ଊନବିଂଶ ଶତାବ୍ଦୀରେ ଯେତେବେଳେ ଭାରତରେ ରେଳର ଶୁଭାରମ୍ଭ ହେଲା ସେତେବେଳେ ବିଭିନ୍ନ ଆଞ୍ଚଳିକ ନେଟୱର୍କ ପ୍ରତିଷ୍ଠା ହେଲା । ତତ୍କାଳୀନ ସମୟରେ ଗ୍ୱାଲିଅର ରାଜ୍ୟର ଶାସକ ଥିବା ସିନ୍ଧିଆମାନେ ଗ୍ୱାଲିଅର ଲାଇଟ ରେଲୱେ ଆରମ୍ଭ କଲେ । ଏହାର ରୁଟ୍ ବା ଗତିପଥ ୨୧୦ କିଲୋମିଟର ଦୂରତାକୁ ଅତିକ୍ରମ କରିଥାଏ ଏବଂ ବର୍ତ୍ତମାନ ଏହା ସାରା ବିଶ୍ୱରେ ରହିଯାଇଥିବା ନାରୋ ଗଜ୍ ଲାଇନ୍ ମଧ୍ୟରେ ଦୀର୍ଘତମ ।

ଏହି ଲାଇନ୍ରେ ନଂ ୫୨୧୭୧ ହେଉଛି ଏକମାତ୍ର ଟ୍ରେନ୍ ଯାହାକି ସେଓପୁର କଲାନ ଆଉଟପୋଷ୍ଟକୁ ଗ୍ୱାଲିଅର ସିଟି ସହିତ ସଂଯୋଗ କରୁଛି । ଏହା ହାରାହାରି ଭାବେ ଘଣ୍ଟା ପିଛା ୧୮ କିମି ବେଗରେ ଗତି କରେ । ଅର୍ଥାତ୍ ଯାତ୍ରା ସଂପୂର୍ଣ୍ଣ କରିବା ଲାଗି ଆପଣଙ୍କୁ ସାଢ଼େ ଦଶ ଘଣ୍ଟା ସମୟ ଲାଗିବ ।

ବର୍ତ୍ତମାନ ଭାରତୀୟ ରେଳବିଭାଗର ଅଂଶବିଶେଷ ଥିବା ଏହି ଟ୍ରେନ୍, ସକାଳ ୬.୨୫ ମିନିଟ୍‌ରେ ଗ୍ୱାଲିଅର ଛାଡ଼ିଥାଏ । ମୁଁ ଅଧଘଣ୍ଟା ପୂର୍ବରୁ ଷ୍ଟେସନ୍‌ରେ ପହଞ୍ଚିଲି, ୨୯ ଟଙ୍କା ଦେଇ ମୋର ଟିକେଟ୍ କିଣିଲି ଏବଂ ଟ୍ରେନ୍‌ରେ ବସିଲି । ସେତେବେଳକୁ ଟ୍ରେନ୍‌ରେ ଯାତ୍ରୀଙ୍କର ଗହଳି ଆରମ୍ଭ ହୋଇଯାଇଥିଲା । “ଗ୍ୱାଲିଅର-ସେଓପୁର ଏନ୍‌ଜି ପାସେଞ୍ଜର”ରେ ୭ଟି ଛୋଟ ବଗି ରହିଛି ଏବଂ ସେଥିରେ ପ୍ରାୟ ୨୦୦ ଜଣ ଯାତ୍ରା କରିପାରିବେ । କିନ୍ତୁ ଏହା ପ୍ରତିଦିନ ଅତି କମ୍‌ରେ ତା’ଠାରୁ ଦୁଇଗୁଣ ଯାତ୍ରୀଙ୍କୁ ପରିବହନ କରିଥାଏ । ଲୋକମାନେ ବଗି ମଧ୍ୟକୁ ପଶିଆସନ୍ତି, କଡ଼ରେ ଓହଳି ହୋଇ ରହନ୍ତି ଏବଂ ଛାତ ଉପରକୁ ଚଢ଼ି ଯାଆନ୍ତି ।

ପ୍ରବଳ ଗହଳି ଏବଂ ଠେଲାପେଲା ସତ୍ତ୍ୱେ ମୋର ସହଯାତ୍ରୀମାନେ ମୋତେ ଟ୍ରେନ୍‌ରେ ଚଢ଼ିବା ଲାଗି ସାହାଯ୍ୟ କଲେ ଏବଂ ମୋତେ ଥଇଥାନ କରିବାକୁ ଉଦ୍ୟମ କଲେ । ଘୋସିପୁରା ଷ୍ଟେସନ୍‌ରେ ମୁଁ ଇଞ୍ଜିନ୍ ଡ୍ରାଇଭରଙ୍କ କ୍ୟାବିନ୍‌କୁ ଗଲି । ଡ୍ରାଇଭର ଅନୱର ଖାନ୍ ମୋତେ କିଛି ସମୟ ପାଇଁ ତାଙ୍କ ପାଖରେ ବସି ଯାତ୍ରା କରିବା ଲାଗି ଅନୁମତି ଦେଲେ । ମୁଁ ମଧ୍ୟ ଟ୍ରେନ୍ ଛାତରେ ବସି ଯାତ୍ରା କରିବା ଲାଗି ଖୁବ୍ ଉତ୍ସାହୀ ଥିଲି କିନ୍ତୁ ଜାଣିବାକୁ ପାଇଲି ଯେ ସେଥିରେ ଖୁବ୍ ବିପଦ ଅଛି । ଆପଣ ରାସ୍ତାରେ ପଡୁଥିବା ଟ୍ରସ୍ ପୋଲର କ୍ରସବିମ୍‌ରେ ବାଡ଼େଇ ହୋଇଯିବାର ଆଶଙ୍କା ରହିଛି । (ଟ୍ରସ ପୋଲଗୁଡ଼ିକ ହେଉଛି ଏପରି ସଂରଚନା ଯାହାକି ତ୍ରିକୋଣୀୟ ୟୁନିଟ୍ ଦ୍ୱାରା ସଂଯୋଗୀକୃତ ଏବଂ ଏହି ରୁଟ୍‌ର କିଛି ସ୍ଥାନରେ ଖୁବ୍ ଅଳ୍ପ କ୍ଲିଅରାନ୍ସ ମିଳେ) । ଏପରିସ୍ଥଳେ କିଛି ପାସେଞ୍ଜର କ୍ରସବିମ୍ ଦ୍ୱାରା ଆଘାତପ୍ରାପ୍ତ ନ ହେବା ଲାଗି ଟ୍ରେନ୍‌ର ଯେକୌଣସି ପାଶ୍ୱର୍କୁ କିଛି ସମୟ ପାଇଁ ଓହ୍ଲାଇ ଆସିବା ଭଳି ବିପଜ୍ଜନକ ସିଦ୍ଧାନ୍ତ ନେଇଥାନ୍ତି, ଅନ୍ୟମାନେ ସିଧା ମୁହଁ ଓପରକୁ କରି ଶୋଇପଡ଼ନ୍ତି ।

ଟ୍ରେନ୍‌ଟି ସୁନ୍ଦର ସୋରିଷ କ୍ଷେତ, ଝରଣା ଏବଂ ଟାଙ୍ଗରା ଭୂମି ଦେଇ ଅତିକ୍ରମ କଲା । ସେଦିନ ବିଷୟରେ ମୁଁ ସବୁଠୁ ଅଧିକ ଯାହା ମନେ ରଖିଛି ତାହା ହେଲା ସାରା ଦିନଟି ଖୁବ୍ ମନୋହର ଥିଲା

PHOTO • Ritayan Mukherjee

ଯାତ୍ରୀମାନେ ଗ୍ୱାଲିଅରରୁ ସେଓପୁର କଲାନ୍ ଯାଏ ୫୨୧୭୧ ନମ୍ବର ପାସେଞ୍ଜର ଟ୍ରେନ୍ ଚଢୁଛନ୍ତି

PHOTO • Ritayan Mukherjee

ଏହି ଭଦ୍ରବ୍ୟକ୍ତି ତାଙ୍କର ପୂରା ପରିବାର ସହିତ ଯାତ୍ରା କରୁଥିଲେ ଏବଂ ନିଜେ ସବୁଠୁ ଉପରେ ଥିବା ବର୍ଥ ଉପରେ କବ୍‌ଜା କରିବା ଲାଗି ଜୋର୍ ଦେଉଥିଲେ ।

PHOTO • Ritayan Mukherjee

ଏହି ଟ୍ରେନର ପରିବହନ କ୍ଷମତା ପ୍ରାୟ ୨୦୦ ହୋଇଥିବାବେଳେ ଏହା ନିୟମିତ ଭାବେ ତାର ଦୁଇରୁ ୩ ଗୁଣ ଅଧିକ ଯାତ୍ରୀଙ୍କୁ ପରିବହନ କରିଥାଏ ।

PHOTO • Ritayan Mukherjee

ଅନୱର ଖାନ୍ ଗ୍ୱାଲିଅରରୁ ଛଅଘଣ୍ଟା ଧରି ଟ୍ରେନ୍ ଚଳାନ୍ତି । ତା’ ପରେ ଆଉ ଜଣେ ଡ୍ରାଇଭର ଗାଡ଼ି ଚଲାନ୍ତି ।

PHOTO • Ritayan Mukherjee

ଖୁବ୍ କମ୍ ଉଚ୍ଚତାରେ ଝୁଲୁଥିବା ଏକ ଟ୍ରସ ବ୍ରିଜ୍ ଉପରେ କୁନୋ ନଦୀ ଅତିକ୍ରମ: ଏହି ରୁଟ୍‌ରେ ନିୟମିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନେ କ୍ରସବିମ୍‌ରେ ସେମାନଙ୍କ ମୁଣ୍ଡକୁ ବାଡ଼େଇ ହେବାରୁ ରକ୍ଷା କରିବା ଲାଗି ମୁହଁ ଉପରକୁ କରି ଶୋଇ ପଡ଼ନ୍ତି

PHOTO • Ritayan Mukherjee

ଟ୍ରେନ୍‌ଟି ରାସ୍ତା ମଝିରେ କୌଣସି ନିର୍ଦ୍ଧାରିତ ଷ୍ଟପ୍ ନଥାଇ ବି ଅଟକି ଯାଏ । ଏଠାରେ, କେହି ଜଣେ ସୁବିଧା ଅନୁଯାୟୀ ସ୍ଥାନରେ ଓହ୍ଲାଇବା ପାଇଁ ଆପାଦକାଳୀନ ଚେନ୍‌ର ଅପବ୍ୟବହାର କରିଛନ୍ତି ।

PHOTO • Ritayan Mukherjee

ଟ୍ରେନଟି ଏକ ଜଳସେଚନ କେନାଲ ଦେଇ ଅତିକ୍ରମ କରୁଥିବାବେଳେ ଦୁଇଜଣ ଲୋକ ଯେଉଁମାନେ କି ଟ୍ରେନର କଡ଼ରେ ଓହଳି ହୋଇ ଯାତ୍ରା କରୁଛନ୍ତି ସେମାନେ ଏହାକୁ ଦେଖୁଛନ୍ତି

PHOTO • Ritayan Mukherjee

ଅତିକ୍ରାନ୍ତ ହେଉଥିବା ପୃଥିବୀକୁ ଅବଲୋକନ

PHOTO • Ritayan Mukherjee

ଲୋକମାନେ ବଗି ମଧ୍ୟରେ ଉପଲବ୍ଧ ଥିବା ପ୍ରତି ଇଞ୍ଚ ଜାଗାକୁ ଦଖଲ କରିନେଇଛନ୍ତି

PHOTO • Ritayan Mukherjee

ଟ୍ରେନ୍‌ଟି ସୁନ୍ଦର ସୋରିଷ କ୍ଷେତ ଦେଇ ଯାଉଛି ଏବଂ ଝରଣା ଓ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଚମ୍ବଲର ବୁଦୁବୁଦୁକିଆ ଜଙ୍ଗଲକୁ ଅତିକ୍ରମ କରୁଛି

PHOTO • Ritayan Mukherjee

ଯାତ୍ରୀମାନେ ଛାତରୁ ଓହ୍ଲାଇ ଗଲେ । ସାଧାରଣତଃ ଟ୍ରେନ୍‌ଟି ପ୍ରତି ଷ୍ଟେସନ୍‌ରେ ୩-୫ ମିନିଟ୍ ଧରି ରହିଥାଏ ।

PHOTO • Ritayan Mukherjee

ଜଣେ ନିତିଦିନିଆ ଯାତ୍ରୀ ସମ୍ବଲଗଡ଼ ଷ୍ଟେସନ୍‌ରେ ଏକ ଗାଈକୁ ସ୍ନେହରେ ଧରିଛନ୍ତି

PHOTO • Ritayan Mukherjee

କୌଣସି ଷ୍ଟେସନ୍‌ରେ ଟ୍ରେନ୍ ରହିବା ପରେ ଯେଉଁମାନେ ଟ୍ରେନ୍‌ର ଉପରେ ବସିଥାନ୍ତି ସେମାନେ ସେମାନଙ୍କର ଅଙ୍ଗପ୍ରତ୍ୟଙ୍ଗକୁ ଟିକେ ମେଲା କରି ଦିଅନ୍ତି

PHOTO • Ritayan Mukherjee

ଗ୍ୱାଲିଅରରୁ ସେଓପୁର କଲାନ୍ ପାସେଞ୍ଜର ଟ୍ରେନ୍ ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଲେ । ପ୍ରତିଥର ଫେରିବାବେଳକୁ ଇଞ୍ଜିନ୍‌ଟି ମରାମତି ପାଇଁ ଗ୍ୱାଲିଅର ରେଳୟାର୍ଡକୁ ଯାଇଥାଏ ।

ଏହି ଫଟୋ ଆଲେଖ୍ୟର କିଛି ଅଂଶ ଫେବୃଆରୀ ୨୨, ୨୦୧୬ରେ ରୋଡସ ଆଣ୍ଡ କିଙ୍ଗଡମ୍‌ସରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee