କୋହ୍ଲାପୁର ଜିଲ୍ଲା ତକାୱାଡ଼େ ଗାଁର ମାରୁତି ନିର୍ମଲ ଜଣେ ଚାଷୀ ଓ ମାଳି। ସେ ଆଠ ଗୁଣ୍ଠ (୦.୨ ଏକର) ଜମିରେ ଆଖୁ ଚାଷ କରିଛନ୍ତି; ଜମି ତାଙ୍କ ବାପା ରାଜାରାମଙ୍କ ନାଁରେ ଅଛି। 

ମାରୁତିଙ୍କ ପଡ଼ୋଶୀମାନେ ବି ଆଖୁଚାଷ କରନ୍ତି, କାରଣ ସେମାନଙ୍କ ଜମି ମଝିରେ କୌଣସି ବାଡ଼ ନାହିଁ। ମାରୁତି କହନ୍ତି, ‘‘କିଛି ସମୟ ପରେ ଯେତେବେଳେ ପାଖ କ୍ଷେତର ଆଖୁ ନଇଁପ​‌ଡ଼େ, ସେତେବେଳେ ପାଖରେ
ଥିବା ଫସଲ ଉପରେ ତାର ଛାଇ ପଡ଼େ। ଯଦି ମୁଁ ସୋୟାବିନ୍ କିମ୍ବା ବାଦାମ ଚାଷ କରେ, ତେବେ ସୂର୍ଯ୍ୟକିରଣ ନପାଇ କ୍ଷେତ ମୁଣ୍ଡରେ କିଛି ଫସଲ ଉଧେଇବନି। ମୋର କେବଳ ୦.୨ ଏକର ଜାଗା ଅଛି, ତେଣୁ ଫସଲ ନଷ୍ଟକୁ ସହି ପାରିବିନି।’’

ତାଙ୍କର ଜମି ଛୋଟ ହୋଇଥିବାରୁ ଆଖୁ ଚାଷରୁ ସେ ବେଶି ଲାଭ ପାଇ ପାରୁନାହାନ୍ତି। ସେ ଚାଷ ବାବଦରେ ୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। ୨୦୧୫ରେ ମାରୁତି ୭୦,୦୦୦ ଟଙ୍କା ଖର୍ଚ୍ଚ କରି ବୋରୱେଲ ଖୋଳିଥିଲେ। ବର୍ଷା ପାଣି ଓ ବୋରୱେଲ ପାଣିକୁ ବ୍ୟବହାର କରି ସେ ୮ ଟନ୍ ଆଖୁ ଅମଳ କରି ପାରୁଛନ୍ତି; ବଜାରରେ ଟନ୍ ପିଛା ୨,୭୦୦ ଟଙ୍କାରୁ ୩,୦୦୦ ଟଙ୍କାରେ ବିକ୍ରି କରିପାରନ୍ତି। ମାରୁତି କହନ୍ତି, ‘‘ଯଦି ସବୁ ଠିକ୍ ଠାକ୍ ରହେ ମୁଁ ୧୮ ମାସ ଭିତରେ [ଆଖୁ ଫସଲରୁ] ସର୍ବାଧିକ ୧୪,୦୦୦ ହଜାର ଟଙ୍କା ଆୟ କରିପାରିବି। ’’ 

PHOTO • Sanket Jain

‘ଜଣେ ଗରିବ ଚାଷୀ ସବୁବେଳେ ଗରିବ’, ତକାୱାଡେ ଗାଁର ମାରୁତି ନିର୍ମଲ କହନ୍ତି, ‘କେବଳ ମୋ ରୋଜଗାରକୁ ଦେଖନ୍ତୁ’ 

ତେଣୁ, ୨୦ ବର୍ଷ ହେବ, ମାରୁତି ଚାଷ ସାଙ୍ଗକୁ ମାଳି କାମ ବି କରୁଛନ୍ତି; ଏଥିରୁ ସେ ମାସିକ ୬,୦୦୦ ଟଙ୍କା ରୋଜଗାର କରନ୍ତି। ତାକାୱାଡ଼େଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଇକଲକରଞ୍ଜି ସହରରେ ୪ ଜଣଙ୍କ ଘରେ ସେ ମାଳି କାମ କରନ୍ତି।

ବହୁ କଷ୍ଟ କରି ଏହି ମାମୁଲି ଆୟ ସ୍ତରରେ ପହଞ୍ଚିଛନ୍ତି ମାରୁତି। ଶିବନାକ୍ୱାଡ଼ି ଗାଁରେ ଏକ ସୂତା କଳରେ ସେ ୮ ବର୍ଷ ଶ୍ରମିକ ଭାବେ କାମ କରିଥିଲେ। ୧୯୮୪ ମସିହାରେ ସେ ଦିନକୁ ୫ ଟଙ୍କା ମଜୁରୀ ପାଉଥିଲେ। ତା’ ପରେ କିଛି ବର୍ଷ ପାଇଁ ସେ କୃଷି ଶ୍ରମିକ ଭାବେ କାମ କରିଥିଲେ। ୧୯୯୭ ରୁ ୨୦୦୧ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ର ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡରେ ମାଳି ଭାବେ କାମ କରିଛନ୍ତି। ସେତେବେଳେ ତାଙ୍କର ଦୈନିକ ମଜୁରୀ ଥିଲା ୨୦ ଟଙ୍କା। ‘‘ମଜୁରୀ ବହୁତ କମ ଥିଲା, ତେଣୁ ମୁଁ ନିଷ୍ପତ୍ତି କଲି ଆବାସିକ ଅଞ୍ଚଳରେ ମାଳି କାମ କରିବି। ଏଥିରୁ ମୁଁ ଦିନକୁ ୧୫୦ ଟଙ୍କା ପାଇଲି। ଏତିକି ଅର୍ଥକୁ ନେଇ ମୁଁ ବେଶ୍ ଖୁସି ହେଲି। ଏବେ ମୁଁ ଦିନକୁ ୩୦୦ ଟଙ୍କା ରୋଜଗାର କରୁଛି। ହେଲେ ବର୍ତ୍ତମାନ ସମୟ ପାଇଁ ଏହି ଟଙ୍କା ଯଥେଷ୍ଟ ନୁହେଁ।’’ 

୨୦୧୨ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ମାରୁତି ୧.୮ ଲକ୍ଷ ଟଙ୍କାର ଶିକ୍ଷା ଋଣ ନେଇଥିଲେ। ସେ କହନ୍ତି, ‘‘ହାତରେ କିଛି ନଥାଇ ମୁଁ ପୁଅ ଝିଅଙ୍କୁ ପାଠ ପଢାଇଛି।’’ ତାଙ୍କ ଝିଅ କମର୍ସରେ ଅଣ୍ଡର ଗ୍ରାଜୁଏଟ୍ ଡିଗ୍ରୀ କରିବା ପରେ ବାହା ହୋଇ ଯାଇଛନ୍ତି। ମାରୁତିଙ୍କ ପୁଅ କୋହ୍ଲାପୁର ଜିଲ୍ଲାରେ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି। ଏବେ ସେ କର୍ଣ୍ଣାଟକ ବେଲଗାମ୍‌ରେ ଏକ କମ୍ପାନୀରେ କାମ କରୁଛନ୍ତି। ମାରୁତିଙ୍କ ସ୍ତ୍ରୀ ଶୋଭା ଜଣେ ଗୃହିଣୀ। ମାରୁତି କହନ୍ତି, ‘‘ଋଣର ସୁଧ ଏବେ ମୋ ପାଇଁ ଆଉ ଏକ ବଡ଼ ପ୍ରସଙ୍ଗ।’’ ଏହି ପରିବାର ୩୨,୦୦୦ ହଜାର ଟଙ୍କା ପରିଶୋଧ କରିସାରିଛି। 

ବହୁ ଚାଷୀଙ୍କୁ ଏକାଧିକ କାମ କରିବାକୁ ପଡ଼େ, ଆଉ ଏହା ଭିତରୁ ଗୋଟିଏ ବିକଳ୍ପ ହେଉଛି କୃଷି ଶ୍ରମିକ କାର୍ଯ୍ୟ। ମାରୁତି ମାଳି କାମ କରିବାକୁ ପସନ୍ଦ କରିବାର କାରଣ, ତାଙ୍କୁ ଏଇଟା ଭଲ ଲାଗେ ବୋଲି ସେ କହନ୍ତି। ସେ କହନ୍ତି, ‘‘ଜଣେ ଗରିବ ଚାଷୀ ସବୁବେଳେ ଗରିବ ହୋଇ ରହେ। କେବଳ ମୋ ରୋଜଗାରକୁ ଦେଖନ୍ତୁ। କିନ୍ତୁ କଷ୍ଟକର ସମୟ ଭିତରେ ମଧ୍ୟ ଜଣେ ସର୍ବୋତ୍ତମ ଦେବାରେ ବିଫଳ ହେବା ଉଚିତ ନୁହେଁ।’’ 

ଫଟୋ: ସଂକେତ ଜୈନ

ଏହାର ଏକ ସଂସ୍କରଣ ପ୍ରଥମେ www.bastiyonkapaigam.in ରେ ପ୍ରକାଶ ପାଇଥିଲା 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sanket Jain

ସଂକେତ ଜୈନ ମହାରାଷ୍ଟ୍ର କୋହ୍ଲାପୁରର ଜଣେ ସାମ୍ବାଦିକ ଏବଂ ୨୦୧୯ର PARI ଫେଲୋ ।

Other stories by Sanket Jain