣସି ବୁଣାବୁଣି କରିବାକୁ ସମର୍ଥ ହୋଇନଥାନ୍ତୁ। ଏହି ସୁନା ମୋ ବିବାହ ସମୟରେ ତିଆରି ହୋଇଥିଲା। ଆମେ ଏ ପର୍ଯ୍ୟନ୍ତ ତାହା ଉଦ୍ଧାର କରିବାକୁ ସମର୍ଥ ହୋଇନାହୁଁ। କଥା ହେଉଛି ଯେତେବେଳେ ଆମେ ପାଉ, ସେତେବେଳେ କେବଳ ଆବଶ୍ୟକ ମୁତାବକ ପାଇଥାଉ। କିନ୍ତୁ ଯେତେବେଳେ ହରାଉ, ସେତେବେଳେ ଆମେ ଖୁବ୍‌ ହରାଉ।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.