‘‘ସମସ୍ତେ ଏହା କରୁଛନ୍ତି । ଏଣୁ ଆମେ ମଧ୍ୟ କରୁଛୁ,” ବୋଲି ଅନିଶ୍ଚିତତା ମଧ୍ୟରେ ରୂପା ପିରିକାକା କହିଲେ ।

‘ଏହା ହେଉଛି ଜିନୀୟ ପରିବର୍ତ୍ତିତ (GM) ବିଟ୍‌ କାର୍ପାସ୍‌ ବୀଜ, ଯାହା ବର୍ତ୍ତମାନ ସ୍ଥାନୀୟ ବଜାରରେ ସହଜରେ ଉପଲବ୍ଧ ବା ଏପରିକି ଜଣେ ନିଜ ଗ୍ରାମରେ ମଧ୍ୟ ପାଇପାରିବ। ‘ସମସ୍ତେ’ର ଅର୍ଥ ହେଉଛି ସେମାନଙ୍କ ଗ୍ରାମ ଓ ଦକ୍ଷିଣ-ପଶ୍ଚିମ ଓଡିଶାର ବାକି ଭାଗରେ ଥିବା ତାଙ୍କ ଭଳି ଅସଂଖ୍ୟ କୃଷକମାନେ ।

“ସେମାନଙ୍କ ହାତକୁ ପଇସା ଆସୁଛି,” ବୋଲି ସେ କୁହନ୍ତି ।

ପିରିକାକା ହେଉଛନ୍ତି ଜଣେ ୪୦ବର୍ଷ ବୟସ୍କ କନ୍ଧ ଆଦିବାସୀ କୃଷକ । ପ୍ରତିବର୍ଷ, ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ, ସେ ଡଙ୍ଗର ଚାଷ କରିବା ପାଇଁ ପାହାଡ ଢାଲୁ ପ୍ରସ୍ତୁତ କରି ଆସୁଛନ୍ତି – ଯାହାକୁ ଆକ୍ଷରିକ ଅର୍ଥରେ “ପାହାଡି ଚାଷ’’ (ସ୍ଥାନାନ୍ତରିତ କୃଷି) ବୋଲି କୁହାଯାଏ । ଶହ ଶହ ବର୍ଷ ଧରି ଏହି ଅଞ୍ଚଳର କୃଷକମାନଙ୍କ ଦ୍ୱାରା ମାର୍ଜିତ ପାରମ୍ପରିକ କୃଷି ପ୍ରଣାଳୀ ପାଳନ କରି ପିରିକାକା ଗୋଟିଏ ପାତ୍ରରେ ମିଶାମିଶି ହୋଇ ରହିଥିବା ବୀଜଗୁଡିକ ଯାହା ସେ ଉତ୍ତରାଧୀକାରୀ ସୂତ୍ରରେ ପାଇଛନ୍ତି, ଯାହାକୁ ସେ ଗତ ବର୍ଷ ଆଦାୟ ବେଳେ ସାଇତି ରଖିଥିଲେ ତାହା ବୁଣିବେ । ଏଥିରୁ ଏକ ଝୁଡି ଭର୍ତ୍ତି ଖାଦ୍ୟ ଶସ୍ୟ ଉତ୍ପାଦିତ ହେବ: ଶସ୍ୟ ଜାତୀୟ ଯେପରିକି ମାଣ୍ଡିଆ ଓ କାଙ୍ଗୁ, ଡାଲି ଜାତୀୟ ଯେପରିକି ହରଡ ଓ ବିରି ସହିତ  ଅଲଡି, ନାଇଜର୍‌ ବୀଜ ଓ ରାଶିର ପାରମ୍ପରିକ କିଷମ ।

ଚଳିତ ଜୁଲାଇରେ, ପ୍ରଥମଥର ପାଇଁ, ପିରିକାକା ନିଜ ଚାଷ ବଦଳେଇ ବିଟ୍‌ କାର୍ପାସ୍‌ ଚାଷ କରିବା ଆରମ୍ଭ କରିଛନ୍ତି । ଆମେ ତାଙ୍କୁ ଯେତେବେଳେ ଭେଟିଥିଲୁ ସେତେବେଳେ ସେ ଗାଢ ଗୋଲାପି ରଙ୍ଗର, ରାସାୟନିକ-ବୋଳା ବୀଜଗୁଡିକୁ ବିଷମକଟକ ବ୍ଲକ୍‌ରେ ଥିବା ତାଙ୍କ ଗ୍ରାମର ପାହାଡ ଢାଲୁରେ ବୁଣୁଥିଲେ । ଆଦିବାସୀମାନଙ୍କ ସ୍ଥାନାନ୍ତରଣ କୃଷି ପଦ୍ଧତି ମଧ୍ୟକୁ କାର୍ପାସ୍‌ ଚାଷ ଯେଭଳି ପ୍ରଭାବଶାଳୀ ଢଙ୍ଗରେ ପ୍ରବେଶ କରିଛି, ସେଥିପାଇଁ ଆମେ ସେମାନଙ୍କୁ ଏହି ପରିବର୍ତ୍ତନ ବିଷୟରେ ପଚାରିବାକୁ ବାଧ୍ୟ ହେଲୁ ।

“ଅନ୍ୟ ଫସଲ ଯେପରିକି ହଳଦି ଫସଲରୁ ମଧ୍ୟ ପଇସା ମିଳିଥାଏ,” ବୋଲି ପିରିକାକା ସ୍ୱୀକାର କରନ୍ତି । କିନ୍ତୁ କେହି ମଧ୍ୟ ତାହା ଆଉ କରୁନାହାନ୍ତି । ସମସ୍ତେ ମାଣ୍ଡିଆ [ଶସ୍ୟ] ଚାଷ କରିବା ବନ୍ଦ କରିଦେଲେଣି…ଓ ସମସ୍ତେ କାର୍ପାସ୍‌ ପଛରେ ଗୋଡାଇଛନ୍ତି।”

କେବଳ ୧୬ ବର୍ଷରୁ କମ୍‌ ସମୟ ମଧ୍ୟରେ, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ପାସ୍‌ ଫସଲ ହାର ୫,୨୦୦ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁସାରେ  ୨୦୦୨-୦୩ରେ କେବଳ ୧,୬୩୧ ଏକରରେ କାର୍ପାସ୍‌ ହେଉଥିବା ଉଲ୍ଲେଖ କରାଯାଇଛି । ଜିଲ୍ଲା କୃଷି କାର୍ଯ୍ୟାଳୟ  ଅନୁସାରେ ୨୦୧୮-୧୯ରେ ଏହାର ପରିମାଣ ବୃଦ୍ଧି ପାଇ  ୮୬,୯୦୭ ଏକରରେ ପହଞ୍ଚିଛି ।

ପାଖାପାଖି ୧ମିଲିୟନ ଜନସଂଖ୍ୟା ବିଶିଷ୍ଟ ରାୟଗଡ଼ା, ହେଉଛି କୋରାପୁଟ ମଣ୍ଡଳର ଏକ ଅଂଶ, ଯାହା ହେଉଛି ବିଶ୍ୱର ଏକ ବୃହତ୍‌ ଜୈବବିବିଧତାରେ ଭରପୂର ଏକ ସ୍ଥାନ ଓ ବିଭିନ୍ନ କିଷମର ଧାନ ପାଇଁ ଏକ ଐତିହାସିକ ସ୍ଥାନ ।  କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ୱାରା ୧୯୫୯ରେ କରାଯାଇଥିବା ଏକ ସର୍ବେକ୍ଷଣରୁ ସେହି ସମୟରେ ଏହି ସ୍ଥାନରେ ୧,୭୦୦ ରୁ ଅଧିକ କିଷମର ଧାନ ମହଜୁଦ ଥିବା ଜଣାପଡିଥିଲା । ବର୍ତ୍ତମାନ ଏହାର ସଂଖ୍ୟା ହ୍ରାସ ପାଇଁ  ୨୦୦ ହୋଇଯାଇଛି । କେତେକ ଗବେଷକ ଏହା ଧାନ ଚାଷର ଜନ୍ମସ୍ଥାନ ବୋଲି ମଧ୍ୟ ବିଶ୍ୱାସ କରନ୍ତି ।

Adivasi farmers are taking to GM cotton, as seen on this farm in the Niyamgiri mountains.
PHOTO • Chitrangada Choudhury
But many are reluctant to entirely abandon their indigenous food crops, such as pigeon pea. They sow this interspersed with cotton, thus feeding agri-chemicals meant for the cotton plants to their entire farm.
PHOTO • Chitrangada Choudhury

ନିୟମଗିରି ପାହାଡରେ ଆଦିବାସୀ କୃଷକମାନେ (ବାମ) ବିଟ କାର୍ପାସ୍‌ ଚାଷ ଆପଣାଉଛନ୍ତି (ଏହାର ଗୋଲାପି ବୀଜ ଡାହାଣରେ ଏକ ବକ୍ସରେ ଦିଆଯାଇଛି), ଯଦିଓ ଅନେକ ସେମାନଙ୍କ ଦେଶୀୟ ଖାଦ୍ୟ ଶସ୍ୟ ଯେପରିକି ହରଡ଼ (ଧଳା ଗିନାରେ ରଖାଯାଇଥିବା ବୀଜ) ଚାଷ କରିବା ଏପର୍ଯ୍ୟନ୍ତ ଛାଡ଼ିନାହନ୍ତି । ଏଗୁଡିକୁ କାର୍ପାସ୍‌ ଫସଲ ମଝିରେ ବିକ୍ଷିପ୍ତ ଭାବେ ବୁଣା ଯାଇଥାଏ ଓ କାର୍ପାସ୍‌ ଗଛ ପାଇଁ ସିଞ୍ଚନ କରାଯାଇଥିବା ରାସାୟନିକ ପଦାର୍ଥଗୁଡିକ ପୂରା ଜମିରେ ନିଃସୃତ ହୋଇଯାଏ ।

ଏଠାରେ ରହୁଥିବା କନ୍ଧ ଆଦିବାସୀମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଜୀବନ ଧାରଣ କରିବା ପାଇଁ କୃଷି କାର୍ଯ୍ୟ କରୁଥିବା କୃଷକମାନେ, ଯେଉଁମାନଙ୍କୁ  ସେମାନଙ୍କ ରୁଚିସମ୍ପନ୍ନ କୃଷି ବନୀକରଣ ପାଇଁ ସମସ୍ତେ ଜାଣନ୍ତି । ଆଜି ମଧ୍ୟ, ଅନେକ କନ୍ଧ ପରିବାର ଏହି ଅଞ୍ଚଳରେ ଥିବା ଉଜ୍ଜ୍ୱଳ ସବୁଜ ରଙ୍ଗର ଶିଢି ଯୁକ୍ତ ଜମି ଓ ପାହାଡ ପାର୍ଶ୍ୱର ଚାଷଜମିରେ, ହତବୁଦ୍ଧି କରିଦେବା ଭଳି ଧାନ ଓ ମାଣ୍ଡିଆର ବିଭିନ୍ନ କିଷମ, ଡାଲି ଜାତୀୟ ଫସଲ ଓ ପନିପରିବା ସବୁ ଅନୁକ୍ରମରେ ଚାଷ କରିଥାନ୍ତି । ଲିଭିଂ ଫାର୍ମ, ରାୟଗଡ଼ାର ଏକ ନନ୍-ପ୍ରଫିଟ୍‌ ସଂସ୍ଥା କିଛିଦିନ ତଳେ ୩୬ କିଷମର ଶସ୍ୟ ଓ ୨୫୦ ବନଜାତ ଖାଦ୍ୟ ଲିପିବଦ୍ଧ କରିଛି।

ଏଠାର ଅଧିକାଂଶ ଆଦିବାସୀ କୃଷକ ବ୍ୟକ୍ତିଗତ ସ୍ତରରେ ବା ୧ ରୁ ୫ ଏକର ସାଇଜ୍‌ ବିଶିଷ୍ଟ ଚାଷ ଜମି ଯାହା ସାଧାରଣ ସମ୍ପତ୍ତି ଅଧିନରେ ଅଛି, ସେଥିରେ ଚାଷ କରନ୍ତି ।

ସେମାନଙ୍କ ବୀଜଗୁଡ଼ିକୁ ସାଧାରଣତଃ ଗୋଷ୍ଠୀମଧ୍ୟରେ ପ୍ରାୟତଃ କୌଣସି ପ୍ରକାରର କୁତ୍ରିମ ସାର ବା ଅନ୍ୟ କୃଷି-ରାସାୟନିକ ପଦାର୍ଥ (କୃଷି-ରସାୟନ) ବ୍ୟବହାର କରାନଯାଇ ପ୍ରତିପାଳିତ ଓ ବଣ୍ଟନ କରାଯାଇଥାଏ । 

ଏପର୍ଯ୍ୟନ୍ତ, ରାୟଗଡ଼ାର ପ୍ରଧାନ ପାରମ୍ପରିକ ଖାଦ୍ୟ ଶସ୍ୟ ମାଣ୍ଡିଆ ଫସଲକୁ ଅତିକ୍ରମ କରି ଆଜି କାର୍ପାସ୍‌ ଧାନ ପରେ ସର୍ବାଧିକ ଚାଷ କରାଯାଉଥିବା ଦ୍ୱିତୀୟ ଶସ୍ୟ ହୋଇ ପାରିଛି । ଏହି ଜିଲ୍ଲାରେ ଚାଷ ହେଉଥିବା ସମୁଦାୟ ୪୨୮,୯୪୭ ଏକର ଜମିର ଏକ ପଞ୍ଚମାଂଶ ଜମିରେ ଏହାକୁ ଚାଷ କରାଯାଏ । କାର୍ପାସ୍‌ର ଏହି ଦ୍ରୁତ ସଂପ୍ରସାରଣ ଏଠାର ଭୂମି ଓ କୃଷି-ପାରିସ୍ଥିତିକ ତତ୍ତ୍ୱ ଜ୍ଞାନରେ ନିମଜ୍ଜିତ ଏଠାର ଲୋକଙ୍କୁ ପୁନଃଗଠିତ କରୁଛି ।

ଭାରତରେ ଶସ୍ୟ ଚାଷ କରାଯାଉଥିବା ସମୁଦାୟ କ୍ଷେତ୍ରର ଅନ୍ୟୂନ ୫ପ୍ରତିଶତ ସ୍ଥାନରେ କାର୍ପାସ୍‌ ଚାଷ କରାଯାଇଥାଏ, କିନ୍ତୁ ଏଥିରେ ପ୍ରୟୋଗ ହେଉଥିବା ସମୁଦାୟ କୀଟନାଶକ, ତୃଣନାଶକ ଓ ଫିମ୍ପିନାଶକର ପରିମାଣ ଜାତୀୟସ୍ତରରେ ପ୍ରୟୋଗ ହେଉଥିବା ପରିମାଣର ୩୬ ରୁ ୫୦ ପ୍ରତିଶତ ଅଟେ । ଏହା ମଧ୍ୟ ହେଉଛି ସେହି ଶସ୍ୟ ଯାହା ସହିତ ସମଗ୍ର ଭାରତରେ କୃଷକମାନଙ୍କ ଋଣ ବୋଝ ବଢିବା ଓ କୃଷକ ଆତ୍ମହତ୍ୟାର ବ୍ୟାପକ ସମ୍ପର୍କ ରହିଛି ।

ଏହି ସ୍ଥାନର ଦୃଶ୍ୟପଟ ୧୯୯୮ ଓ ୨୦୦୨ ମଧ୍ୟରେ ବିଦର୍ଭର ସ୍ଥିତି କଥା ମନେ ପକାଇଦିଏ- ନୂତନ ଚମତ୍କାରୀ ବୀଜ ନେଇ ପ୍ରାରମ୍ଭିକ ଉତ୍ତେଜନା ଓ ଅଧିକ ଲାଭର ସ୍ୱପ୍ନ, ତାପରେ ଅତ୍ୟଧିକ ପାଣି ଶୋଷିବା ପ୍ରକୃତି ଜନିତ ପ୍ରଭାବ, ବ୍ୟୟ ଓ ଋଣବୋଝ ଅତ୍ୟଧିକ ବୃଦ୍ଧି ପାଇବା ଓ ଅନ୍ୟାନ୍ୟ ପାରିସ୍ଥିତିକ ଚାପ । କାଳକ୍ରମେ ବିଦର୍ଭ ଦେଶରେ ପ୍ରାୟ ଦଶ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୃଷକ ଆତ୍ମହତ୍ୟାର କେନ୍ଦ୍ରସ୍ଥଳି ହୋଇ ରହିଗଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ ବିଟ୍‌ କାର୍ପାସ୍‌ ଚାଷୀ ଥିଲେ ।

  *****

ଆମେ ଯେଉଁ ଦୋକାନରେ ଠିଆ ହୋଇଛୁ ତାହାର ମାଲିକ ହେଉଛନ୍ତି ଚନ୍ଦ୍ର କୁଡ୍ରୁକା (ନାମ ବଦଳା ଯାଇଛି), ଜଣେ ୨୪ବର୍ଷ ବୟସ୍କ କନ୍ଧ ଯୁବକ ।  ଭୁବନେଶ୍ୱରରୁ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟରେ ଡିଗ୍ରୀ ହାସଲ କରି ଗ୍ରାମକୁ ଫେରିବା ପରେ, ସେ ଚଳିତ ଜୁନ୍‌ରେ ନିୟମଗିରି ପାହାଡରେ ଅବସ୍ଥିତ ତାଙ୍କ ଗ୍ରାମ ରୁକଗୁଡ଼ାରେ (ନାମ ବଦଳା ଯାଇଛି) ଏକ ଦୋକାନ ଖୋଲିଛନ୍ତି । ଆଳୁ, ପିଆଜ, ଛଣା ଜଳଖିଆ, ମିଠା ଆଦି ସବୁକିଛି – ଏହା ଯେକୌଣସି ଗ୍ରାମରେ ଥିବା ଦୋକାନ ପରି ଦେଖାଯାଉଛି ।

ପ୍ରଚୁର ପରିମାଣରେ ବିକ୍ରି ହେଉଥିବା ଏହି ସବୁ ଉତ୍ପାଦ ବ୍ୟତୀତ, କାଉଣ୍ଟର୍‌ ତଳେ ଗୋଟିଏ ବଡ ଚକଚକିଆ ଅଖାରେ, ଥାକ କରି ରଙ୍ଗବିରଙ୍ଗ ପ୍ୟାକେଟ୍‌ଗୁଡିକରେ କାର୍ପାସ୍‌ ବୀଜ ରଖାଯାଇଛି, ସେମଧ୍ୟରୁ ଅନେକ ପ୍ୟାକେଟରେ ସୁଖି କୃଷକମାନଙ୍କ ଛବି ଓ ଏକ ୨,୦୦୦ ଟଙ୍କାର ଛବିଗୁଡିକ ପ୍ରଦର୍ଶିତ ହୋଇଛି ।

କୁଡ୍ରୁକାଙ୍କ ଦୋକାନରେ ଥିବା ବହୁତଗୁଡ଼ିଏ ବୀଜ ପ୍ୟାକେଟ ବେଆଇନ୍‌ ଓ ଅବୈଧ। କେତେକ ପ୍ୟାକେଟ୍‌ ଉପରେ କୌଣସି ଲେବଲ୍‌ ମଧ୍ୟ ଲଗାଯାଇ ନାହିଁ। ଏଥିମଧ୍ୟରୁ ଅନେକ ଓଡିଶାରେ ବିକ୍ରି କରାଯିବା ପାଇଁ ଅନୁମୋଦିତ ନୁହେଁ । ଏସବୁ ବୀଜ ଓ କୃଷି-ରସାୟନଗୁଡିକ ବିକ୍ରି କରିବା ପାଇଁ ତାଙ୍କ ଦୋକାନ ଲାଇସେନ୍ସ ପ୍ରାପ୍ତ ନୁହେଁ।

ଗଚ୍ଛିତ କରି ରଖାଯାଇଥିବା ଜିନିଷ ମଧ୍ୟରେ, ବୀଜଗୁଡିକ ସହିତ ବିକ୍ରି କରିବା ପାଇଁ, କାର୍ଟୁନ୍‌ରେ ଭର୍ତ୍ତି କରି ବିବାଦୀୟ ତୃଣନାଶକ ଗ୍ଲାଇଫୋସେଟ୍‌ ଥିବା ସବୁଜ ଓ ଲାଲ୍‌ ବୋତଲଗୁଡିକ ରଖାଯାଇଛି । ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଗ୍ଲାଇଫୋସେଟ୍‌ ଯୋଗୁଁ ମନୁଷ୍ୟମାନେ କର୍କଟ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ରହିଥିବା କଥା କୁହାଯାଇଥିଲା (ପରେ ଶିଳ୍ପଗୁଡିକର ଚାପରେ ଡବ୍ଲୁଏଚ୍‌ଓ ଦ୍ୱାରା ଏହାକୁ ଖଣ୍ଡନ କରାଯାଇଥିଲା)। ପଞ୍ଜାବ ଓ କେରଳରେ ଏହାର ବ୍ୟବହାର ନିଷେଧ କରାଯାଇଛି, ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହାର ବ୍ୟବହାର ଉପରେ କଟକଣା ଲଗାଯାଇଛି ଓ ବର୍ତ୍ତମାନ ଏହା କର୍କଟ ରୋଗୀମାନଙ୍କ ଦ୍ୱାରା ଏହାର ଉତ୍ପତ୍ତି ସ୍ଥଳ ଆମେରିକାରେ ଏହା ବିରୋଧରେ କରାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ମକଦ୍ଦମାର କେନ୍ଦ୍ର ପାଲଟିଛି । 

In Kaliponga village, farmer Ramdas sows BT and HT cotton, days after dousing their lands with glyphosate, a broad spectrum herbicide
PHOTO • Chitrangada Choudhury
In Kaliponga village, Ramdas' wife Ratnamani sows BT and HT cotton, days after dousing their lands with glyphosate, a broad spectrum herbicide
PHOTO • Chitrangada Choudhury

କାଲିପଙ୍ଗା ଗ୍ରାମରେ, କୃଷକ ରାମଦାସ ଓ ତାଙ୍କ ସ୍ତ୍ରୀ ରତ୍ନମଣି ସେମାନଙ୍କ ଜମିରେ ଗ୍ଲାଇଫୋସେଟ୍‌,ଏକ ବ୍ରଡ୍‌ ସ୍ପେକ୍ଟ୍ରମ୍ ତୃଣନାଶକ ସିଞ୍ଚନ କରିବାର କିଛି ଦିନ ପରେ ବିଟି ଓ ଏଚ୍‌ଟି କାର୍ପାସ୍‌ ବୁଣୁଛନ୍ତି

ରାୟଗଡ଼ାର କୃଷକମାନେ ଏସବୁ କିଛି ଜାଣନ୍ତି ନାହିଁ । ଗ୍ଲାଇଫୋସେଟ୍‌ ଯାହାକୁ ସ୍ଥାନୀୟ ଭାଷାରେ ‘ଘାସ ମରା’ – ବୋଲି କୁହାଯାଏ- ତାହା ସେମାନଙ୍କୁ ସେମାନଙ୍କ ଜମିରେ ବଢୁଥିବା ବଡବଡ ତୃଣ ଜାତୀୟ ଘାସଗଛକୁ ଶୀଘ୍ର ନଷ୍ଟ କରିବା ପାଇଁ ବିକ୍ରି କରାଯାଇଥାଏ । କିନ୍ତୁ ଏହା ହେଉଛି ଏକ ବ୍ରଡ୍‌ ସ୍ପେକ୍ଟ୍ରମ ତୃଣନାଶକ, ଯାହା ସେହି ସବୁ ଗଛ ଯାହାର ଜିନ୍‌ରେ ଏହାକୁ ପ୍ରତିରୋଧ କରିବା ପାଇଁ ପରିବର୍ତ୍ତନ କରାଯାଇଛି, ସେଗୁଡିକ ବ୍ୟତୀତ ଅନ୍ୟ ସମସ୍ତ ଗଛକୁ ମାରିଦିଏ । କୁଡ୍ରୁକା ମଧ୍ୟ ପ୍ରଫୁଲ୍ଲିତ ହୋଇ ଆମକୁ କାର୍ପାସ୍‌ ବୀଜଗୁଡିକ ଦେଖାଇ ଏହା ଗ୍ଲାଇଫୋସେଟ୍‌ ସିଞ୍ଚନ ପରେ ମଧ୍ୟ ଜୀବିତ ରହିଥାଏ ବୋଲି ସେ ଆମକୁ କହିଲେ । ଏହିପରି ‘ତୃଣନାଶକ ସହନଶୀଳ’ ବା ‘ଏଚ୍‌ଟି ବୀଜକୁ’ ଭାରତରେ ବାରଣ କରାଯାଇଛି । 

କୁଡ୍ରୁକା ଗତ ଦୁଇ ସପ୍ତାହରେ କୃଷକମାନଙ୍କୁ ପ୍ରାୟ ୧୫୦ ବୀଜ ପ୍ୟାକେଟ୍‌ ବିକ୍ରି କରିସାରିଲେଣି, ବୋଲି କହିଲେ । “ମୁଁ ଆହୁରି ଅଧିକ ପାଇଁ ଅର୍ଡର୍‌ କରିଛି। ସେଗୁଡିକ କାଲି ସୁଦ୍ଧା ଏଠାରେ ପହଞ୍ଚିଯିବ ।”

ବ୍ୟବସାୟ ଦ୍ରୁତ ଗତିରେ ବଢୁଥିବା ଜଣାପଡୁଛି ।

“ରାୟଗଡ଼ାରେ ଉତ୍ପାଦିତ ହେଉଥିବା ସମୁଦାୟ କାର୍ପାସ୍‌ର ୯୯.୯ ଭାଗ କାର୍ପାସ୍‌ ହେଉଛି ବିଟ୍‌ କାର୍ପାସ୍‌- ଅଣ-ବିଟ୍‌ ବୀଜଗୁଡ଼ିକ ଆଉ ଉପଲବ୍ଧ ହେଉନି” ବୋଲି ଏହି ଫସଲ ନିରୀକ୍ଷଣ କରୁଥିବା ଜିଲ୍ଲାର ଜଣେ ଅଧିକାରୀ ବେସରକାରୀ ଭାବେ କହିଲେ । “ସରକାରୀ ସ୍ତରରେ, ବିଟ୍‌ କାର୍ପାସ ନିଶ୍ଚଳ ଅବସ୍ଥାରେ ରହିଛି । ଏହାକୁ ଅନୁମୋଦିତ କରାଯାଇନାହିଁ କିମ୍ବା ନିଷେଧ ମଧ୍ୟ କରାଯାଇ ନାହିଁ ।”

ଓଡିଶା ପ୍ରଦେଶରେ ବିଟ୍‌ କାର୍ପାସ୍‌ର ପ୍ରଚଳନ ଆରମ୍ଭ କରିବା ପାଇଁ ଉତ୍ତରଦାୟୀ କେନ୍ଦ୍ର ସରକାରଙ୍କ ଏଜେନ୍ସିଠାରୁ ଆମେ କୌଣସି ପ୍ରାଧିକାର ପତ୍ର ପାଇପାରିଲୁନାହିଁ । କୃଷି ମନ୍ତ୍ରଣାଳୟର ୨୦୧୬ ଷ୍ଟାଟସ୍‌ ରିପୋର୍ଟ ବର୍ଷ ବର୍ଷ ଧରି ଓଡିଶାରେ ବିଟ୍‌ କାର୍ପାସ୍‌ ଚାଷ ହେଉନଥିବା ବିଷୟରେ କହୁଛି, ସରକାର ଏହାର ସ୍ଥିତିକୁ ସ୍ୱୀକାର ନକରିବା ଉଚିତ୍‌ ବୋଲି ପ୍ରସ୍ତାବ ଉପସ୍ଥାପନ କରୁଛି । “ମୋ ପାଖରେ ଏଚ୍‌ଟି କାର୍ପାସ୍‌ ସମ୍ବନ୍ଧୀୟ କୌଣସି ସୂଚନା ନାହିଁ,” ରାଜ୍ୟ କୃଷି ସେକ୍ରେଟାରୀ ଡ. ସୌରଭ ଗାର୍ଗ ଆମକୁ ଏ ବିଷୟରେ ଫୋନ୍‌ରେ ଜଣାଇଛନ୍ତି । "ବିଟ୍‌ କାର୍ପାସ୍‌ ବିଷୟରେ ସେ କହିଛନ୍ତି ଯେ ଭାରତ ସରକାରଙ୍କ ପଲିସି ଯାହା ଆମର ପଲିସି ମଧ୍ୟ ତାହା। ଓଡିଶା ପାଇଁ ଆମ ପାଖରେ ଅଲଗା କିଛି ନାହିଁ ।“

ସେହି ମନୋବୃତ୍ତି ଯୋଗୁଁ ଗମ୍ଭୀର ଫଳାଫଳ ଭୋଗିବାକୁ ହେବ। ଅବୈଧ ବିଟ୍‌ ଓ ବେଆଇନ ଏଚ୍‌ଟି ବୀଜ ସହିତ କୃଷି-ରାସାୟନିକ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି ଓ ଦ୍ରୁତ ଗତିରେ ରାୟଗଡ଼ାର ନୂଆ ନୂଆ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି, ଯେପରି ଆମେ ନିୟମଗିରି ପାହାଡରେ କୁଡ୍ରୁକାର ଏକ ଦୋକାନରେ ଦେଖିଲେ।

ସମଗ୍ର ବିଶ୍ୱରେ, କୃଷି-ରସାୟନଗୁଡିକ ମାଟିରେ ଥିବା ଅଣୁଜୀବଗୁଡିକୁ ନଷ୍ଟ କରିଦେଇଛି, ଜମିର ଉର୍ବରତା ହ୍ରାସ କରିଛି ଓ “ଉଭୟ ଜଳଭାଗ ଓ ସ୍ଥଳଭାଗରେ ଉଦ୍ଭିଦ ଓ ପ୍ରାଣୀଙ୍କ ଅସଂଖ୍ୟ ବାସସ୍ଥଳି ପ୍ରତି ବିପଦ ସୃଷ୍ଟି କରିଛି, ” ଯେପରି ପ୍ରଫେସର ସାହିଦ୍‌ ନୟିମ ବର୍ତ୍ତମାନ କହିଛନ୍ତି । ନୟିମ୍‌ ଯିଏ ବର୍ତ୍ତମାନ ନ୍ୟୁୟର୍କସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟର ଇକୋଲୋଜି, ଇଭୋଲ୍ୟୁସନ୍‌ ଓ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ବାୟୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ, ସେ କୁହନ୍ତି ଯେ, “ଏହି ସମସ୍ତ ଜୀବ ଗୁରୁତ୍ୱପୂର୍ଣ୍ଣ କାରଣ ମିଳିତ ଭାବେ ସେମାନେ ଏକ ସୁସ୍ଥ ପରିସଂସ୍ଥା ତିଆରି କରିଥାନ୍ତି ଯାହା ଜଳ ଓ ବାୟୁରୁ ପ୍ରଦୂଷଣକାରୀ ପଦାର୍ଥଗୁଡିକ ଅପସାରିତ କରିଥାଏ, ଆମ ମାଟିକୁ ଉର୍ବର କରିଥାଏ, ଆମର ଫସଲକୁ ଖାଦ୍ୟ ଯୋଗାଇ ତାହାର ପୋଷଣ କରିଥାଏ ଓ ଆମ ଜଳବାୟୁ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ ।”

  *****

“ଏପରି କରିବା ସହଜ ନଥିଲା, ସେମାନଙ୍କୁ (ଆଦିବାସୀ କୃଷକମାନଙ୍କୁ) କାର୍ପାସ୍‌ ଚାଷ କରିବା ପାଇଁ ରାଜି କରେଇବାକୁ ମୋତେ କଠିନ ପରିଶ୍ରମ କରିବାକୁ ପଡିଥିଲା,” ବୋଲି ପ୍ରସାଦ ଚନ୍ଦ୍ର ପଣ୍ଡା କୁହନ୍ତି ।

‘କପା ପଣ୍ଡା’ – ଯେଉଁ ନାମରେ ତାଙ୍କୁ ତାଙ୍କ ଗ୍ରାହକ ଓ ଅନ୍ୟମାନେ ଡାକିଥାନ୍ତି, ରାୟଗଡ଼ାର ବିଷମକଟକର ତହସିଲ୍‌ ଟାଉନ୍‌ରେ ଥିବା ତାଙ୍କ ବୀଜ ଓ ରସାୟନିକ ଇନ୍‌ପୁଟ୍‌ ଦୋକାନ, କାମାକ୍ଷା ଟ୍ରେଡର୍ସରେ ବସି ଆମ ସହିତ କଥା ହେଉଥିଲେ ।

ପଣ୍ଡା ୨୫ ବର୍ଷ ପୂର୍ବେ ଏହି ଦୋକାନ ଖୋଲିଥିଲେ, ସେତେବେଳେ ସେ ଜିଲ୍ଲା କୃଷି ବିଭାଗରେ ଏକ୍ସଟେନ୍‌ସନ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଥିଲେ । ସେ ସେଠାରେ ୩୭ ବର୍ଷ ରହିବା ପରେ ୨୦୧୭ରେ ଅବସର ଗ୍ରହଣ କରିଥିଲେ । ସରକାରୀ ଅଧିକାରୀ ଭାବେ, ସେ ଗ୍ରାମବାସୀଙ୍କୁ କାର୍ପାସ୍‌ ପାଇଁ ସେମାନଙ୍କ “ପୁରୁଣାକାଳିଆ କୃଷି” ପରିତ୍ୟାଗ କରିବାକୁ ପ୍ରବର୍ତ୍ତାଉ ଥିଲେ, ଯେତେବେଳେକି ତାଙ୍କ ଦୋକାନରେ, ଯାହାର ଲାଇସେନ୍ସ ତାଙ୍କ ପୁଅ ସୁମନ ପଣ୍ଡାଙ୍କ ନାମରେ ଅଛି, ସେମାନଙ୍କୁ ବୀଜ ଓ ଏଥିପାଇଁ ଆବଶ୍ୟକ କୃଷି-ରାସାୟନିକଗୁଡିକ ବିକ୍ରି କରୁଥିଲେ ।

Top left and right-GM cotton seeds marketed to Adivasi farmers lack mandatory labelling, are sold at prices beyond official caps, and are in most cases, do not list Odisha as among the recommended states for cultivation. 
Bottom left-IMG_2727-GM cotton seeds marketed to Adivasi farmers lack mandatory labelling, are sold at prices beyond official caps, and in most cases, do not list Odisha as among the recommended states for cultivation.  
Bottom right-Prasad Chandra Panda-Former government agriculture officer Prasad Chandra Panda at his seeds and inputs shop in Bishamakatak on a July evening.
PHOTO • Chitrangada Choudhury

ଜିଏମ୍‌ କାର୍ପାସ୍‌ ବୀଜ ପ୍ୟାକେଟ୍‌ ଯାହା ଆଦିବାସୀ କୃଷକମାନଙ୍କୁ ରାୟଗଡ଼ାରେ ବିକ୍ରି କରାଯାଉଥିଲା, ସେଥିରେ ବାଧ୍ୟତାମୂଳକ ଥିବା ଲେବଲଗୁଡ଼ିକ ନଥିଲା, ସେଗୁଡିକୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ମୂଲ୍ୟଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଉଥିଲା, ତାହା ବେଆଇନ୍‌ ତୃଣନାଶକ-ସହନଶୀଳ ବୀଜ ମଧ୍ୟ ହୋଇପାରିବ ଓ ସାଧାରଣତଃ ଏହାର ଚାଷ ପାଇଁ ଓଡ଼ିଶାକୁ ତାଲିକାଭୁକ୍ତ କରିବା ପାଇଁ ସୁପାରିଶ କରାଯାଇନି । ନିମ୍ନରେ ଡାହାଣ: ପି.ସି.ନନ୍ଦ କୁହନ୍ତି ଯେ ସେ ଅବୈଧ ବୀଜ ବିକ୍ରି କରନ୍ତି ନାହିଁ। କିଛି ଦିନ ପୂର୍ବେ କୃଷି ଅଧିକାରୀ ପଦବିରେ ଅବସର ଗ୍ରହଣ କରିଥିବା ଶ୍ରୀ ନନ୍ଦଙ୍କର ବିଷମକଟକରେ ଏକ ବୀଜ ଓ ଇନ୍‌ପୁଟ ଦୋକାନ ରହିଛି ଯାହା ସେ  ୨୫ ବର୍ଷ ହେବ ଚଲାଉଛନ୍ତି ।

ପଣ୍ଡା ଏଥିରେ କୌଣସି ପ୍ରକାରର ମତଭେଦ ରହିଥିବା ଅନୁଭବ କରୁନାହାନ୍ତି, “ସରକାରୀ ପଲିସି ଜରିଆରେ କାର୍ପାସ୍‌କୁ ଏକ ଅର୍ଥକାରୀ ଫସଲ ଭାବେ କୃଷକଙ୍କ ହିତ ପାଇଁ ଆରମ୍ଭ କରାଯାଇଥିଲା । ଫସଲ ପାଇଁ ମାର୍କେଟ୍‌ ଇନ୍‌ପୁଟର ଆବଶ୍ୟକତା ରହିଥିଲା, ଏଣୁ ମୁଁ ଏକ ଦୋକାନ ସ୍ଥାପନ କଲି’’।

ପଣ୍ଡାଙ୍କ ସହିତ ଆମେ ଦୁଇ-ଘଣ୍ଟା ଧରି କଥାବାର୍ତ୍ତା ହେବା ଭିତରେ, କୃଷକମାନେ ବୀଜ ଓ ରାସାୟନିକ କିଣିବା ପାଇଁ, କ’ଣ କିଣିବେ, କେତେବେଳେ ବୁଣିବେ, କେତେ ପରିମାଣରେ ସ୍ପ୍ରେ କରାଯିବ ସେ ବିଷୟରେ ତାଙ୍କ ସହିତ ପରାମର୍ଶ କରିବା ପାଇଁ, ତାଙ୍କ ପାଖକୁ ଜଣଙ୍କ ପରେ ଜଣେ ଆସିବା ଜାରି ରଖିଥିଲେ । ସେ ଜଣେ ଅଭ୍ରାନ୍ତ ଅଧିକାରୀଙ୍କ ପରି ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ । ସେମାନଙ୍କ ପାଇଁ, ସେ ଜଣେ ବୈଜ୍ଞାନିକ, ଜଣେ ଏକ୍ସଟେନ୍‌ସନ୍‌ ଅଫିସର୍‌, ସେମାନଙ୍କ ଉପଦେଷ୍ଟା, ସବୁ ଭୂମିକାରେ ସେ ନିଜେ ଜଣେ। ସେ ଯାହା ନିର୍ଦ୍ଦେଶିତ କରୁଥିଲେ ତାହା ସେମାନଙ୍କ ‘ପସନ୍ଦ’ ପାଲଟୁଥିଲା। 

କପା ଚାଷ କରୁଥିବା ଗ୍ରାମଗୁଡ଼ିକ ବୁଲି ଦେଖିଲୁ ସେଠାରେ ପଣ୍ଡାଙ୍କ ଦୋକାନରେ ନିର୍ଭରଶୀଳତାର ଦୃଶ୍ୟ ଦେଖିଲୁ। ‘ଦ ମାର୍କେଟ’ ଆସିବାର ଏକ ବ୍ୟାପକ ପ୍ରଭାବ ରହିଛି ଯାହାକି କପା ଫସଲଠାରୁ ବହୁତ ଅଧିକ। 

“ଚାଷ ଜମିଗୁଡିକ ନିର୍ଦ୍ଦିଷ୍ଟ ଭାବେ କାର୍ପାସ୍‌ ପାଇଁ ରହିଥିବାରୁ, କୃଷକମାନଙ୍କୁ ବଜାରରୁ ସେମାନଙ୍କ ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଜରୁରୀ ଜିନିଷଗୁଡିକ କିଣିବାକୁ ପଡୁଛି ବୋଲି,” ଦେବଲ ଦେବ, ଜଣେ ବୈଜ୍ଞାନକ ଓ ସମାଜ ସୁଧାରକ, ଆମକୁ କହିଲେ । ୨୦୧୧ରୁ ରାୟଗଡ଼ାରେ ରହି ଆସୁଥିବା ଦେବ ଏକ ଉଲ୍ଲେଖନୀୟ ଇନ୍‌-ସିଟୁ ଧାନ ସଂରକ୍ଷଣ ପ୍ରକଳ୍ପ ଚଳାନ୍ତି ଓ କୃଷକଙ୍କୁ ପ୍ରଶିକ୍ଷିତ କରନ୍ତି ।

“କୃଷି –ସମ୍ବନ୍ଧୀୟ ପାରମ୍ପରିକ ଜ୍ଞାନ ଓ ଅଣ-କୃଷି ଜୀବିକା ଦ୍ରୁତ ଗତିରେ ଲୋପ ପାଇବାରେ ଲାଗିଛି,” ବୋଲି ସେ କୁହନ୍ତି । ଗ୍ରାମ ପରେ ଗ୍ରାମ, ସେଠାରେ କୌଣସି କୁମ୍ଭାର ନାହାନ୍ତି, କୌଣସି ବଢେଇ ନାହାନ୍ତି, କୌଣସି ତନ୍ତୀ ମଧ୍ୟ ନାହାନ୍ତି । ଘରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡିକ ବଜାରରୁ କିଣାଯାଉଛି ଓ ସେ ମଧ୍ୟରୁ ଅଧିକାଂଶ- ମାଠିଆଠାରୁ ଆରମ୍ଭ କରି ମସିଣା ପର୍ଯ୍ୟନ୍ତ- ପ୍ଲାଷ୍ଟିକ୍‌ରେ ନିର୍ମିତ, ଯାହାକୁ ଦୂର ଟାଉନ୍‌ରୁ ଅଣାଯାଉଛି । ପ୍ରାୟ ସମସ୍ତ ଗ୍ରାମରୁ ବାଉଁଶ ଉଭେଇ ଗଲାଣି ଓ ତାହା ସହିତ ବାଉଁଶରୁ ବିଭିନ୍ନ ଜିନିଷ ପ୍ରସ୍ତୁତ କରିବା କାରିଗରୀ ବିଦ୍ୟା ମଧ୍ୟ । ସେଗୁଡିକ ସ୍ଥାନରେ ବର୍ତ୍ତମାନ ଜଙ୍ଗଲରୁ ମିଳୁଥିବା କାଠ ଓ ଦାମିକା କଂକ୍ରିଟ୍‌ ବ୍ୟବହାର କରାଯାଉଛି। ଏପରିକି ଏକ ଖମ୍ବ ଠିଆ କରିବା ପାଇଁ  ବା ବାଡ ତିଆରି କରିବା ପାଇଁ ମଧ୍ୟ, ଗ୍ରାମବାସୀଙ୍କୁ ଜଙ୍ଗଲରେ ଗଛ କାଟିବାକୁ ପଡୁଛି । ଲାଭ ପାଇବା ଆଶାରେ ଲୋକମାନେ ଯେତେ ପରିମାଣରେ ବଜାର ଉପରେ ନିର୍ଭରଶୀଳ ହେବେ, ସେତେ ଅଧିକ ପରିବେଶର ଅବକ୍ଷୟ ଘଟିବ ।

  *****

“ଦୋକାନୀ ଏ ସବୁ ଭଲ ବୋଲି କହିଥିଲେ, “ରାମଦାସ (ସେ କେବଳ ତାଙ୍କ ପ୍ରଥମ ନାମ ବ୍ୟବହାର କରନ୍ତି), କୁଡ୍ରୁକାର ଦୋକାନରୁ ଉଧାରରେ କିଣିଥିବା ବିଟ୍‌ କାର୍ପାସ୍‌ ବୀଜର ସେହି ତିନୋଟି ପ୍ୟାକେଟ୍‌ ବିଷୟରେ ଆମକୁ ଲଜ୍ଜିତ ହୋଇ କହିଲେ । ନିୟମଗିରି ପାହାଡ଼ର ପାଦ ଦେଶରେ ଏହି କନ୍ଧ ଆଦିବାସୀ କୃଷକଙ୍କ ସହିତ ଆମର ଭେଟ ହୋଇଥିଲା ଯେତେବେଳେ ସେ ବିଷମକଟକ ବ୍ଲକ୍‌ରେ ଥିବା ସେମାନଙ୍କ ଗ୍ରାମ କାଲିପଙ୍ଗାକୁ ଫେରୁଥିଲେ । ସେହି ବୀଜ ପ୍ୟାକେଟଗୁଡ଼ିକୁ ବାଛିବାର ଏକମାତ୍ର କାରଣ ଦୋକାନୀ ଦେଇଥିବା ଉପଦେଶ ବୋଲି ସେ ଆମକୁ ଜଣାଇଥିଲେ ।

ସେଥିପାଇଁ ସେ କେତେ ମୂଲ୍ୟ ପ୍ରଦାନ କରିଛନ୍ତି? “ଯଦି ମୁଁ ସଙ୍ଗେ ସଙ୍ଗେ ପଇଠ କରିଥାନ୍ତି ତେବେ ପ୍ରତ୍ୟେକ ପାଇଁ ମୋତେ ୮୦୦ଟଙ୍କା ଦେବାକୁ ପଡିଥାନ୍ତା । ମୋ ପାଖରେ ୨,୪୦୦ଟଙ୍କା ନଥିଲା, ଏଣୁ ଦୋକାନୀ ଆଦାୟ ବେଳେ ମୋ ଠାରୁ ୩,୦୦୦ଟଙ୍କା ନେବେ ।’’ କିନ୍ତୁ ଯଦି ସେ ପ୍ୟାକେଟ୍‌ ପ୍ରତି ୧,୦୦୦ ଟଙ୍କା ନଦେଇ  ୮୦୦ଟଙ୍କା ଦେଉଛନ୍ତି, ତେବେ ମଧ୍ୟ, ଏହି ମୂଲ୍ୟ ସବୁଠାରୁ ଦାମିକା କାର୍ପାସ୍‌ ବୀଜ (ବୋଲଗାର୍ଡ ବିଟ୍‌ କାର୍ପାସ୍‌) ପାଇଁ  ଧାର୍ଯ୍ୟ ହୋଇଥିବା ମୂଲ୍ୟ ୭୩୦ଟଙ୍କା ତୁଳନାରେ ମହଙ୍ଗା ହୋଇଥାନ୍ତା ।

ପିରିକାକା, ରାମଦାସ, ସୁନା ଓ ଅନ୍ୟ କୃଷକମାନେ ଆମକୁ କହିଲେ ଯେ ସେମାନେ ପୂର୍ବରୁ ରୋପଣ କରିଥିବା ଅନ୍ୟ ସମସ୍ତ ଗଛଠାରୁ ଏହା ଭିନ୍ନ: ‘ଆମର ପାରମ୍ପରିକ ଶସ୍ୟ ଚାଷ କରିବା ପାଇଁ କୌଣସି ଜିନିଷ ଆବଶ୍ୟକ ହୋଇନଥାଏ…’

ଭିଡିଓ ଦେଖନ୍ତୁ : ‘ ଆପଣ ଯେପରି ନିରନ୍ତର ନିଜ ପିଲାଙ୍କ ଯତ୍ନ ନିଅନ୍ତି, କାର୍ପାସ୍‌ର ମଧ୍ୟ ସେହିଭଳି ଯତ୍ନ ନେବାକୁ ହୋଇଥାଏ

ରାମଦାସ କିଣିଥିବା କୌଣସି ପ୍ୟାକେଟ୍‌ ଉପରେ ତାହାର ମୂଲ୍ୟ ପ୍ରିଣ୍ଟ ହୋଇନଥିଲା, ନିର୍ମାଣ ହେବା ତାରିଖ ବା ବୈଧ ସମୟ ଶେଷ ହେବା ତାରିଖ ବା କମ୍ପାନିର ଯୋଗାଯୋଗ ସବିଶେଷ ପ୍ରଦର୍ଶିତ ହୋଇନଥିଲା । ସେଥିରେ ଏକ ବଲୱର୍ମର ଛବି ଉପରେ ଏକ ବଡ ଲାଲ୍‌ ରଙ୍ଗର ଛବି ଅଙ୍କା ଯାଇଥିଲା କିନ୍ତୁ ସେଥିରେ ବିଟ୍‌ ବୀଜ ବୋଲି ଲେବଲ୍‌ କରାଯାଇନଥିଲା । ଯଦିଓ ଏହି ପ୍ୟାକେଟ୍‌ ଉପରେ ‘ଏଚ୍‌ଟି’ ବୋଲି ଉଲ୍ଲେଖ କରାଯାଇ ନଥିଲା, ତଥାପି ଦୋକାନୀ ତାଙ୍କୁ କହିଥିବାରୁ ଫସଲରେ “ଘାସ ମରା [ତୃଣନାଶକ] ସିଞ୍ଚନ କରାଯାଇ ପାରିବ ବୋଲି ରାମଦାସ ବିଶ୍ୱାସ କରିଥିଲେ,” ।

ଜୁଲାଇରେ ଦୁଇ ସପ୍ତାହ ମଧ୍ୟରେ ଆମେ ଯେଉଁ ସବୁ କୃଷକଙ୍କ ସାକ୍ଷାତକାର କରିଥିଲୁ, ସେମାନଙ୍କ ମଧ୍ୟରେ ଥିବା ରାମଦାସ ମଧ୍ୟ ସେହି ତୃଣନାଶକ-ସହନଶୀଳ ବୀଜ ଯାହା ଭାରତରେ ବ୍ୟବହାର କରିବାକୁ ଅନୁମତି ନାହିଁ, ସେ ବିଷୟରେ ସଚେତନ ନଥିଲେ । ତାଙ୍କୁ ଏ କଥା ମଧ୍ୟ ଜଣା ନଥିଲା ଯେ, କୌଣସି କମ୍ପାନି ବିନା ଲେବଲ୍‌ରେ କୌଣସି ବୀଜ ବିକ୍ରି କରିପାରିବେ ନାହିଁ ବା ଏହି କାର୍ପାସ୍‌ ବୀଜକୁ ଧାର୍ଯ୍ୟ ମୂଲ୍ୟ ସୀମା ବାହାରେ ବିକ୍ରି କରାଯାଇପାରିବ ନାହିଁ । ବୀଜ ପ୍ୟାକେଟ୍‌ ଓ କୃଷି-ରାସାୟନିକ ବୋତଲରେ ଓଡିଆ ଭାଷାରେ କିଛି ଲେଖା ହୋଇନଥିବାରୁ, ସେମାନେ ପଢିବାକୁ ସମର୍ଥ ହେଲେ ମଧ୍ୟ ନିର୍ମାତା କ’ଣ ଦାବି କରିଛନ୍ତି ସେ ବିଷୟରେ ଜାଣି ପାରିବା ସମ୍ଭବ ନୁହେଁ ।

ତଥାପି, ଆର୍ଥିକ ଲାଭ ଆଶା ସେମାନଙ୍କୁ କାର୍ପାସ୍‌ ଆଡକୁ ଟାଣି ନେଉଛି ।

“ଯଦି ଆମେ ଚାଷ କରି ଏହା ଉତ୍ପାଦନ କରିବୁ, ତେବେ ଏକ ଘରୋଇ ଇଂରାଜୀ ମିଡିୟମ୍‌ ସ୍କୁଲ୍‌ରେ ପଢୁଥିବା ମୋର ପୁଅର ଚଳିତ ବର୍ଷ ପାଇଁ ଫି ପଇଠ କରିବା ପାଇଁ ଆବଶ୍ୟକ କରୁଥିବା ଟଙ୍କା ବୋଧହୁଏ ଅର୍ଜନ କରିପାରିବି  – ତାହା ହେଉଛି ଶ୍ୟାମସୁନ୍ଦର ସୁନାଙ୍କ ଆଶା । ସୁନା ଜଣେ ରୟତ, ଯିଏ ଆମ ସହିତ ବିଷମକଟକ ବ୍ଲକ୍‌ର କେରାଣ୍ଡିଗୁଡା ଗ୍ରାମରେ କଥା ହେଉଥିଲେ । ଆମେ ତାଙ୍କୁ, ତାଙ୍କର କନ୍ଧ ଆଦିବାସୀ ସ୍ତ୍ରୀ କମଳା ଓ ସେମାନଙ୍କ ଦୁଇଟି ପିଲା ଏଲିଜାବେଥ୍‌ ଓ ଆଶିଷଙ୍କୁ କଠିନ ପରିଶ୍ରମ କରି କାର୍ପାସ୍‌ ବୀଜ ବୁଣୁଥିବା ବେଳେ ଦେଖିଲୁ । ସୁନା ସମସ୍ତ ପ୍ରକାରର କୃଷି-ରାସାୟନିକ ତାଙ୍କ ବୀଜ ଉପରେ ପ୍ରୟୋଗ କରିଛନ୍ତି, ଯାହା ବିଷୟରେ ସେ ଖୂବ୍‌ ଅଳ୍ପ ଜାଣନ୍ତି । “ଏଥିରେ ଭଲ ତୁଳା ହେବ ବୋଲି ଖୁଚୁରା ବେପାରୀ ମୋତେ କହିଛନ୍ତି,” ବୋଲି ସେ ବର୍ଣ୍ଣନା କରି କହିଲେ ।

ପିରିକାକା, ରାମଦାସ, ସୁନା ଓ ଅନ୍ୟ କୃଷକମାନେ ଆମକୁ ଜଣାଇଲେ ଯେ ସେମାନେ ପୂର୍ବରୁ ରୋପଣ କରିଥିବା ଅନ୍ୟ ସବୁ ଗଛ ଠାରୁ କାର୍ପାସ୍‌ ସମ୍ପୂର୍ଣ୍ଣ ଭିନ୍ନ । “ଆମର ପାରମ୍ପରିକ ଫସଲ କରିବା ପାଇଁ ଅନ୍ୟ କୌଣସି ଜିନିଷ ଆବଶ୍ୟକ ହେଉନଥିଲା- କୌଣସି ସାର, କୀଟନାଶକ କିଛି ନୁହେଁ,” ବୋଲି ପିରିକାକା କହିଲେ । କିନ୍ତୁ କାର୍ପାସ୍‌ ପାଇଁ, ରାମଦାସ କହିଲେ ଯେ, “ପ୍ରତ୍ୟେକ ପ୍ୟାକେଟ ପିଛା ଅତିରିକ୍ତ ୧୦,୦୦୦ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ହେଉଛି । ଯଦି ତୁମେ ବୀଜ, ସାର ଓ କୀଟନାଶକ ବାବଦରେ ଏହି ସମସ୍ତ ବ୍ୟୟ କରିବାକୁ ସମର୍ଥ ହେବ, ତେବେ ଆଦାୟ ବେଳେ କିଛି ଲାଭ ମିଳିବା ପାଇଁ ଆଶା ରଖିପାରିବ । ଯଦି ତୁମେ କରିପାରିବ ନାହିଁ, ତେବେ ତୁମର ସମସ୍ତ ଟଙ୍କା ପାଣିରେ ପଡ଼ିଯିବ । ଯଦି ତୁମେ ପାରିବ ଓ ସବୁ ପରିସ୍ଥିତି ତୁମ ସପକ୍ଷରେ ରହିବ [ସ୍ଥିର ପାଣିପାଗ ସହିତ] ତୁମେ ଏହାକୁ [ତାଙ୍କ ଆଦାୟ] ୩୦,୦୦୦ଟଙ୍କାରୁ  ୪୦,୦୦୦ଟଙ୍କା ମଧ୍ୟରେ ବିକ୍ରି କରିପାରିବ । 

ଯଦିଓ ଅଧିକ ଟଙ୍କା ରୋଜଗାର କରିବା ଆଶାରେ କୃଷକମାନେ କାର୍ପାସ ଚାଷ କରୁଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ଅନେକ ଏହା ମାଧ୍ୟମରେ କେତେ ଉପାର୍ଜନ କରିଛନ୍ତି ସେ ବିଷୟରେ ଜଣେଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

“ଜାନୁଆରୀ-ଫେବୃଆରୀ ଆସିଲେ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ଇନ୍‌ପୁଟ୍‌ ରିଟେଲର୍‌ଙ୍କ ମାଧ୍ୟମରେ ବିକ୍ରି କରିବାକୁ ହୋଇଥାଏ, ଯେଉଁମାନେ ଅତ୍ୟଧିକ ସୁଧରେ ତାଙ୍କ ବ୍ୟୟ ମୂଲ୍ୟ ପୁନର୍ଲାଭ କରିସାରିବା ପରେ ବାକି ଟଙ୍କା ସେମାନଙ୍କୁ ଫେରାଇଥାନ୍ତି । “ମୁଁ ଏବେ ଏବେ ଉଧାରରେ ଗୁଣୁପୁରରେ ଥିବା ଜଣେ ବେପାରୀଙ୍କ ପାଖରୁ ୧୦୦ପ୍ୟାକେଟ୍‌ ଅର୍ଡର୍‌ କରିଛି,” ବୋଲି ଚନ୍ଦ୍ର କୁଡ୍ରୁକା ଆମକୁ କହିଲେ । “ଆଦାୟ ସମୟରେ ମୁଁ ତାହା ପରିଶୋଧ କରିବି ଓ ସୁଧ ବାବଦକୁ କୃଷକମାନେ ଦେଇଥିବା ଟଙ୍କା ଆମେ ପରସ୍ପର ମଧ୍ୟରେ ବାଣ୍ଟି ଦେବୁ ।”

PHOTO • Chitrangada Choudhury

ଉପର ଧାଡି : ମଧ୍ୟ ଜୁଲାଇରେ, ପ୍ରଥମଥର ପାଇଁ, କନ୍ଧ ଆଦିବାସୀ କୃଷକ ରୁପା ପିରିକାକା ଜିଏମ୍‌ କାର୍ପାସ୍‌ ବୀଜ ବଜାରରୁ ଆଣି ତାଙ୍କ ଗ୍ରାମ କରଞ୍ଜଗୁଡାର ପାହାଡ ପାଖରେ ଥିବା ତାଙ୍କ ଜମିରେ ବୁଣିଥିଲେ । ନିମ୍ନ ବାମ: ନନ୍ଦ ସର୍କ ଓ ତାଙ୍କ ପରିବାର, କାଲିପଙ୍ଗା ଗ୍ରାମରେ ଥିବା ତାଙ୍କର ଦୁଇ ଏକର ଜମିରେ ଚାରି ପ୍ୟାକେଟ ବୀଜ ବୁଣିଛନ୍ତି  । ନିମ୍ନ ଡାହାଣ : ଶ୍ୟାମସୁନ୍ଦର ସୁନା ଓ କମଳା, କେରାଣ୍ଡିଗୁଡାରେ ରୟତ ଭାବେ କାମ କରୁଥିବା କୃଷକ । ସେମାନେ ଏବେ ଏବେ ବିଟ୍‌ କାର୍ପାସ୍‌ ଚାଷ କରିବା ଆରମ୍ଭ କରିଛନ୍ତି ଓ ସେମାନଙ୍କ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବା ପାଇଁ ଆବଶ୍ୟକ ଅର୍ଥ ଏଥିରୁ ପାଇପାରିବେ ବୋଲି ସେମାନେ ଆଶା ରଖିଛନ୍ତି।

ଯଦି କୃଷକଙ୍କ ଫସଲ ନଷ୍ଟ ହୋଇଯାଏ ଓ ସେମାନଙ୍କୁ ଉଧାରରେ ପ୍ୟାକେଟ୍‌ ବିକ୍ରି କରିଥିବା ଦୋକାନୀକୁ ଯଦି ସେମାନେ ତାହାର ମୂଲ୍ୟ ପରିଶୋଧ କରିପାରିବେ ନାହିଁ, ତେବେ କ’ଣ ହେବ? ଏହା କଣ ଏକ ବଡ ସଂକଟ ନୁହେଁ ନୁହେଁ କି?

“କି ସଂକଟ?’’ ଯୁବକ ଜଣକ ହସି ହସି ପଚାରିଲେ। “କୃଷକମାନେ କୁଆଡେ ଯିବେ? ସେମାନଙ୍କ କାର୍ପାସ୍‌ ସବୁ ମୋ ଜରିଆରେ ବେପାରୀଙ୍କୁ ବିକ୍ରି କରାଯାଏ । ଯଦି ସେମାନେ ଜଣେ ଜଣେ କେବଳ ୧-୨ କ୍ୱିଣ୍ଟାଲ ଆଦାୟ କରନ୍ତି, ତେବେ ସେଥିରୁ ମୁଁ ଦେଇଥିବା ଋଣ ବାବଦକୁ ଟଙ୍କା ଆଦାୟ କରିପାରିବି।”

ଯାହା ଅବ୍ୟକ୍ତ ରହିଗଲା ତାହା ହେଉଛି କୃଷକଙ୍କୁ ସବୁକିଛି ହରାଇବାକୁ ମଧ୍ୟ ପଡ଼ିପାରେ ।

ରାୟଗଡ଼ାକୁ ମଧ୍ୟ ଏହାର ଅମୂଲ୍ୟ ଜୈବବିବିଧତା ହରାଇବାକୁ ପଡ଼ିପାରେ। ଯେପରି ପ୍ରଫେସର ନୟିମ କୁହନ୍ତି, ବିଶ୍ୱସ୍ତରରେ ଶସ୍ୟ ବିବିଧତା ବିତାଡ଼ନର ଅର୍ଥ ହେଉଛି ଖାଦ୍ୟ ସୁରକ୍ଷାକୁ ସଂକଟାପନ୍ନ କରିବା ଓ ବିଶ୍ୱ ଉତ୍ତାପନ ସହିତ ତାଳମେଳ ରକ୍ଷା କରିବା ସାମର୍ଥ୍ୟ ହ୍ରାସ କରିବା । ସେ ଆହୁରି ମଧ୍ୟ ସତର୍କ କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଓ ଜୈବବିବିଧତା ନଷ୍ଟ ହେବା ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ରହିଛନ୍ତି: ଏକ ଗ୍ରହ ଯେଉଁଠି ସ୍ୱଳ୍ପ ସବୁଜିମା ରହିଥାଏ ଓ ଯାହାର ଜୈବବିବିଧତା ଅଳ୍ପ ସମ୍ପନ୍ନ ହୋଇଥାଏ, ତାହା ଅତ୍ୟଧିକ ଉତ୍ତପ୍ତ ଓ ଶୁଷ୍କ ହେବା ସମ୍ଭାବନା ରହିଛି।

ରାୟଗଡ଼ାର ଆଦିବାସୀମାନେ ବିଟ୍‌ କାର୍ପାସ୍‌ ଭଳି ଏକକ ଫସଲ ପାଇଁ ସେମାନଙ୍କ ଜୈବବିବିଧତା ପରିତ୍ୟାଗ କରୁଥିବାରୁ, ଓଡିଶାର ପରିସଂସ୍ଥା ଓ ଅର୍ଥନୀତିରେ ମଧ୍ୟ ସୁଦୂର ପ୍ରସାରୀ ପରିବର୍ତ୍ତନ ହେବାକୁ ଯାଉଛି, ଉଭୟ ବ୍ୟକ୍ତିଗତ ସ୍ତରରେ ଓ ଜଳବାୟୁ ଜନିତ ପ୍ରଭାବ ଭାବେ ସଂକଟ ସଷ୍ଟି ହେବାକୁ ଯାଉଛି। ପିରିକାକା, କୁଡ୍ରୁକା, ରାମଦାସ ଓ ‘କଟନ୍‌ ପଣ୍ଡା’ ଆଦି ସମସ୍ତେ ହେଉଛନ୍ତି ଏହି ପରିବର୍ତ୍ତନରେ ସାମିଲ ହୋଇଥିବା ଗୋଟିଏ ଗୋଟିଏ ଚରିତ୍ର।

“ଦକ୍ଷିଣ ଓଡିଶାରେ ପାରମ୍ପରିକ ଭାବେ କେବେ ମଧ୍ୟ କର୍ପାସ୍‌ ଉତ୍ପାଦନ କରାଯାଉନଥିଲା । ଏହାର ସାମର୍ଥ୍ୟ ଏକାଧିକ ଫସଲ କରି ବିଭିନ୍ନ ଶସ୍ୟ ଉତ୍ପାଦନ କରିବାରେ ରହିଛି,” ବୋଲି ଦେବାଲ ଦେବ କୁହନ୍ତି । “କେବଳ ଏହି ବ୍ୟବସାୟ ଭିତ୍ତିକ କାର୍ପାସ୍‌ ଉତ୍ପାଦନ କରିବା ଦ୍ୱାରା ଶସ୍ୟ ବିବିଧତା, ମାଟିର ଗଠନ ଢାଞ୍ଚା, ଘରର ଆୟ, ସ୍ଥିରତା, କୃଷକଙ୍କ ସ୍ୱାଧୀନତା ଓ ସର୍ବଶେଷରେ, ଖାଦ୍ୟ ନିରାପତ୍ତା ଓଲଟି ଯାଇଛି।” ଏହା ଏକ କୃଷି ଭିତ୍ତିକ ଦୁର୍ଦ୍ଦଶା ପାଇଁ ଏକ ଅଭ୍ରାନ୍ତ ଖାଦ୍ୟ ପସ୍ତୁତି ପରି ମନେହୁଏ । 

କିନ୍ତୁ ଏହି କାରକଗୁଡ଼ିକ, ବିଶେଷ କରି ପରିବର୍ତ୍ତିତ ଜମି ବ୍ୟବହାର ଶୈଳୀ ସମ୍ବନ୍ଧିତ, ଏହା ସହିତ ଜଳ ଓ ନଦୀ କ୍ଷେତ୍ରରେ ଏହାର ପ୍ରଭାବ ଓ ଜୈବବିବିଧତା ନଷ୍ଟ ହେବା- ମଧ୍ୟ ଆଉ ଏକ ଦୀର୍ଘ-ମିଆଦି, ବ୍ୟାପକ ପକ୍ରିୟା ଆଡକୁ ଟାଣି ନେଉଛନ୍ତି । ଆମେମାନେ ଏହି ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପାଇଁ ବୀଜ ରୋପଣ କରାଯାଉଥିବା କାର୍ଯ୍ୟର ସାକ୍ଷୀ ହେବା ।

ପ୍ରଚ୍ଛଦ ଫଟୋ : କାଲିପଙ୍ଗା ଗ୍ରାମ, କୃଷକ ରାମଦାସ କିଛି ଦିନ ଜମିରେ ଗ୍ଲାଇଫୋସେଟ୍‌ – ଏକ ବ୍ରଡ୍‌ ସ୍ପେକ୍ଟ୍ରମ୍ ତୃଣନାଶକ ପକାଇ ଓଦା କରି ରଖିବା ପରେ ବିଟ୍‌ ଓ ଏଚଟି କାର୍ପାସ୍‌ ବୁଣୁଛନ୍ତି । ଫଟୋ: ଚିତ୍ରାଙ୍ଗଦା ଚୌଧୁରୀ)

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ UNDPର ମିଳିତ ସହଯୋଗରେ ଚାଲିଥିବା ପରୀର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଜନତାଙ୍କ ସ୍ୱର ଓ ଅଙ୍ଗେନିଭା କଥା ମାଧ୍ୟମରେ ଏହାର ସତ୍ୟତାକୁ ତୋଳିବା ।

ଆପଣ କ’ଣ ଏହି ଆଲେଖ୍ୟକୁ ପୁଣି ପ୍ରକାଶ କରିବାକୁ ଚାହୁଁଛନ୍ତି? ତେବେ, ଦୟାକରି [email protected]କୁ ଲେଖନ୍ତୁ ଓ [email protected]orgକୁ acc କରନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury
Aniket Aga

Aniket Aga is an anthropologist. He teaches Environmental Studies at Ashoka University, Sonepat.

Other stories by Aniket Aga