କିଛି ଦିନ ପୂର୍ବେ ମଧ୍ୟପ୍ରଦେଶର ୧୬ ଜଣ ଶ୍ରମିକ ମହାରାଷ୍ଟ୍ରର ଅଉରଙ୍ଗାବାଦରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରେନ୍‌ ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ସେହି ଶ୍ରମିକମାନଙ୍କୁ କିଏ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ କରିଥିଲା ବୋଲି ଆମେ ପ୍ରଶ୍ନ କରିବା ପରିବର୍ତ୍ତେ ଆମର ପ୍ରଥମ ପ୍ରତିକ୍ରିୟା ହେଉଛି ସେହି ମୃତ ଶ୍ରମିକମାନେ ରେଳ ଲାଇନ୍‌ ଉପରେ କାହିଁକି ଶୋଇଥିଲେ । ଏହା ଆମର କିଭଳି ମାନସିକତାକୁ ଦର୍ଶାଉଛି?

କେତୋଟି ଇଂରାଜୀ ପ୍ରକାଶନ ଟ୍ରେନ୍‌ ତଳେ ଚାପି ହୋଇ ମରିଯାଇଥିବା ଶ୍ରମିକମାନଙ୍କ ନାମ ପ୍ରକାଶ କରିବା କଥା ଚିନ୍ତା କରିଛନ୍ତି? ସେମାନଙ୍କର କୌଣସି ପରିଚୟ ପ୍ରକାଶିତ ହୋଇପାରିଲାନି । ଏହା ହେଉଛି ଗରିବଙ୍କ ପାଇଁ ଆମର ମନୋଭାବ । ଯଦି ଏହା ଏକ ଉଡାଜାହାଜ ଦୁର୍ଘଟଣା ହୋଇଥାନ୍ତା, ତାହାହେଲେ ତଥ୍ୟ ଯୋଗାଇବା ପାଇଁ ହେଲ୍ପଲାଇନ୍‌ ଆରମ୍ଭ କରାଯାଇଥାନ୍ତା । ଯଦି ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା, ତାହାହେଲେ ମଧ୍ୟ ସମସ୍ତଙ୍କ ନାମ ଖବରକାଗଜରେ ପ୍ରକାଶିତ ହୋଇଥାନ୍ତା । ହେଲେ, ମଧ୍ୟପ୍ରଦେଶର ସେହି ୧୬ ଜଣ ଗରିବ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରୁ ଆଠ ଜଣ ହେଉଛନ୍ତି ଗୋଣ୍ଡ ଆଦିବାସୀ, ସେମାନଙ୍କ କଥା ଭାବୁଛି କିଏ ? ସେମାନେ ସେହି ରେଳଧାରଣାକୁ ସେମାନଙ୍କ ଘରେ ପହଞ୍ଚିବା ପାଇଁ ପଥ ପ୍ରଦର୍ଶକ ବୋଲି ଭାବୁଥିଲେ, ଯେଉଁ ରାସ୍ତାରେ ସେମାନେ ସେହି ଷ୍ଟେସନ୍‌ରେ ପହଞ୍ଚି ପାରିବେ ଯେଉଁଠାରୁ ସେମାନଙ୍କୁ ଘରକୁ ବାହୁଡିବା ପାଇଁ ଟ୍ରେନ୍‌ ମିଳିପାରିବ । ସେମାନେ ରେଳଲାଇନ୍‌ ଉପରେ ଶୋଇପଡିଥିଲେ କାରଣ ସେମାନେ ବହୁତ ଥକି ପଡିଥିଲେ ଓ  ଏହି ରାସ୍ତାରେ କୌଣସି ଟ୍ରେନ୍‌ ଯାତାୟତ କରେ ନାହିଁ ବୋଲି ହୁଏତ ସେମାନେ ବିଶ୍ୱାସ କରୁଥିଲେ ।

ଭାରତ ଭଳି ଏକ ଦେଶ ଯେଉଁଠାରେ ଶ୍ରମଜୀବୀଙ୍କ ସଂଖ୍ୟା ଖୂବ୍‌ ଅଧିକ, ସେଠାରେ ଶ୍ରମିକମାନଙ୍କ ସହିତ ସରକାରଙ୍କ ଯୋଗାଯୋଗ କେଉଁ ସ୍ତରର ହେବା ଉଚିତ ବୋଲି ଆପଣ ଭାବୁଛନ୍ତି?

ଆମେ ୧.୩ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶର ଜନତାଙ୍କୁ ସେମାନଙ୍କ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ କେବଳ ଚାରି ଘଣ୍ଟା ସମୟ ଦେଲେ । ଏମ୍‌.ଜି ଦେବସାୟମ୍‌, ଆମ ଦେଶର ଜଣେ ବିଖ୍ୟାତ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ “ଏକ ଛୋଟ ପଦାତିକ ସୈନ୍ୟ ବ୍ରିଗେଡ୍‌କୁ କୌଣସି ବଡଧରଣର ଗତିବିଧି ପାଇଁ ପଠାଯିବାର ଚାରି ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଏନେଇ ବିଜ୍ଞପ୍ତି ଜାରି କରାଯାଏ” । ଆମେ ପ୍ରବାସୀ ଶ୍ରମିକମାନଙ୍କ ସହିତ ସହମତ ହୋଇପାରୁ ବା ନହୋଇପାରୁ, ହେଲେ ସେମାନେ ସ୍ଥାନ ଛାଡିବା ପଛର ଯୁକ୍ତି ସମ୍ପୂର୍ଣ୍ଣ ଠିକ୍‌ । ସେମାନେ ଜାଣନ୍ତି – ଓ ପ୍ରତି ମୁହୂର୍ତ୍ତରେ ଆମେ ଏହା ପ୍ରମାଣିତ କରୁଛେ ଯେ – ସେମାନଙ୍କ ସରକାର, କାରଖାନା ମାଲିକ ଓ ଆମ ଭଳି ମଧ୍ୟମ ବର୍ଗର କର୍ଚାରୀମାନେ କେତେ ଅବିଶ୍ୱସନୀୟ, ଅବିବେକି ଓ କ୍ରୁର ଅଟନ୍ତି । ଆଉ ସେମାନଙ୍କ ସ୍ୱଚ୍ଛନ୍ଦ ଗତି ଉପରେ ଆଇନ୍‌ ସହାୟତାରେ ଅଙ୍କୁଶ ଲଗାଇ ଆମେ ତାହା ପ୍ରମାଣିତ କରୁଛେ ।

ଆପଣମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ରାଜରାସ୍ତାକୁ ଠେଲି ଦେଇ ଆପଣ ଦେଶରେ ଚରମ ବିଶୃଙ୍ଖଳାମୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ଆମେମାନେ ଅତି ସହଜରେ କଲ୍ୟାଣ ମଣ୍ଡପ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ର ଆଦି ଯାହାସବୁ ବନ୍ଦ କରିଦିଆଯାଇଛି, ସେଗୁଡିକୁ ପ୍ରବାସୀ ଓ ବାସହରାଙ୍କ ପାଇଁ ଆଶ୍ରୟସ୍ଥଳିରେ ରୂପାନ୍ତରିତ କରିପାରିଥାନ୍ତେ । ଆମେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଷ୍ଟାର୍‌ ହୋଟେଲ୍‌ଗୁଡିକୁ ସଂଗରୋଧ କେନ୍ଦ୍ର ବୋଲି ଘୋଷଣା କରିଛେ ।

ଆମେ ଯେତେବେଳେ ପ୍ରବାସୀଙ୍କ ପାଇଁ ଟ୍ରେନ୍‌ର ବ୍ୟବସ୍ଥା କରୁଛେ, ସେତେବେଳେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭଡା ଆଦାୟ କରୁଛେ। ତା’ପରେ ଆମେ ୪,୫୦୦ ଟଙ୍କା ଭଡା ଥିବା ଏସି ଟ୍ରେନ୍‌ ଓ ରାଜଧାନୀ କ୍ଲାସ୍‌ ରଖୁଛେ । ପରିସ୍ଥିତିକୁ ଆହୁରି ଜଟିଳ କରିବା ପାଇଁ ଆପଣମାନେ ସେମାନଙ୍କୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକ୍‌ ହୋଇପାରିବ ବୋଲି କହୁଛନ୍ତି, ଯେପରିକି ସେମାନେ ସମସ୍ତେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍‌ ରଖିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ସେହି ଟିକେଟ କିଣିବାକୁ ସମର୍ଥ ହେଲେ ।

ହେଲେ, କର୍ଣ୍ଣାଟକରେ, ମୁଖ୍ୟମନ୍ତ୍ରୀ ବିଲ୍ଡର୍‌ଙ୍କ ସହିତ ସାକ୍ଷାତ କରିବା ପରେ ସେମାନେ କ୍ରୀତଦାସମାନେ ପଳାୟନ କରୁଥିବା କଥା କହିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଟ୍ରେନ୍‌ଗୁଡିକ ବାତିଲ କରିଦେଲେ । ବର୍ତ୍ତମାନ ଆପଣ ଯାହା ଦେଖିବାକୁ ପାଉଛନ୍ତି ତାହା ହେଉଛି ପୂର୍ବାନୁମାନ କରାଯାଉଥିବା କ୍ରୀତଦାସମାନଙ୍କ ବିଦ୍ରୋହାଚରଣକୁ ଦମନ କରିବା ପ୍ରକ୍ରିୟା ।

ଆମର ସବୁବେଳେ ଗରିବଙ୍କ ପାଇଁ ଗୋଟିଏ ନୀତି ଓ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ନୀତି ରହିଆସିଛି । ଯଦିଓ, ଆପଣ ଯେତେବେଳେ ଅତ୍ୟାବଶ୍ୟକ ସେବାଗୁଡିକର ତାଲିକା ପ୍ରସ୍ତୁତ କରିବେ, ସେତେବେଳେ କେବଳ ଡାକ୍ତରଙ୍କ ବ୍ୟତୀତ କେବଳ  ଗରିବ ଲୋକମାନେ ହିଁ ଆବଶ୍ୟକ ହୋଇପଡୁଥିବା ଦେଖିବାକୁ ପାଇବେ । ଅଧିକାଂଶ ନର୍ସଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ସେମାନଙ୍କ ବ୍ୟତୀତ ସଫେଇ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ବିଦ୍ୟୁତ୍‌ କର୍ମଚାରୀ, ପାୱାର୍‌ ସେକ୍ଟର୍‌ରେ କର୍ମଚାରୀ ଓ କାରଖାନା କର୍ମଚାରୀମାନେ ମଧ୍ୟ ଅଛନ୍ତି । ହଠାତ୍‌ ଏହି ଦେଶରେ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ କିଭଳି ଅନାବଶ୍ୟକ ହୋଇପଡିଛନ୍ତି ତାହା ଆପଣମାନେ ଦେଖିପାରୁଥିବେ ।
PHOTO • Yashashwini & Ekta ,  Pallavi Prasad ,  Jyoti Patil ,  M. Palani Kumar

ଦଶନ୍ଧି ଦଶନ୍ଧି ଧରି ଲୋକମାନେ ପ୍ରବାସରେ ଯାଉଛନ୍ତି । ଆଉ ସେମାନଙ୍କ ଅବସ୍ଥା ତାଲାବନ୍ଦ ପୂର୍ବରୁ ମଧ୍ୟରୁ ଭୟଙ୍କର ଥିଲା । ସାଧାରଣତଃ ପ୍ରବାସୀମାନଙ୍କ ସହିତ ଯେଉଁଭଳି ବ୍ୟବହାର କରାଯାଏ ତାହାକୁ ଆପଣ କିଭଳି ଦେଖନ୍ତି?

ବିଭିନ୍ନ ପ୍ରକାରର ପ୍ରବାସୀ ଅଛନ୍ତି । ହେଲେ, ଆପଣଙ୍କୁ ବିଭିନ୍ନ ଶ୍ରେଣୀର ପ୍ରବାସୀମାନଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ବୁଝିବାକୁ ହେବ । ମୁଁ ଚେନ୍ନାଇରେ ଜନ୍ମ ହୋଇଥିଲି । ଦିଲ୍ଲୀରେ ମୋର ଉଚ୍ଚ ଶିକ୍ଷା ସମାପ୍ତ କଲି, ଯେଉଁଠାରେ ମୁଁ ଚାରିବର୍ଷ ରହିଲି । ତା’ପରେ ମୁମ୍ବାଇ ଚାଲିଆସିଲି ଓ ସେଠାରେ ଗତ ୩୬ ବର୍ଷ ହେବ ରହୁଛି । ପ୍ରତ୍ୟେକ ସ୍ଥାନାନ୍ତରଣ ଯୋଗୁଁ ମୁଁ ଲାଭାନ୍ୱିତ ହୋଇଛି କାରଣ ମୁଁ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଓ ଜାତି ଅନ୍ତର୍ଭୁକ୍ତ ଅଟେ । ମୋର କିଛି ସାମାଜିକ ପୁଞ୍ଜି ଓ ନେଟ୍‌ୱର୍କ ରହିଛି ।

ଦୀର୍ଘକାଳୀନ ପ୍ରବାସୀ ମଧ୍ୟ ଅଛନ୍ତି ଯେଉଁମାନେ କ ରୁ ଖକୁ ଆସିଛନ୍ତି ଓ ଖରେ ସ୍ଥାୟୀ ଭାବେ ରହିଯାଇଛନ୍ତି ।

ତାପରେ ଋତୁଭିତ୍ତିକ ପ୍ରବାସୀ ଅଛନ୍ତି । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରର ଆଖୁ ଶ୍ରମିକ ଯେଉଁମାନେ ପାଞ୍ଚମାସ ପାଇଁ କର୍ଣ୍ଣାଟକକୁ ଆସିଥାନ୍ତି ଓ ପ୍ରାୟତଃ ଯିବାଆସିବା ଲାଗିରହିଥାଏ- ସେଠାରେ କାମ କରନ୍ତି ଓ ପୁଣି ସେମାନଙ୍କ ଗ୍ରାମକୁ ଫେରିଯାଆନ୍ତି । କଳାହାଣ୍ଡିରେ କିଛି ପ୍ରବାସୀ ଅଛନ୍ତି ଯେଉଁମାନେ ପର୍ଯ୍ୟଟନ ଋତୁରେ ରାୟପୁର ଯାଆନ୍ତି ଓ ସେଠାରେ ରିକ୍ସା ଟାଣନ୍ତି । ସେହିପରି ଓଡିଶାର କୋରାପୁଟର ଲୋକମାନେ କିଛି ମାସ ପାଇଁ ବିଜୟନଗରମ୍‌ର ବିଭିନ୍ନ ଇଟା ଭାଟିରେ କାମ କରିବାକୁ ଯାଇଥାନ୍ତି ।

ଅନ୍ୟ ଦଳଗୁଡିକ ମଧ୍ୟ ଅଛନ୍ତି – କିନ୍ତୁ ଆମେ ଯେଉଁ ଲୋକମାନଙ୍କ ବିଷୟରେ ସବୁଠାରୁ ବେଶୀ ଚିନ୍ତା କରିବା କଥା ସେମାନଙ୍କୁ ଆମ ମଧ୍ୟରୁ ଅନେକ ‘ସ୍ୱାଧୀନ’ ପ୍ରବାସୀ ଶ୍ରମିକ ବୋଲି କହିଥାନ୍ତି । ଏହି ସ୍ୱାଧୀନ ପ୍ରବାସୀମାନଙ୍କ ପାଖରେ ସେମାନଙ୍କର ଅନ୍ତିମ ଗନ୍ତବ୍ୟ ସ୍ଥଳ ନେଇ କୌଣସି ସ୍ପଷ୍ଟ ଚିତ୍ର ନଥାଏ । ସେମାନେ ଜଣେ ଠିକାଦାରଙ୍କ ସହିତ ଆସନ୍ତି ଓ ମୁମ୍ବାଇର ନିର୍ମାଣ ସ୍ଥଳରେ ୯୦ ଦିନ ପର୍ଯ୍ୟନ୍ତ କାମ କରନ୍ତି । ସେହି ସମୟ ଅବଧି ସରିଯିବା ପରେ ସେମାନଙ୍କ ପାଖରେ କରିବାକୁ ଆଉ କିଛି ନଥାଏ । ତାପରେ ଠିକାଦାର ସେହି ଅଞ୍ଚଳର ଅନ୍ୟ ପ୍ରାନ୍ତରେ ରହୁଥିବା ଜଣେ ଠିକାଦାରଙ୍କ ସହିତ ସେମାନଙ୍କ ପରିଚୟ କରାଇ ଦିଅନ୍ତି ଓ ବସ୍‌ରେ ସମାନଙ୍କୁ ସେଠାକୁ ପଠାଇ ଦିଅନ୍ତି । ଆଉ ଏହିପରି ଅହରହ ଚାଲିଥାଏ । ଏହା ହେଉଛି ସେମାନଙ୍କର ଦୁସ୍ଥ, ଅନ୍ତହୀନ ଭାବେ ଅସୁରକ୍ଷିତ ଜୀବନର ଚିତ୍ର । ଏମାନଙ୍କ ସଂଖ୍ୟା ଲକ୍ଷାଧିକ ହେବ ।

ପ୍ରବାସୀ ଶ୍ରମିକମାନଙ୍କ ସ୍ଥିତି କେବେ ଖରାପ ହେବା ଆରମ୍ଭ ହେଲା?

ଶତାଧିକ ବର୍ଷ ଧରି ଲୋକମାନେ ପ୍ରବାସରେ ଯିବା ଜାରି ରହିଛି । ହେଲେ, ଗତ ୨୮ବର୍ଷରେ ଏହା ବିଷ୍ଫୋରକ ରୂପ ଧାରଣ କରିଛି । ୨୦୧୧ ସେନ୍‌ସସ୍‌କୁ ଅନୁଧ୍ୟାନ କଲେ ଏହା ଜଣାଯାଏ ଯେ ଆମର ସ୍ୱାଧୀନ ଭାରତର ଇତିହାସରେ ୨୦୦୧ରୁ ୨୦୧୧ ମଧ୍ୟରେ ଭାରତରେ ସର୍ବାଧିକ ଲୋକ ପ୍ରବାସରେ ଯାଇଛନ୍ତି । 

୨୦୧୧ ସେନ୍‌ସସ୍‌ରେ ଉଲ୍ଲେଖ କରାଯାଇଛି ଯେ ୧୯୨୧ପରଠାରୁ ଭାରତର ସହରାଞ୍ଚଳରେ ଯେତିକି ଲୋକ ମିଶିଛନ୍ତି ତାହାର ପରିମାଣ ଗ୍ରାମୀଣ ଭାରତର ଜନସଂଖ୍ୟାରେ ମିଶିଥିବା ଲୋକଙ୍କ ସଂଖ୍ୟା ଠାରୁ ବହୁତ ଅଧିକ । ସହରାଞ୍ଚଳର ଜନସଂଖ୍ୟା ବୃଦ୍ଧି ହାର ଯଥେଷ୍ଟ କମ୍‌ ଅଟେ ଅଥଚ ଭାରତର ସହରାଞ୍ଚଳର ଜନସଂଖ୍ୟାରେ ବହୁତ ଲୋକ ଆସି ମିଶିଥିବା ଜଣେ ଦେଖିପାରିବ ।

ଟିକିଏ ପଛକୁ ଯାଆନ୍ତୁ ଓ ୨୦୧୧ ସେନ୍‌ସସ୍‌ର ତଥ୍ୟଗୁଡିକ ଆଧାରରେ ହୋଇଥିବା ପାନେଲ୍‌ ଆଲୋଚନା ବା କୌଣସି ବିଶେଷଜ୍ଞଙ୍କ ସହିତ ସାକ୍ଷାତକାରଗୁଡିକୁ ଖୋଜି ବାହାର କରନ୍ତୁ । ସେ ମଧ୍ୟରୁ କେତୋଟିରେ ପ୍ରବାସୀ ଶ୍ରମିକ ଓ କେଉଁ ତୀବ୍ରତାର ସହିତ ପ୍ରବାସରେ ଲୋକମାନେ ଗ୍ରାମରୁ ସହରକୁ, ଗ୍ରାମରୁ ଗ୍ରାମକୁ ଓ ଏହିପରି ଯାଉଛନ୍ତି, ସେ ବିଷୟରେ ଆଲୋଚନା ହୋଇଛି?
PHOTO • Parth M.N.
PHOTO • Varsha Bhargavi

ଗ୍ରାମାଞ୍ଚଳର ଦୁସ୍ଥିତି ଯାହା ପ୍ରବାସର ମୂଳ କାରଣ ଅଟେ, ସେ ବିଷୟରେ ଆଲୋଚନା ନକରି ପ୍ରବାସ ବିଷୟରେ ଆଲୋଚନା କରିବା ବୃଥା ଅଟେ, ଠିକ୍‌?

ଆମେ କୃଷିକୁ ଧ୍ୱଂସ କରିଦେଲେ ଓ ଲକ୍ଷାଧିକଙ୍କ ଜୀବନଜୀବିକା ଉଜୁଡି ଗଲା । ଗ୍ରାମାଞ୍ଚଳରେ ଜୀବୀକାନିର୍ବାହର ଅନ୍ୟ ପନ୍ଥାଗୁଡିକ ମଧ୍ୟ ଦ୍ରୁତ ଗତିରେ ଲୋପ ପାଇବାରେ ଲାଗିଛି । କୃଷି ପରେ ଭାରତରେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ସର୍ବାଧିକ କର୍ମନିୟୋଜନର ସୁବିଧା ରହିଛି । ନାଉରୀ, ମତ୍ସ୍ୟଜୀବୀ, ଟୋଡି ରନ୍ଧାଳି , ଖେଳନା ନିର୍ମାତା, ବୁଣାଳୀ, ରଙ୍ଗଉଥିବା ବ୍ୟକ୍ତି – ଗୋଟିଏ ପରେ ଗୋଟିଏ, ସେଗୁଡିକ ସବୁ ନାଇନ୍‌ପିନ୍‌ ପରି ବନ୍ଦ ହେବାରେ ଲାଗିଛି । ଅତଏବ ସେମାନଙ୍କ ପାଖରେ ଆଉ କି ବିକଳ୍ପ ବାକି ରହିଲା ?

ଆମେ ଏହା ଚିନ୍ତା କରୁଛେ ଯେ ପ୍ରବାସୀ ଶ୍ରମିକମାନେ ପୁଣି କ’ଣ ସହରକୁ ଫେରିବେ । ପ୍ରଥମ ପ୍ରଶ୍ନ ହେଉଛି ସେମାନେ ଏଠାକୁ କାହିଁକି ଆସିଥିଲେ?

ମୁଁ ମଧ୍ୟ ବିଶ୍ୱାସ କରୁଛି ଯେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ସହରକୁ ପୁଣି ପ୍ରତ୍ୟାବର୍ତ୍ତନ କରିବେ । ହଁ, ବୋଧହୁଏ ଏଥିପାଇଁ ଦୀର୍ଘ ସମୟ ଲାଗିପାରେ ।  ହେଲେ, ଆମେମାନେ ବହୁ ପୂର୍ବରୁ ସେମାନଙ୍କ ଗ୍ରାମରେ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବିକଳ୍ପମାନ ନଷ୍ଟ କରିଦେଇଛେ ଓ ନିଜ ପାଇଁ ଶସ୍ତା ଶ୍ରମର ଏକ ଆର୍ମି ନିଶ୍ଚିତ କରିଦେଇଛେ ।

ଅଧିକାଂଶ ରାଜ୍ୟର ଶ୍ରମ ଆଇନ୍‌ରେ ହୋଇଥିବା ପ୍ରସ୍ତାବିତ କୋହଳକୁ ଆପଣ କିଭଳି ଦେଖୁଛନ୍ତି?

ପ୍ରଥମ କଥା, ଏହା ହେଉଛି ଅଧ୍ୟାଦେଶ ମାଧ୍ୟମରେ ସମ୍ବିଧାନ ଓ ପ୍ରଚଳିତ ଆଇନର ଭିତ୍ତି ଦୁର୍ବଳ କରିବା । ଦ୍ୱିତୀୟରେ, ଏହା ହେଉଛି ଅଧ୍ୟାଦେଶ ମାଧ୍ୟମରେ ଗୋତି ଶ୍ରମିକ ପାଇଁ ସରକାରୀ ବିଜ୍ଞପ୍ତି ଜାରି କରିବା । ତୃତୀୟରେ, କାର୍ଯ୍ୟ ସମୟ ସମ୍ୱନ୍ଧିୟ ଗୋଲ୍ଡ ଷ୍ଟାଣ୍ଡାର୍ଡକୁ ଏହାକୁ ୧୦୦ ବର୍ଷ ପଛକୁ ଠେଲି ଦେଇଛି । ସବୁଠାରୁ ମୌଳିକ ଜିନିଷ ହେଉଛି ବିଶ୍ୱରେ ଯେତିକି ଶ୍ରମ ଆଧାରିତ ଚୁକ୍ତି ରହିଛି ସବୁଥିରେ ଆଠ-ଘଣ୍ଟା କାର୍ଯ୍ୟ ଦିବସ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି ।

ଗୁଜୁରାଟରେ ଜାରି କରାଯାଇଥିବା ବିଜ୍ଞପ୍ତିକୁ ଦେଖନ୍ତୁ । ଏଥିରେ ଅଧିକ-ସମୟ କାମ ପାଇଁ ଅଧିକ ପାରିଶ୍ରମିକ ଦିଆଯିବ ନାହିଁ ବୋଲି କୁହାଯାଇଛି । ରାଜସ୍ଥାନ ସରକାର ଅଧିକ-ସମୟ କାମ କଲେ କାର୍ଯ୍ୟ ସମୟ (ଘଣ୍ଟା ପ୍ରତି) ଆଧାରରେ ଅଧିକ ପାରିଶ୍ରମିକ ଦିଆଯିବ ବୋଲି କହିଛନ୍ତି ହେଲେ ଏହା ସପ୍ତାହକୁ ୨୪ଘଣ୍ଟା ମଧ୍ୟରେ ସିମୀତ ରହିବ । ଶ୍ରମିକମାନଙ୍କୁ ସିଧାସଳଖ ଦିନକୁ ବାର ଘଣ୍ଟା ହିସାବରେ ସପ୍ତାହରେ ଛଅ ଦିନ କାମ କରିବାକୁ ହେବ ।

ଏସବୁ ଫ୍ୟାକ୍ଟ୍ରି ଆକ୍ଟରେ ଉଲ୍ଲେଖ ହୋଇଥିବା ଅବ୍ୟାହତି ଓ ବ୍ୟତିକ୍ରମଗୁଡିକକୁ ଉଦ୍ଧୃତ କରାଯାଇ କୁହାଯାଇଛି । ଏଥିରେ ଜଣେ ଶ୍ରମିକକୁ କେତେ ସମୟ କାମ କରିବାକୁ କୁହାଯାଇ ପାରିବ, ସେ ବିଷୟରେ କୁହାଯାଇଛି - ଅଧିକ-ସମୟ ସହିତ- ଯାହା ୬୦ ଘଣ୍ଟା ଅଟେ । ଦିନକୁ ୧୨ ଘଣ୍ଟା ହିସାବରେ ମୋଟ ସମୟ ୭୨ ଘଣ୍ଟା ହେବ ।

ଆହୁରି ମହତ୍ତ୍ୱପୂର୍ଣ୍ଣ କଥା ଏହା ଯେ, ଶ୍ରମିକମାନେ ଆଉ ଅତିରିକ୍ତ ସମୟର କାମ କରିବାକୁ ଚାହୁଁଛନ୍ତି କି ନାହିଁ ସେ ବିଷୟରେ ସେମାନେ କିଛି କହୁନାହାନ୍ତି । ଏହା ଏକ ଅଭିଗୃହୀତ ବିଷୟ ଯେ କାର୍ଯ୍ୟ ସମୟ ଦୀର୍ଘ ହେବା ସହିତ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ହେଲେ, ଏହା ଅତୀତରେ ହୋଇଥିବା ଏକାଧିକ ଅଧ୍ୟୟନର ବିପରୀତ ଫଳ ଦେଇଥାଏ । ଗତ ଶତାବ୍ଦୀରେ  ବହୁତ  କାରଖାନା ଦିନକୁ ୮ଘଣ୍ଟା କାମ ନୀତି ଆପଣାଇଥିଲେ କାରଣ ସର୍ବେକ୍ଷଣରୁ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ  ଦୀର୍ଘ ସମୟ କାମ କରିବା ଦ୍ୱାରା କଠିନ ଶ୍ରମିକ ଜନିତ କ୍ଳାନ୍ତି ଓ ଅବସନ୍ନତା ଯୋଗୁଁ ଉତ୍ପାଦନ କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇଥାଏ ।

ସେ କଥା ବିଚାରକୁ ନ ନେଲେ ସୁଦ୍ଧା ଏହ ହେଉଛି ମାନବିକ ଅଧିକାରର ହନନ । ଏହା ହେଉଛି ଶ୍ରମିକମାନଙ୍କୁ କ୍ରୀତଦାସରେ ପରିଣତ କରିବା ପ୍ରକ୍ରିୟା । ମୂଳତଃ ରାଜ୍ୟଗୁଡିକ ଜଣେ ଠିକାଦାର, ଦଲାଲ ଭାବେ କାମ କରି କର୍ପୋରେସନ୍‌ଗୁଡିକ ପାଇଁ ଗୋତି ଶ୍ରମିକ ସଂଗ୍ରହ କରୁଛନ୍ତି । ଏହାଦ୍ୱାରା ସବୁଠାରୁ ଦୁର୍ବଳ ବର୍ଗ – ଦଳିତ, ଆଦିବାସୀ ଓ ମହିଳାମାନେ- ସବୁଠାରୁ ଅଧିକ ପ୍ରଭାବିତ ହେବେ ତାହା ସୁନିଶ୍ଚିତ ଅଟେ ।

ଭାରତର ତେୟାନବେ ପ୍ରତିଶତ ଶ୍ରମିକ ଅନୌପଚାରିକ କ୍ଷେତ୍ରରେ କାମ କରୁଥିବାରୁ  ସେମାନେ ଯୋଗ୍ୟ ହୋଇଥିବା ସତ୍ତ୍ୱେ ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ । “ଏବେ ଚାଲନ୍ତୁ ବଳକା ସାତ ପ୍ରତିଶତଙ୍କର ଅଧିକାର ମଧ୍ୟ ନଷ୍ଟ କରିଦବା” ଏ କଥା ଆପଣମାନେ ଏବେ କହିବାକୁ ଚାହୁଁଛନ୍ତି । ରାଜ୍ୟମାନଙ୍କର ଯୁକ୍ତି ଏହା ଯେ ଶ୍ରମ ଆଇନ୍‌ରେ ପରିବର୍ତ୍ତନ କଲେ ରାଜ୍ୟକୁ ନିବେଶ ଆସିବ । ହେଲେ, ସତକଥା ହେଉଛି ସେହି ସ୍ଥାନଗୁଡିକରେ ନିବେଶ କରାଯାଏ ଯେଉଁଠାରେ ଭଲ ଭିତ୍ତିଭୂମି, ଉନ୍ନତ ବ୍ୟବସ୍ଥା ଓ ସାଧାରଣତଃ ଏକ ସ୍ଥିର ସମାଜ ରହିଛି । ଯଦି ଉତ୍ତର ପ୍ରଦେଶ ଏହିପରି ଏକ ରାଜ୍ୟ ହୋଇଥାନ୍ତା ତାହାହେଲେ ଏହା କେବେ ମଧ୍ୟ ଏପରି ଏକ ରାଜ୍ୟ ତାଲିକାଭୁକ୍ତ ହୋଇନଥାନ୍ତା ଯେଉଁଠାରୁ ସର୍ବାଧିକ ଲୋକ ଭାରତର ବିଭିନ୍ନ ସ୍ଥାନରେ କାମ କରିବାକୁ ପ୍ରବାସରେ ଯାଇଥାନ୍ତି ।

PHOTO • Purusottam Thakur ,  Sanket Jain ,  Amrutha Kosuru ,  Guthi Himanth

ଏହିପରି ଏକ ପଦକ୍ଷେପର ଫଳାଫଳ କ’ଣ ହୋଇପାରିବ?

ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ତିନି ବର୍ଷ ପର୍ଯ୍ୟନ୍ତ ସମସ୍ତ ଶ୍ରମ ଆଇନ୍‌କୁ ସ୍ଥଗିତ କରାଯାଇଛି, କେବଳ ତିନି ବା ଚାରିଟି ଆଇନ୍‌କୁ ବାଦ୍‌ ଦିଆଯାଇଛି ଯାହା ସମ୍ବିଧାନିକ ଓ ନ୍ୟାୟିକ ଜଟିଳତା କାରଣରୁ କରିବା ସମ୍ଭବପର ହୋଇପାରିଲାନାହିଁ । ଆପଣମାନେ ଏହା କହୁଛନ୍ତି ଯେ ପରିସ୍ଥିତି ଯେତେ ଶୋଚନୀୟ ହେଲେ ମଧ୍ୟ କାହାର କିଛି ଭାବିବାର ନାହିଁ, ଶ୍ରମିକମାନଙ୍କୁ କାମ କରିବାକୁ ହେବ । ଆପଣମାନେ ଅମାନବୀୟ କାମ କରୁଛନ୍ତି ଓ ଭେଣ୍ଟିଲେସନ୍‌, ଶୌଚାଳୟ ଓ ବିରତି ଭଳି ଅଧିକାର ପାଇବାକୁ ସେମାନେ ଯୋଗ୍ୟ ନୁହନ୍ତି ବୋଲି କହୁଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଅଧ୍ୟାଦେଶ ଅଟେ ଓ କୌଣସି ସମ୍ବିଧାନିକ ପ୍ରକ୍ରିୟା ମାଧ୍ୟମରେ କରାଯାଇନାହିଁ ।

ଆଗକୁ ବଢିବା ପାଇଁ ଆମେ କ’ଣ କରିବା ଆବଶ୍ୟକ?

ଆମକୁ ଆମ ଦେଶର ଶ୍ରମିକଙ୍କ ଅବସ୍ଥାରେ ଉନ୍ନତି ଆଣିବାକୁ ହେବ । ମହାମାରୀ ଯୋଗୁଁ ସେମାନେ ଏଭଳି ଭାବେ ପ୍ରଭାବିତ ହେବା ପଛରେ ଆମ ସମାଜରେ ଥିବା ବିଶାଳ ଅସମାନତା ଦାୟୀ ଅଟେ । ଆମେ ଯାହା କରୁଛେ ତାହା କେବଳ ଆନ୍ତର୍ଜାତୀୟ ଶ୍ରମ ଚୁକ୍ତି ଯାହାର ଆମେ ମଧ୍ୟ ଏକ ଅଂଶ ତାହାର ଉଲ୍ଲଂଘନ ଅଟେ ।

ବି.ଆର୍‌. ଆମ୍ବେଦ୍‌କର୍‌ ଏହା ସ୍ପଷ୍ଟ ଭାବେ ଦେଖିପାରିଥିଲେ । ସେ ବୁଝି ପାରିଥିଲେ ଯେ ଆମେ କେବଳ ସରକାରଙ୍କ ବିଷୟରେ ଚିନ୍ତା କଲେ ଚଳିବନି । ଆମକୁ ଶ୍ରମିକମାନଙ୍କ ହିତ ବିଷୟରେ ମଧ୍ୟ ଆଲୋଚନା କରିବାକୁ ହେବ ଯେଉଁମାନେ ବଞ୍ଚିବା ପାଇଁ ଏହା ଉପରେ ନିର୍ଭର କରିଥାନ୍ତି । ରାଜ୍ୟଗୁଡିକ ସେହି ସମସ୍ତ ଆଇନକୁ ସ୍ଥଗିତ କରିଦେଉଛନ୍ତି ଯାହାକୁ ଆଣିବା ପାଇଁ ସେ ସାହାଯ୍ୟ କରିଥିଲେ, ଯାହାପାଇଁ ସେ ଭୂମି ପ୍ରସ୍ତୁତ କରିଥିଲେ ।

ରାଜ୍ୟ ସରକାରଙ୍କର ଏକ ଶ୍ରମ ବିଭାଗ ରହିଛି । ଏହାର ଭୂମିକା କ’ଣ ହେବା ଉଚିତ?

ରାଜ୍ୟ ସରକାରଙ୍କର ଭୂମିକା ନିଶ୍ଚିତ ଭାବେ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା କରିବା ହେବା ଉଚିତ । ହେଲେ, ଏପଟେ କେନ୍ଦ୍ର ଶ୍ରମ ମନ୍ତ୍ରୀ ମଧ୍ୟ ଅଛନ୍ତି ଯିଏ ଶ୍ରମିକମାନଙ୍କୁ କର୍ପୋରେସନ୍‌ କଥା ଶୁଣିବାକୁ ନିବେଦନ କରୁଛନ୍ତି । ଆପଣ ଯଦି କିଛି ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ତାହାହେଲେ ପ୍ରଥମେ ଆପଣଙ୍କୁ ଆପଣଙ୍କର ସାମାଜିକ ଚୁକ୍ତିବଦ୍ଧତାକୁ ପରିବର୍ତ୍ତନ କରିବାକୁ ହେବ । ଯଦି ଆପଣ ଏହି ଗ୍ରହରେ ଅବସ୍ଥିତ ସବୁଠାରୁ ଅଧିକ ଅସମାନତା ଥିବା ସମାଜର ସମସ୍ୟାର ସମାଧାନ କରିପାରିବେ ନାହିଁ, ତାହାହେଲେ ଏହା ସମ୍ବନ୍ଧରେ କିଛି ମଧ୍ୟ କରିପାରିବେ ନାହିଁ । ଏହା ଆହୁରି ଖରାପ ଆଡକୁ ଗତି କରିବ – ଅତି ଦ୍ରୁତ ଗତିରେ ।

ଘରକୁ ଫେରୁଥିବା ଅଧିକାଂଶ ଶ୍ରମିକ ଯୁବକ ଓ କ୍ରୋଧାନ୍ୱିତ । ତାହାହେଲେ ଆମେ କଣ ଏକ ଜ୍ୱାଳାମୁଖୀ ଉପରେ ବସିଛେ?

ଜ୍ୱାଳାମୁଖୀରେ ବିଷ୍ଫୋରଣ ହେବା ଆରମ୍ଭ ହୋଇଗଲାଣି । ଆମେ ତାହା ଦେଖିବାକୁ ଚେଷ୍ଟା କରୁନାହୁଁ । ସରକାର, ଗଣମାଧ୍ୟମ, କାରଖାନା ମାଲିକ ଓ ଆମେ ସମସ୍ତେ ଯେଉଁମାନେ ସମାଜର ଅଂଶ ସେମାନେ କିଭଳି ଛଳନା କରୁଛନ୍ତି ତାହା ଦେଖନ୍ତୁ ।

ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆମେ ପ୍ରବାସୀ ଶ୍ରମିକଙ୍କ ବିଷୟରେ କିଛି ଜାଣିନଥିଲେ । ହଠାତ୍‌, ଆମେ ସେମାନଙ୍କ ମଧ୍ୟରୁ ଲକ୍ଷାଧିକ ଶ୍ରମିକଙ୍କୁ ରାସ୍ତାରେ ଦେଖିବାକୁ ପାଇଲେ । ଆଉ ଆମେ ଆମକୁ ମିଳୁଥିବା ସେବାରୁ ବଞ୍ଚିତ ହେବାରୁ ଆମକୁ କଷ୍ଟ ଅନୁଭବ ହେଲା। ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆମେ ସେମାନଙ୍କୁ ତୁଚ୍ଛ ମନେ କରୁଥିଲେ । ଅନ୍ୟ ମନୁଷ୍ୟଙ୍କ ପରି ସମାନ ଅଧିକାର ପାଇବାକୁ ସେମାନେ ଯେ ଯୋଗ୍ୟ ତାହା ଆମେ କେବେ ମଧ୍ୟ ଭାବିନଥିଲେ । ଏକ ପୁରାତନ ପ୍ରବାଦ ରହିଛି ଯାହା ହେଉଛି: ଯଦି ଗରିବମାନେ ଶିକ୍ଷିତ ହେବେ, ତାହାହେଲେ ଧନୀମାନଙ୍କର ପାଲିଙ୍କି ବୋହିବ କିଏ?  ହଠାତ୍‌ ଆମେ ଆମର ପାଲିଙ୍କି ବୁହାଳିମାନଙ୍କୁ ହରାଇଦେଲେ ।
PHOTO • Sudarshan Sakharkar
PHOTO • Sudarshan Sakharkar

ପ୍ରବାସ ଯୋଗୁଁ ନିର୍ଦ୍ଦିଷ୍ଟ ଭାବେ ମହିଳା ଓ ପିଲାମାନଙ୍କ ଉପରେ କ’ଣ ପ୍ରଭାବ ପଡୁଛି?

ଏହା ବିଶେଷ ଭାବେ ମହିଳା ଓ ପିଲାଙ୍କ ପାଇଁ ଅତ୍ୟନ୍ତ ବିନାଶକାରୀ ଅଟେ । ଯେତେବେଳେ ମଧ୍ୟ ପୁଷ୍ଟିକାରକ ଖାଦ୍ୟର ଅଭାବ ଦେଖାଦିଏ, ସେତେବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହିଳା ଓ ପିଲାମାନେ ହୋଇଥାନ୍ତି । ଆଉ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେମାନେ ସବୁବେଳେ ଅବିଶ୍ୱସନୀୟ ଭାବେ ବିପଦଶଙ୍କୁଳ ଅବସ୍ଥାରେ ରହିଥାନ୍ତି । କିଶୋରୀ ଝିଅମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ଯାହା ବିଷୟରେ ବୋଧହୁଏ କେହି କେବେ ଚିନ୍ତା କରନ୍ତି ନାହିଁ, ସେଗୁଡିକ ଉଲ୍ଲେଖ କରିବା କଥା କିଏ ଭାବୁଛି । ସମଗ୍ର ଦେଶରେ ଲକ୍ଷ ଲକ୍ଷ ଝିଅମାନଙ୍କୁ ସେମାନଙ୍କ ବିଦ୍ୟାଳୟରୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ମିଳିଥାଏ – ହଠାତ୍‌ ବିଦ୍ୟାଳୟଗୁଡିକ ବନ୍ଦ ହୋଇଗଲା, ସେଥିପାଇଁ କୌଣସି ବିକଳ୍ପ ମଧ୍ୟ ବ୍ୟବସ୍ଥା କରାଯାଇନାହିଁ । ଅତଏବ ଲକ୍ଷାଧିକ ଝିଅ ପୁଣି ସେହି ଅସ୍ୱାସ୍ଥ୍ୟକର ବିକଳ୍ପ ଆପଣେଇବାକୁ ବାଧ୍ୟ ହୋଇଛନ୍ତି ।

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ସେ ବିଷୟରେ କ’ଣ କହିବେ?

ଅନେକ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଚାଲି ଚାଲି ଯିବାକୁ ପଡିଥାଏ । ଉଦାହରଣ ସ୍ୱରୂପ, ଦକ୍ଷିଣ ରାଜସ୍ଥାନର ପ୍ରବାସୀ ଶ୍ରମିକମାନେ ଗୁଜୁରାଟସ୍ଥିତ ସେମାନଙ୍କ କାରଖାନା ବା ମଧ୍ୟମ-ବର୍ଗର କର୍ମ ନିଯୁକ୍ତିଦାତାଙ୍କଠାରୁ ଚାଲିଚାଲି ଘରକୁ ଫେରିଥାନ୍ତି । ହେଲେ, ଏପରି ସେମାନେ ଏକ ଭିନ୍ନ ପରିସ୍ଥିତିରେ କରିଥାନ୍ତି ।

ସେମାନେ ୪୦କିଲୋମିଟର ଚାଲନ୍ତି, ତାପରେ କୌଣସି ଏକ ଢାବା  ବା ଚା’ ଦୋକାନରେ ରୁହନ୍ତି। ସେଠାରେ କାମ କରନ୍ତି ଓ ବଦଳରେ ଗୋଟିଏ ଭୋଜନ ପାଆନ୍ତି । ସକାଳେ ସେମାନେ ସେହି ସ୍ଥାନ ଛାଡନ୍ତି । ପରବର୍ତ୍ତୀ ବଡ ବସ୍‌ ଷ୍ଟାଣ୍ଡରେ ମଧ୍ୟ ସେମାନେ ଅନୁରୂପ କରନ୍ତି । ଏହିପରି ଭାବେ ସେମାନେ ଘରକୁ ଫେରିବା ବେଳେ ଉପାର୍ଜନ କରନ୍ତି । ବର୍ତ୍ତମାନ ସମସ୍ତ ସ୍ଥାନ ବନ୍ଦ ହୋଇଯାଇଥିରୁ ସେମାନଙ୍କୁ ଡିହାଇଡ୍ରେସନ୍‌, ଭୋକ, ଡାଇରିଆ ଓ ଅନ୍ୟାନ୍ୟ ରୋଗର ସମ୍ମୁଖୀନ ହେବାକୁ ପଡୁଛି ।

ସେମାନଙ୍କ ସ୍ଥିତି ସୁଧାରିବାକୁ ହେଲେ ଆମକୁ ଭବିଷ୍ୟତରେ କ’ଣ କରିବାକୁ ହେବ?

ଆମେ ବିକାଶର ଯେଉଁ ପଥ ଚୟନ କରିଛେ ତାହାର ଗତିପଥ ସମ୍ପୂର୍ଣ୍ଣ ଭାବେ ବଦଳାଇବା ଓ ଅସମାନତାକୁ ଦୂର କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା । ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ରହିଥିବା ବୈଷମ୍ୟ ଭାବ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ପାଇଁ ଦାୟୀ।

ଯେତେବେଳ ପର୍ଯ୍ୟନ୍ତ ଆପଣମାନେ ସମ୍ବିଧାନରେ ସ୍ଥାନିତ “ସମସ୍ତଙ୍କ ପାଇଁ ନ୍ୟାୟ”: ସାମାଜିକ, ଅର୍ଥନୈତିକ ଓ ରାଜନୈତିକ …” ର ମହତ୍ତ୍ୱ ବୁଝି ପାରିନାହାନ୍ତି, ସେତେବେଳ ଯାଏ ଆପଣ ଏପରି କରିପାରବେ ନାହିଁ । ଆଉ ରାଜନୀତି ପୂର୍ବରୁ ସାମାଜିକ ଓ ଅର୍ଥନୈତିକ ବିଷୟ ଚିନ୍ତା କରିବା ଅପ୍ରତ୍ୟାଶିତ ତ ନୁହେଁ । ମୁଁ ଭାବୁଛି ଏହାକୁ ଯେଉଁ ଲୋକମାନେ ଏହା ଲେଖିଥିଲେ ସେମାନଙ୍କ ଠାରେ କାହାକୁ ଅଗ୍ରାଧିକାର ଦିଆଯିବା ଉଚିତ ସେ ନେଇ ସ୍ପଷ୍ଟ ଧାରଣା ରହିଥିଲା । ଆପଣଙ୍କ ସମ୍ବିଧାନ ଆପଣଙ୍କୁ ରାସ୍ତା ଦେଖାଉଛି । 

ଭାରତର ସମ୍ଭ୍ରାନ୍ତ ବର୍ଗ ଓ ସରକାର ପ୍ରକୃତରେ ଏହା ଭାବୁଛନ୍ତି ଯେ ସବୁକିଛି ପୁଣି ପୂର୍ବପରି ହୋଇଯିବ ଓ ସେମାନଙ୍କର ଏହି ବିଶ୍ୱାସ ଯୋଗୁଁ ଅବିଶ୍ୱସନୀୟ ଭାବେ ଉତ୍ପୀଡନ, ଦମନ ଓ ହିଂସାର ସୁତ୍ରପାତ ହେବ ।

ପ୍ରଚ୍ଛଦ ଫଟୋ : ସତ୍ୟପ୍ରକାଶ ପାଣ୍ଡେ

ଏହି ଇଣ୍ଟରଭ୍ୟୁ ମେ ୧୩,୨୦୨୦ରେ ଫାର୍ଷ୍ଟପୋଷ୍ଟରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

Other stories by Parth M.N.