ନାଦ୍‌ସୁର୍‌ କଟକାରୀୱାଡ଼ିର ଗୋଷ୍ଠୀ ମନ୍ଦିର ବାହାରେ ଯେତେବେଳେ କେତେଗୁଡ଼ିଏ କାର୍‌ ପହଞ୍ଚିଲା, ସେତେବେଳକୁ ମଧ୍ୟାହ୍ନ ଅତିକ୍ରମ କରିସାରିଥିଲା। ବିଷ୍ଣୁ ୱାଘମୋରେ କିଏ ଆସିଲେ ଦେଖିବା ପାଇଁ ଉଣ୍ଡିଲେ ଏବଂ କଟ୍‌କାରୀ ଭାଷାରେ କିଛି କହିଲେ।  ପୁରୁଷ ଓ ମହିଳାଙ୍କର ପ୍ରାୟ ୧୫ଜଣିଆ ଗୋଟିଏ ଦଳ ଆଗନ୍ତୁକମାନଙ୍କୁ ଅଭ୍ୟର୍ଥନା ଜଣାଇବା ପାଇଁ ବାହାରକୁ ବାହାରିଲେ। ୨୧ବର୍ଷ ବୟସ୍କ ବିଷ୍ଣୁ କହିଲେ, ‘‘ସେମାନେ ଥୋକରେ ଶ୍ରମିକ ନେବାକୁ ଆସିଛନ୍ତି। ବର୍ତ୍ତମାନ ସେମାନେ ମୂଲଚାଲ କରିବାକୁ ବସିବେ। ଆମ ଲୋକଙ୍କ ମଧ୍ୟରୁ ଅଧିକାଂଶ ବୁଝନ୍ତି ନାହିଁ ଯେ ଏହି ମକଦ୍ଦମ [ଠିକାଦାର]ମାନଙ୍କ ଦ୍ୱାରା ସେମାନେ ବୋକା ବନୁଛନ୍ତି। ସେମାନେ ଆମକୁ ଶୋଷଣ କରନ୍ତି, ତଥାପି ଆମେ ପୁଣି ତାଙ୍କ ପାଇଁ କାମ କରିବାକୁ ଯାଉ। ମୁଁ କେବେ ବି ଭାଟିକୁ ଯାଏନାହିଁ। ସେ ଆଖପାଖ ଗ୍ରାମରେ ମିଳୁଥିବା ଯେ କୌଣସି ଛୋଟମୋଟ କାମ କରନ୍ତି।

ନାଦ୍‌ସୁର କଟକାରୀୱାଡ଼ି ମହାରାଷ୍ଟ୍ରର ରାୟଗଡ (ଜନଗଣନା ଅନୁଯାୟୀ ରାୟଗଡ଼) ଜିଲ୍ଲାର ସୁଧାଗଡ଼ ବ୍ଲକ୍‌ର ନାଦସୁର ପଞ୍ଚାୟତରେ ଥିବା ଏକ ପଡ଼ା। ଏଠାରେ ବାସ କରୁଥିବା ୩୬୫ଜଣ କଟକାରୀ ଆଦିବାସୀଙ୍କ ମଧ୍ୟରୁ ଅଧିକାଂଶ ଦୀପାବଳି ପରେ ସାଧାରଣତଃ ନଭେମ୍ବର ମାସର ମଧ୍ୟ ଭାଗରେ କାମ କରିବାକୁ ଚାଲିଯାଆନ୍ତି। ଏହି ସମୂହ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଭାବରେ ଚିହ୍ନଟ କରାଯାଇଛି। ସେମାନେ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ବିଭିନ୍ନ ଭାଟିରେ କାମ କରିବାକୁ ଯାଆନ୍ତି। ମହାରାଷ୍ଟ୍ରର ଚିପଲନ୍‌, ଅମରାବତି ଏବଂ ଆଉ କେତେକ ସ୍ଥାନରେ କାମ କରନ୍ତି। ଜୁନ୍‌ ମାସର ଆରମ୍ଭ ବେଳକୁ ସେମାନେ ପଡ଼ାକୁ ଫେରନ୍ତି। ଏସବୁ ଭାଟି ବବୁଲ ଗଛର କାଠରୁ କୋଇଲା ପ୍ରସ୍ତୁତ କରନ୍ତି। ଯାହାକି ରେଷ୍ଟୁରାଣ୍ଟର ଖୋଲା ଚୁଲି ଏବଂ ତନ୍ଦୁରମାନଙ୍କରେ ବ୍ୟବହୃତ ହୁଏ।

ଶ୍ରମିକମାନଙ୍କୁ ନେଇ ଯାଉଥିବା ଟ୍ରକ୍‌ ମହାରାଷ୍ଟ୍ର ଭିତରେ ଥିବା ଭାଟିମାନଙ୍କରେ ପ୍ରାୟ ୧୮ଘଣ୍ଟାରେ ପହଞ୍ଚେ ଏବଂ ଅନ୍ୟ ରାଜ୍ୟରେ ପହଞ୍ଚିବା ପାଇଁ ୩୮ଘଣ୍ଟା ପର୍ଯ୍ୟନ୍ତ ସମୟ ନିଏ। କର୍ମସ୍ଥଳରେ ପହଞ୍ଚିବା ପରେ କଟକାରୀମାନେ ଖୋଲା ପଡ଼ିଆରେ ବାଉଁଶ, ନଡ଼ା ଏବଂ ଆଖୁ ଛେଦାରେ ରହଣୀସ୍ଥାନଟିଏ କରନ୍ତି। ଏଠାରେ ସେମାନେ ବିନା ବିଦ୍ୟୁତ ଏବଂ ଶୌଚାଳୟରେ ନିୟମିତ ଭାବରେ ଜଙ୍ଗଲୀ ଜୀବଜନ୍ତୁ ଏବଂ ସାପଙ୍କ ଭୟ ମଧ୍ୟରେ ରୁହନ୍ତି। 
Group of People standing
PHOTO • Karishma V.

ଏସବୁ ଭାଟି ବାବୁଲ୍‌ ଗଛର କାଠରୁ କୋଇଲା ପ୍ରସ୍ତୁତ କରେ। ଯାହାକି ଖୋଲା ଚୁଲି ଏବଂ ତନ୍ଦୁରରେ ବ୍ୟବହୃତ ହୁଏ।

ବାବୁଲ୍‌ ଗଛ ମୁଖ୍ୟତଃ ଜଙ୍ଗଲରେ ହୁଏ। ଯେଉଁ ସ୍ଥାନ ପ୍ରାୟତଃ ସ୍ଥାନୀୟ ଲୋକଙ୍କ ମାଲିକାନାରେ ଥଏ। ଠିକାଦାରୀମାନେ ଜମି ମାଲିକମାନଙ୍କ ସହ ବୁଝାମଣା କରନ୍ତି ଏହି କାଠ ପାଇଁ ଏହା ବଦଳରେ ବୃକ୍ଷରୋପଣ ପାଇଁ ସେମାନଙ୍କ ଜମିକୁ ସଫା କରନ୍ତି। ଶ୍ରମିକମାନେ ବାବୁଲ୍‌ ଗଛଗୁଡ଼ିକ କାଟନ୍ତି, ଭାଟି ଲଗାନ୍ତି। ବାଲି ଭର୍ତ୍ତି କରନ୍ତି ଏବଂ ବାବୁଲ୍‌ ସେକନ୍ତି। ଏହାପରେ ସେମାନେ ଟ୍ରକ୍‌ରେ କୋଇଲା ଲଦନ୍ତି। ଏହାପରେ ଜମିରୁ ଗଛ ସଫା ହୋଇଯାଇଥାଏ। ସେମାନେ ଜମି ସଫା କରନ୍ତି ଏବଂ ଏହାକୁ ଚାଷ ଉପଯୋଗୀ କରନ୍ତି।

ସେହି ପଞ୍ଚାୟତର ଥାନ୍‌ଲେ କଟକାରୀୱାଡ଼ିପଡ଼ାର ୩୬ବର୍ଷ ବୟସ୍କ ସନ୍ଦୀପ ପାୱାର୍‌ କୁହନ୍ତି, ‘‘ମକଦ୍ଦମମାନେ ୨୦,୦୦୦-୪୦,୦୦୦ ଅଗ୍ରୀମ ଦିଅନ୍ତି। ଏହି ପରିମାଣ ଭାଟି, ଭାଟିର ସ୍ଥାନ, କାମର ପ୍ରକାର ଏବଂ ବୁଝାମଣା ଉପରେ ନିର୍ଭର କରେ। ଯଦି କୌଣସି ପରିବାରରେ ବିବାହ ଥାଏ, ତେବେ ମକଦ୍ଦମ ଗୋଟିଏ ପରିବାରକୁ ୮୦,୦୦୦ ଟଙ୍କା ଅଗ୍ରୀମ ଦେଇପାରନ୍ତି।’’

ଭାଟିରେ ହଳେ ଦମ୍ପତିଙ୍କୁ ଗୋଟିଏ ଶ୍ରମିକ ଯୋଡ଼ି ଭାବରେ ବିବେଚନା କରାଯାଏ। ସେମାନଙ୍କ ସହ ଆସିଥିବା ପରିବାରର ଅନ୍ୟ ସଦସ୍ୟମାନେ ଅଖା ବୋହିବା ଏବଂ ଅନ୍ୟାନ୍ୟ କାମ କରନ୍ତି। ଏହା କାମକୁ ତ୍ୱରାନ୍ୱିତ କରେ, କିନ୍ତୁ ସେଥିପାଇଁ ସେମାନେ ଅଧିକ ମଜୁରି ପାଆନ୍ତି ନାହିଁ। ଠିକାଦାର ପ୍ରତ୍ୟେକ ପରିବାରକୁ ପ୍ରତି ସପ୍ତାହରେ ଖାଦ୍ୟ ଏବଂ ରାସନ ସାମଗ୍ରୀ ପାଇଁ ୪୦୦ ଟଙ୍କା ଲେଖାଏଁ ଦିଅନ୍ତି, ୭ମାସରେ ପ୍ରାୟ ୧୨ ହଜାର ଟଙ୍କା। ଏହି ପରିମାଣ ସେମାନଙ୍କ ମଜୁରି ଭାବରେ ମଧ୍ୟ ଗଣନା କରାଯାଏ। ଯାହାକି ଉକ୍ତ ଦମ୍ପତି କାମ କରି ଭରଣା କରନ୍ତି।

କାମ ହାଡ଼ଭଙ୍ଗା, ସକାଳ ୭ରୁ ଆରମ୍ଭ ହୁଏ ଏବଂ ଅତି କମ୍‌ରେ ରାତି ପ୍ରାୟ ୯ଟା ପରେ ସରେ। ସପ୍ତାହକୁ ଗୋଟିଏ ଦିନ ଛୁଟି ଦିଆଯାଏ ନିକଟସ୍ଥ ବଜାରରୁ ଆବଶ୍ୟକ ଜିନିଷ କିଣିବା ପାଇଁ। ଚଳିତବର୍ଷ ପୁନେ ଜିଲ୍ଲାର ଖେଡ୍‌ ତାଲୁକାରେ ଗୋଟିଏ ଭାଟିରେ କାମ କରୁଥିବା ଶଶୀକାନ୍ତ ଓ୍ୱାଘମାରେ କୁହନ୍ତି, ‘‘ଆଜି ମକର ସଂକ୍ରାନ୍ତି ଏବଂ ଆମେ ସକାଳଠାରୁ ବିନା ବିଶ୍ରାମରେ କାମ କରୁଛୁ। ବେଳେବେଳେ ଆମେ ବିଳମ୍ବିତ ରାତିରେ ଟ୍ରକ୍‌ରେ କାଠ ଏବଂ କୋଇଲା ଲଦୁ।’’ 

କାମ ହାଡ଼ଭଙ୍ଗା। ସକାଳ ୭ରୁ ଆରମ୍ଭ ହୁଏ ଏବଂ ଅତି କମ୍‌ରେ ରାତି ପ୍ରାୟ ୯ଟା ପରେ ସରେ। ଚଳିତବର୍ଷ ପୁନେ ଜିଲ୍ଲାର ଖେଡ୍‌ ତାଲୁକାରେ ଏକ ଭାଟିରେ ଚଳିତବର୍ଷ କାମ କରୁଥିବା ଶଶୀକାନ୍ତ ଓ୍ୱାଘମାରେ କୁହନ୍ତି, ‘‘ଆଜି ମକର ସଂକ୍ରାନ୍ତି ଏବଂ ଆମେ ସକାଳଠାରୁ ବିନା ବିଶ୍ରାମରେ କାମ କରୁଛୁ। ବେଳେବେଳେ ଆମେ ବିଳମ୍ବିତ ରାତିରେ ଟ୍ରକ୍‌ରେ କାଠ ଏବଂ କୋଇଲା ଲଦୁ।’’

କଣ୍ଟ୍ରାକ୍ଟରମାନେ କୁହନ୍ତି, ସେମାନେ ଋତୁ ଶେଷରେ ପାଉଣା ପୈଠ କରିବା ପାଇଁ ଭର୍ତ୍ତି ହୋଇଥିବା ଅଖାର ସଂଖ୍ୟା ଗଣନ୍ତି, ସେଥିରୁ ଅଗ୍ରୀମ କଟାଯାଏ। ସେଦିନ ସେହି ପଡ଼ାକୁ ଯାଇଥିବା ମକଦ୍ଦମ ମଙ୍ଗେଶ ରାଠୋଡ୍‌ କୁହନ୍ତି, ‘‘ପ୍ରତି ବସ୍ତାରେ ୨୫ କେଜି କୋଇଲା ଧରେ ଏବଂ ଆମେ ଗୋଟିଏ ଶ୍ରମିକ ଯୋଡ଼ିକୁ ପ୍ରତିବସ୍ତା ପାଇଁ ୧୨୦ ଟଙ୍କା ଦେଉ।’’ ସେ ୨୪୦ କିଲୋମିଟର ଦୂର ଅହମ୍ମଦନଗର ସହରରୁ ଆସିଥିଲେ। 

ଅମରାବତୀ ଜିଲ୍ଲାର ଦରିଆପୁର ତାଲୁକାର ଭାଟିରେ ଅନ୍ୟଜଣେ ଠିକାଦାର ନବନାଥ ଚଭନ ବସ୍ତା ପିଛା ଦର ଲାଗୁ ହେବା ଉପରେ ଗୁରୁତ୍ୱ ଦେଇଥିଲେ।  ୨୦୧୮ରେ ନାଦସୁର କଟରିଆୱାଡ଼ିର ୩୬ଟି ପରିବାରରୁ ଶ୍ରମିକମାନେ ଦରିଆପୁର ଭାଟିଗୁଡ଼ିକୁ ଯାଇଥିଲେ। ‘‘ଆମେ ସେମାନଙ୍କୁ ଏକ ଅଗ୍ରୀମ ଦେଉ। ପ୍ରତ୍ୟେକ କୋଇଲା ବସ୍ତା ଉତ୍ପାଦନ ପାଇଁ ଆମେ ଗୋଟିଏ ପରିବାରକୁ ୧୨୦ଟଙ୍କା ଲେଖାଏଁ ଦେଉ। ଅଗ୍ରୀମ ପରିମାଣ ପରିଶୋଧ କରିବା ପର୍ଯ୍ୟନ୍ତ ସେମାନେ ଆମ ସହ ରହିବାକୁ ବାଧ୍ୟ। ଯଦି ସେମାନେ ଏହି ଋତୁରେ ଅଧିକ କୋଇଲା ବସ୍ତା ଉତ୍ପାଦନ କରିପାରନ୍ତି, ତା’ହେଲେ ଆମେ ସେମାନଙ୍କ ରାସନ ଟଙ୍କା କାଟି ବଳକା ଟଙ୍କା ଅତିରିକ୍ତ ବସ୍ତା ହିସାବରେ ଦେଇଦେବୁ।’’

ଗୋଟିଏ ଭଲ ଋତୁରେ ଗୋଟିଏ ଶ୍ରମିକ ପରିବାର ପ୍ରାୟ ୧୦୦୦ ବସ୍ତା ଭର୍ତ୍ତି କରିପାରନ୍ତି- ଅଥବା ୧୨୦,୦୦୦ ଟଙ୍କା ମୂଲ୍ୟର କାର୍ଯ୍ୟ। ହାରାହାରି ଗୋଟିଏ ପରିବାର ୫୦୦ ବସ୍ତା ଭର୍ତ୍ତି କରନ୍ତି। ଯାହା ବଦଳରେ ସେମାନେ ୬୦ ହଜାର ଟଙ୍କା (ଅଗ୍ରୀମ ଏବଂ ରାସନ ସାମଗ୍ରୀ ଅର୍ଥ ସମେତ) ପାଆନ୍ତି।

କିନ୍ତୁ ସାଧାରଣତଃ ଏହି ରହଣୀର ଶେଷ ଭାଗରେ ଅନେକ ପରିବାର କୌଣସି ଅତିରିକ୍ତ ଅର୍ଥ ପାଆନ୍ତି ନାହିଁ।  ମୁଁ ନାଦସୁର କଟରିଆୱାଡ଼ି ଏବଂ ଥାନାଲେ କଟରିଆୱାଡ଼ିର ଭେଟିଥିବା ୪୦ଟି ପରିବାରରୁ କେହି ମଧ୍ୟ ବସ୍ତା ଅନୁଯାୟୀ ପାରିଶ୍ରମିକ ମିଳିଥିବା ମନେପକାଇ ପାରିନଥିଲେ। ସେମାନେ ସମସ୍ତେ କହିଥିଲେ ପ୍ରତି ଋତୁରେ ଆମେ ୫୦୦-୭୦୦ ବସ୍ତା କୋଇଲା ଉତ୍ପାଦନ କରୁ। କିନ୍ତୁ ସେମାନଙ୍କ ମଧ୍ୟରୁ ଭାଟି ଋତୁ ଶେଷରେ କୌଣସି ବର୍ଷ କୌଣସି ଅଧିକ ଅର୍ଥ ପାଇନଥିଲେ। ନିୟମିତ ଭାବରେ ବବୁଲ୍‌ ଭାଟିରେ କାମ କରୁଥିବା ୩୨ବର୍ଷୀୟା ସଙ୍ଗୀତା ୱାଘମାରେ କୁହନ୍ତି, ‘‘ଆମେ ଏକ ବିବାହ ପାଇଁ ୭୦,୦୦୦ ଟଙ୍କା ଅଗ୍ରୀମ ନେଇଥିଲୁ। ତେଣୁ ଆମକୁ କାମ କରି ସେହି ଅଗ୍ରୀମ ଏବଂ ରାସନର ଖର୍ଚ୍ଚ ଭରଣା କରିବାକୁ ହେବ।’’ ଏହା ପ୍ରାୟ ୮୨,୦୦୦ ଟଙ୍କା ମୂଲ୍ୟର ବା ପ୍ରାୟ ୭୦୦ ବସ୍ତା। ସେ ଏବଂ ତାଙ୍କ ସ୍ୱାମୀ ସେହି ଋତୁରେ ୧୦୦୦ ବସ୍ତା ଭର୍ତ୍ତି କରିଥିଲେ। ମୁଁ ତାଙ୍କୁ ହିସାବ ଦେଖାଇଲି ଏବଂ ପଚାରିଲି ବଳକା ୩୦୦ ବସ୍ତା ପାଇଁ ୩୮,୦୦୦ ଟଙ୍କା ମକଦ୍ଦମଙ୍କ ଠାରୁ ପାଇଥିଲେ କି? ସେ ହସିଲେ ଏବଂ କହିଲେ, ‘‘ସେ ଆମକୁ ଗୋଟିଏ ଷ୍ଟେରିଓ ଓ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଦେଇଥଲେ।’’ ଏହାର ମୂଲ୍ୟ ଥିଲା ପ୍ରାୟ ୫୦୦୦ ଟଙ୍କା। 

Woman in front of television
PHOTO • Karishma V.

ଠିକାଦାର ସେମାନେ ପାଇବାକୁ ଥିବା ୩୮୦୦୦  ଟଙ୍କା ବଦଳରେ ସଙ୍ଗୀତା ୱାଘମାରେ ଏବଂ ତାଙ୍କ ସ୍ୱାମୀଙ୍କୁ ଏହି ଷ୍ଟେରିଓ ଓ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଦେଇଛନ୍ତି। 


ପଡ଼ାର ଜଣେ ଆଦରଣୀୟ ବରିଷ୍ଠ ୭୯ ବର୍ଷ ବୟସ୍କ ବାପୁ ହିଲମ୍‌ କୁହନ୍ତି, ‘‘ଯଦି ତୁମେ ୩୦,୦୦୦ ଟଙ୍କା ଅଗ୍ରୀମ ନେଇଛ, ତେବେ ତୁମ ପାଉଣା ପରିଶୋଧ ହେଲା ବୋଲି ମକଦ୍ଦମ କହିବା ପର୍ଯ୍ୟନ୍ତ ତୁମକୁ କାମ କରିବାକୁ ହେବ। ଯଦି ଗୋଟିଏ ପରିବାର ଗୋଟିଏ ଋତୁରେ ମାତ୍ର ୨୦୦ ବସ୍ତା ଆଦାୟ କରିବାକୁ ସକ୍ଷମ ହୁଅନ୍ତି, ତେବେ ପରବର୍ଷ ସେମାନଙ୍କୁ ବିନା ଅର୍ଥରେ କାମ କରିବାକୁ ହେବ ଏବଂ ଏହା ସମ୍ପୂର୍ଣ୍ଣ ପରିଶୋଧ ହେବା ପର୍ଯ୍ୟନ୍ତ କାମ କରିବାକୁ ହେବ।’’ କୋଇଲା ଭାଟିରେ ସେମାନେ ଯେଉଁ ମାସଗୁଡ଼ିକ ରୁହନ୍ତି, ସେ ସମୟରେ କାମର ଚାପ ଅଧିକ ଏବଂ ଖାଦ୍ୟ ଖୁବ୍‌ କମ୍‌। ତେଣୁ କଟକାରୀମାନେ ନିଜ ପଡ଼ାକୁ ଫେରି ଆସିବା ସମୟକୁ ସେମାନଙ୍କ ପିଲାମାନେ ଅପପୁଷ୍ଟିର ଶିକାର ହୋଇଯାଇଥାନ୍ତି। କେତେକ ଜିଲ୍ଲାରେ ଅଙ୍ଗନବାଡ଼ିମାନେ ପ୍ରତିବର୍ଷ ଜୁଲାଇ-ସେପ୍ଟେମ୍ବର ମାସରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’  ଏବଂ ୨-୬ବର୍ଷ ବୟସର ଶିଶୁମାନଙ୍କୁ ଅଧିକ ଅଣ୍ଡା ଏବଂ ବାଦାମ ଚିକି ପ୍ରଦାନ କରନ୍ତି।

ଥାନଲେ (ପଞ୍ଚାୟତରେ ଥିବା ଏକ ଅଣଆଦିବାସୀ ପଡ଼ା)ର ରାୟଗଡ଼ ଜିଲ୍ଲା ପରିଷଦ ସ୍କୁଲର ପ୍ରଧାନଶିକ୍ଷକ ବାବୁ ମହାଦୀକ୍‌ କୁହନ୍ତି, ‘‘ଆମର ସମୁଦାୟ ୪୦ଜଣ ଶିଶୁ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣ କଟକାରୀ ପରିବାରର। ଅକ୍ଟୋବର ମାସ ପରେ ଏହି ପିଲାମାନେ ସେମାନଙ୍କ ପିତାମାତାଙ୍କ ସହ ଅନ୍ୟ ରାଜ୍ୟକୁ ଚାଲିଯାଆନ୍ତି ଏବଂ ଜୁନ୍‌ ମାସରେ ଫେରନ୍ତି। ଏସବୁ ମାସରେ ସେମାନଙ୍କ ନାମ ସ୍ଥାନୀୟ ସାର୍ବଜନୀନ ସ୍କୁଲରେ ଲେଖାଯାଇନଥାଏ। ଯେତେବେଳେ ସେମାନେ ଫେରନ୍ତି, ସରକାରଙ୍କ କେହି ବାଦ୍‌ପଡ଼ିବେନି ନୀତି ଯୋଗୁ ପରବର୍ତ୍ତୀ କ୍ଲାସ୍‌ରେ ଭର୍ତ୍ତି କରାଯାଏ। ସେମାନେ ନବମ ଶ୍ରେଣୀରେ ପହଞ୍ଚିଲା ବେଳକୁ କେବଳ ମୂଳାକ୍ଷର ଏବଂ ବାରାଖଡ଼ି [ମୌଳିକ ସାକ୍ଷରତା] ଜାଣିଥାନ୍ତି। ଅଧିକାଂଶ ନବମ ଶ୍ରେଣୀରେ ଫେଲ୍‌ ହୋଇଯାଆନ୍ତି ଏବଂ ସ୍କୁଲ ଛାଡ଼ନ୍ତି।

ଥାନଲେର ପଡ଼ାରେ ଥିବା ଅଧିକାଂଶ ଅଣକଟକାରୀ ପରିବାରର କିଛି ଜମି ରହିଛି ଏବଂ ସେମାନେ ମୌସୁମୀ ପରେ ଶିମ୍ବ ଏବଂ ଡାଲି ଇତ୍ୟାଦି ଚାଷ କରନ୍ତି। କେତେଜଣ ତାଲୁକା ଭିତରେ ଏବଂ ଆଖପାଖରେ ଦିନମଜୁରି କାମ ଖୋଜନ୍ତି। ପରିବାରର ଅନ୍ୟ ସଦସ୍ୟ ସହର କିମ୍ବା ନଗରମାନଙ୍କରେ କାମ କରନ୍ତି। 

ପଡ଼ାର ଜଣେ ଆଦରଣୀୟ ବରିଷ୍ଠ ୭୯ ବର୍ଷ ବୟସ୍କ ବାପୁ ହିଲମ୍‌ କୁହନ୍ତି, ‘‘ଯଦି ତୁମେ ୩୦,୦୦୦ ଟଙ୍କା ଅଗ୍ରୀମ ନେଇଛ, ତେବେ ତୁମ ପାଉଣା ଶେଷ ହେଲା ବୋଲି ମକଦ୍ଦମ କହିବା ପର୍ଯ୍ୟନ୍ତ ତୁମକୁ କାମ କରିବାକୁ ହେବ। ଯଦି ଗୋଟିଏ ପରିବାର ଗୋଟିଏ ଋତୁରେ ମାତ୍ର ୨୦୦ ବସ୍ତା ଆଦାୟ କରିବାକୁ ସକ୍ଷମ ହୁଅନ୍ତି, ତେବେ ପରବର୍ଷ ସେମାନଙ୍କୁ ବିନା ଅର୍ଥରେ କାମ କରିବାକୁ ହେବ ଏବଂ ଏହା ସମ୍ପୂର୍ଣ୍ଣ ପରିଶୋଧ ହେବା ପର୍ଯ୍ୟନ୍ତ କାମ କରିବାକୁ ହେବ।’’ 

ନାଦସୁରରେ ପୁରୁଷ ଓ ମହିଳା କୃଷି ଶ୍ରମିକମାନେ ଦିନକୁ ୩୫୦ଟଙ୍କା ଏବଂ ୨୫୦ଟଙ୍କା ଲେଖାଏଁ ପାଇଥାନ୍ତି। ସନ୍ଦୀପ କୁହନ୍ତି, ‘‘କିନ୍ତୁ ଏଠାରେ କୃଷି ଋତୁକାଳୀନ, ମୌସୁମୀ ପରେ ଧାନ ଅମଳ ସରିବା ପରେ ଗାଁ ଭିତରେ ଆଉ କାମ ନଥାଏ। ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜର ଜମି ମଧ୍ୟ ନାହିଁ। ଏହି କାରଣରୁ ଆମ ଲୋକମାନେ ବର୍ଷା ପରେ ବାହାରକୁ ଚାଲିଯାଆନ୍ତି।’’ 

ଯେହେତୁ କଟକାରୀମାନେ ବାହାରକୁ ଚାଲିଯାଆନ୍ତି, ଏହା ସେମାନଙ୍କର ବିଭିନ୍ନ ଦସ୍ତାବିଜ୍‌ ହାସଲର ଉଦ୍ୟମକୁ ମଧ୍ୟ ବିଳମ୍ବିତ କରେ। ଅନେକ ଜାତି ପ୍ରମାଣପତ୍ର ଫର୍ମ ଉପରେ ତହସିଲ ଅଫିସ୍‌ରେ ଧୂଳି ଜମା ହୋଇଥାଏ। କାରଣ ସେହି ଗ୍ରାମବାସୀମାନେ ଏହା ଆବେଦନ କରିବା ପରେ କାମ ସନ୍ଧାନରେ ବାହାରକୁ ଚାଲିଯାଇଛନ୍ତି ଏବଂ ତଲାଥିମାନେ ଘରକୁ ଘର ବୁଲି ମୂଲ୍ୟାଙ୍କନ କରିବା ସମୟରେ ସେମାନେ ଘରେ ନଥାନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସବ୍‌ସିଡି ପାଇବା ପାଇଁ ଜିଲ୍ଲା ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ଙ୍କ ଅନୁମୋଦିତ ଜାତି ସାର୍ଟିଫିକେଟ ଅନୁସୂଚିତ ଜନଜାତିଗୁଡ଼ିକ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ। କେବଳ ସେତିକି ନୁହେଁ, ଅନେକ ଗୁରୁତ୍ୱପୂର୍ଣ୍ଣ ଘରୋଇ ସର୍ଭେ ସମୟରେ ମଧ୍ୟ ଅଧିକାଂଶ କଟକାରୀ ଅନୁପସ୍ଥିତ ଥାଆନ୍ତି। ଯେଉଁ କାରଣରୁ ସେମାନଙ୍କୁ କେବେ ଗଣନାକୁ ନିଆଯାଇ ପାରେନାହିଁ।

ପଡ଼ା ମଧ୍ୟରେ କାମର ସୁଯୋଗ ଖୁବ୍‌ ସୀମିତ। କିନ୍ତୁ ୭ମାସ ପର୍ଯ୍ୟନ୍ତ ଘରଠାରୁ ଦୂରରେ ରହିବାର ଏହା ଉପଯୁକ୍ତ ମୂଲ୍ୟ କି ଯେତେବେଳେ ସମୁଦାୟ ଅର୍ଥ ଗୋଟିଏ ପରିବାରର ପାଉଣା ଭାବରେ ହିସାବ କରାଯାଏ? ନିକଟରେ ମନରେଗାର ବ୍ଲକ୍‌ସ୍ତରୀୟ ସାମାଜିକ ଅଡିଟ ଟିମ୍‌ ମଧ୍ୟରେ ସ୍ଥାନ ପାଇଥିବା ବିଷ୍ଣୁ କୁହନ୍ତି, ‘‘ଅସୁବିଧା ସମୟରେ କିମ୍ବା ଅର୍ଥର ଜରୁରୀ ଆବଶ୍ୟକତା ସମୟରେ ଶ୍ରମିକମାନେ ଭାଟି ଠିକାଦାରଙ୍କଠାରୁ ସେମାନଙ୍କର ଯେତେ ଆବଶ୍ୟକ ସେତେ ଅଗ୍ରୀମ ପାଇପାରନ୍ତି। କିନ୍ତୁ ମନରେଗା ଦିନକୁ ଏହାଠାରୁ ଅଧିକ ପାଉଣା ଦିଏ [୨୦୧ ଟଙ୍କା] କିନ୍ତୁ କାମର ୬ମାସ ପରେ ଏହି ଅର୍ଥ ଆକାଉଣ୍ଟକୁ ଆସେ। କେତେ ଲୋକ ୨୦୧୫ ମସିହାର ପାଉଣା ଏପର୍ଯ୍ୟନ୍ତ ପାଇନାହାନ୍ତି।

୨୦୦୬ ଜଙ୍ଗଲ ଅଧିକାର ଆଇନ (ଏଫ୍‌ଆର୍‌ଏ) ଯଦି ଏହି ଅଞ୍ଚଳରେ ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତେବେ ଏହା କିଛି ସାହାଯ୍ୟ କରିବ। ନାଜସୁରର ସମୁଦାୟ ଭୌଗୋଳିକ ଅଞ୍ଚଳ ୫୧୦୦ ହେକ୍ଟର ମଧ୍ୟରୁ ୩୫୦୦ ହେକ୍ଟରରୁ ଅଧିକ ଜଙ୍ଗଲ ଜମି। କିନ୍ତୁ ଅଧିକାଂଶ କଟକାରୀଙ୍କର ଏଠାରେ ଜମି ନାହିଁ। ଯାହାକୁ କି ସେମାନେ ଚାଷ କରିପାରିବେ। ଏଫ୍‌ଆର୍‌ଏ ସେମାନଙ୍କୁ ବ୍ୟକ୍ତିଗତ କିମ୍ବା ଗୋଷ୍ଠୀ ଜଙ୍ଗଲ ଅଧିକାର ଦେଇପାରିବ, ଯାହାକି ସେମାନଙ୍କୁ ଚାଷ ପାଇଁ ତଥା ଲଘୁ ବନଜ ଉତ୍ପାଦ ସଂଗ୍ରହ କରିବା ପାଇଁ ଅନୁମତି ଦେଇପାରିବ। ସନ୍ଦୀପ କୁହନ୍ତି, ‘‘ଜଙ୍ଗଲ ବିଭାଗ ଆମମାନଙ୍କୁ ତଡ଼ିନଦେବା ପର୍ଯ୍ୟନ୍ତ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଜଙ୍ଗଲରେ ଚାଷ କରୁଥିଲୁ। ବର୍ତ୍ତମାନ ଆମମାନଙ୍କ ମଧ୍ୟରୁ ଅଳ୍ପ କେଇଜଣ ଜଙ୍ଗଲ ଜମିର ସତ୍ତ୍ୱାଧିକାର ପାଇଛନ୍ତି। ସେମାନଙ୍କୁ ଆଉ ପରଦେଶକୁ ଯିବାକୁ ହେଉନାହିଁ।’’

Man walking
PHOTO • Karishma V.
Man sitting
PHOTO • Karishma V.

ଇଟାଭାଟିକୁ ଏଡ଼ାଇବା ପାଇଁ ସନ୍ଦୀପ ପାୱାର୍‌ (ବାମ) ଗ୍ରାମରେ ଏକ ଗୋଷ୍ଠୀ ଭାଟି ଆରମ୍ଭ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଏକ ଯୋଜନାରେ ପଞ୍ଜିକରଣ କରାଇଛନ୍ତି ଏବଂ ବିଷ୍ଣୁ ୱାଘମାରେ (ଡାହାଣ) ନିକଟସ୍ଥ ଗ୍ରାମମାନଙ୍କରେ ଛୋଟମୋଟ କାମ କରୁଛନ୍ତି।

ସନ୍ଦୀପ ୨୦୦୯ରେ ଗୋଟିଏ ଋତୁ ପାଇଁ ଏକ କୋଇଲା ଭାଟିରେ କାମ କରିଥିଲେ। ଏହାପରେ ନିଷ୍ପତ୍ତି ନେଲେ ଯେ ଏଭଳି ପରିସ୍ଥିତିରେ କାମ କରିବା ପାଇଁ କେବେ ବି ଗାଁ ଛାଡ଼ିବେ ନାହିଁ। ତାଙ୍କ ପାଇଁ ଏହି ବିକଳ୍ପ ବି ଥିଲା, କାରଣ ତାଙ୍କ ବାପା ହରି ପାୱାର ଜଙ୍ଗଲ ଅଧିକାର ଆଇନ ବଳରେ ୩୩ଗୁଣ୍ଠ (୪୦ଗୁଣ୍ଠ ଏକ ଏକର ସହ ସମାନ) ଜମିର ଅଧିକାର ପାଇଛନ୍ତି। ଏହା ବ୍ୟତୀତ ତାଙ୍କ ପରିବାର ଧାନ, ନାଚନି, ପରିବା ଏବଂ ଫୁଲ ଗୋଟିଏ ବଡ଼ ପ୍ଲଟରେ ଚାଷ କରନ୍ତି। ଯାହାର ସତ୍ତ୍ୱାଧିକାର ସେମାନଙ୍କ ନାହିଁ- ଏହି ଜମି ଜଙ୍ଗଲର ଆହୁରି ଭିତରେ ଅଛି।

ଥାନ୍‌ଲେ କଟୱାରୀୱାଡ଼ି ପଡ଼ାରେ ୬୫ଟି ପରିବାର ମଧ୍ୟରୁ ମାତ୍ର ତିନୋଟି ପରିବାର ଜଙ୍ଗଲ ଅଧିକାର ଆଇନ ଅଧୀନରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପାଇଛନ୍ତି। ଅନେକେ ଦସ୍ତାବିଜ ନଥିବା କାରଣରୁ ଏହା ପାଇନାହାନ୍ତି ଏବଂ ଅନେକେ ଏହାର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଅନଭିଜ୍ଞ।

ରାୟଗଡ଼ ଜିଲ୍ଲାର ପେନ୍‌ ତାଲୁକାରେ ଥିବା ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ମଧ୍ୟ ଆଦିବାସୀଙ୍କ ପାଇଁ ବିଶେଷକରି କଟକାରୀମାନଙ୍କ ପରି ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ (ପିଭିଟିଜି) ନିମନ୍ତେ ପାଣ୍ଠି ଏବଂ ଯୋଜନା କାର୍ଯ୍ୟକାରୀ କରେ। ଏ ମଧ୍ୟରୁ ଗୋଟିଏ ହେଉଛି ଗୋଟିଏ ୧୦ଜଣିଆ ଗୋଷ୍ଠୀ ଏକ ଇଟାଭାଟି ସ୍ଥାପନ କରିବା ପାଇଁ ପ୍ରଦାନ କରାଯାଉଥିବା ସହାୟତା ଉପରେ ଶତପ୍ରତିଶତ ସବ୍‌ସିଡି। ଏହି ୩ ଲକ୍ଷ ପରିମାଣର ରାଶି ୩ଟି ପର୍ଯ୍ୟାୟରେ ପ୍ରଦାନ କରାଯାଇଥାଏ। ସନ୍ଦୀପ କୁହନ୍ତି, ‘‘କାମ କରିବା ପାଇଁ ବାହାର ଭାଟିକୁ ଯିବା ବଦଳରେ ଏବେ ଆମେ ନିଜର ଭାଟି ସ୍ଥାପନ କରିଛୁ।’’ ସେ ଏବଂ ଅନ୍ୟ ୯ଜଣ ମିଶି ଗୋଟିଏ ଭାଟି ଚଳାନ୍ତି ଏବଂ ଏହାର ଲାଭ ଭାଗ କରନ୍ତି- ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ୮ମାସରେ ପରିବାର ପିଛା ୨୦,୦୦୦ ଟଙ୍କା ଲେଖାଏଁ। ଏହି ଅବଧି ମଧ୍ୟରେ, ଜୁନ୍‌ରୁ ଅକ୍ଟୋବର, କେତେକ ଖରିଫ ଋତୁରେ କୃଷି କାମ ମଧ୍ୟ ପାଆନ୍ତି।

କିନ୍ତୁ ଅଧିକାଂଶ କଟକାରୀ ଭାଟି ଯୋଜନା ସମ୍ପର୍କରେ ଜାଣନ୍ତି ନାହିଁ। ସନ୍ଦୀପଙ୍କ ସଫଳତା ପରେ ୨୦୧୮ରେ ନାଦସୁର କଟକାରୀୱାଡ଼ିରୁ ୨ଟି ଏବଂ ତାଲୁକାର ଅନ୍ୟ ଏକ କଟକାରୀପଡ଼ାରୁ ଗୋଟିଏ ଆବେଦନ ପଠାଯାଇଛି।

ପର୍ଯ୍ୟଟନ ଉଦ୍ୟୋଗ ମଧ୍ୟ କିଛି କାମ ଯୋଗାଉଛି। ସୁଧାଗଡ଼ ତହସିଲର ପାଲି ସହର ଅଷ୍ଟବିନାୟକ କ୍ଷେତ୍ରର ୮ଟି ଗଣପତିଙ୍କ ମଧ୍ୟରୁ ଗୋଟିଏ ଭାବରେ ପ୍ରସିଦ୍ଧ। ଏଥିସହ ଏଠାରେ ଐତିହାସିକ ଦୁର୍ଗ ଓ ଗୁମ୍ଫା ରହିଛି। ଉଭୟ ପାଇଁ ନାଦସୁର ଏକ ପ୍ରବେଶପଥ। ନାଦସୁର ପଞ୍ଚାୟତର ବହିରାମପଡ଼ା ଆଦିବାସୀୱାଡ଼ିର ୫୧ବର୍ଷ ବୟସ୍କ ଭିବା ପାୱାର କୁହନ୍ତି, ‘‘ଆମେ କାମ ପାଇଁ ବାହାରକୁ ଯାଉନି, କାରଣ ଫାର୍ମହାଉସ୍‌ ମାଲିକମାନଙ୍କ ଦ୍ୱାରା ଆମକୁ ରୋଜଗାର ମିଳୁଛି। ମଜୁରି କମ୍‌ [ଦିନକୁ ୨୦୦ ଟଙ୍କା ପୁରୁଷଙ୍କ ପାଇଁ ଏବଂ ୧୫୦ ଟଙ୍କା ମହିଳାଙ୍କ ପାଇଁ] କିନ୍ତୁ ଅତି କମ୍‌ରେ ଆମେ ଏକାଠି ତ ରହୁଛୁ ଏବଂ ନିହାତି ଆବଶ୍ୟକ ବେଳେ କିଛି ଅର୍ଥ ଅଗ୍ରୀମ ବି ପାଉଛୁ।’’

ଏହି ପଡ଼ାର ମାତ୍ର ୧୨ଟି ପରିବାର ବାହାରକୁ କାମ ପାଇଁ ନଯାଇ ନିଜ ପଡ଼ାରେ ରୁହନ୍ତି। କିନ୍ତୁ ଆଖପାଖ ପଡ଼ାର ଅଧିକାଂଶ ପରିବାର ବାହାରକୁ ଚାଲିଯାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ କୁହନ୍ତି, ‘‘ଯଦି ଏହା ଆମ ଉପରେ ନିର୍ଭର କରେ ତେବେ, ଆମେ ଆମ ଗାଁ କେବେ ବି ଛାଡ଼ି ଯିବୁନି।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Karishma V.

Karishma V. has been working as a Chief Minister’s Rural Development Fellow in Raigad district since April 2017. Her areas of interest are tribal development and women’s empowerment.

Other stories by Karishma V.