ଏକ ଉତ୍ତପ୍ତ ଅପରାହ୍ଣରେ ଧଡ଼ଗାଓଁ କ୍ଷେତ୍ରର ଅକ୍ରାନି ତାଲୁକାରେ ରହୁଥିବା ଶେୱନ୍ତା ତଡ଼ଭି ମୁଣ୍ଡରେ ଓଢ଼ଣି ଦେଇ ନିଜର ଛୋଟିଆ ଛେଳି ପଲଙ୍କ ପଛରେ ଦୌଡ଼ୁଥାନ୍ତି। ଯେବେ ଗୋଟିଏ ଛେଳି ଛୁଆ ବୁଦା କିମ୍ବା କାହାର କ୍ଷେତ ଭିତରକୁ ପଶିଯାଉଛି ଭୂମିରେ ବାଡ଼ି ପିଟି ସେ ତା’କୁ ପୁଣିଥରେ ଛେଳି ପଲ ଭିତରକୁ ନେଇ ଆସୁଛନ୍ତି। “ମୋତେ ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ପଡ଼ୁଛି। ଛୋଟ ଛେଳିଗୁଡ଼ିକ ଅଧିକ ଦୁଷ୍ଟ। ସେମାନେ ଯେକୌଣସି ସ୍ଥାନକୁ ଦୌଡ଼ି ଯାଇପାରନ୍ତି”, ହସି ହସି ସେ କୁହନ୍ତି। “ସେମାନେ ଏବେ ମୋ ପିଲାଙ୍କ ଭଳି”।

ନନ୍ଦୁରବର ଜିଲ୍ଲାର ହାରାଙ୍ଖୁରିର ଗ୍ରାମର ମହାରାଜପଡ଼ାରେ ଥିବା ନିଜ ଘର ପାଖରୁ ସେ ପାଖାପାଖି ୪କି.ମି. ଦୂର ଜଙ୍ଗଲ ଭିତରକୁ ଚାଲିଆସିଛନ୍ତି। ଏଠାରେ ସେ ଘଞ୍ଚ ଜଙ୍ଗଲ, ପକ୍ଷୀଙ୍କ କଳରବ ଏବଂ ନିଜ ଛେଳିମାନଙ୍କ ସହିତ ସେ ଏକୁଟିଆ ଏବଂ ମୁକ୍ତ । ବାହାଘରର ୧୨ ବର୍ଷ ହେବ ପିଲାଟିଏ ନଥିବାରୁ ଏଠି ତାଙ୍କୁ କେହି ବାଞ୍ଝ, ଅଭିଶପ୍ତ ଏବଂ ଡାହାଣୀ ବୋଲି କହିବାକୁ କେହି ନାହାନ୍ତି।

“ପିଲା ନଥିବା ପୁରୁଷଙ୍କ ପାଇଁ ଏପରି ଅପମାନସୂଚକ ଶବ୍ଦ କାହିଁକି ନାହିଁ?” ପଚାରନ୍ତି ଶେୱନ୍ତା ।

ଶେୱନ୍ତା (ଛଦ୍ମନାମ)ଙ୍କୁ ଏବେ ୨୫ ବର୍ଷ। ମାତ୍ର ୧୪ ବର୍ଷ ବୟସରେ ସେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ରବି (୩୨) ଜଣେ କୃଷି ଶ୍ରମିକ। କାମ ମିଳିଲେ ଦିନକୁ ୧୫୦ ଟଙ୍କା ରୋଜଗାର କରନ୍ତି । ସେ ମଧ୍ୟ ଜଣେ ମଦ୍ୟପ। ମହାରାଷ୍ଟ୍ରର ଏହି ଆଦିବାସୀ ବହୁଳ ଜିଲ୍ଲାରେ ସେମାନେ ଭିଲ ନାମକ ଆଦିବାସୀ ସମୁଦାୟରୁ ଆସିଥାନ୍ତି । ଗତ ରାତିରେ, ଶେୱନ୍ତା କୁହନ୍ତି, ରବି (ଛଦ୍ମନାମ)  ତାଙ୍କୁ ପିଟିଥିଲେ। “ଏଥିରେ ନୂଆ କିଛି ନାହିଁ”, ସେ କୁହନ୍ତି। “ମୁଁ ତାଙ୍କୁ ପିଲାଟିଏ ଦେଇପାରୁନାହିଁ । ଡାକ୍ତର କହିଛନ୍ତି, ମୋ ଗର୍ଭାଶୟରେ ସମସ୍ୟା ରହିଛି ତେଣୁ ମୁଁ ଆଉଥରେ ଗର୍ଭଧାରଣ କରିପାରିବି ନାହିଁ।

୨୦୧୦ରେ ଧଡ଼ଗାଓଁ ଗ୍ରାମାଞ୍ଚଳ ଡାକ୍ତରଖାନାରେ ଶେୱନ୍ତାଙ୍କର ଗର୍ଭପାତ ହୋଇଥିଲା। ଏହାପରେ ତାଙ୍କଠାରେ ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ (ପିସିଓଏସ) ନାମକ ରୋଗ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କ ଗର୍ଭାଶୟ ନଷ୍ଟ ହୋଇଯାଇଥିଲା। ଏହି ଅଘଟଣ ସମୟରେ ସେ ତିନି ମାସର ଗର୍ଭବତୀ ଥିଲେ, ତାଙ୍କୁ ସେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା।

When Shevanta Tadvi is out grazing her 12 goats near the forest in Maharajapada hamlet, she is free from taunts of being 'barren'
PHOTO • Jyoti Shinoli

ଯେତେବେଳେ ଶେୱନ୍ତା ତାଡ଼ୱି ମହାରାଜପଦ ହାମଲେଟରେ ଥିବା ଜଙ୍ଗଲକୁ ନିଜର ୧୨ଟି ଛେଳିକୁ ନେଇ ଚରାଇବାକୁ ଯାଆନ୍ତି ସେତେବେଳେ ସେଠାରେ ତାଙ୍କୁ କେହି ‘ବାଞ୍ଝ’ ବୋଲି କହିବାକୁ ନଥାନ୍ତି ।

ପିସିଓଏସ ଏକ ହରମୋନ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସମସ୍ୟା ଯାହା ପ୍ରାପ୍ତ ବୟସ୍କ ମହିଳାଙ୍କଠାରେ ଦେଖାଦେଇଥାଏ। ଏଥିରେ ପୀଡ଼ିତ ମହିଳାଙ୍କଠାରେ ଅନିୟମିତ କିମ୍ବା ଦୀର୍ଘକାଳିନ ଋତୁସ୍ରାବ ସମସ୍ୟା, ଉଚ୍ଚ ଆଣ୍ଡ୍ରୋଜେନ ସ୍ତର ଏବଂ ଡିମ୍ବାଶୟର ଆକାର ବୃଦ୍ଧି ଆଦି ସମସ୍ୟା ଦେଖାଦେଇଥାଏ । ଏହି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ବନ୍ଧ୍ୟାତ୍ୱ, ଗର୍ଭପାତ ଓ ଅକାଳ ସନ୍ତାନ ପ୍ରସବ ଆଦି ଘଟିଥାଏ ।

“ପିସିଓଏସ, ଆନେମିଆ, ସିକଲ ସେଲ, ଦୁର୍ବଳ ସ୍ୱଚ୍ଛତା ଏବଂ ଯୌନ ରୋଗ କାରଣରୁ ମହିଳାଙ୍କଠାରେ ବନ୍ଧ୍ୟାତ୍ୱ ଦେଖାଦେଇଥାଏ”, ବୋଲି କୁହନ୍ତି ମୁମ୍ବାଇସ୍ଥିତ ଫେଡେରେସନ ଅଫ ଓବଷ୍ଟେଟ୍ରିକ ଆଣ୍ଡ ଗାଏନୋକୋଲୋଜିକାଲ ସୋସାଇଟି ଅଫ ଇଣ୍ଡିଆର ଅଧ୍ୟକ୍ଷା ଡ. କୋମଲ ଚହ୍ୱନ । 

ଶେୱନ୍ତା କୁହନ୍ତି, ୨୦୧୦ର ଘଟଣା ଏବେ ବି ମୋର ମନେ ଅଛି- ସେଦିନ ତାଙ୍କର ଗର୍ଭପାତ ହୋଇଥିଲା ଓ ସେ ପିସିଓଏସରେ ପୀଡ଼ିତ ବୋଲି ଜାଣିପାରିଥିଲେ । ମୁଣ୍ଡ ଉପରେ ଟାଣ ଖରାରେ ସେ ବିଲରେ ହଳ କରୁଥିଲେ । “ସକାଳୁ ମୋ ତଳି ପେଟରେ ଯନ୍ତ୍ରଣା ହେଉଥିଲା”, ସେ ମନେ ପକାନ୍ତି । “ମୋ ସ୍ୱାମୀ ମୋତେ ଡାକ୍ତର ପାଖକୁ ନେଇଯିବା ଲାଗି ମନା କଲେ, ତେଣୁ ମୁଁ ଯନ୍ତ୍ରଣାକୁ ଅଣଦେଖା କରି କାମକୁ ଗଲି” । ଦ୍ୱିପ୍ରହରରେ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଲା । “ମୋର ରକ୍ତସ୍ରାବ ହେଲା । ମୋ ଶାଢ଼ି ରକ୍ତରେ ଭିଜିଗଲା । କ’ଣ ଘଟୁଥିଲା ମୁଁ ଜାଣିପାରୁନଥିଲି,” ସେ କୁହନ୍ତି । ଯେତେବେଳେ ସେ ଅଚେତ ହୋଇପଡ଼ିଲେ, ଅନ୍ୟ କୃଷି ଶ୍ରମିକମାନେ ତାଙ୍କୁ ସେଠାରୁ ୨ କିମି ଦୂର ଧଡ଼ଗାଓଁ ହସ୍ପିଟାଲକୁ ନେଇଗଲେ ।

ସେ ପିସିଓଏସରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତାଙ୍କ ଜୀବନ ଆଉ ଆଗ ଭଳି ରହିଲା ନାହିଁ ।

ଶାରୀରିକ ସମସ୍ୟା ଶେୱନ୍ତାଙ୍କ ବନ୍ଧ୍ୟାତ୍ୱର କାରଣ ବୋଲି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ତାଙ୍କର ସ୍ୱାମୀ। “ମୁଁ କାହିଁକି ଗର୍ଭଧାରଣ କରିପାରୁନାହିଁ ସେ କେମିତି ଜାଣିବେ, ସେ ତ’ ମୋତେ ଥରେ ହେଲେ ଡାକ୍ତର ଦେଖାଇବାକୁ ନେଇନାହାନ୍ତି?” ପଚାରନ୍ତି ଶେୱନ୍ତା । ଅନ୍ୟପଟେ ସେ ତାଙ୍କ ସହିତ ଅନେକ ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିଥାନ୍ତି, ଏପରିକି ବେଳେ ବେଳେ ତାଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥାନ୍ତି । “ମୋର ଋତୁସ୍ରାବ ହେବା ସମୟରେ, ଏପରିକି ବହୁ ଚେଷ୍ଟା କରିବା ପରେ ସେ ହତାଶ ହୋଇପଡ଼ିଥାନ୍ତି, ଯାହା ତାଙ୍କୁ ଅଧିକ ଆକ୍ରମଣାତ୍ମକ(ସହବାସ ସମୟରେ)  କରି ଦେଇଥାଏ,”ଶେୱନ୍ତା କୁହନ୍ତି । “ମୁଁ ଏହାକୁ (ସହବାସକୁ) ପସନ୍ଦ କରେ ନାହିଁ,” ବୋଲି ସେ ସଙ୍କୋଚର ସହିତ କହିଥାନ୍ତି । “ଏହା ଖୁବ ଯନ୍ତ୍ରଣା ଦେଇଥାଏ, ବେଳେ ବେଳେ ପୋଡ଼ିଥାଏ ଓ ଆଉ କେତେବେଳେ କୁଣ୍ଡାଇ ହୋଇଥାଏ । ଏମିତି ୧୦ ବର୍ଷ ହେବ ଚାଲିଆସୁଛି । ପ୍ରଥମେ ପ୍ରଥମେ ମୁଁ କାନ୍ଦୁଥିଲି, କିନ୍ତୁ ଏବେ କାନ୍ଦିବା ବନ୍ଦ କରି ଦେଇଛି’’ ।

ଏବେ ତାଙ୍କର ଧାରଣା ହୋଇଗଲାଣି ଯେ ବନ୍ଧ୍ୟାତ୍ୱ ଓ ସାମାଜିକ ଅପବାଦ, ଅସୁରକ୍ଷା ଓ ନିସଙ୍ଗତା, ତାଙ୍କ ଭାଗ୍ୟରେ ଅଛି । “ବାହାଘର ପୂର୍ବରୁ ମୁଁ ବେଶୀ କଥାବାର୍ତ୍ତା କରୁଥିଲି । ଯେତେବେଳେ ମୁଁ ପ୍ରଥମେ ଏଠାକୁ ଆସିଲି, ପଡ଼ୋଶୀ ମହିଳାମାନେ ମୋ ସହିତ ବନ୍ଧୁ ଭଳି ବ୍ୟବହାର କରୁଥିଲେ । କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଯେ ବାହାଘରର ୨ ବର୍ଷ ପରେ ମଧ୍ୟ ମୁଁ ଗର୍ଭଧାରଣ କରିପାରୁନାହିଁ, ସେମାନେ ମୋ ସହିତ ମିଶିବା ଛାଡ଼ିଦେଲେ । ସେମାନେ ନିଜ ନବଜାତ ଶିଶୁଙ୍କୁ ମୋ ପାଖକୁ ଛାଡ଼ନ୍ତି ନାହିଁ । ସେମାନେ କୁହନ୍ତି, ମୁଁ ଜଣେ ପାପୀ [ପାପିନୀ].” ।

Utensils and the brick-lined stove in Shevanta's one-room home. She fears that her husband will marry again and then abandon her
PHOTO • Jyoti Shinoli

ଶେୱନ୍ତାଙ୍କ ବଖୁରିକିଆ ଘରେ ବାସନ ଓ ଇଟାରେ ତିଆରି ଚୁଲି । ତାଙ୍କର ଡର ଯେ ତାଙ୍କ ସ୍ୱାମୀ ଆଉ ଥରେ ବାହା ହୋଇ ତାଙ୍କୁ ଘରୁ ବାହାର କରିଦେବେ ।

ପରିବାରର ବଖୁରିକିଆ ଇଟା ଘରେ କିଛି ବାସନକୁସନ ଓ ଇଟା ତିଆରି ଚୁଲି ସହିତ ନିଃସଙ୍ଗ ଓ ହତାଶାପୂର୍ଣ୍ଣ ଜୀବନ ବିତାଉଥିବା ଶେୱନ୍ତା ଭୟ କରୁଛନ୍ତି ଯେ ତାଙ୍କ ସ୍ୱାମୀ ଆଉ ଥର ବାହା ହୋଇପଡ଼ିବେ । “ମୁଁ ଆଉ କୁଆଡ଼େ ଯାଇପାରିବି ନାହିଁ”, ସେ କୁହନ୍ତି । ମୋ ବାପାମା’ ଏକ ମାଟି ଘରେ ରହୁଛନ୍ତି, ଦିନକୁ ୧୦୦ ଟଙ୍କା ପାଇଁ ଅନ୍ୟମାନଙ୍କ ଚାଷ ଜମିରେ କାମ କରୁଛନ୍ତି। ମୋର ୪ ଭଉଣୀ ସେମାନଙ୍କ ନିଜ ଜୀବନକୁ ନେଇ ବ୍ୟସ୍ତ । ମୋ ଶାଶୂଘର ଲୋକ ମୋ ସ୍ୱାମୀଙ୍କ ପାଇଁ ଆଉ ଏକ କନ୍ୟା ଖୋଜୁଛନ୍ତି । ଯଦି ମୋତେ ସେ ବାହାର କରି ଦିଅନ୍ତି ମୁଁ କୁଆଡ଼େ ଯିବି?”

ଶେୱନ୍ତା ଜଣେ କୃଷି ଶ୍ରମିକ ଭାବେ ଦିନକୁ ୧୦୦ ଟଙ୍କା ମଜୁରିରେ ବର୍ଷକୁ ୧୬୦ ଦିନର କାମ ପାଆନ୍ତି। ମାସକୁ ୧୦୦୦-୧୫୦୦ ଟଙ୍କା ରୋଜଗାର କରିବା ତାଙ୍କ ପାଇଁ ଭାଗ୍ୟର କଥା। କିନ୍ତୁ ଏହି ଉପାର୍ଜନ ଉପରେ ତାଙ୍କର ଅଧିକାର ନଥାଏ। “ମୋର ରାସନ କାର୍ଡ ନାହିଁ,” ସେ କୁହନ୍ତି। “ମୋତେ ଚାଉଳ, ଯଅ ଅଟା, ତେଲ ଓ ଲଙ୍କାଗୁଣ୍ଡ ପାଇଁ ମାସକୁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଅବଶିଷ୍ଟ ଟଙ୍କା ମୋ ସ୍ୱାମୀ ମୋ ଠାରୁ ନେଇଯାଆନ୍ତି । ଘର ଖର୍ଚ୍ଚ ପାଇଁ ଟଙ୍କାଟିଏ ସୁଦ୍ଧା ଦିଅନ୍ତି ନାହିଁ, ଚିକିତ୍ସା ଖର୍ଚ୍ଚ ତ’ ଦୂରର କଥା। ପଚାରିଲେ ଓଲଟି ମୋତେ ମାଡ଼ ମାରନ୍ତି। ମଦ ପିଇ ଟଙ୍କା ଉଡ଼ାଇବା ବ୍ୟତୀତ ବାକି ଅର୍ଥରେ ସେ କ’ଣ କରନ୍ତି ମୁଁ ଜାଣିନାହିଁ” ।

ଦିନ ଥିଲା ତାଙ୍କ ପାଖରେ ୨୦ଟି ଛେଳି ଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଗୋଟିଏ ପରେ ଗୋଟିଏ ବିକ୍ରି କରିଚାଲିଛନ୍ତି, ଏବେ ତାଙ୍କ ପାଖରେ ମାତ୍ର ୧୨ଟି ଛେଳି ରହିଛନ୍ତି ।

ଆର୍ଥିକ ଚାପ ସତ୍ତ୍ୱେ ଶେୱନ୍ତା ସନ୍ତାନହୀନତା ସମସ୍ୟାର ଚିକିତ୍ସା ନିମନ୍ତେ ନିଜ ଗାଁ ଠାରୁ ୬୧ କିମି ଦୂର ଶାହାଡ଼େ ସହରରେ ରହୁଥିବା ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ୨୦୧୫ରେ ଗର୍ଭଧାରଣ ଚିକିତ୍ସା ନିମନ୍ତେ ସେ କ୍ଲୋମିଫେନ ଥେରାପି କରାଇଥିଲେ। ଏଥିପାଇଁ ସେ ୩ ମାସରେ ୬,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଏହାପରେ ୨୦୧୬ରେ ସେ ଆହୁରି ତିନି ମାସ ପାଇଁ ସେ ଏହି ଚିକିତ୍ସାର ସୁବିଧା ନେଇଥିଲେ। “ସେତେବେଳେ ଧଡ଼ଗାଓଁ ଡାକ୍ତରଖାନାରେ କୌଣସି ଔଷଧ ନଥିଲା, ତେଣୁ ମୁଁ ମୋ ମା’ଙ୍କ ସହିତ ଶାହାଡେରେ ଥିବା ଘରୋଇ କ୍ଲିନିକକୁ ଯାଇଥିଲି”, ବୋଲି ସେ ମୋତେ କୁହନ୍ତି ।

୨୦୧୮ରେ ସେ ଧଡ଼ଗାଓଁ ଗ୍ରାମାଞ୍ଚଳ ଡାକ୍ତରଖାନାରେ ସେ ଏହି ଚିକିତ୍ସା ମାଗଣାରେ ପାଇଲେ, ମାତ୍ର  ତୃତୀୟ ଥର ପାଇଁ ସେ ଗର୍ଭଧାରଣରେ ବିଫଳ ହେଲେ। “ଏହାପରେ ମୁଁ ଚିକିତ୍ସା ବିଷୟରେ ଚିନ୍ତା କରିବା ବନ୍ଦ କରି ଦେଇଛି,” ହତାଶ ଶେୱନ୍ତା କୁହନ୍ତି । “ଏବେ ମୋ ଛେଳି ମୋ ପିଲା”।

Many Adivasi families live in the hilly region of Dhadgaon
PHOTO • Jyoti Shinoli

ପାହାଡ଼ିଆ ଧଡ଼ଗାଓଁ ଅଞ୍ଚଳରେ ବହୁସଂଖ୍ୟକ ଆଦିବାସୀ ପରିବାର ରହିଥାନ୍ତି

୩୦ଶଯ୍ୟା ବିଶିଷ୍ଟ ଧଡ଼ଗାଓଁ ଗ୍ରାମାଞ୍ଚଳ ଡାକ୍ତରଖାନାରେ ଆଖପାଖର ୧୫୦ଖଣ୍ଡ ଗାଁର ଲୋକ ନିର୍ଭର କରିଥାନ୍ତି । ପ୍ରତିଦିନ ଏଠାକାର ବର୍ହିବିଭାଗରେ ପ୍ରାୟ ୪୦୦ ରୋଗୀ ପଞ୍ଜିକରଣ କରିଥାନ୍ତି। ଏହି ଡାକ୍ତରଖାନାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ସନ୍ତୋଷ ପରମାର କୁହନ୍ତି, “ରୋଗର ଚିକିତ୍ସା ଭିନ୍ନ ଭିନ୍ନ ମାମଲାରେ ଭିନ୍ନ ଭିନ୍ନ ହୋଇଥାଏ। କ୍ଲୋମିଫେନ ସାଇଟ୍ରେଟ, ଗୋନାଡୋଟ୍ରୋପିନ୍ସ ଏବଂ ବ୍ରୋମୋକ୍ରିପ୍ଟାଇନ ଆଦି ଔଷଧ କିଛି ରୋଗୀଙ୍କଠାରେ କାମ ଦେଇଥାଏ। ଅନ୍ୟ ମାମଲାରେ ଇନ ଭିଟ୍ରୋ ଫର୍ଟିଲାଇଜେସନ ଏବଂ ଇଣ୍ଟ୍ରାୟୁଟେରାଇନ ଇନସେମିନେସନ (ଆଇୟୁଆଇ) ଭଳି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଉପଯୋଗ କରିବାକୁ ପଡ଼ିଥାଏ।

ମୌଳିକ ସେବା ଯେପରିକି ସିମେନ ଆନାଲିସିସ, ସ୍ପର୍ମ କାଉଣ୍ଟ, ରକ୍ତ ଓ ମୂତ୍ର ପରୀକ୍ଷା ଏବଂ ଜେନିଟାଲ ପରୀକ୍ଷା ଆଦି ସୁବିଧା ଧଡ଼ଗାଓଁ ଡାକ୍ତରଖାନାରେ ଉପଲବ୍ଧ ବୋଲି ପରମାର କୁହନ୍ତି, କିନ୍ତୁ ଅତ୍ୟାଧୁନିକ ଗର୍ଭଧାରଣ ଚିକିତ୍ସା ସୁବିଧା ଏଠାରେ ନାହିଁ, ଏପରିକି ନନ୍ଦୁରବର ସହରାଞ୍ଚଳ ଡାକ୍ତରଖାନାରେ ମଧ୍ୟ ଏହି ସୁବିଧା ମିଳିନଥାଏ। “ଏହି କାରଣରୁ ସନ୍ତାନହୀନତା ଭୋଗୁଥିବା ଦମ୍ପତିମାନଙ୍କୁ ଘରୋଇ କ୍ଲିନିକଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଥାଏ ଯେଉଁଠି ଚିକିତ୍ସା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ”, ବୋଲି ପରମାର କୁହନ୍ତି। ଡାକ୍ତରଖାନାରେ ପରମାର ହିଁ ଏକମାତ୍ର ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କୁ ଗର୍ଭନିରୋଧକ ସେବାଠାରୁ ଆରମ୍ଭ କରି ମାତୃ ଓ ନବଜାତ ଶିଶୁ ଯତ୍ନ ପର୍ଯ୍ୟନ୍ତ ସମସ୍ତ ଡାକ୍ତରୀ ସେବା ବୁଝିବାକୁ ହୋଇଥାଏ।

୨୦୦୯ ପେପର୍‌ ହେଲଥ ପଲିସି ଆଣ୍ଡ ପ୍ଲାନିଂ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଅଧ୍ୟୟନ ଅନୁଯାୟୀ, ଭାରତରେ ସନ୍ତାନହୀନତାର ହାର ଖୁବ ଅଳ୍ପ ପରିମାଣରେ ଦେଖିବାକୁ ମିଳିଥାଏ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ (NFHS-4; ୨୦୧୫-୧୬)ରେ ମାତ୍ର ୩.୬ ପ୍ରତିଶତ ୪୦-୪୪ ବର୍ଷ ବୟସର ମହିଳା ଆଦୌ ସନ୍ତାନ ଜନ୍ମ ଦେଇନାହାନ୍ତି କିମ୍ବା ସନ୍ତାନହୀନ ରହିଛନ୍ତି । ଜନସଂଖ୍ୟା ସ୍ଥିରତା ଉପରେ ବିଶେଷ ଜୋର ଦିଆଯିବା କାରଣରୁ ସନ୍ତାନହୀନତା ନିରାକରଣ ଏବଂ ଯତ୍ନକୁ ଜନସ୍ୱାସ୍ଥ୍ୟ ସେବାର ସବୁଠୁ ଅବହେଳିତ ଏବଂ କମ୍ ପ୍ରାଥମିକତା କ୍ଷେତ୍ର ଭାବେ ବିବେଚନା କରାଯାଇଆସିଛି।

ଏହି ପ୍ରସଙ୍ଗକୁ ଆହୁରି ଆଗକୁ ନେଇ ଶେୱନ୍ତା ପ୍ରଶ୍ନ କରନ୍ତି, “ଜନ୍ମ ନିୟନ୍ତ୍ରଣ ଲାଗି ସରକାର କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଯୋଗାଇ ଦେଉଛନ୍ତି; ସରକାର କ’ଣ ଏଠି ସନ୍ତାନହୀନତା ସମସ୍ୟାର ମାଗଣା ଚିକିତ୍ସା ଯୋଗାଇ ଦେଇପାରିବେ ନାହିଁ?”

୧୨ଟି ରାଜ୍ୟରେ ଏକ ୨୦୧୨-୧୩ରେ ଅଧ୍ୟୟନ  କରାଯାଇଥିଲା, ଯାହାକି ଇଣ୍ଡିଆ ଜର୍ଣ୍ଣାଲ ଅଫ କମ୍ୟୁନିଟି ମେଡ଼ିସିନରେ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ ରହିଛି ଯେ ଅଧିକାଂଶ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜନ୍ମ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ମୌଳିକ ଭିତ୍ତିଭୂମି ଏବଂ ନିଦାନ ସୁବିଧା ରହିଛି । ମାତ୍ର ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ନାହିଁ। ସିମେନ ପରୀକ୍ଷା ସୁବିଧା ୯୪ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ୭୯ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ। ଅତ୍ୟାଧୁନିକ ପରୀକ୍ଷାଗାର ସୁବିଧା ୪୨ ପ୍ରତିଶତ ଜିଲ୍ଲା ଡାକ୍ତରଖାନା ଏବଂ ମାତ୍ର ୮ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ରହିଛି । ମାତ୍ର ୨୫ ପ୍ରତିଶତ ଜିଲ୍ଲା ଡାକ୍ତରଖାନାରେ ଡାଇଗ୍ନୋଷ୍ଟିକ ଲାପ୍ରୋସ୍କୋପି ଏବଂ ୮ ପ୍ରତିଶତରେ ହିଷ୍ଟେରୋସ୍କୋପି ସୁବିଧା ଉପଲବ୍ଧ ରହିଛି। କ୍ଲୋମିଫିନ ସହିତ ଓଭୁଲେସନ ଇଣ୍ଡକ୍ସନ ଭଳି ଗର୍ଭଧାରଣ ଚିକିତ୍ସା ସୁବିଧା ୮୩ ପ୍ରତିଶତ ଜିଲ୍ଲା ଡାକ୍ତରଖାନାରେ ଉପଲବ୍ଧ ଥିବା ବେଳେ ମାତ୍ର ୩୩ ପ୍ରତିଶତ ଡାକ୍ତରଖାନାରେ ଗୋନାଡୋଟ୍ରୋଫିନ୍ସ ଭଳି ସୁବିଧା ରହିଛି । ସନ୍ତାନହୀନତା ଚିକିତ୍ସା ପାଇଁ ଏ ସମସ୍ତ ଡାକ୍ତରଖାନାରେ ଜଣେ ହେଲେ କର୍ମଚାରୀଙ୍କୁ କୌଣସି ସେବା ପ୍ରଶିକ୍ଷଣ ଦିଆଯାଇନାହିଁ।

“ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ନାସିକ ଚାପ୍ଟରର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଚନ୍ଦ୍ରକାନ୍ତ ଶାଙ୍କଲେଚା କୁହନ୍ତି, ଚିକିତ୍ସା ସୁବିଧା ନମିଳିବା ଏକ ପ୍ରସଙ୍ଗ’’। ତେବେ ଅଧିକାଂଶ ଗ୍ରାମାଞ୍ଚଳ ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ଅଭାବ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ। “ସନ୍ତାନହୀନତା ଚିକିତ୍ସା ନିମନ୍ତେ ତାଲିମପ୍ରାପ୍ତ ଏବଂ ଯୋଗ୍ୟ କର୍ମଚାରୀ ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣର ଆବଶ୍ୟକତା ଜରୁରି। ସରକାର ମାତୃ ସ୍ୱାସ୍ଥ୍ୟ ଏବଂ ନବଜାତ ଶିଶୁ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଥିବା କାରଣରୁ ପ୍ରାଥମିକ କିମ୍ବା ସାର୍ବଜନୀନ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଲଭ ମୂଲ୍ୟରେ ସନ୍ତାନହୀନତା ଚିକିତ୍ସା ସୁବିଧା ମିଳିବା ଆର୍ଥିକ ଦୃଷ୍ଟିରୁ କଷ୍ଟକର ହୋଇପଡ଼ିଛି’’।

Geeta Valavi spreading kidney beans on a charpoy; she cultivates one acre in Barispada without her husband's help. His harassment over the years has left her with backaches and chronic pains
PHOTO • Jyoti Shinoli

ଖଟିଆ ଉପରେ ରାଜମା ଶୁଖାଉଛନ୍ତି ଗୀତା ବଲ୍ଲଭୀ; ସେ ନିଜ ସ୍ୱାମୀଙ୍କ ବିନା ସହାୟତାରେ ବାର୍ସିପଡ଼ାରେ ଗୋଟିଏ ଏକର ଜମିରେ ରାଜମା ଚାଷ କରିଛନ୍ତି। ବର୍ଷ ବର୍ଷ ଧରି ନିର୍ଯାତନା ସହି ଆସୁଥିବାରୁ ତାଙ୍କର ଏବେ ପିଠି ଯନ୍ତ୍ରଣା ଓ ଗଣ୍ଠି ଯନ୍ତ୍ରଣା ବାହାରି ପଡ଼ିଲାଣି।

ଶେୱନ୍ତାଙ୍କ ଗାଁ ଠାରୁ ୫ କିମି ଦୂର ବାର୍ସିପଡ଼ାରେ ଥିବା ନିଜ କଚ୍ଚା ଘର ଆଗରେ ଖଟିଆ ଉପରେ ରାଜମା ଶୁଖାଉଛନ୍ତି ଗୀତା ବଲ୍ଲଭୀ। ୧୭ ବର୍ଷ ପୂର୍ବେ ଗୀତା (୩୦) କୃଷି ଶ୍ରମିକ ସୁରଜ (୪୫)ଙ୍କୁ ବିବାହ କରିଥିଲେ । ସେ ପ୍ରଚୁର ମଦ ପିଅନ୍ତି । ସେମାନେ ମଧ୍ୟ ଭିଲ ଜନଜାତିର ଲୋକ। ସ୍ଥାନୀୟ ଆଶାକର୍ମୀ ବହୁ ଅନୁରୋଧ କରିବା ପରେ ସୁରଜ (ଛଦ୍ମନାମ) ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ତାଙ୍କର ଶୁକ୍ରାଣୁ ଗଣନା କମ ଥିବା ୨୦୧୦ରେ ଜଣାପଡ଼ିଥିଲା। ଏହାର କିଛିବର୍ଷ ପୂର୍ବରୁ ୨୦୦୫ରେ ଏହି ଦମ୍ପତି ଏକ ପୋଷ୍ୟ କନ୍ୟା ଗ୍ରହଣ କରିଥିଲେ। କିନ୍ତୁ ଗର୍ଭଧାରଣ କରିପାରୁନଥିବାରୁ ଗୀତାଙ୍କ ଶାଶୂ ଓ ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେଇଥାନ୍ତି । “ସମସ୍ୟା ତାଙ୍କର ମୋର ନୁହେଁ, କିନ୍ତୁ ସନ୍ତାନହୀନତା ପାଇଁ ସେ ମୋତେ ହିଁ ଦୋଷ ଦେଇଥାନ୍ତି। ମୁଁ ଜଣେ ମହିଳା ତେଣୁ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ”, ଗୀତା କୁହନ୍ତି। 

୨୦୧୯ରେ, ଗୀତା (ଛଦ୍ମନାମ) ନିଜର ଗୋଟିଏ ଏକର ଚାଷ ଜମିରେ ୨୦ କିଗ୍ରା ରାଜମା ଏବଂ ଗୋଟିଏ କୁଇଣ୍ଟାଲ ଯଅ ଚାଷ କରିଥିଲେ। “ଏହା ଘରେ ଖାଇବାକୁ ଅଛି। ମୋ ସ୍ୱାମୀ ଜମିରେ କିଛି କରନ୍ତି ନାହିଁ । କୃଷି ଶ୍ରମିକ ଭାବେ ସେ ଯାହା ରୋଜଗାର କରନ୍ତି, ତା’କୁ ମଦ ଓ ଜୁଆରେ ଉଡ଼ାଇ ଦିଅନ୍ତି”, ଗୀତା ରାଗରେ ଦାନ୍ତ କାମୁଡ଼ି କୁହନ୍ତି। “ସେ ବେକାର ବସି ଖାଆନ୍ତି!”

“ମଦ ପିଇ ଘରକୁ ଆସିଲେ, ମୋତେ ଗୋଇଠା ମାରନ୍ତି, ବେଳେ ବେଳେ ବାଡ଼ିରେ ପିଟନ୍ତି। ଭଲ ଥିଲେ ମୋ ସହିତ ଆଦୌ କଥା ହୁଅନ୍ତି ନାହିଁ,” ଗୀତା କୁହନ୍ତି। ଦୀର୍ଘ ବର୍ଷ ଧରି ଘରୋଇ ନିର୍ଯାତନାର ଶିକାର ହୋଇ ତାଙ୍କର କାନ୍ଧ ଓ ବେକଯନ୍ତ୍ରଣା ଆରମ୍ଭ ହୋଇଗଲାଣି।

“ଆମେ ମୋ ଭିଣୋଇଙ୍କ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥିଲୁ, କିନ୍ତୁ ମୋ ସ୍ୱାମୀ ନିଜର ପିଲା ଚାହିଁଲେ, ତାହା ପୁଣି ଗୋଟିଏ ପୁଅ, ତେଣୁ ସେ ଆଶା ତାଇଙ୍କ ପରାମର୍ଶ ଅନୁଯାୟୀ କଣ୍ଡୋମ ବ୍ୟବହାର କରିବାକୁ ମନା କରିଦେଲେ ଏବଂ ମଦ ପିଇବା ମଧ୍ୟ ଛାଡ଼ିଲେ ନାହିଁ,” ଗୀତା କୁହନ୍ତି । ଆଶା କର୍ମୀ ପ୍ରତି ସପ୍ତାହରେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୁଝିବା ଲାଗି ଆସନ୍ତି, ଏବଂ ତାଙ୍କୁ ପରାମର୍ଶ ଦିଅନ୍ତି ଯେ ତାଙ୍କର ସ୍ୱାମୀ କଣ୍ଡୋମ ବ୍ୟବହାର କରିବା ଉଚିତ। କାରଣ ଦୀର୍ଘ ଦିନ ହେବ ଗୀତାଙ୍କର ସହବାସ ମମୟରେ ଯନ୍ତ୍ରଣା, ଗୁପ୍ତାଙ୍ଗ ଫୁଲିଯିବା, ପରିସ୍ରା ସମୟରେ ଯନ୍ତ୍ରଣା ହେବା, ଅନିୟମିତ ଋତୁସ୍ରାବ, ତଳିପେଟରେ ଯନ୍ତ୍ରଣା ଭଳି ଯୌନ ସଂକ୍ରମଣ ଜନିତ ରୋଗ କିମ୍ବା ପ୍ରଜନନ ନଳୀ ସଂକ୍ରମଣ ଭଳି ସମସ୍ୟା ଦେଖାଦେଉଛି ।

ଡାକ୍ତରୀ ଚିକିତ୍ସା କରାଇବା ଲାଗି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଗୀତାଙ୍କୁ ପରାମର୍ଶ ଦେଇଛନ୍ତି, କିନ୍ତୁ ସେ ଏସବୁ ଚିନ୍ତା ଛାଡ଼ି ଦେଇଛନ୍ତି। ସବୁ ଲକ୍ଷଣକୁ ସେ ଅଣଦେଖା କରୁଛନ୍ତି । “ଡାକ୍ତର ଦେଖାଇବା ଏବଂ ଚିକିତ୍ସା କରାଇବାର ଲାଭ କ’ଣ ଅଛି?” ଗୀତା ପଚାରନ୍ତି। “ଔଷଧ ହୁଏତ ମୋର ଶାରୀରିକ ଯନ୍ତ୍ରଣା କମାଇ ଦେଇପାରେ, କିନ୍ତୁ ମୋ ସ୍ୱାମୀ କ’ଣ ମଦ ପିଇବା ଛାଡ଼ିଦେବେ? ମୋତେ ମାଡ଼ମାରିବା ଛାଡ଼ିଦେବେ?”

ଡାକ୍ତର ପର୍ମାର କୁହନ୍ତି ତାଙ୍କ ପାଖକୁ ପ୍ରତି ମାସରେ ଚାରିରୁ ପାଞ୍ଚ ଜଣ ଏପରି ସନ୍ତାନହୀନ ଦମ୍ପତି ଆସିଥାନ୍ତି ଯେଉଁମାନଙ୍କଠାରେ ମୁଖ୍ୟତଃ ସ୍ୱାମୀଙ୍କ କମ୍ ଶୁକ୍ରାଣୁ କ୍ଷରଣ ହିଁ ଏହି ସମସ୍ୟାର ମୂଳ କାରଣ ହୋଇଥାଏ। “ପୁରୁଷଙ୍କ କାରଣରୁ ସନ୍ତାନହୀନତା ସମସ୍ୟା ପ୍ରତି ଅଣଦେଖା କରାଯିବା ଯୋଗୁଁ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିଥାଏ”, ବୋଲି ସେ କୁହନ୍ତି। “କିନ୍ତୁ ଅଧିକାଂଶ ସମୟରେ କେବଳ ମହିଳାମାନେ ଆସିଥାନ୍ତି । ପୁରୁଷମାନେ ଏହାକୁ ବୁଝିବା ଏବଂ ପରୀକ୍ଷା କରାଇ ନେବା ଜରୁରି, ସେମାନେ ସବୁ ଦୋଷ ମହିଳାଙ୍କ ଉପରେ ଲଦିବା ଅନୁଚିତ।

PHOTO • Jyoti Shinoli

ଜନସଂଖ୍ୟା ସ୍ଥିରତା ଉପରେ ବିଶେଷ ଜୋର ଦିଆଯିବା କାରଣରୁ ସନ୍ତାନହୀନତା ନିରାକରଣ ଏବଂ ଯତ୍ନକୁ ଜନସ୍ୱାସ୍ଥ୍ୟ ସେବାର ସବୁଠୁ ଅବହେଳିତ ଏବଂ କମ୍ ପ୍ରାଥମିକତା କ୍ଷେତ୍ର ଭାବେ ବିବେଚନା କରାଯାଇଆସିଛି। ପୁରୁଷଙ୍କ କାରଣରୁ ସନ୍ତାନହୀନତା ସମସ୍ୟା ପ୍ରତି ଅଣଦେଖା କରାଯିବା ଯୋଗୁଁ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିଥାଏ

ପୂର୍ବ ମହାରାଷ୍ଟ୍ରର ଗଡ଼ଚିରୌଲିର ଜନଜାତି ଇଲାକାରେ ତିନି ଦଶନ୍ଧି ଧରି ପ୍ରଜନନ ସମସ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ରାନୀ ବାଙ୍ଗ କୁହନ୍ତି ଯେ ସନ୍ତାନହୀନତା ଏକ ସ୍ୱାସ୍ଥ୍ୟ ସମସ୍ୟା ଅପେକ୍ଷା ସାମାଜିକ ସମସ୍ୟାରେ ପରିଣତ ହୋଇସାରିଛି। “ପୁରୁଷ ବନ୍ଧ୍ୟାତ୍ୱ ସବୁଠୁ ବଡ଼ ସମସ୍ୟା, କିନ୍ତୁ ବନ୍ଧ୍ୟାତ୍ୱକୁ ସବୁବେଳେ ମହିଳାଙ୍କ ସମସ୍ୟା ଭାବେ ଗ୍ରହଣ କରାଯାଇଆସୁଛି। ଏହି ଚିନ୍ତାଧାରା ପରିଣତ କରିବାର ଆବଶ୍ୟକତା ରହିଛି”।

ହେଲଥ ପଲିସି ଓ ପ୍ଲାନିଂରେ ପ୍ରକାଶିତ ଅଧ୍ୟୟନରେ ଲେଖକ ଉଲ୍ଲେଖ କରିଛନ୍ତି ଯେ : “ଯଦିଓ ଜନସଂଖ୍ୟାର ଖୁବ କମ୍ ଭାଗର ମହିଳା ଓ ଦମ୍ପତି ସନ୍ତାନହୀନତା ସମସ୍ୟା ଭୋଗୁଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ସମସ୍ୟା”। ଏହି ଅଧ୍ୟୟନରେ ଆହୁରି କୁହାଯାଇଛି ଯେ ପ୍ରାଥମିକ ଏବଂ ମାଧ୍ୟମିକ ସନ୍ତାନହୀନତାର କାରଣ ଉଭୟ ପୁରୁଷ ଓ ମହିଳା ହୋଇଥାନ୍ତି । “ମହିଳାଙ୍କୁ ସନ୍ତାନହୀନତା ପାଇଁ ଅଧିକ ଦାୟୀ କରାଯାଇଥାଏ, ସେମାନଙ୍କ ପରିଚୟ, ସ୍ଥିତି ଓ ନିରାପତ୍ତା ବିପନ୍ନ ହୋଇପଡ଼ିଥାଏ, ସେମାନେ ବାଛବିଚାର, ନିଃସଙ୍ଗତାର ଶିକାର ହୋଇଥାନ୍ତି, ପରିବାର ଓ ସମାଜରେ ସେମାନେ ନିଜର ମତ ଉପସ୍ଥାପନ କରିବାର ଶକ୍ତି ଓ କ୍ଷମତା ହରାଇଥାନ୍ତି”।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଗୀତାଙ୍କୁ ୨୦୦୩ରେ ମାତ୍ର ୧୩ ବର୍ଷ ବୟସରେ ବାହା କରି ଦିଆଯାଇଥିଲା। ଏକଦା ସେ ସ୍ନାତକ ହେବା ଲାଗି ସ୍ୱପ୍ନ ଦେଖିଥିଲେ । ବର୍ତ୍ତମାନ ତାଙ୍କର ୨୦ ବର୍ଷର ଝିଅ ଲତା (ଛଦ୍ମନାମ) ତାଙ୍କର ସ୍ୱପ୍ନ ପୂରଣ କରିବେ ବୋଲି ସେ ଚାହାନ୍ତି। ଲତା ଏବେ ଧଡ଼ଗାଓଁର ଏକ ଜୁନିଅର କଲେଜରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି । “ମୋ ଗର୍ଭରୁ ଜନ୍ମ ନେଇନଥିଲେ କ’ଣ ହେଲା; ମୁଁ ଚାହୁଁନାହିଁ ଯେ ତା’ର ଜୀବନ ମଧ୍ୟ ମୋ ଭଳି ନଷ୍ଟ ହୋଇଯାଉ,” ଗୀତା କୁହନ୍ତି।

ଦିନ ଥିଲା ଯେତେବେଳେ ଗୀତା ସଜେଇ ହେବାକୁ ଭଲ ପାଉଥିଲେ। “ମୁଁ ମୁଣ୍ଡରେ ତେଲ ଲଗାଇବାକୁ, ଶିକାକାଇରେ କେଶ ସଫା କରିବା ଏବଂ ଆଇନାକୁ ଦେଖିବା ଲାଗି ଭଲ ପାଉଥିଲି”,ଗୀତା କୁହନ୍ତି । ଅଧିକାଂଶ ଦିନ ସେ ମୁହଁରେ ପାଉଡର ଲଗାଉଥିଲେ, କେଶ ସଜ୍ଜା କରୁଥିଲେ, ଶାଢ଼ିକୁ ସଜେଇ ପିନ୍ଧୁଥିଲେ । କିନ୍ତୁ ବାହାଘରର ଦୁଇ ବର୍ଷ ପରେ ସେ ଗର୍ଭଧାରଣ କରିନପାରିବା କାରଣରୁ ତାଙ୍କର ଶାଶୂ ଓ ସ୍ୱାମୀ ତାଙ୍କୁ ସବୁବେଳେ ସଜେଇ ହେଉଥିବା କାରଣରୁ “ଅଲାଜୁକି” ବୋଲି ଡାକିବାକୁ ଆରମ୍ଭ କଲେ, ସେବେଠାରୁ ଗୀତା ନିଜ ପ୍ରତି ଅବହେଳା ଆରମ୍ଭ କରିଦେଲେ। “ମୋର ପିଲା ନଥିବାରୁ ମୁଁ କେବେ ମନ ଦୁଃଖ କରିନାହିଁ; ମୁଁ ଆଉ ନିଜର ପିଲାଟିଏ ଚାହୁଁନାହିଁ । କିନ୍ତୁ ସୁନ୍ଦର ଦେଖାଯିବାରେ ଭୁଲ କ’ଣ ଅଛି?” ସେ ପଚାରନ୍ତି।

ଧୀରେ ଧୀରେ ସମ୍ପର୍କୀୟମାନେ ତାଙ୍କୁ ବାହାଘର, ନାମକରଣ ସମାରୋହ ଏବଂ ପାରିବାରିକ ସମାରୋହରେ ନିମନ୍ତ୍ରଣ କରିବା ବନ୍ଦ କରିଦେଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସାମାଜିକ ବାସନ୍ଦ କରି ଦିଆଗଲା। “ଲୋକମାନେ କେବଳ ମୋର ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ଡାକିଥାନ୍ତି । ସେମାନେ ଜାଣନ୍ତି ନାହିଁ ଯେ ମୋ ସ୍ୱାମୀଙ୍କର ଦୁର୍ବଳ ଶୁକ୍ରାଣୁ ସମସ୍ୟା ରହିଛି । ମୁଁ ବାଞ୍ଝ ନୁହେଁ । ସେମାନେ ଏହା ଜାଣିଲେ, ସେମାନେ କ’ଣ ମୋତେ ନିମନ୍ତ୍ରଣ କରିବେ ନାହିଁ?” ଗୀତା ପ୍ରଶ୍ନ କରନ୍ତି ।

ପ୍ରଚ୍ଛଦ ଅଳଙ୍କରଣ : ପ୍ରିୟଙ୍କା ବୋରାର ଜଣେ ନ୍ୟୁ ମିଡିଆ ଆର୍ଟିଷ୍ଟ ଯିଏକି ଅର୍ଥ ଏବଂ ଅଭିବ୍ୟକ୍ତିର ନୂଆ ପଦ୍ଧତି ଆବିଷ୍କାର କରିବା ଲାଗି ପ୍ରଯୁକ୍ତି ସହିତ ପରୀକ୍ଷଣ କରିଥାନ୍ତି। ପଢ଼ା ଓ ଖେଳ ପାଇଁ ସେ ଏକ୍ସପେରିଏନ୍ସ ଡିଜାଇନ କରନ୍ତି, ଇଣ୍ଟରଆକ୍ଟିଭ ମିଡିଆ ସହିତ ନୂଆ କୌଶଳ କରିଥାନ୍ତି ଏବଂ ପାରମ୍ପରିକ କଲମ ଓ କାଗଜରେ ମଧ୍ୟ କଳାକୌଶଳ ତିଆରି କରିଥାନ୍ତି।

କିଶୋରୀ ଏବଂ ବିବାହିତ ଯୁବତୀଙ୍କ ଉପରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶବିଶେଷ। ଏହାର ଉଦ୍ଦେଶ୍ୟ ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଅବହେଳିତ ବର୍ଗର ସମସ୍ୟା ସାଧାରଣ ଲୋକଙ୍କ ସ୍ୱର ଓ ଅଭିଜ୍ଞତା ମାଧ୍ୟମରେ ବ୍ୟକ୍ତ କରିବା।

ଏହି ସ୍ତମ୍ଭକୁ ପୁନଃ ପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟକରି [email protected] ଏବଂ [email protected] ରେ ଯୋଗାଯୋଗ କରନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jyoti Shinoli

ଜ୍ୟୋତି ସୋନାଲି ପିପୁଲ୍ସ ଆର୍କାଇବ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସମ୍ବାଦଦାତା; ସେ ପୂର୍ବରୁ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର୧’ ପରି ସମ୍ବାଦ ଚ୍ୟାନେଲଗୁଡ଼ିକରେ କାମ କରିଛନ୍ତି ।

Other stories by Jyoti Shinoli