ରାଲିର ମଝିରୁ କିଛି ସମୟ ବିରତି ନେଇଥିବା ଏମ.ଏସ ଶାନ୍ତକୁମାର ତାଙ୍କ ନାଁର ଯଥାର୍ଥତାକୁ ପ୍ରତିପାଦନ କରିବା ଭଳି ଲାଗୁଥିଲା । ସେ ଛତିଶଗଡ଼ର ଭିଲାଇ ଷ୍ଟିଲ ପ୍ଲାଣ୍ଟର ଜଣେ ପୂର୍ବତନ କର୍ମଚାରୀ ଏବଂ ସେଣ୍ଟ୍ରାଲ ଇଣ୍ଡିଆନ୍ ଟ୍ରେଡ ୟୁନିଅନ୍ (ସିଟୁ)ର ଜଣେ କର୍ମୀ । ସେ ଖୁବ୍ ଭଦ୍ର ହୋଇଥିବା ବେଳେ ଖୁବ୍ ଦୃଢ ମଧ୍ୟ ।  ସେ କହନ୍ତି, ‘‘ନରେନ୍ଦ୍ର ମୋଦି କିମ୍ବା ରାହୁଲ ଗାନ୍ଧୀଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । କିନ୍ତୁ ମୋର ନୀତିଗୁଡ଼ିକ ନେଇ ସମସ୍ୟା ରହିଛି ଯାହାଦ୍ୱାରାକି ଲୋକମାନଙ୍କୁ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରାଯାଉଛି।’’

ଶାନ୍ତାକୁମାର ଆହୁରି କହିଲେ, ‘‘ଯଦି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଛତିଶଗଡ଼ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଗରିବ ବିରୋଧୀ ବିକାଶ ଜାରି ରଖେ ତା’ ହେଲେ ସେମାନଙ୍କୁ ଆଗାମୀ ନିର୍ବାଚନରେ ଏକ ଶିକ୍ଷା ଦିଆଯିବ ।’’

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ଏବଂ ଅଯଥାର୍ଥ ମଜୁରୀ ଦିଆଯିବା ନେଇ ସେ ଚିନ୍ତା ପ୍ରକାଶ କଲେ। ଏହା ସହ ଛତିଶଗଡ଼ରେ ଭୂମି ଅଧିକାରକୁ ଉଲ୍ଲଂଘନ କରାଯିବା ନେଇ ମଧ୍ୟ ସେ ଉଦବେଗ ଜଣାଇଲେ।  ଶାନ୍ତାକୁମାରଙ୍କ ଅନୁସାରେ ସେ ବାଧା ସୃଷ୍ଟି କରୁନାହାନ୍ତି । ଏହି ସମୟରେ ସେ ମାନବାଧିକାର କର୍ମୀଙ୍କୁ ଗିରଫ କରାଯିବାକୁ ନିନ୍ଦା କରି ଲେଖାଯାଇଥିବା ଏକ ପୋଷ୍ଟର ଧରିଥିଲେ ।

ଏହା କରିବା ଦ୍ୱାରା ସେ ଦିଲ୍ଲୀରେ ସେପ୍ଟେମ୍ବର ୫ ତାରିଖରେ ହୋଇଥିବା ରାଲିର ଦୁଇଟି ମହତ୍ତ୍ୱପୂର୍ଣ୍ଣ ଦିଗ ସଂପର୍କରେ ଆଲୋକପାତ କଲେ । ଗୋଟିଏ ହେଲା ଶ୍ରମିକ ଓ ଚାଷୀମାନଙ୍କର ବର୍ଦ୍ଧିଷ୍ଣୁ ସଂପର୍କ ଏବଂ  ଅନ୍ୟଟି ସାଧାରଣ ଓ ଅର୍ଥନୈତିକ ଅଧିକାର ପାଇଁ ମିଳିତ ଭାବେ ଲଢେଇ କରିବା। ସେପ୍ଟେମ୍ବର ୫ତାରିଖରେ ହୋଇଥିବା ମଜଦୁର କିଷାନ ସଂଘର୍ଷ ରାଲିର ଅନ୍ୟତମ ଆୟୋଜକ ଅଲ ଇଣ୍ଡିଆ କିଷାନ ସଭା (ଏଆଇକେଏସ୍)ର ସାଧାରଣ ସଂପାଦକ ହନନ ମୋଲ୍ଲା କହନ୍ତି, ‘‘ଏହି ରାଲି ଭବିଷ୍ୟତରେ ଏକ ନୂଆ ମୋଡ଼ ନେବ । ଏହା ଚାଷୀମାନଙ୍କର ସଂଘର୍ଷକୁ ପରେ ଜନଆନ୍ଦୋଳନରେ ପରିଣତ କରିବ ।’’

M.S. Shantkumar shuffles to the side to make way for a poster protesting the clamp down on civil liberties
PHOTO • Janhavi Mittal
People marching in the rally
PHOTO • Sanket Jain

ଏମ.ଏସ ଶାନ୍ତା କୁମାର (ବାମ) ମାନବାଧିକାର କର୍ମୀଙ୍କୁ ଗିରଫ କରାଯିବା ପ୍ରତିବାଦରେ ପ୍ରସ୍ତୁତ ଏକ ପୋଷ୍ଟର ନିକଟରେ ଛିଡ଼ା ହୋଇଛନ୍ତି । ଇତିମଧ୍ୟରେ ବିକ୍ଷୋଭକାରୀମାନେ କୃଷିଋଣ ଛାଡ଼ ପାଇଁ ଦାବି କରୁଛନ୍ତି । 

ସେହି ରାଲିକୁ ୩ଟି ବଡ଼ ସଂଘ ଏଆଇକେଏସ୍, ସିଟୁ ଏବଂ ଅଲ୍ ଇଣ୍ଡିଆ ଏଗ୍ରିକଲଚରାଲ ୱାର୍କର୍ସ ୟୁନିଅନ୍ ପକ୍ଷରୁ ଡକାଯାଇଥିଲା । ଅନ୍ୟ ବହୁ ଦଳ ଏବଂ ସଂଗଠନ ତାକୁ ସମର୍ଥନ କରିଥିଲେ । ଏହାର ୧୫ ସୂତ୍ରୀ ଦାବିପତ୍ରରେ ଅନେକଗୁଡ଼ିଏ ଦାବି ରହିଥିଲା । ସେଥିମଧ୍ୟରେ ଦୀର୍ଘଦିନ ହେଲା ହୋଇ ଆସୁଥିବା ଋଣ ଛାଡ଼ ଦାବି ଏବଂ କୃଷକଙ୍କ ପାଇଁ ଗଠିତ ଜାତୀୟ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ମଜୁରୀ ପ୍ରଦାନ, ସମସ୍ତଙ୍କୁ ସାମାଜିକ, ଖାଦ୍ୟ ଓ ପୋଷକତତ୍ତ୍ୱର ନିରାପତ୍ତା ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ଅତି କମ୍‌ରେ ମାସିକ ୧୮,୦୦୦ ଟଙ୍କା ମଜୁରୀ ପ୍ରଦାନ ଆଦି ରହିଥିଲା । ଏହାଛଡ଼ା ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ସହରାଞ୍ଚଳକୁ ବିସ୍ତାର କରିବାକୁ ସେମାନେ ଦାବି କରିଥିଲେ ।

ମୋଲ୍ଲା ଆଶାୟୀ ଅଛନ୍ତି ଯେ ସେଦିନ ବର୍ଷା ମଧ୍ୟରେ ଦେଶର ୨୬ଟି ରାଜ୍ୟର ୩୦୦,୦୦୦ ଶ୍ରମିକ ଦିଲ୍ଳୀର ରାମଲୀଳା ମୈଦାନଠାରୁ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପର୍ଯ୍ୟନ୍ତ ଯାତ୍ରା କରିବା ‘ଉପଭୋକ୍ତା ବର୍ଗ’ଙ୍କର ନିଦ ଭାଙ୍ଗିଦେବ ଏବଂ ଦେଶରେ ରହିଥିବା କୃଷି ସଂକଟ ଏବଂ କ୍ରମବର୍ଦ୍ଧିଷ୍ଣୁ ଜୀବିକା ସଙ୍କଟ ଉପରେ ଗୁରୁତ୍ଵ ଦେଇ ଆଲୋଚନା ପାଇଁ ସଂସଦର ଗୋଟିଏ ୨୧ ଦିନିଆ ସ୍ଵତନ୍ତ୍ର ଅଧିବେଶନ ଡାକିବା ଦାବି ନେଇ ସେମାନେ ସମର୍ଥନ କରିବେ । 

ମୋଲ୍ଲା ଆଶାୟୀ ଅଛନ୍ତି ଦେଶର ୨୬ଟି ରାଜ୍ୟର ୩ ଲକ୍ଷ ଶ୍ରମିକ ଦିଲ୍ଳୀର ରାମଲୀଳା ମୈଦାନଠାରୁ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପର୍ଯ୍ୟନ୍ତ ଯାତ୍ରା କରିବା ‘ଉପଭୋକ୍ତା ବର୍ଗ’ଙ୍କର ନିଦ ଭାଙ୍ଗିଦେବ

ଭିଡିଓ ଦେଖନ୍ତୁ: ହସନ ମୋଲ୍ଲା କହନ୍ତି, ‘ଆତ୍ମହତ୍ୟା କରୁଥିବା ୪ ଲକ୍ଷ ଚାଷୀଙ୍କୁ ନେଇ କେହି ଚିନ୍ତିତ ନୁହନ୍ତି’

ରାଲିରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କର ବିବିଧତା ସେମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ଦୃଢ଼ତା ବିଷୟରେ ବୟାନ କରୁଛି । ଏହା କେନ୍ଦ୍ର ଓ ରାଜ୍ୟସ୍ତରୀୟ ସଂଗଠନଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସହଭାଗିତା ଦର୍ଶାଉଛି ।

ଫରୱାର୍ଡ ସିମେନ୍‌ର ୟୁନିୟନ୍‌ ଅଫ୍‌ ଇଣ୍ଡିଆର କାର୍ଯ୍ୟକାରୀ ସଂପାଦକ ମୁମ୍ବାଇର ଅକ୍ଷୟ ବୀରୱାଡକର ସେହି ସବୁ ବାବଦରେ କହିଲେ, ସରକାରଙ୍କ ଯେଉଁ ନିୟମ ସବୁ ଫଳରେ ଆମ ଦେଶର ନାବିକମାନେ ପ୍ରଭାବିତ ହୋଇଛନ୍ତି । ଭାରତୀୟ ସମୁଦ୍ରକୁ ବିଦେଶ ପଞ୍ଜୀକୃତ ଜାହାଜଙ୍କ ପାଇଁ ଖୋଲିଦେବା ଫଳରେ ଭାରତୀୟ ନାବିକମାନଙ୍କ ପାଇଁ ଆର୍ଥିକ ଅସୁରକ୍ଷା ସୃଷ୍ଟି ହେବା ସହ  ଚାକିରି କ୍ଷେତ୍ରରେ ମଧ୍ୟ ବିପୁଳ ଅସୁରକ୍ଷା ସୃଷ୍ଟି ହେଲା। ସେ ମଧ୍ୟ ଧୀବର ମାନଙ୍କ ବାବଦରେ ଚିନ୍ତା ପ୍ରକଟ କଲେ, କହିଲେ ‘‘ଖର୍ଚ୍ଚ କମ୍‌ କରିବା ପାଇଁ ତାଲିମପ୍ରାପ୍ତ ନାବିକଙ୍କ ବଦଳରେ, ଧୀବରମାନଙ୍କୁ ନିଯୁକ୍ତ କରାଯାଉଛି। ଏହା ଫଳରେ ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନଙ୍କର କୌଣସି ସ୍ଵାସ୍ଥ୍ୟ ସୁରକ୍ଷା ବୀମା ରହୁନାହିଁ । ’’

ରାଲିରେ ସହଯୋଗ ଓ ଏକତା କେବଳ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନ ଭିତ୍ତିରେ ମିଳୁନାହିଁ । ଜଣେ ପୂର୍ବତନ ସୈନିକ ମୁରୁଗାନିଧି ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। କାରଣ ସେ ତାଙ୍କର ପତ୍ନୀ, ତାମିଲାରାସିଙ୍କର ଫଟୋଗ୍ରାଫର ଓ ଅନୁବାଦକ ଭାବେ କାମ କରୁଛନ୍ତି । ସେ ଗର୍ବର ସହ ତାଙ୍କ ପତ୍ନୀଙ୍କୁ ‘ତାମିଜ୍‌ର ରାଣୀ’ ଭାବେ ପରିଚିତ କରନ୍ତି । ତାମିଲାରାସି, ହେଉଛନ୍ତି ପଣ୍ଡିଚେରୀ ଅଙ୍ଗନୱାଡ଼ି କର୍ମଚାରୀ ସଂଘର ଜଣେ ନେତ୍ରୀ, ଯିଏ କି କେନ୍ଦ୍ରଶାସିତ ଅଞ୍ଚଳର ୪ଟି ରାଜ୍ୟ ପୁଡୁଚେରୀ, ମାହେ, ୟାନାମ୍‌ ଏବଂ କାରାଇକାଲ୍‌ର ଅଙ୍ଗନୱାଡ଼ି କର୍ମୀଙ୍କର ପ୍ରତିନିଧିତ୍ଵ କରୁଛନ୍ତି । ସେ ସେମାନଙ୍କର ବଢୁଥିବା ସମସ୍ୟା ବାବଦରେ କହିଲେ, ‘‘ମୁଁ ଗତ ୩୦ ବର୍ଷ ହେଲା ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ଭାବେ କାମ କରୁଛି । ଆପଣ ବିଶ୍ଵାସ କରିବେ, ଯେ ଅବସର ପରେ, ବୃଦ୍ଧ ବୟସରେ, ଆମକୁ ମାତ୍ର ୩ ଲକ୍ଷ ଟଙ୍କାର ଇପିଏଫ୍‌ ମିଳେ ଏବଂ କୌଣସି ପେନସନ୍‌ ନ ଥାଏ । ’’

Akshay Birwadkar, secretary of the Forward Seamen’s Union of India, explains the worsening plight of formaslised and informal seamen
PHOTO • Janhavi Mittal
Tamilarasi (front) and her colleagues from the Pondicherry Anganwadi Staff Association, pose for a cheerful picture, after recounting their grievances over the rapid informalisation of anganwadi workers
PHOTO • Janhavi Mittal

ବାମ -  ଫରୱାର୍ଡ ସିମେନ୍‌ସ ୟୁନିଅନ୍‌ ଅଫ୍‌ ଇଣ୍ଡିଆର ଅକ୍ଷୟ ବୀରୱାଡକର, ତାଙ୍କ ପେଷାରେ ବଢୁଥିବା ଅସୁରକ୍ଷା ଭାବକୁ ନେଇ ଚିନ୍ତିତ । ଡାହାଣ - ତାମିଲାରାସି (ବ୍ୟାନର ସାମ୍ନାରେ ଛିଡ଼ା ହୋଇଥିବା) ଏବଂ ପଣ୍ଡିଚେରୀ ଅଙ୍ଗନୱାଡ଼ି ଷ୍ଟାଫ୍‌ ଆସୋସିଏସନ୍‌ର ତାଙ୍କ ସହଯୋଗୀମାନେ, ସେମାନଙ୍କ ପାଇଁ ଭଲ ଦରମା ଏବଂ ପେନସନ୍‌ ଦାବିରେ ଏଠାକୁ ଆସିଛନ୍ତି । 

ତାଙ୍କ ସହ ଥିବା ରାଲିରେ ଥିବା ଅଧିକାଂଶ ଅଙ୍ଗନୱାଡ଼ି ଶିକ୍ଷକମାନେ, ମୁରୁଗାନିଧିଙ୍କ ଅନୁବାଦ ମାଧ୍ୟମରେ ନିଜ କଥା ପ୍ରକାଶ କଲେ । ସେମାନେ କହିଲେ, ‘‘ସାରା ଜୀବନ ଅପର୍ଯ୍ୟାପ୍ତ ଏବଂ ଅନିୟମିତ ଦରମାରେ କାମ କରିବା ପରେ ବି ବୃଦ୍ଧାବସ୍ଥାରେ ମଧ୍ୟ ଅସହାୟତା ନେଇ ଆମେ ଭୟ କରୁଛୁ । “ଯଦିଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀ (ଗୋଟିଏ ପ୍ରେସ୍‌ ବାର୍ତ୍ତାରେ) ସେମାନଙ୍କୁ ‘ଜନକଲ୍ୟାଣକାରୀ ଯୋଜନାର ଆଲୋକବର୍ତ୍ତିକା’ ଭାବେ ମାନ୍ୟତା ଦେଇଛନ୍ତି, ତେବେ ତାମିଲାରାସି କହନ୍ତି ଯେ ସରକାର ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ କରିନାହାନ୍ତି । ସେମାନେ ଏବେ ମଧ୍ୟ ସମନ୍ଵିତ ଶିଶୁ ବିକାଶ ସେବାର ଚୁକ୍ତିଭିତ୍ତିକ ଯୋଜନାର କର୍ମଚାରୀ ଭାବେ ତାଲିକାଭୁକ୍ତ ଏବଂ ମାସିକ ମାତ୍ର ୩,୦୦୦ ଟଙ୍କାର ପାଉଣା ପାଉଛନ୍ତି ଏବଂ ସହାୟିକାଙ୍କୁ ମାତ୍ର ମାସିକ ୧୫୦୦ ଟଙ୍କା ମିଳୁଛି । ଅଙ୍ଗନୱାଡ଼ି କର୍ମୀଙ୍କୁ ୩୦୦୦ ଟଙ୍କା ମିଳିବା ଅରଜିତ କୌରଙ୍କୁ ମଧ୍ୟ ବ୍ୟତିବ୍ୟସ୍ତ କରୁଛି ଯିଏକି ପଞ୍ଜାବର ଫତେହଗଡ଼ ସାହିବ ଜିଲ୍ଲାରୁ ଆସିଛନ୍ତି । ସେ ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେସନ୍ ଏଜେଣ୍ଟ ଓ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆର କୋଲକାତା ଶାଖାର ବିକ୍ଷୋଭକାରୀମାନଙ୍କର ଅତିକ୍ରମ କରୁଥିବା ଏକ ଦଳକୁ ଚାହିଁଲେ । ସେହି ଦଳ ଉଚିତ୍ ପେନସନ୍ ପାଇଁ ଦାବି କରିବା ସହିତ ‘ବିଜେପି ଭଗାଓ, ଦେଶ ବଚାଓ’ ନାରା ଦେଉଥିଲେ। କୌର ହେଉଛନ୍ତି ଅଲ ଇଣ୍ଡିଆ ଫେଡେରେସନ୍ ଅଫ୍ ଅଙ୍ଗନୱାଡ଼ି ୱାର୍କର୍ସ ଆଣ୍ଡ ହେଲପରସର ପଞ୍ଜାବ ଶାଖାର ସଭାପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏକ ଚାଲେଞ୍ଜ ଦେଇଛନ୍ତି । ‘‘୨୦୧୪ରେ ନିର୍ବାଚିତ ହେବା ପୂର୍ବରୁ ଆପଣ ଅଙ୍ଗନୱାଡ଼ି କର୍ମୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ପରିବର୍ତ୍ତନ ହୋଇନାହିଁ ଯେଉଁଥିପାଇଁ ଆମେ ଏଠାରେ ଦିଲ୍ଲୀରେ ଅଛୁ । ଆପଣ ଆଶା କରୁଛନ୍ତି ଯେ ଯୋଜନାର କର୍ମଚାରୀଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ ଆମ ଘର ଚଳାଇବୁ । ଆମେ ଆପଣଙ୍କୁ ମାସକୁ ୬,୦୦୦ ଟଙ୍କାରେ ଘର ଚଳାଇବାର ଦେଖିବାକୁ ଚାହୁଁଛୁ ।’’ ତାଙ୍କ କ୍ରୋଧ ସତ୍ତ୍ଵେ, ସେ ପ୍ରଧାନମନ୍ତ୍ରୀଙ୍କୁ ଦୟାପୂର୍ବକ ‘‘ଦେଶର ଶିକ୍ଷା ବ୍ୟବସ୍ଥାର ପଦ ସୈନିକମାନଙ୍କର’ ଦରମା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।’’

ଭିଡିଓ ଦେଖନ୍ତୁ: ଅରଜିତ୍ କୌର କହନ୍ତି ‘ଗରିବ ଲୋକମାନେ ବର୍ଦ୍ଧିଷ୍ଣୁ ଦରଦାମ୍ ନେଇ ସନ୍ତୁଳିତ ହେଉଛନ୍ତି’

‘୨୦୧୪ରେ ନିର୍ବାଚିତ ହେବା ପୂର୍ବରୁ ଆପଣ ଅଙ୍ଗନୱାଡ଼ି କର୍ମୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ହେଲେ ବଦଳିନାହିଁ ଯେଉଁଥିପାଇଁ ଆମେ ଆଜି ଏଠାରେ ଦିଲ୍ଲୀରେ ଅଛୁ ।’

ରାଲି ଶେଷ ହେବା ବେଳକୁ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଳାର ଦାଡି ବ୍ଲକର ଟୋଙ୍ଗି ଗାଁର ଅଙ୍ଗନୱାଡ଼ି କର୍ମୀ ସୋମା ମାଝି କ୍ଲାନ୍ତ କିନ୍ତୁ ଆଶାୟୀ ଦିଶୁଥିଲେ ।

ତାଙ୍କ ସହିତ ତାଙ୍କର ସ୍ୱାମୀ ଓ ଦୁଇ ପିଲା ଆସିଥିଲେ । ଏହା ଦିଲ୍ଲୀକୁ ସେମାନଙ୍କର ପ୍ରଥମ ଥର ଆସିବା ଥିଲା । ତେଣୁ ୪ ବର୍ଷୀୟ ଆରୁଷି ଛୁଟି କଟାଇବା ପାଇଁ ଖୁବ୍ ଉତ୍ସାହିତ ଥିଲେ । ମାଝୀଙ୍କର ସିଡ୍ୟୁଲ ଅନୁସାରେ ଏହା ବୋଧହୁଏ ଏକମାତ୍ର ପାରିବାରିକ ଛୁଟି ଥିଲା । ‘‘ମୁଁ ବହୁ ବର୍ଷ ହେଲା ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରିଆସୁଛି ଏବଂ କେବେହେଲେ ମୋର ଦରମା ବୃଦ୍ଧି ହୋଇନାହିଁ । ଆମକୁ ପ୍ରସବକାଳୀନ ଛୁଟି କିମ୍ବା ଅସୁସ୍ଥତା ଜନିତ ଛୁଟିରେ ଟଙ୍କା ମିଳେନାହିଁ । ଅନ୍ୟ ଲୋକମାନଙ୍କର ପିଲାଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାରେ ମୋର ଅନେକ ସମୟ ବିତିଥାଏ । ତେଣୁ ଏହି ଛୁଟି ମୋ’ ପାଇଁ ଖୁବ୍ ମୂଲ୍ୟବାନ । ବହୁତ ଦିନ ପରେ ମୁଁ ମୋର ପିଲାମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇଛି ।’

ଇତିମଧ୍ୟରେ ପାର୍ଲିଆମେଣ୍ଟ ଷ୍ଟ୍ରିଟରେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି- ମାନବାଧିକାର କର୍ମୀଙ୍କୁ ଅଟକ ରଖାଯିବାକୁ ବିରୋଧ କରି ଏକ ବୈଠକର ଆୟୋଜନ କରାଯାଉଛି । ସୋମା ସେଥିରେ ଯୋଗ ଦେଇପାରିବେ କି ନାହିଁ ତାହା ଚିନ୍ତା କରୁଛନ୍ତି । ତାଙ୍କର ସ୍ୱାମୀ ସିଟୁର ସଦସ୍ୟ ଜଗଦୀଶ ଚନ୍ଦ୍ର କହନ୍ତି, ‘‘ସେ ସାରା ଦିନ ପରିଶ୍ରମ କରୁଛନ୍ତି, କିନ୍ତୁ ସରକାର ତାଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଗଣନା କରୁନାହାନ୍ତି । ସରକାରଙ୍କ ନୀତି ଯୋଗୁ ଶ୍ରମିକ ଏବଂ ଚାଷୀମାନଙ୍କର ପରିବାର ନଷ୍ଟ ହେଉଛି ।’’

ଏହି ରାଲି ପରେ ସେମାନଙ୍କର ଦାବି ପୂରଣ ନ ହେଲେ ସେମାନେ ପୁଣିଥରେ ଆନ୍ଦୋଳନ କରିବେ କି?  ସେ କହନ୍ତି, ‘‘ପୁଣି ଥରେ ଦିଲ୍ଲୀକୁ ଆସିବା କଷ୍ଟକର ହେବ, କିନ୍ତୁ ଯଦି ସଂଘ ଡାକରା ଦିଏ, ତା’ ହେଲେ ଆମେ ଆସିବୁ । ଆମେ ଅବାଧ୍ୟ ନାଗରିକ ନୁହଁ, କିନ୍ତୁ ଆମର ଅଧିକାର ପାଇଁ ଲଢେଇ କରିବା ବ୍ୟତୀତ ଆମ ନିକଟରେ ଆଉ କିଛି ଉପାୟ ନାହିଁ ।’’


ପ୍ରଚ୍ଛଦ ଫଟୋ: ସଙ୍କେତ ଜୈନ୍

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Janhavi Mittal

Janhavi Mittal lives in Delhi and is a research associate at the Oakland Institute, a think tank in California, USA, that focuses on struggles of land and livelihoods. She specialises in South African literature and the environmental humanities.

Other stories by Janhavi Mittal