ରମେଶଭାଇ ମନୁଭାଇ ପଟେଲ ଗୁଜୁରାଟର ଖେଡ଼ା ଜିଲ୍ଲାର ନଦିଆଦ୍ ତାଲୁକାର ଦନ୍ତାଲି ଗ୍ରାମରେ ଥିବା ନିଜ ପୈତୃକ ଘର ଆଗରେ ନିଜ ଚାର୍ପାଇରେ ଦୃଢ଼ ଭାବରେ ବସିଥିଲେ। ଘରଟି ନଷ୍ଟ ହୋଇ ଆସୁଥିଲା, କାନ୍ଥରୁ ଖୋଳପା ଛାଡ଼ୁଥିଲା, ତଳୁ ବେରଙ୍ଗ ପାଲଟିଥିବା ଇଟା ଦେଖା ଯାଉଥିଲା।

ବୟସ୍କ କୃଷକ ଜଣକ ଗୋଟିଏ କୋଠରୀ ଆଡ଼କୁ ଥରୁଥିବା ଆଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ଏହା ତାଙ୍କ ପାଇଁ ବିଶେଷ – ୮୨ ବର୍ଷ ତଳେ ସେ ଏହି କୋଠରୀରେ ଜନ୍ମ ହୋଇଥିଲେ। ସେ ଭାବନାତ୍ମକ ଭାବରେ ଏହି ଘର ବିଶେଷ କରି ସେହି ନିର୍ଦ୍ଦିଷ୍ଟ କୋଠରୀ ସହ ସଂଯୁକ୍ତ।

କିନ୍ତୁ ଏହି କୋଠରୀ, ସମୁଦାୟ ଘର ଏବଂ ଏହାର ଚାରିପାଖରେ ଥିବା ଜମିର ଏକ ବୃହଦ୍ ଅଂଶ, ଯେଉଁଥିରେ ତାଙ୍କ ପରିବାର ଧାନ ଏବଂ ସବୁଜ ପନିପରିବା ଚାଷ କରନ୍ତି, ବୋଧହୁଏ ଏକ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିମନ୍ତେ ରାସ୍ତା ପରିଷ୍କାର କରିବାକୁ ଚିରି ହୋଇଯିବ।

ଏହି ହାଇ-ସ୍ପିଡ୍ ଟ୍ରେନ୍ ପ୍ରାୟ ତିନି ଘଣ୍ଟାରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରିବ- ୩୫୦ କିଲୋମିଟର ଗୁଜୁରାଟରେ, ୨ କିଲୋମିଟର ଦାଦ୍ରା ଏବଂ ନଗର ହାବେଲିରେ ଏବଂ ୧୫୫ କିଲୋମିଟର ମହାରାଷ୍ଟ୍ରରେ। ଟ୍ରେନଟି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରୁ ଅହମଦାବାଦର ସାବରମତି ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ଯାତାୟାତ କରିବ ବୋଲି ନ୍ୟାସନାଲ୍ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ର ଓ୍ୱେବ୍ସାଇଟ୍ରେ କୁହାଯାଇଛି।

Hiteshkumar Patel (far left) of Davda village with other villagers
PHOTO • Ratna
Rameshbhai to loose his land for bullet train
PHOTO • Ratna

ବାମ: ଦାବଡ଼ା ଗ୍ରାମର ହିତେଶ କୁମାର (ଦୂର ବାମ) କୁହନ୍ତି,‘ ସେମାନେ ମୋ ରୋଟି ଛଡ଼େଇ ନେଉଛନ୍ତି। ବୁଲେଟ୍ଟ୍ରେନ୍ ଆମର କ’ଣ ହେବ? ଡାହାଣ: ରମେଶ ଭାଇ ଏମଧ୍ୟରେ ନିଜର ଜମି ତିନିଥର ହରାଇ ସାରିଲେଣି। ସେ ପଚାରନ୍ତି, ‘କୁହ ଆଉ କେତେ [ଅଧିକ] ଥର ?

ଏହି ପ୍ରୋଜେକ୍ଟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର ସମେତ ଜାପାନ ସରକାର ମଧ୍ୟ ସଂଶ୍ଲିଷ୍ଟ, ଯିଏକି ଏହି ପ୍ରକଳ୍ପର ବ୍ୟୟ ଅଟକଳ ୧.୧୦ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୮୧ ପ୍ରତିଶତ ବହନ କରିବେ। ୨୦୧୭ ସେପ୍ଟେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନର ପ୍ରଧାନ ମନ୍ତ୍ରୀ ସିନ୍ଜୋ ଆବେଙ୍କ ଦ୍ୱାରା ଏହାର ଶିଳାନ୍ୟାସ କରାଯାଇଥିଲା। ୨୦୨୨ ଅଗଷ୍ଟ ସୁଦ୍ଧା ବୁଲେଟ୍ଟ୍ରେନ୍ଚାଲିବ ବୋଲି ଭାରତ ସରକାର କହିଛନ୍ତି।

ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଗୁଜୁରାଟ, ମହାରାଷ୍ଟ୍ର ଏବଂ ଦାଦ୍ରା ଏବଂ ନଗର ହାବେଳୀର ୨୯୬ ଗ୍ରାମର ୧୪,୮୮୪ ପରିବାର ମଧ୍ୟରୁ ରମେଶଭାଇଙ୍କ ପରିବାର ଗୋଟିଏ । ବିସ୍ଥାପିତ ପରିବାରଗୁଡ଼ିକ ନିଜ ନିଜର ଘର ହରାଇବା ସହ ସେମାନଙ୍କ ଜୀବିକା ମଧ୍ୟ ହାରାଇବେ। ଏହି ପ୍ରକଳ୍ପ ୧୪୩୪.୨୮ ହେକ୍ଟର ଜମି ନେବା ସହ ୩୭,୩୯୪ଟି ଗଛକୁ ପ୍ରଭାବିତ କରିବ।

ଜମି ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ଦର ଗ୍ରାମଞ୍ଚଳମାନଙ୍କରେ ବଜାର ଦରର ଚାରିଗୁଣ  ଏବଂ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ କିମ୍ବା ଅଞ୍ଚଳ ବିକାଶ କର୍ତ୍ତୃପକ୍ଷ ଅଧୀନରେ ଥିବା ଚାଷ ଜମି ପାଇଁ ଦୁଇଗୁଣ। ୨୦୧୮ ମସିହାରେ ଗୁଜୁରାଟ ରାଜସ୍ୱ ମନ୍ତ୍ରୀ କୌଶିକ ପଟେଲ୍ କହିଥିଲେ ଏପରିକି ୟୁଡ଼ିଏ(UDA) କିମ୍ବା ଏଡ଼ିଏ(ADA) ଅଧୀନରେ ଥିବା କୃଷକମାନେ ମଧ୍ୟ ବଜାର ଦର ଠାରୁ ଚାରିଗୁଣ ଦାମ ପାଇବେ।

House to be acquire for Ahmedabad-Mumbai bullet train
PHOTO • Ratna
House to be acquire for Ahmedabad-Mumbai bullet train
PHOTO • Ratna

ବୁଲେଟ୍ଟ୍ରେନ୍ ପ୍ରୋଜେକ୍ଟ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଦାଦ୍ରା ଏବଂ ନଗର ହାବେଳୀର ୨୯୬ ଗ୍ରାମକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି।

କିନ୍ତୁ ରମେଶଭାଇ ଏବଂ ଅନ୍ୟମାନେ ସେମାନଙ୍କର ଜମି ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି। ସେ କୁହନ୍ତି, ‘‘ମୁଁ କ୍ଷତିପୂରଣରେ ଆଗ୍ରହୀ ନୁହେଁ, ଏହି ଜମି ମୋ ପାଇଁ ଅଧିକ ମୂଲ୍ୟବାନ। ’’

ରମେଶଭାଇଙ୍କ ପାଇଁ ସେ କ୍ଷତିର ଯେଉଁ ଯନ୍ତ୍ରଣାଦାୟକ ଶୃଙ୍ଖଳ ସହିଛନ୍ତି ବୁଲେଟ୍ଟ୍ରେନ୍ ସେଥିରେ ଆଉ ଏକ ଯୋଗଦାନ ହେବ। ୨୦୧୫ରେ ଗୁଜୁରାଟ ସରକାର ଏକ ମାଲବାହି କରିଡ଼ର୍ ପାଇଁ ତାଙ୍କର ୪୬ଗୁଣ୍ଠ ଜମି ନେଇ ଯାଇଥିଲେ। (୧ ଏକର ୪୦ ଗୁଣ୍ଠ; ତାଙ୍କର ପ୍ରାୟ ପାଞ୍ଚ ଏକର ଜମି ଅଛି)। ସେ କୁହନ୍ତି, ‘‘ସେ ସମୟରେ ବଜାର ଦର ଗୁଣ୍ଠ ପିଛା ୩ ଲକ୍ଷ ଟଙ୍କା ଥିଲା କିନ୍ତୁ ରାଜ୍ୟ ସରକାର ମତେ ଗୁଣ୍ଠ ପିଛା ମାତ୍ର ୧୨,୫୦୦ ଟଙ୍କା ଦେଇଥିଲେ। ମୁଁ ଅଧିକ କ୍ଷତିପୂରଣ ପାଇଁ ଆବେଦନ କରିଥିଲି, କିନ୍ତୁ ମୁଁ ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇ ନାହିଁ। 

ସେ ଅବଶୋଷ କରି କୁହନ୍ତି, ‘‘ମତେ କୁହନ୍ତୁ, କେତେ ଥର [ମୋ ସହମତି ବିନା ମୋର ଜମି ନିଆଯିବ] ? ସରକାର ମୋ ଜମି ତିନି ଥର ନେଇଛନ୍ତି। ପ୍ରଥମ ଥର, ଏକ ରେଳ ଲାଇନ୍ ନିର୍ମାଣ ପାଇଁ । ଏହାପରେ ଏକ ଏକ୍ସପ୍ରେସ୍ଓ୍ୱେ ନିର୍ମାଣ ପାଇଁ । ତୃତୀୟ ଥର ଏକ ୬-ଲେନ୍ ମାଲବାହି କରିଡ଼ର୍ ପାଇଁ। ଏବଂ ଏବେ, ପୁଣି ସେମାନେ ବୁଲେଟ୍ଟ୍ରେନ୍ ପାଇଁ ମୋ ଜମି ନେଇଯିବେ।’’ 

ନିଜ ଜମି ହରାଇବାର ଅବସାଦ ରମେଶଭାଇଙ୍କୁ ଏତେ ଭୀଷଣ ଭାବରେ ପ୍ରଭାବିତ କରିଛି ଯେ ସେ ତାଙ୍କ  ଗାଁ ଠାରୁ ୫୦ କିଲୋମିଟର ଦୂର ଅହମଦାବାଦରେ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ସେ ପାଟି କରି କହିଲେ,‘‘ମୁଁ ଭୀଷଣ ଟେନ୍ସନ୍ଭିତରେ ଯାଉଛି। ମୁଁ ଡାକ୍ତରଙ୍କୁ କହିଲି ମତେ କ’ଣ ବ୍ୟସ୍ତ କରୁଛି। ଯଦି ମୁଁ ବାରମ୍ବାର ଜମି ହରାଏ ତେବେ ମୁଁ କେମିତି ଭୟ ଏବଂ ଟେନ୍ସନ୍ ବିନା ବଞ୍ଚିପାରିବି?  ଅବଶ୍ୟ ମୋ ଡାକ୍ତର ବି ମତେ କହିଲେ ଏହି ବୁଲେଟ୍ଟ୍ରେନ୍ପାଇଁ ତାଙ୍କୁ ମଧ୍ୟ ନିଜର ଜମି ହରାଇବାକୁ ପଡିବ।’’

Farmland to be acquire for Ahmedabad-Mumbai bullet train
PHOTO • Ratna
stone markings on my farmland for Ahmedabad-Mumbai bullet train
PHOTO • Ratna

୨୦୧୮ ମଧ୍ୟ ଭାଗରେ ପ୍ରୋଜେକ୍ଟର ସର୍ବେକ୍ଷକ ଗୁଜୁରାଟର ଜରୋଲ୍, ଦାଭଡ଼ା ଏବଂ ଅନ୍ୟ ଗ୍ରାମଗୁଡ଼ିକରେ ପହଞ୍ଚିଲେ। ହିତେଶ କୁମାର କୁହନ୍ତି, ‘ସେମାନେ ମୋ ଜମିରେ ପଥର ଚିହ୍ନ ରଖିଲେ ଏବଂ ଚାଲିଗଲେ।’

ବୁଲେଟ୍ଟ୍ରେନ୍ ବିରୋଧରେ ଅସଂଖ୍ୟ ପ୍ରତିବାଦ ଏବଂ ଯାଚିକା ହୋଇଛି। ପ୍ରତିବାଦକାରୀଙ୍କ ମଧ୍ୟରେ ରହିଛି ରାଜ୍ୟସ୍ତରୀୟ କୃଷକ ସଂଘ ଗୁଜୁରାଟ ଖେଦତ୍ ସମାଜ, ଯାହାକି ଏହି ପ୍ରୋଜେକ୍ଟର ଆବଶ୍ୟକତା ଏବଂ ବ୍ୟବହାର୍ଯ୍ୟତା ପ୍ରତି ପ୍ରଶ୍ନ କରି ଗୁଜୁରାଟ ହାଇକୋର୍ଟରେ ଏକ ରିଟ୍ପିଟିସନ୍ ଦାଖଲ କରିଛନ୍ତି।

ଗୁଜୁରାଟର ଖେଡ଼ା ଜିଲ୍ଲାର ନଦିଆଦ୍ ତାଲୁକାର ଦାଭଡା ଗ୍ରାମର (ଦନ୍ତାଲିଠାରୁ ପ୍ରାୟ ୭୫ କିଲୋମିଟର ) ହିତେଶକୁମାର ନର୍ସିଭାଇ ପଟେଲ୍ମଧ୍ୟ ନିଜର ୧୦ ବିଘା (୧ ଏକର ୬.୨୫ ବିଘା ସହ ସମାନ: ତାଙ୍କର ପ୍ରାୟ ୨୫ ବିଘା ଜମି ଅଛି ) ଜମି ହରାଇବାକୁ ଯାଉଛନ୍ତି। ସେ କୁହନ୍ତି, ‘‘ସେମାନେ ମୋର ରୋଟି ଛଡ଼ାଇ ନେଉଛନ୍ତି। ବୁଲେଟ୍ଟ୍ରେନ୍ରେ ଆମର କ’ଣ ଲାଭ? ମୋ ଭଳି ଚାଷୀଙ୍କ ପାଇଁ ତାହାର କୌଣସି ଉପଯୋଗୀତା ନାହିଁ। ଆମମାନଙ୍କ ପାଇଁ ପାରମ୍ପରିକ ଟ୍ରେନ୍ରେ ଯାତାୟାତ କରିବା ସୁବିଧା ଜନକ। ଆମେ ସବୁବେଳେ ଆମ ଗନ୍ତବ୍ୟସ୍ଥଳରେ ଠିକ୍ ସମୟରେ ପହଞ୍ଚୁ। ଏହି ବୁଲେଟ୍ଟ୍ରେନ୍ପ୍ରକୃତରେ କେବଳ ବ୍ୟବସାୟୀଙ୍କ ପାଇଁ, ଆମ ପାଇଁ ନୁହେଁ। ’’

୨୦୧୮ ମେ-ଜୁନ୍ ମାସରେ ପ୍ରକଳ୍ପର ସର୍ବେକ୍ଷକମାନେ କୌଣସି ସୂଚନା ବିନା ଦାଭଡ଼ାରେ ପହଞ୍ଚିଲେ। ଗ୍ରାମବାସୀମାନେ କୁହନ୍ତି,‘‘ସେମାନେ ଆମ ଜମିରେ ପଥର ଚିହ୍ନ ଦେଇଦେଲେ ଏବଂ ଚାଲିଗଲେ।’’ ୫୨ ବର୍ଷ ବୟସ୍କ ହିତେଶ କୁମାର କୁହନ୍ତି,‘‘ସେମାନେ ଏଠାକୁ କାହିଁକି ଆସିଛନ୍ତି ଏ ବିଷୟରେ ଶବ୍ଦଟିଏ ମଧ୍ୟ କହିଲେ ନାହିଁ। ବହୁ ପରେ ମୁଁ ଜାଣିଲି ମୋ ଜମି ଉପରେ ରେଳ ଲାଇନ୍ ତିଆରି ହେବ। ମୋତେ କେବେ କିଛି ପଚରା ଯାଇନି। ମୁଁ ମଧ୍ୟ ଜାଣିନି ସେମାନେ ମତେ କେତେ କ୍ଷତିପୂରଣ ଦେବେ।’’

Govardhanbhai Jada loosing their land which is only source of income
PHOTO • Ratna
Jasodaben of Chaklasi loosing their land which is only source of income
PHOTO • Ratna

ଚକ୍ଲାସି ଗ୍ରାମର ଗୋବର୍ଦ୍ଧନଭାଇ ଯାଦବ ଏବଂ ତାଙ୍କ ମା’ ଯଶୋଦାବେନ୍ କୁହନ୍ତି, ‘ସେମାନେ ଆମର ବଞ୍ଚିବାର ଏକମାତ୍ର ସମ୍ବଳ ଆମର ଜମି ନେଇଯିବେ । ଆମେ କେଉଁଠାକୁ ଯିବୁ ?’

ସର୍ବେକ୍ଷକମାନଙ୍କ ଗସ୍ତ ପରେ କେତେଜଣ ଗ୍ରାମବାସୀ ଏକାଠି ହେଲେ ଏବଂ ପ୍ରକଳ୍ପ ପାଇଁ ସେମାନଙ୍କ ବିରୋଧ ଜିଲ୍ଲାପାଳଙ୍କୁ ଜଣାଇଲେ। ଏପରିକି ଖେଡ଼ା ଜିଲ୍ଲାର କେତେକ ଚାଷୀ ସର୍ବେକ୍ଷକର କାର୍ଯ୍ୟକୁ ଅଟକାଇବାକୁ ମଧ୍ୟ ଚେଷ୍ଟା କଲେ। ସେମାନଙ୍କ ମଧ୍ୟରେ ଥିଲେ ଚକ୍ଲାସି ଗ୍ରାମର ଗୋବର୍ଦ୍ଧନଭାଇ ଯାଦବ ଯେତେବେଳେ ସର୍ବେକ୍ଷକମାନେ ଅଞ୍ଚଳର ନକ୍ସା ବନାଇବା ପାଇଁ ଏବଂ ଚିହ୍ନ ଦେବା ପାଇଁ ତାଙ୍କ କ୍ଷେତରେ ପହଞ୍ଚିଲେ, ସେତେବେଳେ ତାଙ୍କ ପରିବାରର ୩୦ଜଣ ଯାକ ସଦସ୍ୟ ସେମାନେ କାହିଁକି ଆସିଛନ୍ତି ତାହା ଜାଣି ପାରିଲେନି।

ରାଗରେ ତାତି ଗୋବର୍ଦ୍ଧନଭାଇ କହିଥିଲେ, ‘‘ଆମେ ସରକାରୀ ସୂତ୍ରରୁ ନୁହେଁ, ବରଂ ପଡ଼ୋଶୀ ଗ୍ରାମବାସୀଙ୍କଠାରୁ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିଷୟରେ ଶୁଣିବାକୁ ପାଇଲୁ। ସରକାର ଆମକୁ କିଛି ଜଣାଇବା ପାଇଁ ଉଚିତ ମଣିଲେ ନାହିଁ। ଯେହେତୁ ସରକାର ଆମର ଏହି ଜମି ନେଇଯିବେ ବୋଲି ଜାଣିଲୁ ତେଣୁ ଏବର୍ଷ ଆମେ ବିହନ ବି ବୁଣିଲୁ ନାହିଁ, ଏହି ଜମି ଯେଉଁଠି ମୁଁ ଏବେ ଛିଡ଼ା ହୋଇଛି। 

[ସମସ୍ତ]…ଯଦି ଏହି ପ୍ରକଳ୍ପ ଆଗକୁ ବଢ଼େ ତେବେ ମୋର ଜମି ସବୁ [୧୦ ବିଘା] ଚାଲିଯିବ।’’

ଯେତେବେଳେ ସର୍ବେକ୍ଷକମାନେ ଦ୍ୱିତୀୟ ଥର ପାଇଁ ଆସିଲେ, ସେମାନେ ଗ୍ରାମବାସୀଙ୍କ କ୍ରୋଧକୁ ସାମ୍ନା କଲେ। ଗୋବଦ୍ଧର୍ନଭାଇଙ୍କ ମା’ ଯଶୋଦାବେନ୍ କୁହନ୍ତି, ‘‘ଯେତେବେଳେ ସେମାନେ ପୁଣି ଥରେ ଆସିଲେ, ଏଥର କେତେଜଣ ପୋଲିସଙ୍କ ସହ, ମୋ ସମେତ ଏଠାକାର ସମସ୍ତ ମହିଳା ସେମାନଙ୍କୁ ହାତରେ ହାତୁଡ଼ି ଏବଂ ଟେକା ନେଇ ଗୋଡ଼ାଇଲୁ। ସେମାନେ ଆମର ଜମି ଛଡ଼ାଇ ନେବାକୁ ଯାଉଛନ୍ତି, ଆମର ବଞ୍ଚିବାର ଏକମାତ୍ର ସମ୍ବଳ। ଆମେ କୁଆଡ଼େ ଯିବୁ ? ଆମେ ବୁଲେଟ୍ ଟ୍ରେନ୍ ଚାହୁଁନି। ଆମ ଜମି ନେବା ପାଇଁ ତୁମକୁ ପ୍ରଥମେ ଆମକୁ ମାରିବାକୁ ହେବ। ’’

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ratna

ରତ୍ନା ଜଣେ ସାମ୍ବାଦିକ, ଲେଖିକା, ପ୍ରାମାଣିକ ଚିତ୍ର ନିର୍ମାତ୍ରୀ, ସୌଖିନ ଫଟୋଗ୍ରାଫର୍ ଏବଂ ପରିବ୍ରାଜକ। ସେ ଦିଲ୍ଲୀ-ଏନ୍ସିଆର୍ରେ ରୁହନ୍ତି।

Other stories by Ratna