ଏଠାରେ ପୋଡ୍‌କାଷ୍ଟ ଶୁଣନ୍ତୁ

पर्यावरणाचा रं सत्यानाश केला,
वाघदेवा, जंगल वाचवाया तू धाव रं 
आपल्या घराचा रं सत्यानाश केला, 

वाघदेवा, जंगल वाचवाया तू धाव रं 

ସେମାନେ ଆମ ପରିବେଶକୁ ନଷ୍ଟ କରିଦେଲେ,

ହେ ବାଘ ଦେବତା, ଆସ ଓ ଆମ ଜଙ୍ଗଲକୁ ବଞ୍ଚାଅ

ସେମାନେ ଆମର ଘରଗୁଡିକ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ,

ହେ ବାଘ ଦେବତା, ଆସ ଓ ଆମ ଜଙ୍ଗଲକୁ ବଞ୍ଚାଅ

ପ୍ରତିଲିପି

ଏ ହେଉଛନ୍ତି ପ୍ରକାଶ ଭୋଏର୍‌ ଯିଏ ବାଘ ଦେବଙ୍କୁ ତାଙ୍କ ସମ୍ପ୍ରଦାୟ ଓ ଜଙ୍ଗଲରେ ରହୁଥିବା ଅନ୍ୟ ସଜୀବ ତଥା ନିର୍ଜୀବ ପଦାର୍ଥକୁ ସେମାନଙ୍କ ଜମି ବିନାଶ ହେବାଠାରୁ ବଞ୍ଚେଇବା ପାଇଁ କହୁଛନ୍ତି ।

ପ୍ରକାଶ ମଲ୍‌ହାର୍‌ କୋଲି ଆଦିବାସୀ ସମ୍ପ୍ରଦାୟର । ସେ ଉତ୍ତର ମୁମ୍ବାଇର ଗୋରେଗାଓଁରେ ଅବସ୍ଥିତ ଗ୍ରୀନ୍‌ ଆର୍‌ରେ କଲୋନୀ ନିକଟସ୍ଥ ଏକ ଛୋଟ ପଲ୍ଲୀ କେଲ୍‌ତିପଡାରେ ରୁହନ୍ତି । ସେ ଏଠାରେ ଜନ୍ମ ହୋଇଛନ୍ତି ଓ ତାଙ୍କ ପରିବାର ଏଠାରେ ରହି ଆସୁଛି, ପିଢି ପରେ ପିଢି, ବୋଲି ସେ କୁହନ୍ତି । ୪୭ ବର୍ଷର ପ୍ରକାଶ ବେଷ୍ଟ ଷ୍ଟାଫ୍‌ ବସ୍‌ରେ ରକ୍ଷଣାବେକ୍ଷଣ କର୍ମଚାରୀ ଭାବେ କାମ କରନ୍ତି।

ପ୍ରକାଶ ଭୋଏର୍‌: ଜଙ୍ଗଲ ସୁରକ୍ଷା କରିବା ପରିବର୍ତ୍ତେ, ସେମାନେ ପ୍ରକୃତିର କ୍ଷତି ସାଧନ କରୁଛନ୍ତି । ଏଣୁ ଆପଣଙ୍କୁ ଏଠାକୁ ଆସିବାକୁ ହେବ ଓ ଏହାକୁ ବଞ୍ଚେଇବା ପାଇଁ ଆମର ସହାୟତା କରିବାକୁ ହେବ ।

୩,୨୦୦ ଏକର ବିଶିଷ୍ଟ ଆର୍‌ରେ ଟ୍ରାକ୍ଟ (ଅନେକ ଏହାକୁ ଜଙ୍ଗଲ ବୋଲି କହିଥାନ୍ତି)ରେ ୨୭ଟି ପଡା ଅଛି । ଏଠାରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୧୦,୦୦୦ରୁ ଅଧିକ ଆଦିବାସୀ ବସବାସ କରନ୍ତି ।

କିନ୍ତୁ ଆର୍‌ରେ ଧିରେ ଧିରେ ସଂକୁଚିତ ହେବାରେ ଲାଗିଛି । ଅନେକ ପ୍ରକଳ୍ପ ପାଇଁ ଏହା ଉପରେ ବିଭିନ୍ନ ପ୍ରକାରର ଚାପ ପକାଯାଉଛି। ଏକ ଦୁଗ୍ଧ କଲୋନୀ ବା ଦୁଗ୍ଧଜାତ ପଦାର୍ଥ ପ୍ରକ୍ରିୟାକରଣ ୟୁନିଟ୍‌ ସହିତ ଏହା ଆରମ୍ଭ ହୋଇଥିଲା ଓ ପରେ ଏଠାରେ ଏକ ଫିଲ୍ମ ସିଟି (ବା ଫିଲ୍ମ ସୁଟିଂ କରିବା ପାଇଁ ଏକ କ୍ୟାମ୍ପସ୍‌), ଏକ ଫିଲ୍ମ ସ୍କୁଲ୍‌ ଓ ରାଜ୍ୟ ରିଜର୍ଭ ପୋଲିସ୍‌ ପାଇଁ ଜମି ଅଧିଗ୍ରହଣ କରାଯାଇଛି ।

ଏହା ନିକଟରେ ଥିବା ନଭଶ୍ଚାପଦାର ଅଧିବାସୀମାନେ ଏକ ଦଶନ୍ଧିରୁ ଅଧିକ ସମୟ ହେବ ମ୍ୟୁନିସିପାଲ୍‌ କର୍ପୋରେସନ୍‌ରୁ ବିଦ୍ୟୁତ୍‌ ଓ ଜଳ ସଂଯୋଗ ପାଇବା ପାଇଁ ମୁମ୍ବାଇ ଭେଟ୍‌ନାରୀ କଲେଜ୍‌ରୁ ଏକ ନୋ-ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ପାଇବା ପାଇଁ ସଂଘର୍ଷ କରି ଆସୁଛନ୍ତି । ଜଳ ସଂଯୋଗ ଏବେ ମଧ୍ୟ ବିଚାରାଧୀନ ଅଛି । ନଭଶ୍ଚାପଦାର ଜଣେ ନିବାସୀ ରାକେଶ ସିଂଭାନ୍‌ ଏହି ସଂଘର୍ଷ ବିଷୟରେ କୁହନ୍ତି ।

ରାକେଶ ସିଂଭାନ: ଠିକ୍‌ ଆମ ଦୁଆର ସାମନାରେ ଲାଇନ୍‌ [ବିଦ୍ୟୁତ୍‌] ଯାଇଛି । ସେଠାରେ ଏକ ପୁରୁଣା ଲାଲ୍‌ ବୈଦ୍ୟୁତିକ ବକ୍ସ [ଜଂକ୍ସନ୍‌] ମଧ୍ୟ ରହିଛି, ଆପଣ ଟିକିଏ ଉପରକୁ ଚଢିଲେ, ତାହା ସେଠାରେ ଥିବା ଦେଖିପାରିବେ । ଏହି ଲାଇନ୍‌ ଆମ ଦ୍ୱାର ଦେଇ ସେମାନଙ୍କ ପାଇଁ ଯାଇଛି, ସେହି କ୍ୱାର୍ଟର୍‌ରେ ଯେଉଁ ମାଲିକମାନେ ରୁହନ୍ତି ସେମାନଙ୍କ ପାଇଁ । ଆଲୋକ [ବିଦ୍ୟୁତ୍‌] କେବଳ ସେମାନଙ୍କ ପାଇଁ ଆମ ପାଇଁ ନୁହେଁ । ଆମେ ଏଠାରେ ରହିବା ସେମାନେ ଚାହାନ୍ତି ନାହିଁ, ସେମାନେ ଆମକୁ ବିଦ୍ୟୁତ୍‌ ଯୋଗାଇବାକୁ ମଧ୍ୟ ଚାହାନ୍ତି ନାହିଁ...

Prakash Bhoir (left) of Keltipada questions the 'development' on his community's land.
PHOTO • Aakanksha
Rakesh Singhvan (right) of Navsachapada points to how the 'development has bypassed the Adivasi communities
PHOTO • Aakanksha

କାଲ୍‌ତିପଦାର ପ୍ରକାଶ ଭୋଏର୍‌ (ବାମ) ତାଙ୍କ ସମ୍ପ୍ରଦାୟର ଜମିରେ ହେଉଥିବା ‘ବିକାଶ’ କାମ ନେଇ ପ୍ରଶ୍ନ ଉଠେଇଛନ୍ତି। ବିକାଶ କାର୍ଯ୍ୟରେ ଆଦିବାସୀ ସମ୍ପ୍ରଦାୟକୁ କିଭଳି ଭାବେ ଉପେକ୍ଷା କରାଯାଇଛି ସେ ବିଷୟରେ ନଭଶ୍ଚାପଦାର ରାକେଶ ସିଂଭାନ (ଡାହାଣ) ଜଣାଇଛନ୍ତି ।

ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ସଦ୍ୟତମ ଓ ସମ୍ଭବତଃ ସବୁଠାରୁ ଅଧିକ ବିବାଦମୂଳକ ହେଉଛି ମୁମ୍ବାଇ ମେଟ୍ରୋର ପ୍ରସ୍ତାବିତ ଲାଇନ୍‌ ୩ ପାଇଁ ନିର୍ମାଣ କରାଯାଉଥିବା କାର୍‌ ସେଡ୍‌, ଯାହା ମୁମ୍ବାଇ ମେଟ୍ରୋ ରେଳ କର୍ପୋରେସନ୍‌ ଲିମିଟେଡ୍‌ (ବା ଏମ୍‌ଏମ୍‌ଆର୍‌ସିଏଲ୍‌) ଦ୍ୱାରା ନିର୍ମାଣ କରାଯାଉଛି ।

ଏହି ସେଡ୍‌ ପାଇଁ ୩୦ ହେକ୍ଟର ଜମି ବା ପ୍ରାୟ ୭୫ ଏକର ଜମି ଅଧିଗ୍ରହଣ କରାଯିବା ପ୍ରସ୍ତାବ ରହିଛି । ଏକ ସହର ଯେଉଁଠି ଖୋଲା ସ୍ଥାନ ଓ ସବୁଜ ବଳୟ ଦୁର୍ଲଭ ହୋଇଗଲାଣି, ସେଠାରେ ଏହାର ନିର୍ମାଣ ପାଇଁ ପ୍ରାୟ ୨,୬୦୦ଗଛ କଟାଯାଇଛି । ଏହି କାରଣରୁ ଏଠାର ନାଗରିକମାନେ ଏହାର ବିରୋଧ କରୁଛନ୍ତି ଓ ଏନେଇ ଜନ ସ୍ୱାର୍ଥ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି ।

ଚଳିତ ମାସ, , ଅକ୍ଟୋବର ୪,୨୦୧୯ରେ, ଶୁକ୍ରବାର ଦିନ, ମ୍ୟୁନିସିପାଲ୍‌ କର୍ପୋରେସନ୍‌ର ଗଛ ପ୍ରାଧିକରଣଙ୍କ ଗଛ କାଟିବା ନିଷ୍ପତ୍ତିକୁ  ଚ୍ୟାଲେଞ୍ଜ କରି କରାଯାଇଥିବା ପିଟିସନ୍‌କୁ ବମ୍ବେ ହାଇକୋର୍ଟ ଖାରିଜ କରିଦେଲେ।

ଯେଉଁମାନେ ସବୁ ଗଛ କାଟିବାକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରେ ଏହି ପଡାର  ଆଦିବାସୀମାନେ ମଧ୍ୟ ଅଛନ୍ତି । ଆମେ ଆର୍‌ରେ ଚାଲିଥିବା ‘ବିକାଶ’ କାର୍ଯ୍ୟ ଯୋଗୁଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା କେଲ୍‌ତିପଦାର ପ୍ରକାଶ ଓ ପ୍ରମିଳା ଭୋଏର୍‌, ପରଜାପୁରପଡାର ଆଶା ଭୋୟେ ଓ ନଭଶ୍ଚାପଦାର ରାକେଶ ସିଂଭାନଙ୍କ ସହିତ କଥା ହୋଇଛୁ । ପ୍ରକାଶ କୁହନ୍ତି ଯେ ମେଟ୍ରୋ ପ୍ରକଳ୍ପ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ସେମାନେ ଏହାର ନିର୍ମାଣ ବିଷୟରେ ସଚେତନ ମଧ୍ୟ ନଥିଲେ।

ପ୍ରକାଶ : ଏଠାରେ ଏକ ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେବାକୁ ଯାଇଛି, ତାହା ଆମେ ଆରମ୍ଭରେ ଜାଣିପାରିଲୁ ନାହିଁ । ତେବେ ଦେଖନ୍ତୁ, ସେମାନେ ସିଧାସଳଖ ଆମ ପଲ୍ଲୀରୁ କାମ ଆରମ୍ଭ କଲେନାହିଁ । ସେମାନେ ଏକ କୋଣରୁ ଆରମ୍ଭ କଲେ । ଉଦାହରଣସ୍ୱରୂପ, ସେମାନେ ସଂଖ୍ୟା ୧୯ ପ୍ରଜାପୁରପଡାରୁ କାମ ଆରମ୍ଭ କରିଥିଲେ । ପ୍ରଜାପୁରପଡାରେ ଆଶା ଭୋୟେ ଓ ଅନ୍ୟ ଆଦିବାସୀମାନେ ବାସ କରନ୍ତି – ସେମାନେ ପ୍ରଥମେ କେତେକ ଅସୁବିଧାର ସମ୍ମୁଖୀନ ହେଲେ । ଅନ୍ୟ ଏକ କଥା ହେଉଛି, ଆମ ଭିତରୁ ମାତ୍ର କେତେଜଣଙ୍କୁ ତାଙ୍କ ଚାଷଜମି ହରାଇବାକୁ ପଡିଛି । ତେବେ ଚାଷଜମି ନହେଲେ ମଧ୍ୟ, ଆମକୁ ଆମ ଜଙ୍ଗଲ ହରାଇବାକୁ ପଡୁଛି । ତେବେ, ଆମ ପାଖରେ ଚାଷଜମି ନଥିଲେ ମଧ୍ୟ ଏହି ଜଙ୍ଗଲ ହେଉଛି ଆମର । ଏଠାରେ ମୋଟ ୨୭ଟି ଛୋଟ ଛୋଟ ପଲ୍ଲୀ ଅଛି ଓ ଏହି ଜଙ୍ଗଲରୁ ଲୋକମାନେ ବିଭିନ୍ନ ପ୍ରକାରର ଜଙ୍ଗଲ ଜାତ ଦ୍ରବ୍ୟ ପାଇଥାନ୍ତି ଯାହା ସେମାନେ ବଞ୍ଚି ରହିବା ପାଇଁ ସହାୟକ କରିଥାଏ । ଏଥିପାଇଁ ଯେତେବେଳେ ମେଟ୍ରୋ କାମ ଆରମ୍ଭ ହେଲା, ସେତେବେଳେ ଆମେମାନେ ସର୍ବପ୍ରଥମେ ଏହାର ବିରୋଧ କରିଥିଲୁ । ଆମେ ସେମାନଙ୍କୁ କହିଲୁ ଯେ, ଏଠାରେ କାମ ଆରମ୍ଭ କରିବା ଅର୍ଥ ହେଉଛି ବହୁ ସଂଖ୍ୟକ ଗଛ କାଟିବା, ଅନେକ ଲୋକ ସେମାନଙ୍କ ଚାଷଜମି ହରାଇବା ଓ ଅନେକ ଆଦିବାସୀ ବାସହରା ହେବା, ଏଣୁ ସେମାନେ ଏଠାରେ କାମ ଆରମ୍ଭ କରିବା ଅନୁଚିତ । ଏଣୁ ଏହା [ମେଟ୍ରୋ] ଏଠାରେ କରାଯିବା ଉଚିତ ନୁହେଁ ।

ଏହି ସବୁ ବର୍ଷ ୨୦୧୭ରେ ପ୍ରଜାପୁରପଡାରୁ ଆରମ୍ଭ ହୋଇଥିଲା । ମେଟ୍ରୋ ପ୍ରକଳ୍ପ ଯୋଗୁଁ ଏଠାର ୭୦ ଆଦିବାସୀ ପରିବାରଙ୍କୁ ବାସହରା ହେବାକୁ ପଡିଥିଲା । ପଡାଗୁଡିକ ସଂଖ୍ୟା ମଧ୍ୟ ୨୭ରୁ ହ୍ରାସ ପାଇ ୧୫ହୋଇଯାଇଛି । ଆଶା ଭୋୟେ ହେଉଛନ୍ତି ଜଣେ ଅଙ୍ଗନୱାଡି  କାର୍ଯ୍ୟକର୍ତ୍ତା ଓ ଜଣେ ଆଦିବାସୀ ନେତା । ଏକଦା ସେ ନିଜ ଘର ବାହାରେ ବସି ନିଜ ପଡୋଶୀ ଓ ସେମାନଙ୍କ ଜମିଗୁଡ଼ିକ ଦେଖି ପାରୁଥିଲେ, କିନ୍ତୁ ବର୍ତ୍ତମାନ ସେ କେବଳ ମେଟ୍ରୋ ନିର୍ମାଣାଧୀନ ଅଞ୍ଚଳର ତରଙ୍ଗାୟିତ କାନ୍ଥ ଦେଖୁଛନ୍ତି । ସେମାନଙ୍କ ଲୋକମାନଙ୍କ ପାଖରୁ କିଭଳି ଭାବେ ଜମି ଗ୍ରହଣ କରାଯାଇଛି, ସେ ବିଷୟରେ ବର୍ଣ୍ଣନା କରୁଥିବା ବେଳେ ଜୋର୍‌ ଶବ୍ଦ କରି ଡ୍ରିଲିଂ କାର୍ଯ୍ୟ ଚାଲିଥିଲା ।

The Mumbai Metro car shed proposes to take over 75 acres of Aarey. This has triggered citizens’ protests and litigation
PHOTO • Aakanksha

ମୁମ୍ବାଇ ମେଟ୍ରୋ କାର୍‌ ସେଡ୍‌ ପାଇଁ ଆର୍‌ରେ ୭୫ଜମି ଗ୍ରହଣ କରାଯିବା ପ୍ରସ୍ତାବ ରହିଛି । ଏହି କାରଣରୁ ନାଗରିକମାନେ ଏହାର ବିରୋଧ କରୁଛନ୍ତି ଓ ମାମଲା ରୁଜ୍ଜୁ କରିଛନ୍ତି ।

ଆଶା ଭୋୟେ : ପ୍ରଥମ, ସେମାନେ ଯେତେବେଳେ ସର୍ଭେ କରିଥିଲେ, ସେତେବେଳେ ସେମାନେ ଆମର ପଲ୍ଲୀକୁ ପ୍ରଜାପୁରପଡା ବୋଲି ରେକର୍ଡ କରିବା ଉଚିତ ଥିଲା, କିନ୍ତୁ ସେମାନେ ଏଠାରେ ତ୍ରୁଟି କରିଦେଲେ ଓ ସରୀପୂତ ନଗର ଲେଖିଦେଲେ, ଯାହା ପ୍ରଜାପୁରପଡା ପରେ ଅବସ୍ଥିତ ।

ସରୀପୂତ ନଗର ହେଉଛି ପ୍ରଜାପୂରପଡା ପଛରେ ଅବସ୍ଥିତ ଏକ ବସ୍ତି ।

ଆଶା: ଆଦିବାସୀମାନେ ଯେଉଁ ସ୍ଥାନରେ ରୁହନ୍ତି ତାହାକୁ ପଡା [ପଲ୍ଲୀ] କୁହାଯାଏ । ଏହା ଏକ ଟାଉନ୍‌ ବା ସହର ହୋଇପାରିବ ନାହିଁ । ସେମାନେ ଏହି ଅଞ୍ଚଳକୁ ସର୍ଭେ କଲେ ଓ ମେଟ୍ରୋ ପାଇଁ ଏହି ଭୂମି ଅଧିଗ୍ରହଣ କରାଯିବ ଓ କ୍ଷତିପୂରଣ ବାବଦକୁ ଆମେ ତୁମମାନଙ୍କୁ ଆଉ ଏକ ଘର ଦେବୁ ବୋଲି ସେମାନେ କହିଲେ । ଆଦିବାସୀମାନେ ସେମାନଙ୍କୁ ଘର-ପାଇଁ-ଘର ବ୍ୟବସ୍ଥା ବିଷୟରେ ପ୍ରଶ୍ନ କଲେ ଓ ଆମର ଚାଷ ଜମି ମଧ୍ୟ ଅଛି ବୋଲି କହିଲେ ଓ ଏହା ସହିତ ଏଠାରେ ଥିବା ବହୁସଂଖ୍ୟକ ଗଛଗୁଡିକୁ କଣ କରାଯିବ ବୋଲି ପଚାରିଥିଲେ? ତାପରେ ସେମାନେ ଏହା କହିଲେ ଯେ ଏହି ସମସ୍ୟା ବିଷୟରେ ଏକ ସଭାରେ ଆଲୋଚନା କରାଯିବ ଓ ଯାହା ସବୁ ତୁମର ସେଥିପାଇଁ ଆମେ ତୁମକୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବୁ ବୋଲି କହିଲେ।

ମେ ୨୦୧୭ରେ ସେମାନେ କେତେକ ଘର ଭାଙ୍ଗିଥିଲେ । ଲୋକମାନେ ଘୁଞ୍ଚିବାକୁ ଇଚ୍ଛା କରୁନଥିଲେ, କିନ୍ତୁ ବୁଲ୍‌ଡୋଜର୍‌ ଯୋଗୁଁ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନଥିଲା ।

ଆଶା: ତା’ପରେ, ଆମେ ଆମର ଏହି ଜମିକୁ ହରାଇଥିଲୁ। ସେମାନେ ଆମ ପାଖକୁ ଆଉ ଆସିନାହାନ୍ତି କି ଆମକୁ କିଛି ପଚାରୁନାହାନ୍ତି । ସେମାନେ ଆସିଲେ ଓ ଏହି ପ୍ରାଚୀର [କାନ୍ଥ] ଠିଆ କରିଦେଲେ । ତା’ପରେ, ଆମେ ଏହା ଆମର ଜମି ଓ ଏହି ଲୋକମାନେ ବଳପୂର୍ବକ ଆମଠାରୁ ଏହାକୁ ନେଇଯାଇଛନ୍ତି କହି ଏକ ମାମଲା ରୁଜ୍ଜୁ କଲୁ କିନ୍ତୁ ସେମାନେ ଏହାକୁ ଗ୍ରହଣ କରିବାକୁ ମନା କରିଦେଲେ । ତା’ପରେ ସେମାନେ ଏହା ଦାବି କଲେ ଯେ ସେମାନେ ଯେଉଁ ଜମି ଗ୍ରହଣ କରାଯାଇଛି, ସେଠାରେ ଜଣେ ମଧ୍ୟ ଆଦିବାସୀ ରୁହନ୍ତିନି ଓ ସେଠାରେ କିଛି ଗଛ ମଧ୍ୟ ନାହିଁ ଓ ଏହା କେବଳ ଏକ ବସ୍ତି ଅଞ୍ଚଳ ଥିଲା । କୋର୍ଟରେ ସେମାନେ ଏହା କହିଛନ୍ତି । ଏହା କେବଳ କହିବାର କଥା [ଯାହା ସେମାନେ ଆମକୁ କହିଲେ]। ସେମାନେ ଲିଖିତ ଭାବେ ଆମକୁ କିଛି ଦେଇନାହାନ୍ତି ।  ସେମାନେ ଏହା ସବୁ ଆମକୁ ଲିଖିତ ଭାବେ ଦେବା ଉଚିତ, ଆମେମାନେ ମଧ୍ୟ ଏ ବିଷୟରେ ସଚେତନ ନଥିଲୁ । ଆମେ ସେମାନଙ୍କ ଠାରୁ ଏହା ଆଣିନୁ ।

ଆଶା କୁହନ୍ତି ଯେ ବିସ୍ଥାପିତଙ୍କୁ ଚାକିରି ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି, ଯାହା ସେମାନେ କେବେ ମଧ୍ୟ ପାଇଲେ ନାହିଁ । ଏହା ପରିବର୍ତ୍ତେ, ବିସ୍ଥାପିତ ହୋଇଥିବା ଆଦିବାସୀଙ୍କୁ ଏକାଧିକ ଥର ପରିଚୟ ପ୍ରମାଣ ପତ୍ର ପାଇଁ କୁହାଯାଇଛି । ସେମାନେ ଏପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଠରୁ ‘ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବ୍ୟକ୍ତି’ର ପ୍ରମାଣପତ୍ର ପାଇନାହାନ୍ତି, ଯାହାଦ୍ୱାରା ସେମାନେ କର୍ମ ନିୟୋଜନ ଓ ଅନ୍ୟ ସୁବିଧା ଲାଭ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

ଆଶା: ୭/୧୨ ରେକର୍ଡ ହେଉଛି ଏକ ଜମି ରେକର୍ଡ ଯେଉଁଥିରେ ସମ୍ପତ୍ତିର ମାଲିକଙ୍କ ନାମ, ଏହାର ଆକାର, ଏହି ସବୁ କିଛି ଲେଖାଯାଇଛି [ଡକ୍ୟୁମେଣ୍ଟରେ] । ସେମାନେ ଦାବି କରୁଛନ୍ତି ଯେ ଏହା ହେଉଛି ସରକାରୀ ଜମି । ବର୍ତ୍ତମାନ, ଆପଣ ଦେଖି ପାରୁଛନ୍ତି ଯେ, ଏଠାରେ ଥିବା ଆଦିବାସୀମାନେ ଅଧିକ ଶିକ୍ଷିତ ନୁହନ୍ତି । ଏଣୁ ସେମାନେ ଏହି ସବୁ ପଦ୍ଧତି ବିଷୟରେ ଜାଣନ୍ତି ନାହିଁ। ଏପଟେ ସରକାର ଆମକୁ ଏହା କହୁଛନ୍ତି ଯେ ଯଦି ଏହା ତୁମର ଭୂମି, ତେବେ ତୁମମାନଙ୍କ ୭/୧୨ରେକର୍ଡ ଦେଖାଅ । ଆମେ ଆଦିବାସୀ ବୋଲି ନିଜକୁ ପ୍ରମାଣିତ କରିବାକୁ ସେମାନେ ଆମକୁ କହୁଛନ୍ତି । ଆମେମାନେ ହେଉଛୁ ଆଦିବାସୀ, ଆମେ ସେମାନଙ୍କୁ ଆମର ଜାତିଗତ ପ୍ରମାଣପତ୍ର ମଧ୍ୟ ଦେଖେଇ ପାରିବୁ । ତାପରେ ସେମାନେ ଏହା କହିବାକୁ ଆରମ୍ଭ କଲେ ଯେ ‘ତୁମର ବେଶ ପୋଷାକ ଉପରେ ଟିକିଏ ଦୃଷ୍ଟିପାତ କର । ତୁମେମାନେ କେବେ ମଧ୍ୟ ଆଦିବାସୀ ହୋଇପାରିବ ନାହିଁ’……

Left: Asha Bhoye: 'But who is counting the trees that were cut earlier?'
PHOTO • Aakanksha
Right: Pramila Bhoir: 'I believe that trees should not be felled…'
PHOTO • Aakanksha

ବାମ: ଆଶା ଭୋୟେ: ‘କିନ୍ତୁ ପୂର୍ବରୁ କଟା ଯାଇଥିବା ଗଛଗୁଡିକର କିଏ ହିସାବ ରଖୁଛି? ଡାହାଣ: ପ୍ରମିଳା ଭୋଇର୍‌ : ‘ମୋର ବିଶ୍ୱାସ ଯେ ଗଛ କାଟିବା ଅନୁଚିତ….

ପ୍ରକାଶ ମଧ୍ୟ ସେ ଭୋଗୁଥିବା ମାନସିକ ଯନ୍ତ୍ରଣାକୁ ପ୍ରକାଶ କଲେ

ପ୍ରକାଶ: ପ୍ରମାଣ ଯୋଗାଇବା ହେଉଛି ସରକାରଙ୍କ କାମ । ଆମେ ପ୍ରମାଣ ସୃଷ୍ଟି କରିପାରିବୁ ନାହିଁ । [ଡକ୍ୟୁମେଣ୍ଟ ଓ ରେକର୍ଡଗୁଡିକ] ।

ସେ ମେଟ୍ରୋ କାର୍‌ ସେଡ୍‌ ପାଇଁ ବିକଳ୍ପ ସାଇଟ୍‌ କଥା ମଧ୍ୟ କହିଲେ

ପ୍ରକାଶ: କାର୍‌ ସେଡ୍‌ ନିର୍ମାଣ କରିବା ପାଇଁ ଆମେ ଅନ୍ୟ ଏକ ଜମି (ପ୍ଲଟ୍‌) ବିଷୟରେ କହିଲୁ । ଆମ କଥା କିନ୍ତୁ କେହି ମଧ୍ୟ ଶୁଣୁନାହାନ୍ତି । ଆମେ ଆଦିବାସୀମାନେ ମୋର୍ଚ୍ଚା ମଧ୍ୟ ବାହାର କଲୁ, ଯେଉଁଥିରେ ଲୋକମାନେ ସେମାନଙ୍କ ଦାବି ରଖିଲେ । ତେବେ କୌଣସି ମୋର୍ଚ୍ଚାରେ ମେଟ୍ରୋ ପାଇଁ ଦାବି ଉପସ୍ଥାପନ କରାଯାଇନାହିଁ । ଗୋଟିଏ ମଧ୍ୟ ନୁହେଁ । 

ଆଦିବାସୀ ଓ ଆର୍‌ରେ ସମର୍ଥନରେ ଅନେକ ଲୋକ ଆଗେଇ ଆସିଛନ୍ତି । ବ୍ରିହାନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଗଛ ପ୍ରାଧିକରଣ ଦ୍ୱାରା ଅଗଷ୍ଟ ୨୯, ୨୦୧୯ରେ, ମେଟ୍ରୋ ସେଡ୍‌ ପାଇଁ ଆର୍‌ରେ କଲୋନୀରେ ଥିବା ୨୬୦୦ଟି ଗଛକୁ କାଟିବା ପାଇଁ ବା ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା ପରେ ନାଗରିକମାନେ ଏହି ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି। କିନ୍ତୁ ୪୪ ବର୍ଷୀୟ ଆଶା ପଚାରନ୍ତି ଯେ, ପୂର୍ବରୁ କାଟାଯାଇଥିବା ଗଛଗୁଡିକର କ’ଣ ହେବ?

ଆଶା: ପୂର୍ବରୁ କଟାଯାଇଥିବା ଗଛଗୁଡିକର କିଏ ହିସାବ ରଖୁଛି?

ଆଶାଙ୍କ ଏକ ଛୋଟ ଜମି ଖଣ୍ଡ, ଏକ ଏକରରୁ କମ୍‌ ହେବ,କୁ ମେଟ୍ରୋ ପ୍ରକଳ୍ପ ପାଇଁ ତାଙ୍କଠାରୁ ଛଡେଇ ନିଆଯାଇଛି। ସେ ଚାଷ କରୁଥିବା ଋତୁଭିତ୍ତିକ ପନିପରିବା ଓ ଫଳ-ଆଳୁ, କଦଳୀ, ଲେମ୍ବୁ, ଦୁଧି- ବିକ୍ରି କରି ଦିନକୁ ୨୦୦ ରୁ ୩୦୦ଟଙ୍କା ଉପାର୍ଜନ କରୁଥିଲେ । ସେମାନଙ୍କ ଜମି ପାଇଁ ସେମାନେ କୌଣସି କ୍ଷତିପୂରଣ ପାଇନଥିବା କଥା ସେ କୁହନ୍ତି ।

ଆଶା: ମୋର ସ୍ୱାମୀ ଓ ମୋର ଝିଅ ଘରେ ଥିଲେ । ଆମେ ଏବେ ଯେଉଁ ଶଦ୍ଦ ଶୁଣିପାରୁଛେ, ସେହିଭଳି ଏକ ଶଦ୍ଦ ସେମାନେ ମଧ୍ୟ ଶୁଣିଥିବେ। ଏହା ହେଉଛି ଗଛ କାଟିବା ପାଇଁ ବ୍ୟବହାର କରାଯାଉଥିବା ମେସିନ୍‌ର ଶବ୍ଦ । ସେତେବେଳେ ସମୟ ଅପରାହ୍ନ ୪ଟା ହୋଇଥିବ, ବାର ଶୁକ୍ରବାର । ଦଶରୁ ପନ୍ଦର ଜଣ ଲୋକ ଏହି ମେସିନ୍‌ଗୁଡିକ ସହିତ ଆସିଲେ । ମୋର ସ୍ୱାମୀ ଓ ମୋର ଝିଅ ଦଉଡି ଗଲେ ଓ ସେମାନେ କ’ଣ କରିବାକୁ ଆସିଛନ୍ତି ବୋଲି ପଚାରିଲେ । ଗଛ କାଟିବା ପାଇଁ ସେମାନଙ୍କ ପାଖରେ ଅନୁମତି ଅଛି ବୋଲି ସେମାନେ କହିଲେ । ମୁଁ ଆର୍‌ରେ ଥିଲି ଓ ସେଠାରୁ ଘରେ ପହଞ୍ଚିବା ପାଇଁ ମୋତେ ମାତ୍ର ୧୦ମିନିଟ ସମୟ ଲାଗିଲା । ସେହି ସମୟ ମଧ୍ୟରେ ଗଛଗୁଡିକୁ କଟା ଯାଇସାରିଥିଲା । ସେମାନେ ଗଛ କାଟିଦେଲେ, ଯେଉଁଥିପାଇଁ ପରିସ୍ଥିତି କୋଳାହଳମୟ ହୋଇଗଲା ।

ତାଙ୍କ ସ୍ୱାମୀ, କିସନ୍‌ ଭୋୟେ, ମଧ୍ୟ ଦୁଇ ବର୍ଷ ପୂର୍ବେ ତାଙ୍କର ଛୋଟ ଜେନେରାଲ୍‌ ଷ୍ଟୋର୍‌ ହରେଇଛନ୍ତି । ସେ ସେଥିରୁ ଦିନକୁ ୧୦୦୦ ରୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିଲେ । ସେମାନଙ୍କ ମକଦ୍ଦମା ବମ୍ବେ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି।

ଆଶା: ଦୁଇ ବର୍ଷ ତଳେ, ମୁଖ୍ୟ ରାସ୍ତାରେ ଆମର ଗୋଟିଏ ଦୋକାନ ଥିଲା । ସେମାନେ ତାହା ଭାଙ୍ଗି ଦେଲେ ଓ ସେହି ଦିନଠାରୁ ଏହି ଲୋକଟି [ମୋର ସ୍ୱାମୀ] ଘରେ ବସିଛି। ଦୋକାନରୁ ଓ ଆମେ ଯାହାକିଛି ପନିପରିବା ଉତ୍ପାଦନ କରୁଥିଲୁ, ସେଥିରୁ ଯାହା ଉପାର୍ଜନ କରୁଥିଲୁ, ସେଥିରେ ଆମେ ଚଳି ଯାଉଥିଲୁ। ସେମାନେ ତାହା ନେଇଗଲେ [ଦୋକାନ], ଏହା ମଧ୍ୟ ନେଇଗଲେ [ଭୂମି]। ଆମକୁ କଞ୍ଜୁର୍‌ରେ ଅନ୍ୟ ଏକ ଦୋକାନ ଦେବେ ବୋଲି ସେମାନେ କହିଥିଲେ [ଉତ୍ତର ମୁମ୍ବାଇର କଂଜୁମାର୍ଗ ଅଞ୍ଚଳ] । ସେମାନେ ଦେଇଥିଲେ, କିନ୍ତୁ ଆମେ ଯେତେବେଳେ ତାହା ଦେଖିବାକୁ ଗଲୁ, ତାହା କେତେ ଅପରିଷ୍କାର ଥିଲା, ତାହା ଦେଖିବାକୁ ପାଇଲୁ । ସଟର୍‌ ଭାଙ୍ଗି ଯାଇଥିଲା ଓ ଏହା ପ୍ରକୃତରେ ବାହାରେ ଥିଲା [ପୃଥକ୍‌ ଭାବେ] । ଆମେ କିଭଳି ଭାବେ ସେଠାରେ ବ୍ୟବସାୟ କରିବୁ? ବର୍ତ୍ତମାନ ଘର ଚଳେଇବା ବହୁତ କଷ୍ଟକର ହୋଇଗଲାଣି । ଆମେ କେବଳ ଅଳ୍ପ କିଛି ପରିବା ବିକ୍ରି କରି ବଞ୍ଚିଛୁ । ଏବେ କୁହନ୍ତୁ ଆମେ କିଭଳି ଭାବେ ଆମ ଘର ଚଳେଇବୁ?

Left: The Adivasis of Aarey have for long cultivated their shrinking famlands right next to a growing city.
PHOTO • Aakanksha
Right: Trees marked for chopping
PHOTO • Aakanksha

ବାମ: ଆର୍‌ରେ ଆଦିବାସୀମାନେ ଏକ କ୍ରମବର୍ଦ୍ଧିଷ୍ଣ ସହର ପରେ ଥିବା ତାଙ୍କ ଚାଷଜମି ଯାହା କ୍ରମଶଃ ସଂକୁଚିତ ହୋଇଯାଉଛି, ସେଥିରେ ବହୁଦିନ ଧରି ଚାଷ କରିଆସୁଛନ୍ତି । କାଟିବା ପାଇଁ ଗଛଗୁଡିକୁ ଚିହ୍ନଟ କାରଯାଇଛି ।

ବର୍ତ୍ତମାନ, ପ୍ରଜାପୁରପଡାରେ ଜଣେ ଅଙ୍ଗନୱାଡି କର୍ମଚାରୀ ଭାବେ କାମ କରି, ଆଶା ମାସକୁ ୩୦୦୦ଟଙ୍କା ଉପାର୍ଜନ କରୁଛନ୍ତି ।

ଆଶାଙ୍କ ସହିବା ସୀମା ଟପି ଯାଇଛି ଓ ସେ ଏକ ଆଇନ୍‌ଗତ ଯୁଦ୍ଧ ଲଢୁଛନ୍ତି । ସେ ଦୃଢନିଶ୍ଚିତ ଅଛନ୍ତି ଯେ ସେ ଆଉ ଅଟକିବେ ନାହିଁ ।

ଆଶା: ଯଦି ତୁମେ ‘ବିକାଶ’ ଚାହୁଁଛ ତେବେ ତାହା କର । ତେବେ ଯଦି ଆଦିବାସୀମାନଙ୍କ ଜୀବନକୁ ଯନ୍ତ୍ରଣାରେ ଭରି ଦେଇ ତୁମେ ଏପରି କରିବାକୁ ଚାହୁଁଛ, ତେବେ ଏହା ଠିକ୍‌ ନୁହେଁ? ତୁମେମାନେ ଆଦିବାସୀଙ୍କ ଚାଷଜମି ନେଇଯାଉଛ, ସେମାନଙ୍କୁ ଭୟଭୀତ କରୁଛ, ସେମାନଙ୍କ ଘରୁ ସେମାନଙ୍କୁ ବାହାର କରିଦେଉଛ – ଓ ତା’ପରେ ସେମାନଙ୍କ ଭୂମିରେ ତୁମର ବିକାଶ କରିବ? ତୁମେ ସେମାନଙ୍କୁ ଗୋଟିଏ ଘର ଦେବ ଓ ତାଙ୍କୁ ତାହା ଗ୍ରହଣ କରିବାକୁ କହିବ, କିନ୍ତୁ ତୁମେ ଯଦି ସେମାନଙ୍କ ଚାଷଜମି ନେଇଯିବ, ତେବେ ଆମେ ବଞ୍ଚିବୁ କିପରି? ଏହାକୁ କ’ଣ ତୁମେ ଆମର ବିକାଶ ବୋଲି କହିପାରିବ? ଏହା କ’ଣ ଆମ ପାଇଁ? ତୁମେ ଆମମାନଙ୍କ ଜୀବନ ଆମଠାରୁ ଛଡେଇ ନେଉଛ ଓ ତା’ପରେ ତୁମେମାନେ ଆମର ବିକାଶ କରୁଛ ବୋଲି ଦାବି କରୁଛ? ଆମ ପାଖରେ ଗ୍ରାମ ନାହିଁ କି ଅନ୍ୟ ଏକ ଘର ମଧ୍ୟ ନାହିଁ । ଏହା ହେଉଛି ଆମର ଦୁନିଆ । ଆମ ପାଖରେ ଯାହାକିଛି ଅଛି ତାହା ସବୁ ଏଠାରେ ଅଛି । ଏଠାରୁ ଆମେ କୁଆଡେ ଯିବୁ?

ଏ ବିଷୟରେ ଆଉ କିଛି ଭାବିବାକୁ ଛାଡି ଦେଇ ପ୍ରକାଶ ଚାଲିଗଲା:

ପ୍ରକାଶ: ମନୁଷ୍ୟ ଜାତି ନିଜକୁ ଅତି ବୁଦ୍ଧିମାନ ମନେକରେ । ଏନେଇ ମୋ ମନରେ ଅନେକ ପ୍ରଶ୍ନ ରହିଛି । ସେ ଅନୁଭବ କରେ ଯେ ସେ ବିଭିନ୍ନ ପ୍ରକାରର ଆବିଷ୍କାର କରିଛି, ସେ ବ୍ରିଜ୍‌, ମଲ୍‌, ମେଟ୍ରୋ ନିର୍ମାଣ କରିଛି ଓ ସେ ମଙ୍ଗଳ ଗ୍ରହରେ ମଧ୍ୟ ପହଞ୍ଚି ପାରିଛି । ଏଣୁ ଆମେମାନେ ନିଜକୁ ଅଧିକ ଚତୁର ମନେକରିଥାଉ । ମୁଁ କିନ୍ତୁ ଭାବୁଛି ଯେ ଆମେମାନ ଧ୍ୱଂସ ଆଡକୁ ଗତି କରୁଛେ । ଏହାସହିତ ମୁଁ ଭାବୁଛି ଯେ ଯଦି ଏହା ଗଣତନ୍ତ୍ର ଅଟେ, ତେବେ ଜଣେ ନିଶ୍ଚିତ ଭାବେ ଲୋକମାନଙ୍କ କଥା ଶୁଣିବା ଉଚିତ । ଅଧିକାଂଶ ଲୋକ ଏହା କହୁଛନ୍ତି ଯେ ଏଥିଯୋଗୁଁ ଅନେକ କ୍ଷୟକ୍ଷତି ଓ ବିନାଶ ହେବ । ଏହାପରେ ମଧ୍ୟ ସେମାନେ କାହିଁକି ଶୁଣୁନାହାନ୍ତି? ଏହା ମୋତେ ବହୁତ ଅବାସ୍ତବ ମନେ ହେଉଛି ।

ସୋମବାର, ଅକ୍ଟୋବର ୭ରେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ଅକ୍ଟୋବର ୨୧ ପର୍ଯ୍ୟନ୍ତ ଆର୍‌ରେ ଏମ୍‌ଏମ୍‌ଆର୍‌ସିଲ୍‌ର ଗଛ କାଟିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ତେବେ ସେତେବେଳକୁ ୨୬୦୦ଟି ଗଛ କଟାଯାଇ ସରିଥିଲା ।

ପ୍ରମିଳା ଭୋଇର୍‌, ହେଉଛନ୍ତି ଜଣେ ଚାଷୀ ଓ ଗୃହିଣୀ ଓ ପ୍ରକାଶଙ୍କ ସ୍ତ୍ରୀ, ଯାହାକୁ ବାଇକୁଲ୍ଲା ପୋଲିସ୍‌ ଷ୍ଟେସନ୍‌ରେ ଅକ୍ଟୋବର୍‌ ୭ରେ ଦୁଇ ଦିନ ପାଇଁ ଅଟକ ରଖାଯାଇଥିଲା । ସେ ଅନ୍ୟ ନାଗରିକମାନଙ୍କ ସହିତ ଗଛ କାଟିବାକୁ ବିରୋଧ କରୁଥିଲେ ।

ପ୍ରମିଳା: ସେମାନେ ଗଛଗୁଡ଼ିକ କାଟିଦେଉଛନ୍ତି, ଏଣୁ ଆମେ ଗଛର ସୁରକ୍ଷା ପାଇଁ ସେଠାକୁ ଯାଇଥିଲୁ । ଆମେ ସେଠାକୁ ପୋଲିସ୍‌ମାନଙ୍କୁ ଆକ୍ରମଣ କରିବା ପାଇଁ ଯାଇନଥିଲୁ, ଆମେ ଲଢେଇ କରିବାକୁ ଯାଇନଥିଲୁ । ଆପଣମାନେ ଶିକ୍ଷିତ, ମୁଁ ଅପାଠୁଆ । ତଥାପି, ଗଛ କାଟିବା ଅନୁଚିତ , ଏହା ମୋର ବିଶ୍ୱାସ ।

ପରବର୍ତ୍ତୀ ଲେଖା: ସୋମବାର, ଅକ୍ଟୋବର ୨୧ରେ, ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ଏହା ଆରେ କଲୋନିଠାରେ ନିର୍ମାଣ ହେବାକୁ ଥବା ମେଟ୍ରୋ କାର୍‌ ସେଡ୍‌ ନିର୍ମାଣ ଉପରେ କୌଣସି ସ୍ଥଗିତାଦେଶ ଜାରି କରିନାହାନ୍ତି ଓ ନଭେମ୍ବର ୧୫, ୨୦୧୯ ପର୍ଯ୍ୟନ୍ତ ଗଛ କାଟିବା ବିପକ୍ଷରେ ଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ପରିବର୍ଦ୍ଧିତ କରିଛନ୍ତି ।

କ୍ରେଡିଟ୍‌ ଓ ସ୍ୱତନ୍ତ୍ର ଧନ୍ୟବାଦ:

ଆଡିସ୍‌ନାଲ୍‌ ଭଏସ୍‌ଓଭର୍‌ : ଜହରା ଲତିଫ୍‌, ଉର୍ଣ୍ଣା ରାଉତ

ଅନୁବାଦ : ମେଧା କାଲେ, ଜ୍ୟୋତି ଶିନୋଲି, ଉର୍ଜା

ସାଉଣ୍ଡ ଲେବଲିଂ / ଅଡିଓ ଇନ୍‌ପୁଟ୍‌: ହୋପୁନ୍‌ ସାଇକିଆ, ହିମାଂଶୁ ସାଇକିଆ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aakanksha

ଆକାଂକ୍ଷା (ସେ କେବଳ ତାଙ୍କର ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି) ପରୀରେ ଆସିଷ୍ଟାଣ୍ଟ କଣ୍ଟେଣ୍ଟ କୋର୍ଡିନେଟର୍‌ ଭାବେ କାମ କରନ୍ତି ।

Other stories by Aakanksha