“ଆମେମାନେ ସଠିକ୍‌ ଭାବେ ଶ୍ୱାସକ୍ରିୟା ସମ୍ପାଦାନ କରିପାରୁନୁ,” ବୋଲି ଶ୍ରମିକମାନେ କହୁଛନ୍ତି ।

ତେଲେଙ୍ଗାନାର ଏହି କେନ୍ଦ୍ରରେ କାମ କରୁଥିବା ଶ୍ରମିକମାନେ ଯେଉଁ ମାସ୍କ ପିନ୍ଧିଛନ୍ତି ତାହା ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଛି । ଧାନ ଗଦାରୁ ଉପରକୁ ଉଠୁଥିବା ଧୂଳି ଯୋଗୁଁ ସେମାନଙ୍କ ଚର୍ମ କୁଣ୍ଡେଇ ହେଉଛି ଓ ସେମାନେ ଛିଙ୍କୁଛନ୍ତି ତଥା ସେମାନଙ୍କର କଫ ହେଉଛି । ସେମାନେ କେତୋଟି ମାସ୍କ ବଦଳାଇବେ? କେତେଥର ସେମାନେ ସେମାନଙ୍କର ହାତ ଓ ମୁହଁ ଧୋଇବେ ଓ ପୋଛିବେ? ସେମାନେ କେତେଥର ସେମାନଙ୍କ ମୁହଁ ଘୋଡାଇ ପାରିବେ – ଯେତେବେଳେକି ସେମାନଙ୍କୁ ୩୨୦୦ ମୋଟା ଝୋଟ ଥଳି –ଭର୍ତ୍ତି କରି, ସେଗୁଡିକୁ ଘୋଷାଡି, ସିଲେଇ, ବୋହିକି ନେଇ ଟ୍ରକ୍‌ରେ ଲଦିବାକୁ ହେବ – ପ୍ରତ୍ୟେକ ଥଳିର ଓଜନ ୪୦ କିଲୋଗ୍ରାମ - ମାତ୍ର ୧୦ଘଣ୍ଟା ସମୟରେ ।

୪୮ ଜଣ ଶ୍ରମିକ ମିଳିତ ଭାବେ ୧୨୮ଟନ୍‌ ଧାନ କଥା ବୁଝୁଛନ୍ତି – ବା ମିନିଟ୍‌କୁ ୨୧୩ କିଲୋଗ୍ରାମ କୁହାଯାଇ ପାରିବ - ୪୩ -୪୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ । ସେମାନଙ୍କ କାମ ପୂର୍ବାହ୍ନ ୩ଟା ବେଳେ ଆରମ୍ଭ ହୁଏ ଓ ମଧ୍ୟାହ୍ନ ୧ଟା ବେଳେ ସରେ – ଅର୍ଥାତ୍‌ ପୂର୍ବାହ୍ନ ୯ଟାରୁ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ସେମାନେ ଅତ୍ୟନ୍ତ ଉତ୍ତପ୍ତ ଓ ଶୁଷ୍କ ଜଳବାୟୁରେ କାମ କରିଥାନ୍ତି ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଯେତେ ଯୁକ୍ତିଯୁକ୍ତ ଦେଖାଗଲେ ମଧ୍ୟ କଙ୍ଗଳ ମଣ୍ଡଳର କଙ୍ଗଳ ଗ୍ରାମର ଏକ ଧାନ ସଂଗ୍ରହ କେନ୍ଦ୍ରର ଏହି ଫଟୋଗ୍ରାଫ୍‌ରେ ଦେଖାଯାଇଥିବା ଭଳି ଏକ ସ୍ଥାନରେ ଯଦି ଆପଣ କାମ କରନ୍ତି, ତାହାହେଲେ ଏସବୁ ପାଳନ କରିବା ନିହାତି ଅସମ୍ଭବ । ଆଉ ରାଜ୍ୟ କୃଷି ମନ୍ତ୍ରୀ ନିରଞ୍ଜନ ରେଡ୍ଡି ଏପ୍ରିଲ୍‌ରେ ସ୍ଥାନୀୟ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ତେଲେଙ୍ଗାନାରେ ଏହିପରି ୭,୦୦୦ଟି କେନ୍ଦ୍ର ରହିଛି ।

ଆଉ ଏଥିରୁ ସେମାନେ କେତେ ଉପାର୍ଜନ କରନ୍ତି? ସେଠାରେ ଚାରିଟି ଦଳ ଅଛନ୍ତି, ପ୍ରତି ଦଳର ଶ୍ରମିକ ସଂଖ୍ୟା ୧୨ ଓ ପ୍ରତ୍ୟେକ ଶ୍ରମିକ ଦିନକୁ ପ୍ରାୟ ୯୦୦ଟଙ୍କା ଉପାର୍ଜନ କରନ୍ତି । ହେଲେ, ଆପଣଙ୍କୁ ଏହି କାମ ଦିନେ ଛଡା ଦିନେ ମିଳିବ । ଏଠାରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକକୁ ୨୩ ଦିନ କାମ କରିବାକୁ ସୁଯୋଗ ମିଳିଥାଏ – ବା ଏପରି କୁହାଯାଇ ପାରେ କି ଏହି ୪୫ ଦିନର ସଂଗ୍ରହ ସମୟ ମଧ୍ୟରେ ସେମାନେ ୨୦,୭୫୦ ଟଙ୍କା ଉପାର୍ଜନ କରନ୍ତି ।

ଚଳିତ ବର୍ଷ, ରବି ଋତୁ ପାଇଁ ଧାନ ସଂଗ୍ରହ କାମ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେଲା, ଯେଉଁ ସମୟରେ କୋଭିଡ୍‌- ୧୯ କାରଣରୁ ତାଲାବନ୍ଦ ମଧ୍ୟ ଘୋଷଣା କରାଯାଇଥିଲା, ମାର୍ଚ୍ଚ ୨୩ ରୁ ମେ ୩୧ ପର୍ଯ୍ୟନ୍ତ ।
PHOTO • Harinath Rao Nagulavancha

ଏହି ପ୍ରକାରର ଶ୍ରମ ପାଇଁ ଦଳଗତ ଭାବେ କାମ କରିବା ଆବଶ୍ୟକ ହେଉଥିବା ବେଳେ ପ୍ରତ୍ୟେକ ଦଳ ପ୍ରାୟ ୧୦-୧୨ ଜଣ ଶ୍ରମିକଙ୍କୁ ନେଇ ଗଠିତ ହୋଇଥାଏ ଯେଉଁମାନେ ଗୋଟିଏ ଥରରେ ଗୋଟିଏ ଗଦା କଥା ବୁଝିଥାନ୍ତି । କଙ୍ଗାଳ ସଂଗ୍ରହ କେନ୍ଦ୍ରରେ ଏହିପରି ଚାରିଟି ଦଳ ଅଛନ୍ତି, ଯେଉଁମାନେ ୧୦ଘଣ୍ଟା ସମୟରେ ୧୨୮ ଟନ୍‌ ଧାନ କଥା ବୁଝନ୍ତି |


PHOTO • Harinath Rao Nagulavancha

ଦୁଇଜଣ ଲୋକ ଶୀଘ୍ର ଶୀଘ୍ର ୪୦ କେଜି ଓଜନ ଧାରଣ କ୍ଷମତା ବିଶିଷ୍ଟ ଏକ ଥଳି ଭର୍ତ୍ତି କରୁଛନ୍ତି । ଏଥିଯୋଗୁଁ ଚାଉଳ ଗଦାରୁ ଏକ ଧଳା ରଙ୍ଗର ଧୂଳି ଉତ୍ପନ୍ନ ହେଉଛି । ସେହି ଧୂଳି କାରଣରୁ ଦେହ ମୁଣ୍ଡ ପ୍ରବଳ କୁଣ୍ଡେଇ ହେଉଛି ଯାହା କେବଳ ଗାଧୋଇବା ଦ୍ୱାରା ଦୂର ହୋଇଥାଏ |


PHOTO • Harinath Rao Nagulavancha

ସେମାନଙ୍କୁ ପ୍ରଥମ ପ୍ରୟାସରେ ଥଳିରେ ୪୦ କେଜି ଭର୍ତ୍ତି କରିବାକୁ ହେବ । ବାରମ୍ବାର ଅତ୍ୟଧିକ ଶସ୍ୟ ଅପସାରଣ କରିବା ବା ଅଭାବ ହେଲେ ମିଶେଇବାର ଅର୍ଥ ହେଉଛି କାମରେ ବିଳମ୍ବ ହେବା ଯେଉଁ କାରଣରୁ ସେମାନଙ୍କୁ ମଧ୍ୟାହ୍ନ ୧ଟା ପରେ ମଧ୍ୟ କାମ କରିବାକୁ ପଡିପାରେ |


PHOTO • Harinath Rao Nagulavancha

ଶ୍ରମିକମାନେ ସେମାନଙ୍କ ଥଳିକୁ ଟାଣିବା ପାଇଁ ଧାତୁର ହୁକ୍‌ ବ୍ୟବହାର କରନ୍ତି ଓ ସେଗୁଡିକୁ ପ୍ରାୟତଃ ନିଜ ମଧ୍ୟରେ ବିନିମୟ କରିଥାନ୍ତି । ଆପଣ ପ୍ରତ୍ୟେକ ବସ୍ତୁକୁ ପ୍ରତି ଥର ସାନିଟାଇଜ୍‌ କରି ପାରିବେନାହିଁ |


PHOTO • Harinath Rao Nagulavancha

ତଲାରି ରବି ( ଡାହାଣ ପାଖରେ) ହେଉଛନ୍ତି ଦଳର ମୁଖିଆ । ଥଳିଗୁଡିକରେ ସଠିକ୍‌ ଭାବେ ଜିନିଷ ଭର୍ତ୍ତି ହେଉଛି କି ନାହିଁ ଓ ମଧ୍ୟାହ୍ନ ୧ଟା ପୂର୍ବରୁ କାମ ଯେପରି ସରିବ ସେଥିପାଇଁ ସେ ଉତ୍ତରଦାୟୀ ରୁହନ୍ତି |


PHOTO • Harinath Rao Nagulavancha

ଶ୍ରମିକମାନେ- ପ୍ରତ୍ୟେକ ଥର ଏକ ଭିନ୍ନ ଦଳ – ଗୋଟିଏ ଗଦାରୁ ଅନ୍ୟ ଏକ ଗଦାକୁ ଓଜନ କରିବା ମେସିନ୍‌ ନେଇଥାନ୍ତି ।  କୌଣସି ପ୍ରକାରର ସାନିଟାଇଜର ବା ସଫା କରିବା ଉତ୍ପାଦ ଉପଲବ୍ଧ ହେଉଥିଲେ ମଧ୍ୟ (ଯାହା ଏହି କେନ୍ଦ୍ରଗୁଡିକରେ ମିଳେନାହିଁ) ପ୍ରତ୍ୟେକ ଥର ଉପକରଣଗୁଡିକୁ ସାନିଟାଇଜ୍‌ କରିବା ସମ୍ଭବ ନୁହେଁ କାରଣ ଏହା ଯୋଗୁ କାମ ସରିବାରେ ବିଳମ୍ବ ହେବ |


PHOTO • Harinath Rao Nagulavancha

ଶ୍ରମିକମାନଙ୍କୁ ଶୀଘ୍ର ଶୀଘ୍ର ସେମାନଙ୍କ କାମ କରିବାକୁ ହୋଇଥାଏ । ଏକ ମିନିଟ୍‌ରୁ କମ୍‌ ସମୟରେ ସେମାନେ ୪-୫ ଥଳି ଓଜନ କରନ୍ତି |


PHOTO • Harinath Rao Nagulavancha

ଥଳିଗୁଡିକ ସିଲେଇ କରିବାକୁ ପ୍ରସ୍ତୁତ କରୁଛନ୍ତି । ଏହା ଜଣେ ମଣିଷ କେବେ ମଧ୍ୟ କରିପାରିବ ନାହିଁ – ଜଣେ ବଣ୍ଡଲ୍‌ ଧରେ ଓ ଅନ୍ୟ ଜଣେ ଏହାକୁ ସଠିକ୍‌ ଅନୁପାତରେ କାଟିଥାଏ |


PHOTO • Harinath Rao Nagulavancha

ସେମାନେ ଥଳିକୁ ଘୋଷାଡି ଘୋଷାଡି ଆଣନ୍ତି, ସେଗୁଡିକୁ ଓଜନ କରନ୍ତି ଓ ଧାଡିରେ ରଖନ୍ତି । ଏପରି କରିବା ଦ୍ୱାରା ସେମାନେ ଥଳିଗୁଡିକ ଗଣିବା ସହଜ ହୋଇଥାଏ |


PHOTO • Harinath Rao Nagulavancha

ସମସ୍ତ ଦଳ – ପ୍ରାୟ ୪୦-୫୦ ଲୋକ – ମଧ୍ୟାହ୍ନ ସୁଦ୍ଧା ପାଞ୍ଚଟି ଟ୍ରକ୍‌ରେ ୩,୨୦୦ ଥଳି ଲଦି ଦିଅନ୍ତି |


PHOTO • Harinath Rao Nagulavancha

ଜଣେ ଚାଷୀ ରଖାଥୁଆ ବାବଦକୁ କ୍ୱିଣ୍ଟାଲ୍‌ ପ୍ରତି ୩୫ଟଙ୍କା ଦେଇଥାନ୍ତି । ସମୁଦାୟ ୩୨୦୦ ବ୍ୟାଗ୍‌ ପାଇଁ ସେମାନେ ୪୪,୮୦୦ଟଙ୍କା ପାଇଥାନ୍ତି – ଯାହା ସେମାନେ ସେହିଦିନ କାମ କରିଥିବା ସମସ୍ତ ଶ୍ରମିକଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଅନ୍ତି। ଆଜି ଯେଉଁମାନେ କାମ କରିବାକୁ ସୁଯୋଗ ପାଇଛନ୍ତି ସେମାନେ ପୁଣି ଗୋଟିଏ ଦିନ ପରେ ସୁଯୋଗ ପାଇପାରିବେ |


ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Harinath Rao Nagulavancha

ହରିନାଥ ରାଓ ନାଗୁଲାବଞ୍ଚା ଜଣେ କମଳା ଚାଷୀ ଏବଂ ତେଲେଙ୍ଗାନାର ନାଲ୍‌ଗୋଣ୍ଡାରେ ରହୁଥିବା ଜଣେ ସ୍ୱାଧୀନ ସାମ୍ବାଦିକ।

Other stories by Harinath Rao Nagulavancha