ଏହା ସେପ୍ଟେମ୍ବର ୨୦୧୭ ଗୁରୁବାର ଦିନ ପ୍ରାୟ ୧୦ଟା ସମୟ । ଲାଲତି ଦେବୀ ପାଶୱାନ୍ ଏବଂ ଶୋଭା ଭାରତୀ ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲାର ରବର୍ଟଗଞ୍ଜ ସହରର ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ଏକ ପ୍ଲାଷ୍ଟିକ୍ ବେଞ୍ଚରେ ଅପେକ୍ଷା କରିଛନ୍ତି । ଦୁଇଜଣ ଯାକ ମହିଳା ଶାନ୍ତ ଅଛନ୍ତି । ସେମାନେ ଏପରି ଅନେକ ଥର କରିଛନ୍ତି ।

ଲାଲତି ଦେବୀ ଏବଂ ତାଙ୍କର ସ୍ୱାମୀ ଶ୍ୟାମଲାଲଙ୍କ ବିରୋଧରେ ପ୍ରାୟ ୨୦ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ଏପରିସ୍ଥଳେ ସେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସିଛନ୍ତି ଯେ ଗାଁର କିଛି ଲୋକ ତାଙ୍କର ଭାବମୂର୍ତ୍ତି ଓ ତାଙ୍କ ସଂଘର କାମକୁ ଅଣଦେଖା କରିବା ଲାଗି ତାଙ୍କ ବିରୋଧରେ ଗୁଜବ ପ୍ରସାର କରୁଛନ୍ତି । ସେମାନେ ତାଙ୍କୁ ଡାହାଣୀ ବୋଲି କହୁଛନ୍ତି ଯାହାଦ୍ୱାରା ତାଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି । ୬୦ ବର୍ଷରେ ଉପନୀତ ଲାଲତି ଦେବୀ କହିଲେ, “ଜିଲ୍ଲାପାଳଙ୍କୁ ଦେଖାକରିବା ଜରୁରୀ । ସେମାନଙ୍କୁ ଆମର କଥା ଶୁଣିବାକୁ ଓ ଆମକୁ ସାକ୍ଷାତ କରିବାକୁ ପଡ଼ିବ ଯାହାଦ୍ୱାରାକି ଆମେ ଏସବୁକୁ ବଦଳାଇବା ପାଇଁ କାନୁନ(ଆଇନ)କୁ ବ୍ୟବହାର କରିପାରିବୁ ।’’

୫୦ ବର୍ଷରେ ଉପନୀତ ଶୋଭା କହିଲେ, “ମୁଁ ନ୍ୟାୟ ପାଇଁ ଅପେକ୍ଷା କରିଛି । ମୁଁ କ୍ଷତିପୂରଣ ପାଇବା ଲାଗି ଆବେଦନ ଦାଖଲ କରିବାକୁ ଆସିଛି। ସ୍ଥାନୀୟ ପ୍ରଶାସନ ଏହି ସହାୟତା ଦେବା କଥା(ବଳାତ୍କାରର ଶିକାର ହୋଇଥିବା ମହିଳାମାନଙ୍କୁ) କିନ୍ତୁ ଜିଲ୍ଲାପାଳ ମୋ ଫାଇଲକୁ ଆଗକୁ ବଢାଇନାହାନ୍ତି।’’ ଶୋଭା ଓ ତାଙ୍କର ସ୍ୱାମୀଙ୍କ ବିରୋଧରେ ମଧ୍ୟ ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଭାବେ ଗଛ କାଟିବାର ଅଭିଯୋଗ ରହିଛି । ଏହାଛଡ଼ା ଅନେକଗୁଡ଼ିଏ ଦଳଗତ ମାମଲାରେ ସେମାନଙ୍କର ନାଁ ରହିଛି, ସେମଧ୍ୟରୁ ଅଧିକାଂଶ କାର୍ଯ୍ୟରେ ସେମାନେ ଭାଗ ନେଇନଥିବା କଥା କହିଛନ୍ତି ।

ଦଳିତ ସଂପ୍ରଦାୟର ଉଭୟ ମହିଳା ଜିଲ୍ଳାପାଳ ପ୍ରମୋଦ ଉପାଧ୍ୟାୟଙ୍କ ଅଫିସ୍ ମଧ୍ୟକୁ ଯିବାପାଇଁ ଧେର୍ଯ୍ୟର ସହ ୧ ଘଣ୍ଟା ଧରି ଅପେକ୍ଷା କଲେ । ସେମାନଙ୍କ ସହିତ ଅଲ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲ(ଏଆଇୟୁଏଫଡବ୍ଲ୍ୟୁପି)ର ସାଧାରଣ ସଂପାଦକ ରୋମା ମଲିକ ଓ ରବର୍ଟଗଞ୍ଜର ସଂଘ ଅଫିସ୍ର ଅନ୍ୟମାନେ  ମଧ୍ୟ ଅଛନ୍ତି । ମଲିକ ସୋନଭଦ୍ରା ଜିଲ୍ଲାରେ ଗତ ୧୮ ବର୍ଷ ହେଲା କାମ କରିଆସୁଛନ୍ତି । ସେ କହିଲେ, “ ପୁଲିସର ଅତ୍ୟାଚାରର ଅନେକ ମାମଲା ରହିଛି ଯାହାକୁକି ଆମେ ପ୍ରଶାସନ ସହ ଆଲୋଚନା କରିବାକୁ ଚାହୁଁଛୁ ।’’

Women standing outside district magistrate's office
PHOTO • Sweta Daga
Women sitting at district office
PHOTO • Sweta Daga

ଜିଲ୍ଲାପାଳଙ୍କ ଅଫିସ ବାହାରେ ଆଶା ଓ  ଧେର୍ଯ୍ୟର ସହ ଅପେକ୍ଷା । ସେମାନେ ଏଭଳି ଅନେକ ଥର ଆସିସାରିଛନ୍ତି । ପ୍ରତିଥର ଆଇନରେ ଯାହା କୁହାଯାଇଛି ତାହା ସେମାନଙ୍କର ଅଧିକାର ବୋଲି ସେମାନେ ଦାବି କରିଛନ୍ତି ।

ଏଆଇୟୁଏଫଡବ୍ଲ୍ୟୁପି (ମୂଳତଃ ନ୍ୟାସନାଲ ଫୋରମ୍ ଅଫ ଫରେଷ୍ଟ ପିପୁଲ ଆଣ୍ଡ ଫରେଷ୍ଟ ୱାର୍କର୍ସ ୧୯୯୬ ମସିହାରେ ଗଠିତ ହୋଇଥିଲା) ୨୦୧୩ରେ ପ୍ରତିଷ୍ଠିତ ହୋଇଥିଲା । ଏଥିରେ ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଭଳି ପ୍ରାୟ ୧୫ଟି ରାଜ୍ୟର ୧୫୦,୦୦୦  ସଦସ୍ୟ ଅଛନ୍ତି। ଉତ୍ତରପ୍ରଦେଶରେ ଏହି ସଂଘ ୧୮ ଟି ଜିଲ୍ଲାରେ କାମ କରୁଥିବା ବେଳେ ଏଥିରେ ପ୍ରାୟ ୧୦ ହଜାର ସଦସ୍ୟ ଅଛନ୍ତି । ଏହାର ପ୍ରାୟ ୬୦ ପ୍ରତିଶତ ନେତା ହେଉଛନ୍ତି ମହିଳା ଏବଂ ସେମାନଙ୍କର ମୁଖ୍ୟ ଦାବି ହେଉଛି ଜଙ୍ଗଲ ଅଧିକାର ଆଇନ (ଏଫଆରଏ)କୁ ଲାଗୁ କରିବା । ଗ୍ରାମସଭାର ଅଧିକାରୀମାନଙ୍କୁ ସ୍ୱୀକୃତି ଦେବା ଏବଂ ଜଙ୍ଗଲ ସଂପ୍ରଦାୟଗୁଡ଼ିକୁ ଆତ୍ମଶାସିତ ହେବାର ବିକଳ୍ପ ପ୍ରଦାନ କରିବାକୁ ସେମାନେ ଦାବି କରୁଛନ୍ତି ।

ସଂଘର ଅନ୍ୟ ସଦସ୍ୟମାନଙ୍କ ସହିତ ଲାଲତି ଓ ଶୋଭା ମଧ୍ୟ ଏଫଆରଏ ଅଧୀନରେ ଜମି ଅଧିକାର ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି । ଏଥିପାଇଁ ସେମାନେ ଅନେକ ଥର ଜେଲ୍ ଯାଇଛନ୍ତି । ୨୦୦୬ ମସିହାରେ ପ୍ରଣୀତ ହୋଇଥିବା ଏଫଆରଏ ଜଙ୍ଗଲରେ ବସବାସ କରୁଥିବା ସଂପ୍ରଦାୟମାନଙ୍କ ବିରୋଧରେ ଦୀର୍ଘବର୍ଷ ଧରି ହୋଇ ଆସୁଥିବା ‘ଐତିହାସିକ ଅନ୍ୟାୟ’କୁ ସ୍ୱୀକାର କରେ । ଏହାଛଡ଼ା ଏହି ଆଇନ ବଳପୂର୍ବକ ମାଡ଼ିବସିବା ଏବଂ ଜଙ୍ଗଲ ସଂପ୍ରଦାୟର ପାରମ୍ପରିକ ଜୀବିକା ଯେପରିକି ଜାଳେଣି ସଂଗ୍ରହ କରିବା, ଫଳ ବା ଫୁଲ ତୋଳିବାକୁ ଅପରାଧମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଣୟନ ହୋଇଛି ।

ସଂଘର ଅନ୍ୟ ସଦସ୍ୟମାନଙ୍କ ସହିତ ଲାଲତି ଓ ଶୋଭା ମଧ୍ୟ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଜମି ଅଧିକାର ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି । ଏଥିପାଇଁ ସେମାନେ ଅନେକ ଥର ଜେଲ୍ ଯାଇଛନ୍ତି । ୨୦୦୬ ମସିହାରେ ପ୍ରଣୀତ ହୋଇଥିବା ଏଫଆରଏ ଜଙ୍ଗଲରେ ବସବାସ କରୁଥିବା ସଂପ୍ରଦାୟମାନଙ୍କ ବିରୋଧରେ ଦୀର୍ଘବର୍ଷ ଧରି ହୋଇଆସୁଥିବା ‘ଐତିହାସିକ ଅନ୍ୟାୟ’କୁ ସ୍ୱୀକାର କରେ ।

କିଛି ସମୟ ପରେ ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ଅପେକ୍ଷା କରିଥିବା ମହିଳାମାନଙ୍କୁ ଭିତରକୁ ପ୍ରବେଶ କରିବାକୁ କୁହାଗଲା । ସେମାନେ ଭିତରକୁ ଯିବା ପରେ ଉପାଧ୍ୟାୟ ପଚାରିଲେ, “ତୁମେମାନେ କ’ଣ ସେଠାରେ ବେଆଇନ ଭାବେ ରହୁଛ?’’ ସେ କେବଳ ରୋମା ମଲିକଙ୍କ ସହ କଥା ହେଲେ, କୌଣସି ପ୍ରତିଶ୍ରୁତି ଦେଲେ ନାହିଁ ଏବଂ ୫ ମିନିଟ୍ ମଧ୍ୟରେ ସେମାନଙ୍କୁ ବାହାର କରିଦେଲେ । ପରେ ରୋମା କହିଲେ, “ସୋନଭଦ୍ରାରେ ସମସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲାପାଳ ଦାୟୀ ।’’ “ଯଦି ଅତ୍ୟାଚାର ହେଉଛି ତା’ ହେଲେ ତୁମକୁ କେଉଁ ପର୍ଯ୍ୟାୟରେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ... ଏପରିକି ଜଙ୍ଗଲ ଅଧିକାର ଆଇନ ଥିଲେ ମଧ୍ୟ ଅଧିକାରୀମାନେ ତାକୁ ଲାଗୁ କରିବାକୁ ଚାହୁଁନାହାନ୍ତି ।’’

ଉତ୍ତପ୍ରଦେଶର ଦ୍ୱିତୀୟ ବୃହତ୍ତମ ଜିଲ୍ଲା ସୋନଭଦ୍ରା ତାପଜ ବିଦ୍ୟୁତ୍ କାରଖାନା ଓ ଚୂନପଥର ଖଣି ପାଇଁ ପ୍ରସିଦ୍ଧ । ଏହା ମଧ୍ୟ ରାଜ୍ୟର ସର୍ବାଧିକ ପ୍ରଦୂଷିତ ସ୍ଥାନ ମଧ୍ୟରେ ଅନ୍ୟତମ । ଦିଲ୍ଲୀସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରୋନମେଣ୍ଟ ପକ୍ଷରୁ ‘ମର୍କ୍ୟୁରି ପଲ୍ୟୁସନ୍ ଇନ୍ ସୋନଭଦ୍ରା ଡିଷ୍ଟ୍ରିଟ୍ ଅଫ୍ ଉତ୍ତରପ୍ରଦେଶ ଆଣ୍ଡ ଇଟ୍ସ ହେଲଥ ଇମ୍ପାକ୍ଟ’ ନାମରେ ୨୦୧୨ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ସେହି ରିପୋର୍ଟରେ ଦର୍ଶାଯାଇଛି ଯେ ଏଠାକାର କିଛି ଜଳାଶୟରେ ଥିବା ପାରଦର ସ୍ତର ମଣିଷର ବ୍ୟବହାର କିମ୍ବା ଚାଷ ପାଇଁ ଅନୁପଯୁକ୍ତ -ଅବଶ୍ୟ ତାହା ଭିନ୍ନ କାହାଣୀ ।

ଲାଲତିଙ୍କ କାହାଣୀ

ଜଙ୍ଗଲ ପ୍ରସଙ୍ଗରେ ରବର୍ଟଗଞ୍ଜରେ ଏକ ବୈଠକରେ ଯୋଗ ଦେବା ପରେ ଲାଲତି ଦେବୀ ୨୦୦୪ରେ ସଂଘରେ ଯୋଗ ଦେଲେ। ତାଙ୍କ ଗାଁ ରାମଗଡ଼ରେ ତାଙ୍କ ପରିବାର ଲୋକେ ସେହି ଜମିମାଲିକଙ୍କୁ ବିରୋଧ କରିଥିଲେ ଯେଉଁମାନେ କି ତାଙ୍କର ଜମିକୁ ନେବାକୁ ଚାହୁଁଥିଲେ । ତେଣୁ ଯେତେବେଳେ ଜଣେ ଭଣଜାଙ୍କ ମାଧ୍ୟମରେ ସେମାନେ ସଂଘକଥା ଜାଣିଲେ ସେମାନେ ଏଥିରେ ଯୋଗ ଦେବାକୁ ଆଗ୍ରହୀ ହେଲେ । ୩ ବର୍ଷ ପରେ ସେ ଏବଂ ଶ୍ୟାମଲାଲ ହର-ବିରାଉଲା ଗାଁରେ ଜମି ଉପରେ ପୁନଃଦାବି ପାଇଁ ହୋଇଥିବା ଏକ ଆନ୍ଦୋଳନର ନେତୃତ୍ୱ ନେଲେ । ସେଠାରେ ପ୍ରାୟ ୧୫୦ ଦଳିତ ଓ ଆଦିବାସୀ ପରିବାର ୧୩୫ ଏକର ଜଙ୍ଗଲ ଜମିକୁ ଅଧିକାର କରି ତାକୁ ଚାଷଜମିରେ ପରିବର୍ତ୍ତନ କରିଦେଲେ ।

 ଶ୍ୟାମଲାଲ ବୁଝାଇଲେ, “ମୋର ଜେଜେବାପା ଜେଜେମା’ ଯେକୌଣସି ସମୟରେ ଜଙ୍ଗଲକୁ ଯାଇପାରୁଥିଲେ । ଆମ ପାଇଁ ଏହା ଏକ ଅପରାଧ ପାଲଟିଯାଇଛି ।’’ ସେମାନେ ପୁନଃ ଦାବି ପାଇଁ ଯୋଜନା କରିବାଲାଗି-ଜମିର ମାନଚିତ୍ରକୁ ଅଧ୍ୟୟନ କରିବା, ଲୋକମାନଙ୍କୁ ସଂଗଠିତ କରିବା, ଜମି ସଫା କରିବା ଏବଂ ଗଛ ଲଗାଇବା ପାଇଁ ୨ ବର୍ଷ ସମୟ ନେଲେ ।

Family outside home
PHOTO • Sweta Daga

ହର-ବିରାଉଲା ଗାଁରେ ନିଜ ଘର ସମ୍ମୁଖରେ ପରିବାର ସଦସ୍ୟ ଓ ପଡ଼ୋଶୀଙ୍କ ସହ ଲାଲତି ଦେବୀ ପାଶୱାନ । ସେ କହିଲେ , “ ଆମେ ଜେଲ୍କୁ ଭୟ କରୁନା ।’’

ଲାଲତି ସେହି ଦିନଗୁଡ଼ିକୁ ମନେ ପକାଇଲେ । “ଆମେ ସବୁଦିନ ସକାଳ ୫ଟାରୁ ଉଠୁ, ଯେପରିକି ୱାର୍ଡେନ୍ ଆମକୁ ଗଣନା କରିପାରିବେ । ତା’ ପରେ ଆମେ ଝାଡୁ ଓ ବ୍ରସ କରୁ । ଏହାପରେ ଗାଧୋଇ ରୁଟି ଏବଂ ଡାଲି ବା ଏକ ତରକାରୀ ଖାଇଥାଉ । ତା’ ପରେ ସେମାନେ ଆମକୁ ପୁଣି ଭିତରେ ବନ୍ଦ କରିଦିଅନ୍ତି । ସେ ଟିକେ ସମୟ ରହିଯାଇ କହିଲେ, “ମୁଁ ମୋର ପିଲାଙ୍କୁ ଖୁବ୍ ମନେ ପକାଏ । ମୁଁ କାନ୍ଦିପକାଏ, ଅବଶ୍ୟ ସବୁ ରବିବାର ଆମେ ସେମାନଙ୍କୁ ଜେଲରେ ଭେଟିଥାଉ ।  ଆମକୁ ଦୃଢ ରହିବାର ଥିଲା-ଆମେ ଏପରି ଏକ ବଡ଼ ବ୍ୟବସ୍ଥା ବିରୋଧରେ କାମ କରୁଛୁ।’’ ଲାଲତି ଓ ଶ୍ୟାମଲାଲଙ୍କ ୫ ପିଲା ଏବେ ବଡ଼ ହୋଇଯାଇଛନ୍ତି । ସେମାନେ ଚାଷ  ଓ ଅନ୍ୟ ଦିନମଜୁରୀ କାମ କରୁଛନ୍ତି ।

୨୦୧୦ରେ ଲାଲତି ଦେବୀ ଏବଂ ଶ୍ୟାମଲାଲଙ୍କୁ ପୁଲିସ ଓବ୍ରା ଟାଉନ୍(ସେମାନଙ୍କ ଗାଁଠାରୁ ପ୍ରାୟ ୫୦ କିମି ଦୂର) ନିକଟରେ ଅଟକାଇଲା । ସେତେବେଳେ ସେମାନେ ଭୂସଂସ୍କାର ପାଇଁ  ଦାବି କରିବା ଲାଗି ଏକ ରାଲିରେ ଯୋଗ ଦେଇ ଫେରୁଥିଲେ । ସେ କହିଲେ, “ପୁଲିସ ଆମକୁ ଜାଣିଥିଲା । ସେମାନେ ଆମକୁ ପୁଲିସ ଷ୍ଟେସନକୁ ଯିବାକୁ ବାଧ୍ୟ କଲେ, କିନ୍ତୁ ଆମେ ମନା କଲୁ । ତା’ ପରେ ସେମାନେ ଆମର ହାତକୁ ଆମ ପଛପଟେ ବାନ୍ଧି ପକାଇଲେ । ସେମାନେ ମୋର ଚୁଟି ଝିଙ୍କି ଦେଲେ, ଆମକୁ ବହୁତ ପିଟିଲେ-ତାହା ବହୁତ ଭୟାନକ ଥିଲା ।’’

 “ସେମାନେ ଆମକୁ ଗିରଫ କଲେ ଏବଂ ମୀର୍ଜାପୁର ଜେଲକୁ ଏକ ପୁଲିସ କାରରେ ନେଇଗଲେ । ମୋତେ ଏତେ ଅଧିକ ଆଘାତ ଲାଗିଥିଲା ଯେ ମୁଁ ଜେଲରେ ଅସୁସ୍ଥ ରହିଥିଲି  । ମୁଁ ନିଜେ ଚାଲିବା କିମ୍ବା ଖାଇବା ବା ଗାଧୋଇବା ପାଇଁ ସମର୍ଥନ ଥିଲି । ଜେଲ୍‌ରେ କିଛି ପରିବର୍ତ୍ତନ ହୋଇନଥିଲା-ସମାନ ଖାଇବା, ସମାନ ବ୍ୟବହାର, କିନ୍ତୁ ଏଥରକ ମୋର ଲଢିବାକୁ ଶକ୍ତି ନଥିଲା । ମୁଁ ବଞ୍ଚିଗଲି କାରଣ ଆଉ ଜଣେ ମହିଳା ମୋତେ ରୋଗୀ ଭଳି ବ୍ୟବହାର କଲେ ଓ ମୋର ଯତ୍ନ ନେଲେ ।’’

PHOTO • Sweta Daga

ଲାଲତି ଓ ଶ୍ୟାମଲାଲ ହର-ବିରାଉଲା ଗାଁରେ ଜମି ଉପରେ ପୁନଃ ଦାବି ପାଇଁ ଏକ ଅଭିଯାନର ନେତୃତ୍ୱ ନେଉଥିଲେ- ଶ୍ୟାମଲାଲ କହିଲେ “ଆମର ଜେଜେବାପା ଜେଜେମା’ ଯେକୌଣସି ସମୟରେ ଜଙ୍ଗଲକୁ ଯାଇପାରୁଥିଲେ । ଆମ ପାଇଁ କିନ୍ତୁ ତାହା ଅପରାଧ ପାଲଟିଛି ।’’

ଲାଲତି ପ୍ରତିଥର ରବର୍ଟଗଞ୍ଜର କୋର୍ଟ ଦ୍ୱାରା ଖଲାସ ହୋଇଛନ୍ତି ଏବଂ ସଂଘର ଜଣେ ଓକିଲ ବିନୋଦ ପାଠକଙ୍କ ସହାୟତାରେ ତାଙ୍କ ବିରୋଧରେ ଥିବା ମାମଲାରେ ଲଢିବା ଜାରି ରଖିଛନ୍ତି  । ସେହି ମାମଲାଗୁଡ଼ିକ ମଧ୍ୟରେ ଅପରାଧିକ  ଅତିକ୍ରମଣ ଓ ଦଙ୍ଗା ସାମିଲ । ସେ କହିଲେ, “ଓକିଲଙ୍କୁ ସାକ୍ଷାତ କରିବା, କୋର୍ଟରେ ହାଜର ହେବା, ବୈଠକରେ ଯୋଗ ଦେବା, ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ଲାଗି ପ୍ରୟାସରେ ଆମର ବହୁ ସମୟ ଯାଉଛି । ଆମ ବିରୋଧରେ ଏତେ ମିଥ୍ୟା ମାମଲା ରହିଛି ଯେ ସମୟ ସମୟରେ ଆମକୁ ଲାଗେ କି ଆମେ କେବଳ କାଗଜପତ୍ର କାମ କରୁଛୁ । ଆମର ସବୁ ଟଙ୍କା ଓ ଶକ୍ତି ଏହି ବାଟରେ ଯାଉଛି । ଗୋଟେ ସାଧାରଣ ଜୀବନ ବଞ୍ଚିବା, ଟଙ୍କା ରୋଜଗାର କରିବା କିମ୍ବା ବଞ୍ଚିବା ଲାଗି ଆମ ପାଖରେ ସମୟ ନାହିଁ ।’’ ଲାଲତି ଓ ଶ୍ୟାମଲାଲଙ୍କ ପୁଅ ସେମାନଙ୍କୁ ଆର୍ଥିକ ଭାବେ ସହାୟତା କରିଥାନ୍ତି ଏବଂ ସଂଘର କାମ କରିବା ଲାଗି  ଲାଲତିଙ୍କୁ ଖୁବ୍ କମ୍ ଅର୍ଥ ମିଳିଥାଏ ।

ଏସବୁ କିନ୍ତୁ ତାଙ୍କୁ ତାଙ୍କର ଲକ୍ଷ୍ୟପଥରୁ ବିଚ୍ୟୁତ କରିନାହିଁ । “ସମୟ ସମୟରେ ମୁଁ କ୍ଲାନ୍ତ ହୋଇଯାଏ ।  ମୁଁ ଜାଣିବାକୁ ଚାହେଁ ଯେ ଆମେ କେତେବେଳେ ଶାନ୍ତିରେ ବଞ୍ଚିପାରିବୁ, କିନ୍ତୁ ଏହା ଆମେ ଆମର ପିଲାଙ୍କ ପାଇଁ କରୁଛୁ । ଆମେ ଜେଲଯିବାକୁ ଭୟ କରୁନାହୁଁ । ଆମ ଜମି ନେବା ଅପେକ୍ଷା ଆମକୁ ନେଇଯିବା ଭଲ ।’’

ଶୋଭାଙ୍କ କାହାଣୀ

ଅଧିକାଂଶ ସମୟରେ ମହିଳାମାନେ ଭୂ ଅଧିକାର ଅଭିଯାନର ନେତୃତ୍ୱ ନେଇଥାନ୍ତି, କିନ୍ତୁ ସାଧାରଣତଃ ସେମାନଙ୍କୁ ଏଥିପାଇଁ ଶ୍ରେୟ ମିଳେନାହିଁ । ଦ ହିନ୍ଦୁ ସେଣ୍ଟର ଫର ପଲିଟିକ୍ସ ଆଣ୍ଡ ପବ୍ଲିକ୍ ପଲିସି ପକ୍ଷରୁ ୨୦୧୬ରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଯେଉଁ ମହିଳାମାନେ ଏଭଳି ଆନ୍ଦୋଳନରେ ନେତୃତ୍ୱ ନେଇଥାନ୍ତି ସେମାନଙ୍କୁ କିଭଳି ହିଂସା ଓ ଜେଲ୍ ଯିବାର ଆଶଙ୍କା ଥାଏ ତାହା ବର୍ଣ୍ଣନା କରାଯାଇଛି । ବିଶେଷ କରି ଲାଲତି ଓ ଶୋଭାଙ୍କ ପରି ଯେଉଁମାନେ ସଂଘର୍ଷର ସ୍ୱର ପାଲଟିଥାନ୍ତି ସେମାନଙ୍କର ଏହାଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଅଧିକ ଥାଏ ।

ଶୋଭା ଓ ତାଙ୍କର ସ୍ୱାମୀ ରାମ ଗରିବ ଭାରତୀ ସମାନ ୪ ବିଘା ଜମି (ପ୍ରାୟ ଗୋଟିଏ ଏକର) ପାଇଁ ରବର୍ଟଗଞ୍ଜ ତାଲୁକାର ଚୋପାନ୍ ବ୍ଲକ୍ର ବାଡ଼ି ଗାଁରେ ୨୦ ବର୍ଷ ହେଲା ସଂଘର୍ଷ କରୁଛନ୍ତି । ଲାଲତିଙ୍କ ଗାଁଠାରୁ ବସରେ ଗଲେ ଦୁଇଘଣ୍ଟା ପରେ ଶୋଭାଙ୍କ ଗାଁ ପଡ଼ିବ । ଚୋପାନ ଚୂନପଥର, ମାର୍ବଲ ଏବଂ ଲୁହାପଥର ଭଳି ଖଣିଜ ପଦାର୍ଥରେ ଭରପୁର ।

ବାଡ଼ିର ଆଖପାଖରେ ପଥରଭଙ୍ଗାଳି ଭାବେ ଦୀର୍ଘ ବର୍ଷ ତଳୁ କାମ କରିବା ପରେ ସେମାନେ ଧୀରେ ଧୀରେ ଏକ ଛୋଟ ଜମିକୁ  ସଫା କରିବା ଆରମ୍ଭ କଲେ । ତାହା ପାରମ୍ପରିକ ଭାବେ ଜମିର ମାଲିକ ଥିବା ସଂପ୍ରଦାୟକୁ ଉତ୍ତ୍ୟକ୍ତ କଲା । କ’ଣ ପାଇଁ ସେ ଜାଗା ଛାଡ଼ି ପଳାଉନ ବୋଲି ପଚାରିବାରୁ ଶୋଭା କହିଲେ, “କିନ୍ତୁ କୁଆଡେ ଯିବୁ? ସବୁଆଡ଼େ ସମାନ ସ୍ଥିତି ।’’

ଶୋଭା କହିଲେ, ୨୦୦୬ରେ ଜମି ମାଲିକଙ୍କ ସଂପ୍ରଦାୟର ଜଣେ ଲୋକ ତାଙ୍କୁ ତାଙ୍କର ଦୋକାନକୁ ଆସିବାକୁ କହିଲା । ସେଠାରେ ସେ ତାଙ୍କୁ ପିଟିବା ସହିତ ଯୌନ ନିର୍ଯାତନା ଦେଲା । ସେହି ନିର୍ଯାତନାକୁ ମନେ ପକାଇ ଶୋଭା ଆହୁରି କହିଲେ, “ଏହା ମରିବାଠାରୁ ଆହୁରି କଷ୍ଟକର । ମୋର ସ୍ୱାମୀ ତାଙ୍କୁ ମାରିବାକୁ ଚାହୁଁଥିଲେ, କିନ୍ତୁ ମୁଁ ନ୍ୟାୟ ଚାହୁଁଥିଲି । ମୋତେ ମୋର ୟୁଟେରସରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା ।’’

Family sitting on cot
PHOTO • Sweta Daga

ଶୋଭା ଓ ତାଙ୍କ ସ୍ୱାମୀ ରାମ ଗରିବ ଭାରତୀ ସମାନ ୪ ବିଘା ଜମି ପାଇଁ ବାଡ଼ି ଗାଁରେ ୨୦ ବର୍ଷ ହେଲା ସଂଘର୍ଷ କରୁଛନ୍ତି

ଘଟଣାପରେ ଶୋଭା ତୁରନ୍ତ ସେଠାରୁ ୨ କିମି ଦୂର ଚୋପାନ ପୁଲିସ ଷ୍ଟେସନକୁ ଗଲେ । କିନ୍ତୁ ପୁଲିସ ମାମଲା ରୁଜୁ କଲାନାହିଁ । ପୁଲିସରେ ଏକ ରିପୋର୍ଟ ଦାଏର କରିବା ଲାଗି ତାଙ୍କୁ ପ୍ରାୟ ୨ ବର୍ଷ ସମୟ ଲାଗିଗଲା । “ମୁଁ ସମସ୍ତଙ୍କ ଦ୍ୱାରସ୍ଥ ହେଲି, ମୁଁ ଆହ୍ଲାବାଦ, ଦିଲ୍ଲୀର ବିଭିନ୍ନ ମନ୍ତ୍ରୀମାନଙ୍କ ପାଖକୁ ଗଲି । ଶେଷରେ ଜଣେ ଓକିଲ ବିନୋଦ ପାଠକଙ୍କୁ ଭେଟିଲି, ଯିଏକି ମୋର ମାମଲା ଲଢିଲେ ଏବଂ ତାଙ୍କ ମାଧ୍ୟମରେ ମୁଁ ରୋମାଦିଙ୍କୁ ଭେଟିଲି ।’’        

ପାଠକ କହିଲେ, “ଆମେ ଆଶା କରୁଛୁ ଯେ ଏବେ ମାମଲାର ଶୁଣାଣି ହେବ । ସମୟ ସମୟରେ କାଗଜପତ୍ର ଦାଖଲ କରିବାରେ ବିଳମ୍ବ ହେଲେ ବିଚାରପତିଙ୍କ ମନରେ ଏକ ସନ୍ଦେହ ସୃଷ୍ଟି ହୋଇପାରେ । କିନ୍ତୁ ଏହି ଅଭିଯୁକ୍ତ ଜେଲ୍ ଯାଇଥିଲେ (ଜାମିନ ମିଳିବା ପୂର୍ବରୁ ୨୦ ଦିନ ଧରି ଜେଲରେ ରହିଥିଲେ) । ଆମେ ତାଙ୍କୁ ଚିରଦିନ ପାଇଁ ଜେଲରେ ଦେଖିବାକୁ ଚାହୁଁଛୁ ।’’

ଶୋଭା ୨୦୧୦ରେ ସଂଘରେ ଯୋଗ ଦେଲେ ଏବଂ ଅନ୍ୟ ଭୂମିହୀନ ମହିଳାଙ୍କୁ ଭେଟିବା ଆରମ୍ଭ କଲେ, ରାସନ୍ କାର୍ଡ, ପୁଲିସର ଅତ୍ୟାଚାର ସଂପର୍କରେ କହିଲେ । ସେମାନେ ନିୟମିତ ଭାବେ ବୈଠକ କଲେ, ଏକାଠି କାମ କରିବା ସହିତ ଜମିର ମାନଚିତ୍ର ଓ କୋର୍ଟ ରେକର୍ଡକୁ ଅନୁଧ୍ୟାନ କଲେ । କିଛି ସମୟ ପରେ ସେମାନେ ବାଡ଼ିଠାରୁ ଅଦୂରରେ ଥିବା ୧୫୦ ବିଘା ଚାଷଜମି (ପ୍ରାୟ ୩୮ ଏକର) ଏବଂ ଜଙ୍ଗଲକୁ ମିଶାଇ ମୋଟ ଉପରେ ୫୦୦ ବିଘା (୧୨୪ଏକର) ଜମିକୁ ଅଧିଗ୍ରହଣ କଲେ । ସେମାନେ ତାର ନାଁ ଦୁର୍ଗା ଟୋଲା ରଖିଲେ । ଶୋଭା କହିଲେ, “ଏହାର କାରଣ ହେଲା ଆମେ ଦୁର୍ଗାମାତାଙ୍କୁ ଉପାସନା କରିଥାଉ । ସେହିପରି ସବୁ ମହିଳାଙ୍କ ଭିତରେ ଯେ ଦୁର୍ଗାମାତାଙ୍କର ଶକ୍ତି ରହିଛି ତାହା ମନେ ପକାଇବାକୁ ଏଭଳି ନାମକରଣ ହେଲା ।’’

 “ଆମକୁ ସଂଗଠିତ ହେବାକୁ ୨ ବର୍ଷ ସମୟ ଲାଗିଲା, କିନ୍ତୁ ମହିଳାମାନେ ଏକାଠି ହେଲେ । ଆମେ ଏକାଠି ରହିଲୁ । ଆମେ ଜଙ୍ଗଲ ସଫା କଲୁ, ଗଛ କିଣିଲୁ, ତାକୁ ରୋପଣ କଲୁ ଏବଂ ଧୀରେ ଧୀରେ ଘର ତିଆରି କଲୁ । ଏବେ ଆମେ ସେଠାରେ ଚାଷ କରୁଛୁ ।’’

ରୋମା କହିଲେ, “ ଦୁର୍ଗା ଟୋଲା ଏବଂ ହର-ବିରାଉଲା ଏକାକୀ କାର୍ଯ୍ୟକ୍ରମ ନଥିଲା । ପ୍ରାୟ ୨୦ ବର୍ଷ ଧରି  ଜଙ୍ଗଲ ଓ ଜମି ପ୍ରସଙ୍ଗରେ ଲୋକଙ୍କୁ ଏକତ୍ରିତ କରିବା ଲାଗି ଆମେ ସୋନଭଦ୍ରା ଜିଲ୍ଲାରେ କାମ କରିଛୁ । ଲୋକମାନେ ଜମି ଉପରେ ପୁନଃ ଅଧିକାର ଦାବି କରିବା ଆରମ୍ଭ କଲେ ଏବଂ ଏହିପରି ଭାବେ ଅଭିଯାନ ବଢିଲା । କ୍ଷେତରେ କାମ କରି ଲୋକମାନେ ଠିକ୍ ଭାବେ ଖାଇବାକୁ ପାଉନଥିଲେ । ଆମେ ଏବେ ମଧ୍ୟ ଜଙ୍ଗଲ ବିଭାଗ ଓ ପୁଲିସ ସହିତ ଲଢେଇ କରୁଛୁ ।’’

Women walking down hill
PHOTO • Sweta Daga

ଲାଲତି ଓ ତାଙ୍କ ସଂପ୍ରଦାୟର ଅନ୍ୟ ଲୋକମାନେ ଆମକୁ ସେହି ଜମିକୁ ନେଇଗଲେ ଯାହା ଉପରେ ପୁନଃ ଅଧିକାର ସାବ୍ୟସ୍ତ ପାଇଁ ସେମାନେ ଲଢେଇ କରୁଛନ୍ତି, ସେମାନଙ୍କର ସଂଘର୍ଷ ଜାରି ରହିଛି

ଫେବ୍ରୃଆରୀ ୬, ୨୦୧୫ରେ ଦୁର୍ଗାତୋଲାର ସଫଳତା ପରେ ଶୋଭାଙ୍କ ଘର ଉପରେ ଆକ୍ରମଣ କରାଗଲା । ସକାଳ ପ୍ରାୟ ୧୧ଟା ସମୟରେ କିଛି ଲୋକ ତାଙ୍କର ଘରର କବାଟକୁ ଭାଙ୍ଗିବାକୁ ଉଦ୍ୟମ କଲେ, ତା’ ପରେ ତାଙ୍କ ଘରେ ନିଆଁ ଲଗାଇ ଦିଆଗଲା । ଘର ଭିତରେ ଶୋଭା ତାଙ୍କର ତିନି ଝିଅ ଓ ଅନ୍ୟ ୧୮ ଜଣ ମହିଳା ଥିଲେ । ଯେତେବେଳେ ସେମାନେ ଘରୁ ବାହାରି ଦୌଡ଼ିଲେ ସମସ୍ତଙ୍କୁ ସେଠାରେ ଆଗରୁ ଉପସ୍ଥିତ ଥିବା ପୁଲିସ ଦ୍ୱାରା ଗିରଫ କରାଗଲା ଏବଂ ଏକ ବସ୍ ଯୋଗେ ୧୧୦ କିମି ଦୂର ମୀର୍ଜାପୁର ଜିଲ୍ଲା ଜେଲକୁ ନିଆଗଲା । ଶୋଭା କହିଲେ, “ଆମେ କୁଆଡ଼େ ଯାଉଛୁ ତାହା ଆମକୁ କୁହାଗଲା ନାହିଁ ।”

ମୀର୍ଜାପୁର ଜେଲରେ ମାତ୍ର ୩୦ ଜଣ ମହିଳାଙ୍କ ପାଇଁ ଗୋଟିଏ ବାରାକ ରହିଛି । କିନ୍ତୁ ଯେତେବେଳେ ଶୋଭା ସେଠାରେ ପହଞ୍ଚିଲେ ସେତେବେଳେ ସେଠାରେ ପ୍ରାୟ ୧୦୦ ଜଣ ମହିଳା ରହୁଥିଲେ । ୨୦୧୭ରେ ପ୍ରକାଶ ପାଇଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ରିପୋର୍ଟ ‘ଜଷ୍ଟିସ ଅଣ୍ଡର ଟ୍ରାଏଲ’ ଅନୁସାରେ ଉତ୍ତରପ୍ରଦେଶର ୬୨ଟି ଜେଲରେ ୧୬୮ ପ୍ରତିଶତ ହାରରେ ପ୍ରାୟ ୬୩ହଜାର ଅଭିଯୁକ୍ତ ରହୁଛନ୍ତି । ସମସ୍ତେ କୋର୍ଟରେ ଏକ ପ୍ରାଥମିକ ଶୁଣାଣି ପାଇଁ ଅପେକ୍ଷା କରିଛନ୍ତି ।

ଶୋଭା କହିଲେ, “ସେମାନେ ଆମର ଫୋନ୍ ନେଇଗଲେ । ସେମାନେ ଆମର ଟଙ୍କା (ଯାହା କିଛି ଆମ ପାଖରେ ଥିଲା)’’ ନେଇଗଲେ । ‘‘ଆମକୁ ବାଥରୁମ୍ କଡ଼ରେ ଶୋଇବାକୁ ପଡ଼ିଲା । ସେତେବେଳେ ଥଣ୍ଡା ଦିନ ଥିଲା, କମ୍ବଳଗୁଡ଼ିକ ଚିରି ଯାଇଥିଲା । ଆମର ଖାଇବା ଥାଳି ଗୋବରରେ ତିଆରି କରାଯାଇଥିଲା । ଦୁଇ ଦିନ ପର୍ଯ୍ୟନ୍ତ ଆମେ କିଛି କହିଲୁ ନାହିଁ, ତା’ ପରେ ବିକ୍ଷୋଭ କଲୁ । ଶୋଇବାକୁ ଭଲ ସ୍ଥାନ, କମ୍ବଳ, ଭଲ ଖାଇବା ଭଳି ଆମର ଦାବି ପୂରଣ ନ ହେବା ଯାଏ ଦୁଇ ଦିନ ଧରି ଆମେ ଉପାସ ରହିଲୁ ।’’

ଜେଲଠାରୁ ୮୦ କିମି ଦୂର ସୋନଭଦ୍ରାର ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ସଂଘ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯିବା ପରେ ମହିଳାମାନେ ଫେବ୍ରୃଆରୀ ୨୦, ୨୦୧୫ରେ ଖଲାସ ହେଲେ ।

ଶୋଭା କହିଲେ, “ଆମ ସହ ଅନ୍ୟାୟ କରାଯାଇଥିଲା । ଆମେ ଆମର ଅଧିକାର ଦାବି କରିବାକୁ ଯାଇଥିଲୁ । ଆମେ କିଛି ଚୋରି କରିନଥିଲୁ, କିଛି ଭୁଲ୍ କାମ କରିନଥିଲୁ, ତେଣୁ ଜେଲ୍ ଯିବା ଲାଗିଆମକୁ କିଛି ଖରାପ ଲାଗୁନାହିଁ ।’’

ସେମାନଙ୍କର ଲଢେଇ ଜାରି ରହିଛି । ମାର୍ଚ୍ଚ ୨୩, ୨୦୧୮ରେ ଶୋଭା , ଲାଲତି ଓ ସୋନଭଦ୍ରାର ୨୦ଟି ଗାଁର ପ୍ରାୟ ୨୫୦୦ ଲୋକ ସଂପ୍ରଦାୟ ସମ୍ବଳ ଅଧିକାର (ଏଫଆରଏ ଅଧୀନରେ) ପାଇଁ ଦାବି କରିବାକୁ ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା କଲେ। ସେମାନେ ସେମାନଙ୍କ ସହିତ ଗ୍ରାମସଭାର ପ୍ରସ୍ତାବ, ସେମାନେ ପାରମ୍ପରିକ ଭାବେ ଯେଉଁ ଜଙ୍ଗଲ, ନଦୀ ଏବଂ ପାହାଡ଼କୁ ବ୍ୟବହାର କରୁଥିଲେ ସେ ସଂପର୍କରେ ସଂପ୍ରଦାୟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମାନଚିତ୍ର ଓ ଜଙ୍ଗଲ ବିଭାଗର ‘କାର୍ଯ୍ୟକାରୀ ଯୋଜନା’ ଅଧୀନରେ ଅଧିକାରର ତାଲିକା ପରି କାଗଜପତ୍ର ନେଇ ଯାଇଥିଲେ । ଏବେ ମଧ୍ୟ ସେମାନେ ଜବାବ ପାଇଁ ଅପେକ୍ଷା କରିଛନ୍ତି ।

ନ୍ୟାସନାଲ ଫାଉଣ୍ଡେସନ୍ ଅଫ ଇଣ୍ଡିଆ ମିଡିଆ ଆୱାର୍ଡ ପ୍ରୋଗ୍ରାମ ଅଧୀନରେ ଏହି ଆଲେଖ୍ୟ ପ୍ରସ୍ତୁତ ହୋଇଛି । ଲେଖକ ୨୦୧୭ରେ ସେହି ଫେଲୋସିପ୍ ପାଇଥିଲେ ।

 ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sweta Daga

ଶ୍ୱେତା ଦାଗା ବାଙ୍ଗାଲୋରର ଜଣେ ଲେଖକ ଓ ଫଟୋଗ୍ରାଫର । ସେ, ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ ଏବଂ ସେଣ୍ଟର୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ୍‌ ସହିତ ଫେଲୋସିପ୍‌ ସମେତ ବିଭିନ୍ନ ମଲ୍‌ଟି ମିଡିଆ ପ୍ରକଳ୍ପରେ କାର୍ଯ୍ୟରତ ।

Other stories by Sweta Daga