“ଦିଦି, କିଛି କରନ୍ତୁ, ନହେଲେ ଅତି ଶୀଘ୍ର ସେମାନେ ଯେ କୌଣସି ସମୟରେ ମୋତେ ମାରିଦେବେ!”ମୁଁ ତାଙ୍କୁ ଭେଟିବା ସମୟରେ ଏହା ଥିଲା ଗିରିଜା ଦେବୀଙ୍କର ପ୍ରଥମ କେତୋଟି ଶବ୍ଦ । କାନ୍ଦକାନ୍ଦ ହୋଇ ସେ କହିଲେ, “ସେମାନେ ମୋତେ ମାଡ଼ ମାରି ପାରିବେନି ବୋଲି ଗତକାଲି ଉପରବେଳାରୁ ମୁଁ ଏହି ଛୋଟ, ଅନ୍ଧାରୁଆ କୋଠରିରେ ନିଜକୁ ବନ୍ଦ କରି ରଖିଛି ।”.

ସେଇ ଘରର ଏକ ଛୋଟ ଗଳି ରାସ୍ତାରେ ଧୁଆହେବା ପାଇଁ ବାସନକୁସନ ଗଦା ହୋଇ ରହିଥିଲା ଏବଂ ସେଇ ରାସ୍ତାରେ ଯାଇ ଶାଶୁଘର ଲୋକଙ୍କ ପାଖରୁ ଦୂରେଇ ରହିବା ପାଇଁ ଗିରିଜା ନିଜକୁ ନିଜେ ବନ୍ଦ କରି ରଖିଥିବା କୋଠରିରେ ମୁଁ ପହଞ୍ଚିଲି । କୋଠରି ବାହାରେ ଗୋଟିଏ ରନ୍ଧାଘର ଓ ଛୋଟିଆ ଖୋଲା ଜାଗାଟିଏ ଥିଲା, ଯେଉଁଠି ତାଙ୍କ ସ୍ଵାମୀ ଓ ପିଲାମାନେ ଖିଆପିଆ କରନ୍ତି ।

୩୦ ବର୍ଷୀୟା ଗିରିଜା, ୩୪ ବର୍ଷ ବୟସ୍କ ରାଜମିସ୍ତ୍ରୀ, ହେମଚନ୍ଦ୍ର ଅହିରୱାରଙ୍କୁ୧୫ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ୧୪,୧୧ ଏବଂ ୬ ବର୍ଷ ବୟସର ତିନିଟି ପିଲା ଅଛନ୍ତି ।

ସମସ୍ୟା ସେତେବେଳେ ଆରମ୍ଭ ହେଲା, ଯେତେବେଳେ ଶାଶୁଘର ଲୋକେ ଗିରିଜାଙ୍କୁ ଚାକିରି ଛାଡ଼ିବାକୁ କହିବା ସମେତ ଅନ୍ୟାନ୍ୟ ଅଯୌକ୍ତିକ ଦାବି କରିବସିଲେ ଏବଂ ଏଥିରେ ଗିରିଜା ସେମାନଙ୍କ ସହ ଯୁକ୍ତିତର୍କ କରୁଛନ୍ତି ବୋଲି ସେମାନେ ଅନୁଭବ କଲେ । ଉତ୍ତର ପ୍ରଦେଶର ମାହୋବା ଜିଲ୍ଲା ଅନ୍ତର୍ଗତ କାବରାଇ ବ୍ଲକ୍‌ର ତାଙ୍କ ନିଜ ଗାଁ ବାସାଓରାରେ ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ (ଆଶା) ରୂପେ ସେ ଚାକିରି କରିବା ପରେ ସ୍ଥିତି ବିଗିଡ଼ି ଯାଇଥିଲା । ଏବଂ ଏବେ, ଲକ୍‌ଡାଉନ୍‌ ଯୋଗୁଁ ଶାଶୁଘର ଲୋକେ ଗାଁକୁ ଫେରିଆସିଥିବାରୁ, ଏହା ଅସହ୍ୟ ହୋଇଉଠିଛି ।

ଗିରିଜା କହନ୍ତି, “ଲକ୍‌ଡାଉନ୍‌ ପୂର୍ବରୁ, ଦୁହେଁ (ତାଙ୍କ ଶ୍ଵଶୁର ଏବଂ ଶାଶୁ) ଦିଲ୍ଲୀରେ ରହୁଥିବା ବେଳେ ସବୁକଥା ନିୟନ୍ତ୍ରଣରେ ରହିଥିଲା ।” ସେମାନେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । “କିନ୍ତୁ ସେମାନେ ଫେରିଆସିବା ଦିନଠାରୁ, ମୋ ପାଇଁ ବଞ୍ଚି ରହିବା କଷ୍ଟକର ହୋଇପଡ଼ିଛି । ପୂର୍ବରୁ ଯେତେବେଳେ ବି ମୁଁ ଗାଁର କୌଣସି ଗର୍ଭବତୀ ମହିଳାଙ୍କୁ ଦେଖା କରିବା ଲାଗି କିମ୍ବା ସେମାନଙ୍କୁ ହାସପାତାଳ ନେବା ଲାଗି ବାହାରକୁ ଯାଉଥିଲି, ମୁଁ କୁଆଡ଼େ ଅନ୍ୟ ପୁରୁଷଙ୍କୁ ଭେଟିବାକୁ ଯାଉଥିଲି ବୋଲି ସେମାନେ କହୁଥିଲେ । ଜଣେ ଆଶା କର୍ମୀ ହିସାବରେ ମୁଁ ମୋର କର୍ତ୍ତବ୍ୟ କରେ ।” ଛାତ ଉପରକୁ ଯିବା ପାଇଁ ଆମେ ସିଡ଼ି ଚଢୁଥିବା ବେଳେ ତାଙ୍କର ଛଅ ବର୍ଷର ପୁଅ ଯୋଗେଶ ଆମ ପଛେ ପଛେ ଆସୁଥିଲା ।

ଗିରିଜା ବହୁତ କାନ୍ଦିଥିଲେ । ତାଙ୍କ ଆଖି ଓ ଓଠ ଫୁଲିଗଲା ଭଳି ଲାଗୁଥିଲା । ସେ ଓ ହେମଚନ୍ଦ୍ର ଗୋଟିଏ ଯୌଥ ପରିବାରରେ ରହନ୍ତି । ତାଙ୍କର ଦୁଇ ଜଣ ଦାଦା ଓ ସେମାନଙ୍କ ପରିବାର ମଧ୍ୟ ସେଇ ଘରର ଅନ୍ୟ ଭାଗରେ ରହନ୍ତି । ସେମାନଙ୍କ ରନ୍ଧାଘର ବି ଅଲଗା । ହେଲେ ପ୍ରବେଶ ପଥ ଓ ଅଗଣା ସମସ୍ତଙ୍କ ପାଇଁ ଗୋଟିଏ ।

Girija Devi with her six-year-old son Yogesh: 'It has become difficult for me to survive'
PHOTO • Jigyasa Mishra

ଛଅ ବର୍ଷର ପୁଅ ଯୋଗେଶ ସହିତ ଗିରିଜା ଦେବୀ: ‘ମୋ ପାଇଁ ବଞ୍ଚି ରହିବା କଷ୍ଟକର ହୋଇଗଲାଣି

ଗିରିଜା ଯେଉଁ ହିଂସାକୁ ସହୁଛନ୍ତି, ତାହା ଗତ କିଛି ମାସ ଭିତରେ ଅନେକ ପରିବାରରେ ପ୍ରତିଫଳିତ ହୋଇଛି ଏବଂ ବଢ଼ିବାରେ ଲାଗିଛି । ଫୋନ୍‌ରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା  କହିଛନ୍ତି, “ଲକ୍‌ଡାଉନ୍‌ ପରେ ଘରୋଇ ହିଂସା ବଢ଼ିବାରେ ଲାଗିଛି । ଯଦିଓ ହେଲ୍‌ପଲାଇନ୍‌ ନମ୍ବର ୧୮୧ ଉପଲବ୍‌ଧ ହେଉଛି, ତଥାପି ଅଧିକାଂଶ ଅଭିଯୋଗ ଆମ ୱେବ୍‌ସାଇଟ ଜରିଆରେ ଅନ୍‌ଲାଇନରେ କିମ୍ବା ଆମ ହ୍ଵାଟ୍‌ସଆପ୍‌ ନମ୍ବରକୁ ଆସିଥାଏ । କିନ୍ତୁ ଅଧିକାଂଶ ସମୟରେ ପୀଡ଼ିତାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିବା ସହଜ ନୁହେଁ ।”

ହେଲେ, ଏସବୁ ଅଭିଯୋଗରୁ ଘରୋଇ ହିଂସାର ବାସ୍ତବ ବୃଦ୍ଧିହାର ପ୍ରତିଫଳିତ ହୁଏନାହିଁ । ଉତ୍ତର ପ୍ରଦେଶର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADGP) ଅସୀମ ଅରୁଣ କହନ୍ତି, “ଘରୋଇ ହିଂସା ଏଭଳି ଏକ ବର୍ଗର ଅପରାଧ, ଯାହା  ସଂପର୍କରେ ସବୁବେଳେ ବାସ୍ତବିକତା ତୁଳନାରେ କମ୍‌ସଂଖ୍ୟାରେ ରିପୋର୍ଟ ମିଳେ” । ତାଙ୍କର ଅନ୍ୟାନ୍ୟ କାମ ସହିତ ସେ ଉତ୍ତର ପ୍ରଦେଶ ପୋଲିସର ହେଲପଲାଇନ ୧୧୨ର ତଦାରଖ କରନ୍ତି । କିନ୍ତୁ, ଲକ୍‌ଡାଉନ୍‌ ଆରମ୍ଭ ହେବା ଦିନରୁ, ସେ କହନ୍ତି, “ଏଭଳି ହିଂସା ସଂପର୍କରେ ବାସ୍ତବ ସଂଖ୍ୟା ତୁଳନାରେ କମ୍‌ ରିପୋର୍ଟ ମିଳିବାର ସମ୍ଭାବନା ଖୁବ ଅଧିକ ।”

ବାସ୍ତବରେ ଘଟିଥିବା ଏବଂ ରିପୋର୍ଟ କରାଯାଇଥିବା ହିଂସା ଘଟଣା ଭିତରେ ଥିବା ଏହି ଶୂନ୍ୟସ୍ଥାନ କେବଳ ଭାରତରେ ସୀମିତ ନୁହେଁ, ସାରା ବିଶ୍ଵରେ ରହିଛି । ଯେମିତି କି ୟୁଏନ୍‌ ୱମେନ୍‌ରେ ଦର୍ଶାଯାଇଛି: “ଘରୋଇ ଏବଂ ଅନ୍ୟ ଧରଣର ହିଂସା ସଂପର୍କରେ ରିପୋର୍ଟ କରାଯାଉଥିବା ଘଟଣା, ବାସ୍ତବ ଘଟଣା ତୁଳନାରେ ବହୁତ କମ୍‌ ଏବଂ ହିଂସାର ଶିକାର ହେଉଥିବା ୪୦ ପ୍ରତିଶତରୁ କମ୍‌ ମହିଳା ଏ ସଂପର୍କରେ ରିପୋର୍ଟ କରନ୍ତି କିମ୍ବା କୌଣସି ପ୍ରକାରର ସହାୟତା ଲୋଡ଼ନ୍ତି । ୧୦ ପ୍ରତିଶତରୁ କମ ମହିଳା ସହାୟତା ପାଇଁ ପୋଲିସ ପାଖକୁ ଯାଆନ୍ତି ।  ତେଣୁ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଏବଂ ତଥ୍ୟ ସଂଗ୍ରହ କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ସ୍ଥିତିରେ (ବିଶ୍ଵ ମହାମାରୀ ଏବଂ ଲକ୍‌ଡାଉନ୍‌) ମହିଳା ଓ ଝିଅମାନଙ୍କ ପାଇଁ ଫୋନ୍‌ କିମ୍ବା ହେଲ୍‌ପଲାଇନ ଉପଲବ୍‌ଧ ହେଉ ନଥିବା ସମେତ ପୋଲିସ, ନ୍ୟାୟ ଓ ସାର୍ବଜନୀନ ସେବା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇଥିବାରୁ ଏ ସଂପର୍କିତ ରିପୋର୍ଟ କରିବା ଆହୁରି କଷ୍ଟକର ହୋଇପଡ଼ିଛି”।

ଆଖିର ଲୁହ ଲୁଚେଇବାକୁ ଚେଷ୍ଟା କରୁ କରୁ ଗିରିଜା କହିଲେ, “ଗତକାଲି ମୋ ସ୍ଵାମୀଙ୍କ ଜେଜେବାପା ମତେ ଗୋଟିଏ ଲାଠିରେ ବାଡ଼େଇଲେ ଏବଂ ଏମିତି କି ମୋର ତଣ୍ଟି ଚିପି ଦେବାକୁ ବି ଚେଷ୍ଟା କଲେ”। “କିନ୍ତୁ ଜଣେ ପଡ଼ୋଶୀ ତାଙ୍କୁ ଅଟକାଇଲେ । ତା’ପରେ ସେ ତାଙ୍କୁ ମଧ୍ୟ ଗାଳିଗୁଲଜକଲେ । ଏବେ ମୁଁ ଯେତେବେଳେ ବି କୌଣସି ପଡ଼ୋଶୀଙ୍କ ସହ ମୋ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହେଁ, ସେମାନେ କହନ୍ତି, ଘରକୁ ଯାଅ ଆଉ ସେଇଠି ଏହାର ସମାଧାନ କର । ମୋ ସ୍ଵାମୀ ମୋ ସପକ୍ଷରେ ଯଦି କହୁଥାନ୍ତେ, ତେବେ ଭଲ ହୋଇଥାଆନ୍ତା । କିନ୍ତୁ ସେ କହନ୍ତି ଯେ, ଆମେ ଗୁରୁଜନମାନଙ୍କୁ ବିରୋଧ କରିବା ଠିକ୍‌ ନୁହେଁ । ମୋ ସପକ୍ଷରେ କହିଲେ, କାଳେ ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରିବେ ବୋଲି ସେ ଭୟ କରନ୍ତି ।”

Girija with the letter of complaint for the police that she had her 14-year-old daughter Anuradha write on her behalf
PHOTO • Jigyasa Mishra

ତାଙ୍କ ତରଫରୁ ତାଙ୍କର ୧୪ ବର୍ଷୀୟା ଝିଅ ଅନୁରାଧା ପୋଲିସ ଉଦ୍ଦେଶ୍ୟରେ ଲେଖିଦେଇଥିବା ଅଭିଯୋଗ ପତ୍ର ସହ ଗିରିଜା

ଅନେକ ମହିଳା ଏଭଳି ହିଂସାର ସମ୍ମୁଖୀନ ହୋଇଛନ୍ତି । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୪ (୨୦୧୫-୧୬) ଅନୁସାରେ ଘରୋଇ ହିଂସାର ଶିକାର ହୋଇଛନ୍ତି ବୋଲି ଏକ ତୃତୀୟାଂଶରୁ ଅଧିକ ମହିଳା କହିଛନ୍ତି । କିନ୍ତୁ ସେମାନଙ୍କ ଭିତରୁ ପ୍ରାୟ ୭ ଜଣରେ ଜଣେ ମହିଳା ହିଂସା ରୋକିବା ପାଇଁ କାହାରି ନା କାହାରିଠାରୁ (ପୋଲିସ ସମେତ) ସହାୟତା ଲୋଡ଼ିଛନ୍ତି ।

ହେଲେ, କେଉଁ କାରଣରୁ ଗିରିଜାଙ୍କ ପରିବାରରେ ବର୍ତ୍ତମାନର ସଂକଟ ଦେଖାଦେଲା ?

ଗିରିଜା କହନ୍ତି, “ଲକ୍‌ଡାଉନର ପ୍ରଥମ କେଇ ସପ୍ତାହ ପରେ ଯେତେବେଳେ ସେମାନେ (ତାଙ୍କ ଶାଶୁଘର ଲୋକେ ଏବଂ ସ୍ଵାମୀଙ୍କ ଜେଜେବାପା ଓ ଜେଜେମାଆ) ଦିଲ୍ଲୀରୁ ଆସି ପହଞ୍ଚିଲେ, ମୁଁ ସେମାନଙ୍କୁ ଭୂତାଣୁ ସଂକ୍ରମଣ ହୋଇଛି କି ନାହିଁ ସ୍କ୍ରିନିଂ ସହିତ ଡାକ୍ତରୀ ଯାଞ୍ଚ କରାଇ ନେବାକୁ କହିଲି । କାହିଁକି ନା ଘରେ ଛୋଟ ପିଲାମାନେ ବି ଥିଲେ । କିନ୍ତୁ ସେମାନେ ମୋତେ ଗାଳି ଦେଲେ ଏବଂକୋଭିଡ୍‌-୧୯ ରୋଗୀ ବୋଲି ଅଭିଯୋଗ କରି ମୁଁ ସେମାନଙ୍କୁ ବଦନାମ କରୁଛି ବୋଲି କହିଲେ । ମୋ ଶାଶୁ ମୋତେ ଚାପୁଡ଼ା ମାରିବାକୁ ଉଦ୍ୟତ ହେଲେ । ମୋ ଘର ବାହାରେ ରହି ୮ରୁ୧୦ ଜଣ ଲୋକ ଏ ସବୁ ଦେଖୁଥିଲେ । ହେଲେ, କେହି ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲେନି ।” ଆମ କଥାବାର୍ତ୍ତା ସମୟରେ କେହି ଆମକୁ ଦେଖୁନାହାନ୍ତି ବୋଲି ନିଶ୍ଚିତ କରିବାକୁ ଗିରିଜା ଚିନ୍ତାଗ୍ରସ୍ତ ଭାବରେ ଏଣେତେଣେ ଚାହୁଁଥିଲେ ।

୨୦୧୨ରେ ପ୍ରକାଶିତ ‘ଇନ୍‌ ପର୍‌ସ୍ୟୁଟ ଅଫ୍‌ ଜଷ୍ଟିସ୍‌’ ଶୀର୍ଷକ ଏକ ରିପୋର୍ଟରେ କୁହାଯାଇଛି ଯେ, ଲୋକମାନଙ୍କର ଏଭଳି ଉଦାସୀନତା ଏବଂ ନିରବ ରହି ଅପରାଧକୁ ସମର୍ଥନ କରିବା ଘଟଣାସାରା ବିଶ୍ଵରେ ଘଟୁଛି । ଏଥିରେ ଦର୍ଶାଯାଇଛି ଯେ, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା କଥା ନ୍ୟାୟସଂଗତ ବୋଲି ୪୧ରୁ ୧୭ଟି ଦେଶରେ ଏକ ଚତୁର୍ଥାଂଶ କିମ୍ବା ତା’ଠାରୁ ଅଧିକ ଲୋକ ବିଚାର କରନ୍ତି । ଭାରତରେ ଏହି ସଂଖ୍ୟା ୪୦ ପ୍ରତିଶତ ବୋଲି ଉକ୍ତ ରିପୋର୍ଟରୁ ଜଣାପଡ଼ିଛି ।

ତା’ପରେ ଗିରିଜା ମୋତେ ତାଙ୍କ ୧୪ ବର୍ଷୀୟା ଝିଅ ଅନୁରାଧା ତାଙ୍କ ତରଫରୁ ଲେଖିଥିବା ଗୋଟିଏ ଅଭିଯୋଗ ପତ୍ର ଦେଖାଇଲେ । ଅନୁରାଧା ମୋତେ କହିଲେ, “ଆମେ ଏହାକୁ ପୋଲିସକୁ ଦେବା ଲାଗି ଚାହୁଁଥିଲୁ । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ଆମକୁ ମାହୋବା ସହର ଯିବା ପାଇଁ ଅନୁମତି ମିଳିଲାନି । ସେମାନେ ଆମକୁ ରାସ୍ତା ଅବରୋଧ ସ୍ଥଳରେ ଅଟକାଇ ଦେଲେ ।” ତାଙ୍କ ଗାଁଠାରୁ ସହର ପ୍ରାୟ ୨୫ କିଲୋମିଟର ଦୂର ।ତାଙ୍କୁ ଗାଁ ବାହାରକୁ ଯିବାକୁ ନ ଦିଆଯିବାରୁ, ତା’ପରେ ଗିରିଜା ଫୋନ୍‌ରେ ମାହୋବାର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ କଥା ହେଲେ । ସେ ତାଙ୍କୁ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲେ । (ମାହୋବା ଟାଉନ୍‌ ଥାନାର ଥାନା ଅଧିକାରୀ ଏବଂ ଜଣେ କନେଷ୍ଟବଳଙ୍କ ସହିତ ଏହି ସାମ୍ବାଦିକ ଗିରିଜାଙ୍କ ଘରେ ପହଞ୍ଚିଥିବା କାରଣରୁ ହିଁ ଆମର ଏହି ସାକ୍ଷାତ ଏବଂ ବାର୍ତ୍ତାଳାପ ସମ୍ଭବ ହୋଇପାରିଥିଲା) ।

ମାହୋବାର ଏସ୍‌ପି ମଣି ଲାଲ ପଟିଦାର କହିଲେ, “ସାଧାରଣତଃ ଘରୋଇ ହିଂସା ମାମଲାରେ ପ୍ରଥମ କିମ୍ବା ଦ୍ଵିତୀୟ ଅଭିଯୋଗ ଦାୟର ହେବା ପରେ ମଧ୍ୟ ଆମେ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହିଁ । ଆରମ୍ଭରୁ ଆମେ ସେମାନଙ୍କୁ ବୁଝାସୁଝା (କାଉନ୍‌ସେଲିଂ) କରୁ । ବାସ୍ତବରେ, ଆମେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ଥରେ, ଦୁଇ ଥର କିମ୍ବା ଏମିତି କି ତିନି ଥର ପର୍ଯ୍ୟନ୍ତ ବୁଝାସୁଝା କରୁ। ଯେତେବେଳେ ଆମେ ଦେଖୁ ଯେ, ସ୍ଥିତି ସୁଧୁରୁ ନାହିଁ, କେବଳ ସେହି କ୍ଷେତ୍ରରେ ହିଁ ଆମେ ଏତଲା ଦାୟର କରୁ ।”

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହନ୍ତି, ‘ଲକ୍‌ଡାଉନ ପରେ ଘରୋଇ ହିଂସା ମାମଲା ବୃଦ୍ଧି ପାଇବାରେ ଲାଗିଛି’

ଭିଡିଓ ଦେଖନ୍ତୁ:‘ଲକ୍‌ଡାଉନ୍‌ ସମୟରେ ସେ ମୋତେ ଏମିତି ମାଡ଼ ମାରି ଆସୁଛନ୍ତି!”

ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ କହନ୍ତି ଯେ, ଲକ୍‌ଡାଉନ୍‌ ଲାଗୁ ହେବା ସହିତ,“ଆମ ପାଖକୁ ଆସୁଥିବା ଘରୋଇ ହିଂସା ମାମଲା (ଅଭିଯୋଗ)ବହୁ ମାତ୍ରାରେ କମିଗଲା । ପୂର୍ବ ମାମଲା ତୁଳନାରେ ଏହା ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଲା ଏବଂ ସପ୍ତାହ, ୧୦ ଦିନ ପାଇଁ ଏହି ସ୍ଥିତି ରହିବା ପରେ ମାମଲା ନିୟମିତ ଭାବେ ବଢ଼ିବାରେ ଲାଗିଲା । ଗୋଟିଏ ସମୟରେ, ମୁଁ ଭାବୁଛି, ମଦ ଦୋକାନ (ପୁଣି) ଖୋଲିବା ପରେ ଏହି ମାମଲାର ସଂଖ୍ୟା ଅଚାନକ ବଢ଼ିଗଲା । ଏହି କାରଣରୁ, ମନେହୁଏ, ମଦ ଓ ଘରୋଇ ହିଂସା ମଧ୍ୟରେ ଏକ ସଂପର୍କ ରହିଛି । କିନ୍ତୁ ଏବେ ପୁଣି ଏହି ମାମଲାଗୁଡ଼ିକ ୨୦ ପ୍ରତିଶତ ହ୍ରାସ ପାଇଛି (ଲକ୍‌ଡାଉନ୍‌ ପୂର୍ବବର୍ତ୍ତୀ ସମୟ ତୁଳନାରେ) ।”

ଘରୋଇ ହିଂସା ସଂପର୍କରେ ସଠିକ୍‌ ସଂଖ୍ୟକ ରିପୋର୍ଟ ନହେବା ଏହାର କାରଣ କି ? ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ କହନ୍ତି, “ସେକଥା ସତ ।” ସବୁ ସମୟରେ ଏହା ଏମିତି ହିଁ ରହିଆସିଥିଲା। “କିନ୍ତୁ ବର୍ତ୍ତମାନ, ଦୋଷୀ ବ୍ୟକ୍ତିମାନେ ଠିକ୍‌ ମହିଳାଙ୍କ ସାମନାରେ ରହିଥିଲେ ହେଁ ଠିକ ସଂଖ୍ୟାରେ ରିପୋର୍ଟ ନହେବା ସମ୍ଭାବନା ତଥାପି ଅଧିକ ।”

ବୋଧହୁଏ, ଏହା ବଦଳରେ ଅଧିକରୁ ଅଧିକ ମହିଳା ଅନ୍ୟ ହେଲ୍‌ପଲାଇନ୍‌ ଓ ଗ୍ରୁପ୍‌ର ସହାୟତା ଲୋଡୁଛନ୍ତି । ଲକ୍ଷ୍ନୌର ‘ଆସୋସିଏସନ୍‌ ଅଫ୍‌ ଆଡଭୋକେସି ଆଣ୍ଡ ଲିଗାଲ ଇନିସିଏଟିଭ୍‌’ ନାମକ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବରିଷ୍ଠ ଆଇନଜୀବୀ ରେଣୁ ସିଂହ କହନ୍ତି, “ଏବେ ଆମକୁ ଯେତିକି ଘରୋଇ ହିଂସା ମାମଲା ମିଳୁଛି, ତାହା ଲକ୍‌ଡାଉନ୍‌ ପୂର୍ବ ସମୟ ତୁଳନାରେ ତିନି ଗୁଣ ଅଧିକ । ଅଧିକାଂଶ ଅଭିଯୋଗ ଫୋନ୍‌ରେ କିମ୍ବା ଅନ୍‌ଲାଇନ୍‌ରେ ମିଳିଥାଏ । ଆଶ୍ଚର୍ଯ୍ୟର କଥା ଯେ, ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କ ପାଖରୁ ମଧ୍ୟ ଆମକୁ ଅଭିଯୋଗ ମିଳିଛି ।”

ଗିରିଜାଙ୍କ ଭଳି, ଲକ୍ଷ୍ନୌ ଜିଲ୍ଲା ଚିନ୍‌ହଟ ବ୍ଲକ୍‌ ସଦର ମହକୁମାର ପ୍ରିୟା ସିଂହ ମଧ୍ୟ ହିଂସାର ଶିକାର ହୋଇ ନିଜ ଘରେ ବନ୍ଦୀ ଅବସ୍ଥାରେ ଅଛନ୍ତି ।

୨୭ ବର୍ଷୀୟା ପ୍ରିୟା ୪୨ ବର୍ଷୀୟ କୁମାର ମହେନ୍ଦ୍ରଙ୍କୁ ବିବାହ କରିଛନ୍ତି । ପ୍ରିୟାଙ୍କୁ ୨୩ବର୍ଷ ହୋଇଥିବା ବେଳେ ବାହାଘର ହୋଇଥିଲା ଏବଂ ତାଙ୍କର ୪ ବର୍ଷର ପୁଅଟିଏ ଅଛି । ସେ କହନ୍ତି, “ଆଗରୁ ସେ କାମରୁ ଫେରିବା ବେଳେ ମଦ ପିଇ ଘରକୁ ଆସୁଥିଲେ । କିନ୍ତୁ ଆଜିକାଲି ସେ ଉପରବେଳା ବି ମଦ ପିଉଛନ୍ତି । ଆଜିକାଲି ମତେ ମାଡ଼ମାରିବା ନିତିଦିନିଆ କଥା ହୋଇଗଲାଣି । ମୋ ପୁଅ ବି ଏହା ବୁଝିପାରୁଛି ଏବଂ ସବୁବେଳେ ତାଙ୍କୁ ଭୟ କରୁଛି ।”
''The beatings are constant now', says Priya Singh
PHOTO • Jigyasa Mishra

“ଆଜିକାଲି ମାଡ଼ ମାରିବା ନିତିଦିନିଆ କଥା ହୋଇଗଲାଣି”, ପ୍ରିୟା ସିଂହ କହନ୍ତି

‘ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଓମେନ୍‌ସ ଆସୋସିଏସନ୍‌’(AIDWA)ର ଉତ୍ତର ପ୍ରଦେଶ ରାଜ୍ୟ ଉପ ସଭାପତି ମଧୁ ଗର୍ଗ କହନ୍ତି, “ସାଧାରଣତଃ ନିଜେ ବା କୌଣସି ପରିଚିତ ଲୋକ ଘରୋଇ ହିଂସାର ସମ୍ମୁଖୀନ ହେଲେ ଲୋକେ ଅଭିଯୋଗ କରିବାକୁ ଆମ ପାଖକୁ ଆସନ୍ତି । କିନ୍ତୁ ଆଜିକାଲି ଯିବାଆସିବା ବନ୍ଦ (ଲକ୍‌ଡାଉନ୍‌ ଯୋଗୁଁ) ହୋଇଯାଇଥିବାରୁ ସେମାନେ ଆଉ ଆମ ପାଖକୁ ଆସି ପାରୁନାହାନ୍ତି । ତେଣୁ ଆମେ ହେଲ୍‌ପଲାଇନ୍‌ ନମ୍ବର ବ୍ୟବସ୍ଥା କରିଛୁ । ଏବଂ ଦିନକୁ ହାରାହାରି ୪-୫ଟି କଲ୍‌ ଆସୁଛି । ଘରୋଇ ହିଂସା ସଂପର୍କିତ ସବୁ ଫୋନ୍‌ କଲ୍‌ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରୁ ଆସୁଛି ।”

ପ୍ରିୟାଙ୍କ ସ୍ଵାମୀ ଲକ୍ଷ୍ନୌର ଏକ ଚିକନକାରୀ ପୋଷାକ ଶୋ’ରୁମ୍‌ରେ ହେଲ୍‌ପର ଭାବେ କାମ କରନ୍ତି । ହେଲେ ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ହୋଇଗଲା ଏବଂ ସେ ଏବେ ଘରେ ରହୁଛନ୍ତି । କାନପୁରରେ ବାପାମାଆଙ୍କ ପାଖକୁ ଯାଇପାରିଲେ ହିଁ ପ୍ରିୟା ତାଙ୍କ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଦାୟର କରିବେ ବୋଲି ସ୍ଥିର କରିଛନ୍ତି ।

ପ୍ରିୟା କହନ୍ତି, “କେହି ଏକଥା ବିଶ୍ଵାସ କରିବେନି ଯେ, ମଦ କିଣିବାକୁ କିଛି ଟଙ୍କା ପାଇବା ପାଇଁ ସେ ଘରର ବହୁ ବାସନକୁସନ ବିକି ଦେଇଛନ୍ତି । ଏମିତି କି ମୁଁ ରାଶନ ଦୋକାନରୁ ଆଣିଥିବା ଖାଦ୍ୟ ସାମଗ୍ରୀକୁ ବି ସେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୋ ପଡ଼ୋଶୀମାନେ ମତେ ଆଗରୁ ସତର୍କ କରାଇ ଦେଲେ ଏବଂ କୌଣସିମତେ ମୁଁ ତାଙ୍କୁ ରୋକିପାରିଲି । ସମସ୍ତଙ୍କ ଆଗରେ ସେ ମୋତେ ମାଡ଼ ମାରନ୍ତି । କେହି ତାଙ୍କୁ ଅଟକାଇବାକୁ ଆସନ୍ତିନି ।”

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୪ ଅନୁସାରେ, ଉତ୍ତର ପ୍ରଦେଶରେ ଶାରୀରିକ ହିଂସାର ଶିକାର ହୋଇଥିବା ୧୫-୪୯ ବର୍ଷ ବୟସର ୯୦ପ୍ରତିଶତ ବିବାହିତା ମହିଳା ଙ୍କ କ୍ଷେତ୍ରରେ ସେମାନଙ୍କ ସ୍ଵାମୀମାନେ ହିଁ ଏହି ଅପରାଧ କରିଥାଆନ୍ତି ।

ଗିରିଜାଙ୍କ ଏଯାବତ୍‌ ଅବିବାହିତା ସାନ ଭଉଣୀଙ୍କ ସହିତ ତାଙ୍କ ବାପାମାଆ ଦିଲ୍ଲୀରେ ରହନ୍ତି । ଗିରିଜା କହନ୍ତି “ମୁଁ ସେମାନଙ୍କ ପାଖକୁ ଯିବା କଥା ଚିନ୍ତା ବି କରିପାରେ ନାହିଁ । ସେମାନେ ଗୋଟିଏ ଛୋଟ ଝୁଗ୍‌ଗିରେ କଷ୍ଟେ ମଷ୍ଟେ ଜୀବନଯାପନ କରନ୍ତି । ଆଉ ଗୋଟିଏ ପେଟକୁ ଦାନା ଦେବା ପାଇଁ ମୁଁ ସେମାନଙ୍କୁ କେମିତି ବାଧ୍ୟ କରିବି ? ବୋଧହୁଏ ଏହା ହିଁ ମୋ ଭାଗ୍ୟରେ ଲେଖା ହୋଇଥିଲା ।”

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୪ ଅନୁସାରେ, “ଭାରତରେ ଯେ କୌଣସି ପ୍ରକାର ଶାରୀରିକ ଏବଂ ଯୌନ ହିଂସାର ଶିକାର ହେଉଥିବା ସବୁ ମହିଳାଙ୍କ ମଧ୍ୟରୁ ୭୬ ପ୍ରତିଶତ କୌଣସି ପ୍ରକାର ସହାୟତା ଲୋଡ଼ି ନ ଥାଆନ୍ତି କି ସେମାନେ ଭୋଗୁଥିବା ହିଂସା ସଂପର୍କରେ କାହାରିକୁ କହି ନଥାଆନ୍ତି ।”

Nageena Khan's bangles broke and pierced the skin recently when her husband hit her. Left: With her younger son
PHOTO • Jigyasa Mishra
Nageena Khan's bangles broke and pierced the skin recently when her husband hit her. Left: With her younger son
PHOTO • Jigyasa Mishra

ନିକଟରେ ତାଙ୍କ ସ୍ଵାମୀ ତାଙ୍କୁ ମାଡ଼ ମାରିବା ବେଳେ ନଗୀନା ଖାନ୍‌ଙ୍କ ଚୁଡ଼ି ଭାଙ୍ଗି ଦେହରେ ପଶିଗଲା । ବାମ: ତାଙ୍କ ସାନପୁଅ ସହିତ

ଚିତ୍ରକୂଟ ଜିଲ୍ଲା ପାହାଡ଼ି ବ୍ଲକ୍‌ର କାଲୱାଡ଼ା ଖୁର୍ଦ ଗାଁରେ, ୨୮ ବର୍ଷୀୟା ନଗୀନା ଖାନ୍‌, ପ୍ରାୟ ୧୫୦ କିଲୋମିଟର ଦୂର ପ୍ରୟାଗରାଜରେ ରହୁଥିବା ତାଙ୍କ ବାପାମାଆଙ୍କ ନିକଟକୁ ପଳାଇବାକୁ ଚାହାଁନ୍ତି ।

ମୋତେ ତାଙ୍କ ଘର ଭିତରକୁ ଟାଣି ନେଇ ସେ କହନ୍ତି, “ମୋ ଦେହ ସାରା ମାଡ଼ ଦାଗରେ ଭର୍ତ୍ତି । ଆପଣ ନିଜେ ଆସି ଦେଖନ୍ତୁ। ଦିନେ ଛଡ଼ା ଦିନେ, ସବୁବେଳେ ମୋ ସ୍ଵାମୀ ମୋତେ ମାଡ଼ ମାରନ୍ତି । ମୁଁ ନିଜେ ନିଜେ ଚାଲିପାରିବା ଅବସ୍ଥାରେ ନାହିଁ। କାହିଁକି ବା ମୁଁ ଏଠି ରହିବି ? ମତେ ଏମିତି ମାଡ଼ ହେଉଛି ଯେ ଗୋଟିଏ ପାଦ ଚାଲିବାକୁ ବି ଅକ୍ଷମ । ମୁଁ ହଲିପାରୁ ନଥିବା ବେଳେ ମୋତେ ପାଣି ଢୋକେ ଦେବାକୁ ବି କେହି ନାହାନ୍ତି ।”

ସେ ଆହୁରି କହନ୍ତି, “ମତେ ଟିକେ ସାହାଯ୍ୟ କରନ୍ତୁ । ଦୟାକରି ମତେ ମୋ ବାପାମାଆଙ୍କ ଘରେ ଛାଡ଼ି ଦିଅନ୍ତୁ ।” ତାଙ୍କ ବାପାମାଆ ଆସି ତାଙ୍କୁ ଘରକୁ ନେଇଯିବାକୁ ରାଜି ହୋଇଛନ୍ତି । କିନ୍ତୁ ସାଧାରଣ ପରିବହନ ଆରମ୍ଭ ହେବା ପରେ ହିଁ ସେମାନେ ତାହା କରିପାରିବେ । ଏହି ଘରୁ ବାହାରି ଯିବା ପରେ ହିଁ ନଗୀନା ତାଙ୍କ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ସ୍ଥିର କରିଛନ୍ତି । ତାଙ୍କ ସ୍ଵାମୀ ୩୭ ବର୍ଷୀୟ ସରିଫ ଖାନ୍‌ ଜଣେ ମୁକ୍ତବୃତ୍ତି ଡ୍ରାଇଭର ।

କୋଭିଡ୍‌-୧୯ର ସଂକ୍ରମଣ ରୋକିବା ଲାଗି ସାର୍ବଜନୀନ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀକାଳୀନ ପଦକ୍ଷେପ ସ୍ଵରୂପ ମାର୍ଚ୍ଚ ୨୫ରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । କିନ୍ତୁ ଗିରିଜା, ପ୍ରିୟା ଏବଂ ନଗୀନାଙ୍କ ଭଳି ମହିଳାଙ୍କ କ୍ଷେତ୍ରରେ ମାଡ଼ଗାଳି ଖାଇ ଘରେ ବନ୍ଦ ହୋଇ ରହିବା ସ୍ଵାସ୍ଥ୍ୟ କ୍ଷେତ୍ରରେ ଏକ ଭିନ୍ନ ଧରଣର ଜରୁରୀକାଳୀନ ସ୍ଥିତି ସୃଷ୍ଟି କରେ ।

ବାସାଓରାରେ ଗିରିଜା ଦେବୀ ମୋତେ କହିଲେ, “ଏ ଗାଁରେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ସବୁବେଳେ ସ୍ଵାମୀଙ୍କଠାରୁ ମାଡ଼ ଖାଉଛନ୍ତି, କିନ୍ତୁ ଏମିତି ଭାବରେ ବଞ୍ଚି ରହିବାକୁ ଆଦରି ନେଇଛନ୍ତି । ମୁଁ ଏହା ବିରୋଧରେ କହେ, ତେଣୁ ମୁଁ ହଇରାଣ ହୁଏ । କିନ୍ତୁ ଆପଣ କହନ୍ତୁ, କେବଳ ମୁଁ ଜଣେ ମହିଳା ବୋଲି ଏବଂ ଘରୁ ବାହାରି କାମ କରିବାକୁ ଯାଏ ବୋଲି କିଏ ଆଉ କାହିଁକି ମୋତେ ଅପଦସ୍ତ କରିବ ? ମୋର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ଏହା ବିରୋଧରେ କହି ଚାଲିବି ।”

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE