ଯଦି ବିଶାଲ ଆଜି ବଞ୍ଚିଥାନ୍ତା ତା’ହେଲେ ସେ କ’ଣ କରୁଥାନ୍ତା? ବୋଧହୁଏ ଏହି କିଶୋରଟି ଗୁଡ଼ି ଉଡ଼ାଉଥାନ୍ତା କିମ୍ବା ତା’ ସାଙ୍ଗମାନଙ୍କ ସହ ଖେଳୁଥାନ୍ତା। ସେ ହୁଏତ ତା’ବାପାଙ୍କ ସହ ପରିବାରର ଦୁଇ ଏକର ଜମିରେ କାମ କରୁଥାନ୍ତା କିମ୍ବା ସେ ବେଳେ ବେଳେ ଯେମିତି କରୁଥିଲା ଦିନ ମଜୁରିଆ ଭାବରେ ଛୋଟ ମୋଟ କାମ କରୁଥାନ୍ତା। ସେ ନୂଆ ପୋଷାକ ଚାହୁଁଥିଲା, ତା’ ପିତାମାତା ମନେ ପକାଉଥିଲେ। ତାହା ହିଁ କେବଳ ସେ ମାଗୁଥିଲା।

କିନ୍ତୁ ବିଶାଳ ଖୁଲେ ଦୀପାବଳିର ୧୦ଦିନ ପରେ ଗତ ନଭେମ୍ବରରେ ମୃତ୍ୟୁବରଣ କଲା, ତା’ର ବାପା କେଇଦିନ ପୂର୍ବରୁ ସେମାନଙ୍କ ଫସଲରେ ସିଞ୍ଚନ କରିବା ପାଇଁ ଯେଉଁ ବାଳୁଙ୍ଗାନାଶକ ବୋତଲ ଆଣିଥିଲେ, ତାହା ପିଇ ସେ ମୃତ୍ୟୁବରଣ କରିଥିଲା। ସେହିଦିନ ସେ ଏକ କୋଚାମୋଚା ହୋଇଥିବା ଧଳା ସାର୍ଟ ଓ ନୀଳ ପ୍ୟାଣ୍ଟ ପିନ୍ଧି ଥିଲା ବୋଲି ପୋଲିସ ରିପୋର୍ଟରୁ ଜଣାପଡିଛି। ବିଶାଲକୁ ଏ ପର୍ଯ୍ୟନ୍ତ ୧୬ବର୍ଷ ବୟସ ହୋଇନଥିଲା।

ତା’ର ବାପା ବିଶ୍ୱନାଥ ଖୁଲେଙ୍କ ପରିବାର ବାସ କରୁଥିବା ଦୁଇବଖରା ଚାଳଘରେ ଝରକା ମଝିରେ ଗୋଟିଏ ସ୍ଥାନ ଦେଖାଇ କହିଲେ, ‘‘ସେ ଏହିଠାରେ ପଡ଼ିଗଲା’’। ‘‘ତା’ର ମାଆ ସଂଲଗ୍ନ ରୋଷେଇ ଘରେ ଚପାତି ତିଆରି କରୁଥିଲା। ମୁଁ ସେଠି ବାହାରେ ଥିଲି।’’ ସେ ବାହାର ଅଗଣା ଆଡ଼କୁ ଅନାଇ କହୁଥିଲେ। ଯେତେବେଳେ ତାଙ୍କ ପୁଅ ଗୋଟିଏ ଶବ୍ଦ କରି ପଡ଼ିଗଲା ସିଲା ଖୁଲେ ଦୌଡ଼ି ଆସି ଦେଖିଲେ ବିଶାଲ ଚଟାଣରେ ପଡ଼ିଛି। ‘‘ଗୋଟିଏ ଧଳା ଫେଣ ତା’ ପାଟିରୁ ବାହାରୁଛି’’। ତା’ ପାଖରେ ବାଳୁଙ୍ଗାନାଶକର କେନ୍‌ଟି ଖାଲି ପଡ଼ିଛି। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବିଶାଲ ମୃତ୍ୟୁବରଣ କରିସାରିଥିଲା।

ବିଶ୍ୱନାଥ କହିଥିଲେ, ‘‘ଏହା ଆମ ଜୀବନର ସବୁଠାରୁ ଅନ୍ଧାରୀ ସମୟ’’

୧୫୦୦ ଜନସଂଖ୍ୟା ବିଶିଷ୍ଟ ଦଧାମ ଏହି ଅଞ୍ଚଳର ସବୁଠାରୁ ଗରିବ ଗ୍ରାମଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ମହାରାଷ୍ଟ୍ରର କପା ଏବଂ ସୋୟାବିନ ଚାଷ ହେଉଥିବା ଅଞ୍ଚଳ ପଶ୍ଚିମ ବିଦର୍ଭର ଏକ ମୁଖ୍ୟ ସହର ଆକୋଲାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ରହିଛି। ଏହି ଅଞ୍ଚଳ ୧୯୯୦ ଦଶକ ମଧ୍ୟଭାଗରୁ କୃଷକ ଆତ୍ମହତ୍ୟା ଘଟଣା ଜାରି ରହିବା କାରଣରୁ ଖବରରେ ରହିଛି। ଏହି ଅଞ୍ଚଳରେ ଲଗାତର କିଛି ବର୍ଷ ହେବ ମରୁଡ଼ି ଏବଂ କୃଷି ବିପର୍ଯ୍ୟୟ ଲାଗି ରହିଛି ଯାହା କ୍ରମଶଃ ଖରାପରୁ କଦର୍ଯ୍ୟ ହେଉଛି। 

ମହାରାଷ୍ଟ୍ରର ପୂର୍ବ ଏବଂ କେନ୍ଦ୍ରୀୟ ଅଞ୍ଚଳ ବିଦର୍ଭ ଏବଂ ମରାଠାୱାଡାରେ କୃଷକ ଆତ୍ମହତ୍ୟା ନ କମିବା ସମ୍ପର୍କରେ ଖବର ଆସୁଛନ୍ତି ଏବଂ ସରକାର ଏହାକୁ ସ୍ୱୀକାର କରୁଛନ୍ତି। ଏ ମଧ୍ୟରେ ଆଉ ଏକ ସମ୍ପର୍କିତ ଦୁଃଖଦ ଘଟଣା ଚାଲିଛି ଯାହା ଉପରେ କାହାର ଲକ୍ଷ୍ୟ ନାହିଁ: ଋଣ ଭାର ଗ୍ରସ୍ତ କୃଷକମାନଙ୍କ ଛୋଟ ପିଲାମାନଙ୍କ ଦ୍ୱାରା ଆତ୍ମହତ୍ୟା ଘଟଣା।। (କୃଷକଙ୍କ ପିଲାମାନେ ଅତୀତରେ ସେମାନଙ୍କ ଜୀବନ ନେଇଛନ୍ତି, କିନ୍ତୁ ଖବରକାଗଜ ରିପୋର୍ଟ ସୂଚିତ କରୁଛି ଯେ ଏହି ଘଟଣା ଗତ ଦୁଇବର୍ଷରେ ବଢ଼ିଛି)।

ଯଦିଓ ପିଲାମାନଙ୍କ (୧୮ରୁ କମ୍‌; କିମ୍ବା ୨୦ରୁ କମ୍‌ ବୟସର ଯୁବକ) ଦ୍ୱାରା କରାଯାଇଥିବା ଆତ୍ମହତ୍ୟା ଉପରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତଥାପି ଭାରତରେ କୃଷି ବିପର୍ଯ୍ୟୟର ପରିଣାମ ସଂକ୍ରାନ୍ତୀୟ ବିଭିନ୍ନ ଅଧ୍ୟୟନ ଓ ରିପୋର୍ଟ-୨୦୦୫ରୁ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ନିୟୋଜନ କରାଯାଇଥିବା ଘରରୁ ଘର ସର୍ବେକ୍ଷଣ ଯାହାକି ଟାଟା ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ ଏବଂ ଦି ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍‌ ଡେଭଲମେଣ୍ଟ ରିସର୍ଚ୍ଚ ଦ୍ୱାରା କରାଯାଇଥିଲା-ତାହା କୃଷକ ପରିବାରଗୁଡ଼ିକରେ ପିଲାମାନଙ୍କ ଉପରେ ଋଣ ଏବଂ ବିପର୍ଯ୍ୟୟର ପ୍ରଭାବ ଆଡ଼କୁ ନିର୍ଦ୍ଦେଶ କରିଛି। କୃଷକମାନଙ୍କର ଅନେକ କିଶୋର ବୟସର ପିଲାମାନେ ସେମାନଙ୍କ ପିତାମାତାଙ୍କ ଋଣ ଉତ୍ତରାଧିକାରୀ ସୂତ୍ରରେ ପାଆନ୍ତି ଏବଂ ଜଣେ ବୟସ୍କ ବ୍ୟକ୍ତିର ଦାୟିତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି। ଅଧାରୁ ସ୍କୁଲ ଛାଡ଼ନ୍ତି ଏବଂ ହଳ କରନ୍ତି, ଅବସାଦରେ ଚାପି ହୋଇଯାଆନ୍ତି ଏବଂ ଝିଅମାନଙ୍କୁ ଖୁବ୍‌ ଶୀଘ୍ର ବିବାହ କରାଇଦିଆଯାଏ ଯେପରିକି ପରିବାର ଉପରେ ଜଣେ କମ୍‌ ବ୍ୟକ୍ତିର ଖାଇବା ଦାୟିତ୍ୱ ପଡ଼ିବ।

In Akola’s Dadham village: Vishal's father, Vishwanath Khule and his distraught mother Sheela (on the right); elder brother Vaibhav and their neighbour Jankiram Khule, Vishal’s ‘kaka’ (on the left)
PHOTO • Jaideep Hardikar

ଆକୋଲାର ଦଧାମ ଗ୍ରାମରେ : ବିଶାଲଙ୍କ ପିତା ବିଶ୍ୱନାଥ ଖୁଲେ ଏବଂ ତାଙ୍କ ବ୍ୟାକୁଳ ମା ଶିଲା (ଡାହାଣରେ); ବଡ଼ଭାଇ ବୈଭବ ଏବଂ ସେମାନଙ୍କର ପଡ଼ୋଶୀ ଜାନକୀରାମ ଖୁଲେ, ବିଶାଲଙ୍କ ‘କାକା’ (ବାମରେ)

ଗତ ଦଶକଠାରୁ ଅଧିକ ସମୟ ଧରି ଏହି ଲେଖକ ଏପରି ଅନେକ ଆତ୍ମହତ୍ୟାର ଡକ୍ୟୁମେଣ୍ଟ କରିଛି, ବିଶେଷ କରି ଯେଉଁ ପରିବାରଗୁଡ଼ିକରେ ପୂର୍ବରୁ ଗୋଟିଏ ଆତ୍ମହତ୍ୟା ଘଟଣା ଘଟିଛି। ଅନେକ ସମୟରେ କୃଷକଙ୍କ ପିଲାମାନେ ଆତ୍ମହତ୍ୟା କରନ୍ତି, କାରଣ ସେମାନେ ଭୟ କରନ୍ତି ଯେ, ଯଦି ସେମାନେ ନ କରିବେ ସେମାନଙ୍କ ପିତାମାତା କରିବେ, ଏହା ଏକ ପ୍ରକ୍ରିୟା ଯାହାକୁ କୁହାଯାଏ ‘କଲ୍ୟାଣମୟ ଆତ୍ମହତ୍ୟା’। ଏହିପରି ଏକ ମାର୍ମିକ ଘଟଣାରେ ୨୦୦୫ରେ ୧୯ବର୍ଷୀୟ ନୀତା ଭୋପାଟ ମହାରାଷ୍ଟ୍ରର ଆସରା ଗ୍ରାମରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।

ସେ ମରାଠୀରେ ପରିଷ୍କାର ଭାବରେ ଲେଖାଯାଇଥିବା ଏକ ସୁଇସାଇଡ୍‌ ନୋଟ୍‌ରେ କହିଥିଲେ: ‘‘ଯଦି ମୁଁ ଆତ୍ମହତ୍ୟା ନ କରେ, ମୋ ବାପା କରିବେ [ତାଙ୍କ ନିଜ ଜୀବନ ନେବେ]; ମୋ ପରିବାର ମାସକୁ ହଜାର ଟଙ୍କା ମଧ୍ୟ ଆୟ କରିପାରେ ନାହିଁ। ମୋର ଦୁଇଜଣ ସାନଭଉଣୀ ଅଛନ୍ତି। ଯେତେବେଳେ ଆମ ପାଖରେ ଯଥେଷ୍ଟ ଖାଇବାକୁ ନାହିଁ, ମୋ ପିତାମାତା ଆମ ବିବାହର ବୋଝ ବହନ ସହ୍ୟ କରିପାରିବେ ନାହିଁ। ତେଣୁ ମୁଁ ମୋର ଜୀବନ ନେଉଛି।’’ ସେ ଲେଖିଥିଲେ ଯେ ତାଙ୍କ ନିଷ୍ପତ୍ତି ପାଇଁ କେହି ଦାୟୀ ହେବେ ନାହିଁ। ଆତ୍ମହତ୍ୟା ହେଉଛି ଏକମାତ୍ର ଉପାୟ ଯେଉଁଥିରେ ସେ ତାଙ୍କର ପିତାମାତାଙ୍କୁ ସେମାନଙ୍କର କିଛି ଚିନ୍ତାରୁ ମୁକ୍ତ କରିପାରିବେ।

ଅଭାବ ଏବଂ ସଂଘର୍ଷ

ପରବର୍ତ୍ତୀ ଖରିଫ (ମୌସୁମୀ) ଫସଲ ବାହାରିବାକୁ ଆଉ କେଇ ମାସ ବାକି ଥିବା ବେଳେ ଦଧାମ ତଥାପି ବିଶାଲ ଖୁଲେଙ୍କ ଆତ୍ମହତ୍ୟାର ଆଘାତରୁ ମୁକୁଳିବାକୁ ଚେଷ୍ଟା କରୁଛି। ଭୀଷଣ ଜଳାଭାବ ଏହି ଗ୍ରୀଷ୍ମ ଋତୁରେ ଗ୍ରାମବାସୀମାନଙ୍କ ପରୀକ୍ଷା ନେବା ଆରମ୍ଭ କଲାଣି। ସମୁଦାୟ ଅଞ୍ଚଳ ଶୁଷ୍କ। ସ୍ଥାନୀୟ ଖବରକାଗଜର ରିପୋର୍ଟଗୁଡ଼ିକ ଅନୁଯାୟୀ ଭୂତଳ ଜଳସ୍ତର ଉଦ୍‌ବେଗ ଜନକ ଭାବରେ ତଳକୁ ଖସୁଛି। ଦିନେ ଛଡ଼ା ଦିନେ ଯୋଗାଣ ଜଳ ପାଇଁ ଦଧାମକୁ ଟ୍ୟାଙ୍କର ନିମନ୍ତେ ଅପେକ୍ଷା କରିବାକୁ ହେବ କିମ୍ବା ଲୋକମାନଙ୍କୁ ପିଇବା ପାଣି ସଂଗ୍ରହ କରିବାକୁ କେଇ କିଲୋମିଟର ଚାଲିବାକୁ ହେବ। ଏଥିସହ ଏହି ସମସ୍ୟା ଯେମିତି ଯଥେଷ୍ଟ ହୋଇନି ସେହିଭଳି ଗାଁରେ କୌଣସି କାମ ମଧ୍ୟ ଉପଲବ୍ଧ ନାହିଁ।

ଆକୋଲା ଜିଲ୍ଲାର ଜିଲ୍ଲାପାଳ ଜି. ଶ୍ରୀକାନ୍ତ ଏହି ବର୍ଷର ଆଦ୍ୟ ଭାଗରେ ତାଙ୍କ କାର୍ଯ୍ୟାଳୟରେ କହିଥିଲେ, ଗୋଟିଏ ତିନି ଋତୁ ମରୁଡ଼ିର ‘‘ଏହା ସବୁଠାରୁ ଖରାପ ବର୍ଷ’’। ‘‘ଗତ [ବର୍ଷ] ସେପ୍ଟେମ୍ବର ମାସରେ ଆମେ ଆସନ୍ତା ଗ୍ରୀଷ୍ମ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ,’’ ଏପରିକି ୨୦୧୫ ମୌସୁମୀ ଅଧିକାରୀଙ୍କ ଭାବରେ ଶେଷ ହେବା ପୂର୍ବରୁ ବୋଲି ସେ କହିଥିଲେ।

ମରାଠାଓ୍ୱାଡା ବିଦର୍ଭ ଏବଂ ମହାରାଷ୍ଟ୍ରର ପଶ୍ଚିମ ଅଞ୍ଚଳର ଅନେକ ଜିଲ୍ଲା ପରି ଗତବର୍ଷ ଆକୋଲା ଜିଲ୍ଲା ଏହାର ୬୯୨ ମିମି ହାରାହାରି ବାର୍ଷିକ ବୃଷ୍ଟିପାତ ମଧ୍ୟରୁ ମାତ୍ର ୬୦ ପ୍ରତିଶତ ପାଇଥିଲା। ଶ୍ରୀକାନ୍ତ କୁହନ୍ତି, ‘‘ଏହା ପ୍ରାୟ ୫୦୦ ମିମି ବର୍ଷା’’। ‘‘ଏହା ବୋଧହୁଏ ଖରାପ ଶୁଣାଯିବ ନାହିଁ, କିନ୍ତୁ ଆମେ ସେ ମଧ୍ୟରୁ ୪୦୦ ମିମି ମାତ୍ର ଦୁଇଦିନରେ ପାଇଲୁ, ଅଗଷ୍ଟ ୪ ଏବଂ ୫ରେ।’’ ଏହାର ଅର୍ଥ ହେଉଛି କ୍ଷେତଗୁଡ଼ିକରେ ପାଣି ଭରିଗଲା ଏବଂ ବର୍ଷାଜଳ ଭୂମିକୁ ଭେଦି ପାରିଲା ନାହିଁ।

ଏପରି ଭୀଷଣ ବର୍ଷା ଏବଂ ବର୍ଷାଦିନଗୁଡ଼ିକରେ ଦୀର୍ଘ ବ୍ୟବଧାନ ବର୍ତ୍ତମାନ ପରିବର୍ତ୍ତୀତ ମୈସୁମୀ ଶୈଳୀର ଏକ ନୂତନ ଏବଂ ଉଦ୍‌ବେଗଜନକ ବୈଶିଷ୍ଟ୍ୟ ବୋଲି ଭାରତୀୟ ପାଣିପାଗ ବିଭାଗ ଏବଂ ପୁନେସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟ୍ରପିକାଲ୍ ମେଟେରୋଲୋଜି ଏବଂ ଜଳବାୟୁ ଅନିୟମିତତା ଉପରେ ଅଧ୍ୟୟନ କରୁଥିବା ଗବେଷଣା ଅନୁଷ୍ଠାନଗୁଡ଼ିକର ଅଧ୍ୟୟନରୁ ଜଣାପଡ଼ିଛି। ଗତବର୍ଷ ଅଗଷ୍ଟ ୫ ପରେ ଆକୋଲାରେ ୪୧ଦିନ ପରେ ସାମାନ୍ୟ ବର୍ଷା ହୋଇଥିଲା, ଯାହାକି ଏକ ଧ୍ୱଂସକାରୀ ଦୀର୍ଘ ଶୁଷ୍କ ଅବସ୍ଥା ଥିଲା। ଜିଲ୍ଲାପାଳ କହିଥିଲେ, ‘‘ପ୍ରତ୍ୟେକ ଫସଲ ବିଫଳ ହେଲା’’। ସୋୟାବିନ, କପା ଏବଂ ହରଡ଼ ’’।

ବିକ୍ରି କରିବା ପାଇଁ କୌଣସି ଫସଲ ନଥିବା ବେଳେ ଘରୋଇ ଖର୍ଚ୍ଚ ଏବଂ ଅନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଖୁଲେ ପରିବାର ସାହୁକାରଙ୍କଠାରୁ ଉଧାର ନେଇଥିଲେ। ସେମାନଙ୍କର ବ୍ୟାଙ୍କ ରେକର୍ଡରୁ ଜଣାପଡ଼ିଛି, ସେମାନଙ୍କର ମଧ୍ୟ ଗତ ୫ବର୍ଷ ହେବ ଟ. ୫୦,୦୦୦ ଋଣ ପରିଶୋଧ ହୋଇନାହିଁ।

ଏହି ଖୁଲେ ପରିବାର ପରସ୍ପର ସହ ନିବିଡ଼ ଭାବରେ ସଂଶ୍ଳିଷ୍ଟ ଆନ୍ଧ ଆଦିବାସୀ ସମୂହର ଅଂଶ, ସେମାନେ ମୁଖ୍ୟତଃ ନାମମାତ୍ର କୃଷକ। ସେମାନେ ଅନେକ ଦିନରୁ ଅତି ଟଣାଟଣି ଭାବରେ ଚଳୁଛନ୍ତି ଏବଂ ବିଶାଲ ଖୁଲେଙ୍କ ମୃତ୍ୟୁ ଜୀବନକୁ ଆହୁରି ଅନିଶ୍ଚିତ କରିଦେଇଛି। ତାଙ୍କ ମାଆ କଦବା କ୍ୱଚିତ କଥା କହୁଛନ୍ତି ବୋଲି ସେମାନଙ୍କର ପଡ଼ୋଶୀ ଜାନକୀନାଥ ଖୁଲେ କୁହନ୍ତି। ସେ ନିକଟରେ ନାଏବ ତହସିଲଦାର (ଏକ କନିଷ୍ଠ ରାଙ୍କର ରାଜସ୍ୱ ଅଧିକାରୀ) ଭାବରେ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ବିଶାଲଙ୍କ ଦୁଇଭଉଣୀ ବିବାହିତା, ସେମାନେ ସେମାନଙ୍କ ମାଆଙ୍କ ସହିତ ରହିବା ପାଇଁ ଘରକୁ ଆସିଛନ୍ତି ବୋଲି ସେ କହିଥିଲେ। ବିଶାଲଙ୍କ ବଡ଼ ଭାଇ, ୧୮ବର୍ଷ ବୟସ୍କ ବୈଭବ, ଦଶମ ଶ୍ରେଣୀ ପରେ ସ୍କୁଲ ଛାଡ଼ିଛନ୍ତି ଏବଂ ଛୋଟମୋଟ କାମ କରିବା ଆରମ୍ଭ କରିଛନ୍ତି।

Left: Part of the two-room home where Vishal consumed a bottle of weedicide. Right: When her son collapsed with a thump, Sheela Khule rushed out of the kitchen to find Vishal lying on the floor
PHOTO • Jaideep Hardikar
Left: Part of the two-room home where Vishal consumed a bottle of weedicide. Right: When her son collapsed with a thump, Sheela Khule rushed out of the kitchen to find Vishal lying on the floor
PHOTO • Jaideep Hardikar

ବାମ:  ଦୁଇବଖୁରିଆ ଘରର ସେହି ଅଂଶ ଯେଉଁଠାରେ ବିଶାଲ ବାଳୁଙ୍ଗା ନାଶକର ଗୋଟିଏ ବୋତଲ ପିଇଥିଲେ। ଡାହାଣ: ଯେତେବେଳେ ତାଙ୍କ ପୁଅ ଜୋର୍‌ ଶବ୍ଦ କରି ତଳେ ପଡ଼ିଗଲା, ସିଲା ଖୁଲେ ରୋଷେଇଘରୁ ଦୌଡି ଆସି ଦେଖିଲେ ବିଶାଲ ଚଟାଣରେ ପଡ଼ିଛି

ଗ୍ରାମର ବୟସ୍କ ବ୍ୟକ୍ତି ଜାନକୀନାଥ ଖୁଲେଙ୍କ ଅନୁଯାୟୀ ବିଶାଲଙ୍କ ଆତ୍ମହତ୍ୟା ଦାରିଦ୍ର୍ୟ ସହ ବଢ଼ୁଥିବା ହତାଶା ଏବଂ ଅସହାୟ ଅନୁଭବର ମିଶ୍ରଣର ପରିଣତି।

ଖୁଲେ କୁହନ୍ତି, ‘‘ସେ ଅଧିକାଂଶ ସମୟରେ ମୋ ସହ ଗାଁର ଦାରିଦ୍ର୍ୟ ଏବଂ ସେ ଓ ତାଙ୍କ ବିଦ୍ୟାଳୟ ସାଥୀମାନଙ୍କ ଫରକ ବିଷୟରେ କଥା ହୁଏ’’।  ବିଶାଲ ତାଙ୍କୁ ଶ୍ରଦ୍ଧାରେ ଖୁଲେ କାକା (ଅଙ୍କଲ) ଡାକନ୍ତି। ‘‘[ବିଶାଲ] ତାଙ୍କ ପିତାମାତାଙ୍କ ସମସ୍ୟା ବିଷୟରେ କହୁଥିଲା ଏବଂ ଏଥିରେ ହତାଶ ହୋଇଥିଲା ଯେ ସେମାନଙ୍କ ପରିସ୍ଥିତି ବୋଧହୁଏ କେବେ ଶେଷ ହେବ ନାହିଁ।’’

ଗତ ବର୍ଷଗୁଡ଼ିକରେ ଦୀପାବଳି ଛୁଟି ସମୟରେ ବିଶାଲ ଏବଂ ବୈଭବ କ୍ଷେତରେ ସେମାନେ ବାପାଙ୍କୁ ସାହାଯ୍ୟ କରୁଥିଲେ। ୨୦୧୫ରେ ଖରିଫ ଫସଲ- ମୁଖ୍ୟତଃ ସୋୟାବିନ-ବିଫଳ ହେଲା। ଯଦିଓ ସେମାନେ କରିଥିବା ମସୁର ଡାଲି ଭଲ ଦାମ୍‌ରେ ବିକ୍ରି ହୋଇଥିଲା ତଥାପି ଅପର୍ଯ୍ୟାପ୍ତ ବୃଷ୍ଟି ଏହାର ଅମଳକୁ ପ୍ରଭାବିତ କରିଥିଲା। ବିଶାଲଙ୍କ ବାପା ଶୀତ ଦିନେ ମୁଗ ବୁଣିଥିଲେ, ଏଥିପାଇଁ ସଂଘର୍ଷରତ କୃଷକମାନଙ୍କୁ ମାଗଣା ବିହନ ବଣ୍ଟନ ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ଉଚିତ୍‌। କିନ୍ତୁ ଏହି ସହାୟତା ପଦକ୍ଷେପ କାମ କଲାନାହିଁ ବୋଲି ଗ୍ରାମବାସୀମାନେ କୁହନ୍ତି, କାରଣ ଏହି ଫସଲକୁ ପୋଷଣ ଦେବା ପାଇଁ ମାଟିରେ ପାଣି କିମ୍ବା ଆର୍ଦ୍ରତା ନଥିଲା। 

ବିଶ୍ୱନାଥ ଖୁଲେ କୁହନ୍ତି, କ୍ଷେତରେ କାମ ନଥିବାରୁ ଭାଇମାନେ ସ୍କୁଲ ଛୁଟିରେ ସାଙ୍ଗମାନଙ୍କ ସହ ଦିନ ମଜୁରୀରେ କାମ ଖୋଜିବା ପାଇଁ ଆକୋଲା ଯାଇଥିଲେ, କିନ୍ତୁ ଖାଲି ହାତରେ ଫେରିଲେ। ବିଶାଲ ଖୁବ୍‌ ଅସନ୍ତୁଷ୍ଟ ଥିଲା ଯେ ସେ ନିଜ ପାଇଁ ହଳେ ନୂଆ ପୋଷାକ କିଣିପାରିଲା ନାହିଁ କିମ୍ବା ତାଙ୍କ ବାପାଙ୍କୁ ଅର୍ଥାଭାବରେ ସାହାଯ୍ୟ କରିପାରିଲା ନାହିଁ ବୋଲି ଖୁଲେ କାକା କୁହନ୍ତି।

ଏ ପ୍ରକାର ଆତ୍ମହତ୍ୟା ମାମଲାରେ ବିଶାଲ ଏକୁଟିଆ ନଥିଲେ। ଗତ ଅକ୍ଟୋବର ମାସରେ ଆକୋଲାଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ଲାଟୁର ଜିଲ୍ଲାରେ ଜୁନିୟର କଲେଜର ଜଣେ ଛାତ୍ରୀ ଜଣେ କୃଷକଙ୍କର ୧୭ ବର୍ଷୀୟା ଝିଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।

ତାଙ୍କ ନୋଟ୍‌ରେ ସ୍ୱାତି ପିଟାଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କିଛି ବିବରଣୀ ବର୍ଣ୍ଣନା କରିଥିଲେ। ସେ ମରାଠୀରେ ଲେଖିଥିଲେ ସେ ଆଉ ତାଙ୍କ ବାପାଙ୍କ ଦୁର୍ଦ୍ଦଶାକୁ ସହ୍ୟ କରିପାରିବେ ନାହିଁ ଏବଂ ତାଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲେ। ସେ ଖୁବ୍‌ ଶୀଘ୍ର ବିବାହ ବୟସର ହୋଇଯିବେ ଏବଂ ଚାହୁଁନଥିଲେ ଯେ ତାଙ୍କ ପିତା ତାଙ୍କ ବିବାହ ପାଇଁ ଅତିରିକ୍ତ ଖର୍ଚ୍ଚ କରନ୍ତୁ। ଏହି ନୋଟ୍‌ରେ ସେ ତାଙ୍କ ପିତା ଋଣ ନେଇଥିବା ବ୍ୟାଙ୍କ ଏବଂ ସାହୁକାରମାନଙ୍କୁ ବିନତି କରିଥିଲେ। ସେ ସେମାନଙ୍କୁ ତାଙ୍କ ବାପାଙ୍କୁ ହଇରାଣ ନ କରିବା ପାଇଁ କହିଥିଲେ। ସେ କହିଥିଲେ ସେ ନିଶ୍ଚୟ ତାଙ୍କ ବଡ଼ ଝିଅର ବିବାହ ହୋଇଯିବା ପରେ ଋଣ ପରିଶୋଧ କରିଦେବେ। 

ସ୍ୱାତି କେଇଦିନ ହେବ କଲେଜରେ ଯୋଗ ଦେବା ବନ୍ଦ କରିଥିଲେ। କାରଣ ତାଙ୍କର ମାସିକ ବସ୍‌ ପାସ୍‌ ଶେଷ ହୋଇଯାଇଥିଲା ଏବଂ ତାଙ୍କ ପିତାମାତାଙ୍କ ପାଖରେ ଏହାର ନବୀକରଣ ପାଇଁ ଅର୍ଥ ନଥିଲା। ତାଙ୍କ ମାଆ ଜଣେ ପଡ଼ୋଶୀଙ୍କଠାରୁ ପାସ୍‌ ପାଇଁ ଟ. ୨୬୦ ଉଧାର କରିଥିଲେ। କିନ୍ତୁ ସ୍ୱାତୀ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କ୍ଲାସ ବନ୍ଦ କରିଥିଲେ ଏବଂ ପରୀକ୍ଷା ଦେବାକୁ ସମର୍ଥ ହେଲେ ନାହିଁ।

ସ୍ଥାନୀୟ ଖବରକାଗଜଗୁଡ଼ିକର ରିପୋର୍ଟ ଅନୁଯାୟୀ, ଯେତେବେଳେ ସ୍ୱାତୀ କିନଗାଓଁ ଗ୍ରାମରେ ଥିବା ତାଙ୍କ ପରିବାରର କ୍ଷେତରେ କୀଟନାଶକ ପିଇଲେ ସେତେବେଳେ ତାଙ୍କ ପିତା କାମର ସନ୍ଧାନରେ ଘରଛାଡ଼ି କର୍ଣ୍ଣାଟକ ଯାଇଥିଲେ।

ସେଠି ଦଧାମରେ ବୈଭବ ଖୁବ୍‌ ଚିନ୍ତାଶୀଳ ମନେହେଉଥିଲେ। ସେ କୁହନ୍ତି ଚୁଲି ଜଳିବା ପାଇଁ ସେ ନିଶ୍ଚୟ କାମ କରିବେ। ୧୮ବର୍ଷ ବୟସରେ ସେ ତାଙ୍କ ବାପାଙ୍କର ଶେଷ ଆଶା- ଏବଂ ବୋଧହୁଏ ସେ ତାଙ୍କର ଏକମାତ୍ର ସହଯୋଗୀ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar