କପାସିର ପରିବର୍ତ୍ତମାନ ଭାଗ୍ୟଚକ୍ର

PARIର ସ୍ୱେଚ୍ଛାସେବୀ ସଙ୍କେତ ଜୈନ ସାରା ଭାରତର ୩୦୦ ଗାଁ ପରିକ୍ରମଣ ଲାଗି ଲକ୍ଷ୍ୟ ରଖିଛନ୍ତି ଏବଂ ଅନ୍ୟାନ୍ୟ କାହାଣୀ ସହିତ ଏହି ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି: ଏକ ଗ୍ରାମୀଣ ଦୃଶ୍ୟ କିମ୍ବା ଘଟଣାର ଚିତ୍ର ଏବଂ ସେହି ଚିତ୍ରର ଏକ ରେଖାଚିତ୍ର। PARIର ଏକ ଶୃଙ୍ଖଳରେ ଏହା ପ୍ରଥମ । ସଂପୂର୍ଣ୍ଣ ଚିତ୍ର ବା ରେଖାଚିତ୍ର ଦେଖିବା ଲାଗି ସ୍ଲାଇଡରୁ କୌଣସି ଗୋଟିଏ ପଟକୁ ଟାଣି ନିଅନ୍ତୁ ।

ଏବେ ବି ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର କପାସି ଗାଁରେ ଚକ ଘୂରେ, ହେଲେ ଘୂରିବାର ହାର କମି କମି ଯାଉଛି । ତାହା ହେଲା କୁମ୍ଭାର ଚକ । ଏମିତି ଏକ ଅଞ୍ଚଳରେ ଯେଉଁଠି କୁମ୍ଭକାରମାନେ ସେମାନଙ୍କ କାରିଗରୀକୁ କଳାର ଏକ ରୂପ ପ୍ରଦାନ କରିଛନ୍ତି । ଏବଂ ସେମାନେ ନିଜ ନିଜକୁ କଳାକାର ରୂପରେ ଦେଖନ୍ତି । କାଗଲ ବ୍ଲକ୍‌ର ଏହି ଗାଁରେ ରହନ୍ତି ପ୍ରାୟ ୬,୦୦୦ ଲୋକ । ଯାହାଙ୍କର ହାତକୁ ଆପଣ ଏଇ ଚିତ୍ର ଓ ରେଖାଚିତ୍ରରେ ଦେଖୁଛନ୍ତି, ସେ ହେଲେ ବିଷ୍ଣୁ କୁମ୍ଭାର । ସେ କହନ୍ତି, “୧୯୬୪ରେ ଏଠାରେ ୧୮୦ ଜଣ କଳାକାର ଥିଲେ । ଆଜି ମାତ୍ର ଚାରି ଜଣ ଯାହା ଏହି ବୃତ୍ତିରେ ଅଛନ୍ତି ।”

କୋହ୍ଲାପୁରୀ ମୃତ୍ତିକା ଶିଳ୍ପକୁ ବଞ୍ଚାଇ ରଖିଥିବା ଏକ ପରିବାରର ତ୍ରୟୋଦଶ ପିଢ଼ିରେ ଜନ୍ମ ନେଇଛନ୍ତି ବିଷ୍ଣୁ । ବ୍ୟବସାୟରେ ତାଙ୍କ ନିଜ ପରିବାର କେବେହେଲେ କ୍ଷତି କରିନାହିଁ । କିନ୍ତୁ “କଳାକାରମାନଙ୍କ ସଂଖ୍ୟା ଖୁବ୍‌ କମିଯାଇଛି” ବୋଲି କହନ୍ତି ମୃତ୍ତିକା କାରିଗରୀରେ ଅଢ଼େଇ ଲକ୍ଷ ଘଣ୍ଟାର ଅନୁଭୂତି ଥିବା ଏହି ବ୍ୟକ୍ତି ଜଣକ । ମୃତ୍ତିକା ଶିଳ୍ପରୁ ଜୀବନଧାରଣରେ ଅକ୍ଷମ ଲୋକେ ଏହାକୁ ଛାଡ଼ିଲେ ଏବଂ ଏହା ଲୋପ ପାଇବାରେ ଲାଗିଲା । କିନ୍ତୁ ଏହା ପଛରେ ଅନ୍ୟାନ୍ୟ କାରଣ ବି ରହିଛି । ଅନେକ ସ୍ଥାନରେ କୁମ୍ଭାର ଚକ ବଦଳରେ ଯନ୍ତ୍ରଚାଳିତ ମୃତ୍ତିକା ଶିଳ୍ପ ଗଢ଼ି ଉଠିଲା । ଯୁବ ପିଢ଼ି ଅନ୍ୟ କାର୍ଯ୍ୟକ୍ଷେତ୍ରରେ ଜୀବନ ନିର୍ବାହର ବିକଳ୍ପ ଖୋଜିଲେ । ବର୍ତ୍ତମାନ ଯେଉଁ କୁମ୍ଭାରମାନେ ଅଛନ୍ତି ସେମାନେ ବୟସ୍କ ଏବଂ ଅନେକ ପିଠି ଯନ୍ତ୍ରଣାରେ ପୀଡ଼ିତ ।

ବିଷ୍ଣୁ କହନ୍ତି, “ମୋ ପୁଅ ଚିନିକଳରେ କାମ କରେ ଏବଂ ଅଳ୍ପ କିଛି ସାହାଯ୍ୟ କରେ । ଏ କ୍ଷେତ୍ରରେ ତା’ର ପ୍ରତିଭା ସେତେଟା ବିକଶିତ ହୋଇନାହିଁ’’ । ‘‘ତେଣୁ ମୁଁ ମୋର ବୋହୂ ଅର୍ଥାତ୍‌ ତା’ର ସ୍ତ୍ରୀକୁ ଏହି କଳା ଜାରି ରଖିବାକୁ ତାଲିମ ଦେଉଛି ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଂକେତ ଜୈନ ମହାରାଷ୍ଟ୍ର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର PARI ଫେଲୋ ।

Other stories by Sanket Jain