କମଳା ଦେବୀ ଯେଉଁ ମାଟିରେ ଶ୍ରମ ଢାଳି ଦେଇଥିଲେ, ସେହି ମାଟିକୁ ପାଇବା ପାଇଁ ଏବେ ବିଷାଦ ଏବଂ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏକଦା ତାଙ୍କ ପରିବାର ୧୮ ଏକର ଜମିର ମାଲିକ ଥିଲେ। ସେ ଖୁବ ଶାନ୍ତ ଭାବରେ କହିଲେ, ‘‘ମୁଁ ସେଠି ଶ୍ରମିକମାନଙ୍କୁ ନିଯୁକ୍ତି କରିଥିଲି, ଏବେ ସେମାନଙ୍କ ଭିତରେ ମୁଁ ଜଣେ,’’

କମଳା ହେଉଛନ୍ତି ଅନୁସୂଚିତ ଜନଜାତି ଥାରୁ ସଂପ୍ରଦାୟର। ହିମାଳୟର ପାଦ ଦେଶରେ ଥିବା ଉର୍ବର ଜିଲ୍ଲା ଉଦ୍ଧାମ ସିଂ ନଗରରେ ଏହି ସଂପ୍ରଦାୟର ବହୁ ସଂଖ୍ୟାରେ ଲୋକ ବସବାସ କରନ୍ତି। ଉତ୍ତରାଖଣ୍ଡର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ଏମାନଙ୍କୁ ଗଣନା କରାଯାଏ। ଏମାନେ ସବୁଠାରୁ ବେଶୀ ପଛୁଆ।

ଏହା ଏଭଳି ଏକ ରାଜ୍ୟ ଯେଉଁଠି ପ୍ରତି ୩୫ ଜଣରେ ଜଣେ ଆଦିବାସୀ ସଂପ୍ରଦାୟର। କମଳାଙ୍କ ଭଳି ଏଠାରେ ଅନେକ ଲୋକଙ୍କ ଭୂମି ଅଣ-ଆଦିବାସୀଙ୍କ ହାତକୁ ଚାଲିଯାଇଛି। ଋଣ ଜନ୍ତାରେ ପଡ଼ି ଏମାନେ ଜମି ହରାଇଛନ୍ତି। କମ୍ ସୁଧରେ ଋଣ ଦେବାର ପ୍ରତିଶ୍ରୁତି ଦେଇ ଅଣଆଦିବାସୀମାନେ ଏମାନଙ୍କ ଜମି ହଡପ କରି ନେଇଛନ୍ତି।

‘‘ପ୍ରଥମେ ମୋ ଶ୍ୱଶୁରଙ୍କ ଦେହ ଖରାପ ହେବାରୁ କିଛି ଟଙ୍କା କରଜ କଲୁ। ତା ପରେ ମୋ ସ୍ୱାମୀଙ୍କ ପାଇଁ। ତା ପରେ ନଣନ୍ଦ ମାନଙ୍କ ବାହାଘର ପାଇଁ ...’’ତାଙ୍କ ସ୍ୱର ଧିରେ ଧିରେ ନିରବ ହୋଇଗଲା।

ସୀତାରଗଞ୍ଜ ତହସିଲର ପିଣ୍ଡାରୀ ଗାଁକୁ ୨୮ ବର୍ଷ ତଳେ କମଳା ବୋହୂ ହୋଇ ଆସିଥିଲେ, ଏବେ ତାଙ୍କୁ ୪୭ ବର୍ଷ, ତାଙ୍କ ଶ୍ୱଶୁର ତୋଲା ସିଂ ସେତେବେଳେ ଜଣେ ସମୃଦ୍ଧ ଚାଷୀ ଥିଲେ। ତାଙ୍କର ବିଶାଳ ଅଗଣା ଥିଲା। ସେ କହନ୍ତି, ‘‘ଅମଳ ସମୟରେ ପୂରା ଅଗଣା ଶସ୍ୟରେ ଭର୍ତ୍ତି ହୋଇ ଯାଉଥିଲା। ସେ କହିଲେ ଲାଲା(ବେପାରୀ)ମାନେ ଲୋକ ଏବଂ ଟ୍ରକ୍ ପଠାଇ ଆମଠାରୁ ଧାନ ଏବଂ ଗହମ ନେଇ ଯାଉଥିଲେ।’’

Kamla Devi in front of her home in the village of Pindari (Udham Singh Nagar), Uttarakhand. She holds a blank stamp paper signed by her husband Harish Chandra
PHOTO • Puja Awasthi
Kamla Devi stands on her farm in the village of Pindari (Udham Singh Nagar), Uttarakhand
PHOTO • Puja Awasthi

କମଳା ଦେବୀଙ୍କ ପରିବାର ଏକଦା ୧୮ ଏକର ଜାଗାର ମାଲିକ ଥିଲେ, ଏବେ ସେ ନିଜେ ଜଣେ କୃଷି ଶ୍ରମିକ ଭାବେ କାମ କରୁଛନ୍ତି। ବାମ: ତାଙ୍କ ସ୍ୱାମୀଙ୍କ ଦସ୍ତଖତ ଥିବା ଏକ ଅଲେଖା ଷ୍ଟାମ୍ପ ପେପର ଧରିଛନ୍ତି। 

ତାଙ୍କ ପରିବାର ପାଇଁ ପ୍ରଥମେ କେବେ ଋଣ କରିବାର ଆବଶ୍ୟକତା ପଡ଼ିଥିଲା, ସେ କଥା କମଳାଙ୍କର ଠିକ୍ ଭାବେ ମନେ ନାହିଁ। ପରିବାରର ପୁରୁଷ ସଦସ୍ୟ ସେ କଥା ବୁଝାବୁଝି କରିଥିଲେ। କିନ୍ତୁ ୨୦୦୫ ମସିହା ଶୀତ ଋତୁରେ ଦିନକର କଥା ତାଙ୍କର ସ୍ପଷ୍ଟ ମନେ ଅଛି। ସେଦିନ ଜଣେ ସାହୁକାର ତାଙ୍କ ଘରକୁ ଆସିଥିଲେ। ପାଖ ସୀତାରଗଞ୍ଜ ସହରରେ ତାଙ୍କର ଗୋଟିଏ ଲୁଗା ଦୋକାନ ଥିଲା।

‘‘ସେଦିନ ସକାଳୁ ରାତି ପର୍ଯ୍ୟନ୍ତ ସେ ମୋ ସ୍ୱାମୀଙ୍କ ପାଖରେ ବସିଥିଲେ। ତାଙ୍କ ସହ ଜଣେ ସ୍ଥାନୀୟ ଲୋକେ ଥିଲେ। ‘ତୁମ ଜମି ମୋତେ ଦେଇଦିଅ, ସବୁ ସହଜ ହୋଇଯିବ’, ସେ ମୋ ସ୍ୱାମୀଙ୍କୁ ଏଭଳି ପ୍ରବର୍ତ୍ତାଇ ଚାଲିଥିଲେ। ମୋ ସ୍ୱାମୀ ଶଯ୍ୟାଶାୟୀ ଥିଲେ। ରାତି ପାହିବା ବେଳକୁ ସେ କ୍ଲାନ୍ତ ହୋଇ ପଡ଼ିଥିଲେ। ପ୍ରତିବାଦ କରିବା ପାଇଁ ତାଙ୍କର ଶକ୍ତି ନଥିଲା,’’ ସେ ମନେ ପକାଇଲେ। ଗୋଟିଏ ୫୦ ଟଙ୍କାର ଫର୍ଦ୍ଦିକିଆ ଷ୍ଟାମ୍ପ ପେପର ଉପରେ ତାଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ସେଦିନ ଦସ୍ତଖତ କରିଥିଲେ। ୬୮,୩୬୦ ଟଙ୍କାରେ ଜଣେ ଅଣ-ଆଦିବାସୀ ବ୍ୟକ୍ତି ରାମ ଅବତାର ଗୋୟଲଙ୍କୁ ୩.୫ ବିଘା  (ପ୍ରାୟ .୫୮ଏକର) ଜମି ହସ୍ତାନ୍ତର କରିଥିଲେ। ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆବଶ୍ୟକ ଥିବା ଅନୁମତି ଅଣାଯାଇଥିଲା। ଆଇନଗତ ଦିଗକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଜମି କିଣା ବିକା ନେଇ କୌଣସି ପଂଜିକରଣ ହୋଇ ନାହିଁ। ତଥାପି ସେ ଜମି ଚାଲି ଯାଇଛି।  

୨୦୦୫ରୁ ୨୦୧୧ ମସିହା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ, ହରିଶ ଏଭଳି ଅନେକ ଏଗ୍ରିମେଣ୍ଟ କରିଥିଲେ। ତାଙ୍କ ପରିବାର ପାଖରେ ଥିବା ସମସ୍ତ ୧୮ ଏକର ଜମି ଧୀରେ ଧୀରେ ବନ୍ଧା ପଡ଼ିଥିଲା ନହେଲେ ବିକ୍ରି ହୋଇ ଯାଇଥିଲା। କମଳାଙ୍କ ପାଖରେ ସେଥିରୁ ୪ଟି ଏଗ୍ରିମେଣ୍ଟର ନକଲ ଅଛି। ୯ ଏକର ଜମି ପାଇଁ ଏହି ଏଗ୍ରିମେଣ୍ଟ ହୋଇଥିଲା।

କମଳା କହିଲେ, ‘‘ସେତେବେଳେ ପାଞ୍ଚ ପାଞ୍ଚଟି ପିଲାଙ୍କ କଥା ବୁଝିବାକୁ ପଡ଼ୁଥିଲା। ସେତେବେଳେ ମୋ ବଡ଼ ଝିଅକୁ ୧୭ ବର୍ଷ ହୋଇଥିଲା। ଦୁଇ ଜଣ ସାହୁକାରଙ୍କ ହାତକୁ ଆମର ସବୁ ଜମି ଚାଲି ଯାଇଥିଲା। କିଛି ସମୟ ପାଇଁ ଜମି ବନ୍ଧକ ଦେବାକୁ ମୁଁ ସବୁବେଳେ ଭାବୁଥିଲି। କିଛି ଜମି ବିକ୍ରି କରି ଋଣ ପରିଷୋଧ କରିହେବ ବୋଲି ଭାବୁଥିଲି। ଯେତେବେଳେ ସାହୁକାରଙ୍କୁ ଏକଥା କହୁଥିଲି, ସେମାନେ ମୋତେ କହୁଥିଲେ ଏଜମି ବିକ୍ରି ହୋଇ ସାରିଛି। ସେମାନେ ଜମି ହଡ଼ପ କରିଥିଲେ ।’’

Mangola Singh in front of a semi constructed room which she has been trying to build for herself in the courtyard of her home in the village of Nandpur (Udham Singh Nagar), Uttarakhand
PHOTO • Puja Awasthi
Mangola Singh sifts through her legal papers in her home in the village of Nandpur (Udham Singh Nagar), Uttarakhand
PHOTO • Puja Awasthi

ଘର ଭିତରେ ଥିବା ମଙ୍ଗଳା ସିଂ ତାଙ୍କ ଅଗଣାରେ ନିଜ ପାଇଁ ଘର ବଖରାଏ କରିବାକୁ ଉଦ୍ୟମ ଜାରି ରଖିଥିଲେ। ଦକ୍ଷିଣ : ସଂଗ୍ରହ କରିଥିବା ଦସ୍ତାବିଜ ମଝିରେ ବସିଛନ୍ତି। 

ପିଣ୍ଡାରୀଠାରୁ ପ୍ରାୟ ୬୦ କିଲୋମିଟର ଦୂର ଉଦ୍ଧାମ ସଂ ନଗରର ଆଉ ଏକ ଗାଁର ମହିଳା ମଙ୍ଗଳା ସିଂ, ବୟସ ୩୧, ସେ ବୁକାଶ ଆଦିବାସୀ ସଂପ୍ରଦାୟର। ସେ ବି ସମାନ ଧରଣର କ୍ଷତି ସହିଛନ୍ତି। ସେ କହନ୍ତି, ‘‘ମୋ ଭାଇ ଫୁଲ୍ ଚାହୁଁଥିଲା ଏଭଳି ଏକ ବାହାଘର ଯାହା ଗାଁରେ କେବେ ହୋଇନି। ସେ ଜୁଆ ଖେଳୁଥିଲା ଆଉ ମଦ ପିଉଥିଲା। ମୁଁ ଭାବିଥିଲି ବାହାଘର ପରେ ସେ ଠିକ୍ ବାଟକୁ ଆସିବ।’’ ତାଙ୍କ ଭାଗ ଜମିକୁ ସେ କାହିଁକି ବନ୍ଧା ପକାଇଥିଲେ, ସେ କଥା ସେ କହିବାକୁ ଚାହୁଁଥିଲେ।

ସେ ଯେତେବେଳେ ୧୧ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ବାପ ମାଆଙ୍କର ମୃତ୍ୟୁ ହୋଇଥିଲା। ସେହି ବୟସରୁ ତାଙ୍କୁ ବାପା ମାଆଙ୍କ ଭାର ସମ୍ଭାଳିବାକୁ ପଡ଼ିଥିଲା। ତିନି ଭାଇ ଭଉଣୀଙ୍କ ଭିତରେ ସେ ବଡ ଥିଲେ। ତାଙ୍କର ଥିବା ୫ ଏକର ଜମିକୁ କେମିତି ଦେଖାଶୁଣା କରିବାକୁ ପଡ଼ିବ ସେ ଖୁବ ଶୀଘ୍ର ତାହା ଜାଣି ଯାଇଥିଲେ। ସେ କହନ୍ତି, ‘‘ମୋ ପାଖରେ ଆଉ ବିକଳ୍ପ ନଥିଲା।’’

ପିଲାମାନେ ଛୋଟ ଥିବାରୁ ଉର୍ବର ଜମିତକ ଚାଷୀଙ୍କୁ ଲିଜରେ ଦେଇ ଦେବାକୁ ସଂପର୍କୀୟମାନେ ମଙ୍ଗଳାଙ୍କୁ ପରାମର୍ଶ ଦେଇଥିଲେ। ଏକର ପିଛା ବାର୍ଷିକ ୧୫ ହଜାର ଟଙ୍କାରେ ୩ ରୁ ୫ ବର୍ଷ ପାଇଁ ଜମି ଲିଜ ଦେବାକୁ ପରାମର୍ଶ ଦେଇଥିଲେ। ଭାଇ ଭଉଣୀଙ୍କ ଆବଶ୍ୟକତା ପାଇଁ ଛୋଟିଆ ଜାଗା ଖଣ୍ଡିଏ ଛଡ଼ି ଦିଆଯାଇଥିଲା। ସ୍କୁଲ, ଘର କାମ ସହ ମଙ୍ଗଳା ଚାଷ କଥା ବୁଝୁଥିଲେ। ତାଙ୍କ ଦୁଇ ଭାଇଙ୍କୁ ପାଠ ପଢାଇବାକୁ ସେ ଖୁବ ପରିଶ୍ରମ କରୁଥିଲେ। କିନ୍ତୁ ଦୁଇ ଭାଇଙ୍କ ଭିତରୁ ବଡ ପୁରନ୍ ରୋଗୀଣା ଥିଲା ଆଉ ସାନ ଅଳସୁଆ।

୨୦୧୨ ମସିହାରେ ଅଧ ଏକର ଜମିକୁ ୪.୫ ଲକ୍ଷ ଟଙ୍କାରେ ଫୁଲ୍ ବିକି ଦେଇଥିଲେ। ‘‘ଏ ଜାଗା ଆମ ଦି ଭାଇଙ୍କର। ତୋର ଏଥିରେ କିଛି ଅଧିକାର ନାହିଁ।’’ ହତବାକ୍ ହୋଇପଡ଼ିଥିବା ମଙ୍ଗଳାଙ୍କୁ ସେ ଏମିତି ଶୁଣାଇଥିଲେ।

ସେ କହିଲେ, ‘‘ମୋ ସଂଘର୍ଷ ଆଉ ଉତ୍ସର୍ଗର କୌଣସି ମାନେ ନଥିଲା। ପିଲାଟି ଦିନରୁ ଏହି ଜାଗାକୁ ଯେଉଁ ସୁରକ୍ଷା ଦେଇଥିଲି ତାର ମଧ୍ୟ ମୂଲ୍ୟ କିଛି ନାହିଁ। ଏସବୁର କାରଣ ମୁଁ ଜଣେ ମହିଳା ଥିଲି।’’

‘ମୋ ସଂଘର୍ଷ ଏବଂ ଉତ୍ସର୍ଗର କୌଣସି ମା​‌ନେ ନଥିଲା। ପିଲାଟି ଦିନରୁ ଏହି ଜମିକୁ ମୁଁ ଯେଉଁ ସୁରକ୍ଷା ଦେଇଆସିଛି ତାର ମଧ୍ୟ କିଛି ମୂଲ୍ୟ ନାହିଁ। ଏ ସବୁ କେବଳ ମୁଁ ଜଣେ ମହିଳା ବୋଲି’

ଭିଡିଓ ଦେଖନ୍ତୁ : ମହିଳାମାନେ ସେମାନେଙ୍କ ଭୂମି ପାଇଁ ସଂଘର୍ଷର କଥା କହୁଛନ୍ତି

୨୦୧୦-୧୧ କୃଷି ଗଣନା ଉପରେ ସର୍ବ ଭାରତୀୟ ରିପୋର୍ଟ ଅନୁଯାୟୀ ମହିଳାଙ୍କଠାରୁ ୭ ଗୁଣରୁ ଅଧିକ ସଂଖ୍ୟାରେ ପୁରୁଷ ଚାଷ ଜମିର ମାଲିକ। ଏଭଳି ଏକ ଦେଶରେ ମଙ୍ଗଳା ଯେତେବେଳେ ତାଙ୍କ ଭାଇ ଫୁଲ୍‌କୁ ବୁଝାସୁଝା କରିବା ପାଇଁ ପଡୋଶୀଙ୍କୁ କହିଥିଲେ, ସେତେବେଳେ ସେ ପଡୋଶୀଙ୍କଠାରୁ ଅପମାନିତ ହୋଇଥିଲେ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗଦରପୁର ତହସିଲ ଅନ୍ତର୍ଗତ ନନ୍ଦପୁର ଗାଁରେ ମଙ୍ଗଳାଙ୍କ ଘର।

‘‘ସେ ଜଣେ ପୁରୁଷ। ତା ଜୀବନ ପାଇଁ ଜମିର ଆବଶ୍ୟକତା ରହିଛି। ସେଥିରେ ତୁ କାହିଁକି ମୁଣ୍ଡ ପୁରାଉଛୁ?’’ ସେମାନେ ତାଙ୍କୁ ଏଭଳି କହିଥିଲେ। କଥା ହେଉଛି ବିବାହ ପାଇଁ ମଙ୍ଗଳାଙ୍କ ପାଖରେ କିଛି ପୈତୃକ ସୁରକ୍ଷା ନଥିଲା। ଏ କଥା ସେମାନଙ୍କୁ କିଛି ଫରକ ପକାଇ ନଥିଲା।

କିଛି ଦିନ ପରେ, ଆଉ ଅଧ ଏକର ଜମି ବିକିବା ପାଇଁ ଫୁଲ୍ ଉଦ୍ୟମ କରିଥିଲେ। ଏଥର ବିକ୍ରି ଉପରେ ରୋକ ଲଗାଇବା ପାଇଁ ଉଦ୍ଧାମ ସିଂ ନଗର ସିଭିଲ ଜଜ୍ କୋର୍ଟରେ ମଙ୍ଗଳା ଆବେଦନ କରିଥିଲେ। ବୈଷୟିକ କାରଣରୁ ଏହି ଆବେଦନ ଖାରଜ ହୋଇ ଯାଇଥିଲା।  

୨୦୧୫ ମଧ୍ୟ ଭାଗରେ ମଙ୍ଗଳାଙ୍କୁ ତାଙ୍କ ଭାଇ କହିଲେ, ‘‘ତୁ ମୋତେ ଭଲ ପାଉଛୁ ଦେଖା। ମୋ ପସନ୍ଦ  ଅନୁସାରେ ମୋତେ ବାହା କରି ଦେ। ଗୋଟିଏ ଏକର ଜାଗା ବନ୍ଧା ପକା [ପଇସା ଆଣିବାକୁ], ଯେଉଁ ଜାଗାକୁ ତୁ ଫେରି ପାଇବାକୁ ଚାହୁଁଛୁ। ମୁଁ ତତେ ସେ ଜାଗା ଫେରାଇ ଦେବି। ଏହା ଏଭଳି ଏକ ପ୍ରସ୍ତାବ ଥିଲା, ଯେଉଁଥିରେ ସମ୍ମାନର କୌଣସି ଉଦ୍ଦେଶ୍ୟ ନଥିଲା।

 ‘‘ବନ୍ଧକ ମୁକୁଳାଇବା ପାଇଁ ଆଉ ୬ ମାସ ରହିଲା। ଯଦି ଜମି ଖଣ୍ଡକ ମୁକୁଳାଇ ପାରିବିନି ସବୁଦିନ ପାଇଁ ହାତରୁ ଚାଲିଯିବ। ଜମି ବିନା ମୋର କଣ ଅସ୍ତିତ୍ୱ ଅଛି? ଯଦି ମୁଁ ବାହା ହେବାକୁ ଚାହେଁ, ବିନା ଟଙ୍କାରେ ଏହା କେମିତି ସମ୍ଭବ ହେବ?’’ ନିରାଶ ହୋଇ ପଡ଼ିଥିବା ମଙ୍ଗଳା କହିଲେ। 

୨୦୧୨ ମସିହାଠାରୁ ସବୁ ଆଇନଗତ କାଗଜପତ୍ରକୁ ଏକ କଳା ବ୍ୟାଗରେ ସେ ସାଇତି ରଖିଛନ୍ତି। ତାଙ୍କ ଭାଇ ପୁରନ୍ ସହ ରହୁଥିବା ଦୁଇ ବଖୁରିଆ ଘରର ଗୋଟିଏ କନ୍ଧିରେ ସେ ବ୍ୟାଗଟିକୁ ରଖିଛନ୍ତି। ପୁରନ ଖୁବ ମୋଟା ହେବାରେ ଲାଗିଛି। ଅଧିକ ମୋଟା ହେଉଥିବାରୁ ମଙ୍ଗଳା ଚିନ୍ତାରେ ପଡ଼ିଛନ୍ତି। 

Kamla Devi with her son Keshav
PHOTO • Puja Awasthi

କମଳାଙ୍କ ସାନ ପୁଅ କେଶବ କଲେଜରୁ ପାଠ ଛାଡ଼ିଛନ୍ତି। ସେ ହିଁ ଜମି ଜମା ସଂପର୍କିତ କାଗଜକୁ ଏକାଠି କରି ପାରିବେ। 

୪୧ ବର୍ଷୀୟ ଅନୀଲ ସିଂ ରାଣା, ଖାତିମା ସହରରେ ରହୁଥିବା ଜଣେ ଆଇନଜୀବୀ। ସେ ମଧ୍ୟ ଥାରୁ ସଂପ୍ରଦାୟର। ଜମି ଅଧିକାର ସଂପର୍କୀତ ଆଇନଗତ ପ୍ରକ୍ରିୟା ଉପରେ ତାଙ୍କର କମ୍ ବିଶ୍ୱାସ ରହିଛି। ସେ କହନ୍ତି, ‘‘ଏଭଳି ଘଟଣା ସବୁବେଳେ ଘଟୁଛି। ସାଧାରଣତଃ ଆମ ସଂପ୍ରଦାୟର ଲୋକେ ତାଙ୍କ ରେକର୍ଡ ପତ୍ର ସାଇତି ରଖିବାରେ ଭାରି ଦୁର୍ବଳ। ହାତରୁ ଜମି ଚାଲିଯିବା କିଛି ସହଜ କଥା ନୁହେଁ। ଏହା ଏକାଧିକ ଓକିଲଙ୍କ ବାଟ ଦେଇ ଯାଏ।’’

ଭୂମି ଅଧିକାର ମଞ୍ଚ (ବିଏଏମ୍) ନାମକ ଏକ ସଂଗଠନ ସହ ଗତ ଦଶନ୍ଧିର ଅଧିକାଂଶ ସମୟ ରାଣା କାମ କରିଛନ୍ତି। ଏହା ଏକ ଗ୍ରାମାଞ୍ଚଳ ସ୍ତରୀୟ ସଂଗଠନ ଯାହା ଆଦିବାସୀଙ୍କ ଅଧିକାର ଉପରେ କାର୍ଯ୍ୟ କରେ। ଉତ୍ତରାଖଣ୍ଡର ପ୍ରାୟ ୪୦ଟି ଗାଁରେ ଏହି ସଂଗଠନ କାର୍ଯ୍ୟ କରୁଛି। ଅନୁସୂଚିତ ଜନଜାତି ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ୍ (ଜଂଗଲ ଅଧିକାରକୁ ସ୍ୱୀକୃତି)୨୦୦୬ ଲାଗୁ କରିବାକୁ ୨୦୦୯ରେ ଏହି ସଂଗଠନ ରାଜ୍ୟ ସରକାରଙ୍କୁ ବାଧ୍ୟ କରିଥିଲା। ଏହି ଆଇନ୍ ଜଂଗଲରେ ରହୁଥିବା ଅଧିବାସୀଙ୍କ ପାରଂପରିକ ଅଧିକାରକୁ ସୁରକ୍ଷା ପ୍ରଦାନ କରୁଛି। ଆଦିବାସୀଙ୍କ ଜଂଗଲ ଅଧିକାର ପାଇଁ ସଂଘର୍ଷ କରୁଥିବା ଏହି ମଞ୍ଚ ଏ ଦିଗରେ କିଛିଟା ସଫଳତା ପାଇଛି।

ଏହା ହେଉଛି ସେହି ମଞ୍ଚ ଯେଉଁଠି କମଳା ୨୦୧୨ରୁ ଅଛନ୍ତି।

ସେ କହିଲେ, ‘‘ଆମେ  ସରଳ ମଣିଷ। କୋର୍ଟ କଣ ଆମେ ଜାଣିନୁ। ସାମାଜିକ ଚାପ ଅଧିକ ପ୍ରଭାବଶାଳୀ।’’ ଜମି ଫେରି ପାଇବା ପାଇଁ ଏହି ବିଏଏମ୍ ନେଟୱର୍କର କ୍ଷେତ୍ରୀୟ କର୍ମଚାରୀ ଥିବା ତାଙ୍କ ନଣନ୍ଦ ମୀନା ଦେବୀଙ୍କ ସହିତ କମଳା ତାଙ୍କ ଜମି ମାଗିବା ଆରମ୍ଭ କଲେ। ‘‘ଆମ୍ଭେମାନେ  ଗଲୁ ଏବଂ ତାଙ୍କ [ସାହୁକାରଙ୍କ’]  ଆଗରେ ଠିଆ ହେଲୁ। ଆମକୁ କାଗଜ ଦେଖାନ୍ତୁ, ଆମ ସହ କଥାବାର୍ତ୍ତା କରନ୍ତୁ ବୋଲି ମୁଁ ଦାବି କଲି। ଆମେ ଆମ ମଧ୍ୟ ଆମ ଗାଁର ଆଉ କିଛି ମହିଳାଙ୍କୁ ସାଙ୍ଗରେ ନେଇ ଯାଇଥିଲୁ।’’

ଗତବର୍ଷ ତାଙ୍କ ନିରବଛିନ୍ନ ଚେଷ୍ଟା ଯୋଗୁଁ ଜଣେ ସାହୁକାର ୩.୫ ଏକର ଜମି ଫେରାଇ ଦେଇଥିଲେ। ସେ ତାଙ୍କ ନାଁ ପ୍ରକାଶ ନକରିବାକୁ ଅନୁରୋଧ କରି କହିଲେ, ‘‘ଯଦି ସମସ୍ତେ [ଋଣ ଗ୍ରହୀତା] ଏହି କୌଶଳ ଅବଲମ୍ବନ କରିବେ, ମୋ ବ୍ୟବସାୟ ବନ୍ଦ ହୋଇଯିବ ଆଉ ମୋ ହାତରେ ଥିବା ସମସ୍ତ ଜମି ଚାଲିଯିବ।’’  

କମଳାଙ୍କ ସାନ ପୁଅ, ୨୦ ବର୍ଷ କେଶବ କଲେଜରୁ ପଢା ଛାଡିଛନ୍ତି। ପରିବାରର ସମସ୍ତ ଜମିଜମା ସଂପର୍କିତ ନଥିପତ୍ର ଖୋଜିବାରେ ଏବେ ସେ ପୂରା ସମୟ ଦେଉଛନ୍ତି। ସମସ୍ତ ତଥ୍ୟ ପ୍ରମାଣ ହାତରେ ରହିଲେ, ସାହୁକାରଙ୍କ ଉପରେ ଅଧିକ ଚାପ ଦେଇହେବ। ତାଙ୍କର ବଡ଼ ସଫଳତା ହେଉଛି, ଜଣେ ସାହୁକାରଠାରୁ ସେ ଏକ ସଦା ଷ୍ଟାମ୍ପ ପେପର ଜବତ କରିଥିଲେ. ଯେଉଁଥିରେ ତାଙ୍କ ବାପାଙ୍କ ଦସ୍ତଖତ ଥିଲା।

ମଙ୍ଗଳାଙ୍କ ସଂଘର୍ଷ ଭିନ୍ନ। ତାଙ୍କ ବିରୋଧରେ ତାଙ୍କ ଭାଇ ଛିଡା ହୋଇଛି। ଭଉଣୀକୁ ପର କରି ଦେଇଥିବା ଫୁଲ୍ କହିଲେ, ‘‘ସେ ଘର କଥା ଦାଣ୍ଡରେ ପକାଇଛି, ତା ସାଙ୍ଗରେ ମୁଁ କାହିଁକି ରହିବି?’’

ପ୍ରକୃତରେ ଅନ୍ୟ ମହିଳାଙ୍କ ପରି ମଙ୍ଗଳା ମଧ୍ୟ ଜମି ଉପରେ ତାଙ୍କ ଅଧିକାର ସାବ୍ୟସ୍ତ କରିବାକୁ ସମର୍ଥ ନୁହନ୍ତି। ସେହି କଥା ସେ ବୁଝାଇବାକୁ ସଂଘର୍ଷ କରୁଛନ୍ତି : ‘‘ସମସ୍ତେ ଝିଅଙ୍କୁ ଜମି ଦେଉ ନାହାନ୍ତି। ଯଦି କେହି ଦେଉଛି, ପରିବାରର ପୁରୁଷ ସଦସ୍ୟଙ୍କ ଅନୁମତିରେ। ଏଭଳି ମନୋଭାବକୁ ମୁଁ ଅଧିକାର ବୋଲି ମାନି ପାରୁନି।’’ ସେ ଆହୁରି କହିଲେ, ‘‘ଜମି ଆମର ସଂସ୍କୃତି, ଆମର ପୈତୃକ ସଂପତ୍ତି। ଆମେ ଏହାର ଉପାସନା କରୁ ଏବଂ ଏହା ଦ୍ୱାରା ପରିପୁଷ୍ଟ ହେଉ। ମୋ ଭଳି ମହିଳାଙ୍କ ପାଇଁ ଏହା ଗ୍ୟାରେଣ୍ଟି।’’

କମଳାଙ୍କ ମନରେ ସେଭଳି କିଛି ଦ୍ୱନ୍ଦ୍ୱ ନାହିଁ। ପୁଣି ଫେରି ପାଇଥିବା ଜମି ଉପରେ ଛିଡା ହୋଇ ସେ ତାଙ୍କ ସଂକଳ୍ପର କଥା କହୁଥିଲେ। ଜମିରୁ ହଜି ଯାଇଥିବା ଚମକ ଯାହାକୁ ସେ ନିରବରେ ଚାହିଁ ରହିଥିଲେ, ତାକୁ ପୁଣି ଥରେ ଆବିଷ୍କାର କରିଥିଲେ।  

ସେ କହିଲେ, ‘‘ଏ ଜମି ମୋର। ମୁଁ ଏହାକୁ ପୁଣି ଫେରି ପାଇବି। ମୁଁ ଏହାର ମାଲିକ। ସଂଘର୍ଷ ଯେତେ ଲମ୍ବା ହେଉନା କାହିଁକି।’’

ଏହି ଲେଖକ ହେଉଛନ୍ତି ଏନ/କୋର ଫାଉଣ୍ଡେସନ୍ ଦ୍ୱାରା ପ୍ରଦତ୍ତ ଇମ୍ପାକ୍ଟ ଜର୍ଣ୍ଣାଲିଜମ୍ ପୁରସ୍କାର ବିଜେତା। ଭାରତରେ ଗରିବଙ୍କ ପାଇଁ ଜମି ଏବଂ ସଂପତ୍ତି ଅଧିକାର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍ 

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi