ସୂର୍ଯ୍ୟ ଅସ୍ତ ହୋଇଯାଇଥିଲେ । ଖୁବ୍‌ଶୀଘ୍ର ଅନ୍ଧକାର ବ୍ୟାପିବା ଆରମ୍ଭ କରିଥିଲା । ମୁଣ୍ଡରେ ଜାଳେଣିକାଠ, ବାସନ, ଇଟା, ଚାଉଳ, ଶୁଖୁଆ ଏବଂ ହାତରେ କିଛି ମସଲା ଧରି ବହୁ ସଂଖ୍ୟାରେ ଆଦିବାସୀ ଉତ୍ତର-ପୂର୍ବ ମୁମ୍ବାଇର ମୁଲୁନ୍ଦର ଅକ୍ଟ୍ରୋଇ ପୋଷ୍ଟ ଅଭିମୁଖେ ଯାତ୍ରା କଲେ । ଆୟୋଜକମାନଙ୍କ ଅନୁସାରେ ସେମାନଙ୍କର ସଂଖ୍ୟା ପ୍ରାୟ ୫୦ ହଜାର ହେବ । ଅବ୍ୟବହୃତ ହୋଇପଡ଼ିଥିବା ଏହି ପରିସରରେ ବିକ୍ଷୋଭକାରୀମାନେ ସେମାନଙ୍କର ଆସ୍ଥାନ ଜମାଇଲେ ।

ନିଜ ମୁଣ୍ଡ ଉପରେ ଜାଳେଣୀର ବୋଝକୁ ସଜାଡୁ ସଜାଡୁ ମନୁବାଇ ଗାୱରି କହିଲେ, “ଆମେ ଏଠାରେ ରହିବୁ । ଆମର ଆବଶ୍ୟକୀୟ ସବୁ ଜିନିଷ ଆମେ ନେଇ ଆସିଛୁ । ଜାଳେଣି ପାଇଁ କାଠ, ରୋଷେଇ କରିବା ଲାଗି ବାସନ, ଚାଉଳ-ସବୁକିଛିକୁ ଆମେ ଆଣିଛୁ । ଆମର ଦାବି ପୂରଣ ନ ହେବା ଯାଏ ଆମେ ଯିବୁନାହିଁ ।’’ ୬୦ ବର୍ଷୀୟ ମନୁବାଇ ୱର୍ଲି ସଂପ୍ରଦାୟର ହୋଇଥିବା ବେଳେ ଭିୱାଣ୍ଡି ତାଲୁକାର ଦିଘାସୀ ଗାଁରେ ସେ ରହନ୍ତି । ନିଜ ଗାଁର ଅନ୍ୟ ୭୦-୮୦ ଜଣଙ୍କ ସହିତ ସେ ମୋର୍ଚ୍ଚା ପାଇଁ ଆସିଛନ୍ତି ।

ଅକ୍ଟୋବର ୩୦ ତାରିଖ ଗୁରୁବାର ସକାଳ ୧୧ଟା ସମୟରୁ ୱର୍ଲି, କାଟକରି, ମହାଦେବ କୋଲି, ମା ଠାକୁର ଏବଂ ଅନ୍ୟ ସଂପ୍ରଦାୟର ଆସିବାସୀମାନେ ନାସିକ, ପାଲଘର, ରାଇଗଡ଼, ଥାନେ ଏବଂ ମୁମ୍ବାଇ ଜିଲ୍ଲାରୁ ଥାନେ ସହରକୁ ପ୍ରବେଶ କଲେ । ସେମାନେ ଭଡ଼ାଅଟୋ, ବସ୍, ଟ୍ରେନ୍ ଯୋଗେ ଦଳ ଦଳ ହୋଇ ଆସିଥିଲେ । ମଧ୍ୟାହ୍ନ ବେଳକୁ ପୁରୁଷ ଓ ମହିଳାଙ୍କର ବିଶାଳ ଦଳ ୨ କିମି ଦୂର ସାକେତ ନାକାରୁ ଥାନେ ସହରରେ ଥିବା ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା କଲେ । ସେମାନଙ୍କ ସହିତ କୃଷିଶ୍ରମିକ, ପୋର୍ଟର, ସଫେଇ କର୍ମୀ ଏବଂ ନିର୍ମାଣ ଶ୍ରମିକମାନେ ଥିଲେ ।

people marching toward collector's  office
PHOTO • Mamata Pared
Manubai Gawari with firewood on her head
PHOTO • Mamata Pared

ବାମ: ଥାନେରେ ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା । ଡାହାଣ: ୱର୍ଲି ଆଦିବାସୀ ସଂପ୍ରଦାୟର ମନୁବାଇ ଗୱାରି ଦିଘାସୀ ଗାଁରୁ ଆସିଛନ୍ତି 

ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ରାଲିରେ ବ୍ୟାକୁଳ ହୋଇ ନଳିନୀ ବୁଜଡ଼ କହିଲେ, “ଆମର ଆଦିବାସୀ ପରିବାରମାନେ ବହୁ ପିଢି ଧରି ଜଙ୍ଗଲ, ମୁମ୍ବାଇ ସହର ଓ ଆଖପାଖରେ ରହିଆସୁଛନ୍ତି । ଆମ ପାଖରେ ମାଲିକାନାର କୌଣସି ପ୍ରମାଣ ନାହିଁ (ଜମି କିମ୍ବା ଘରର) । ଆମ ପାଖରେ ଜାତିଗତ ପ୍ରମାଣପତ୍ର ବି ନାହିଁ । ମୋ’ ମା ମୋତେ ଘରେ ଜନ୍ମ ଦେଇଥିଲେ, ତାହା କେଉଁଠି ପଞ୍ଜିକୃତ ହୋଇନାହିଁ । ମୋତେ ଏବେ ୫୨ ବର୍ଷ । ମୋର ପିଲାମାନେ ପାଠପଢିବା ପାଇଁ ଏକ ଜାତିଗତ ପ୍ରମାଣପତ୍ର ଆବଶ୍ୟକ କରୁଛନ୍ତି । ଅର୍ଥାତ୍ ୫୦ ବର୍ଷର ଜୀବନର ପ୍ରମାଣପତ୍ର ସେମାନଙ୍କୁ ଦରକାର । ମୁଁ କେଉଁଠୁ ତାହା ଆଣିବି? ସେ ୱର୍ଲି ସଂପ୍ରଦାୟର ହୋଇଥିବା ବେଳେ ଏଠାକୁ ଆମ୍ବୋଲିରୁ ଆସିଛନ୍ତି । ଆମ୍ବୋଲି ମୁମ୍ବାଇର ଉତ୍ତର-ପଶ୍ଚିମ ସହରତଳି ଅନ୍ଧେରୀରେ ରହିଛି ।

ସେ ଆହୁରି କହିଲେ, “ମହାନନ୍ଦ ଡାଏରୀର ଚାରିପଟେ ଥିବା ପଡ଼ା(ଉତ୍ତର-ପୂର୍ବ ମୁମ୍ବାଇର ଗୋରେଗାଓଁରେ ଥିବା ବସ୍ତି)ରେ ବିଜୁଳି ସଂଯୋଗ ବା ପାଣିର ସୁବିଧା ନାହିଁ । ଆମକୁ ଜାତିଗତ ପ୍ରମାଣପତ୍ର ଦିଅ, ଆମର ପଡ଼ାକୁ ବିକାଶର ଯୋଜନାରେ ସାମିଲ କର । ଆମକୁ ସେହି ସ୍ଥାନରେ ପୁନର୍ବାସ କର ।’’ ଶ୍ରମଜୀବୀ ସଂଗଠନର ପ୍ରତିନିଧି ନଳିନୀ ବୁଜଡ଼ ଆକଳନ କଲେ ଯେ ମୁମ୍ବାଇର ୧୦ଟି ଆଦିବାସୀ ପଡ଼ାର ପ୍ରାୟ ୨୦୦୦ ଆଦିବାସୀ ଶୋଭାଯାତ୍ରାରେ ଭାଗ ନେଇଛନ୍ତି ।

ରାଜ୍ୟରେ ଆଦିବାସୀମାନଙ୍କର ଦୀର୍ଘ ଦିନ ହେଲା ପଡ଼ିରହିଥିବା ଦାବି ଉପରେ ଆଲୋକପାତ କରିବା ଲାଗି ସେହି ଶୋଭାଯାତ୍ରାକୁ ସଂଗଠନ ପକ୍ଷରୁ  ଆୟୋଜନ କରାଯାଇଥିଲା । ସଂଗଠନର ମୁଖ୍ୟାଳୟ ମହାରାଷ୍ଟ୍ରର ଭସାଇଠାରେ ରହିଛି । ତାହା ଆଦିବାସୀମାନଙ୍କର ଅଧିକାର ପାଇଁ କାମ କରିଥାଏ । ଏହାର ବହୁତ ପୂର୍ବରୁ ଅନେକ ଥର ସମାନ ସଂପ୍ରଦାୟ ପ୍ରତିବାଦରେ ରାସ୍ତା ଉପରକୁ ଓହ୍ଲାଇଥିଲା । ପ୍ରତିଥର ସରକାର ବିକ୍ଷୋଭକାରୀମାନଙ୍କୁ ପ୍ରତିଶ୍ରୁତି ଦେଇ ସନ୍ତୁଷ୍ଟ କରି ପଠାଇ ଦିଅନ୍ତି । ତେଣୁ ଏଥରକ ଆଦିବାସୀମାନେ ଆଉ ନ ଫେରିବା ଲାଗି ଶପଥ ନେଇଛନ୍ତି ।

Bohada dance at collector office
PHOTO • Mamata Pared
A katakari woman participated in march with her child
PHOTO • Mamata Pared

ବାମ: ରାଲିରେ କଳା ପ୍ରଦର୍ଶନ ପାଇଁ ମଧ୍ୟ ସମୟ ଥିଲା ଯାହାକି ଆଦିବାସୀ ସଂସ୍କୃତିର ପରିଚୟ ଦେଉଥିଲା । ଡାହାଣ: ଜିଲ୍ଲାପାଳଙ୍କ ଅଫିସରେ ଜଣେ କାଟକରି ଆଦିବାସୀ ମହିଳା ତାଙ୍କ ପିଲାଙ୍କ ସହ

ଅପରାହ୍ନ ୫ଟା ସୁଦ୍ଧା ସମାବେଶ ମୁଲୁନ୍ଦ ଅଭିମୁଖେ ମୋଡ଼ ନେଲା । ବିକ୍ଷୋଭକାରୀମାନେ ସାକେତ ନାକାରୁ ୫ କିମି ଦୂର ମୁଲୁନ୍ଦର ଜାକତ ନାକା (ପୁରୁଣା ଅକ୍ଟ୍ରୋଇ ପୋଷ୍ଟ)ଆଡକୁ ଯାତ୍ରା କଲେ । ସେତେବେଳକୁ ସନ୍ଧ୍ୟା ହୋଇଆସିଥିଲା । ସେଠାରେ କୌଣସି ବିଜୁଳି ବ୍ୟବସ୍ଥା ନଥିଲା । “ଯଦି ତୁମେ ଏଠାରେ ବିଜୁଳିର ବ୍ୟବସ୍ଥା କରିବ ନାହିଁ, ତା’ହେଲେ ଆମେ ରାଜପଥରେ ବିଜୁଳି ଆଲୋକରେ ଯାଇ ରହିବୁ ।’’ ଲୋକମାନଙ୍କର ଏହି ଦାବି ଯୋଗୁ ସେଠାକାର ପୁଲିସ କିଛି ପଦକ୍ଷେପ ନେବାକୁ ବାଧ୍ୟ ହେଲା । କିଛି ସମୟ ମଧ୍ୟରେ ସେଠାରେ ବିଜୁଳି ଖୁଣ୍ଟଗୁଡ଼ିକରେ ବଲବଗୁଡ଼ିକ ଜଳି ଉଠିଲା ।

ପ୍ରତି ଗାଁର ଲୋକମାନେ ଏକ ସ୍ଥାନ ବାଛିଲେ ଏବଂ ବସ୍ତି ତିଆରି କରିବା ଲାଗି ସେମାନଙ୍କର ଜାଳେଣୀ, ଇଟା, ମାଠିଆ, ବାସନ, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଜିନିଷପତ୍ରକୁ  ସେଠାକୁ ଆଣିଲେ । ସେମାନଙ୍କର ଚାରିପଟେ ଥିବା ଅନ୍ଧାର ଧୀରେ ଧୀରେ ରୋଷେଇର ନିଆଁ ଦ୍ୱାରା ଦୂରେଇଲା । ସେହି ଖୋଲା ପଡ଼ିଆରେ ଅତି କମ୍‌ରେ ୫୦୦ଟି ଚୁଲି ଜଳୁଥିଲା ।

ରାତ୍ରିଭୋଜନ ପରେ ଲୋକମାନେ ଡ୍ରମବାଦନ କଲେ ଏବଂ ସେମାନଙ୍କର ଗୀତ ଗାଇଲେ । ଅନେକ ଲୋକ ରାତି ସାରା ଚାହିଁଥିଲେ । ଅନ୍ୟମାନେ ସାରାଦିନ ଚାଲିବା ଏବଂ ଜାଳେଣି, ଇଟାର ବୋଝ ବୋହି ଥକି ପଡ଼ିଥିବାରୁ ରାତିରେ ବିଶ୍ରାମ ନେବାକୁ ମାଟି ଉପରେ ଖଣ୍ଡେ ଲେଖାଏଁ ଲୁଗା ପକାଇଲେ । ଅଧିକାଂଶ ଲୋକ ସେମାନଙ୍କ ସହିତ ଆଣିଥିବା ଜିନିଷପତ୍ରର ବଣ୍ଡଲକୁ ତକିଆ ଭାବେ ଦେଲେ ଏବଂ ଖୋଲା ଆକାଶ ତଳେ ଶୋଇ ପଡ଼ିଲେ ।

People at Jakat naka in Mulund
PHOTO • Mamata Pared
People sleeping at Jakat naka in Mulund
PHOTO • Mamata Pared

ବିକ୍ଷୋଭକାରୀମାନେ ରାତିକ ପାଇଁ ମୁଲୁନ୍ଦର ଜାକତ ନାକାରେ ଡେରା ପକାଇଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଳମ୍ବିତ ରାତିରେ ବୈଠକ କରିବାକୁ ଯାଇଥିବା ସେମାନଙ୍କର ପ୍ରତିନିଧିମାନଙ୍କୁ ସେମାନେ ଅପେକ୍ଷା କରିଥିଲେ ।

ବିକ୍ଷୋଭକାରୀମାନଙ୍କର ମୁଖ୍ୟ ଦାବି ମଧ୍ୟରେ ୨୦୦୬ର ଜଙ୍ଗଲ ଅଧିକାର ଆଇନକୁ ଲାଗୁ କରିବା ଅନ୍ୟତମ ଥିଲା । ସେହି ଆଇନ ପାରିତ ହେବାର ୧୨ ବର୍ଷ ପରେ ମଧ୍ୟ ସାରା ଭାରତର ଆଦିବାସୀ ସଂପ୍ରଦାୟର ଲୋକମାନେ ବଂଶାନୁକ୍ରମିକ ଭାବେ ଚାଷ କରି ଆସୁଥିବା ଜଙ୍ଗଲ ଜମିର ଅଧିକାର ପାଇନାହାନ୍ତି । ଆଉ ଏକ ପ୍ରମୁଖ ଦାବି ଥିଲା ବିଭିନ୍ନ ବିକାଶମୂଳକ ଯୋଜନାକ୍ରମେ ଆର୍ଥିକ ସହାୟତାକୁ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ପଲିସି (ଜାନୁଆରୀ ୨୦୧୩ରେ ଆରମ୍ଭ ହୋଇଥିବା)ମାଧ୍ୟମରେ ପହଞ୍ଚାଇବା ପୂର୍ବରୁ ପ୍ରତି ଗାଁରେ ଇଣ୍ଟରନେଟ୍ ସଂଯୋଗ କରାଯାଉ । ବିକ୍ଷୋଭକାରୀମାନେ ଆଦିବାସୀମାନଙ୍କୁ ନିଯୁକ୍ତି ପାଇଁ ମଧ୍ୟ ଦାବି କରିଥିଲେ । ମୁମ୍ବାଇରେ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କର ଆବଶ୍ୟକତାକୁ ବିକାଶମୂଳକ ଯୋଜନାରେ ସାମିଲ କରିବାକୁ ସେମାନେ ଦାବି କରିଥିଲେ । ସେହିପରି ଆଦିବାସୀମାନଙ୍କ ମଧ୍ୟରେ ବଢୁଥିବା କ୍ଷୁଧାର ସ୍ତରକୁ ଦୂର କରିବା ଲାଗି ସମାଧାନ ବାହାର କରିବାକୁ ସେମାନଙ୍କର ଦାବି ଥିଲା ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ବିକ୍ଷୋଭକାରୀମାନେ ସାରା ରାତି ସେହି ଖୋଲା ପଡ଼ିଆରେ କଟାଇଲେ । ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଟାଣ ଖରାରେ ଯାତ୍ରା କରିବାର ପ୍ରାୟ ୧୨ ଘଣ୍ଟା ପରେ ମଧ୍ୟରାତ୍ରିରେ ବିଭିନ୍ନ ଜିଲ୍ଲାର ଆଦିବାସୀ ସଂଗଠନଗୁଡ଼ିକର ୧୦ ଜଣ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଦକ୍ଷିଣ ମୁମ୍ବାଇରେ ଥିବା ତାଙ୍କର ସରକାରୀ ବାସଭବନରେ ସାକ୍ଷାତ କଲେ । ସେମାନେ ଯାହା ଦାବି କରୁଛନ୍ତି ତାହା ପୂରଣ କରାଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଗଲା । ମୁଖ୍ୟମନ୍ତ୍ରୀ ଜଙ୍ଗଲ ବିଭାଗ ସମେତ ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେବେ । ଏବଂ ଏହି ପ୍ରକ୍ରିୟାର ତଦାରଖ ତଥା ତାକୁ ତ୍ୱରିତ କରିବା ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବେ ।

ଭୋର ପ୍ରାୟ ୩ଟା ସମୟରେ ପ୍ରତିନିଧିମାନେ ଜାକତ ନାକାକୁ ଫେରିଗଲେ । ପଡ଼ିଆରେ ସେମାନଙ୍କୁ ଅପେକ୍ଷା କରିଥିବା ବିକ୍ଷୋଭକାରୀମାନେ ବୈଠକର ସଫଳତା ନେଇ ଖୁସି ପ୍ରକାଶ କଲେ । ସକାଳ ୫ଟା ବେଳକୁ ସେମାନେ ଆଶା ନେଇ ସେମାନଙ୍କର ଗାଁକୁ ଫେରିବା ଆରମ୍ଭ କଲେ ।

ମରାଠୀରୁ ସମ୍ୟୁକ୍ତା ଶାସ୍ତ୍ରୀ ଏହାକୁ ଅନୁବାଦ କରିଛନ୍ତି । ଜ୍ୟୋତି ଶିନୋଲି ଏଥିପାଇଁ ତଥ୍ୟଗତ ସହାୟତା କରିଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Mamata Pared

Mamata Pared is an intern at PARI, and a student in the Bachelor of Mass Media course at the Ramniranjan Jhunjhunwala College of Arts, Science & Commerce, Mumbai.

Other stories by Mamata Pared