ଛଅ ମାସ ସମୟ ମଧ୍ୟରେ  ସେ ତାଙ୍କ ଦୈନନ୍ଦିନ ଜୀବନର ବିଭିନ୍ନ ଫଟୋ ଉଠାଇଛନ୍ତି –ଗଛ, ଚାଷ ଜମି ଓ ଶସ୍ୟ ଅମଳ କରିବା, ପଶୁ ଓ ତାଙ୍କ ପରିବାର – କର୍ଣ୍ଣାଟକର ଚମରାଜନଗର ଜିଲ୍ଲାରେ ଅବସ୍ଥିତ ଏକ ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟ ପ୍ରାନ୍ତରେ । ଏଠାରେ ସେ ପ୍ରଥମ ଥର ପାଇଁ କ୍ୟାମେରା ବ୍ୟବହାର କରିବା ବିଷୟରେ ଜାଣିପାରିଥିଲା (ଏକ ଫୁଜିଫିଲ୍ମ, ଫାଇନ୍‌ପିକ୍ସ S୮୬୩୦) । ତାଙ୍କର ଫଟୋ ପ୍ରବନ୍ଧ ହେଉଛି ବନ୍ୟଜନ୍ତୁଙ୍କ ସହିତ ଜୀବନଯାପନ କରିବା ସମ୍ବନ୍ଧୀୟ ଏକ ବୃହତ୍‌ ସହଯୋଗମୂଳକ ଫଟୋଗ୍ରାଫି ପ୍ରକଳ୍ପ ଓ ପରୀରେ ପର୍ଯ୍ୟାୟକ୍ରମେ ପ୍ରକାଶିତ ହୋଇଥିବା ଛଅଟି ମଧ୍ୟରେ ଦ୍ୱିତୀୟ । (ଏହି କ୍ରମର ପ୍ରଥମ ପ୍ରବନ୍ଧ, ଜୟମ୍ମା ଯେତେବେଳେ ଗୋଟିଏ ଚିତା ବାଘ ଦେଖିଥିଲା, ୮ ମାର୍ଚ୍ଚ, ୨୦୧୭ ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।)

PHOTO • Nagi Shiva

“ମୁଁ ମୋ ଲୋକମାନଙ୍କ ଫଟୋ ଉଠାଇବାକୁ ଭଲ ପାଉଥିଲି। ଅନ୍ୟମାନେ ଆମେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ଆମେମାନେ ଏଠାରେ କିଭଳି ଭାବେ ବଞ୍ଚିଥାଉ” ତାହା ଜାଣିବା ଦରକାର, ବୋଲି ନେଗି ଶିବା, ୩୩, କୁହନ୍ତି । “ମୁଁ ଆହୁରି ଅଧିକ ଫଟୋ ଉଠାଇବାକୁ ଚାହେଁ, କିନ୍ତୁ ମୋ ପାଖରେ ସମୟର ଅଭାବ ଅଛି । ମୁଁ ଗାଈମାନଙ୍କ ଘର ବାହୁଡା ବେଳର ଫଟୋ ଉଠାଇବାକୁ ଚାହେଁ । ବର୍ଷା ପରେ ଏବେ ଚାରିଆଡ ସବୁଜମୟ । ମୁଁ ମେଣ୍ଢା ବା ଛେଳିଗୁଡିକ ଚରୁଥିବା ଫଟୋ ବା ପକ୍ଷୀମାନେ ହ୍ରଦରେ ପାଣି ପିଉଥିବା ବେଳର ଫଟୋ ଉଠାଇବାକୁ ଚାହେଁ ।’’

PHOTO • Nagi Shiva

ଏକାକୀ ଗଛ : “ଏହି ଗଛକୁ ଜଗଳ ଗାନ୍ତି ମାରା  (ଲଢୁଆ ଗଛ) ବୋଲି କୁହାଯାଏ । ଏହି ଗଛକୁ କେହି ମଧ୍ୟ ନିଜ ଘରେ ବା ଜମିରେ ଲଗାନ୍ତି ନାହିଁ କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଗଛ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇଥାଏ । ଦୀର୍ଘ ସମୟ ଧରି ଏହା ଏହି ନାମରେ ନାମିତ ହୋଇ ଆସୁଛି । ଆମେମାନେ ଏହାକୁ ବ୍ୟବହାର କରୁନାହୁଁ; ଆମେ କେବଳ ଏଥିରୁ ଜାଳେଣି ସଂଗ୍ରହ କରିଥାଉ। 

PHOTO • Nagi Shiva

ଜମିରେ କାମ କରୁଥିବା ବେଳେ : “ଏହା ଆମ ଗ୍ରାମ ନିକଟରେ ଅବସ୍ଥିତ, ମହିଳାମାନେ ଏଠାରେ ବିନ୍‌ସ ଅମଳ କରୁଛନ୍ତି । ଏହି ଛବିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମୁଁ ଜାଣେ । ମୁଁ ପ୍ରାୟ ପୂର୍ବାହ୍ନ ୭ଟାରେ ଏହି ଫଟୋ ଉଠାଇଥିଲି; କେବଳ ଏହି ଫଟୋ ଉଠେଇବା ପାଇଁ ମୁଁ ଘରୁ ବାହାରକୁ ଆସିଥିଲି । କେବଳ ପୁରୁଷ ନୁହେଁ ମହିଳାମାନେ ମଧ୍ୟ ଭୋର୍‌ ସମୟରୁ ଆସନ୍ତି ଓ ଜମିରେ କାମ କରନ୍ତି । ମୁଁ ମଧ୍ୟ ଜମିରେ କାମ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ଅନ୍ୟ ଚାକିରି କରୁଛି । ଆମେ ସମସ୍ତେ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଖୁବ୍‌ କଠିନ ପରିଶ୍ରମ କରୁଛୁ ।’’

PHOTO • Nagi Shiva

ଗାଭି ରୁଦ୍ରେଶ୍ୱର : “ଏହା ହେଉଛି ଆମର ଭୂ-ଦୃଶ୍ୟ, ଆମର ବଣପାହାଡ ଅଛି ଓ ଆମେ ଏଠାରେ ବାସ କରୁ । ଏହା ହେଉଛି ଗାଭି ରୁଦ୍ରେଶ୍ୱର ମନ୍ଦିର ପାହାଡ, ଏହା ବ୍ୟାଘ୍ର ଅଭୟାରଣ୍ୟର ଖାତ ପଛରେ ଅଛି । ଏହି ପାହାଡ ଭିତରେ ଏକ ମୂର୍ତ୍ତି ଅଛି ଓ ଏକ ଗୁମ୍ଫା ମଧ୍ୟ ରହିଛି ଯାହା ପାହାଡର ଶୀର୍ଷ ପର୍ଯ୍ୟନ୍ତ ଲମ୍ବିଛି । କେହି ମଧ୍ୟ ଏହା ଭିତରକୁ ଯଇପାରିବେ ନାହିଁ, କିନ୍ତୁ ସେଠାରେ ଏକ ଛୋଟିଆ ଗମନାଗମନ ପଥ ରହିଛି ଓ ସେ ଭିତରେ ଅନେକ ସାପ ଅଛନ୍ତି । ପାହାଡର ଶୀର୍ଷରେ ଏକ ଛୋଟ ମନ୍ଦିର ରହିଛି ଓ ଆମେ ପାହାଡ ପର୍ଯ୍ୟନ୍ତ ଚାଲିଚାଲି ଯାଇପାରିବା । ପାହାଡଶୀର୍ଷ ନିକଟକୁ ହାତୀ ଓ ବାଘ ଆସିଥାନ୍ତି, କିନ୍ତୁ ଆମେ ସମସ୍ତେ ସେଠାକୁ ଯାଇଛୁ । ଆମେ ସେଠାରେ ପ୍ରାର୍ଥନା ମଧ୍ୟ କରିପାରିବା । ଏହା ଲୋକ୍କରେ ନିକଟରେ ଅଛି, ଆମ ଗ୍ରାମଠାରୁ ଏହାର ଦୂରତା ପ୍ରାୟ ଏକ କିଲୋମିଟର ହେବ ।’’  

PHOTO • Nagi Shiva

ଘର ସାମନାରେ ଭାଇ ବଳଦ ସହିତ ଠିଆ ହୋଇଛନ୍ତି: “ଏହି ଘରର ମାଲିକ ହେଉଛନ୍ତି ରେଡ୍ଡୀ ବାବୁ, ଯିଏ ବାଙ୍ଗାଲୋର୍‌ରୁ ଆସିଛନ୍ତି। ଆମେ ତାଙ୍କ ପରିବାରକୁ ଜାଣିଛୁ, ତାଙ୍କ ପରିବାର ଗ୍ରାମରେ ଥିବା ବିଦ୍ୟାଳୟ ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ସେମାନେ ବିଦ୍ୟାଳୟର ପିଲାମାନଙ୍କୁ ବୃତ୍ତି ଓ ଖାତା ଯୋଗାଉଛନ୍ତି । ପୂର୍ବେ ଜଣେ କାମବାଲା ଭାବେ ମୁଁ ସେହି ଘରେ କାମ କରୁଥିଲି। ଏହି ଘର ସାମନାରେ ମୋ ଭାଇ ତାର ବଳଦମାନଙ୍କୁ ନିଜ ଘରକୁ ନେଇଥାଏ । ସେ ନିଜ ଗାଈମାନଙ୍କୁ ପଡିଆରେ ଚରେଇବାକୁ ନିଏ। ଏହି ବଳଦଗୁଡିକ ହେଉଛି ତା’ର। ବର୍ତ୍ତମାନ ବାହାରୁ ଆସୁଥିବା ଲୋକମାନେ ଏଠାରେ ଏହିପରି ଅନେକ ବଡ଼ବଡ଼ ଘର ନିର୍ମାଣ କଲେଣି ।

PHOTO • Nagi Shiva

ବଳଦ : ‘‘ଏହି ବଳଦଟି ହେଉଛି ମୋ ଭାଇର । କୃଷି କାମରେ ଗାଈମାନେ କୃଷକମାନଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ସେମାନେ ଜମିରେ କଠିନ ପରିଶ୍ରମ ମଧ୍ୟ କରିପାରନ୍ତି, ବୋଧେ ସେଥିପାଇଁ ଆମେ ସେମାନଙ୍କୁ ପୂଜା କରିଥାଉ । ଆମେ ଏହି ବଳଦର ନାମ ବାସବା ରଖିଛୁ ।’’ 

PHOTO • Nagi Shiva

ମହିଳାମାନେ ଖାଦ୍ୟ ପଦାର୍ଥ ଧରି ଯାଉଛନ୍ତି: ‘‘ଇଏ ହେଉଛି ମୋ ଭଉଣୀ । ସେ ପ୍ରାତଃ ସମୟରେ ଜମିରେ କାର୍ଯ୍ୟରତ ନିଜ ସ୍ୱାମୀ ପାଇଁ ଖାଇବା ନେଇ ଯାଉଛି ।’’

PHOTO • Nagi Shiva

ଜଙ୍ଗଲ ନିଆଁ : “କିଏ ଏ ଜଙ୍ଗଲରେ ନିଆଁ ଲଗେଇଲା, ତାହା ମୁଁ ଜାଣେ ନାହିଁ । ତେବେ ଜଙ୍ଗଲକୁ ଯାଇଥିବା କେହି ଜଣେ ବ୍ୟକ୍ତି ଏଥିରେ ଅଗ୍ନି ସଂଯୋଗ କରିଥାଇପାରେ । କୌଣସି ଏକ ବ୍ୟକ୍ତି, ବିଡିରେ ଅଗ୍ନି ସଂଯୋଗ କରିବା ପରେ ଦିଆସିଲି କାଠିରେ ଲାଗିଥିବା ନିଆଁ ଲିଭେଇବାକୁ ଭୁଲି ଯାଇଛି ନିଶ୍ଚୟ । କିମ୍ବା ଏହା ପ୍ରାକୃତିକ ଉପାୟରେ ଲାଗିଥାଇ ପାରେ, ଏହା ମଧ୍ୟ ସମ୍ଭବ । ନିଜ ଗାଈଗୋରୁଙ୍କୁ ଚରେଇବା ପାଇଁ ଆସିଥିବା କେହି ବ୍ୟକ୍ତି ବା ଜଙ୍ଗଲକୁ ଯାଇଥିବା କୌଣସି ବ୍ୟକ୍ତି ଏପରି କରିଥାଇପାରେ । ଏହା ଲୋକ୍କରେ ନିକଟରେ ଅଛି, ବନବିଭାଗର କର୍ମଚାରୀମାନେ ଏହାକୁ ଲିଭେଇବା ପାଇଁ ଚେଷ୍ଟା କରୁଛନ୍ତି । ସେମାନେ ପ୍ରାୟ ରାତି ୧୧ଟା ପର୍ଯ୍ୟନ୍ତ ନିଆଁ ଲିଭେଇବା କାର୍ଯ୍ୟ କରୁଥିଲେ ।’’

PHOTO • Nagi Shiva

ମୟୁର : “ଆମ ଜଙ୍ଗଲରେ ବହୁ ସଂଖ୍ୟକ ସୁନ୍ଦର ପକ୍ଷୀ ଓ ପଶୁ ଅଛନ୍ତି, ଯେପରି ଏହି ସୁନ୍ଦର ମୟୁର । ମୁଁ ଯେଉଁ ସ୍ଥାନରେ କାମ କରେ ସେ ନିକଟରେ ଏହି ଫଟୋ ଉଠାଇଛି । ସେଠାରେ ଏକ ପାହାଡ ଅଛି ଓ ଏହା ଏକ ଶିଳା ଉପରେ ଅଛି । ଏହା ସ୍ଥିର ଓ ସୁସଜ୍ଜିତ ହୋଇ ଠିଆ ହୋଇଛି ।’’

PHOTO • Nagi Shiva

ଲଙ୍ଗଳ ଦ୍ୱାରା ଭୂମି କର୍ଷଣ କରିବା: “ଆମେମାନେ ଜମିରେ କାମ କରୁ । ଲଙ୍ଗଳ ଦ୍ୱାରା ଭୂମି କର୍ଷଣ କରୁ। ବିହନ ବୁଣୁ ଓ ଅମଳ କରୁ । ଆମେ ଜଙ୍ଗଲ ପାର୍ଶ୍ୱରେ ରହୁ, ତଥାପି ଆମେ କୃଷି କାମ କରୁ । ଆମେ ରାଗି, ଜୱାର ଓ ପିଆଜ ଆଦି ଚାଷ କରୁ । ଏଠାରେ ପାଣିର ଅଭାବ ରହିଛି ଓ ଅଧିକାଂଶ ଲୋକ ନିଜ ଫସଲକୁ ପାଣି ଯୋଗେଇବା ପାଇଁ ବର୍ଷା ଉପରେ ନିର୍ଭର କରିଥାନ୍ତି ।

PHOTO • Nagi Shiva

ମେଣ୍ଡା ଚରେଇବା : “ଆମେ ପଶୁଧନ ଉପରେ ନିର୍ଭରଶୀଳ, ସେମାନେ ହେଉଛନ୍ତି ଆମ ଜୀବିକା ନିର୍ବାହର ମାଧ୍ୟମ । ଆମେ ସେମାନଙ୍କୁ ଚରେଇବା ପାଇଁ ଜଙ୍ଗଲକୁ ନେଇଥାଉ । ଲୋକମାନେ ଛେଳି ଓ ମେଣ୍ଢା ପାଳନ୍ତୁ । ସେମାନଙ୍କଠାରୁ ଆମେ ଉଲ୍‌ ପାଇଥାଉ । ବେଳେବେଳେ କିଛି ଅର୍ଥ ପାଇବା ପାଇଁ ଆମେ ଗୋଟିଏ ବା ଦୁଇଟି ଛେଳି ବା ମେଣ୍ଢା ବିକ୍ରି କରିଦେଉ । ମୋ ଗ୍ରାମରେ ଅନେକ ଲୋକ କିଛି ଅର୍ଥ ଉପାର୍ଜନ କରିବା ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି । ସମସ୍ତଙ୍କ ପାଖରେ ପ୍ରାୟ ୫୦ଟି ଛେଳି ଓ ମେଣ୍ଢା ଅଛି । ଆମ ପାଖରେ ୨୫ଟି ଛେଳି ଅଛି, କିନ୍ତୁ ଆମ ପାଖରେ ମେଣ୍ଢା ନାହିଁ । ସେମାନଙ୍କୁ ଚରେଇବାକୁ ନେବା ପାଇଁ ଆମ ପାଖରେ କେହି ମେଷପାଳକ ମଧ୍ୟ ନାହାନ୍ତି, ବୃଦ୍ଧାବସ୍ଥା ଯୋଗୁଁ ମୋ ମା ମଧ୍ୟ ଏବେ ଆଉ ବାହାରକୁ ଯାଇପାରୁନାହିଁ ।  ମେଣ୍ଢାମାନଙ୍କୁ ଆମେ ବାହାରେ ଏକଲା ଛାଡିପାରିବୁ ନାହିଁ, ସେମାନଙ୍କ ସହିତ ଆମକୁ ରହିବାକୁ ହେବ, ନଚେତ୍‌ ସେମାନେ ଆଉ ଫେରିବେ ନାହିଁ, ସେମାନଙ୍କୁ କେହି ବନ୍ୟଜନ୍ତୁ ଖାଇଦେବାର ସମ୍ଭାବନା ମଧ୍ୟ ରହିଛି । ଛେଳିଗୁଡିକ ହଜିଗଲେ ମଧ୍ୟ ଫେରି ଆସିବେ । ଏହି ଫଟୋରେ ମୋର ପୁତୁରା ସେମାନଙ୍କୁ ଚରାଉଛି । ଏହି ମେଣ୍ଢାଗୁଡିକ ହେଉଛି ମୋ ଭଉଣୀର ଓ ଛେଳିଗୁଡିକ ମୋର ।’’

PHOTO • Nagi Shiva

ଲାଣ୍ଟନା ବା ଡାହାଣୀ ମାରୀ ବୁଣିବା : “ ଏ ହେଉଛି ମୋର ଶଳା । ସେ ଡାହାଣୀ ମାରୀ (ଲାଣ୍ଟନା) ସହିତ କାମ କରୁଛି । [ଲାଣ୍ଟନା କାମରା ହେଉଛି ଏକ ଫୁଲ ଫୁଟୁଥିବା ଗୁଳ୍ମ ଲତା, ଯାହା ଏହି ଭୂଭାଗର ଏକ ବିରାଟ ଅଞ୍ଚଳରେ ମାଡିଛି, ବିଶେଷକରି ଜାତୀୟ ଉଦ୍ୟାନ ଭିତରେ ।] ତାର ନାମ ହେଉଛି ବାସବା ଓ ସେ ଜଣେ ଶାରିରୀକ ଅକ୍ଷମ ବ୍ୟକ୍ତି । ଆମର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛି, ଯେଉଁଥିରେ ନଅ ଜଣ ମହିଳା ଓ ଏକମାତ୍ର ପୁରୁଷ ସଦସ୍ୟ ଅଛନ୍ତି । ବାସବା ହେଉଛି ସେହି ଏକମାତ୍ର ପୁରୁଷ । ଆମେ ଏହି ଗୋଷ୍ଠୀର ନାମ ଲାଣ୍ଟନା ସଂଘ ଦେଇଛୁ । ଆମେ ଏହି ଡାହାଣୀ ମାରୀରୁ ଆସବାବପତ୍ର ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷିତ ହୋଇଛୁ । ମୁଁ ଏହି କାମକରି ଦିନକୁ ୧୫୦ଟଙ୍କା ପାଉଥିଲି । ଆମେ ଏହି କାମରେ ଯେତେ ପରିଶ୍ରମ କରୁଥିଲୁ, ସେହି ଅନୁପାତରେ ଲାଭ ମିଳୁନଥିଲା । ଏଣୁ ମୁଁ ଏହା କରିବା ଛାଡିଦେଲି ଓ ଅନ୍ୟମାନଙ୍କ ଘରେ କାମ କରିବାକୁ ଆରମ୍ଭ କଲି ।

PHOTO • Nagi Shiva

ପ୍ରଶିକ୍ଷଣ : ‘‘ଏ ହେଉଛି ମୋର ଭଉଣୀ ଯିଏ ଗୁଡ୍ଡେକେରେ ଗ୍ରାମର ଜେନୁ କୁରୁବା ଆଦିବାସୀ ଝିଅମାନଙ୍କୁ ଡାହାଣୀ ମାରୀ (ଲାଣ୍ଟନାର) ପ୍ରକ୍ରିୟାକରଣ ବିଷୟରେ ଶିକ୍ଷା ପ୍ରଦାନ କରୁଛି । ପୁରୁଷମାନେ ଜଙ୍ଗଲରୁ ଲାଣ୍ଟନା ସଂଗ୍ରହ କରନ୍ତି ଓ ମହିଳାମାନେ ଏହାର ପ୍ରକ୍ରିୟାକରଣ କରନ୍ତି ।’’

ଏହି କାମ ମରିଅମ୍ମା ଚାରିଟେବୁଲ୍‌ ଟ୍ରଷ୍ଟ, ମଙ୍ଗଳା ଗ୍ରାମ,କର୍ଣ୍ଣାଟକ ସମନ୍ୱୟରେ ଜାର୍‌ ମାର୍ଗ୍ୟୁଲିସ୍‌ଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନା କରାଯାଇଛି । ବାଲ୍‌ତିମୋର୍‌ ଦେଶର ମାରୀଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ୨୦୧୫ - ୨୦୧୬ ଫୁଲ୍‌ବ୍ରାଇଟ୍‌ ନେହରୁ ଛାତ୍ର ରିସର୍ଚ୍ଚ ଗ୍ରାଣ୍ଟ, ଏକ ଗ୍ରାଜୁଏଟ ଛାତ୍ର ସଂଗଠନ ଗବେଷଣା ଗ୍ରାଣ୍ଟର ସହାୟତାରେ, ମରିଅମ୍ମା ଚାରିଟେବଲ୍‌ ଟ୍ରଷ୍ଟର ଆନ୍ତରିକ ସହଯୋଗରେ  ସମ୍ଭବ ହୋଇପାରିଛି ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫଟୋଗ୍ରାଫର୍‌ଙ୍କ ନିଜସ୍ୱ ଆଗ୍ରହ ଓ ଉଦ୍ୟମ । ବିଷୟକୁ ଅନୁବାଦ କରିବାରେ ବି.ଆର୍‌.ରାଜୀବଙ୍କ ସାହାଯ୍ୟ ମଧ୍ୟ ଅମୂଲ୍ୟ ଅଟେ । ଏହି ଫଟୋର ସମସ୍ତ କପିରାଇଟ୍‌ ପରୀର କ୍ରିଏଟିଭ୍‌ କମନ୍‌ ପଲିସି ଅନୁଯାୟୀ କେବଳ ଫଟୋଗ୍ରାଫର୍‌ଙ୍କ ପାଖରେ ରହିଛି । ସେଗୁଡିକର ପୁନର୍ବ୍ୟବହାର ବା ପୁନରୁତ୍ପାଦନ ପରୀର ନିର୍ଦ୍ଦେଶ କ୍ରମେ ହେବା ଉଚିତ ।

ସମ୍ପର୍କିତ କାହାଣୀଗୁଡିକ:

ଜୟମ୍ମା ଯେତେବେଳେ ଗୋଟିଏ ଚିତା ଦେଖିଲା

ବାନ୍ଦିପୁରରେ ଯେଉଁ ଘରେ ଅମଳ କାମ ହୁଏ

ବାନ୍ଦିପୁରର ରାଜକୁମାରଙ୍କ ସହିତ ଅପ୍ରତ୍ୟାଶିତ ଭାବେ ସମ୍ମୁଖୀନ ହେବା 

‘ଏହା ସେହି ସ୍ଥାନ ଯେଉଁଠାରେ ଚିତାବାଘ ଓ ବାଘମାନେ ଆକ୍ରମଣ କରନ୍ତି’

ମୁଁ ଏହି ଫଟୋଟି ଉଠେଇବା ପରେ ଏହି ବାଛୁରୀ ହଜିଯାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Nagi Shiva

ନାଗି ଶିବା, ବାନ୍ଦିପୁର ଜାତୀୟ ଉଦ୍ୟାନ, ଭାରତର ଏକ ପ୍ରମୁଖ ବ୍ୟାଘ୍ର ଅଭୟାରଣ୍ୟର ପ୍ରାନ୍ତରେ ଥିବା ଲୋକ୍କରେ ଗ୍ରାମରେ ବାସ କରନ୍ତି । ସେ ଘରଗୁଡିକରେ କାମ କରି ଜୀବିକା ଅର୍ଜନ କରନ୍ତି ।

Other stories by Nagi Shiva