“ ଏହି ପର୍ବ ଆମ ମନରେ ଆଶାର ସଞ୍ଚାର କରିଥାଏ,” ବୋଲି ବାଳବତୀ ମାଝୀ କୁହନ୍ତ । ସେ ଓ କୁଟିଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ଅନ୍ୟମାନେ ଏକ ସ୍ଥାନୀୟ ଦେଶୀୟ ବୀଜ ପର୍ବରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ସେମାନଙ୍କ ଗ୍ରାମ, ବୁର୍ଲୁବାରୁରେ ସମସ୍ତେ ଏହାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମହିଳାମାନେ ବୀଜ ଭର୍ତ୍ତି ଛୋଟ ଛୋଟ ମାଟି ପାତ୍ରଗୁଡ଼ିକୁ ସେମାନଙ୍କ ମୁଣ୍ଡରେ ଧରି ଡ୍ରମ ପରି ଏକ ପାରମ୍ପରିକ ବାଦ୍ୟ, ଢାପ୍‌ ଓ ତମୁକର ତାଳେ ତାଳେ ଗୀତ ଗାଉଛନ୍ତି ଓ ନୃତ୍ୟ କରୁଛନ୍ତି ।

ସେମାନେ ସମସ୍ତେ ସେମାନଙ୍କ ଗ୍ରାମ ମଝିରେ ଅବସ୍ଥିତ ଧରଣୀ ପେନୁ (ଧରିତ୍ରୀ ଦେବୀ)ଙ୍କ ମନ୍ଦିରରେ ଏକତ୍ରିତ ହୋଇଛନ୍ତି । ଗ୍ରାମ ପୁରୋହିତଙ୍କ ଦ୍ୱାରା ଏକ ପୂଜା ବିଧି ଶେଷ ହେବାପରେ, ସେମାନେ ସମସ୍ତେ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ଯିବାକୁ ବାହାରିଲେ । ଏହି ଉତ୍ସବ ଓଡିଶାର କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍‌ରେ ଥିବା ଏକ ଖୋଲା ପଡିଆରେ ଆୟୋଜନ କରାଯାଇଛି ।

“ଆମେ ଭଲ ଅମଳ ହେବା ପାଇଁ ପୂଜା କଲୁ, ଆମେମାନେ ଦେବତାମାନଙ୍କ ପାଖରେ ଛେଳି ଓ କୁକୁଡା ବଳି ମଧ୍ୟ ଦେଇଥାଉ । ଅମଳ ଭଲ ହେଲେ ବର୍ଷ ସାରା ଆମକୁ ଚିନ୍ତା କରିବାକୁ ପଡେ ନାହିଁ । ଏହି ଉତ୍ସବରେ ଆମେ ପରସ୍ପର ମଧ୍ୟରେ ବୀଜ ବିନିମୟ କରିଥାଉ, ଏଣୁ ଆମମାନଙ୍କ ଠାରୁ ଯେଉଁମାନେ ବୀଜ ନିଅନ୍ତି, ସେମାନଙ୍କର ଅମଳ ଭଲ ହେବା ପାଇଁ ମଧ୍ୟ ଆମେ ପ୍ରାର୍ଥନା  କରିଥାଉ,” ବୋଲି ୪୩ ବର୍ଷ ବୟସ୍କ ବାଳବତୀ କୁହନ୍ତି, ଯାହାଙ୍କ ପରିବାର ଦୁଇ ଏକର ଜମିରେ ମାଣ୍ଡିଆ ଓ ମକା ଚାଷ କରିଥାଏ।

କଳାବତୀ ଓ କୋଟାଗଡ, ଫିରିଙ୍ଗିଆ ଓ ତୁମୁଡିବନ୍ଧ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୭୦୦ ଆଦିବାସୀ ମହିଳା ଏହି ବାର୍ଷିକ ବୀଜ ପର୍ବରେ ଯୋଗ ଦେଇଥିଲେ । ଏହି ପର୍ବ ମାର୍ଚ୍ଚ ମାସରେ ଅମଳ ଋତୁରେ ଆୟୋଜନ କରାଯାଏ । ଏହି ଅବସରରେ ସେମାନେ ସେମାନଙ୍କର ପାରମ୍ପରିକ ବୀଜଗୁଡିକୁ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବା ସହିତ ବୀଜ ବିନିମୟ କରିଥାନ୍ତି, ବିଲୁପ୍ତ ପ୍ରାୟ ପ୍ରଜାତି ଗୁଡିକର ପୁନଃରୁଦ୍ଧାର କରନ୍ତି ଓ ବିଭିନ୍ନ ପ୍ରକାରର କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥାନ୍ତି ।
Balabati and other Adivasi women farmers attended the annual seeds festival this year
PHOTO • Rakhi Ghosh
Balabati and other Adivasi women farmers attended the annual seeds festival this year
PHOTO • Rakhi Ghosh

ବାଳବତୀ ଓ ଅନ୍ୟ ଆଦିବାସୀ ମହିଳା କୃଷକମାନେ ଚଳିତବର୍ଷ ବାର୍ଷିକ ବୀଜ ପର୍ବରେ ଯୋଗ ଦେଇଥିଲେ

ବୁର୍ଲୁବାରୁ ଗ୍ରାମର (ବେଲ୍‌ଘର ପଞ୍ଚାୟତର) କୁଟିଆ କନ୍ଧ ସମ୍ପ୍ରଦାୟର ଅନ୍ୟ ଜଣେ ମହିଳା, କୁଲେଲାଡୁ ଜାନି, ୪୮, କହିଲେ ଯେ ଅତୀତରେ ସେମାନେ ସେମାନଙ୍କ ନିଜ ଗ୍ରାମରେ ଏହି ପର୍ବ ପାଳନ କରୁଥିଲେ ଓ ବୀଜ ବିନିମୟ କରିବାକୁ ଆଖପାଖରେ ଅନ୍ୟ ଗ୍ରାମରେ ରହୁଥିବା ସେମାନଙ୍କ ସମ୍ପର୍କୀୟମାନଙ୍କ ଘରକୁ ଯାଉଥିଲେ । “ସେମାନେ କେବେ ମଧ୍ୟ ବଜାରରୁ ବୀଜ କିଣନ୍ତି ନାହିଁ” ବୋଲି ମଧ୍ୟ ସେ କହିଲେ । ଏହି ପର୍ବର ପୁନରୁଦ୍ଧାର ହେବା ପର ଠାରୁ ସେ ବିଭିନ୍ନ କିସମର ମାଣ୍ଡିଆ ବିହନ ସଂଗ୍ରହ କରିଛନ୍ତି ଓ ସେଗୁଡିକୁ ନିଜର ଦୁଇ ଏକର ଜମିରେ ଚାଷ କରିଛନ୍ତି ।

ଭାରତର ମିଲେଟ୍‌ ନେଟ୍‌ୱର୍କର ଗବେଷକମାନେ, ସ୍ଥାନୀୟ ସଂଗଠନ ଓ ସ୍ଥାନୀୟ ପ୍ରଶାସନକୁ ନେଇ ମିଳିତ ଭାବେ  ସ୍ଥାନୀୟ ଯୁବକ ଓ ଗ୍ରାମବାସୀଙ୍କ ସହିତ ମିଶି ପ୍ରାୟ ୨୦୧୨ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ପରେ କ୍ରମଶଃ ଏହାର କଳେବର ବୃଦ୍ଧି ପାଇ ଏକ ବିଶାଳ ଜନ ସମାଗମରେ ପରିଣତ ହୋଇଛି – ଯାହା ଆଜି ବୁର୍ଲାଙ୍ଗ ଯାତ୍ରା ନାମରେ ପରିଚିତ। 

 ‘ଯାତ୍ରା’  ସମୟରେ କୃଷକମାନେ ସେମାନଙ୍କ ପାଖରେ ଥିବା ମାଣ୍ଡିଆ, କାଙ୍ଗୁ, ସୁଆଁ, ଜୱାର, ମକା, ତୈଳବୀଜ, ଡାଲି ଓ ପନିପରିବା ଆଦିର ବୀଜ ସହିତ ବିଭିନ୍ନ କିସମର ଧାନ, ଖାଦ୍ୟଯୋଗ୍ୟ ଜଙ୍ଗଲି ମୂଳ ଓ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦନ ହେଉଥିବା ଔଷଧୀୟ ଗଛ ଆଦି ପ୍ରଦର୍ଶିତ କରିଥାନ୍ତି । ଦିନ ଶେଷରେ ବିଧି ଅନୁସାରେ ଏହି ବୀଜଗୁଡିକୁ ପରସ୍ପର ମଧ୍ୟରେ ବିନିମୟ କରିଥାନ୍ତି। ଏଗୁଡିକ ହେଉଛି ଉଚ୍ଚ ଗୁଣବତ୍ତା ଯୁକ୍ତ ବୀଜ, ଯାହା ରୋଗ, କୀଟ ରୋଧୀ, ଉଚ୍ଚ ପୋଷକ ତତ୍ତ୍ୱ ଯୁକ୍ତ ଓ ଅଧିକ ଅମଳକ୍ଷମ ଅଟେ ଓ ଭଲ ବୋଲି ନନ୍ଦବଳି ଗ୍ରାମର ୩୮ବର୍ଷ ବୟସ୍କ ପ୍ରମିତି ମାଝୀ କୁହନ୍ତି ।

“ଆମର ପାରମ୍ପରିକ ବୀଜଗୁଡିକ ବଢିବା ପାଇଁ କୌଣସି ପ୍ରକାରର ସାର ପ୍ରୟୋଗ କରିବା ଆବଶ୍ୟକ ହୁଏ ନାହିଁ। ” “ଆମେ ଗାଈ ଗୋବର ବ୍ୟବହାର କରୁ ଓ ସେଥିରେ ଗଛଗୁଡିକ ଭଲ ବଢିଥାଏ, ଉତ୍ପାଦ ମଧ୍ୟ ସ୍ୱାଦ ଯୁକ୍ତ ହୋଇଥାଏ [ବଜାରରୁ କିଣା ଯାଇଥିବା ବୀଜରେ କରାଯାଇଥିବା ଫସଲ ତୁଳନାରେ] ଓ ଆମେ ଏଥିରୁ କିଛି ଆସନ୍ତା ବୁଣା ଋତୁ ପାଇଁ ମଧ୍ୟ ସାଇତି ରଖିଦେଉ।”
Kuleladu Jani (left) speaks of seed preservation in her home. Pramiti Majhi (centre) and other farmers (right) collecting seeds before returning home
PHOTO • Rakhi Ghosh
Kuleladu Jani (left) speaks of seed preservation in her home. Pramiti Majhi (centre) and other farmers (right) collecting seeds before returning home
PHOTO • Rakhi Ghosh
Kuleladu Jani (left) speaks of seed preservation in her home. Pramiti Majhi (centre) and other farmers (right) collecting seeds before returning home
PHOTO • Rakhi Ghosh

କୁଲେଲାଡୁ ଜାନି (ବାମ) ତାଙ୍କ ଘରେ ବୀଜ ସଂରକ୍ଷଣ କରିବା ବିଷୟରେ କହୁଛନ୍ତି । ପ୍ରମିତି ମାଝୀ (ମଧ୍ୟ) ଓ ଅନ୍ୟ କୃଷକମାନେ (ଡାହାଣ) ଘରକୁ ଫେରିବା ପୂର୍ବରୁ ବୀଜ ସଂଗ୍ରହ କରୁଛନ୍ତି

ଏହି ଉତ୍ସବରେ ମହିଳାମାନେ ବୀଜ ସଂରକ୍ଷଣ ଓ ବୁଣିବା କୌଶଳ ସମ୍ବନ୍ଧୀୟ ସେମାନଙ୍କର ଅନୁଭୂତି ବିଷୟରେ ମଧ୍ୟ କହିଲେ । ଅନେକ ଆଦିବାସୀ ଓ ଗ୍ରାମ୍ୟ ସମ୍ପ୍ରଦାୟଗୁଡିକରେ ଦେଶୀୟ ଓ ପାରମ୍ପରିକ ବୀଜର ରକ୍ଷଣାବେକ୍ଷଣ କରିବାରେ ମହିଳାମାନେ ପ୍ରମୂଖ ଭୂମିକା ଗ୍ରହଣ କରନ୍ତି – ଏହା ସହିତ ସେମାନେ ବୀଜ ବୁଣିବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଭାଗ ନେଇଥାନ୍ତି । “ଏହା ହେଉଛି ଏପରି ଏକ ଜ୍ଞାନ ଯାହା ଗୋଟିଏ ପିଢିରୁ ଅନ୍ୟ ପିଢି ଶିଖିଥାନ୍ତି । ମହିଳାମାନେ ବୀଜ ସଂଗ୍ରହ କରନ୍ତି, ସେଗୁଡିକୁ ସାଇତି ରଖନ୍ତି ଓ ସେଗୁଡିକୁ ବୁଣିବା ଯୋଜନା ପ୍ରସ୍ତୁତ କରନ୍ତି,” ବୋଲି ମାଣ୍ଡିଆ, ମକା ଓ ଜହ୍ନା ଚାଷ କରୁଥିବା ମାଝିଗୁଡାର ପ୍ରଣତି ମାଝୀ କୁହନ୍ତି ।

“ଅମଳ ହେବା ପରେ, ଆମେ ସିଧାସଳଖ ଖରାରେ ଶୁଖିବା ପାଇଁ କିଛି ଗଛ ଛାଡିଦେଉ,” ବୋଲି କୋଟାଗଡ ବ୍ଲକ୍‌ ଅନ୍ତର୍ଗତ ପରମଳା ପଲ୍ଲୀର ପାର୍ବତୀ ମାଝୀ କୁହନ୍ତି । “ସେଗୁଡିକ ଶୁଖିଯିବା ପରେ, ଆମେ ଏହି ବୀଜଗୁଡିକୁ ତୋଳି ଅଲଗା କରିଦେଉ ଓ ସେଗୁଡିକୁ ମାଟି ପାତ୍ରରେ ସାଇତି ରଖିଥାଉ । ଏଗୁଡିକୁ ବିଭିନ୍ନ କୀଟ ଦାଉରୁ ରକ୍ଷା କରିବା ପାଇଁ ଆମେ ପାତ୍ରର ବାହାର ପାଖରେ ଗାଈ ଗୋବରରେ ଲିପି ଦେଉ ।”

ଏଠାରେ ଥିବା ଅଧିକାଂଶ ଗ୍ରାମରେ, କୁଟିଆ କନ୍ଧମାନେ ମାଣ୍ଡିଆ ଜାତୀୟ ଶସ୍ୟର ମିଶ୍ର ଚାଷ ଉପରେ ଗୁରୁତ୍ୱ ଦେଇଥାନ୍ତି । କନ୍ଧମାଳର ଆଦିବାସୀ ସମ୍ପ୍ରଦାୟଗୁଡିକ ପୁରୁଷାନୁକ୍ରମେ ମାଣ୍ଡିଆ ଖାଇ ଆସୁଛନ୍ତି, ହେଲେ, କ୍ରମଶଃ ସାଧାରଣ ଯୋଗାଣ ବ୍ୟବସ୍ଥା ଅନ୍ତର୍ଗତ ମିଳୁଥିବା ଚାଉଳ ମାଣ୍ଡିଆର ସ୍ଥାନ ନେବାରେ ଲାଗିଛି । “ଆମକୁ ଯେଉଁ ଚାଉଳ ମିଳୁଛି [ ପିଡିଏସ୍‌ ବ୍ୟବସ୍ଥାରେ] ତାହାର କୌଣସି ସ୍ୱାଦ ନାହିଁ ଓ ସେଥିରୁ ଶକ୍ତି ମଧ୍ୟ ମିଳୁନି,”  ହେଲେ “ମାଣ୍ଡିଆରୁ ଆମକୁ ଶକ୍ତି ମିଳେ ଓ ଏହାକୁ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗେନାହିଁ”, ବୋଲି ବରିପଙ୍ଗା ଗ୍ରାମର ୪୫ ବର୍ଷ ବୟସ୍କ ଧୈନ୍‌ପଦି ମାଝୀ କୁହନ୍ତି । “ମାଣ୍ଡିଆରୁ ଆମକୁ ପାହାଡ ଚଢିବାକୁ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାକୁ ଶକ୍ତି ମିଳିଥାଏ” ବୋଲି ଝରିଘାଟି ଗ୍ରାମର ସାସ୍ଵନ୍ତି ବଡମାଝୀ (୪୬) କୁହନ୍ତି ।

ଦିନ ବ୍ୟାପୀ ଚାଲୁଥିବା ଏହି ପର୍ବର ଶେଷରେ, ଢୋଲ, ତୁରୀ ଓ ଝାଞ୍ଜର ତାଳେ ତାଳେ ନାଚିବା ପରେ, ମହିଳାମାନେ ପଡିଆ ମଝିରେ ରଖା ଯାଇଥିବା ଦେଶୀୟ ବୀଜ ଅଭିମୁଖେ ଗତି କରନ୍ତି । ବିଧି ସମ୍ମତ ବିନିୟମ ପରେ, ବିଭିନ୍ନ କିସମର ବୀଜକୁ ଶାଳ ପତ୍ର, ଛୋଟ କାଗଜ ଟୁକୁଡାରେ ପୁଡିଆ କରି ବା ସେମାନଙ୍କ ଶାଢୀ ପଣତରେ ବାନ୍ଧି,  ସେମାନେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rakhi Ghosh

ରାଖି ଘୋଷ ହେଉଛନ୍ତି ଓଡିଶାର ଭୂବନେଶ୍ୱରରେ ରହୁଥିବା ଜଣେ ସ୍ୱାଧୀନ ସମ୍ବାଦିକ । ସେ ହେଉଛନ୍ତି ପୂର୍ବତନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ ସେ ମୁଖ୍ୟତଃ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରବାସ ଓ ଜଳବାୟୁ ପରିବର୍ତ୍ତନ ଉପରେ କାମ କରନ୍ତି ।

Other stories by Rakhi Ghosh