ନଅ ବର୍ଷର ଶୀଲାବତୀ ମୁର୍ମୁ ପ୍ରତିଦିନ ଚଚନପୁର ଗାଁର ଦୁଇଟି ସ୍କୁଲ୍‌କୁ ଯାଏ- ଗୋଟିଏ ପ୍ରାୟ ୫୦୦ ମିଟର ଦୂରରେ ଥିବା ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରାଥମିକ ସ୍କୁଲ ଏବଂ ଅନ୍ୟଟି ରେବା ମୁର୍ମୁଙ୍କ ଦ୍ୱାରା ପରିଚାଳିତ ଏକ ‘ବିକଳ୍ପ’ ସ୍କୁଲ୍‌ ।

ସାନ୍ତାଳ କୃଷକ ପରିବାରରୁ ଆସିଥିବା ୩ରୁ ୧୨ ବର୍ଷ ବୟସର ପ୍ରାୟ ୪୦ ଜଣ ଅନ୍ୟ ପିଲାଙ୍କ ସହିତ ଶୀଲାବତୀ ଖରାଦିନେ ସକାଳ ୬ଟା ବେଳେ ଏବଂ ଶୀତଦିନେ ଅଧ ଘଣ୍ଟା ଡେରିରେ ସ୍କୁଲ୍‌କୁ ଆସେ । ବଡ଼ପିଲାମାନେ ସ୍କୁଲ୍‌ ଘରର ଚଟାଣକୁ ଝାଡୁରେ ସଫା କରନ୍ତି । ପ୍ରାର୍ଥନାରେ ଟାଗୋରଙ୍କ ଏକ ଗୀତ ବୋଲନ୍ତି - ଯେଉଁ ଗୀତରେ ମୋଟାମୋଟି ଏହା ହିଁ କୁହାଯାଇଛି ଯେ, ‘ଅଗ୍ନି ହେଉଛି ଏକ ପରଶ ଶିଳା, ଏହା ମୋତେ ସ୍ପର୍ଶ କରୁ ଏବଂ ମୋତେ ଶୁଦ୍ଧ କରୁ’। ଏହା ପରେ ସେ ଦିନର ପାଠ ଆରମ୍ଭ କରନ୍ତି । ଏହି ସ୍କୁଲ୍‌ର ଏକ ଅଂଶରେ ଶିଶୁମାନଙ୍କର ଯତ୍ନ ପାଇଁ ଗୃହଟିଏ ରହିଛି, ଯେଉଁଠାକୁ ଛୋଟ ଛୋଟ ପିଲାମାନେ ଖେଳିବାକୁ ଏବଂ ଶୋଇବାକୁ ଆସିପାରନ୍ତି ।

୨୦୧୦ ମସିହାରେ ତାଙ୍କ ପରିବାର ମାଲିକାନାରେ ଥିବା ଏକ ମାଟି କୁଡ଼ିଆରେ ଏଇ ସ୍କୁଲ୍‌ ଆରମ୍ଭ କରିଥିଲେ ରେବାଦି- ତାଙ୍କୁ ସମସ୍ତେ ଏହି ନାଁରେ ଡାକନ୍ତି। ୧୯୭୦ ମସିହାରେ ରାଜ୍ୟ ସରକାରଙ୍କର ଏକ ଜମି ପୁନର୍ବଣ୍ଟନ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପରିବାରକୁ ହସ୍ତାନ୍ତରିତ ହୋଇଥିବା ପାଖାପାଖି ତିନି ଏକର ଜମିର ମାଲିକାନା ତାଙ୍କୁ ମିଳିଥିଲା । କିନ୍ତୁ ଏଠାକାର ଜମି ଏତେ ଉର୍ବର ନୁହେଁ । ତେଣୁ ତାଙ୍କ ଜମିର କିଛି ଅଂଶକୁ ରେବା କୋଲକାତାର ଏକ କୃଷି ସଂସ୍ଥାକୁ ଲିଜ୍‌ରେ ଦେଇଥିଲେ ଏବଂ ସେଥିରୁ ମିଳିଥିବା ଅର୍ଥକୁ ଏହି ସ୍କୁଲ୍‌ ଖୋଲିବାରେ ଲଗାଇଲେ । ଏବେ ସେ ଏକ ଛୋଟ ଜମିରେ ବନ୍ଧାକୋବି, ଆଳୁ, ଅମୃତଭଣ୍ଡା ଭଳି ପନିପରିବା ଓ ଫଳ ଚାଷ କରନ୍ତି ଏବଂ ସେଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ।

ତାଙ୍କ ପରିବାରର ମାମୁଲି ରୋଜଗାର ସତ୍ତ୍ୱେ, ସାନ୍ତାଳ ସଂପ୍ରଦାୟର ୫୩ ବର୍ଷୀୟା ରେବା, ପ୍ରାୟ ୧୫ କିଲୋମିଟର ଦୂର ଛାତନା ସହରର ଏକ କଲେଜ୍‌ରୁ ବିଏ ଡିଗ୍ରୀ ହାସଲ କରିବାରେ ସଫଳ ହୋଇଥିଲେ । ସାଇକେଲରେ ସେ କଲେଜ ଯାଉଥିଲେ । ତାଙ୍କର ଦୁଇ ଭାଇ ଭଉଣୀଙ୍କ ସହିତ ପୁରା ପରିବାର ପଶ୍ଟିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ଥିବା ଏହି ଗାଁରେ ରହନ୍ତି ଏବଂ ତାଙ୍କ ସ୍କୁଲ୍‌ କାମରେ ସହଯୋଗ କରନ୍ତି । ସେମାନଙ୍କ ମାଆଙ୍କ ନାଁରେ ଏହି ସ୍କୁଲ୍‌କୁ ନାମିତ କରାଯାଇଛି- ଲକ୍ଷ୍ମୀ ମୁର୍ମୁ ପ୍ରାଥମିକ ବିଦ୍ୟାଳୟ ।

ପ୍ରାୟ ଚାରି ବର୍ଷ ତଳେ, ଚଚନାପୁରରୁ ପ୍ରାୟ ୧୮୫ କିଲୋମିଟର ଦୂର କୋଲକାତା ନଗରୀର ଦୁଇଟି ସଂଗଠନ କିଛି ଅର୍ଥ ଦାନ ଦେଇଥିଲେ ଏବଂ ଛଅଟି କଂକ୍ରିଟ୍‌ ଖମ୍ବ ସହିତ ଆଜବେଷ୍ଟସ୍‌ ଛାତ ଥିବା ତିନିଟି ଖୋଲା ଶ୍ରେଣୀଗୃହ ନିର୍ମାଣରେ ରେବାଦିଙ୍କୁ ସାହାଯ୍ୟ କରିଥିଲେ । ଏଥିରୁ ଗୋଟିଏ ସଂଗଠନର ସହାୟତାରେ ତାଙ୍କ ଦ୍ୱାରା ନିଯୁକ୍ତ ଦୁଇ ଜଣ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତି ଏବଂ ସେମାନଙ୍କୁ ଗଣିତ, ବଙ୍ଗଳା, ଇତିହାସ, ଭୂଗୋଳ ଏବଂ ଅନ୍ୟାନ୍ୟ ବିଷୟ ପଢ଼ାନ୍ତି। ଏହି ସମୟ ଭିତରେ ପିଲାମାନେ ସକାଳେ ଓ ସନ୍ଧ୍ୟାରେ ଖାଇବା ପାଇଁ ରେବାଦି ଜଳଖିଆ ପ୍ରସ୍ତୁତ କରନ୍ତି । ଯେଉଁଥିରେ ମୁଢ଼ି ସହିତ ଗୁଡ଼, କିମ୍ବା ରୁଟି ଏବଂ ସିଝା ମଟର ତରକାରି ଥାଏ ଏବଂ ଏହି ଖାଦ୍ୟ ତାଲିକା ବଦଳୁଥାଏ ।

ସକାଳ ୯ଟା ୩୦ରେ ସେମାନେ ଘରକୁ ଯାଆନ୍ତି ଏବଂ ସରକାରୀ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି । ସରକାରୀ ସ୍କୁଲ୍‌ଟି ମଧ୍ୟ ଏକ ଭଙ୍ଗାଦଦରା ମାଟିଘରେ ଚାଲୁଥିଲା । କିନ୍ତୁ ଏବେ ଏହା ଚାରିଟି କୋଠରି ଥିବା ଏକ ପକ୍କା (ସ୍ଥାୟୀ) ଘରେ ଚାଲୁଛି । ଏଠାକାର ଜଣେ ମାତ୍ର ପ୍ରୌଢ଼ ଶିକ୍ଷକ ଅନନ୍ତୋ ବାବୁ, ସବୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସବୁ ପାଠ ପଢ଼ାଇବା ପାଇଁ ସଂଘର୍ଷ କରନ୍ତି। ପିଲାମାନଙ୍କ ପାଇଁ ସରକାରୀ ସ୍କୁଲ୍‌ରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ହିଁ ଅଧିକ ଆକର୍ଷଣୀୟ, ଆଉ ମାଗଣାରେ ଦିଆଯାଉଥିବା ପଢ଼ାବହି ବି ।

ଅପରାହ୍‌ଣ ୪ଟା ସୁଦ୍ଧା ପିଲାମାନେ ମୁର୍ମୁଙ୍କ ସ୍କୁଲ୍‌କୁ ଫେରିଆସନ୍ତି। ସେମାନେ ଅନ୍ଧାର ହେଲା ଯାଏ ଖେଳନ୍ତି । ତା’ପରେ ସେମାନେ ସନ୍ଧ୍ୟାର ଜଳଖିଆ ଖାଇ ପଢ଼ି ବସନ୍ତି । ରାତି ୯ଟା ସୁଦ୍ଧା ସେମାନେ ଘରେ ପହଞ୍ଚନ୍ତି ।

ଏହି ସ୍କୁଲ୍‌ ବ୍ୟତୀତ, ତାଙ୍କ ଗାଁର ମହିଳାମାନଙ୍କୁ ଏକତ୍ର କରିବା ଲାଗି, ୨୦୦୮ ମସିହାରେ ଚଚନପୁର ଆଦିବାସୀ ମହିଳା ବିକାଶ ସୋସାଇଟି ଆରମ୍ଭ କରିଥିଲେ ରେବା ମୁର୍ମୁ । ଅନ୍ୟ ସବୁ କାର୍ଯ୍ୟକ୍ରମ ତ ରହିଛି, ତା ସହିତ ଛୋଟ ଜମିର ସର୍ବୋତ୍ତମ ଉପଯୋଗ ଦିଗରେ ମହିଳାମାନଙ୍କୁ ତାଲିମ ଦେବାକୁ କୋଲକାତାର ଅନ୍ୟ ଏକ ସଂଗଠନ ସହ ଏହି ସୋସାଇଟି ହାତ ମିଳାଇଛି ।

ରେବାଙ୍କର ମନେ ଅଛି ଯେ, ଏକଦା ପରିବା ବିକି ଚଳୁଥିବା ତାଙ୍କ ଖୁଡ଼ି, ଗୋଟିଏ ଟଙ୍କିକିଆ ମୁଦ୍ରା ଓ ୪୦ ପଇସିଆ ମୁଦ୍ରାର ଫରକ ଜାଣିପାରୁ ନଥିଲେ । ଏଥିରୁ ହିଁ ତାଙ୍କ ଘର ଲୋକେ ପଢ଼ିବା ଓ ଲେଖିବାର ଗୁରୁତ୍ୱ ବୁଝିପାରିଲେ । ସେ ପ୍ରଶ୍ନ କରନ୍ତି, “ଆମେ ଜାଣୁ ଯେ ଆମମାନଙ୍କୁ (ଅନୁସୂଚିତ ଜନଜାତିଙ୍କୁ) ନିଯୁକ୍ତି ଦେବା ଲାଗି ସରକାରୀ ବ୍ୟବସ୍ଥା ରହିଛି । କିନ୍ତୁ (ସେମାନେ ଶିକ୍ଷିତ ହୋଇ ନଥିଲେ) କିଏ ନିଯୁକ୍ତି ଦେବ ?” ସେ କହନ୍ତି, ଯଦି କେବଳ ଗୋଟିଏ ପିଢ଼ିକୁ ଉପଯୁକ୍ତ ରାସ୍ତାରେ ଆଗକୁ ନିଆଯାଏ, ତା ହେଲେ ଭଲଦିନ ଆପେ ଆପେ ଆସିବା ଆରମ୍ଭ ହୋଇଯିବ ।

Shilabati Murmu, 9, sits in class with her friends. All of them come to this second school before and after they attend the government-run primary school nearby
PHOTO • Joydip Mitra

ଶ୍ରେଣୀଗୃହରେ ତା’ର ସାଙ୍ଗମାନଙ୍କ ସହିତ ୯ ବର୍ଷୀୟା ଶୀଲାବତୀ । ପାଖ ସରକାରୀ ସ୍କୁଲ୍‌ରେ ପଢ଼ିବାକୁ ଯିବା ପୂର୍ବରୁ ଏବଂ ପରେ ସେମାନେ ସମସ୍ତେ ଏହି ଦ୍ୱିତୀୟ ସ୍କୁଲ୍‌କୁ ଆସନ୍ତି ।

Shilabati draws a national flag towering over her bare hut
PHOTO • Joydip Mitra

ତା’ର ଶୂନ୍ୟ କୁଡ଼ିଆ ଉପରେ ଏକ ଜାତୀୟ ପତାକାର ଛବି ଆଙ୍କେ ଶୀଲାବତୀ

Reba Murmu, with the short hair, thinking about how to assess the drawing abilities of her students, who stand in queue in the background to collect breakfast
PHOTO • Joydip Mitra

ରେବା ମୁର୍ମୁ (ଠିଆ ହୋଇଛନ୍ତି) ଚିନ୍ତା କରୁଛନ୍ତି ଯେ ସକାଳର ଜଳଖିଆ ନେବାକୁ ଅପେକ୍ଷାରତ ତାଙ୍କ ଛାତ୍ରଛାତ୍ରୀମାନଙ୍କର (ପୃଷ୍ଠଭାଗରେ) ଅଙ୍କନ ଦକ୍ଷତାର ଆକଳନ କେମିତି କରିବେ।

The kids invent their own games – a favourite is diving on a stack of dry straw from high up – in a school space that gives them the freedom to grow
PHOTO • Joydip Mitra

ଏମିତି ଏକ ସ୍କୁଲ୍‌ ଯେଉଁଠି ସେମାନଙ୍କୁ ବଢ଼ିବାର ସ୍ୱାଧୀନତା ମିଳେ,  ସେମାନଙ୍କ ନିଜ ଖେଳକୁ ପିଲାମାନେ ନିଜେ ନିଜେ ଆବିଷ୍କାର କରନ୍ତି- ଉପରକୁ ଯାଇ ତଳର ଶୁଖିଲା ନଡ଼ା ଗଦାକୁ କୁଦିବା ସେମାନଙ୍କର ପ୍ରିୟଖେଳରୁ ଗୋଟିଏ ।

Anjali Mandi, 13, is a student in Class 7 at the school, as well as a babysitter for her younger siblings
PHOTO • Joydip Mitra

୧୩  ବର୍ଷର ଅଞ୍ଜଳି ମାଣ୍ଡି, ୭ମ ଶ୍ରେଣୀର ଛାତ୍ରୀ ଏବଂ ତା ସହିତ ନିଜ ଛୋଟ ଭାଇଭଉଣୀଙ୍କର ଯତ୍ନ ନିଏ ।

Balu, 4, follows his sister, Manika , 11,  to school every day, and plays in the crèche, perhaps impatient to himself reach school-going age
PHOTO • Joydip Mitra

୪ ବର୍ଷର ବାଲୁ ହେମ୍ବ୍ରମ୍‌  ସବୁଦିନ ତା’ର ୧୧  ବର୍ଷୀୟା ସଂପର୍କୀୟା ଭଉଣୀ ମନିକା ମୁର୍ମୁ ପଛେ ପଛେ ସ୍କୁଲ୍‌କୁ ଯାଏ ଏବଂ ଶିଶୁଗୃହରେ ଖେଳେ, ବୋଧହୁଏ ନିଜେ ସ୍କୁଲ୍‌ ଯିବା ବୟସରେ ପହଞ୍ଚିବା ପାଇଁ ଅଧୈର୍ଯ୍ୟ ହୋଇପଡ଼େ ।

Students line up to have their homework reviewed by Mala Hansda, one of the teachers in Murmu’s school. Mala is from Chatna town and has done a Master’s degree in Philosophy from Bankura University. She is now preparing to take an exam that recruits government employees. Meanwhile, the Rs. 2000 salary she earns at Rebadi’s school helps her move along
PHOTO • Joydip Mitra

ଶିକ୍ଷୟିତ୍ରୀ ମାଲା ହାଁସଦାଙ୍କ ଦ୍ୱାରା ସେମାନଙ୍କ ହୋମ୍‌ୱର୍କର ମୂଲ୍ୟାୟନ ପାଇଁ  ଛାତ୍ରଛାତ୍ରୀମାନେ ଧାଡ଼ି ବାନ୍ଧନ୍ତି । ମାଲାଙ୍କ ଘର ଛାତନା ସହରରେ ଏବଂ ସେ ବାଙ୍କୁଡ଼ା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ଏମ୍‌ଏ ଡିଗ୍ରୀ ହାସଲ କରିଛନ୍ତି । ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଏକ ପରୀକ୍ଷା ଦେବାକୁ ସେ ପ୍ରସ୍ତୁତି ଚଳାଇଛନ୍ତି । ରେବାଦିଙ୍କ ସ୍କୁଲ୍‌ରୁ ସେ ରୋଜଗାର କରୁଥିବା ୨,୦୦୦ ଟଙ୍କା ତାଙ୍କୁ ଆଗେଇ ନେବାରେ ସାହାଯ୍ୟ କରେ ।

A little girl who has not yet been named gets her first pair of shoes from a non-governmental organisation
PHOTO • Joydip Mitra

ଗୋଟିଏ ବେସରକାରୀ ସଂସ୍ଥା ନିକଟରୁ ତା’ର ପ୍ରଥମ ହଳ ଜୋତା ପାଇଛି କୁନି ଝିଅଟିଏ, ଯାହାର ନାଁ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ ଏବଂ କେବଳ ଡାକ ନାଁଟିଏ ଅଛି- କୌତିୟା । 

Reba Murmu distributing exercise books to students. This is one reason parents too support this school – everything here is given for free
PHOTO • Joydip Mitra

ରେବା ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଖାତା ବାଣ୍ଟୁଛନ୍ତି। ଏଠାରେ ସବୁକିଛି ମାଗଣା ଦିଆଯାଏ ଏବଂ ଏଇ ଗୋଟିଏ କାରଣରୁ ପିତାମାତାମାନେ ଏହି ସ୍କୁଲ୍‌କୁ ସମର୍ଥନ କରନ୍ତି।

Binata Hembram, 8, is always smiling radiantly, and clearly loves her school work
PHOTO • Joydip Mitra

ତା’ର ବହିଖାତା ଓ ସ୍କୁଲ୍‌ କାମ ପାଇଁ ଖୁସିରେ ସବୁବେଳେ ହସୁଥାଏ  ୮ ବର୍ଷୀୟା ବିନତା ହେମ୍ବ୍ରମ୍‌

Piyali Kisku is just 11 but wants to learn algebra. She wants to be a doctor. Her parents own very little land, but this school has allowed Piyali to dream big
PHOTO • Joydip Mitra

ଆଲ୍‌ଜେବ୍ରା ପଢ଼ିବାକୁ ଏବଂ ଡାକ୍ତର ହେବାକୁ ଚାହେଁ ୧୧ ବର୍ଷର ପିୟାଲି କିସ୍କୁ। ତା’ର ବାପାମାଆଙ୍କ ପାଖରେ ଖୁବ୍‌ କମ୍‌ ଜମିବାଡ଼ି ଅଛି, ହେଲେ ଏଇ ସ୍କୁଲ୍‌ ତାକୁ ବଡ଼ ହେବାର ସ୍ୱପ୍ନ ଦେଖାଇଛି ।

A girl’s self-portrait, along with her surroundings
PHOTO • Joydip Mitra

ନିଜ ପରିବେଶ ସହିତ ନିଜର ଚିତ୍ର ଆଙ୍କିଛି ଗୋଟିଏ ଝିଅ

The students look forward to picnics on the sandbanks of the river in the village
PHOTO • Joydip Mitra

ଗାଁର ଦ୍ୱାରକେଶ୍ୱର ନଦୀ ବାଲିରେ ପିକ୍‌ନିକ୍‌ ପାଇଁ ଉତ୍ସୁକତାର ସହ ଅପେକ୍ଷା କରନ୍ତି ଛାତ୍ରଛାତ୍ରୀମାନେ

ରେବା ମୁର୍ମୁଙ୍କ ସ୍କୁଲ୍‌କୁ ପେନ୍‌, ପେନ୍‌ସିଲ୍‌, ଖାତା, ଚିତ୍ରାଙ୍କନ ପାଇଁ କାଗଜ ଫର୍ଦ୍ଦ, ଗରମ ବସ୍ତ୍ର, ଜୋତା ଓ ବହି ଦେଇ ସହାୟତା କରୁଥିବା ଗୋଟିଏ ଗୋଷ୍ଠୀରେ ଏହି ଲେଖକ ୨୦୧୭ ମାର୍ଚ୍ଚରୁ ସାମିଲ ହୋଇଛନ୍ତି । ପିଲାମାନଙ୍କ ଦୈନନ୍ଦିନ ଜଳଖିଆ ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ମାସକୁ ମାସ ଟଙ୍କା ବି ଦିଅନ୍ତି । ଅତିଥିମାନଙ୍କ ରହିବା ପାଇଁ ମୁର୍ମୁ ତାଙ୍କ ଘରର ଦୁଇଟି ବଖରା ପ୍ରସ୍ତୁତ କରିଛନ୍ତି । ଛୋଟପିଲାର ବାପାମାଆ ହୋଇଥିବା ବନ୍ଧୁ ଓ ସଂପର୍କୀୟମାନଙ୍କୁ ଲେଖକଙ୍କ ଗୋଷ୍ଠୀ ଅନୁରୋଧ କରେ କି ସେମାନେ ଚଚନ୍‌ପୁର ବୁଲିବାକୁ ଯାଆନ୍ତୁ ଏବଂ ସେଠାରେ ରହନ୍ତୁ । ଯାହାଦ୍ୱାରା କି ସେମାନଙ୍କ ପିଲାମାନେ ରେବାଦିଙ୍କ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତା କରିପାରିବେ ଏବଂ “ସେମାନଙ୍କ ସହର ବାହାରେ ଥିବା ଅବସାଦ ଓ ଆନନ୍ଦ ସଂପର୍କରେ ଜାଣିପାରିବେ ।”

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Joydip Mitra

ଜୟଦୀପ ମିତ୍ର, କୋଲକାତାର ଜଣେ ମୁକ୍ତବୃତ୍ତି ଫଟୋଗ୍ରାଫର, ଯିଏ ସମଗ୍ର ଭାରତର ଲୋକ, ମେଳା ଓ ଉତ୍ସବର ଲେଖାରୂପ ପ୍ରସ୍ତୁତ କରନ୍ତି । ତାଙ୍କ ଲେଖା, ‘ଜେଟ୍‌ୱିଙ୍ଗସ’, ‘ଆଉଟ୍‌ଲୁକ୍‌ ଟ୍ରାଭେଲରେ’ ଏବଂ ‘ଇଣ୍ଡିଆ ଟୁଡେ ଟ୍ରାଭେଲ୍‌ ପ୍ଲସ୍‌’ ସମେତ ବିଭିନ୍ନ ପତ୍ରିକାରେ ପ୍ରକାଶ ପାଇଛି ।

Other stories by Joydip Mitra