‘‘ଆମେ ମାଟିର ମଣିଷ, ମାଟି ଆମର ଜୀବନ, କଂକ୍ରିଟ୍ ଟାଇଲ୍ ବା ବିଶାଳ ପ୍ରାସାଦ ଭିତରେ ନୁହେଁ,’’ କହନ୍ତି ଲକ୍ଷ୍ମୀ ଗାୟକୱାର୍ଡ। ଏବେ ସେ ଭୂମିଠାରୁ ଯଥେଷ୍ଟ ଉପରେ - ୧୨ ମହଲାରେ ଏକ ୨୬୯ ବର୍ଗଫୁଟ୍ ଫ୍ଲାଟ୍‌ରେ ବସିଛନ୍ତି ଯାହାକି ତାଙ୍କୁ ତାଙ୍କର ପ୍ରଜାପୁରପଡ଼ା ଆଦିବାସୀ ବସ୍ତିର ଦୁଇ ଏକର ଚାଷ ଜମି ବଦଳରେ ମିଳିଛି।

‘ମୁଁ ତଳକୁ ଦେଖିଲା ବେଳେ, ମୋତେ ଭୟ ଲାଗୁଛି। ଲାଗୁଛି ମୁଁ ପଡ଼ିଯିବି। ଆମେ ଏଠିକାର ବାସିନ୍ଦା ନୁହଁ। ମୁଁ ପଡ଼ାରେ ଯେପରି ଆରାମରେ ବୁଲୁଥିଲି ଏଠାରେ ଚାଲିବାକୁ ମଧ୍ୟ ଭୟ କରୁଛି।’’ ଲୁହ ଛଳ ଛଳ ଆଖିରେ କହନ୍ତି ୭୫ ବର୍ଷିୟା ଲକ୍ଷ୍ମୀ।

ତାଙ୍କର ନୂଆ ଛୋଟିଆ ‘ଘର’ ହେଉଛି ମୁମ୍ବାଇ ବସ୍ତି ଥଇଥାନ କର୍ତ୍ତୃପକ୍ଷ (ଏସଆରଏ) ଯୋଜନାର ଏକ ଅଂଶ ଏକ ବିଲ୍‌ଡିଂ କମ୍ପ୍ଲେକ୍ସ ଯାହାକି ଅନ୍ଧେରୀର ପଶ୍ଚିମ ତଳି ଅଞ୍ଚଳରେ ଚକଲାରେ ରହିଛି। ଏହା ପ୍ରଜାପୁରପଡ଼ାରେ ରହିଥିବା ସହର ତଳି ଅଞ୍ଚଳ ଆରେ ମିଲ୍‌କ କଲୋନୀଠାରୁ ପ୍ରାୟ ୩.୭ କିଲୋମିଟର ଦୂରରେ ରହିଛି।

ଏହି ମିଲ୍‌କ କଲୋନୀ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୪୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏଠାରେ ଏକ କ୍ଷୀର କାରଖାନା ଏବଂ ଗାଈମାନେ ଘାସ ଚରିବା ପାଇଁ ୩,୧୬୦ ଏକରର ଘାସପଡ଼ିଆ ରହିଥିଲା। ଏଠାରେ ୨୭ଟି ଆଦିବାସୀ ପଡ଼ା ରହିଥିଲା। ଏହି ପଡ଼ାଗୁଡ଼ିକର ଜନସଂଖ୍ୟା ଥିଲା ପ୍ରାୟ ୮,୦୦୦। ୧୯୯୦ ଦଶକ ଆରମ୍ଭରୁ ଏହି ବସ୍ତି କଲୋନୀଗୁଡ଼ିକୁ ଏଠାକୁ ଉଠାଇ ଅଣାଯାଇଥିଲା।

ଗାୟକୱାଡଙ୍କ ପରିବାର ହେଉଛି ୭୦ଟି କୋକନା ଆଦିବାସୀ ଗୃହ ମଧ୍ୟରୁ ଗୋଟିଏ - ଏପ୍ରିଲ୍ ୨୦୧୭ରେ ତାଙ୍କ ପଡ଼ାର ପ୍ରାୟ ୩୦୦ ବ୍ୟକ୍ତି ବିସ୍ଥାପିତ ହୋଇଥିଲେ। ମୁମ୍ବାଇ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏମଏମଆରସି) ଏକ ଡିପୋ ତିଆରି କରିବା ପାଇଁ ଏହି ଜମି ଅଧିକାରକୁ ନେଇଥିଲା ଏବଂ ୨୬ ହେକ୍ଟର କ୍ଷେତ୍ରକୁ ସେଡ୍ ଦ୍ୱାରା ଆବଦ୍ଧ କରିଥିଲା।

୭୦ଟି ପରିବାର ସହିତ ଆରେରେ ସାରିପୁତ ନଗରରୁ ପ୍ରାୟ ୧୦୦ଟି ପରିବାରକୁ ୧୬- ମହଲା ବିଶିଷ୍ଟ ଏସଆରଏ ବିଲ୍‌ଡିଂକୁ ଉଠାଇ ଅଣାଯାଇଥିଲା। ଏସଆରଏ ହେଉଛି ମହାରାଷ୍ଟ୍ର ସରକାରଙ୍କର ଏକ ଯୋଜନା ଯାହାକି ୧୯୯୫ ମସିହାରେ ବସ୍ତି ଘର ବଦଳରେ ପରିବାରଗୁଡ଼ିକୁ ପୁନର୍ବାସ ପ୍ରଦାନ ନିମନ୍ତେ ୨୫୦- ୩୦୦ ବର୍ଗଫୁଟ୍‌ର ଫ୍ଲାଟ୍ ନ୍ୟସ୍ତ କରାଯାଇଥିଲା।

woman showing dented vessels
PHOTO • Jyoti Shinoli

ଲକ୍ଷ୍ମୀ ଗାୟକୱାଡଙ୍କର ଆରେ କଲୋନୀ ଘର ତାଙ୍କ ଆଖି ଆଗରେ ମାଟିରେ ମିଶାଇ ଦିଆଗଲା ତାଙ୍କ ବାସନକୁସନ ଜିନିଷପତ୍ର ବର୍ବରତାର ସହ ଫିଙ୍ଗି ଦିଆଗଲା

କିଛି ସପ୍ତାହ ପୂର୍ବେ ଆରେରେ ଉଚ୍ଛେଦ ପୂର୍ବରୁ, ପ୍ରଜାପୁରପଡ଼ା ଏବଂ ସାରିପୁତ ନଗର ଲୋକମାନଙ୍କୁ ମାଲିକାନା ଦଲିଲ୍‌ ସହିତ ଏସଆରଏ ଫ୍ଲାଟ୍ ଦିଆଯାଇଥିଲା। ସଞ୍ଜୟ ପାଦ୍‌ବୀ କହିଛନ୍ତି ‘‘କିନ୍ତୁ ଆମେ (ଆଦିବାସୀମାନେ) ଯିବାକୁ ପ୍ରସ୍ତୁତ ନଥିଲୁ।’’ ‘‘ସେମାନେ (ପୋଲିସମାନେ) ବଳପୂର୍ବକ ଆମକୁ ଆମ ଘରୁ ବାହାର କଲେ।’’ ସଞ୍ଜୟ, ୟୁନିୟନ୍ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାମ କରନ୍ତି। ସେ ମଧ୍ୟ ବିସ୍ଥାପିତ କୋକନା ଆଦିବାସୀଙ୍କ ମଧ୍ୟରୁ ଜଣେ। ତାଙ୍କ ପରିବାର ପ୍ରାୟ ୧.୫ ଏକର ଜମି ହରାଇଲା ଯେତେବେଳେ କି ତାଙ୍କ ପିତାମାତା ପାଳଙ୍ଗ, କାକୁଡ଼ି ଏବଂ ଜହ୍ନି ପନିପରିବା ଚାଷ କରୁଥିଲେ। ଏବେ ସେମାନେ ଏସଆରଏ ବିଲ୍‌ଡିଂର ପଞ୍ଚମ ମହଲାରେ - ଆଉ ଚାଷବାସ କରିପାରିବେ ନାହିଁ। ‘‘ଜୀବନ ଆମ ପାଇଁ ଏଠାରେ ଦୁର୍ବିସହ ହୋଇପଡ଼ିଛି। ଆମେ ପ୍ରକୃତିର ମୁକ୍ତି ବିହଙ୍ଗ ପରି ବଞ୍ଚିବାକୁ ଭଲ ପାଉ।’’ ପିତାମାତା, ପତ୍ନୀ ଓ ବର୍ଷକର ଝିଅ ସହିତ ଫ୍ଲାଟ୍‌କୁ ଆସିଥିବା ସଞ୍ଜୟ କୋହ ସମ୍ବରଣ କରି କହନ୍ତି।

ଯେତେବେଳେ ପ୍ରଜାପୁରପଡ଼ାର ଲୋକେ ଯିବାକୁ ମନା କଲେ, ଏପ୍ରିଲ୍ ୨୦୧୭ରେ ସେମାନଙ୍କ ଘର ଖାଲି କରିବାକୁ ସେମାନଙ୍କୁ ୭୨ ଘଣ୍ଟା ଦିଆଯାଇଥିଲା। ମୋତେ ଗୋଟିଏ ଚେପା ହୋଇଥିବା ରସପାତ୍ର ଦେଖାଇ ଲକ୍ଷ୍ମୀ ଏପ୍ରିଲ୍ ୨୮ ତାରିଖର ଉଚ୍ଛେଦ ଦିନକୁ ମନେପକାନ୍ତି। ‘‘ପୋଲିସ ଆମକୁ ଟାଣି ବାହାରେ ଫିଙ୍ଗିଦେଲା, ମୁଁ ବର୍ଷ ବର୍ଷ ଧରି ସାଇତି ରଖିଥିବା ମୋର କୃଷି ଉପକରଣ ଦା, କଟୁରୀ, ଲଙ୍ଗଳ, କୁରାଢ଼ୀ ସବୁ ଫିଙ୍ଗି ଦେଲା। ବହୁ ସଂଖ୍ୟକ ପୋଲିସ, ସୁରକ୍ଷାକର୍ମୀ ଓ ବିଶାଳ ବୁଲ୍‌ଡୋଜର। ସେ ଦିନ ଭୟଙ୍କର ଅବସ୍ଥା। ମୁଁ ପାରୁ ପର୍ଯ୍ୟନ୍ତ କାନ୍ଦିଲି, ପାଟିକଲି, ଚିତ୍କାର କଲି। କିନ୍ତୁ କେହି ମୋ କଥା ଶୁଣିଲେ ନାହିଁ। ମୋ ଆଖି ଆଗରେ ମୋ ପ୍ରିୟ ଘର ମାଟିରେ ମିଶି ଧୂଳିସାତ ହୋଇଗଲା।’’

ଗାୟକୱାଡ୍‌, ପଲଘର ଜିଲ୍ଲାର ଦାହାନୁତାଲୁକାର ମୂଳ ବାସିନ୍ଦା, ବିବାହ ପରେ ପ୍ରଜାପୁରପଡ଼ାକୁ ଆସିଥିଲେ। ସେ ତାଙ୍କର ସାରା ଜୀବନ ଚାଷବାସରେ ଓ ଗଛଲତା ଗହଣରେ ବଞ୍ଚି କଟାଇଛନ୍ତି। ଏବେ ଏସଆରଏ ବିଲ୍‌ଡିଂକୁ ଆସିବା ପରେ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଅନେକ ଜାତନା ଭୋଗିଲେଣି। ଏପରିକି ୨୦୧୪ରେ ପ୍ରସ୍ତାବିତ ମେଟ୍ରୋ ନିର୍ମାଣ ଖବର ଶୁଣିବା ମାତ୍ରେ ତାଙ୍କର ରକ୍ତଚାପ ବଢ଼ିଯାଉଛି। ଛୋଟିଆ ଫ୍ଲାଟ୍ ଭିତରେ ଚଲାବୁଲା କରିନପାରି ତାଙ୍କର ଗୋଇଠି ଫୁଲିଲାଣି।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୨୦୧୦ ମସିହାରେ ଲକ୍ଷ୍ମୀଙ୍କର ସ୍ୱାମୀ ରାମ୍‌ଜୀ ମୃତ୍ୟୁବରଣ କଲେ। ତାଙ୍କର ପୈତୃକ ଜମିରେ ଚାଷବାସ କରି ପରିବାର ଚଳାଉଥିଲେ। ଲକ୍ଷ୍ମୀଙ୍କର ତିନି ଝିଅ ବିବାହ କରିଛନ୍ତି । ସେ ତାଙ୍କର ଗୋଟିଏ ଅବିବାହିତା ଝିଅ ସଙ୍ଗୀତା ସହ  ରହୁଛନ୍ତି। ତାଙ୍କର ଦୁଇ ପୁଅ ଓ ତାଙ୍କ ପରିବାର ଏସଆରଏ ବିଲ୍‌ଡିଂରେ ଏକାପରି ଘର ପାଇଛନ୍ତି - ସେମାନେ ପଡ଼ାରେ ମଧ୍ୟ ଅଲଗା ଘରେ ରହୁଥିଲେ।

man talking
PHOTO • Anushka Jain

ସଞ୍ଜୟ ପାଦବୀ ହେଉଛନ୍ତି ପ୍ରଭାବିତଙ୍କ ମଧ୍ୟରୁ ଜଣେ ଏବଂ ସେ ବିସ୍ଥାପନ ବିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ଯୋଜନା କରିଛନ୍ତି

ଚାଷ ଥିଲା ତାଙ୍କ ପାଇଁ ସବୁକିଛି। ‘‘ମୋର ଭାଇ ଏବଂ ମୁଁ, ମୋର ମାଆଙ୍କ ସହିତ ଚାଷଜମିରେ କାମ କଲୁ ଏବଂ ଉତ୍ପାଦ ଅମଳ କରି ବଞ୍ଚୁଥିଲୁ। ଆମେ କେବଳ ପ୍ରଥମ ଶ୍ରେଣୀଯାକେ ପାଠ ପଢ଼ିଛୁ। କେହି କେବେ ଚାକିରି କଥା ଭାବିନଥିଲୁ।’’ କହନ୍ତି ୪୦ ବର୍ଷିୟା ସଙ୍ଗୀତା।

ପରିବାରର ଦୁଇ ଏକର ଜମିରେ ୫୦୦ କଦଳୀ ଗଛ ଥିଲା। ଏହା ମଧ୍ୟରୁ ପ୍ରତି ମାସରେ ପ୍ରାୟ ୧୫୦ଟି ଗଛରେ କଦଳୀ ହେଉଥିଲା। ପ୍ରାୟ ୧୮୦୦ ଡଜନ କଞ୍ଚା ଓ ପାଚିଲା କଦଳୀ କାରବାର ହେଉଥିଲା। ‘‘ବୁଲା ବିକାଳୀ ଓ ବ୍ୟବସାୟୀମାନେ ଡଜନକୁ ୧୨ରୁ ୧୫ ଟଙ୍କା ଦେଉଥିଲେ। ଆମେ ମାସକୁ ପ୍ରାୟ ୨୭,୦୦୦ ଟଙ୍କା ରୋଜଗାର କରୁଥିଲୁ।’’ କହନ୍ତି ସଙ୍ଗୀତା।

ଏହି ପରିବାରଗୁଡ଼ିକୁ ମଧ୍ୟ ଋତୁକାଳୀନ ପନିପରିବା ଯେପରିକି କାକୁଡ଼ି, ପାଳଙ୍ଗ ଏବଂ ମୂଳା ଚାଷ କରୁଥିଲୁ ଓ କଦଳୀ ପତ୍ର ମଧ୍ୟ ବିକ୍ରି କରୁଥିଲୁ- କଦଳୀ ପତ୍ରରୁ ମାସକୁ ପ୍ରାୟ ୧,୦୦୦ ଟଙ୍କା ଆୟ କରୁଥିଲୁ। ଆମର ୨୦ଟି କୁକୁଡ଼ା ଥିଲେ ଏବଂ କେତେକ ନିୟମିତ ଗ୍ରାହକ ଆମଠାରୁ ଅଣ୍ଡା କିଣୁଥିଲେ - ସେଥିରୁ ଆମ ପରିବାର ଆଉ ୩,୦୦୦ ଟଙ୍କା ଆୟ କରୁଥିଲା। ‘‘ଆମେ ଏଠାକୁ ଆସିବାପୂର୍ବରୁ ସବୁ ବିକ୍ରି କରିଆସିଲୁ।’’ ଆବେଗଭରା କଣ୍ଠରେ କହନ୍ତି ସଙ୍ଗୀତା।

ଉଚ୍ଛେଦ ପରେ ହଠାତ୍‌ ଆମ ପରିବାରର ଆୟ କମିଗଲା। କେବଳ ଲକ୍ଷ୍ମୀର ବଡ଼ପୁଅ, ଯାହାର ବୟସ ୪୮ ବର୍ଷ ଲଡ଼ାକ ନିର୍ମାଣସ୍ଥଳରେ ଦିନ ମଜୁରିଆ ଭାବରେ କାମ ପାଇଛି। ସେ ଦିନକୁ ପ୍ରାୟ ୩୦୦ ଟଙ୍କା ପାଉଛି। ତା’ର ଛଅଟି ପୁଅଝିଅ - ବଡ଼ ଝିଅଟି ବାହା ହୋଇଛି। ଆଉ ଗୋଟିଏ ଝିଅ ଏସଇଇପିଜେଡ୍‌ ନିକଟବର୍ତ୍ତୀ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍‌ରେ ଅଳଙ୍କାର ତିଆରି ୱାର୍କସପ୍‌ରେ କାମ କରୁଛି। ଅନ୍ୟମାନେ ସ୍କୁଲ୍ ଯାଉଛନ୍ତି। ଲକ୍ଷ୍ମୀର ସାନ ପୁଅ ଜାନୁ, ବୟସ ୩୮ ବର୍ଷ, ମାନସିକ ସମସ୍ୟାରେ ଆକ୍ରାନ୍ତ ସେ ଓ ତା’ର ଗୃହିଣୀ ସ୍ତ୍ରୀ ଓ ଦୁଇଟି ପିଲା ଅଛନ୍ତି। ସେ ମାସରେ ପ୍ରାୟ ୧୫ ଦିନ ନିର୍ମାଣ ସ୍ଥଳରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ‘‘ଆମେ ଆମ ସଞ୍ଚୟରୁ ଖର୍ଚ୍ଚ କରି ଚଳୁଛୁ।’’ କହନ୍ତି ଲକ୍ଷ୍ମୀ ‘‘ଏ ବୟସରେ ମୋତେ କିଏ କାମ ଦେବ? ମୁଁ କ’ଣ କରିବି? ମୁଁ କେମିତି ବଞ୍ଚିବି?

ପ୍ରଜାପୁରପଡ଼ାରୁ ବିସ୍ଥାପିତ ବହୁ ପରିବାର ଋତୁକାଳୀନ ଫଳ ଓ ପନିପରିବା ଚାଷ ଉପରେ ନିର୍ଭର କରୁଥିଲେ, ସେଗୁଡ଼ିକ ଅନ୍ଧେରି ଓ ଯୋଗେଶ୍ୱରୀ ବଜାରରେ ବିକ୍ରି କରୁଥିଲେ। ସେମାନେ ମଧ୍ୟ ନିଜ ବ୍ୟବହାର ପାଇଁ ହରଡ଼, ମୁଗ, ଓ ଧାନ ଚାଷ କରୁଥିଲେ। ଏହି ପରିବାରଗୁଡ଼ିକ କେବଳ ତାଙ୍କର ଜୀବିକା ଓ ଖାଦ୍ୟର ଉତ୍ସ ହରାଇନାହାନ୍ତି, ତାହା ସହିତ ଏସଆରଏ ବିଲ୍‌ଡିଂରେ ଭବିଷ୍ୟତରେ ସେମାନଙ୍କୁ ଫ୍ଲାଟ୍‌ର ମେଣ୍ଟେନାନ୍ସ ଖର୍ଚ୍ଚ ଭାବରେ ୧,୦୦୦ ଟଙ୍କା ପୈଠ କରିବାକୁ ହେବ।

କୌଣସି କୋକନା ପରିବାର ଆର୍ଥିକ କ୍ଷତିପୂରଣ କିମ୍ବା ‘‘ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି’ (ପିଏପି) ସାର୍ଟିଫିକେଟ୍‌ ପାଇ ନାହାନ୍ତି, କହନ୍ତି ପାଦବୀ। ମହାରାଷ୍ଟ୍ର ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି ପୁନର୍ବାସ ଆଇନ, ୧୯୯୯ ଅନୁଯାୟୀ ଏକ ରାଜ୍ୟ ପ୍ରକଳ୍ପ ଦ୍ୱାରା ପ୍ରଭାବିତ କୌଣସି ବ୍ୟକ୍ତି ଆର୍ଥିକ କ୍ଷତିପୂରଣ ପାଇବା ଉଚିତ। ଏହା ସହିତ କଲେକ୍ଟର ସମ୍ପୂର୍ଣ୍ଣ ପୁନର୍ବାସ ପ୍ରକ୍ରିୟା ତତ୍ୱାବଧାନ କରିବେ ଏବଂ ସାର୍ଟିଫିକେଟ୍ ଜାରି କରିବେ ଯାହାଫଳରେ ପରିବାରର ସଦସ୍ୟମାନେ ପିଏପିମାନଙ୍କ ପାଇଁ ସଂରକ୍ଷିତ କୋଟାରେ ନିଯୁକ୍ତି ପାଇପାରିବେ।

View from window
PHOTO • Jyoti Shinoli
Aarey forest
PHOTO • Amrita Bhattacharjee

୧୨ ମହଲା (ବାମ)ରେ ନୂଆ ଗାୟକୱାଡଙ୍କ ବାସଗୃହରୁ ସହରର ଦୃଶ୍ୟ - ମୁମ୍ବାଇ ସହର ତଳି ଅଞ୍ଚଳର ଆରେ ଜଙ୍ଗଲର ଘଞ୍ଚ ସବୁଜିମା (ଡାହାଣ) ଏକ ଦୂରନ୍ତ ସ୍ୱପ୍ନ

ପାଦବୀ ବୋଧହୁଏ ପ୍ରଜାପୁରପଡ଼ାର ପ୍ରଥମ ସ୍ନାତକ କହନ୍ତି, ‘‘ଆମ୍ଭେମାନେ ଉଚ୍ଛେଦରେ ହରାଇଥିବା ଜମି ବା ଘର ପାଇଁ କୌଣସି ଆର୍ଥିକ ଭରଣା ପାଇନାହୁଁ। ସେମାନେ (କେବଳ) ମୌଖିକ ଭାବରେ କ୍ଷତିପୂରଣ ପ୍ରତିଶ୍ରୁତି ଦେଇଛନ୍ତି।’’

୨୦୧୪ରେ ଏମଏମଆରସିର ପଡ଼ାର ବାସିନ୍ଦାମାନଙ୍କୁ ଏସଆରଏ ଫ୍ଲାଟ୍‌ରେ ପୁନର୍ବାସ ବିଷୟରେ ବିଜ୍ଞପ୍ତିର ଜବାବ ଦେଇ ପାଦବୀ ଜିଲ୍ଲା କଲେକ୍ଟରଙ୍କୁ, ଏମଏମଆରସିଙ୍କୁ ଏକ ପତ୍ର ଲେଖିଥିଲେ ଏବଂ ମହାରାଷ୍ଟ୍ର ସରକାରଙ୍କର ଆପତ୍ତି ଶୁଣାଣି ପୋର୍ଟାଲ୍ ଆପ୍‌ଲେ ସରକାରରେ ଅଭିଯୋଗ ଜଣାଇଥିଲେ। ସେମାନେ ଉତ୍ତର ଦେଲେ ନାହିଁ।

‘‘ଆମେ ବସ୍ତି ବାସିନ୍ଦା ନୋହୁଁ,’’ ସେ କହନ୍ତି। ‘‘ଆମେ ହେଉଛୁ ଆରେ ଜଙ୍ଗଲର ମୂଳ ବାସିନ୍ଦା। ଆମ ପୂର୍ବପୁରୁଷମାନେ ଏଠାରେ ବାସ କରୁଥିଲେ, ସେତେବେଳେ ଆରେ ମିଲ୍କ କଲୋନୀ ମଧ୍ୟ ପ୍ରତିଷ୍ଠା ହୋଇନଥିଲା। ଆମେ ହେଉଛୁ ଏହି ସ୍ଥାନର ମୂଳ ବାସିନ୍ଦା ଓ ଆମର ଅଧିକାର ୨୦୦୬ର ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ସୁରକ୍ଷିତ। ମୁମ୍ବାଇ ଅର୍ବାନ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ପଲିସି (୨୦୦୦ ବର୍ଷ)କୁ ମଧ୍ୟ ଏମଏମଆରସିଏଲ ବିଚାରକୁ ନେଇନାହିଁ, ଯାହାର କି ଆମ ପାଇଁ ପୃଥକ ଯୋଜନା ରହିଛି। ଏମଏମଆରସିଏଲ ଆମ୍ଭମାନଙ୍କୁ କହୁଛି ଯେ ଯଦି ଆମେ କ୍ଷତିପୂରଣ ଚାହୁଁ ତେବେ ଆମକୁ ଆମର ବାସସ୍ଥାନ ପ୍ରମାଣ ଏବଂ ଜମି ରେକର୍ଡ ସାତ୍‌/ବାରା ପ୍ରଦାନ କରିବାକୁ ହେବ (ଏହି ସାତ୍‌/ବାରା କିମ୍ବା ୭/୧୨ ଦଲିଲ୍ ହେଉଛି ରାଜସ୍ୱ ବିଭାଗର ଜମି ରେଜିଷ୍ଟରର ଏକ ନିଷ୍କର୍ସ, ପଟ୍ଟା ବା ମାଲିକାନା ରାଜିନାମା ପରି କିନ୍ତୁ ଆଦିବାସୀମାନଙ୍କ ପାଇଁ ଏହା ହାସଲ କରିବା କଷ୍ଟକର କାରଣ ମିଲ୍‌କ କଲୋନୀ ଆସିବା ପରେ ସେମାନେ ଆରେ କର୍ତ୍ତୃପକ୍ଷଙ୍କଠାରୁ ଲିଜ୍‌ରେ ଜମି ନେଇ ଚାଷ କରିବା ଆରମ୍ଭ କରିଥିଲେ।)

ପରି ତରଫରୁ ବାରମ୍ବାର ପ୍ରଶ୍ନ କରାଯିବା ପରେ ଏମଏମଆରସିଠାରୁ ଜବାବରେ କିଛି ପ୍ରତିଶ୍ରୁତି ମିଳିଥିଲା। ଅବଶ୍ୟ, କିଛି ସପ୍ତାହ ପରେ ସେହି ଜବାବ ଶୀତଳ ଭଣ୍ଡାରରେ ରହିଥିଲା। ଏକ ଖବରକାଗଜ ରିପୋର୍ଟରେ, ଏମଏମଆରସି କହିଛି ଯେ ପଡ଼ା ଗୋଷ୍ଠୀଗୁଡ଼ିକ ସେମାନଙ୍କର ସ୍ୱଦେଶୀ ସ୍ଥିତି ପ୍ରମାଣ କରିବା ପାଇଁ କୌଣସି ଦଲିଲ୍ ଦାଖଲ କରିନାହାନ୍ତି। ‘‘ଆମେ ଯେତେବେଳେ ସେମାନଙ୍କୁ ତାଙ୍କ ଜମି ଅଧିକାର ପ୍ରମାଣ କରିବା ପାଇଁ ଦଲିଲ୍ ଦେବାକୁ କହିଲୁ, ସେମାନେ ତାହା ଉପସ୍ଥାପନ କରିପାରିଲେ ନାହିଁ। ଜଙ୍ଗଲ ଅଧିକାର ଆଇନ ଏହି ନିର୍ଦ୍ଦେଶନାମା ବିଷୟରେ ଅତ୍ୟନ୍ତ ସ୍ପଷ୍ଟ। ସେମାନଙ୍କର ଘରଦ୍ୱାର ସରକାରୀ ଜମିରେ ଥିଲା ଏବଂ ଆମକୁ ଏହା ଖାଲି କରିବାର ଥିଲା।’’ ଏମଏମଆରସି ଅଧିକାରୀ ତାଙ୍କ ରିପୋର୍ଟରେ ଏହା ଜଣାଇଛନ୍ତି।

Metro shed
PHOTO • Anushka Jain

ମେଟ୍ରୋ କାର୍ ସେଡ୍ ସାଇଟ୍ରେ ନିର୍ମାଣ କାର୍ଯ୍ୟ ଚାଲିଛି, ଯେଉଁଠାରେ ପ୍ରଜାପୁରପଡ଼ାର ୭୦ଟି ପରିବାର ଏକଦା ବାସ କରୁଥିଲେ

ଆରେର ବାସିନ୍ଦାମାନେ ତାଙ୍କର ଉଚ୍ଛେଦ ଓ ‘‘ଥଇଥାନ’’କୁ ଅନୈତିକ ଭାବରେ ବର୍ଣ୍ଣନା କରିଛନ୍ତି। ବେଷ୍ଟ୍ ଷ୍ଟାଫ୍ ବସ୍‌ରେ ମେଣ୍ଟେନାନ୍ସ ୱାର୍କର ଭାବରେ କାମ କରୁଥିବା ପ୍ରକାଶ ଭୋଇଙ୍କ ବୟସ ୪୬ ବର୍ଷ। ସେ ଧୂଳିସାତ ହୋଇଥିବା ପ୍ରଜାପୁରପଡ଼ାଠାରୁ ପ୍ରାୟ ୧ କିଲୋମିଟର ଦୂରରେ କେଲ୍‌ଡିପଡ଼ାରେ ବାସ କରନ୍ତି। ‘‘ଆମେ ଆଦିବାସୀ [ସେ ଜଣେ ମଲ୍‌ହାର କୋଲି]। ଏ ଜମି ହେଉଛି ଆମ ପାଇଁ ଜୀବିକା ଓ ବଞ୍ଚି ରହିବାର ଉତ୍ସ। ଆମେ ନଭଶ୍ଚୁମ୍ବୀ ପ୍ରାସାଦରେ ଚାଷ କରିପାରିବୁ ନାହିଁ? ଆମେ ମାଟି ଓ ଗଛ ବ୍ୟତୀତ ବଞ୍ଚିପାରିବୁ ନାହିଁ।’’

୨୦୧୬ରେ ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏସଆରଏ ସ୍କିମ୍‌ରେ ୨୭ଟି ଆଦିବାସୀ ବସ୍ତି ନ୍ୟାୟାଳୟର ଅନୁମତି ବ୍ୟତୀତ କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଏକ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଜନସ୍ୱାର୍ଥ ମାମଲା ଦାଖଲ ପରେ ଘଟିଥିଲା, ଏହି ବସ୍ତିଗୁଡ଼ିକ ଏସଆରଏ ସ୍କିମ୍‌ରେ ସେଗୁଡ଼ିକର ଯୋଗ୍ୟତା ମୂଲ୍ୟାୟନ ପାଇଁ ମ୍ୟୁନିସପାଲ୍ ନିଗମର ଏକ ସର୍ବେକ୍ଷଣ ପାଇଁ ନୋଟିସ ପାଇବା ପରେ ହୋଇଥିଲା। ‘‘ଏମଏମଆରସିଏଲ ହାଇକୋର୍ଟ ନିର୍ଦ୍ଦେଶ ଉଲ୍ଲଙ୍ଘନ କରିଛନ୍ତି। ଆଦିବାସୀଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି।’’ କହିଛନ୍ତି ଷ୍ଟାଲିନ୍ ଦୟାନନ୍ଦ, ଜଣେ ପରିବେଶବିତ୍ ଏବଂ ମୁମ୍ବାଇ ଭିତ୍ତିକ ସ୍ୱେଚ୍ଛାସେବୀ ସଂଗଠନ ବନଶକ୍ତିର ନିର୍ଦ୍ଦେଶକ। ଅକ୍ଟୋବର ୨୦୧୭ରେ ଏହି ଅନୁଷ୍ଠାନ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁବାଲ୍‌ରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ। ଯେଉଁଥିରେ ଦର୍ଶାଯାଇଛି ଯେ ଆରେ ହେଉଛି ଏକ ଜଙ୍ଗଲ ଏବଂ ଏଠାରେ କୌଣସି ବିକାଶମୂଳକ କାର୍ଯ୍ୟ କରାଯିବା ଅନୁଚିତ ଏବଂ ଏହି ଆଦିବାସୀମାନଙ୍କର ଅଧିକାର ସୁରକ୍ଷିତ ରହିବା ଉଚିତ। ଏହି ମାମଲାର ଫଳାଫଳ ପାଇଁ ଅପେକ୍ଷା କରାଯାଉଛି।

ପାଦବୀ ଏବେ ହାଇକୋର୍ଟରେ ଏକ ମାମଲା କରିବାକୁ ଯୋଜନା କରୁଛନ୍ତି। ‘‘ହୁଏତ ତାହା ପରେ ସରକାର ଆମ ପ୍ରତି ଧ୍ୟାନ ଦେବେ।’’ ସେ କହନ୍ତି। ଏହି ସମୟରେ ଗ୍ରୀଲ୍‌  ଝରକାରୁ, ବିଷାଦଭରା ମୁହଁରେ ଲକ୍ଷ୍ମୀ କେବଳ ଅନ୍ୟ ନଭେଶ୍ଚୁମ୍ବୀ ପ୍ରାସାଦ ଓ ଚାଲୁଥିବା ମେଟ୍ରୋ ୧ ଦେଖିପାରନ୍ତି। ଏବେ ତାଙ୍କ ଚାରିପଟେ ପାଦେ ଜାଗା ନାହିଁ ଯେଉଁଠାରେ ସେ ୨୦ଟି କୁକୁଡ଼ା ରଖିପାରିଥାନ୍ତେ। ଅନ୍ୟ ସାତୋଟି ଫ୍ଲାଟ୍ ସହିତ ଛୋଟିଆ ବାରେଣ୍ଡାଟିଏ ଅଛି। ଆଉ ଛୋଟିଆ କୁଣ୍ଡରେ ଗୋଟିଏ ମନ୍ଦାର ଗଛ ଓ ଝରକା ସିଲ୍‌ରେ ସବୁଜ ଟାରୋ ରହିଛି।

ଅତିରିକ୍ତ ରିପୋର୍ଟିଂ ଅନୁଷ୍କା ଜୈନ୍‌

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ଶିନୋଲି ମୁମ୍ବାଇରେ ରହୁଥିବା ଜଣେ ସାମ୍ବାଦିକା ଏବଂ ପିପୁଲସ୍ ଅର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ବିଷୟାବଳୀ ସମନ୍ଵକ। ପୂର୍ବରୁ ସେ ‘ମି ମରାଠି’ ଏବଂ ‘ମହାରାଷ୍ଟ୍ର ୧’ ପରି ଚ୍ୟାନେଲରେ କାମ କରିଛନ୍ତି।

Other stories by Jyoti Shinoli