ଏକ ଡ୍ରମ ଆଡକୁ ଇଙ୍ଗିତ କରି ସବିତା ଦାସ କହିଲେ, “ଏହା ଡ୍ରମ୍ ନୁହେଁ ।

ସେମାନଙ୍କ ସମ୍ମୁଖରେ ଥିବା ସୀମିତ ବିକଳ୍ପ ମଧ୍ୟରେ ସୀମାବଦ୍ଧ ହେବାକୁ ଖଣ୍ଡନ କରି ବିହାରର ପାଟନା ଜିଲ୍ଲାର ଧୀବ୍ରା ଗାଁର କିଛି ମହିଳା ଏକ ଅଣପାରମ୍ପରିକ ଜୀବିକାକୁ ବାଛିଛନ୍ତି । ଚାଷ ଉପଯୋଗୀ ଜମି କମିବା ଏବଂ କମ୍ ଟଙ୍କା ପାଉଥିବା କୃଷି ଶ୍ରମିକମାନଙ୍କ ପାଇଁ କାମର ଅଭାବ ହେବା ଯୋଗୁ ସେମାନେ ବାଡ଼ି ଧରିଛନ୍ତି । ୧୬ ଜଣ ମହିଳା ଏହି ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ପାରିବାରିକ ଚାପ ଏବଂ ଶେଷ ହେଉନଥିବା ସମାଲୋଚନା ଯୋଗୁ ୬ ଜଣ ସେଥିରେୁ ଓହରିଗଲେ । ବାକି ଯେଉଁ ୧୦ ଜଣ ରହିଲେ ସେମାନେ ରାଜ୍ୟର ପ୍ରଥମ ମହିଳା ଡ୍ରମରମାନଙ୍କର ଏକମାତ୍ର ବ୍ୟାଣ୍ଡ ସଂଗ୍ରାମ ମହିଳା ବ୍ୟାଣ୍ଡକୁ ୨୦୧୨ରେ ଗଠନ କଲେ । ବ୍ୟାଣ୍ଡର  ସବୁ ମହିଳା ସଦସ୍ୟଙ୍କ ସାଙ୍ଗିଆ ହେଉଛି ଦାସ ।

ଭିଡିଓ ଦେଖନ୍ତୁ: ବିହାରର ଧୀବ୍ରା ଗାଁରେ ଅଲ ୱିମେନ୍ ସଂଗ୍ରାମ ମହିଳା ବ୍ୟାଣ୍ଡର ସଦସ୍ୟମାନେ ଉତ୍ସାହର ସହ ଡ୍ରମ ବାଦନ କରୁଛନ୍ତି 

ଦୁଇଟି ସନ୍ତାନର ଜନନୀ ୩୫ ବର୍ଷୀୟା ଡୋମିନି ଦାସ ପଚାରିଲେ, “ଏହି ହାତକୁ ଦେଖନ୍ତୁ, କୃଷିକ୍ଷେତରେ କାମ କରି ଏହା ଆଉ କ୍ଷତାକ୍ତ ହୋଇନାହିଁ । ଆମ ନିକଟରେ ଟଙ୍କା ଅଛି । ଆମକୁ ସମ୍ମାନ ମିଳୁଛି । ଆମେ ଆଉ ଅଧିକ କଣ ଚାହିଁଥାନ୍ତୁ? ”

ସବିତା ଓ ଡୋମିନିଙ୍କ ଭଳି ସରଗମ ମହିଳା ବ୍ୟାଣ୍ଡର ଅନ୍ୟ ସଦସ୍ୟ ପଞ୍ଚମ, ଅନୀତା, ଲାଲତି, ମାଲତି, ସୋନା, ବିଜନ୍ତୀ, ଚିତ୍ରେଖ ଏବଂ ଛତିୟା ହେଉଛନ୍ତି ମହାଦଳିତ । ବିହାରରେ ଅନୁସୂଚିତ ଜାତିର ଗରିବ ଓ ପକ୍ଷପାତର ସବୁଠୁ ଅଧିକ ଶିକାର ହେଉଥିବା ଲୋକମାନଙ୍କ ପ୍ରତି ଏହି ଶବ୍ଦ ବ୍ୟବହାର କରାଯାଇଥାଏ । ସେମାନେ ରାଜ୍ୟର ୧୬.୫ ନିୟୁତ ଦଳିତଙ୍କର ଏକ ତୃତୀୟାଂଶ ।  ମହିଳା ବ୍ୟାଣ୍ଡର ପ୍ରତି ସଦସ୍ୟଙ୍କର ନିକଟରେ ସେମାନଙ୍କର ପୂର୍ବପୁରୁଷମାନଙ୍କ ଉପରେ ଉଚ୍ଚ ଜାତିର ଲୋକମାନେ ଉତ୍ପୀଡ଼ନ ଓ ହିଂସା ପ୍ରଦର୍ଶନ କରୁଥିବାର ବଂଶଗତ କାହାଣୀ ରହିଛି । ଚାଷ ଜମିରେ ପ୍ରଭାବଶାଳୀ ସଂପ୍ରଦାୟର ଜମିଦାରମାନଙ୍କର ଦୁର୍ବ୍ୟବହାର ଏବଂ ଘରେ ସ୍ୱାମୀମାନଙ୍କର ଦୁର୍ବବ୍ୟହାର ନେଇ ସେମାନଙ୍କ ନିକଟରେ ବ୍ୟକ୍ତିଗତ କାହାଣୀ ମଧ୍ୟ ରହିଛି । ସେମାନେ ସମସ୍ତେ ଦାନାପୁର ବ୍ଲକର ଜାମସତ୍ ପଞ୍ଚାୟତର ଧୀବ୍ରା ଗାଁର ବାସିନ୍ଦା ।

PHOTO • Puja Awasthi

ବ୍ୟାଣ୍ଡର ମୁଖ୍ୟ ସବିତା (ବାମରେ ଆଗରେ ଥିବା) କହିଲେ, “ ପ୍ରତିଥର ମୁଁ ଏହାକୁ ବଜାଇବା(ଡ୍ରମ) ସମୟରେ ଅନୁଭବ କରେ ଯେ ମୁଁ ମୋତେ ଅଟକାଇଥିବା ସବୁ କିଛି ବିରୋଧରେ ବଜାଉଛି ।’’ ଡାହାଣ: ସରଗମ ମହିଳା ବ୍ୟାଣ୍ଡର ଭିଜିଟିଂ କାର୍ଡ

୫୦ ବର୍ଷୀୟ ଚିତ୍ରେଖ ମନେପକାନ୍ତି ଯେ ତାଙ୍କର ସ୍ୱାମୀ ସୀତାରାମ ପ୍ରତିଥର ସେ ବାହାରକୁ ଯିବାକୁ ଚାହୁଁଥିବା ସମୟରେ ମନା କରୁଥିଲେ । ସେ ମୋତେ କହୁଥିଲେ-ଘର କାମ କର । ସମୟ ସମୟରେ ସେ ଜିଦ୍ରେ ଅନେକ ଦାବି ମଧ୍ୟ କରୁଥିଲେ । ଏବେ ଯେତେବେଳେ ମୋତେ ବାହାରକୁ ଯିବାକୁ ଯିବାର ରହୁଛି, ସେ ମୋତେ ସବୁବେଳେ ତରତର କରୁଛନ୍ତି, କ୍ୱଚିତ ମୋର ବିଳମ୍ବ ହୋଇଥାଏ । ପରିସ୍ଥିତି କିଭଳି ବଦଳିଗଲା’’-ସେ କହିକରି କହିଲେ ।

ଡ୍ରମବାଦନ କରିବାର ଚିନ୍ତାଧାରା ସେମାନଙ୍କର ମନକୁ ଆପେ ଆପେ ଆସିନଥିଲା । ସେମାନଙ୍କ କହିବା ଅନୁସାରେ ସେମାନେ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିଲେ, ତେଣୁ ଏକାଠି କାମ କରୁଥିଲେ ।’’ ଆର୍ଥିକ ସଶକ୍ତୀକରଣ ପାଇଁ  ପାମ୍ପଡ଼ ଓ ଆଚାର କରିବା ବଦଳରେ ଅନ୍ୟ କିଛି କରିବାକୁ ପନ୍ଥାର ସନ୍ଧାନ କରୁଥିବା ସମୟରେ ପାଟନାସ୍ଥିତ ଏକ ସଂଗଠନ ନାରୀ ଗୁଞ୍ଜନ ପକ୍ଷରୁ ସେମାନଙ୍କୁ ଏକ ବ୍ୟାଣ୍ଡ ଗଠନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସେମାନେ ଗ୍ରହଣ କଲେ । ସଂଗଠନ ପକ୍ଷରୁ ସେମାନଙ୍କ ପାଇଁ ଜଣେ ସଙ୍ଗୀତ ଶିକ୍ଷକଙ୍କ ବ୍ୟବସ୍ଥା କରାଗଲା । ଆଦିତ୍ୟ କୁମାର ଗୁଞ୍ଜନ ୨୦ କିମି ଦୂର ପାଟନାରୁ ଟ୍ରେନ୍ ଯୋଗେ ଆସି ସପ୍ତାହରେ ୭ ଦିନ ଧରି ସେମାନଙ୍କୁ ଦେଢ ବର୍ଷ ପର୍ଯ୍ୟନ୍ତ ତାଲିମ ଦେଲେ ।

PHOTO • Puja Awasthi

ବ୍ୟାଣ୍ଡର ସଦସ୍ୟମାନଙ୍କର ବୟସ ୩୦-୫୦ ବର୍ଷ ମଧ୍ୟରେ ଏବଂ ସେମାନଙ୍କ ମଧ୍ୟରେ ପଞ୍ଚମ(ବାମ) ଏବଂ ଚିତ୍ରେଖ(ଡାହାଣ ସାମିଲ)

ବ୍ୟାଣ୍ଡର ସଦସ୍ୟମାନଙ୍କର ବୟସ ୩୦-୫୦ ବର୍ଷ ମଧ୍ୟରେ ହୋଇଥିବାବେଳେ ପ୍ରାଥମିକ ମାସଗୁଡ଼ିକ ଏହି ଦଳ ପାଇଁ ଖୁବ୍ କଷ୍ଟକର ଥିଲା । ସେମାନେ ପୁରୁଷ ଲୋକଙ୍କ ଭଳି ହେବାକୁ ଉଦ୍ୟମ କରୁଛନ୍ତି ବୋଲି ଗାଁ ଲୋକମାନଙ୍କର ନିରନ୍ତର ତିରସ୍କାରପୂର୍ଣ୍ଣ ସମାଲୋଚନା ଛଡ଼ା ଡ୍ରମଷ୍ଟ୍ରାପ୍ ଯୋଗୁ ପାପୁଲି ଓ କାନ୍ଧରେ ହେଉଥିବା ଯନ୍ତ୍ରଣା ସହ ସେମାନଙ୍କୁ ସଂଘର୍ଷ କରିବାକୁ ପଡୁଥିଲା ।

ଏହି ଅଣପାରମ୍ପରିକ ଡ୍ରମବାଦନକାରୀମାନଙ୍କ ସଂପର୍କରେ ଖବର ପ୍ରସାରିତ ହେଲା । ସ୍ଥାନୀୟ କାର୍ଯ୍ୟକ୍ରମ ଓ ଉତ୍ସବରେ ଡ୍ରମବାଦନ ପାଇଁ ସେମାନଙ୍କୁ ନିମନ୍ତ୍ରଣ ମିଳିବା ଆରମ୍ଭ ହେଲା । ସେବେଠାରୁ ସେମାନେ ଆଉ ପଛକୁ ଚାହିଁନାହାନ୍ତି । ପାଟନା ଓ ଏହାର ପଡ଼ୋଶୀ ଜିଲ୍ଳାମାନଙ୍କରେ ପ୍ରଦର୍ଶନ କରିବା ବ୍ୟତୀତ ସେମାନେ ଓଡ଼ିଶା ଓ ଦିଲ୍ଲୀରେ ମଧ୍ୟ ସୋକରିଛନ୍ତି । ରାଜଧାନୀରେ ଡ୍ରମବାଦନ କରି ଫେରିବା ସମୟରେ ମହିଳାମାନେ ପ୍ରଥମ ଥର ପାଇଁ ମେଟ୍ରୋ ଚଢିବାର ଆନନ୍ଦପୂର୍ଣ୍ଣ ସ୍ମୃତି ନେଇ ଫେରିଛନ୍ତି ।

ସେମାନେ ସେମାନଙ୍କର ଟଙ୍କା ଓ କାର୍ଯ୍ୟଭାରକୁ ସ୍ୱାଧୀନ ଭାବେ ପରିଚାଳନା କରୁଛନ୍ତି । ଟଙ୍କାକୁ ସେମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଉଥିବା ବେଳେ ଯେଉଁ ସଦସ୍ୟ ସେଥିରେ ଭାଗ ନେଇନଥାନ୍ତି ତାଙ୍କୁ ଟଙ୍କା ମିଳେନାହିଁ । କାମର ଚାପ ଉପରେ ନିର୍ଭର କରି  ପ୍ରାକ୍ଟିସ୍ ସେସନ୍ (ସାଧାରଣତଃ ଗ୍ରାମବାସୀମାନଙ୍କୁ ଚିନ୍ତାରେ ନ ପକାଇବା ପାଇଁ ପଡ଼ିଆରେ କରାଯାଇଥାଏ)ବଦଳିଥାଏ । ସେମାନଙ୍କ ନିକଟରେ ଭିଜିଟିଂ କାର୍ଡ ରହିଛି ଏବଂ ସବୁ ସଦସ୍ୟମାନେ କିଭଳି ବ୍ୟବହାର କରିବେ ତାର ଏକ କୋଡ୍ ମଧ୍ୟ ରହିଛି । ସେ ଅନୁସାରେ ସବୁ ସମୟରେ ସଦସ୍ୟମାନଙ୍କୁ ପରିଚ୍ଛନ୍ନ ପୋଷାକ ପିନ୍ଧିବାକୁ ପଡ଼ିବ ଏବଂ କେବଳ ଗ୍ରୁପର ମୁଖ୍ୟ ସବିତା ବୁକିଂ କଥା ବୁଝିବେ ।

PHOTO • Puja Awasthi

ବର୍ତ୍ତମାନ ସବୁ ଜାତିର ଲୋକମାନେ ଏହି ବ୍ୟାଣ୍ଡର ସଂଗୀତ ଦକ୍ଷତା ପାଇଁ ସେମାନଙ୍କୁ ଡାକୁଛନ୍ତି, ଏପରିକି ବେଳେବେଳେ  ବ୍ୟାଣ୍ଡ ଯେଉଁ ସମୟରେ ଉପଲବ୍ଧ ହୋଇପାରିବ ସେ ଅନୁସାରେ ଉତ୍ସବର ତାରିଖ ସ୍ଥିର କରୁଛନ୍ତି

ସେମାନଙ୍କ ମଧ୍ୟରେ ଏକ ଅକୁହା ବୁଝାମଣା ମଧ୍ୟ  ହୋଇଛି ଯେ ସବୁ ମହିଳା ତାଙ୍କର ରୋଜଗାର ନିଜେ ରଖିବେ । ସେମାନେ କହିଲେ, “ସ୍ୱାମୀଙ୍କୁ ଏହା ଆମେ ଦେଉନା ।’’ ୩୨ ବର୍ଷୀୟ ଅନୀତା ପଚାରିଲେ, “ମୁଁ ମୋର ପିଲାଙ୍କ ବହି କିଣା ଓ ସ୍କୁଲ ଫି ବାବଦରେ ଟଙ୍କା ଖର୍ଚ୍ଚ କରେ, ଆମେ ଭଲ ଖାଉ । ମୁଁ ସଞ୍ଚୟ କରେ ଏବଂ ସମୟ ସମୟରେ ମୋ ନିଜ ପିଛା ଟଙ୍କା ଖର୍ଚ୍ଚ କରେ । ଏହି ସ୍ୱାଧୀନତା ହାସଲ କରିବା ପାଇଁ ଗୋଟିଏ ଜୀବନ ବିତିଯାଇଛି । ମୁଁ କଣ ପାଇଁ ଏହାକୁ ଦୂରେଇଦେବି?’’

ପୁରୁଣା ଜାତିଗତ ପରମ୍ପରା ଅନୁସାରେ ଅନୀତା ଓ ତାଙ୍କର ବ୍ୟାଣ୍ଡର ସଦସ୍ୟମାନେ କେବଳ ଉପସ୍ଥିତ ରହିଥିଲେ ଉଚ୍ଚ ଜାତିର ଲୋକଙ୍କ ବିବାହ ଓ ଉତ୍ସବ ଖରାପହୋଇଯାଇଥାନ୍ତା । କିନ୍ତୁ ଏହି ମହିଳାମାନେ ସେମାନଙ୍କ ପାଇଁ ଯେଉଁ ବିକଳ୍ପ ବିଶ୍ୱ ତିଆରି କରିଛନ୍ତି ସେ ଅନୁସାରେ ସବୁ ଜାତିର ଲୋକମାନେ ସେମାନଙ୍କର ସଙ୍ଗୀତ ଦକ୍ଷତା ପାଇଁ ସେମାନଙ୍କୁ ଡାକୁଛନ୍ତି । ଏପରକି ବେଳେବେଳେ ବ୍ୟାଣ୍ଡର ଉପଲବ୍ଧତାକୁ ଦେଖି ସେମାନଙ୍କ କାର୍ଯ୍ୟକ୍ରମର ତାରିଖ ସ୍ଥିର କରୁଛନ୍ତି । ଆଗରୁ ଯେଉଁ ହୋଟେଲକୁ ସେମାନେ ଦେଖିବା ଲାଗି ସାହସ କରିପାରୁନଥିଲେ ତାମଧ୍ୟକୁ ଯିବା ନେଇ ସେମାନେ ଗର୍ବର ସହ କହୁଛନ୍ତି ।

PHOTO • Puja Awasthi

ସେମାନଙ୍କର ବ୍ୟାଣ୍ଡ ଲୋକପ୍ରିୟତା ହାସଲ କରିବା ପରଠାରୁ ଅନୀତା(ବାମ) ଏବଂ ଛତିୟା(ଡାହାଣ) ଓ ବ୍ୟାଣ୍ଡର ଅନ୍ୟ ସଦସ୍ୟମାନଙ୍କୁ ସେମାନଙ୍କ ପାଇଁ ଅପହଞ୍ଚ ଥିବା କାର୍ଯ୍ୟକ୍ରମ ଓ ଉତ୍ସବକୁ ଡକାଯାଉଛି

ଗୋଟିଏ କାର୍ଯ୍ୟକ୍ରମ ପାଇଁ ବ୍ୟାଣ୍ଡ ପକ୍ଷରୁ ୧୦-୧୫ ଟଙ୍କା ଦାବି କରାଯାଉଛି । ବିବାହ ଋତୁରେ ସେମାନଙ୍କୁ ମାସିକ ୧୦ଟି ବୁକିଂ ପର୍ଯ୍ୟନ୍ତ ମିଳିଥାଏ । ଏହାଯୋଗୁ ସେହି ଋତୁରେ ମାସିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ସବିତା କହିଲେ, “ଟଙ୍କା ନେଇ ଆମେ ସେତେ ଅଧିକ ଶକ୍ତ ହୋଇନଥାଉ, ଆମେ ମୁଲାମୁଲି ବି କରୁ ।’’ ତେବେ ବୁକିଂ କରିଥିବା ଲୋକମାନେ ସେମାନଙ୍କୁ ଗାଁରୁ ନେବା ଆଣିବା ଏବଂ ରାତିରେ ରହିବାକୁ ହେଲେ ରହିବାର ଠିକ୍ ବ୍ୟବସ୍ଥା କରିବା ନେଇ ସେମାନେ ଖୁବ୍ ଦୃଢ ହୋଇଥାନ୍ତି ।

ପୂର୍ବରୁ ମିଳୁଥିବା ମଜୁରୀ ସହିତ ବର୍ତ୍ତମାନର ସେମାନଙ୍କର ପରିସ୍ଥିତିକୁ କିଭଳି ତୁଳନା କରିହେବ? ଏହା ହେଉଛି ଏକ ଏମିତି ରାଜ୍ୟ ଯେଉଁଠାରେ ଏମଏନ୍ଆରଇଜିଏ ଅଧୀନରେ ଦିନକୁ ୧୬୮ ଟଙ୍କା ମଜୁରୀ ମିଳିଥାଏ । ଯେତେବେଳେ  ସେମାନେ ବ୍ୟାଣ୍ଡ ଗଠନ କରିଥିଲେ ଅଣକୁଶଳୀ ଶ୍ରମିକମାନଙ୍କର ନ୍ୟୁନତମ ମଜୁରୀ ୨୦୦ଟଙ୍କାରୁ କମ୍ ଟଙ୍କା ଥିଲା । ୨୦୧୨ରେ ଏହି ମହିଳାମାନଙ୍କୁ କୃଷିଶ୍ରମିକ ଭାବେ ଦିନକୁ ୧୦୦ ଟଙ୍କାରୁ ଅଧିକ ମିଳୁନଥିଲା ।

ଯଦିଓ ଆର୍ଥିକ ସ୍ୱାଧୀନତା ଯୋଗୁ ଗାଁରେ ସେମାନଙ୍କୁ ଖୁବ୍ ସମ୍ମାନ ମିଳୁଛି (ଅନେକ ମହିଳା ସେମାନେ ମଧ୍ୟ ବ୍ୟାଣ୍ଡର ଅଂଶବିଶେଷ ହୋଇପାରିବେ କି ବୋଲି ପଚାରୁଛନ୍ତି), ଏହାଯୋଗୁ କିନ୍ତୁ ସେମାନେ ସେମାନଙ୍କର ସାମାଜିକ ଦାୟିତ୍ୱ ଭୁଲିନାହାନ୍ତି । ଅପମାନଜନକ ଗାଳି ଦେଉଥିବା ସ୍ୱାମୀଙ୍କଠାରୁ ଯୌତୁକ ଦାବି କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ରୋକୁଛନ୍ତି ଏବଂ ଧୀବ୍ରା ଓ ଆଖପାଖର ଗାଁ ଗୁଡ଼ିକ ପାଇଁ କାଉନସିଲର ତଥା ନ୍ୟାୟକର୍ତ୍ତା ପାଲଟିଛନ୍ତି । ସେମାନେ ସେମାନଙ୍କର ହସ୍ତକ୍ଷେପ ସଂପର୍କରେ କହିଲେ, କିନ୍ତୁ କାହାର ନାଁ ନେଲେ ନାହିଁ ।

PHOTO • Puja Awasthi

ବ୍ୟାଣ୍ଡର ସଦସ୍ୟ ହୋଇଥିବା ଯୋଗୁ ଲଲିତା(ଡାହାଣ) ଏବଂ ଅନ୍ୟ ମହିଳାମାନଙ୍କୁ ସ୍ୱାଧୀନତା ଓ ସମ୍ମାନ ମିଳିଛି

ବ୍ୟାଣ୍ଡର ଆଗାମୀ ଯୋଜନା ମଧ୍ୟରେ ଏକ ପିତ୍ତଳ ଡ୍ରମ ଓ କ୍ୟାସିନୋ ଇଲୋକ୍ଟ୍ରୋନିକ୍ କିବୋର୍ଡ କିଣିବା ସାମିଲ । ବର୍ତ୍ତମାନ ସେମାନଙ୍କ ବ୍ୟାଣ୍ଡରେ ୯ଟି ଡ୍ରମ୍ ଓ ଗୋଟିଏ ସେକର ରହିଛି । ଯଦିଓ ଭାଙ୍ଗଡ଼ା ବିଟ୍ ସେମାନଙ୍କର ପ୍ରିୟ , ସେମାନେ ନିଜେ ମଧ୍ୟ ମ୍ୟୁଜିକ୍ ତିଆରି କରିବା ଆରମ୍ଭ କରିଛନ୍ତି । ସେମାନେ ଏକ ୟୁନିଫର୍ମ କରିବାକୁ ଚାହୁଁଛନ୍ତି । ସେ ଅନୁସାରେ ଟ୍ରାଉଜର ଓ ଟି-ସାର୍ଟ ଏବଂ ତାସାଙ୍ଗରେ ଟୋପି ପିନ୍ଧିବା ଓ ଛୋଟ ବ୍ୟାଗ ପକାଇବାକୁ ସେମାନେ ଇଚ୍ଛୁକ ଅଛନ୍ତି । ସେମାନେ ନିଜକୁ ସାମରିକ ବ୍ୟାଣ୍ଡ’’ ସହିତ ତୁଳନା କରୁଥିବାବେଳେ ଏହାଦ୍ୱାରା ସେପରି ଲାଗିବେ ବୋଲି ଭାବୁଛନ୍ତି ।

ଅନ୍ୟମାନଙ୍କ ଭଳି ସବିତା ତାଙ୍କର ଯାତ୍ରା ସଂପର୍କରେ ପଛକୁ ଚାହିଁ ଆଶ୍ଚର୍ଯ୍ୟ ହେଲେ । ତେଣୁ ତାଙ୍କ ପାଇଁ ଡ୍ରମ୍ କେବଳ ଏକ ସଙ୍ଗୀତ ଉପକରଣ ନୁହେଁ । ସେ କହିଲେ, “ଯେତେବେଳେ ମୁଁ ଏହାକୁ ବଜାଉଛି, ମୋତେ ଲାଗୁଛି ମୁଁମୋତେ ଅଟକାଇଥିବା ସବୁକିଛି ବିରୋଧରେ ବଜାଉଛି ।’’

ବିଶ୍ୱର ଏହି ଛୋଟ କୋଣରେ ସରଗମ ମହିଳା ବ୍ୟାଣ୍ଡ-- ଥରକେ ଗୋଟିଏ ଥର ବଜାଇବା ଦ୍ୱାରା ପରିବର୍ତ୍ତନ ପ୍ରବେଶ କଲା ।

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi