ତାଙ୍କ ଘର ବାହାରେ ଏକ ଖଟ ଉପରେ ବସି ୪୦ ବର୍ଷୀୟା ମାଲନ ତାଙ୍କ ମାଆଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ । ସେ ତାଙ୍କର ପ୍ରିୟ ଫୁଲ ପଡ଼ିଥିବା ବ୍ଲାଉଜ୍‌ ଓ ଗୋଇଠି ଯାଏଁ ଲମ୍ବିଥିବା ସ୍କର୍ଟ ପିନ୍ଧିଥିଲେ । ସେ ମୋ ଆଡ଼କୁ ଚାହାଁନ୍ତି ଏବଂ ତାଙ୍କ ମୁହଁ ଉଜ୍ଜ୍ଵଳ ହୋଇଉଠେ । ପୂର୍ବରୁ ଥରେ ସେଠାକୁ ଯାଇଥିବାରୁ ସେ ମୋତେ ଚିହ୍ନିପାରନ୍ତି । ଇଟା, ପଥର ଓ କାଦୁଅରେ ତିଆରି ତାଙ୍କ ପରିବାରର ଦୁଇ ବଖୁରିଆ ଘର ଦୁଆରବନ୍ଧରେ ମୁଁ ବସିଥିବା ବେଳେ ସେ ମୋତେ କହନ୍ତି, “ଆଇ ନହି ଘାରି (ମାଆ ଘରେ ନାହାନ୍ତି)” ।

ୱାଡ଼ି ଗାଁରେ ତାଙ୍କ ୬୩ ବର୍ଷୀୟା ମାଆ ରାହିବାଇ ଏବଂ ୮୩ ବର୍ଷୀୟ ବାପା ନାନାଙ୍କ ସାଙ୍ଗରେ ରହନ୍ତି ମାଲନ ମୋରେ (ସେମାନଙ୍କର ନାଁ ଏବଂ ଗାଁର ନାଁ ବଦଳାଇ ଦିଆଯାଇଛି) । ପୁନେ ଜିଲ୍ଲାର ମୁଲ୍‌ଶି ତାଲୁକାରେ ଅବସ୍ଥିତ ଏହି ଗାଁରେ ଥିବା ତାଙ୍କର ପ୍ରାୟ ତିନି ଏକର ଜମିରେ ତାଙ୍କ ପରିବାର ଧାନ, ଗହମ ଏବଂ ପରିବା ଚାଷ କରନ୍ତି ।

ମାଲନଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସେ ‘ବର୍ଡରଲାଇନ୍‌ ମେଣ୍ଟାଲ ରିଟାର୍ଡେସନ’ ବା ଏକ ପ୍ରକାର ମାନସିକ ଶିଥିଳତା ରୋଗରେ ପୀଡ଼ିତ ବୋଲି ପୁନେର ସାସନ୍‌ ଜେନେରାଲ ହାସପାତାଳରେ ଜଣାପଡ଼ିଥିଲା ।

ତା ପୂର୍ବରୁ ୧୨ ବର୍ଷ କାଳ ସେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ । ରାହିବାଇ କହନ୍ତି, “ତା’ର ସବୁ ସାଙ୍ଗ ୪ର୍ଥ ଶ୍ରେଣୀ ପାସ୍‌ କରି ଆଗେଇ ଗଲେ, କିନ୍ତୁ ସେ ଭୂଇଁରେ ଗାରେଇବାରୁ ଆଗକୁ ଯାଇପାରିଲା ନାହିଁ ।ଶେଷରେ, ତାକୁ ସ୍କୁଲ୍‌ରୁ ନେଇଯିବା ପାଇଁ ତା’ର ଶ୍ରେଣୀ ଶିକ୍ଷକ ମୋତେ କହିଲେ ।” ସେତେବେଳକୁ ମାଲନଙ୍କୁ ପ୍ରାୟ୧୫ ବର୍ଷ ହୋଇଥିଲା ।

ସେବେଠାରୁ ମାଲନ ଘରେ ମାଆଙ୍କ ସହ ଛୋଟ ମୋଟ ଘରକାମ କରି ସମୟ କାଟନ୍ତି, କିନ୍ତୁ ତାହା ବି ତାଙ୍କ ଇଚ୍ଛା ହେଲେ କରନ୍ତି। ପ୍ରାୟତଃ ସେ କଥାବାର୍ତ୍ତା କରନ୍ତି ନାହିଁ, ଏବଂ ଯେବେ କରନ୍ତି, ସାଧାରଣତଃ ରାହିବାଇଙ୍କ ସହିତ ଏବଂ ଆଉ ଅଳ୍ପ କେଇ ଜଣଙ୍କ ସହିତ କରନ୍ତି । କିନ୍ତୁ ସେ ବୁଝିପାରନ୍ତି ଏବଂ ଜଣେଇ ପାରନ୍ତି । ମୁଁ ଯେତେବେଳେ ତାଙ୍କ ସହ କଥା ହେଲି, ସେ ମୁଣ୍ଡ ହଲାଇଲେ, ହସିଲେ ଏବଂ ଥଙ୍ଗେଇ ଥଙ୍ଗେଇ କଥା କହିଥିଲେ ।

At the age of 18, Malan was diagnosed with ‘borderline mental retardation’; she spends her days doing small chores in the house along with her mother Rahibai
PHOTO • Medha Kale
At the age of 18, Malan was diagnosed with ‘borderline mental retardation’; she spends her days doing small chores in the house along with her mother Rahibai
PHOTO • Medha Kale

୧୮ ବର୍ଷ ବୟସରେ ମାଲନ ‘ବର୍ଡରଲାଇନ୍‌ ମେଣ୍ଟାଲ ରିଟାର୍ଡେସନ୍‌’ ବା ମାନସିକ ଶିଥିଳତାରେ ପୀଡ଼ିତ ବୋଲି ଜଣାପଡ଼ିଥିଲା; ଘରେ ମାଆ ରାହିବାଇଙ୍କ ସହ ଛୋଟମୋଟ ଘରକାମ କରି ସେ ତାଙ୍କ ଦିନ କାଟନ୍ତି

ମାଲନଙ୍କୁ ପ୍ରାୟ ୧୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ପ୍ରଥମ ଋତୁସ୍ରାବ ହୋଇଥିଲା । “ସେଠି ରକ୍ତ ଲାଗିଛି”, ପ୍ରଥମ ଥର ପାଇଁ ସେ ରାହିବାଇଙ୍କୁ ଏହା ହିଁ କହିଥିଲେ । କେମିତି କପଡ଼ାର ପ୍ୟାଡ୍‌ ବ୍ୟବହାର କରିବାକୁ ହେବ, ତାହା ତାଙ୍କ ମାଆ ତାଙ୍କୁ ଶିଖାଇଥିଲେ । ଋତୁସ୍ରାବ ସମୟରେ ରନ୍ଧାଘରେ ପ୍ରବେଶ ନ କରିବା ଏବଂ ଘରର ଗୋଟିଏ କୋଣରେ ରହିବା ଭଳି କଟକଣା ରହିଥିବା ପ୍ରସଙ୍ଗ ଉଲ୍ଲେଖ କରି ରାହିବାଇ କହନ୍ତି, “ହେଲେ ସେତେବେଳେ ମୋ ପୁଅର ବାହାଘର ହେଉଥିଲା ଏବଂ ଘରେ ବିବାହ ସମୟର ରୀତିନୀତି ଚାଲିଥିଲା । ତେଣୁ, ମୋ ଭଳି ସେ ମଧ୍ୟ ‘ବାହାରେ ବସିବା’ (ତା’ର ଋତୁସ୍ରାବ ସମୟରେ) ଆରମ୍ଭ କଲା’’। ଋତୁସ୍ରାବ ସମୟରେ ଯାହା କିଛି କରିବା କଥା, ସେ ସବୁ ସେ ତାଙ୍କ ମାଆଙ୍କ ନିକଟରୁ ଜାଣିଥିଲେ ଏବଂ ତେଣୁ ସେ କେବଳ ରାହିବାଇଙ୍କୁ ହିଁ ଅନୁସରଣ କରିବାରେ ଲାଗିଲେ ।

ସମୟ ବିତିବା ସହିତ, ଝିଅର ଗର୍ଭାଶୟ ବାହାର କରିଦେବା ଲାଗି ଅସ୍ତ୍ରୋପଚାର କରାଇବାକୁ ରାହିବାଇଙ୍କୁ ପରାମର୍ଶ ମିଳିଲା। “କେବେ କେବେ ପାଞ୍ଚ କି ଛଅ ମାସ ଧରି ମାଲନର ଋତୁସ୍ରାବ ହୁଏନାହିଁ ଏବଂ ମୁଁ (ଗର୍ଭଧାରଣ ଆଶଙ୍କାରେ) ଖୁବ ଚିନ୍ତିତ ହୋଇଉଠେ । ସେ ବେଶୀ କଥା କହେନି । କିଛି ହୋଇଥିଲା ବୋଲି ମୁଁ ବା କେମିତି ଜାଣିବି?” ବୁଝାଇ ଦେବାକୁ ଯାଇ ରାହିବାଇ କହନ୍ତି । “ଡାକ୍ତରୀ ପରୀକ୍ଷା ପାଇଁ ମୁଁ ତାକୁ (ୱାଡ଼ି ଗାଁରୁ ପ୍ରାୟ ୫୦ କିଲୋମିଟର ଦୂର) ପୁନେର ପରିବାର ନିୟୋଜନ (ଭାରତୀୟ ପରିବାର ନିୟୋଜନ ସଂଗଠନ) ଡାକ୍ତରଖାନାକୁ ଦୁଇ ଥର ନେଇଯାଇଥିଲି । ଦ୍ଵିତୀୟ ଥର ପାଇଁ ୨୦୧୮ରେ ଯାଇଥିଲି”। ଔଷଧ ଦୋକାନରେ ଗର୍ଭଧାରଣ ନିର୍ଣ୍ଣୟ ଉପକରଣ ସହଜରେ ମିଳିଯାଉଛି ସତ, ହେଲେ ମାଲନ ପାଇଁ ଏହା ଆଣିବା ରାହିବାଇଙ୍କ ପକ୍ଷରେ କଷ୍ଟକର ହୋଇଥାଆନ୍ତା ।

ଅସ୍ତ୍ରୋପଚାର ଜରିଆରେ ଅକ୍ଷମ ଝିଅମାନଙ୍କର ପ୍ରଜନନ ଅଙ୍ଗ ବାହାର କରିଦେବା ବା ହିଷ୍ଟେରେକ୍ଟୋମୀର ଅନ୍ୟତମ କାରଣ ହେଉଛି ମାସିକ ଋତୁସ୍ରାବକୁ କଟ୍‌କଟ୍‌ ବା ଏକ ସମସ୍ୟା ରୂପେ ବିଚାର କରୁଥିବା ସାମାଜିକ ଦୃଷ୍ଟିଭଙ୍ଗୀର ବ୍ୟାପକତା ଏବଂ ତା ସହିତ ଯୌନ ଆବେଗ ସଂପର୍କିତ ତାଲିମର ଅଭାବ ଏବଂ ଅକ୍ଷମ ଝିଅ ଓ ମହିଳାମାନଙ୍କ ସହାୟତା ପାଇଁ ଅନୁଷ୍ଠାନର ଅଭାବ ।

ପ୍ରଥମ ଥର ପାଇଁ ୧୯୯୪ରେ ଏହା ସେତେବେଳେ ଖବରର ଶିରୋନାମା ହୋଇଥିଲା, ଯେତେବେଳେ ପୁନେର ସାସନ ଜେନେରାଲ ହାସପାତାଳରେ ୧୮ରୁ ୩୫ ବର୍ଷୀୟା ବୌଦ୍ଧିକ ଅକ୍ଷମ ମହିଳାମାନଙ୍କର ହିଷ୍ଟେରେକ୍ଟୋମୀ ବା ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଯାଇଥିଲା ।ସେତେବେଳେ ପୁନେ ଜିଲ୍ଲାର ଶିରୁର ତାଲୁକାରେ ମାନସିକ ଅଭାବଗ୍ରସ୍ତ ଝିଅମାନଙ୍କ ପାଇଁ ଥିବା ସରକାରଙ୍କ ଦ୍ଵାରା ସ୍ଵୀକୃତ ଏକ ଆବାସିକ ସ୍କୁଲରୁ ସେମାନଙ୍କୁ ଅଣାଯାଇଥିଲା । ଝିଅମାନଙ୍କର ଋତୁସ୍ରାବ ସମୟର ସମସ୍ୟାର ସମାଧାନ ସହିତ କୌଣସି ପ୍ରକାର ଯୌନ ଉତ୍ପୀଡ଼ନର ପରିଣତିକୁ ଆଖିରେ ରଖି ଏହି ଉପାୟ ଅବଲମ୍ବନ କରାଯାଉଛି ବୋଲି କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଥିଲେ ।
Illustration: Priyanka Borar

ଅଙ୍କନ: ପ୍ରିୟଙ୍କା ବୋରାର

ରାହିବାଇ ମୋତେ କହନ୍ତି, “ପୁନେ ଡାକ୍ତରଖାନାର ଡାକ୍ତରମାନେ ଗର୍ଭାଶୟ ବାହାର କରିବା ଲାଗି (ମାଲନର) ଅସ୍ତ୍ରୋପଚାର କରିବାକୁ ମୋତେ ପରାମର୍ଶ ଦେଲେ” । କିନ୍ତୁ ପୂରା ଗର୍ଭାଶୟ କାଢ଼ି ଦେବା ବଦଳରେ ନସ୍‌ବନ୍ଦୀ (ଟ୍ୟୁବେକ୍ଟୋମୀ) ବା ବନ୍ଧ୍ୟାକରଣ ହୋଇପାରିବ କି ବୋଲି ମୁଁ ସେମାନଙ୍କୁ ପଚାରିଲି”

ଜନସ୍ଵାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ପୁନେର ସାମାଜିକ କର୍ମୀ ଡକ୍ଟର ଅନନ୍ତ ଫାଡକେ ଏବଂ ଅନ୍ୟମାନେ ବମ୍ବେ ହାଇକୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିଲେ, ଯେଉଁଥିରେ ବିନା ସମ୍ମତିରେ ଏବଂ ଏମିତିକି ୧୦ ବର୍ଷର ଝିଅମାନଙ୍କର ବି ଏଭଳି ଅସ୍ତ୍ରୋପଚାର କରାଯାଉଥିବା ସଂପର୍କରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଅକ୍ଷମ ମହିଳାଙ୍କ ଉପରେ ପ୍ରବଳ ମାତ୍ରାରେ ଯୌନ ଉତ୍ପୀଡ଼ନ, ଅବହେଳା ପ୍ରଦର୍ଶନ, ବଳପୂର୍ବକ ଗର୍ଭଧାରଣ ଏବଂ ଗର୍ଭପାତ ସଂପର୍କରେ ଆବେଦନକାରୀ ଉଲ୍ଲେଖ କରିଥିଲେ । ଏହି ଆବେଦନ ଦାଖଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ଏବଂ ଏଭଳି ଅସ୍ତ୍ରୋପଚାର ବନ୍ଦ ହୋଇଗଲା-କିନ୍ତୁ ସେ ସମୟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେତେବେଳକୁ ଅନ୍ୟୂନ ୧୧ଟି ଅସ୍ତ୍ରୋପଚାର କରାଯାଇ ସାରିଥିଲା । ଏହି ଆବେଦନ ଦାଖଲ ହେବାର ୨୫  ବର୍ଷ ପରେ, ଗତ ବର୍ଷ, ୨୦୧୯ ଅକ୍ଟୋବର ୧୭ରେ ବମ୍ବେ ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଏ ସଂପର୍କିତ ଶୁଣାଣି ଶେଷ ହୋଇଛି ଏବଂ ଚୂଡ଼ାନ୍ତ ରାୟ ବିଚାରାଧୀନ ରହିଛି ।

ରାହିବାଇ ମୋତେ କହନ୍ତି, “ପୁନେ ଡାକ୍ତରଖାନାରେ ଗର୍ଭାଶୟ ବାହାର କରିବା ଲାଗି ଅସ୍ତ୍ରୋପଚାର (ମାଲନଙ୍କ କ୍ଷେତ୍ରରେ) କରାଇବାକୁ ଡାକ୍ତରମାନେ ପରାମର୍ଶ ଦେଲେ”। “କିନ୍ତୁ ପୂରା ଗର୍ଭାଶୟ ବାହାର କରିଦେବା ବଦଳରେ ସେମାନେ ଏକ ନସ୍‌ବନ୍ଦୀ (ବନ୍ଧ୍ୟାକରଣ) କରିପାରିବେ କି ବୋଲି ମୁଁ ସେମାନଙ୍କୁ ପଚାରିଲି ।”

ବୌଦ୍ଧିକ ସ୍ତରରେ ଅକ୍ଷମ ମହିଳାମାନଙ୍କ ପାଇଁ ଗର୍ଭନିରୋଧକ ଏବଂ ସ୍ଥାୟୀ ଜନ୍ମ ନିୟନ୍ତ୍ରଣ ପଦ୍ଧତି ନିର୍ଦ୍ଧାରଣ ସଂପର୍କରେ ବିଭିନ୍ନ ଅନ୍ତର୍ଜାତୀୟ ସାମ୍ମୁଖ୍ୟରେ ଆଲୋଚନା ଜାରି ରହିଥିବା ବେଳେ, ସୁଦୂର ୱାଡ଼ି ଗାଁରେ ରାହିବାଇ ତାଙ୍କ ଝିଅର ଆବଶ୍ୟକତାକୁ ସହଜରେ ହୃଦୟଙ୍ଗମ କରିଛନ୍ତି । ମାଲନଙ୍କ ସାନ ଭଉଣୀ (ବିବାହ କରି ପୁନେରେ ରହୁଛନ୍ତି) ଏବଂ ସଂପର୍କୀୟା ଭଉଣୀମାନେ ବି ତାଙ୍କ ସପକ୍ଷରେ ଅଛନ୍ତି । ସେମାନେ କହିଲେ, “ସାନ ଥିବା ବେଳେ ତା’ର କିଛି ହୋଇନଥିଲା । ଏବେ ତାକୁ ଏତେ କଷ୍ଟ କାହିଁକି ଦିଆଯିବ ? ସେମିତି ଥାଉ ।” ତେଣୁ, ମାଲନଙ୍କର ନା ବନ୍ଧ୍ୟାକରଣ ହେଲା ନା ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର।

ହେଲେ, ଅନେକ ପିତାମାତା ସେମାନଙ୍କ ଅକ୍ଷମ ଝିଅମାନଙ୍କ ପାଇଁ ଏଭଳି ଅସ୍ତ୍ରୋପଚାରକୁ ବାଛି ନିଅନ୍ତି ଏବଂ ବୌଦ୍ଧିକ ଅକ୍ଷମ ମହିଳାଙ୍କ ପାଇଁ ଭାରତରେ ଥିବା ଅନେକ ଆବାସିକ ଅନୁଷ୍ଠାନ ସେଠାରେ ସେମାନଙ୍କୁ ରଖିବା ପୂର୍ବରୁ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର କରାଇ ନେବାକୁ ସର୍ତ୍ତ ରଖନ୍ତି । ସେମାନଙ୍କର ଯୁକ୍ତି ହେଲା ଯେ, ଯେହେତୁ ଏହି ମହିଳାମାନେ କେବେହେଲେ ବିବାହ କରିବେନି କି ପିଲା ଜନ୍ମ କରିବେନି, ତେଣୁ ସେମାନଙ୍କ ଗର୍ଭାଶୟର ଆବଶ୍ୟକତା ହିଁ ନାହିଁ । ଝିଅମାନଙ୍କର ଋତୁସ୍ରାବକାଳୀନ ସମସ୍ୟାର ସମାଧାନ କରିବାରେ ଏହି ପ୍ରକ୍ରିୟା ସାହାଯ୍ୟ କରେ । ସାଧାରଣତଃ ଯୌନ ଉତ୍ପୀଡ଼ନ ଏବଂ ତଜ୍ଜନିତ ଗର୍ଭଧାରଣ ଆଶଙ୍କାରୁ ମଧ୍ୟ ଏଭଳି ନିଷ୍ପତ୍ତି ନିଃସୃତ ହୋଇଥାଏ ।

Sitting on a cot, Malan waits for her mother to come home
PHOTO • Medha Kale

ଖଟ ଉପରେ ବସି ମାଆଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ମାଲନ

ପିତାମାତା, ଶିକ୍ଷକ, ପରାମର୍ଶଦାତା ଏବଂ ସେବାଯତ୍ନକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଥିବା ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦେବା କ୍ଷେତ୍ରରେ କାର୍ଯ୍ୟରତ ପୁନେର ‘ତଥାପି ଟ୍ରଷ୍ଟ୍‌’ର ପୂର୍ବତନ ସଂଯୋଜକ ଅଚ୍ୟୁତ ବୋରଗାବକର କହନ୍ତି, “ମାନସିକ ବା ବୌଦ୍ଧିକ ସ୍ତରରେ ସାମାନ୍ୟ ଅକ୍ଷମ ଅଧିକାଂଶ ଝିଅ ଯୌବନାବସ୍ଥାରେ ପାଦ ଦେବା ପୂର୍ବରୁ କ’ଣ ହୁଏ, ତାହା ବୁଝିପାରନ୍ତି ଏବଂ ଋତୁସ୍ରାବ ସମୟରେ ନିଜର ଯତ୍ନ ନେବା ପାଇଁ ସେମାନଙ୍କୁ ପ୍ରଶିକ୍ଷିତ କରାଯାଇପାରିବ” । “କିନ୍ତୁ ଆମର ଜନସ୍ଵାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥାରେ ସେମିତି କିଛି କାର୍ଯ୍ୟକ୍ରମ (ଅକ୍ଷମ ଝିଅମାନଙ୍କୁ ଜୀବନଯାପନ କୌଶଳ ଏବଂ ଯୌନ ଶିକ୍ଷା ପ୍ରଦାନ ସଂପର୍କିତ) ନାହିଁ ।”

ମେଧା ଟେଙ୍ଗଶେ କହନ୍ତି ଯେ, ଏକ ସଶକ୍ତ ଜନସ୍ଵାସ୍ଥ୍ୟ ସେବା ଏବଂ ଜନକଲ୍ୟାଣ ବ୍ୟବସ୍ଥା ନଥିବାରୁ ଏବଂ ପରିବାର ଓ ସମାଜର ଅବିରତ ସହଯୋଗ ବିନା ଅକ୍ଷମ ବ୍ୟକ୍ତିମାନଙ୍କର ଯୌନ ଓ ପ୍ରଜନନ ସ୍ଵାସ୍ଥ୍ୟ ଏବଂ ଅଧିକାରକୁ ସୁରକ୍ଷିତ ରଖିବା ଖୁବ୍‌ କଷ୍ଟକର ।

ବୌଦ୍ଧିକ ଅକ୍ଷମ ପ୍ରାପ୍ତବୟସ୍କ ବ୍ୟକ୍ତିମାନଙ୍କ ପାଇଁ ୱାଡ଼ିଠାରୁ ପ୍ରାୟ ୧୦ କିଲୋମିଟର ଦୂର କୋଲୱାନ ଉପତ୍ୟକାରେ ୧୯୯୪ରେ (ଏକ ପଞ୍ଜୀକୃତ ସମିତି ଭାବରେ) ସ୍ଥାପିତ ସାଧନା ଭିଲେଜ୍‌ ନାମକ ଏକ ଆବାସିକ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଟେଙ୍ଗଶେ କହନ୍ତି, “ଆମେ ବି ଅସହାୟ ।”(ଗତ ୨୦  ବର୍ଷ ହେଲା ସାଧନା ଭିଲେଜରେ ସାମାଜିକ କର୍ମୀ ଭାବେ କାର୍ଯ୍ୟ କରି ରାହିବାଇ ପାରିତୋଷିକ ବାବଦରେ ସ୍ଵଳ୍ପ ରୋଜଗାର କରନ୍ତି) । “ପ୍ରାୟ ୧୫ ବର୍ଷ ତଳେ ଆମେ ନିୟୋଜିତ କରିଥିବା ମହିଳା ସେବାକାରୀମାନେ ନିଷ୍ଠାର ସହ କାମ କରୁଥିଲେ ଏବଂ ଋତୁସ୍ରାବ ସମୟରେ ମହିଳା ଅନ୍ତେବାସୀମାନଙ୍କର ସହାୟତା କରୁଥିଲେ । କିନ୍ତୁ ଆଜିକାଲି ଦୃଶ୍ୟପଟ୍ଟ ବଦଳିଯାଇଛି । ଏଠାରେ ରହୁଥିବା ମହିଳାମାନଙ୍କୁ ନିଜ ନିଜର ଯତ୍ନ ନେବା କ୍ଷେତ୍ରରେ ମୌଳିକ ପ୍ରଶିକ୍ଷଣ ଦେବାକୁ ଆମେ ଉଦ୍ୟମ କରୁ । କିନ୍ତୁ ବେଳେବେଳେ ଆମେ ବି ଚଳାଇ ପାରୁନାହିଁ । ତେଣୁ ଆମେ ଅସ୍ତ୍ରୋପଚାର ଲାଗି ପ୍ରସ୍ତାବ ଦେବାକୁ ବାଧ୍ୟ ହେଉ ।”

ୱାଡ଼ି ଗାଁ ଲୋକଙ୍କ ପାଇଁ ସବୁଠାରୁ ପାଖରେ ଥିବା ନିକଟବର୍ତ୍ତୀ କୋଲୱାନ ଗାଁର ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ ବି ଏକ ମଜଭୁତ ଜନସ୍ଵାସ୍ଥ୍ୟ ସହାୟତା ପ୍ରଣାଳୀର ଅଭାବ ସ୍ପଷ୍ଟ ବିଦ୍ୟମାନ । ବୌଦ୍ଧିକ ଅକ୍ଷମ ମହିଳାମାନଙ୍କର ପ୍ରଜନନ ସ୍ଵାସ୍ଥ୍ୟ ସଂପର୍କିତ ଆବଶ୍ୟକତା ସଂପର୍କରେ ପଚାରିବାରୁ ସେଠାରେ ଥିବା ଦୁଇ ଜଣ ପୁରୁଷ ସ୍ଵାସ୍ଥ୍ୟ କର୍ମୀ, ଜଣେ ପୁରୁଷ ମେଡିକାଲ ଅଫିସର ଏବଂ ଦୁଇ ଜଣ ମହିଳା ସ୍ଵାସ୍ଥ୍ୟ କର୍ମୀ ନଜର ଏଡ଼ାଇବାରେ ଲାଗିଲେ । ଜଣେ ସହାୟିକା ନର୍ସ ଏବଂ ଧାଈ କହନ୍ତି, “କିଶୋରୀ ଝିଅ ଓ ମହିଳାମାନଙ୍କୁ ଆମେ ସାନିଟାରୀ ପ୍ୟାଡ୍‌ ବାଣ୍ଟିଥାଉ ।” ମୁଁ ପଚାରେ, ଆଉ ଆପଣ କ’ଣ ସବୁ କରନ୍ତି । ଦ୍ଵିଧାଗ୍ରସ୍ତ ଭାବରେ ସେମାନେ ପରସ୍ପରକୁ ଚାହିଁବାରେ ଲାଗନ୍ତି ।

ୱାଡ଼ି ନିକଟବର୍ତ୍ତୀ (ପ୍ରାୟ ୧୧ କିଲୋମିଟର ଦୂର) କୁଲେ ଗାଁରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ବି ସେଇ ସମାନ ଅବସ୍ଥା । ଜଣେ ଆଶା (ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ) ସୁବର୍ଣ୍ଣା ସୋନାର କହନ୍ତି କୁଲେରେ ଦୁଇ ଜଣ ଝିଅ ଅଛନ୍ତି ଯେଉଁମାନେ କି ‘ଧୀରେ ଧୀରେ ଶିଖୁଛନ୍ତି’ ଏବଂ କୋଲୱାନରେ ଚାରି କି ପାଞ୍ଚ ଜଣ ଝିଅ ଅଛନ୍ତି । ସେ ଆହୁରି କହନ୍ତି ଯେ, ସେମାନଙ୍କ ପାଇଁ ଏମିତି କିଛି ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ସେବା ନାହିଁ । “ଯୌବନାବସ୍ଥାରେ ପାଦ ଦେବା ସମୟରେ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଘଟେ । ସେମାନଙ୍କୁ କେମିତି ଆଉ କ’ଣ କହିବାକୁ ହେବ ତାହା ଆମେ ଜାଣିନୁ ।”

୨୦୦୮ ମେ ୩ ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଅକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ସଂପର୍କିତ ମିଳିତ ଜାତିସଂଘ ସମ୍ମିଳନୀରେ ଗୃହୀତ ପ୍ରସ୍ତାବର ଧାରା୨୫ (ଏ)ରେ ଦର୍ଶାଯାଇଛି ଯେ, ‘ଅନ୍ୟ ବ୍ୟକ୍ତିମାନଙ୍କୁ ପ୍ରଦାନ କରାଯାଉଥିବା ମାଗଣା ଏବଂ ସୁଲଭ ସ୍ଵାସ୍ଥ୍ୟ ସେବା ଏବଂ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ସହ ସମାନ ମୂଲ୍ୟ, ଗୁଣବତ୍ତା ଏବଂ ମାନ ବିଶିଷ୍ଟ ସେବା ଅକ୍ଷମ ବ୍ୟକ୍ତିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ ଏବଂ ଏଥିରେ ଯୌନ ଏବଂ ପ୍ରଜନନ ସ୍ଵାସ୍ଥ୍ୟ କ୍ଷେତ୍ର ଏବଂ ଜନସଂଖ୍ୟା ଭିତ୍ତିକ ଜନସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ସାମିଲ ହେବ’।
Artwork from a recreation centre for persons with disability in Wadi
PHOTO • Medha Kale

ୱାଡ଼ିର ଏକ ଅବସର ବିନୋଦନ କେନ୍ଦ୍ରରେ ଅକ୍ଷମ ବ୍ୟକ୍ତିମାନଙ୍କ ଦ୍ଵାରା ଅଙ୍କିତ ଏକ ଚିତ୍ରକଳା

ଭାରତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି, କିନ୍ତୁ ୨୦୧୬ ମସିହାରେ ହିଁ ଅକ୍ଷମ ବ୍ୟକ୍ତିମାନଙ୍କର ଅଧିକାର ଆଇନ ପ୍ରଣୟନ କରି ଅକ୍ଷମ ବ୍ୟକ୍ତିମାନଙ୍କ ସମ୍ମତି ବିନା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଉପରେ ଭାରତରେ ପ୍ରତିବନ୍ଧକ ଜାରି କରାଯାଇଛି । ଏହି ଆଇନରେ ଦର୍ଶାଯାଇଛି ଯେ, ଅକ୍ଷମ ବ୍ୟକ୍ତିମାନଙ୍କୁ, ‘ବିଶେଷତଃ ଅକ୍ଷମ ମହିଳାମାନଙ୍କୁ ସରକାର ଯୌନ ଓ ପ୍ରଜନନ ସ୍ଵାସ୍ଥ୍ୟସେବା’ ଯୋଗାଇ ଦେବା ସୁନିଶ୍ଚିତ କରିବେ ଏବଂ ‘ପ୍ରଜନନ ସ୍ଵାସ୍ଥ୍ୟ ଏବଂ ପରିବାର ନିୟୋଜନ ସଂପର୍କିତ ଉପଯୁକ୍ତ ତଥ୍ୟାବଳୀକୁ ଅକ୍ଷମ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚାଇବା ସୁନିଶ୍ଚିତ କରିବେ’।

ହେଲେ, ଏହି ଆଇନରେ ବି ବୌଦ୍ଧିକ ଅକ୍ଷମ କିମ୍ବା ‘ମାନସିକ ଅନଗ୍ରସର’ ମହିଳାମାନଙ୍କର ଯୌନ ଏବଂ ପ୍ରଜନନ ଅଧିକାର ସଂପର୍କରେ ନିର୍ଦ୍ଦିଷ୍ଟ କୌଣସି ବ୍ୟବସ୍ଥା ନାହିଁ । ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଅନୁସାରେ ଭାରତରେ ଏଭଳି ମାନସିକ ଅନଗ୍ରସରଙ୍କ ସଂଖ୍ୟା ୬ ଲକ୍ଷରୁ ଅଧିକ ଏବଂ ସେଥିରୁ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଗ୍ରାମାଞ୍ଚଳରେ ରହନ୍ତି ।

ଅଧିକାଂଶ କ୍ଷେତ୍ରରେ ଦେଖାଯାଇଛି ଯେ ବୌଦ୍ଧିକ ଅକ୍ଷମ ମହିଳାମାନଙ୍କୁ ଯୌନ ଇଚ୍ଛାରହିତ କିମ୍ବା ଅତ୍ୟଧିକ ଯୌନପ୍ରବଣ ଭାବରେ ବିବେଚନା କରାଯାଇଛି । ୨୦୧୭ରେ ପ୍ରକାଶିତ ଅକ୍ଷମତା ଏବଂ ଯୌନ ପ୍ରବୃତ୍ତି ସଂପର୍କିତ ଏକ ଅନୁଶୀଳନରେ ଉଲ୍ଲେଖ କରାଯାଇଛି ଯେ, ସେମାନଙ୍କ ପ୍ରଜନନ ସ୍ଵାସ୍ଥ୍ୟ ପାଇଁ ଆବଶ୍ୟକ ‘ବନ୍ଦୋବସ୍ତ’ ଅନ୍ଵେଷଣ କରିବା ସମୟରେ, ସେମାନଙ୍କ ପାଇଁ ପ୍ରେମ, ସାଥୀ, ଯୌନ ଏବଂ ଅନ୍ତରଙ୍ଗ ସଂପୃକ୍ତିର ଭାବନା ସହିତ ମାତୃତ୍ଵର ଅଧିକାରକୁ ଅଣଦେଖା କରାଯାଇଛି ।

ଆପଣ କେବେ ମାଲନର ବିବାହ କଥା ଭାବିଛନ୍ତି କି ବୋଲି ରାହିବାଇଙ୍କୁ ମୁଁ ପଚାରେ । ସେ କହନ୍ତି, “କେତେକ ଲୋକ ଏ କଥା ଉଠାଇଥିଲେ ଏବଂ ପ୍ରସ୍ତାବ ବି ଆଣିଥିଲେ, କିନ୍ତୁ ଆମେ ତା’ର ବିବାହ ନ କରିବାକୁ ସ୍ଥିର କଲୁ ”। “ସେ ଶାଢ଼ିଟିଏ ବି ପିନ୍ଧିପାରେ ନାହିଁ, କେମିତି ସେ ତା ନିଜ ପରିବାର ଚଳାଇବ ? ତା’ର ଭାଇମାନେ (ଦୁଇ ଜଣ) ବି କହିଲେ, ‘ସେ ଏଇଠି ତା ନିଜ ଘରେ ରହି ମରିଯାଉ’।” ରାହିବାଇ ଏହା ବି ଜାଣିଛନ୍ତି ଯେ ମାଲନ ଭଳି ଅନେକ ମହିଳା ସେମାନଙ୍କ ସ୍ଵାମୀଙ୍କ ଘରେ ଖାପ ଖୁଆଇ ନୂତନ ଜୀବନଯାପନ କରିପାରନ୍ତି ନାହିଁ ଏବଂ ଫଳତଃ ପୁଣି ନିଜ ବାପାମାଆଙ୍କ ଘରକୁ ଫେରିଆସନ୍ତି ।

ହେଲେ, ସ୍ଵତନ୍ତ୍ର ଆବଶ୍ୟକତା ଥିବା ପ୍ରାପ୍ତବୟସ୍କ ମହିଳା ଓ ପୁରୁଷମାନଙ୍କର ଯୌନ ଅଧିକାରକୁ ଚିହ୍ନଟ କରିବା ଗୁରୁତ୍ଵପୂର୍ଣ୍ଣ କଥା ବୋଲି କହନ୍ତି ପୁନେର ଶିକ୍ଷାବିତ୍‌, ପରାମର୍ଶଦାତା ଏବଂ ସ୍ଵତନ୍ତ୍ର ଆବଶ୍ୟକତା ଥିବା ଜଣେ ବ୍ୟକ୍ତିଙ୍କ ମାଆ ଡକ୍ଟର ସୁନୀତା କୁଲକର୍ଣ୍ଣି। ସେ କହନ୍ତି, “ଯୌନ ଅର୍ଥ ସବୁବେଳେ ଯୌନକ୍ରିୟା ନୁହେଁ ’’। “ଯୌନ ପ୍ରବୃତ୍ତିର ଅନେକ ଦିଗ ରହିଛି । ବନ୍ଧୁତା, ଅନ୍ତରଙ୍ଗତା, କିଛି ଥଟ୍ଟା ପରିହାସ କିମ୍ବା ସାଙ୍ଗ ହୋଇ କପେ କଫି ପିଇବା । କିନ୍ତୁ ସେ ସବୁ ପାଇଁ ବି ଅବସର ନାହିଁ ।”

ଏହା ବଦଳରେ, ଯେତେବେଳେ ବୌଦ୍ଧିକ ଅକ୍ଷମ କିଶୋର ବୟସର ପୁଅଝିଅମାନେ ସେମାନଙ୍କ ଯୌନ ଭାବନା ପ୍ରକାଶ କରନ୍ତି, ଅଧିକାଂଶ ପରିବାର ବା ସେବାଯତ୍ନରେ ନିୟୋଜିତ ବ୍ୟକ୍ତି ସେମାନଙ୍କୁ ବିରୋଧ କରନ୍ତି ଏବଂ ଅନେକ କ୍ଷେତ୍ରରେ ଯୌନ ହରମୋନ୍‌ ନିୟନ୍ତ୍ରଣ କରିବା ଲାଗି ଔଷଧ ଦିଆଯାଏ ଏବଂ କେତେକ କ୍ଷେତ୍ରରେ ଯେ କୌଣସି ପ୍ରକାର ଯୌନ ଆଚରଣ ପାଇଁ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଏ । “ଏହି ସବୁ ଭାବନାର ବିରୋଧ କରି ଆମେ କ’ଣ ପାଉ?” ବୋଲି ପଚାରନ୍ତି ଡକ୍ଟର ସଚିନ ନାଗରକର । ୧୫ ବର୍ଷ ଧରି ମୁଲଶି ତାଲୁକାର ପୌଡ଼ ଗାଁରେ ସ୍ଵତନ୍ତ୍ର ଆବଶ୍ୟକତା ଥିବା ପ୍ରାପ୍ତବୟସ୍କମାନଙ୍କ ସହ ସେ କାର୍ଯ୍ୟ କରିଆସୁଛନ୍ତି । “ଯୌନ କାମନା ଏକ ପ୍ରାକୃତିକ ଏବଂ ସ୍ଵାସ୍ଥ୍ୟପ୍ରଦ ଭାବନାର ପରିପ୍ରକାଶ । ଆପଣ ଏହାକୁ ବନ୍ଦ କରିପାରିବେନି, ଚପାଇ ଦେଇପାରିବେନି କି ମନା କରିପାରିବେନି ।”

ଅଙ୍କନ: ପ୍ରିୟଙ୍କା ବୋରାର

ଯଦିଓ ସେମାନଙ୍କ ନିଜସ୍ଵ ଯୌନ କାମନାକୁ ଅଣଦେଖା କରାଯାଏ, ଅନେକ ସମୟରେ ଅକ୍ଷମ ମହିଳା ଓ ଝିଅମାନେ ଯୌନ ଉତ୍ପୀଡ଼ନ ଏବଂ ଅତ୍ୟାଚାରର ଶିକାର ହୋଇଥାଆନ୍ତି । ଉଭୟ ମାଲନ ଏବଂ ତାଙ୍କ ସଂପର୍କୀୟା ଭଉଣୀ ରୂପାଲି, ଗାଁ ପିଲାମାନଙ୍କ ଦ୍ଵାରା ନିର୍ଯାତନା ଓ ଶୋଷଣର ସମ୍ମୁଖୀନ ହୋଇଛନ୍ତି 

ଯଦିଓ ସେମାନଙ୍କ ନିଜ ଯୌନ କାମନାକୁ ଅଣଦେଖା କରାଯାଏ, ଅନେକ ସମୟରେ ଅକ୍ଷମ ମହିଳା ଓ ଝିଅମାନେ ଯୌନ ଉତ୍ପୀଡ଼ନ ଏବଂ ଅତ୍ୟାଚାରର ଶିକାର ହୋଇଥାଆନ୍ତି । ସେମାନଙ୍କ ଯୁବାବସ୍ଥାରେ ଉଭୟ ମାଲନ ଏବଂ ତାଙ୍କ ଭଳି ବୌଦ୍ଧିକ ସ୍ତରରେ ଅକ୍ଷମ ତାଙ୍କର ୩୮ ବର୍ଷୀୟା ସଂପର୍କୀୟା ଭଉଣୀ ରୂପାଲି (ପରିବର୍ତ୍ତିତ ନାମ)ସେମାନଙ୍କ ଗାଁ ପିଲାମାନଙ୍କ ଦ୍ଵାରା ନିର୍ଯାତନା ଓ ଶୋଷଣର ସମ୍ମୁଖୀନ ହୋଇଛନ୍ତି । ରାହିବାଇ ମୋତେ କହନ୍ତି, “କେତେକ ପିଲା ସେମାନଙ୍କୁ ଚିଡ଼େଇଲା ଭଳି ଡାକିବେ, ଚେଷ୍ଟା କରି ଛୁଇଁବେ, କିମ୍ବା ଆଖପାଖରେ କେହି ନଥିବା ବେଳେ ଘରକୁ ଆସିବେ ।”ଏଭଳି ଯୌନ ଶୋଷଣ ଏବଂ ଏହାର ପରିଣାମ ଆଶଙ୍କା ଭିତରେ ସେ ରହିଆସିଛନ୍ତି ।

ହେଲେ, ରାହିବାଇ ନିଜ ଚିନ୍ତାକୁ ନିଜ ଭିତରେ ସୀମିତ ରଖି ନଥିଲେ । ୱାଡ଼ି ଗାଁର ପାଖାପାଖି୯୪୦ ଜଣ ବାସିନ୍ଦାଙ୍କ ମଧ୍ୟରୁ ଛଅ ଜଣଙ୍କର କୌଣସି ନା କୌଣସି ପ୍ରକାର ବୌଦ୍ଧିକ ଅକ୍ଷମତା ରହିଛି- ମାଲନଙ୍କ ସମେତ ଦୁଇ ଜଣ ମହିଳା ଏବଂ ଚାରି ଜଣ ପୁରୁଷ। ରାହିବାଇ ଯେଉଁ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଅଛନ୍ତି ସେହି ଗୋଷ୍ଠୀର ମହିଳାମାନେ ଏକତ୍ର ହୋଇ ୨୦୧୯ ମସିହା ନଭେମ୍ବରରେ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ‘ଦେବରାଇ ସେଣ୍ଟର ଫର ସ୍ପେସିଆଲ ଫ୍ରେଣ୍ଡସ’ ନାମକ ସଂସ୍ଥାର ଶୁଭାରମ୍ଭ କରିଥିଲେ। ଏଠାରେ ୱାଡ଼ି ଗାଁର ସ୍ଵେଚ୍ଛାସେବୀ ମୟୂରୀ ଗାଏକୱାଡ୍‌ ଏବଂ ସଙ୍ଗୀତା କାଲେକର ଏବଂ ସାଧନା ଭିଲେଜ୍‌ର ଶାଲାନ କାମ୍ବଲେ, ଏହି ଛଅ ଜଣ ‘ସ୍ପେସିଆଲ ଫ୍ରେଣ୍ଡସ’ଙ୍କ ପାଇଁ ପ୍ରତି ସପ୍ତାହରେ ଦୁଇ ଥର ଅବସର ବିନୋଦନ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ମୟୂରୀ କହନ୍ତି, “ଗାଁର କେତେକ ଲୋକ ଏହାକୁ ହସରେ ଉଡ଼ାଇ ଦିଅନ୍ତି । କାରଣ ସେମାନଙ୍କୁ ଲାଗେ ଯେ ଏହି ‘ପାଗଳ’ ପିଲାମାନଙ୍କୁ ଶିକ୍ଷା ଦେବା ନିରର୍ଥକ । କିନ୍ତୁ ଆମେ  ବନ୍ଦ କରିବୁ ନାହିଁ ।”

“ମି କେଲି (ମୁଁ ଏହାକୁ କରିଛି)”, ସବୁଜ ଓ ଧଳା ମାଳିରେ ଗୁନ୍ଥା ଏକ ହାରକୁ ଗର୍ବର ସହ ମୋତେ ଦେଖାଇ ମାଲନ କହନ୍ତି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସେ ଏହାକୁ ତିଆରି କରିଛନ୍ତି ।

ଅନ୍ୟ ସବୁ ଦିନରେ, ମାଲନ ତାଙ୍କ ଘରର ସକାଳବେଳା କାମ ଭାବରେ ପରିବାର ଲୋକଙ୍କ ବ୍ୟବହାର ପାଇଁ ଏକ ଟ୍ୟାପ୍‌ରୁ ଡ୍ରମ୍‌ରେ ପାଣି ଭର୍ତ୍ତି କରନ୍ତି ଏବଂ ନିଜେ ସ୍ନାନ କରନ୍ତି । ତା ପରେ, ସବୁ ସମୟ ଭଳି, ମାଟିର ଚୁଲିରେ ସେ କିଛି ଚା’ ଅଜାଡ଼ି ଦିଅନ୍ତି ଏବଂ ମାଆଙ୍କ ଠାରୁ ଗାଳି ଶୁଣନ୍ତି ।

ତା’ପରେ, ତାଙ୍କୁ ସହାୟତା କରିଆସୁଥିବା ପରିବାର ଲୋକଙ୍କ ଘେରରେ ରହି ଏବଂ ତାଙ୍କ ରଙ୍ଗିନ ବ୍ଳାଉଜ୍‌ ଓ ଗୋଇଠି ଯାଏଁ ଲମ୍ବିଥିବା ସ୍କର୍ଟ ପିନ୍ଧନ୍ତି ମାଲନ, ସେଇ ଦିନଟି ସହ ମୁକାବିଲା ଲାଗି ପ୍ରସ୍ତୁତ ।

ଏହି ଲେଖକ ‘ତଥାପି ଟ୍ରଷ୍ଟ୍‌’ର ଜଣେ ଟ୍ରଷ୍ଟି ଏବଂ ସେଠାରେ ସେ ୧୮ ବର୍ଷ କାମ କରିଛନ୍ତି ।

ସାଧନା ଭିଲେଜ୍‌ର ମେଧା ଟେଙ୍ଗଶେ ଏବଂ ବିଜୟ କୁଲକର୍ଣ୍ଣି, ଏବଂ ପୁନେର ‘ତଥାପି ଟ୍ରଷ୍ଟ’ର ଅଚ୍ୟୁତ ବୋରଗାବକରଙ୍କୁ ଧନ୍ୟବାଦ ସହ

ପ୍ରଚ୍ଛଦ ଅଙ୍କନ :ପ୍ରିୟଙ୍କା ବୋରାର ପ୍ରଚ୍ଛଦ ନୂତନ ପିଢ଼ିର ଜଣେ ଗଣମାଧ୍ୟମ ଚିତ୍ରଶିଳ୍ପୀ, ଯେ କି ଅର୍ଥ ଓ ଭାବପ୍ରକାଶନର ନୂତନ ଆକାର ସନ୍ଧାନ ଲାଗି ବୈଷୟିକ ଜ୍ଞାନକୌଶଳ ସହିତ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି । ଶିଖିବା ଓ ଖେଳିବା ପାଇଁ ସେ ଅନୁଭୂତିର ସଂରଚନା କରନ୍ତି, ଭାବ ବିନିମୟକାରୀ ଗଣମାଧ୍ୟମ ସହ ଜଡ଼ିତ ହୁଅନ୍ତି ଏବଂ ପାରମ୍ପରିକ କଲମ ଓ କାଗଜର ଉପଯୋଗ କ୍ଷେତ୍ରରେ ବି ସହଜ ଅନୁଭବ କରନ୍ତି ।

ଗ୍ରାମୀଣ ଭାରତର କିଶୋରୀ ବାଳିକା ଏବଂ ଅଳ୍ପବୟସ୍କା ମହିଳାମାନଙ୍କ ସଂପର୍କରେ PARI ଏବଂ କାଉଣ୍ଟରମିଡିଆ ଟ୍ରଷ୍ଟର ଏକ ଦେଶବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ, ଯାହାକି ପପୁଲେସନ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଏକ ଅଭିଯାନର ଅଂଶବିଶେଷ ଏବଂ ସାଧାରଣ ଲୋକଙ୍କ ସ୍ଵର ଓ ଅଙ୍ଗେନିଭା ଅନୁଭୂତି ଜରିଆରେ ଏହି ଗୁରୁତ୍ଵପୂର୍ଣ୍ଣ,ତଥାପି ଉପେକ୍ଷିତ ଗୋଷ୍ଠୀ ସମୂହର ସ୍ଥିତି ଅନୁଧ୍ୟାନ ଲାଗି ଏକ ପ୍ରୟାସ ।

ଏହି ଲେଖାର ପୁନଃପ୍ରକାଶନ କରିବାକୁ ଚାହାଁନ୍ତି କି ? ଦୟାକରି [email protected]କୁ ଲେଖନ୍ତୁ ଏବଂ [email protected]କୁ କପି ଦିଅନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Other stories by Medha Kale