ଲିମ୍ବାଜି ଲୋଖଣ୍ଡେ ୧୦,୦୦୦ ଟଙ୍କା ପାଇବା ପାଇଁ ୧,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଲେଣି। ୪୨ ବର୍ଷର ବୟସ୍କ ଜଣେ କୃଷକ କହନ୍ତି, ‘‘ଥରେ ଯିବା ପାଇଁ ଅଟୋରିକ୍ସା ଭଡ଼ା ୨୦ ଟଙ୍କା ଲାଗେ।’’ ତାଙ୍କ ଗାଁ ବୋରୱାଣ୍ଡରୁ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ପର୍ଭାଣୀ ଗାଁରେ ଅଛି, ଏହା ଗାଁଠାରୁ ପ୍ରାୟ ୧୫ କିଲୋମିଟର ଦୂର। ‘‘ଦିନକୁ ଯିବାଆସିବା ପାଇଁ ୪୦ ଟଙ୍କା ଖର୍ଚ୍ଚ ହୁଏ। ତା’ ସହିତ ଚା’ ଜଳଖିଆ ଖର୍ଚ୍ଚ ଅଛି। ମୁଁ ୧୫ ଦିନ ହେଲା ଏଠାକୁ ଦୌଡ଼ୁଛି। ସଂଘର୍ଷ କରିବା ଭଳି ମନେ ହେଉଛି।’’

ରାଜ୍ୟବ୍ୟାପି କୃଷକମାନେ ମହାରାଷ୍ଟ୍ରରେ ୧ ଜୁନ୍‌ରୁ ଅନଶନ ଆରମ୍ଭ କରିଥିଲେ। ଫଳରେ ୧୦,୦୦୦ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୁନ୍ ୧୪ରେ ଏହି ବ୍ୟବସ୍ଥା ବିଷୟରେ ଘୋଷଣା କଲେ। ଋଣ ରିହାତିର ନୀତିନିୟମ ଧାର୍ଯ୍ୟ କରାଯାଇଥିଲା, ସେ କହିଲେ ଚାଷୀମାନେ ଖରିଫ୍ ବୁଣାବୁଣି ଋତୁରେ ଆବଶ୍ୟକ ସାମଗ୍ରୀ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ତୁରନ୍ତ ସହାୟତା ପାଇବେ।

ଜୁନ୍ ମାସରେ ଅନଶନ ସମୟରେ ଚାଷୀମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଥିଲା ସ୍ୱାମୀନାଥନ କମିଶନର ସୁପାରିଶ୍ ଲାଗୁ କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନର ଖର୍ଚ୍ଚ, ତାହା ସହିତ ୫୦% ସହ ଋଣ ରିହାତିର ସୁବିଧାକୁ ଅନ୍ତର୍ଭୁକ୍ତ କରିଥିଲା। ଏହି କମିଶନର ପୁଙ୍ଖାନୁପୁଙ୍ଖ ରିପୋର୍ଟରେ, ଏହାର ମୁଖ୍ୟ ଏମ୍.ଏସ୍. ସ୍ୱାମୀନାଥନ କୃଷକମାନଙ୍କର ଦୁର୍ଦ୍ଦଶା ବିଷୟରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ୨୦୦୭ ମସିହାରୁ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି।

ଯେତେବେଳେ ଫଡନାଭିସ କୃଷକ ପ୍ରତିନିଧିମାନଙ୍କୁ ସାକ୍ଷାତ କଲେ ଓ ସେମାନଙ୍କୁ ଋଣ ରିହାତିର ପ୍ରତିଶ୍ରୁତି ଦେଲେ ଏହି ଅନଶନ ବନ୍ଦ ହୋଇଥିଲା ଏବଂ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଉତ୍ପାଦନ ଖର୍ଚ୍ଚ ଦାବି ବିଷୟରେ ବିଚାର କରିବେ। ରାଜ୍ୟ ପାଇଁ ୧୦,୦୦୦ ଟଙ୍କାର ସାମୟିକ ସହାୟତା ବ୍ୟବସ୍ଥା କରାଯାଇଥିଲା। କାରଣ ବ୍ୟାଙ୍କ ପୂର୍ବ ଋଣ ପରିଶୋଧ କରିନଥିବା କୃଷକମାନଙ୍କର ନୂତନ ଋଣ ପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରୁଥିଲା।

ଭିଡିଓ ଦେଖନ୍ତୁ: ଲିମ୍ବାଜୀ ଲୋଖଣ୍ଡେ, ବୋରୱାଣ୍ଡ ଗ୍ରାମର ଜଣେ କୃଷକ: ‘‘ପୂର୍ବରୁ କୌଣସି ବ୍ୟବସ୍ଥା ନଥିଲା

କିନ୍ତୁ ଅଗଷ୍ଟ ମାସରେ ଘୋଷଣା ହେଲା ଲୋଖଣ୍ଡେ ଏବେବି ୧୦,୦୦୦ ଟଙ୍କା ପାଇଁ ଦରାଣ୍ଡି ହେଉଛନ୍ତି, ସେ ଆଶା କରିଥିଲେ ଏହି ସାହାଯ୍ୟ ତାଙ୍କୁ ବୁଣାବୁଣି ଓ ଅନ୍ୟ ଜିନିଷ ଯୋଗାଡ଼ କରିବାରେ ସାହାଯ୍ୟ କରିବ। ଜୁନ୍ ମାସ ମଝାମଝି ବେଳକୁ ବୁଣାବୁଣି ସମୟ ଆରମ୍ଭ ହୋଇଯାଏ। ପର୍ଭାଣୀର ଏପିଏମସି କମ୍ପ୍ଲେକ୍ସରେ ଠିଆ ହୋଇ ସେ କହନ୍ତି ‘‘ଏଠି ବହୁତ ଭିଡ଼ ଲାଗିରହିଛି।’’ କୃଷକମାନଙ୍କୁ ଟଙ୍କା ପାଇବା ପାଇଁ ଫର୍ମ ସଂଗ୍ରହ କରି ଦାଖଲ କରିବାକୁ କୁହାଯାଉଛି। ‘‘ମୁଁ ଏପର୍ଯ୍ୟନ୍ତ ଫର୍ମଟିଏ ମଧ୍ୟ ପାଇନାହିଁ। ଏହାକୁ ଦାଖଲ କରିବା ପାଇଁ ମଧ୍ୟ ମୋତେ ସମୟ ଦେବାକୁ ପଡ଼ିବ।’’

ବାଲାସାହେବ ତାରାୱାଟେଙ୍କର ସମସ୍ୟା ଭିନ୍ନ। ସେ ଚାରି ଦିନ ଧାଡ଼ିରେ ଠିଆ ହେଲା ବେଳେ ଫର୍ମ ପାଇଲେ ଏବଂ ଏହାକୁ ଦାଖଲ କଲେ। ଏହି ୪୦ ବର୍ଷ ବୟସ୍କ ଚାଷୀ କହନ୍ତି ‘‘୧୧ ଦିନ ହେଲା ଫର୍ମ ଦେଲିଣି ଏ ଯାଏଁ ଅନାଇ ବସିଛି।’’ ‘‘ଏଯାଏଁ ମୋ (ବ୍ୟାଙ୍କ) ଖାତାରେ ଟଙ୍କା ଜମା ହୋଇନାହିଁ। ମୋ ଘର, ୱାଡି ଡାମାଇ ଏଠାରୁ ୩୫ କିଲୋମିଟର ଦୂରରେ। ଗାଁରୁ ଏଠାକୁ ଆସିବା ପାଇଁ ଦେଢ଼ ଘଣ୍ଟା ସମୟ ଲାଗେ। ମୋତେ ଆଜି କହିଲେ ଯେ ଆଉ ୧୦ ଦିନ ଅଧିକ ଲାଗିବ। ଏହି ଯୋଜନା ଭଲ କେତେ କରିବ ଜାଣିନି କିନ୍ତୁ ବହୁତ କ୍ଷତି କଲାଣି। ଜଟିଳ ଫର୍ମ ଭରିବା ଓ ଏତେ ସମୟ ଦେବା ମିଳୁଥିବା ଟଙ୍କା ତୁଳନାରେ ଅଧିକ ମହଙ୍ଗା ମନେହେଉଛି।’’

ଭିଡିଓ ଦେଖନ୍ତୁ: ବାଲାସାହେବ ତାରାୱାଟେ, ୱାଡି ଦମାଇ ଗ୍ରାମର ଜଣେ କୃଷକ: “୧୧ଦିନ ହୋଇଗଲାଣି ଏବଂ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ।’’

ଏହି ଫର୍ମ - ପ୍ରତି ଜିଲ୍ଲାର ଏପିଏମସି କେନ୍ଦ୍ରରେ ଏବଂ ବ୍ୟାଙ୍କରେ ମିଳୁଛି - ଏଥିରେ ୬ ପୃଷ୍ଠା ରହିଛି। ଏଥିରେ କୃଷକମାନଙ୍କଠାରୁ ଏକ ଦାୟ ଗ୍ରହଣ ଦାଖଲ ମଧ୍ୟ ଅନ୍ତର୍ଭୁକ୍ତ କରେ, ଯାହାକି ସୂଚିତ କରେ ‘‘ଏହି ଫର୍ମରେ ଦିଆଯାଇଥିବା ସର୍ତ୍ତାବଳି ଅନୁଯାୟୀ ମୁଁ ଯୋଗ୍ୟ (ଯୋଜନାର ସୁବିଧା ପାଇବା ପାଇଁ)... ମୁଁ କୌଣସି ସର୍ତ୍ତର ଉଲ୍ଲଙ୍ଘନ କରୁନାହିଁ। ଯଦି କୌଣସି ଉଲ୍ଲଙ୍ଘନ ପରିଲକ୍ଷିତ ହୁଏ ମୁଁ ତୁରନ୍ତ ୧୦,୦୦୦ ଟଙ୍କା, ଜୋରିମାନା କିମ୍ବା ସୁଧ ପରିଶୋଧ କରିବା ପାଇଁ ଉତ୍ତରଦାୟୀ ହେବି ଏବଂ ମୋ ବିରୋଧରେ ଯଥାର୍ଥ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ...’’

ମାର୍ଥାୱାଡାରେ ପର୍ଭାଣୀରେ ରହିଥିବା ଏପିଏମସି କମ୍ପ୍ଲେକ୍ସରେ ତାଙ୍କର ଫର୍ମ ସହିତ ପଡ଼ିଆରେ ବହୁ କୃଷକ ବସି ରହିଛନ୍ତି, ସେମାନେ ଏହି ଫର୍ମରେ କ’ଣ ଲେଖିବେ ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସେମାନେ ମନରେ କୌଣସି ସନ୍ଦେହ ଆସିଲେ ପରସ୍ପରକୁ ପଚାରୁଛନ୍ତି। ଅନ୍ୟ କେତେକ ଚାଷୀମାନଙ୍କ ମନରେ ସେମାନଙ୍କୁ ଦଣ୍ଡିତ କରିବାର ଭୟ ସୃଷ୍ଟି ହେଉଛି ଏବଂ ସେମାନେ କୌଣସି ପ୍ରକାରେ ଭୁଲ୍ କରିବାକୁ ଚାହାଁନ୍ତି ନାହିଁ - ଏପରିକି ଛୋଟିଆ ଭୁଲ୍‌ଟି ହେଲେ ସେମାନଙ୍କୁ ପୁଣି ଲମ୍ବା ଧାଡ଼ିରେ ଠିଆ ହୋଇ ଫର୍ମ ଆଣିବାକୁ ପଡ଼ିବ।

ଲୋଖଣ୍ଡେଙ୍କର ୩.୫ ଏକର ଜମି ରହିଛି ଯେଉଁଥିରେ ସେ ସୋୟାବିନ୍ ଏବଂ କପା ଚାଷ କରନ୍ତି। ସେ କହନ୍ତି ଯେ ତାଙ୍କୁ ଏହି ୧୦,୦୦୦ ଟଙ୍କା ପାଇବା ପାଇଁ ଜମିବାଡ଼ି କାର୍ଯ୍ୟ ସାରି ଧାଇଁବାକୁ ପଡ଼ୁଛି। ‘‘ଯଦି ମୁଁ ଜାଣିଥାଆନ୍ତି ଯେ ଏଥିରେ ଏତେ ଜଟିଳତା ରହିଛି ଏବଂ ଏତେ ସମୟ ଲାଗିବ, ମୁଁ କେବେବି ଏଠାକୁ ଆସିନଥାନ୍ତି।’’ ସେ ଅନୁତାପ ଭରା ସ୍ୱରରେ କହନ୍ତି। ‘‘କିନ୍ତୁ ଏବେ ମୁଁ ଏଥିରେ ୧,୦୦୦ ଟଙ୍କା ଖର୍ଚ୍ଚ କରିସାରିଲିଣି। ଏବେ ଏହି କାମଟି ଶେଷ କରିବାକୁ ବାଧ୍ୟ। ଆଛା କହିଲେ କେମିତି କିଏ ୧୦,୦୦୦ ଟଙ୍କାରେ ବୁଣାବୁଣି କାମ ଶେଷ କରିପାରିବ? (ପ୍ରତି ଏକରେ ଜମି ପାଇଁ ବୁଣାବୁଣି ସମୟରେ ୧୦ରୁ ୧୨,୦୦୦ ଟଙ୍କା ଦରକାର ପଡ଼େ) ଏବଂ ଏହା ମଧ୍ୟ କୌଣସି ପ୍ରକାରର ସବ୍‌ସିଡି ନୁହେଁ। ଆମକୁ ରାଜ୍ୟ ସରକାରଙ୍କୁ ଏହି ୧୦,୦୦୦ ଟଙ୍କା ପୁଣି ପରିଶୋଧ କରିବାକୁ ପଡ଼ିବ।’’

PHOTO • Parth M.N.

ପର୍ଭାଣୀ ସହରରେ ଏପିଏମସି କମ୍ପ୍ଲେକ୍ସ, କୃଷକମାନେ ଜଟିଳ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି ଓ ୧୦,୦୦୦ ଟଙ୍କାର ‘ସାମୟିକ ସହାୟତା’ ପାଇବା ପାଇଁ ଦିନ ଦିନ ଧରି ଅପେକ୍ଷା କରୁଛନ୍ତି ଓ ଉଦ୍ୟମ କରୁଛନ୍ତି

ଯେଉଁ ଚାଷୀମାନେ ତାଙ୍କର ଋଣ ପରିଶୋଧ କରିବା ପାଇଁ ସକ୍ଷମ ହୋଇନାହାନ୍ତି ଏବଂ ଜୁନ୍ ୩୦, ୨୦୧୬ରେ ଦେବାଳିଆ (ନନ୍‌ପର୍ଫର୍ମିଙ୍ଗ୍ ଆସେଟ୍)’ ଭାବରେ (ବ୍ୟାଙ୍କ ରେକର୍ଡ ଅନୁଯାୟୀ) ଘୋଷିତ ହୋଇଛନ୍ତି, ସେମାନେ ରାଜ୍ୟର ଋଣ ରିହାତି ପାଇଁ ଯୋଗ୍ୟ ଅଟନ୍ତି। ସେମାନେ ତୁରନ୍ତ ସହାୟତା ଭାବରେ ୧୦,୦୦୦ ଟଙ୍କା ଦାବି କରିପାରିବେ। କିନ୍ତୁ ଏହି ରିହାତି ଯୋଜନାର ଏକ ଅସୁବିଧା ରହିଛି: ଯେତେବେଳେ କି କୃଷକଙ୍କର ମୋଟ ଋଣ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥିଲେ ଏହା ଛାଡ଼ କରାଯିବ। ଯେଉଁ କୃଷକଙ୍କର ଅଧିକ ଋଣ ରହିଥିବ ତାଙ୍କୁ ୧.୫ ଲକ୍ଷରୁ ଅଧିକ ହେଉଥିବା ପରିମାଣ ପୈଠ କରିବାକୁ ପଡ଼ିବ।

ତେଣୁ ଲୋଖଣ୍ଡେ ଯାହାର ବ୍ୟାଙ୍କ ଋଣ ୨.୫ ଲକ୍ଷ ଟଙ୍କା ତାଙ୍କୁ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବା ପାଇଁ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେ କହନ୍ତି ‘‘ଯଦି ମୋ ପାଖରେ ଲକ୍ଷେ ଟଙ୍କା ଥାଆନ୍ତା’’, “ତେବେ କ’ଣ ମୁଁ ୧୦,୦୦୦ ଟଙ୍କା ପାଇଁ ଦୌଡ଼ୁଥାଆନ୍ତି?’’ ଏହା ସହିତ ବ୍ୟାଙ୍କ ଋଣ ପରିଶୋଧ କଲା ବେଳେ ବକେୟା ଋଣ ସହିତ ଏହି ୧୦,୦୦୦ ଟଙ୍କା ମଧ୍ୟ ଫେରାଇବାକୁ ପଡ଼ିବ। ଅର୍ଥାତ୍‌ ୧.୫ ଲକ୍ଷ ଟଙ୍କାର ରିହାତି ପ୍ରକୃତରେ ୧.୪ ଲକ୍ଷ ଟଙ୍କା ହେବ।

୧୦,୦୦୦ ଟଙ୍କା ପାଇବା ପାଇଁ କେବଳ ଏହି ଛଅ ପୃଷ୍ଠାର ଫର୍ମରେ ପୂରଣ କରିବାକୁ ହେବ ନାହିଁ ତାହା ସହିତ ରାଜ୍ୟ ସରକାର ଚାଷୀମାନଙ୍କୁ ଅନଲାଇନ୍‌ରେ ଶସ୍ୟବୀମା ଦାଖଲ କରିବା ବାଧ୍ୟତାମୂଳକ କରିଛନ୍ତି (ପରୀରେ ବ୍ୟାଙ୍କରୁ କାନ୍ଦି କାନ୍ଦି ବାହୁଡିଲେ ଦେଖନ୍ତୁ)। ଏହି ନୂତନ ନିୟମ ଯୋଗୁଁ ହଡ଼ବଡ଼ ହେଉଛନ୍ତି ଚାଷୀକୂଳ, ତାଲିମପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ଅଭାବ, ସର୍ଭର ମଧ୍ୟ ଲୋଡ୍ ସମ୍ଭାଳିବା ପାଇଁ ଅସମର୍ଥ। ଅସ୍ୱାଭାବିକ କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ବ୍ୟାଙ୍କଗୁଡ଼ିକୁ ଶସ୍ୟବୀମା ଉପରେ ଧ୍ୟାନ ଦେବାକୁ ବାଧ୍ୟ କରିଛି ଏବଂ ମରାଠୱାଡାର ଚାଷୀମାନେ ୧୦,୦୦୦ ଟଙ୍କା ପାଇବା ତୁଳନାରେ ଜୁଲାଇ ମାସରେ ତାଙ୍କର ପ୍ରିମିୟମ୍ ଠିକ୍ ସମୟରେ ପୈଠ କରିବାକୁ ଅଗ୍ରାଧିକାର ଦେଉଛନ୍ତି, କାରଣ ଏହି ଦୀର୍ଘ ପ୍ରକ୍ରିୟା କାରଣରୁ ସେମାନେ ସମ୍ପୂର୍ଣ୍ଣ ଭାବରେ ଏହି ସହାୟତା ଯୋଜନାରୁ ଦୂରେଇ ରହିଛନ୍ତି।

PHOTO • Parth M.N.

ପ୍ରାୟ ୩.୭ ନିୟୁତ କୃଷକ ରାଜ୍ୟ ବ୍ୟାପି ଋଣ ରିହାତି ପାଇଁ ଯୋଗ୍ୟ ଅଟନ୍ତି, ମାତ୍ର ୩୪, ୪୧୦ ଜଣ ୧୦,୦୦୦ ଟଙ୍କାର ସାମୟିକ ସହାୟତା ଲାଭ କରିଛନ୍ତି - ତାହା ମଧ୍ୟ ଦିନ ଦିନ ଧରି ଲମ୍ବା ଧାଡ଼ିରେ ଠିଆ ହେବା ପରେ

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସଏଲବିସି)ରୁ କୃଷି କର୍ମୀ କିଶୋର ତିୱାରୀ ତଥ୍ୟ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ ମହାରାଷ୍ଟ୍ରରେ ୩.୭ ନିୟୁତରୁ ଅଧିକ କୃଷକଙ୍କୁ ‘ଦେବାଳିଆ’ (ନନ୍‌ପର୍ଫର୍ମିଙ୍ଗ୍ ଆସେଟ୍‌) ଭାବରେ ବର୍ଗୀକୃତ କରାଯାଇଥିଲା, ଅଗଷ୍ଟ ୧୪ ପର୍ଯ୍ୟନ୍ତ ମାତ୍ର ୪୩,୦୧୮ କୃଷକ ୧୦,୦୦୦ ଟଙ୍କା ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୩୪,୪୧୦ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଉଦାହରଣସ୍ୱରୂପ ଲାଟୁର ଜିଲ୍ଲାରେ, ଅଗଷ୍ଟ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜଣେ ହେଲେ କୃଷକ ଏହି ବ୍ୟାଙ୍କ ମାଧ୍ୟମରେ ୧୦,୦୦୦ ଟଙ୍କା ସହାୟତା ସୁବିଧା ତାଙ୍କ ବ୍ୟାଙ୍କ ମାଧ୍ୟମରେ ପାଇନାହାନ୍ତି। ପ୍ରକାଶ କରିଛନ୍ତି ଲାଟୁର ଜିଲ୍ଲା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ହନୁମନ୍ତ ଯାଦବ। ଲାଟୁରର ଅନ୍ୟ ବ୍ୟାଙ୍କରେ ମଧ୍ୟ ଖୁବ୍‌ କମ୍‌ ସଂଖ୍ୟକ ଲୋକ ଆବେଦନ କରିଛନ୍ତି।

ଏକ ସରକାରୀ ପ୍ରତିଷ୍ଠାନ ବସନ୍ତରାଓ ନାୟକ ସେଟ୍‌କାରୀ ସ୍ୱାବଲମ୍ବନ ମିଶନର ଅଧ୍ୟକ୍ଷ ତିୱାରୀ କହନ୍ତି ଯେ ବ୍ୟାଙ୍କଗୁଡ଼ିକ ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା କରୁଛନ୍ତି। ‘‘ଏପରିକି ବ୍ୟାଙ୍କଗୁଡ଼ିକ ଋଣ ବିତରଣ ପାଇଁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶ ଜାରି କରିନଥିଲେ’’ (ଯାହାକି ୧୦,୦୦୦ ଟଙ୍କା), ସେ ଜୁଲାଇ ୨୫ ତାରିଖରେ ଏସିଆନ୍ ଏଜ୍‌ ଖବରକାଗଜକୁ କହିଥିଲେ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ସହାୟତା ବିତରଣ ପାଇଁ କୁଣ୍ଠାବୋଧ କରୁଛନ୍ତି, କାରଣ ସେମାନଙ୍କର ଚାଷଋଣ ପରିଶୋଧ ନ ହୋଇ ରହିଛି। ଏବଂ ଜିଲ୍ଲା ସମବାୟ ବ୍ୟାଙ୍କ ଯାହାକି ଏହି ଯୋଜନାର ବୃହତ୍ତମ ଅଂଶ ବିତରଣ କରିବ ବୋଲି ଧରିନିଆଯାଇଛି, ସେମାନେ ଅନିଛା ପ୍ରକାଶ କରୁଛନ୍ତି। ଏହାର କାରଣ ହେଉଛି ବ୍ୟାପକ ଦୁର୍ନୀତି ଏବଂ ପ୍ରଭାବଶାଳୀ ଖିଲାପିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅକ୍ଷମତା ଯୋଗୁଁ ବ୍ୟାଙ୍କ ପ୍ରାୟତଃ ଅଚଳ ଅବସ୍ଥାକୁ ଆସିଯାଇଛି।

ତେଣୁ ଯେଉଁମାନେ ୧୦,୦୦୦ ଟଙ୍କା ପାଇବାକୁ ଇଛା କରିଥିଲେ, ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ‘‘ସରକାର ବହୁତ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହାକୁ କାର୍ଯ୍ୟକାରୀ କଲା ବେଳକୁ ସମାନ ପ୍ରତିଶ୍ରୁତି ପ୍ରତିଫଳିତ ହେଉନାହିଁ,’’ କହନ୍ତି ଲୋଖଣ୍ଡେ। ‘‘ଯଦି ଆପଣ ନିଜର ପ୍ରତିଶ୍ରୁତି ରକ୍ଷା କରିପାରିବେ ନାହିଁ ତେବେ କାହିଁକି ଆମ ଭିତରେ ଆଶା ସଞ୍ଚାର କରୁଛନ୍ତି? ରାଜ୍ୟ ସରକାର କେବଳ ଆମର କଟା ଘା’ରେ ଲୁଣ ଦେବା ପରି କାମ କରୁଛନ୍ତି।’’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.