ଜୟୀରାମ ଶଗଡ଼ି ନିରାଶ ହୋଇଥିଲେ ଯେତେବେଳେ ତାଙ୍କ ପ୍ରଥମ କ୍ଷେପର ମାଣ୍ଡିଆ  ଅଗ୍ରାହ୍ୟ ହୋଇଯାଇଥିଲା। ସେ କହନ୍ତି, ‘‘ଏହା ପରିଷ୍କାର ନଥିଲା ବୋଲି ସେମାନେ ମୋତେ କହିଲେ।’’ ତାଙ୍କ ଶସ୍ୟରେ ଚଷୁ ଥିଲା 

ଜାନୁଆରୀ ୨୦୧୯ରେ, ଜୟୀରାମ କୁନ୍ଦୁଲି ଗାଁରେ ଥିବା ଗୋଦାମ ଘରକୁ ୧୨ ବସ୍ତା ନେଇଥିଲେ। ପ୍ରତି ବସ୍ତାରେ ୫୦ କିଲୋଗ୍ରାମ ଥିଲା। ଏହି ଗୋଦାମ ଘର କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଳକ୍‌ରେ ଥିବା ତାଙ୍କ ଗାଁ ବଡ଼ ଟେମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ। ଗାଁରେ ସେ ୪ଏକର ଜମିରେ ଚାଷ କରନ୍ତି - ଗୋଟିଏ ଏକର ଜମିରେ ମାଣ୍ଡିଆ ଓ ଗୋଟିଏ ଏକର ଜମିରେ ଟମାଟୋ, କାକୁଡ଼ି ଆଦି ପରିବା, ଏବଂ ଦୁଇ ଏକର ଜମିରେ ୟୁକାଲିପଟାସ ଲଗାଇଛନ୍ତି।

ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ତାଙ୍କ ମାଣ୍ଡିଆ  ବିକ୍ରି କରିବାକୁ ସେପ୍ଟେମ୍ବର-ଅକ୍ଟୋବର ମାସ, ୨୦୧୮ ଖରିଫ ଋତୁରେ, ୬୫-ବର୍ଷୀୟ ଜୟୀରାମ କୁନ୍ଦୁଲିରେ ଥିବା ଲାର୍ଜ ସାଇଜ ଏଗ୍ରିକଲଚରାଲ ମଲ୍‌ଟି-ପର୍ପୋଜ କୋଅପରେଟିଭ ସୋସାଇଟି (LAMPS) ସହ ଚୁକ୍ତି କରିଥିଲେ। 

ସେ କହନ୍ତି, ‘‘ଗତବର୍ଷ ଏହାର ବଜାର ମୂଲ୍ୟ ଥିଲା କିଲୋ ପ୍ରତି ୧୫-୧୬ ଟଙ୍କା, କିନ୍ତୁ ଏ ବର୍ଷ ଏହା ପ୍ରାୟ ୨୦-୨୨ ଟଙ୍କା। ତେବେ ଲ୍ୟାମ୍ପସ୍ ତାଙ୍କୁ କିଲୋ ପ୍ରତି ୨୯ ଟଙ୍କା ଦେଉଥିଲା’’ ବା ୨୦୧୮ ଖରିଫ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୨,୮୯୭ ଟଙ୍କା ଥିଲା - କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଏମଏସ୍‌ପି- ୨୦୧୭ ଖରିଫ ଋତୁରେ ୧,୯୦୦ ଟଙ୍କାରୁ ଉପରକୁ ଉଠିଥିଲା। 

ଏହା ଥିଲା ପ୍ରଥମ କୃଷି ଋତୁ, ଯେତେବେଳେ ରାଜ୍ୟ କୃଷି ବିଭାଗର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ସେଲ ଲ୍ୟାମ୍ପ (ଟ୍ରାଇବାଲ ଡେଭଲପମେଣ୍ଟ କୋପରେଟିଭ୍ କାର୍ପୋରେସନ୍ ଅଫ୍ ଓଡ଼ିଶା ଲମିଟେଡ୍ ଦ୍ୱାରା ପରିଚାଳିତ) ମାଧ୍ୟମରେ ଅଧିକ ପରିମାଣର ମାଣ୍ଡିଆ ସଂଗ୍ରହ କରିଥିଲେ। ସେହିପରି ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରାଇମେରୀ ଏଗ୍ରିକଲଚର କ୍ରେଡିଟ୍ ସୋସାଇଟି ଜରିଆରେ ମଧ୍ୟ ସଂଗ୍ରହ ହୋଇଥିଲା। 

ସ୍ୱତନ୍ତ୍ର ଭାବେ ଆଦିବାସୀ ଅଞ୍ଚଳରେ ବାଜରା ଜାତୀୟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ନିକଟରେ କରିଥିବା ଉଦ୍ୟମର ଏହା ଏକ ଅଂଶବିଶେଷ। ସମବାୟ ବିଭାଗର ୨୦୧୮ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ, ‘‘ବାଜରାରେ ଥିବା ପୋଷକ ତତ୍ତ୍ୱକୁ ଦୃଷ୍ଟିରେ ରଖି’’, ଓଡ଼ିଶା ସରକାରଙ୍କର ସାର୍ବଜନୀନ ବିତରଣ ବ୍ୟବସ୍ଥା (ପିଡିଏସ୍), ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଏବଂ ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଏହାକୁ ସାମିଲ କରିବାକୁ ସେ [ରାଜ୍ୟ ସରକାର] ନିଷ୍ପତ୍ତି ନେଇଛନ୍ତି।’’

Jairam Galari shows the difference between the grain with husk [left hand] and polished grain [right hand].
PHOTO • Harinath Rao Nagulavancha
Nabeena Sagiri prefers to sell grain in the local market whenever her family needs money. She has five daughters and wants her children to be healthy and study well.
PHOTO • Harinath Rao Nagulavancha

ବାମ: ଜୟୀରାମ ଶଗଡ଼ି ଓ ଅନ୍ୟ ଚାଷୀମାନେ ଯାହାକୁ ପରିଷ୍କାର ଶସ୍ୟ (ବାମ ପାର୍ଶ୍ୱରେ ଥିବା) କୁହନ୍ତି, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକ (ଡାହଣ ପାଖରେ ଥିବା) ସହ ତାହା କିନ୍ତୁ ମେଳ ଖାଉନାହିଁ। ଡାହଣ: ମାଣ୍ଡିଆର ପୋଷଣ ମୂଲ୍ୟ କ’ଣ ତାହା ତାଙ୍କ ବୋହୂ ନବୀନା ଜାଣନ୍ତି। 

ମାଣ୍ଡିଆରେ ପ୍ରଚୁର ପରିମାଣରେ ପ୍ରୋଟିନ, ମିନେରାଲ, ଫାଇବର, ଆଇରନ ଏବଂ ଅନ୍ୟ ପୋଷଣ ରହିଛି। ଓଡ଼ିଶାରେ ଅଧିକାଂଶ ଚାଷୀ ପରିବାର ନିଜ ଉତ୍ପାଦିତ ମାଣ୍ଡିଆର କିଛି ଭାଗ ଖାଆନ୍ତି ଏବଂ ବଳକା ଅଂଶକୁ ବିକ୍ରି କରନ୍ତି। ଯେଭଳି ନବୀନା ଶଗଡ଼ି କରନ୍ତି - ସେ ଓ ତାଙ୍କ ସ୍ୱାମୀ ଜୟୀରାମଙ୍କ ୪୫-ବର୍ଷୀୟ ପୁଅ ଦଇତିରି ତାଙ୍କ ଯୁଗ୍ମ ପରିବାରର ଅନ୍ୟ ଏକ ଜାଗାରେ ଚାଷ କରନ୍ତି। ସେ କହନ୍ତି, ‘‘ଆମେ ୧.୫ ଏକର ଜମିରୁ ୧୦ କ୍ୱିଣ୍ଟାଲ [ମାଣ୍ଡିଆ] ପାଉ’’। ‘‘ଆମ ପାଇଁ, ଦୁଇ କ୍ୱିଣ୍ଟାଲ ଯଥେଷ୍ଟ, ବାକିତକ ଆମେ ବିକ୍ରି କରିଦେଉ।’’ ନବୀନା ଏଥିରୁ ତାଙ୍କ ପିଲାଙ୍କ ପାଇଁ ଜାଉ, ଓଣ୍ଡା, ପିଠା ଏବଂ ମାଣ୍ଡ୍ରୁ ପ୍ରସ୍ତୁତ କରନ୍ତି - ସବୁ ମାଣ୍ଡିଆ ରୁ ପ୍ରସ୍ତୁତ।

ଲ୍ୟାମ୍ପ ଦ୍ୱାରା ମାଣ୍ଡିଆ ପାଇଁ ଯେଉଁ ଏମଏସପି ନିର୍ଦ୍ଧାରିତ ହୋଇଛି, ତାହା ଏହି ପୋଷକ ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନୂଆ ପଦକ୍ଷେପ। ଏହା ବେଶ୍‌ ଆକର୍ଷଣୀୟ ମୂଲ୍ୟ। ତେଣୁ ଏକ ଏକର ଜମିରୁ ଅମଳ କରିଥିବା ୮ କ୍ୱିଣ୍ଟାଲ ମାଣ୍ଡିଆ  ମଧ୍ୟରୁ ଜୟୀରାମ ୬ କ୍ୱିଣ୍ଟାଲ ବିକିବା ପାଇଁ ପ୍ରସ୍ତୁତ କରିଛନ୍ତି। ତେବେ ଲ୍ୟାମ୍ପ ଦ୍ୱାରା ପଂଜିକୃତ ହୋଇଥିବା ଚାଷୀ ଏକର ପିଛା ସର୍ବାଧିକ ୧.୨ କ୍ୱିଣ୍ଟାଲ ବିକ୍ରି କରିପାରିବେ। କିନ୍ତୁ ଜମିର ପରିମାଣ କେତେ, ସେ ନେଇ କୌଣସି ନିର୍ଦ୍ଧାରିତ ସୀମା ନାହିଁ - ତେବେ ୫ ଏକର ଜମିରେ ସେ ମାଣ୍ଡିଆ ଚାଷ କରୁଥିବା ଭୁଲବଶତଃ ପଂଜିକୃତ ହୋଇଯାଇଛି।

ସେ କହନ୍ତି, ‘‘ମୋତେ ପରିବହନ ବାବଦକୁ ବସ୍ତା ପିଛା ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ।’’ ଗୋଟିଏ କିଲୋ ମଧ୍ୟ ବିକ୍ରି କରି ନପାରି ଅଟୋରିକ୍ସାରେ ନେବା ଆଣିବାରେ ସେ ୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ମାଣ୍ଡିଆ ପାଇଁ ନିର୍ଦ୍ଧାରିତ ଏମଏସପିର ଏକ ଷଷ୍ଠାଂଶ।

ବଡ଼ ଟେମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ, ୪୨ ବର୍ଷୀୟ ଶୁକଦେବ ଶିଳପଡ଼ିଆ ୧.୫ କ୍ୱିଣ୍ଟାଲ ମାଣ୍ଡିଆ ସହ ପ୍ରସ୍ତୁତ ହେଉଥିଲେ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ପାଲିଗୁଡ଼ା ଗାଁରେ ତାଙ୍କର ୭ ଏକର ଜମି ଅଛି। ୧ ଏକର ଢାଲୁ ଜମିରେ ସେ ମାଣ୍ଡିଆ ଚାଷ କରନ୍ତି। ବାକି ଜମିରେ ସେ ଟମାଟୋ, ବାଇଗଣ, ଲଙ୍କା ଓ କଲରା ଆଦି ଚାଷ କରନ୍ତି। ବୈପାରୀଗୁଡ଼ା ବ୍ଲକରେ ଥିବା ସଂଗ୍ରହ କେନ୍ଦ୍ରକୁ ଶୁକଦେବ ମାଣ୍ଡିଆ  ଆଣିଥିଲେ। ଏହି କେନ୍ଦ୍ର ତାଙ୍କ ଗାଁଠାରୁ ପ୍ରାୟ ୪ କିଲୋମିଟର ଦୂର।  

ତାଙ୍କ ବ୍ୟାଗଗୁଡ଼ିକ ମଧ୍ୟ ଗ୍ରହଣୀୟ ହୋଇନଥିଲା - ସଂଗ୍ରାହକ କର୍ମଚାରୀ କହିଲେ ମାଣ୍ଡିଆ ପରିଷ୍କାର ନାହିଁ। ଯଦିଓ ଜୟୀରାମ ଓ ଶୁକଦେବଙ୍କୁ ତାଙ୍କ ମାଣ୍ଡିଆ ଭଲ ଦେଖା ଯାଉଥିଲା। ବର୍ଷ ବର୍ଷ ଧରି ଶସ୍ୟକୁ ଏହି ପ୍ରକାର ସଫାସୁତରା କରି ଏମାନେ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି। 

ସମବାୟ ବିଭାଗର ଗାଇଡ଼ଲାଇନ ଅନୁସାରେ ୨୦୧୮-୧୯ ଖରିଫ ବଜାର ଋତୁରେ (ଡିସେମ୍ବରରୁ ମାର୍ଚ୍ଚ) ମାଣ୍ଡିଆ ସଂଗ୍ରହର ‘ହାରାହାରି ମାନ’ ହେଉଛି, ‘‘ଶସ୍ୟ ମଧୁର, ଟାଣ, ପରିଷ୍କାର ଏବଂ ପୌଷ୍ଟିକ ହୋଇଥିବା ଆବଶ୍ୟକ; ଶୁଷ୍କ ହୋଇଥିବ, ପୋକରା ହୋଇ ନଥିବ, ଦୁର୍ଗନ୍ଧ ନଥିବ, ସତ୍ୟାନାଶୀ [ମେକ୍ସିକାନ୍ କଣ୍ଟା ଜାତୀୟ ଉଦ୍ଭିଦର ଫଳ] ନଥିବ ଏବଂ ଲାଥିରସ୍ ସାଟିଭସ (ଖେସାରୀ) ମଞ୍ଜି ନଥିବ, ରଙ୍ଗ ଠିକ୍ ଥିବ ଓ କୌଣସି କ୍ଷତିକାରକ ପଦାର୍ଥ ନଥିବ; ଯେପରିକି ବାହାର ଜିନିଷ ଅପମିଶ୍ରିତ ହୋଇ ନଥିବ, ଅନ୍ୟ ଖାଦ୍ୟ ଶସ୍ୟ ମିଶି ନଥିବ, ଶସ୍ୟ ଭାଙ୍ଗି ନଥିବ ଏବଂ ଓଦା ହୋଇ ନଥିବ।’’ - ସବୁ ନିର୍ଦ୍ଧାରିତ ସୀମା ମଧ୍ୟରେ। 

କିନ୍ତୁ ଏଠି ଯେଉଁ ଶସ୍ୟକୁ ଚାଷୀ ପରିଷ୍କାର ବୋଲି ଭାବନ୍ତି ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ମାନ ସହ ତାହା ମେଳ ଖାଉ ନାହିଁ।

Bada Tema village, Hataguda GP, Similiguda block
PHOTO • Harinath Rao Nagulavancha
Sukdeb Silpadia used his rice milling machine to polish the ragi grain and make it free from chaff.
PHOTO • Harinath Rao Nagulavancha

ବଡ଼ ଟେମା ଗାଁରୁ ବେଶୀ ଦୂର ନୁହେଁ (ବାମ), ଶୁକଦେବ ଶିଳପଡ଼ିଆ (ଡାହଣ) ତାଙ୍କ ଧାନ କଳରେ ମାଣ୍ଡିଆ ଶସ୍ୟକୁ ସଫା କରିବା ସହ ଏଥିରୁ ଚଷୁ କାଢିଛନ୍ତି। 

ଅମଳ ପରେ, ପାରମ୍ପରିକ ପଦ୍ଧିତିରେ ଚାଷୀ ଶସ୍ୟ ସଂଗ୍ରହ କରିଥାନ୍ତି - ଏହା ଉପରେ ଅଟୋରିକ୍ସା ଚଢାଇ, ଟ୍ରାକ୍ଟର ଚଢାଇ ବା ବଳଦ ବେଙ୍ଗଳା କରି - ଫସଲର ପରିମାଣ ଉପରେ ଏହା ନିର୍ଭର କରେ। ଯଦି ଫସଲ କମ ହୋଇଥାଏ ତେବେ ଗୋଟିଏ କାଠ ବାଡ଼ିରେ ବାଡ଼େଇ ସେମାନେ ଶସ୍ୟ ବାହାର କରିଥାନ୍ତି। ଚୋପାରୁ ଶସ୍ୟ ଅଲଗା ହୋଇଯାଏ ଏବଂ ଏହା ଉପରେ କେବଳ ଧଳାର ଏକ ପତଳା ଆସ୍ତରଣ - ଚଷୁ- ରହି ଯାଇଥାଏ। ଶୁକଦେବ କହନ୍ତି, ‘‘ଶସ୍ୟକୁ ଏହା [ଚଷୁ] ଅଧିକ ଦିନ ସାଇତି ରଖିଥାଏ। ଚଷୁ ଥିଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଶସ୍ୟକୁ ସାଇତି ରଖିହୁଏ। ନହେଲେ ଶସ୍ୟ ଜଳୀୟ ଅଂଶ ଗ୍ରହଣ କରିବା ସହ ଫିମ୍ପି ମାରିବ। ଯଦି ଏଥିରୁ ଚଷୁ ବାହାର କରି ଦିଆଯିବ, ଏହାକୁ ୬-୧୨ ମାସ ମଧ୍ୟରେ ଖାଇବାକୁ ପଡ଼ିବ। ’’

ଏହା ହେଉଛି ପାରମ୍ପରିକ ଅମଳ ଏବଂ ସରକାରଙ୍କ ଗାଇଡ ଲାଇନ୍ ମଧ୍ୟରେ ପାର୍ଥକ୍ୟ, ଯେଉଁଥି ପାଇଁ ଜୟୀରାମ ଓ ଶୁକଦେବଙ୍କ ଶସ୍ୟ ଅଗ୍ରାହ୍ୟ ହେଲା। 

କୁନ୍ଦୁଲି ଲ୍ୟାମ୍ପସ୍‌ର ଶାଖା ଅଧିକାରୀ ଏନ. ରାମନା କହିଲେ, ‘‘ସେମାନେ ଏହାକୁ ଗାଁକୁ ନେଇଯିବା ବଦଳରେ କୁନ୍ଦୁଲିରେ ସଫା କରିବା ପାଇଁ ଆମେ କହିଛୁ। ଏଥିରେ ସମୟ ଏବଂ ଖର୍ଚ୍ଚ ବଞ୍ଚିବ। ’’ 

ଶୁକଦେବ ତାଙ୍କ ନିଜର ଛୋଟ ଧାନକଳରେ ଶସ୍ୟକୁ ଆଉ ଥରେ ସଫା କରି ପାଲିସ କଲେ। ଏହି କଳରେ ଘଣ୍ଟାକୁ ୧୦୦ କିଲୋ ଶସ୍ୟ ପେଡ଼ି ହୁଏ। ସେ କହନ୍ତି, ‘‘ମୋ କଳରେ ଚଷୁ କାଢିବାକୁ ମୁଁ ପରୀକ୍ଷା କଲି, ଏହା କାମ କଲା। ଆମେ ଶସ୍ୟକୁ ଲ୍ୟାମ୍ପସ୍ ପାଇଁ ଉପଯୁକ୍ତ କରି ପାରିଲୁ।’’

ଏଭଳି କଡ଼ା ଗାଇଡଲାଇନ ଯୋଗୁଁ ଅନେକ ଚାଷୀ ଆଣିଥିବା ଶସ୍ୟ ଅଗ୍ରାହ୍ୟ ହୋଇଯାଇଛି। ଫଳରେ ମାଣ୍ଡିଆ ଫସଲକୁ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ଯେଉଁ ଆଶା ରଖିଥିଲେ ତାହା ସେତେ ପ୍ରଭାବୀ ହେଲା ନାହିଁ। ଯଦିଓ ୧୪ଟି ଜିଲ୍ଲା (ରାଜ୍ୟର ୩୦ଟି ଜିଲ୍ଲାରୁ) ପାଇଁ ଏହି ଯୋଜନା ହୋଇଥିଲା, କିନ୍ତୁ ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ସଂଗ୍ରହ ସମୟ ମଧ୍ୟରେ କେବଳ ୮ଟି ଜିଲ୍ଲାରେ - ସୁନ୍ଦରଗଡ଼. ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ- କାର୍ଯ୍ୟକାରୀ ହୋଇପାରିଥିଲା। 

ଏଗୁଡ଼ିକ ଭିତରୁ ସୁନ୍ଦରଗଡ଼ ଜିଲ୍ଲାରେ ଆଇସିଡିଏସ ଏବଂ ଏମଡିଏମ୍ ଯୋଜନାରେ ପ୍ରାଥମିକ ଭାବେ ମାଣ୍ଡିଆ କୁ ସାମିଲ କରାଯିବ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଅନ୍ୟ ୭ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ଏହି ଶସ୍ୟ ପିଡିଏସ୍ ଜରିଆରେ ବଣ୍ଟାଯିବ। 

କିନ୍ତୁ ଚଷୁ-ନଥିବା କଡ଼ା ଗାଇଡ୍‌ଲାଇନ, କେବଳ ୮ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବା, ଏବଂ ଏକର ପିଛା ୧.୨ କ୍ୱିଣ୍ଟାଲ ମଧ୍ୟରେ ବିକ୍ରି ସୀମିତ ରଖିବା କାରଣ ଯୋଗୁଁ ଖରିଫ ବଜାର ଋତୁରେ (ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୧୯) ସଂଗ୍ରହ ପରିମାଣ ଥିଲା ୧୭,୯୮୫ କ୍ୱିଣ୍ଟାଲ - ଚଳିତ ଋତୁରେ ଗଠିତ ହୋଇଥିବା ଲ୍ୟାମ୍ପସ୍‌ର ନିର୍ଦ୍ଧାରିତ ଲକ୍ଷ୍ୟର (୧୮୫,୦୦୦ କ୍ୱିଣ୍ଟାଲ) ମାତ୍ର ୧୦ ପ୍ରତିଶତ। କେବଳ ୫, ୭୪୦ ଜଣ ଚାଷୀ ଲ୍ୟାମ୍ପସ୍‌ ଏବଂ ପିଏସିଏସକୁ ମାଣ୍ଡିଆ ବିକିଛନ୍ତି। ତେବେ ମୋଟ ୨୬, ୪୯୫ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ।

Kunduli LAMPS Godown [100 MT]. This is where Jairam Sagiri had brought his produce to sell at minimum support price.
PHOTO • Harinath Rao Nagulavancha
Sadhu Ayal, besides farming, also does masonry work. He says, by applying farmyard manure and fertilisers, around 12 quintals of ragi can produced in an acre.
PHOTO • Harinath Rao Nagulavancha

ବାମ: ଜୟୀରାମ ଶଗଡ଼ି କୁନ୍ଦୁଲି ଗୋଦାମକୁ ମାଣ୍ଡିଆ ଆଣିଛନ୍ତି । ଡାହଣ: ସାଧୁ କହନ୍ତି ଗୋଟିଏ ଏକର ଜମିରେ ୧୨ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇପାରିବ

ପିଡିଏସ, ଆଇସିଡିଏସ୍ ଏବଂ ଅନ୍ୟାନ୍ୟ ଯୋଜନାରେ ରାଜ୍ୟ ସରକାରଙ୍କ ଦ୍ୱାରା ବଣ୍ଟନ ପାଇଁ,  ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩, ଓଡ଼ିଶାକୁ ବାର୍ଷିକ ୨୧ ଲକ୍ଷ ଟନ୍ ଖାଦ୍ୟଶସ୍ୟ ମଞ୍ଜୁର କରେ - ଚାଉଳ ଓ ଗହମ ଏବଂ କମ୍ ବ୍ୟବହୃତ ଶସ୍ୟ (ଯଅ, ବାଜରା, ମକା ଓ ମାଣ୍ଡିଆ )। ଏହି ଆଇନ ଅନୁଯାୟୀ ମଂଜୁର ହୋଇଥିବା ଖାଦ୍ୟ ଶସ୍ୟ ରାଜ୍ୟମାନଙ୍କୁ ପ୍ରଦାନ କରିବା କେନ୍ଦ୍ରର ଦାୟିତ୍ଵ। କିନ୍ତୁ ଏସବୁ ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥା ଦ୍ୱାରା ସଂଗୃହୀତ ହେବା ଆବଶ୍ୟକ। 

୨୦୧୮ରେ, କେନ୍ଦ୍ରୀୟ ଶସ୍ୟ ଭଣ୍ଡାରରେ ମହଜୁଦ ଥିବା କମ୍ ବ୍ୟବହୃତ ଖାଦ୍ୟ ଶସ୍ୟ ୧ ପ୍ରତିଶତରୁ କମ ଥିଲା - ଚାଉଳର ୦.୫୮ ପ୍ରତିଶତ, ଗହମର ୦.୩୯ ପ୍ରତିଶତ ଏବଂ ଧାନର ୧ ପ୍ରତିଶତ ଗଚ୍ଛିତ ଥିଲା। ସଂଗୃହୀତ ଏହି ଖାଦ୍ୟ ଶସ୍ୟ ମଧ୍ୟରେ ଅନ୍ୟଗୁଡ଼ିକ ତୁଳନାରେ ସବୁଠାରୁ ଅଧିକ ଥିଲା ମକା। 

ଓଡ଼ିଶାରେ ମଧ୍ୟ ଏହି ପ୍ରକାର ଖାଦ୍ୟ ଶସ୍ୟ ବିଶେଷ ଭାବେ ସଂଗ୍ରହ ହୋଇପାରିନି, ଯଦିଓ ବାଜରା ଜାତୀୟ ଅନ୍ୟ ଶସ୍ୟ ତୁଳନାରେ ଓଡ଼ିଶାରେ ଅଧିକ ମାଣ୍ଡିଆ ଉତ୍ପାଦନ ହୁଏ। ୨୦୧୬-୧୭ରେ ଓଡ଼ିଶାରେ ୧୨୧,୦୦୦ ଟନ୍ ମାଣ୍ଡିଆ ଉତ୍ପାଦନ ହୋଇଥିଲା, ଯେତେବେଳେ ୩,୪୪୪ ଟନ୍ ଯଅ ଏବଂ ୧,୧୩୦ ଟନ୍ ବାଜରା ଉତ୍ପାଦନ ହୋଇଥିଲା (ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଅନୁଯାୟୀ)।

ଖାଲି ସ୍ଥାନ ପୂରଣ ପାଇଁ ମାଣ୍ଡିଆ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ର ୧୭,୯୮୫ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇପାରିଥିଲା। ଓଡ଼ିଶାର ମୋଟ ଆବଶ୍ୟକ ୨୧ ଲକ୍ଷ ଟନ୍‌ ଖାଦ୍ୟଶସ୍ୟର ଏହା ମାତ୍ର ୦.୦୮୫ ପ୍ରତିଶତ। 

ଏକର ପିଛା ୧.୨ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରି ପାଇଁ ଲ୍ୟାମ୍ପସ୍ ସୀମା ନିର୍ଦ୍ଧାରଣ କରିବା ଅର୍ଥ ପ୍ରଚୁର ପରିମାଣରେ ଅମଳ ହୋଇଥିବା ମାଣ୍ଡିଆ ଖୋଲା ବଜାରରେ ବିକ୍ରି ହେବ। ୪୫ ବର୍ଷୀୟ ସାଧୁ ଆୟାଲ କହନ୍ତି, ଗୋଟିଏ ଏକର ଜମିରୁ ଯେତିକି ଉତ୍ପାଦନ ହୋଇପାରିବ ୧.୨ କ୍ୱିଣ୍ଟାଲ ସେହି ତୁଳନାରେ ବହୁତ କମ୍। ସାଧୁ ଆୟାଲ ହେଉଛନ୍ତି ଜଣେ ଗଡ଼ବା ସମ୍ପ୍ରଦାୟର ଆଦିବାସୀ ଚାଷୀ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ର ଉପର ଗେଲାଗୁଡ଼ା ଗାଁରେ ତାଙ୍କ ଘର। ୨୦୧୮ ଜୁଲାଇ-ନଭେମ୍ବର ଖରିଫ ଋତୁରେ ଆୟାଲ ଅଧ ଏକର ଜମିରେ ମାଣ୍ଡିଆ ବୁଣିଥିଲେ ଏବଂ ୬ କ୍ୱିଣ୍ଟାଲ ଅମଳ କରିଥିଲେ। 

ଜୟୀରାମ ମଧ୍ୟ ଗୋଟିଏ ଏକର ଜମିରୁ ୮ କ୍ୱିଣ୍ଟାଲ ଅମଳ କରନ୍ତି। କିନ୍ତୁ ସ୍ଥାନୀୟ ଲ୍ୟାମ୍ପସ କର୍ମଚାରୀ ତାଙ୍କ ନାଁରେ ୧ ଏକର ଲେଖିବା ବଦଳରେ ଫର୍ମରେ ୫ ଏକର ଲେଖି ନେଇଛନ୍ତି। ଜୟୀରାମ କହନ୍ତି, ‘‘ଆମେ ଖାଇବା ପାଇଁ ଦୁଇ କ୍ୱିଣ୍ଟାଲ ରଖୁ ଏବଂ [ପ୍ରାୟ] ୬ କ୍ୱିଣ୍ଟାଲ ଲ୍ୟାମ୍ପସ୍‌କୁ ବିକ୍ରି କରିଦେଉ।’’ ଗୋଟିଏ କଳରେ ମାଣ୍ଡିଆକୁ ଆଉ ଥରେ ପରିଷ୍କାର କରିବା ପରେ ବିକ୍ରି କରିବାକୁ କୁନ୍ଦୁଲି ଗୋଦାମ ଘରକୁ ପୁଣି ଥରେ ଯାଇଥିଲେ। ତେବେ ସେ ଯେତିକି ବିକ୍ରି କରିବା କଥା ତାର ପାଞ୍ଚ ଗୁଣା ବିକ୍ରି କରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha